OUR READERS STATUS AROUND THE GLOBE : INDIA-362119 CANADA-354 CHINA-881 FRANCE-1727 GERMANY- 2083 QATAR - 61 SINGAPORE - 1114 UNITED STATES - 14819 UNITED KINGDOM - 553 UNITED ARAB EMIRATES - 926 UKRAINE-47 UNKNOWN REGIONS-5627

ଅଧୁରା କାହାଣୀ - ସଂଯୁକ୍ତା ରାଉତ

ଅଧୁରା କାହାଣୀ - ସଂଯୁକ୍ତା ରାଉତ

ତୁମ ଚଲାପଥେ କଣ୍ଟା ସାଜିବିନି 
କେବେ ହେଲେ ଦିନେ ମୁହିଁ ।
କେବେ ଚାହିଁବିନି ସୁଖ ପଥେ ତୁମ
ଅନ୍ତରାୟ ହେବା ପାଇଁ ୲ ୲

କଳା ଛାଇ କେବେ ସାଜିବିନି ମୁଁ ଯେ
ତୁମ ଜୀବନ ଆକାଶେ ।
ଡର ନାହିଁ ସାଥି ଦୂରେ ଯିବି ଚାଲି
ରହିବିନି ତୁମ ପାଶେ ୲ ୲

ମୋ' ପାଇଁ ତୁମ ସେ ନୀଳ ନୟନରୁ
ଝରିବନି କେବେ ଲୁହ ।
ଚାଲୁଥୁବି ପଛେ ଜୀବନ ପଥେ ମୁଁ
ଛାତିରେ ଲୁଚାଇ କୋହ ୲ ୲

ତୁମ ଜୀବନର ପରିଧି ଭିତରୁ
ଛିଟିକି ପଡିଛି ଆଜି ।
ଯେତେ ଖୋଜିଲେ ବି ପାଇବନି ମୋତେ
ଯିବି ଦିନେ କାହିଁ ହଜି ୲ ୲

ଅସହ୍ୟ ଯନ୍ତ୍ରଣା ଆତ୍ମ ପୀଡ଼ନରେ
ଜର୍ଜରିତ ହୁଏ ତନୁ ।
ତୁମରି ସ୍ମୃତିକୁ ଛାତିରେ ସାଇତି
ଭୁଲିଯିବି ସବୁ ମନୁ ୲ ୲

ପ୍ରତାରଣା ଦେଇ ତୁମେ ଗଲ ଚାଲି
ଆଉ କାହା ହାତ ଧରି ।
ତୁମ ପ୍ରେମ ଫାଶେ ବନ୍ଧା ପଡି ଆଜି
ବିରହେ ମରୁଛି ଝୁରି ୲ ୲

ଯେଉଁଠି ବି ରୁହ ଯାହା ସାଥେ ଥାଅ
ତୁମରି ମଙ୍ଗଳ ଚାହେଁ ।
ଭୁଲ ବୁଝିବନି କେବେ ସାଥି ମୋତେ
ମୁଁ ଯେ ତୁମ ପରି ନୁହେଁ ୲ ୲

ଯଦି କେବେ ପୁଣି ବାଟ ଭୁଲି ତୁମେ
ଫେରିବ ମୋ' କୁଡିଆରେ ।
ଆନନ୍ଦେ ସତ୍କାର କରି ନେବି ବରି
ମୋର ଏହି ହୃଦୟରେ ୲ ୲

ଅଧୁରା ଅଧୁରା ଜୀବନ କାହାଣୀ
ସେଦିନ ଯେ ପୂର୍ଣ୍ଣ ହେବ ।
ଜୀବନ ବ୍ୟାପୀ ମୋ' ପ୍ରତୀକ୍ଷାର ଅନ୍ତ
ସତେ କି ମିଳନ ହେବ ୲ ୲

Writer's Details: ସଂଯୁକ୍ତା ରାଉତ, ଶିକ୍ଷୟିତ୍ରୀ
ଜୟପୁର, କୋରାପୁଟ Content Category:
Submission Date: Apr 25, 2019

0 Comments