ବାତ୍ୟା ଜନିତ ଅସୁବିଧା କାରଣରୁ କ୍ଷୁଦ୍ରଗଳ୍ପ ଓ କବିତା ପ୍ରତିଯୋଗିତାର ଫଳାଫଳ ମେ - ୧୦ ତାରିଖ ପରିବର୍ତ୍ତେ ଚଳିତ ମାସ ୩୧ ତାରିଖ ସୁଧା ଘୋଷଣା କରାଯିବ । ଏବଂ ଚଳିତ ମାସ ୨୩ ତାରିଖ ଠାରୁ କବିର ଘର ପ୍ରସ୍ତୁତ "ଆଜିର ଅତିଥି" କାର୍ଯ୍ୟକ୍ରମର ସାପ୍ତାହିକ ପ୍ରସାରଣ ସେବା ଆରମ୍ଭ ହେବ । ଅନିଚ୍ଛାକୃତ ଅସୁବିଧା ନିମନ୍ତେ ଦୁଃଖିତ ।

ପ୍ରବନ୍ଧ - ମୂଲର ଏଠି କେତେ ମୂଲ୍ୟ - ସନ୍ତୋଷ କୁମାର ମହାନ୍ତି

ପ୍ରବନ୍ଧ - ମୂଲର ଏଠି କେତେ ମୂଲ୍ୟ - ସନ୍ତୋଷ କୁମାର ମହାନ୍ତି




ଜୀବନରେ ବାଟ ଚାଲିବାର ଧାରା ସମସ୍ତଙ୍କ ଭିନ୍ନ | ବଂଚିବା ପାଇଁ ମଣିଷ ଏଠି ଜୀବନ ଓ ଜୀବିକା ସହ ଲଢେଇ କରୁଛି | କିଏ ଏଠି ଚାକିରୀ କରିଛି ତ କିଏ ପୁଣି ବେପାର କରି ପେଟ ପୋଷୁଛି | ଆଉ କିଛି ଲୋକ ଚାଷବାସ କରି ନିଜ ପରିବାର ପ୍ରତିପୋଷଣ କରୁଛନ୍ତି | ପୁଣି ଏହି ଦୁନିଆରେ କିଛି ଲୋକ ଅଛନ୍ତି କଥା ବିକି ସେମାନେ ରୋଜଗାର କରନ୍ତି | ଆଜିର ଦିନରେ ମଧ୍ୟସ୍ଥି କାମରେ ଭଲ ଦି ପଇସା ମିଳୁଛି | ଖାଲି କଥା କହି ଜାଣିଲେ ହେଲା | କେତେଜଣ ଏଠି ନିଜ ଶିକ୍ଷାଗତ ଯୋଗ୍ୟତା ଅନୁଯାୟୀ ସଠିକ ସ୍ଥାନରେ ଚାକିରୀ କରି ଭଲ ଦରମାରେ ଖୁସିରେ ଅଛନ୍ତି ଆଉ କିଛି ନିଜ ଯୋଗ୍ୟତା ଅନୁଯାୟୀ କାମ ନପାଇ ନାନା ଅଶାନ୍ତି ଭିତରେ ଦିନ କାଟୁଛନ୍ତି |ଯୋଗ୍ୟ ଓ କାମିକା ଲୋକକୁ ଠିକ ଜାଗାରେ କାମ କରିବାର ସ୍ଥାନ ମିଳୁନି ଆଉ ଅଯୋଗ୍ୟ ଲୋକକୁ ଏ ଦେଶର ବିଭିନ୍ନ ସ୍ଥାନରେ ବସାଯାଇ ସେମାନଙ୍କ ଗୋଡ଼ ହଳଦିଆ କରାଯାଉଛି |

ଏହି ଦୁନିଆରେ କିଛି ଲୋକ ସରକାରୀ ସ୍ତରରେ ଚାକିରୀ କରି ପେଟ ପୋଷୁଛନ୍ତି ତ ଆଉ କିଛି ବେସରକରୀ ଚାକିରୀ କରି ନିଜ ଗୁଜୁରାଣ ମେଣ୍ଟାଉଛନ୍ତି | ପୁଣି କିଛି ଲୋକ ଏଠି ନିଜ କୌଳିକ ବୃତ୍ତିକୁ ନେଇ ଦୁଇ ପଇସା କମେଇବା ବେଳେ ଆଉ କିଛି ଲୋକ ଏଠି ଅନ୍ୟମାନଙ୍କ କୌଳିକ ବୃତ୍ତିକୁ ଆଦରି ନେଇ ଭଲ ପଇସା ପାଉଛନ୍ତି | ଏଠି ଚୁଟି କାଟିବା ଆଉ ବାରିକ ପୁଅର କାମ ହୋଇ ରହିନାହିଁ ଅନ୍ୟ ଜାତିର ଲୋକ ସେଲୁନ ଓ ପାର୍ଲର କରି ଟଙ୍କାବି ରୋଜଗାର କରୁଛନ୍ତି | ଠିକ ସେହିପରି କାଠ କାମ ବି କେବଳ ଏବେ ବଢ଼େଇ କରୁନାହିଁ ସେହି ବୃତ୍ତିକୁ ଅନ୍ୟ ଜାତିର ଲୋକ ଆଦରି ନେଲେଣି | ଦୀର୍ଘ ଦିନ ଧରି ଯୋଉ ସବୁ କାମ ଗୁଡିକୁ କମାର,କୁମ୍ଭାର ,ଓଝା ,ଧୋବା,ମେହେନ୍ତର ଓ ଗୁଡ଼ିଆ ଆଦି କରି ଆସୁଥିଲେ ତାହାକୁ ଅନ୍ୟ ଜାତିର ଲୋକ ଆଦରି ନେଇ ପେଟ ପୋଷୁଛନ୍ତି | କିନ୍ତୁ ଏଠି କେତେକ କୌଳିକ ବୃତ୍ତି ଏଇ ଯେମିତି ହାଣ୍ଡି ,ମାଠିଆ ଗଢିବା ,କଂସା ବାସନ ତିଆରି କରୁଥିବା,ଗାଁ ଓ ସହରରେ ଲୁହା କାମ କରୁଥିବା ଲୋକମାନଙ୍କୁ ସେମାନଙ୍କ କାମର ଆଉ ଉଚିତ ମୂଲ୍ୟ ମିଳୁନି | ଯାହା ଫଳରେ କୌଳିକ ବୁର୍ତ୍ତିରୁ ଅନେକ ମୁଁହ ଫେରାଇ ନେଉଛନ୍ତି |

ଏହି ଦୁନିଆରେ ଅନେକ ଲୋକ ବସି,ଶୋଇ ଭଲ ପଇସା କମାଉଥିବା ବେଳେ ଆଉ କିଛି ଦିନ ତମାମ ଗଧ ଖଟଣି ଖଟି ତା କାମର ଉଚିତ ମୂଲ୍ୟ ପାଉନାହିଁ | ସରକାରୀ ସ୍ତରରେ ଅନେକ ଲୋକକୁ ଚାକିରୀ ମିଳେନା | ଦିନ ଥିଲା ସରକାରୀ ଚାକିରୀ ପାଇଁ ଲୋକ ଘରକୁ ଆସି ଡାକୁଥିଲେ ଏବେ ତାହା ସାତ ସପନ ହେଇ ଯାଇଛି | ସରକାରୀ ସ୍ତରରେ ଗୋଟେ ଚପରାଶି ପଦବୀ ବାହାରିଲେ ବି ବହୁତ ଊଂଚ ଯୋଗ୍ୟତା ଥିବା ପ୍ରାଥୀ ସେଥିପାଇଁ ଆବେଦନ କରୁଛନ୍ତି | ତେଣୁ ବେସରକରୀ ସ୍ତରରେ ଚାକିରୀ କରି ପେଟ ପୋଷିବାର ରାସ୍ତାକୁ ଅନେକ ଲୋକ ଆପଣେଇ ନେଇଛନ୍ତି | ଅନେକ ବେସରକାରୀ ନାମୀ ଦାମୀ କମ୍ପାନୀ ଅଛନ୍ତି ଯୋଉଠି ନିଜ କାମର ଉଚିତ ମୂଲ୍ୟ ମିଳେ | ଆଉ କିଛି ବେସରକାରୀ କମ୍ପାନୀ ଓ ପ୍ରତିଷ୍ଠାନ ସବୁ ଅଛନ୍ତି ସେଠି କର୍ମଚାରୀ ମାନଙ୍କୁ ବହୁତ ଶୋଷଣ କରାଯାଏ | ସେହି ସବୁ ଜାଗାରେ କାମ ଅନୁଯାୟୀ ଉଚିତ ଦରମା ଓ ସୁବିଧା ସୁଯୋଗ ମିଳେ ନାହିଁ | କିଛି କମ୍ପାନୀରେ କର୍ମଚାରୀ ମାନେ ପରିସ୍ଥିତିକୁ ଦେଖି କିଛି ପ୍ରତିବାଦ କରି ପାରନ୍ତି ନାହିଁ | କାରଣ ଆମ ରାଜ୍ୟରେ କାମଟିଏ ପାଇବା ଏତେ ସହଜ ନୁହେଁ ଏଠି ଗୁଜୁରାଟ ,ମହାରାଷ୍ଟ୍ର,କର୍ଣ୍ଣାଟକ ,ତାମିଲନାଡୁ ଭଳି କମ୍ପାନୀ ବହୁ ସଂଖ୍ୟାରେ ନାହିଁ ଯେ ଗୋଟେ ଜାଗାରେ କାମ ଛାଡିଦେଲେ ଅନ୍ୟ ଜାଗାରେ ମିଳିଯିବ | ଆଉ ଯୋଉ କମ୍ପାନୀବି ଏଠି ଓଡ଼ିଶାରେ ଅଛି ବା ହେଉଛି ସେଠି ସମସ୍ତେ କାମ ପାଇଁ ପାରୁନାହାନ୍ତି ସେଠି ଆଞ୍ଚଳିକ ଗୁଣ୍ଡା ଓ ରାଜନୀତିକ ଲୋକଙ୍କ ପିଲା ମାନେ ଥଇଥାନ ହେଉଛନ୍ତି |

ଏହି ଓଡ଼ିଶାରେ କାମର ଅଭାବ ହେତୁ ଅନେକ ପିଲା ପ୍ରତିବର୍ଷ ବାହାର ରାଜ୍ୟକୁ କାମ କରିବାକୁ ଯାଉଛନ୍ତି ସେମାନଙ୍କ ଭିତରୁ ଅଶୀ ପ୍ରତିଶତ ପିଲାବି ବାହାର ରାଜ୍ୟରେ ଶୋଷଣର ଶିକାର ହେଉଛନ୍ତି | ଯେହେତୁ ନିଜ ରାଜ୍ୟକୁ ଫେରିଲେ କାମ ମିଳିବ ନାହିଁ ତେଣୁ ସେମାନେ ଭାଗ୍ୟକୁ ଆଦରି ପଡୁଛନ୍ତି | ଆଉ ଓଡ଼ିଶାରେ ଯିଏ ସବୁ ଛୋଟ କମ୍ପାନୀରେ ରହିଲେ ସେମାନେ ବି ଶୋଷଣରୁ ମୁକ୍ତ ହେଉ ନାହାନ୍ତି | ଅନେକ ବେସରକାରୀ କମ୍ପାନୀ ଓଡ଼ିଶାରେ କର୍ମଚାରୀଙ୍କ ଦରମାରୁ ପି.ଏଫ କାଟନ୍ତି କିନ୍ତୁ ସେସବୁ ପି.ଏଫ ଆକାଉଣ୍ଟରେ ସଠିକ ଜମା କରାଯାଏ ନାହିଁ | କାମ କରୁଥିବା ଭିତରେ କର୍ମଚାରୀ ଜଣଙ୍କ ସେଇଟା ଜାଣି ପାରେନା | ସେହି ଜାଗା ଛାଡି ଗଲାପରେ ସେ କଥା ଜଣା ପଡେ ଅନ୍ୟ ରାଜ୍ୟ କଥା ଛାଡ଼ନ୍ତୁ ଆମ ଓଡ଼ିଶାର ଅନେକ ବେସରକାରୀ ଉଦ୍ୟୋଗରେ କାମ ଅନୁଯାୟୀ ଦରମା ମିଳେନା କି ପଦନ୍ନୋତି ବି ମିଳେନା | ଯେହେତୁ ରାଜ୍ୟର କାମର ଅଭାବ ଅଛି ତେଣୁ ଏଠି କର୍ମଚାରୀ ମାନଙ୍କ ପ୍ରତିବାଦ କରିବାର ଯୁ ନଥାଏ | ଆଉ କିଛି ଜାଗାରେ କର୍ମଚାରୀଟିଏ ଯଦି ପ୍ରତିବାଦ, କି କିଛି ଭୁଲ କରିଦେଲା ତେବେ ମାଲିକ ଓ ମ୍ୟାନେଜେର ସେଠି ଗଳା ଧକ୍କା ଦେଇ କର୍ମଚାରୀଟିକୁ ବିଦା କରିଦିଅନ୍ତି | ଏମିତି କିଛି ବେସରକାରୀ ପ୍ରତିଷ୍ଠାନ,ଉଦ୍ୟୋଗ ଓ ଅନୁଷ୍ଠାନ ଅଛନ୍ତି ଯଦି କର୍ମଚାରୀଟି ସେଠୁ କାମ ଛାଡିଦେଲା ତେବେ ତାର ଶେଷ ପାଉଣା ଟିକକ ଦେବାରେ ବହୁତ ହଇରାଣ କରନ୍ତି ଏପରିକି କିଛିବି ଦିଅନ୍ତି ନାହିଁ | ଆଉ କମ୍ପାନୀ ଗୁଡିକରେ ଠିକାଦାରୀ କାମ ବେଶୀ ବଢ଼ୁଥିବାରୁ ଶୋଷଣବି ବେଶୀ ବଢି ଚାଲିଛି |

ଛୋଟ ଠିକାଦାର ଓ ଗାଡି ମାଲିକ ମାନଙ୍କ ପାଖରେ କାମ କରୁଥିବା ଲୋକର ଦୁଃଖ ନ କହିଲେ ଭଲ | ସେଠି କାମ ସହ ବହୁତ ଗାଳି ଶୁଣିବାକୁ ପଡେ | ଠିକଦାର ଓ ଗାଡି ମାଲିକମାନେ ସେମାନଙ୍କ କର୍ମଚାରୀର ବେଶୀ ଦରମା ରଖନ୍ତି ନାହିଁ ,କାରଣ ସେମାନେ ଜାଣିଥାନ୍ତି ଯାହାବି ହେଲେ କର୍ମଚାରୀ ଜଣଙ୍କ ଉପରି ଦୁଇ ପଇସା କମାଇବ | ଆଉ ସେହି ସବୁ ସ୍ଥାନରେ ଯଦି ଜଣେ ସଚୋଟ ପିଲା ରହିଲା ତେବେ ତାର ଭାଗ୍ୟ ଖରାପ ବୋଲି ଜାଣ | କାହିଁକିନା ଠିକାଦାରୀ ଓ ଗାଡି ମାଲିକ ମାନଙ୍କ ପାଖରେ ରହୁଥିବା କର୍ମଚାରୀଟିର ରହିବା ଓ ଖାଇବାର କିଛି ଠିକଣା ନ ଥାଏ | ଏପରିକି ଅନେକ କଠିନ ପରିସ୍ଥିତି ଓ ପରିବେଶ ଦେଇ ଘରୋଇ ମାଲିକ ମାନଙ୍କ ପାଖରେ ଲୋକମାନେ କାମ କରନ୍ତି ସେମାନଙ୍କ ଛୁଟି ଓ କାମ କରିବାର ସମୟ କିଛି ନଥାଏ | ଦରମା ଗଣ୍ଡାକବି ଠିକରେ ମିଳେନି | ମାଲିକର ଅଧୋଗତି ହେଲେ କର୍ମଚାରୀର ଚାକିରୀ ଯାଏ | ଆଉ ଘରୋଇ ମାଲିକ ମାନଙ୍କ ପାଖରେ କାମ କରି କିଛି କ୍ଷତି ହେଲେବି କ୍ଷତି ପୂରଣ ପାଇବାର ଆଶା ବହୁତ କମ ଥାଏ | କିଛି ଘରୋଇ ମାଲିକ ନିଜ କର୍ମଚାରୀଟିକୁ ଏତେ ଦୟାର ପାତ୍ର ଭାବନ୍ତି ଯେ ଯୋଉ କାମ ପାଇଁ କର୍ମଚାରୀଟିକୁ ରଖାଯାଇଥାଏ ତାହା ସବୁ କରାଇବା ପରେ ସେମାନଙ୍କ ଘର ସଉଦା ,ପରିବା କିଣିବା ,ପିଲାଙ୍କୁ ସ୍କୁଲ ଛାଡିବା ଓ ବେକରେ ତେଲ ଘଷିବା ଆଦି କାମରେ ଲଗାଇଥାନ୍ତି | ଆମ ରାଜ୍ୟରେ ଔଷଧ,ବହି,ତେଜରାତି,ଗାଡି ଯନ୍ତ୍ରାଂଶ ବିକୁଥିବା ମାଲିକ ମାନଙ୍କ ପାଖରେ ଥିବା ପିଲାମାନେ ମୁଖ୍ୟ କାମ ସହ ଅନେକ କାମକୁ ମୁଣ୍ଡପାତି କରନ୍ତି | କାରଣ ଏଣେ ନିଜ ପେଟ ପାଟଣା ସହ ଘରର ଦାୟିତ୍ୱ ମୁଣ୍ଡରେ ଥାଏ | ଓଡ଼ିଶାରେ ଖୁବ କମ ମାଲିକ ଅଛନ୍ତି ଯୋଉମାନେ ନିଜ କର୍ମଚାରୀମାନଙ୍କୁ ନିଜ ପୁଅ ଠାରୁ ବଳି ସ୍ନେହ ଶରଧା ଦେଇ ରଖିଛନ୍ତି | ସେହି ସବୁ ମାଲିକ ମାନଙ୍କ ପାଖରେ କାମ ପାଇବା ବଡ ସୌଭାଗ୍ୟର କଥା |

ଆଜିର ଦିନରେ ମୂଲର ଯେମିତି ଠିକ ମୂଲ୍ୟ ମିଳୁନି ଠିକ ସେହିପରି ଉଚିତ ମୂଲ୍ୟ ଦେଇ ଠିକ କାମବି ଆମେ ପାଉନେ | କାରଣ କାମରେ ଠକିବା ଲୋକଙ୍କ ସଂଖ୍ୟା ଏଠି ବେଶୀ ବଢି ଗଲାଣି | ଅନେକ ଲୋକ ଅଛନ୍ତି ଯୋଉ ଭଳି ପାରିଶ୍ରମିକ ନିଅନ୍ତି ସେହି ଭଳି ଭାବେ କାମ କରନ୍ତି ନାହିଁ | ମାର୍କେଟିଙ୍ଗ ସେକ୍ଟର ଦଳଗତ କାମରେ ଜଣେ କର୍ମଚାରୀ ଠିକରେ କାମ ନ କଲେ ସେ ପଛରେ ପଡିଯାଏ |ଏପରିକି ତାର ଚାକିରୀ ଯିବାର ସମ୍ଭାବନା ଥାଏ | ଆଉ କେତେକ ଅଣ ସରକାରୀ ଅନୁଷ୍ଠାନ (Non Governmental Organization) ଯୋଉଠି ଦଳଗତ ଭାବେ କାମକୁ ଆଗକୁ ନିଆ ଯାଏ ସେଠି ଚାରି ପାଞ୍ଚ ,ଜଣ କାମ କରୁଥାନ୍ତି ଆଉ ସେହି ଦଳରେ ଅନେକ କର୍ମଚାରୀ ଅନ୍ୟମାନଙ୍କ ପରିଶ୍ରମର ଫଳ ଖାଉଥାନ୍ତି | ଆଉ ଅଣ ସରକାରୀ ଅନୁଷ୍ଠାନରେ ଯିଏ ବେଶୀ କାମ କରେ ସେ ବେଶୀ ଚାପ, ପ୍ରଶ୍ନ ଓ ନିନ୍ଦାର ଶିକାର ହୁଏ | ଯୋଉମାନେ ସବୁ କାମ ନ କରନ୍ତି ସେମାନେ କଥାର ଚାତୁରୀରେ ଉପରିସ୍ଥ ଅଧିକାରୀମାନଙ୍କୁ ବାନ୍ଧି ରଖି ପଦନ୍ନୋତି ପାନ୍ତି | ଆଉ ଖରା ,ବରଷାରେ କାମ କରିଥିବା ଲୋକଟି ନିଜ କାମର ଉଚିତ ମୂଲ୍ୟ ପାଏ ନାହିଁ | ଦେଖିବାକୁ ଗଲେ ଅନେକ ଅଣ ସରକାରୀ ଅନୁଷ୍ଠାନରେ ସମାନ କାମକୁ ,ସମାନ ଦରମା ମିଳେ ନାହିଁ | ଆଉ କିଛି ଜାଗାରେ ଚାକିରୀରେ ଯୋଗଦାନ ବେଳେ ଯୋଉ ଦରମା କୁହା ଯାଇଥାଏ ତାହା କିନ୍ତୁ ମିଳେନା | ସେହି ଦରମାରୁ ଅନୁଷ୍ଠାନ ଗୁଡିକ କିଛି କାଟି ରଖନ୍ତି | ବିଚରା କର୍ମଚାରୀଟି କିଛି କହି ପାରେନା କି ନିଜ ଭାଗ୍ୟକୁ ଦୋଷ ଦେଇ ପାରେନା |

ଏବେ ଗାଁ, ଗହଳିରେ ଚାଷ ଓ ଘର କାମ ପାଇଁ ମୂଲିଆଟିଏ ପାଇବା ଭାରି କାଠିକର ପାଠ | ଲୋକଟିଏ ପାଇବା ପାଇଁ ଆପଣଙ୍କୁ ବହୁତ ନୟାନ୍ତ ହେବାକୁ ପଡିବ | ଆଉ ଯୋଉ ଲୋକମାନେ କାମ କରିବାକୁ ଆସିବେ ସେମାନେ ମୂଲ ଅନୁଯାୟୀ ଠିକ କାମ କରିବେ ନାହିଁ | ଏପରିକି ସେମାନଙ୍କ କାମକୁ ଆସିବା ଓ ଯିବାର ସମୟବି ଆଉ ଠିକ ରହୁନାହିଁ | ମଜୁରୀ ଦେବା ପରେବି ଭଲ ଖାଇବା ଓ ତାହା ସହ ନାଲି ପାଣିବି ଦେବାକୁ ପଡିବ | କିନ୍ତୁ କାମ ସବୁ ଠିକ ଢଙ୍ଗରେ ହୋଇ ପାରିବ ନାହିଁ |ଯଦି ଆପଣ ଘର ତିଆରି କାମ ପାଇଁ ମିସ୍ତ୍ରୀ ଓ କାଠ କାମ ପାଇଁ ଠିକା ଦେଇଛନ୍ତି ତ ଭଲ ନହେଲେ ଆପଣ କେତେଯେ ହନ୍ତସନ୍ତ ହେବେ ସେଇଟା ଆପଣ ଠିକ ଜାଣନ୍ତି | ଦୈନିକ ମଜୁରିରେ ଘର କାମ କରୁଥିବା ମିସ୍ତ୍ରୀ ବା ବଢ଼େଇ ଆପଣଙ୍କ ଘରକୁ ଠିକ ସମୟରେ କାମକୁ ଆସିବ ନାହିଁ |କାମକୁ ଆସିଲା ପରେ ଚା ,ଜଳଖିଆ କରି କାମ ଆରମ୍ଭ କଲାବେଳକୁ ଘଂଟାରେ ୧୧ ବାଜିଥିବ | ଆପଣଙ୍କ ଘରେ ଯଦି ଖରା ବେଳର ଖାଇବାକୁ ଦେଲେ ତ ଭଲ ନ ହେଲେ ସିଏ ଯଦି ନିଜ ଘରକୁ ଖାଇବାକୁ ଗଲା ତେବେ ତିନିଟା ବେଳକୁ ଆସିବ | ଯଦି ଆପଣ ତାର କାମର ପ୍ରଗତିକୁ ସମୀକ୍ଷା କଲେ ତାହା ହେଲେ ସିଏ ଆପଣଙ୍କୁ ଚକମା ଦେଖେଇବ | ମାତ୍ର ଦଶ ଭାଗ ମଜୁରୀଆଙ୍କ ଠାରୁ ଆପଣ ମୂଲ ଅନୁସାରେ କାମ ପାଇବେ | ମୂଲିଆର ଅଭାବ ଓ ଉପଯୁକ୍ତ ମୂଲ ନେଇ ଠିକ କାମ କରୁନଥିବାରୁ ଲୋକ ଆଉ ଗାଁରେ ଚାଷବାସ କାମ କରିବାକୁ ଆଗ୍ରହ ଦେଖାଉ ନାହାନ୍ତି ଆଉ ନିଜ ଅଂଚଳର ମିସ୍ତ୍ରୀ ,ବଢ଼େଇ ମାନଙ୍କୁ ନ ଡାକି ବଙ୍ଗାଳି ଓ ବିହାରୀ ମିସ୍ତ୍ରୀ ମାନଙ୍କୁ କାମକୁ ଡାକୁଛନ୍ତି | ଆଜିର ଦିନରେ କିଏ ଏଠି ଉପଯୁକ୍ତ କାମ କରି କାମର ମୂଲ୍ୟ ଠିକ ପାଉ ନାହିଁ | ଆଉ କିଏ ନିଜ ଉପଯୁକ୍ତ ମୂଲ୍ୟ ପାଇବି ଠିକରେ କାମ ନ କରି ପାଉଣା ଗଣ୍ଡାକ ହାତେଇବାରେ ଲାଗିଛି | ଏଇ ପରିସ୍ଥିତି ଏବେ ସବୁଆଡେ ଦେଖିବାକୁ ମିଳୁଛି | ଏଠି କୁଶଳୀ ଲୋକ ନିଜ ଶ୍ରମର ଠିକ ମୂଲ୍ୟ ପାଉନଥିବା ବେଳେ ଅର୍ଦ୍ଧ କୁଶଳୀ ଓ ଅଣକୁଶଳୀ ଫୁଟାଣି ମାରି ନିଜ ଶ୍ରମ ପାଇଁ ଅଧିକ ମୂଲ୍ୟ ନେଉଛନ୍ତି | ଶ୍ରମର ମୂଲ୍ୟ ଠିକ ନ ପାଇ ଅନେକ କ୍ଷେତ୍ରରେ କର୍ମଚାରୀ ଜଣଙ୍କ ହତାଶ ତ ହେଉଛି | ତାହା ସହିତ ଉପଯୁକ୍ତ ମୂଲ୍ୟ ପାଇବି ସଂଗଠିତ,ଅଣ ସଂଗଠିତ କ୍ଷେତ୍ରରେ ୬୦ ପ୍ରତିଶତ ଲୋକ ନିଜ କାମକୁ ଠିକ ଢଙ୍ଗରେ କରୁ ନଥିବାରୁ ମାଲିକ ମାନେ ଅଶାନ୍ତିରେ ରହୁଛନ୍ତି ଓ କିଛି ପ୍ରତିଷ୍ଠାନ ବୁଡି ଯାଉଛି | ସରକାରୀ ବା ସଂଗଠିତ ବେସରକାରୀ କ୍ଷେତ୍ର ହେଉ ସବୁଠି କର୍ମଚାରୀ ମାନଙ୍କୁ ସେମାନଙ୍କ ଦାୟିତ୍ୱକୁ ନେଇ ମୁଦିତ୍ର ଡକୁମେଣ୍ଟ ପ୍ରଦାନ କରାଯାଏ | ବେସରକାରୀ କ୍ଷେତ୍ରରେ ଯୋଉ ଭାବରେ କାମର ପ୍ରଗତିକୁ ସମୀକ୍ଷା ଓ ତଦାରଖ କରାହୁଏ ସରକାରୀ ସ୍ତରରେ ସେଇଟା ଠିକ ଭାବରେ ହେଉନଥିବାରୁ ଏଠି ୬୦ ପ୍ରତିଶତ କର୍ମଚାରୀ ନିଜ କାମକୁ ଠିକ ଢଙ୍ଗରେ କରନ୍ତି ନାହିଁ | ସେଥିପାଇଁ ଯୋଉ ଭଳି ଏ ଦେଶରେ ପ୍ରଗତି ହେବା କଥା ନ ହେଇପାରି ଆମ ସମସ୍ତଙ୍କ ଉପରେ ତାର ପ୍ରଭାବ ପଡି ଥାଏ | ତେଣୁ ଲୋକ ଏବେ କହିଲେନି ଅନେକ ଜାଗାରେ କାମର ଠିକ ମୂଲ୍ୟ ମିଳେନା ଆଉ ପୁଣି ଏଠି ଠିକ ମୂଲ୍ୟ ଦେଇବି ଠିକ ସମୟରେ ସଠିକ କାମ ଆଶା କରା ଯାଇପାରେନା |

ନବଜୀବନ ସମାଜ, ସଫା,କଟକ-୭୫୪୦୨୨ ,ଦୂରଭାଷ-୯୭୭୭୭୬୬୩୪୬
ଲେଖକ ପରିଚୟ - ଶ୍ରୀ ମହାନ୍ତି ୧୯୯୬ ମସିହାରୁ ଶିଶୁ ସାହିତ୍ୟ, ଗଳ୍ପ ଓ ପ୍ରବନ୍ଧ ରଚନା ସହ ଜଡିତ | ତାଙ୍କର ସମ୍ପାଦନାରେ ନବଧାରା ପତ୍ରିକା ପ୍ରକାଶିତ ହୋଇ ଆସୁଅଛି |

0 Comments