"ବଣମଲ୍ଲୀର ମହକ ଗଳ୍ପ ପ୍ରତିଯୋଗିତା" ଏବଂ "କବିର ଘର କବିତା ପ୍ରତିଯୋଗିତା" ରେ ନିଜକୁ ସାମିଲ କରନ୍ତୁ । ଅନଲାଇନ ମାଧ୍ୟମରେ ଏହି ପ୍ରତିଯୋଗିତା ଗୁଡିକରେ ଅଂଶଗ୍ରହଣ କରିବା ନିମନ୍ତେ ୱେବ-ପୋର୍ଟାଲରେ ଉପଲବ୍ଧ ଥିବା LITERACY CONTEST ଫଳକକୁ କ୍ଲିକ କରି ଆଗକୁ ବଢନ୍ତୁ ।

ପ୍ରବନ୍ଧ - ସଂସ୍କାରିତ ନିର୍ବାଚନ - ନାରାୟଣ ଚନ୍ଦ୍ର ସେନାପତି

ପ୍ରବନ୍ଧ - ସଂସ୍କାରିତ ନିର୍ବାଚନ - ନାରାୟଣ ଚନ୍ଦ୍ର ସେନାପତି

  "ନିର୍ବାଚନ ନୁହଁ ଗର୍ଜ୍ଜନ ପ୍ରକ୍ରିୟା
                ନୁହଁ ସିକ୍ତ ରଣାଙ୍ଗନ,
ସ୍ୱାଧୀନ ମତିରେ ନ୍ୟାୟ ମୋହର ଏ
                ଦୀପ୍ତ ପ୍ରତିଭା ଚୟନ,,
      ଏ ତ ଧର୍ମ ନୀତି ରାଜନୀତି,
ନିର୍ମଳ ଶାସନ ପ୍ରତିଫଳନ ଏ
            ରାଷ୍ଟ୍ରର କରେ ପ୍ରଗତି ।।"

  ସେଦିନ ରାଜାଙ୍କର ଏକଛତ୍ରବାଦୀ ଶାସନ,କଠୋର ନିୟମରେ ମର୍ମାହତ ହୋଇ ଲୋକେ ପ୍ରାଣପ୍ରାପ୍ତିର ଏକ ଅଭିନୟ ଉପାୟ ଅନୁସନ୍ଧାନ କରୁଥିଲେ।ଖାଲି ସେତିକି ନୁହଁ ପରାଧୀନ ଭାରତବର୍ଷର ନିଷ୍ଠୁର,ନିର୍ଦ୍ଦୟ,ଅନ୍ୟାୟୀ,ଅତ୍ୟାଚାରୀ ବ୍ରିଟିଶର ଆକ୍ରୋଶ ଓ ଆକ୍ରମଣାତ୍ମକ ଶାସନରେ ଦଗ୍ଧୀଭୂତ ହିନ୍ଦୁସ୍ଥାନୀ ଉତ୍କଣ୍ଠାରେ ହୃଦୟୀ ଶାସକର ଅନୁପମ ସ୍ପର୍ଶ ଆବିଷ୍କାର କରୁଥିଲା।ରାଜା ଶାସନର ରୂପାନ୍ତର ହୋଇ ରାଜନୀତି, ରାଜାଙ୍କର ନୀତି ବା ରାଷ୍ଟ୍ରର ନୀତିର ସଭ୍ୟତା,ସମାଜ  ମାଧ୍ୟମ ସହ ସଙ୍ଗମରେ  ଜନ୍ମିତ କଲା ଏକ ମହାନ ମାନସ ପୁତ୍ର,ନାଁ ତାର  ନିର୍ବାଚନ।ଏହି ନିର୍ବାଚନ ସେ ସମୟର ମହାପୁରୁଷ,ମହାମନିଷୀ ମାନଙ୍କର ନ୍ୟାୟ ମନ୍ଦିରରେ ପ୍ରେମ ପୂଜନର ଅଭୀପ୍ସା ପୁଷ୍ପ ଆକାଂକ୍ଷିତ ହୋଇଥିଲା। ଯାହାକି ରାଜତନ୍ତ୍ରର ସପ୍ତରଙ୍ଗ ମୋହର ବଦଳରେ ଗଣତନ୍ତ୍ରର ସରାଗୀ  ମୋହରରେ ରଙ୍ଗାୟିତ ହୋଇଥିଲା। ମାତ୍ର ଧୀରେ ଧୀରେ ସାମ୍ପ୍ରତିକ କ୍ଷେତ୍ରରେ ରଣାଙ୍ଗନର ଚକ୍ରବ୍ୟୁହ ତ ଶ୍ମଶାନର ଜ୍ୟୋତିର୍ମନ୍ତ ମଶାଲ ହୋଇ ଦଣ୍ଡାୟମାନ ହେଲା ଯାହାକି ଅତ୍ୟନ୍ତ ଦୁର୍ଭାଗ୍ୟର ହଲାହଳ କହିଲେ ଅତ୍ୟୁକ୍ତି ହେବ ନାହିଁ।

  ସାଧାରଣତଃ ନିର୍ବାଚନ କହିଲେ ନୀତି ନିୟମ ପୂର୍ଣ୍ଣ ସ୍ୱାଧୀନ ଚୟନ ପ୍ରକ୍ରିୟା, ଯାହା ପ୍ରତ୍ୟକ୍ଷ କି ପରୋକ୍ଷରେ ପ୍ରତିଟି ବ୍ୟକ୍ତି ଏପରିକି ରାଷ୍ଟ୍ରର ପ୍ରଗତିର ଯୋଜନା ବା କ୍ରିୟାକଳାପର ବାସ୍ତବ ଫର୍ଦ୍ଦ।

  ଯଦି ରାଜନୀତି ଏକ ମନ୍ଦିର ହୁଏ,ନିର୍ବାଚନ ଏକ ପୂଜା ପଦ୍ଧତି ଯେଉଁ ପୂଜାରେ ସ୍ୱାଧୀନ ଚିନ୍ତନ ଏକ ବାସମୟ ନିଷ୍ପାପ ପୁଷ୍ପ ଓ ନିସ୍ୱାର୍ଥପର  ବିଚାରବନ୍ତ ଚୟନ ଯଥାକ୍ରମେ ଧୂପ ଚନ୍ଦନ ଓ ସାହସର ମତଦାନ ହେଉଛି ଭକ୍ତିର ଆରାଧନା।

  ପ୍ରକୃତ ପକ୍ଷରେ କହିବାକୁ ଗଲେ, ନିର୍ବାଚନ ସାଧାରଣତଃ ତିନି ପ୍ରକାରର--ସଂସ୍କାରିତ ନିର୍ବାଚନ,ଅନୈତିକ ନିର୍ବାଚନ ଓ ନିଷ୍କ୍ରିୟ ନିର୍ବାଚନ।ଯେଉଁ ନିର୍ବାଚନରେ ସ୍ୱାଧୀନତାକୁ ସମ୍ମାନ ଦିଆଯାଇଥାଏ,ନ୍ୟାୟ ନୀତି ଓ ନିସ୍ୱାର୍ଥପରତାକୁ ଆତିଥ୍ୟତା ଦେଇ ବୈଭବଶାଳୀ ରାଷ୍ଟ୍ର ଗଠନର ସଂକଳ୍ପ ନିଆଯାଇଥାଏ ତାହା ହିଁ ସଂସ୍କାରିତ।ଅପରପକ୍ଷରେ ଯେଉଁଥିରେ ଅନ୍ୟାୟ ଅନୀତିକୁ ଆମନ୍ତ୍ରଣ କରାଯାଏ,ଭୋଟ୍ ପାଇଁ ମାଡ଼ ପିଟି, ହଣାକଟା,ଧମକ ଚମକ,ଲାଞ୍ଚ- ମିଛ- ଛଳନା ଅଭିନୟର ମାଧ୍ୟମକୁ ଆଭିମୁଖ୍ୟ ନିଆଯାଏ ତାହା ଅନୈତିକ।ଶେଷରେ ଯେଉଁଥିରେ ନାଗରିକର ଅନାଗ୍ରହ, ନିଷ୍କ୍ରିୟତା,ରାଷ୍ଟ୍ରର ମଙ୍ଗଳ କି ଅମଙ୍ଗଳର ଆଭିପ୍ସା ଶୁନ୍ୟ ଥାଏ ତାହା ହିଁ ନିଷ୍କ୍ରିୟ ନିର୍ବାଚନ।
   ବର୍ତ୍ତମାନର ପିଢ଼ି ଚାହେଁ ଅନୈତିକ ମାତ୍ର ରାଷ୍ଟ୍ର ସଦା ଅପେକ୍ଷାରତ ଥାଏ ସଂସ୍କାରିତ ନିର୍ବାଚନକୁ।ଆଜିର ଏ ଅନୈତିକ କାର୍ଯ୍ୟକ୍ରମକୁ ବିଷ୍ଳେଷଣ କରି ନାଗରିକ ଯଦି ତା ପୂର୍ବରୁ କାହିଁକି, କିପରି ଆଦି ବ୍ୟାକରଣର ପ୍ରଶ୍ନସୂଚକ ଶବ୍ଦ ବ୍ୟବହାର କରନ୍ତି, ତେବେ ତା ମନ ଭିତରର ବିବେକ ଅନ୍ତର୍ଦ୍ଦଶନ କରିବାକୁ ବାରମ୍ବାର ଆହ୍ୱାନ କରନ୍ତା।
  ନିର୍ବାଚନ ସମୟ ଉପନୀତ ହେଲେ ପ୍ରତିଟି କର୍ଣ୍ଣ ଶବ୍ଦ ପ୍ରଦୂଷଣ ମାଧ୍ୟମରେ ଶୁଣିବାରୁ ବଂଚିତ ହୁଏନା,ହାତ ଚିହ୍ନ ଜିନ୍ଦାବାଦ୍,ପଦ୍ମଫୁଲ ଜିନ୍ଦାବାଦ, ଶଂଖଚିହ୍ନ ଯେଉଁଠି ଭୋଟ୍ ଦେବା ସେଇଠି....ଇତ୍ୟାଦି।ଅପବିତ୍ର ଜିହ୍ଵାରେ ପଦ୍ମ,ଶଙ୍ଖ ଓ ହାତର ଅପଵିତ୍ରତା କାହିଁକି?ମାଇକ୍ ରେ, ଧାଡି ଧାଡି ଗାଡ଼ିରେ, ମଦ ମାଂସରେ ବଳୀୟାନ ସମର୍ଥକ, ନିଜକୁ ବଡ଼ ଭଲ ଆସ୍ଫାଳନ କରିବା,ଅନ୍ୟକୁ ବଦମାସ ଚୋର ଚରିତ୍ରହୀନ ବ୍ୟଭିଚାରୀ ଆଦି କହି ଆମ ଆରାଧ୍ୟା ସାହିତ୍ୟର ପବିତ୍ର ଶବ୍ଦକୁ ଅସମ୍ମାନ କରନ୍ତି କଣ ପାଇଁ?ଭୁଲିଯାଆନ୍ତି ବିବେକାନନ୍ଦଙ୍କର ସେ ବାଣୀ, "ନିଜକୁ ବଡ଼ ବୋଲି ପ୍ରଚାର କରୁଥିବା ବ୍ୟକ୍ତି ବାସ୍ତବରେ ହିଁ ଅତି ଛୋଟ", ଆଉ ଅରବିନ୍ଦଙ୍କର ମହତ ବାଣୀ, "ନିଜର ଗୁଣ କି ଅନ୍ୟର ବଦଗୁଣ ପ୍ରଚାର କି ଅପପ୍ରଚାର ବ୍ୟଭିଚାରୀ ହିଁ କରିପାରେ"।

  ଚୋର,ଦଲାଲ,ଅସାମାଜିକ ଅସଭ୍ୟଙ୍କ ଏ ରଙ୍ଗମଞ୍ଚରେ ଦିନରେ ଏ ଅଭିନୟ ଆଉ ରାତିରେ ଭୋଟ୍ ପାଇଁ ନୋଟ କାହିଁକି?ଅଗଣିତ ଟଙ୍କା ଯିଏ ଖର୍ଚ୍ଚ କରୁଛି,ତାର କ'ଣ ସ୍ୱାର୍ଥ ଅଛି?ଏତେ ଟଙ୍କା ପାଣି ପରି ଖର୍ଚ୍ଚ କରିବାର ଉଦ୍ଦେଶ୍ୟ ଭଲ ନା ମନ୍ଦ?ଯେଉଁ ରାଷ୍ଟ୍ରରେ ଅଗଣିତ ଶିଶୁ ଠାରୁ ବୃଦ୍ଧ ଖାଦ୍ୟ,ବସ୍ତ୍ର ଓ ବାସଗୃହ ଆଦି ମୌଳିକ ଆଵଶ୍ୟକତାକୁ ସ୍ବପ୍ନ ବୋଲି ଭାବନ୍ତି,ସେମାନଙ୍କ ଅଭାବ ପରିପୂରଣ ବଦଳରେ ଏ ଅନାଵଶ୍ୟକ ଖର୍ଚ୍ଚ କାହିଁକି?ବିଜୟୀ ପରେ ଦରଦା ପ୍ରଥମେ ଖର୍ଚ୍ଚର ପରିପୁରଣ, ତାପରେ ଆଭିଜାତ୍ୟ ବୃଦ୍ଧି, ତତ୍ପରେ ଆଗାମୀ ନିର୍ବାଚନ ପାଇଁ ଅପର୍ଯ୍ୟାପ୍ତ ଅର୍ଥ ଗଛିତ।ଏହାର ଉତ୍ସ, ପ୍ରଥମେ ଦରଦାମ ବୃଦ୍ଧି, ଗରିବ ନିରୀହ ଲୋକଙ୍କର ଇନ୍ଦିରା ଗୃହ ନିର୍ମାଣ,ଚାଉଳ,ଗହମ କିରୋସିନି ର ବାଟମାରଣା,ପିସି ନୁହଁ ତ ଆଉ କଣ? ପୁନଶ୍ଚ ଠିକାଦାରଙ୍କ ଠାରୁ ପିସି ଆଣି ନିର୍ମାଣ କାର୍ଯ୍ୟ ପ୍ରଦାନ,ଯେଉଁ ଦୁସ୍ଥ ନିର୍ମାଣ କାର୍ଯ୍ୟ ଯୋଗୁ ପୋଲଭୁଶୁଡିବା,ଘର କାନ୍ଥ ଛାତ ଭାଙ୍ଗିବା ଓ ଟାୱାର ଭୁଶୁଡିବା ଯୋଗୁ କେତେ ଧନ ଜୀବନ ନଷ୍ଟ, ଏ କଣ ନିର୍ବାଚନର ପୁରସ୍କାର ! ଏ ସମାଜସେବା ନା ଦେଶଦ୍ରୋହ ?ନିର୍ବାଚନ ପୂର୍ବରୁ ନମସ୍କାର,ପ୍ରଣାମ ଜୁହାରର ସୁଅ,ମିଥ୍ୟା ପ୍ରତିଶ୍ରୁତି ମାତ୍ର ଜିତିବା ପରେ ଚିହ୍ନି ନ ପାରିବା, ଅସମ୍ମାନ କରିବା, ଶୋଷଣ କରିବା, ଜୀବନରୁ ମାରିଦେବା, ଝିଅ ବୋହୂଙ୍କର ଇଜ୍ଜତ ନେବା, ଅତି ନିନ୍ଦନୀୟ ଯାହା ଅନୈତିକ ନିର୍ବାଚନର ମୂଳମନ୍ତ୍ର ନୁହଁ କି?

ମାତ୍ର ବୁଝିପାରେନା ଏ ସରଳ,ତରଳ,ଅଜ୍ଞାନ,ଗୋଲାମୀ କ୍ରୀତଦାସର ରକ୍ତ ଥିବା ମଣିଷ,ଟଙ୍କା କେଇଶହରେ ବିକ୍ରିକରେ ତା ସ୍ବାଧୀନତା,ବିବେକ,ସ୍ୱାଭିମାନକୁ।ଅନ୍ୟାୟ,ଅବିଚାର,ବ୍ୟଭିଚାରକୁ ପ୍ରଶୟ ଦେଇ ଗାନ୍ଧୀ,ଗୋପବନ୍ଧୁ,ଆଚାର୍ଯ୍ୟ ହରିହର,ମଧୁବାବୁଙ୍କୁ ଅସମ୍ମାନ କରିବା କ'ଣ ଆମ ଜନ୍ମଗତ ଅଧିକାର?

  ଶାସନରେ ସଂସ୍କାର ଆଣିବାପାଇ ଗଢ଼ାହେଲା ଆମ ସମ୍ବିଧାନ,ରହିଲା ଛଅ ଅଧିକାର,ଏଗାର କର୍ତ୍ତବ୍ୟ।ସତରେ ହିନ୍ଦୁସ୍ତାନୀ କଣ ବୁଝିଛି ଅଧିକାର କଣ?କେବଳ ଲାଞ୍ଚ ପାଇବାରେ ହିସାବ କରୁଛି, ତାକୁ ଭୋଟ୍ ପାଇଁ କାହିଁକି ଅନ୍ୟମାନଙ୍କ ଠାରୁ ପଚାଶ ଟଙ୍କା କମ୍ ମିଳିଲା ?ମାଗଣା ଜିନିଷ ଆଉ କେତେ ମିଳିବ, କଁ ବେଶୀ କାହାକୁ ମିଳୁଛି?ଆଜି ବି ମା,ଭଉଣୀ ରାତିରେ ଏକୁଟିଆ ସ୍ୱାଧିନ ଭାବେ ବୁଲିପାରେନା,ଦରିଦ୍ର ଦେଇପାରେନା ନିର୍ଭୟ-ମନଖୋଲା ଅଭିବ୍ୟକ୍ତି,ପାଏନା ଅଜାତି ଜାତିର ମର୍ଯ୍ୟାଦା, ନେତା-ଧନୀକ-ବଳଶାଳୀ-ଅସାମାଜିକଙ୍କଠୁ ନିଷ୍ପାପ ପାଏନା ଶୋଷଣ ସୁରକ୍ଷା।ଏଇ କଣ ଆବ୍ରାହାମ ଲିଙ୍କନଙ୍କର ଗଣତନ୍ତ୍ରର ସଂଜ୍ଞା,ନେହେରୁଙ୍କର ସାମ୍ୟବାଦୀ ନୀତି, ଆମ୍ବେଦକରଙ୍କର ସମ୍ବିଧାନର ସମ୍ବେଦନଶୀଳ ଧର୍ମନିରପେକ୍ଷ ନୀତି?ସାମ୍ପ୍ରତିକ ମାନବ ସାମୁହିକ,ସରକାରୀ ଜିନିଷକୁ ଭାଙ୍ଗି ପକାଉଛି, ଚୋରି କରୁଛି, ଏହା କଣ ତାର ସ୍ବାଧୀନତା ନା ସ୍ବେଚ୍ଛାଚାରିତା? ଜାତୀୟ ସଂଗୀତ ଗାଇଲା ବେଳେ କାହିଁ ତା ଲୋମ ମୁଳ ଟାଙ୍କୁରି ଉଠୁନି,ବନ୍ଦେ ମାତରଂ ବେଳେ ତା ଛାତି ଫୁଲିଉଠୁନି କାହିଁକି?
  ଅନୈତିକ ନିର୍ବାଚନକୁ ପାଥେୟ କରୁ କରୁ କେତେକ ଅଭିମାନୀ ମଣିଷ ନିଜ,ସମାଜ ଓ ଦେଶ ପ୍ରତି ଅଭିମାନ କରି ଭୋଟ୍ ଦିଅନ୍ତି ନାହିଁ,ଦେଶକଥା ଚିନ୍ତନ କରନ୍ତିନାହିଁ।
  ନେତାଟି ପ୍ରଚାର କଲାବେଳେ ଚିନ୍ତା କରୁଛି କି ସେମାନଙ୍କ କୁକୁର ମାଂସ ଛାଡୁଥିବା ବେଳେ ଗରିବ ଛୁଆଟା ମଧ୍ୟାହ୍ନ ଭୋଜନ ପାଇଁ ଅପେକ୍ଷା କରିଛି ମଧ୍ୟାହ୍ନକୁ,ଧନୀକର ଆଭିଜାତ୍ୟ ପୋଷାକ ସହ ଏ.ସି. କାର୍ ରେ ଭ୍ରମଣ କରୁଥିବା ବେଳେ ଗରିବ ଖଟିଖିଆ ମୁଲିଆର ଛୁଆଟି ନିଜ ଛିଣ୍ଡା ପୋଷାକକୁ ଦେଖି ରାସ୍ତାରେ କେମିତି ମୁହଁ ଶୁଖାଇ ଚାଲି ଚାଲି ଯାଉଛି?
  ସାଧାରଣ ମଣିଷ ଯଦି ଏସବୁ ବୁଝି ତାର ମୂଲ୍ୟବାନ ଭୋଟ୍ ଟିକୁ ଅଳିଆ ଗଦାରେ ଫିଙ୍ଗି ନ ଦିଅନ୍ତା ତେବେ ନିର୍ବାଚନ ସଂସ୍କାର ତାକୁ ସାଲ୍ୟୁଟ ମାରନ୍ତା।
   ବର୍ତ୍ତମାନ ବିଜ୍ଞାନ ଓ ଇଣ୍ଟରନେଟ ଯୁଗରେ ଦରିଦ୍ରଠୁ ସମ୍ଭ୍ରାନ୍ତ ପର୍ଯ୍ୟନ୍ତ କାହାଠାରେ ମୋବାଇଲ ନାହିଁ?ସମସ୍ତ କ୍ରିୟାକଳାପ ଅନ ଲାଇନ ରେ ଚାଲିବା ସ୍ଥଳେ ଯଦି ନିର୍ବାଚନ ଅନ୍ ଲାଇନ୍ ରେ ହୁଅନ୍ତା ତେବେ ଅଶେଷ ସ୍ବାଧୀନତା ମିଳନ୍ତା,ଲାଞ୍ଚ ମିଛ ଛଳନା  ,ମଦ ମାଂସ ଗାଡି ପ୍ରଚାର ଶବ୍ଦ ପ୍ରଦୂଷଣ ରେ ଅପର୍ଯ୍ୟାପ୍ତ ଟଙ୍କା ରହି ଜନହିତକର କାର୍ଯ୍ୟରେ ଲାଗନ୍ତା।ସଂସ୍କାରମୂଳକ ନିର୍ବାଚନ ନିଶ୍ଚୟ ହସିପାରନ୍ତା।
    ଏକଥା ସତ୍ୟ ଯେ ଆଜିବି ଏମିତି ନେତା ଅଛନ୍ତି ସେମାନେ ନିଷ୍କଳଙ୍କ,ତ୍ୟାଗୀ,ପ୍ରକୃତ ଦେଶପ୍ରେମୀ, ଜାତିପ୍ରେମୀ।ରାଷ୍ଟ୍ରପାଇଁ ତାଙ୍କ ପ୍ରାଣ ପ୍ରତି ମୁହୂର୍ତ୍ତରେ କାନ୍ଦୁଥାଏ।ହେଲେ ତାଙ୍କ ତଳ ସ୍ଥରର କୁଜି ନେତା,ଦଲାଲ,ତୋସାମତକାରୀ ନିଜ ସ୍ୱାର୍ଥପାଇଁ ରାଜ୍ୟ ଓ ଦେଶକୁ ଧ୍ବସ୍ତ ବିଧ୍ୱସ୍ତ କରି ବିକ୍ରିକରିବାକୁ ବି ପଛାନ୍ତି ନାହିଁ।ବିଚରା ନିଷ୍କଳଙ୍କ ପ୍ରତିଭାଙ୍କୁ କଳଙ୍କିତ କରନ୍ତି ଭାବମୁତ୍ତିକୁ ଜଟିଳ ଅବୋଧ୍ୟ ଚିତ୍ର କରିଦିଅନ୍ତି।

   ଉପରୋକ୍ତ ସମସ୍ତ ବର୍ଣ୍ଣିତ ତଥ୍ୟକୁ ମାନସିକ ପଠନ କଲେ ମନେପଡେ ଓଡ଼ିଶାର ପ୍ରଶଂସିତ ଲେଖକ ଡକ୍ଟର ଲକ୍ଷ୍ମଣ ସାହୁଙ୍କ ଏକ ଅନୁଛେଦ---

"ସାଧାରଣ ବ୍ୟକ୍ତି ବୁଝିବା ଆବଶ୍ୟକ ଯେ,ଯେଉଁ ମାନଙ୍କ ଠାରୁ ମୋଟା ଚାନ୍ଦାର ପାଣ୍ଠି ସଂଗ୍ରହ ହୋଇଥାଏ ନିର୍ବାଚନ ପରେ ଦର ଦାମ ବୃଦ୍ଧି ଘଟାଇ ସେମାନଙ୍କ ଅର୍ଥ କେବଳ ଭରଣା କରାଯାଏ ନାହିଁ,ଅଧୀକନ୍ତୁ ମୁନାଫା/ଫାଇଦା ଉଠାଇବାକୁ ସୁଯୋଗ ମିଳିଯାଏ,ଅପରପକ୍ଷରେ ଵିଜୟୀ ପାର୍ଥୀ ନିର୍ବାଚନରେ ବ୍ୟୟ କରିଥିବା ଅର୍ଥ ଫେରିପାଇବା ପାଇଁ ଓ ଆଗାମୀ ନିର୍ବାଚନରେ ପୁନଃ ପ୍ରାର୍ଥୀ ହେବାପାଇଁ ବହୁଳ ଅର୍ଥ ଜମା ନିମନ୍ତେ ଅସତ ପଥ ବାଛି ନିଅନ୍ତି ଦୁର୍ନୀତି ଲିପ୍ତ ହୋଇପାରନ୍ତି।ଅବଶ୍ୟ ସବୁ ନେତା ତାହା ନୁହଁନ୍ତି,ଏପରି କେତେକ ନିଜର ସର୍ବସ୍ୱ ହରାଇ ଜନସେବାରେ ନିଜକୁ ଉତ୍ସର୍ଗ କରିଥିବା ନଜିର ରହିଛି।ସାଧାରଣଙ୍କ ନିକଟରେ ସେମାନେ ଚିର ନମସ୍ୟ ହୋଇପାରିଛନ୍ତି।"

  ଯାହା ପ୍ରତି ମୁହୂର୍ତ୍ତରେ ଆହ୍ୱାନ କରୁଛି ଦେଶବାସୀଙ୍କୁ ଚିହ୍ନଟ କରିବାପାଇଁ ସଂସ୍କାରିତ ନିର୍ବାଚନକୁ,ଓ ବୀର ଦର୍ପରେ କହୁଛି...
  ହେ ହିନ୍ଦୁସ୍ଥାନୀ ଦାୟାଦ,ନିଜ ସ୍ବାଧୀନତା,ସ୍ୱାଭିମାନକୁ କେଇଟା ଟଙ୍କାରେ ବିକ୍ରି ନକରି ବିବେକୀ ବିଚାରବନ୍ତ ହୁଅ,ନିଜର ଖଣ୍ଡିଏ ମତଦାନକୁ ନାଳ ନର୍ଦ୍ଦମାର ଅଳିଆ କି ବେଶ୍ୟାଳୟ ଚକଟା ଫୁଲ ନ କରି ରାଷ୍ଟ୍ର ନିର୍ମାଣର ବିସ୍ତୃତ ଭାବନା ପରିପୋଷଣ  କରି ନିର୍ବାଚନକୁ ସଂସ୍କାରିତ କରିବାର ଅଭୀପ୍ସା ପୋଷଣ କର। ସାର୍ଵଭୌମ,ଗଣତାନ୍ତ୍ରିକ, ଧର୍ମ ନିରପେକ୍ଷ, ସମାଜବାଦୀ ରାଷ୍ଟ୍ରର ମର୍ୟାଦା ଅକ୍ଷୁର୍ଣ୍ଣ ରଖିବାକୁ ନିର୍ବାଚନକୁ ସଂସ୍କାରିତ କର।

🚩ନାରାୟଣ ଚନ୍ଦ୍ର ସେନାପତି, ଜମ୍ଭରା, କେନ୍ଦୁଝର🚩

0 Comments