ବାର୍ଦ୍ଧକ୍ୟର ଛିଟା କରେ ଉପହାସ
ବିଦୀର୍ଣ୍ଣ ବସନ୍ତେ
ଆଜି କାହିଁ !
ଅଜସ୍ର ଆଶଙ୍କା ମନେ ଉଙ୍କିମାରେ
ଭୟଭୀତ କରେ
ରହି ରହି ୲ ୲

ମରୀଚିକା ପରି ଲାଗେ ଆଜି ସବୁ
ଜୀବନଟା ଲାଗେ
ହାହାକାର ।
ଜୀବନ ପଶାରେ ଥକି ମୁଁ ଯାଇନି
ନିଶା ଅଛି ଯେଣୁ
ଜିତିବାର ୲ ୲

ପାଦେପାଦେ ଏଠି ଚୋରା ବାଲିମୟ
ସମ୍ଭାବନା ଅଛି
ଖସିବାର ।
ତୁମେ ଅଛ ପ୍ରଭୁ ପାଖେ ପଖେ ଯେଣୁ
ଭୟ ନାହିଁ ଆଜି
ହାରିବାର ୲ ୲

ତଥାପି କାହିଁକି ବେଳେ ବେଳେ ପୁଣି
ଆଶା ବୈତରଣୀ
ହୁଏ କ୍ଷୀଣ ।
ଜୀବନ ସରସୀ ଶୁଖି ଶୁଖି ଆସେ
ମରି ମରି ଯାଏ
ଏହି ମନ ୲ ୲

ଶ୍ରୀହୀନ ଶ୍ରୀହୀନ ଜୀବନ ଆକାଶ
ଜୀଇଁବାଟା ଲାଗେ
ଫିକାଫିକା ।
ଚାଲିଛି ତଥାପି ସୁଦୀର୍ଘ ପଥରେ
ବୟସଟା ଆଜି
ଦିଏ ଧୋକା ୲ ୲

ତୁମ ଅପେକ୍ଷାରେ ଚାତକ ପରାଏ
ସୁଦୂର ଗଗନେ
ଅଛି ଚାହିଁ ।
ମନର ସଂଶୟ ଦୂର କର ପ୍ରଭୁ
କୃପା ବାରି ତୁମ
ବରଷାଇ ୲ ୲

ମରିଯାଉ ମନ ସରିଯାଉ ଦିନ
ତଥାପି ଆଗେଇ
ଚାଲିଥିବି ।
ଆଗେଇ ଆଗେଇ ବାଧାର ଅର୍ଗଳ
ଚୁରି ଚୁରି ସବୁ
ଯାଉଥିବି ।।

ଲକ୍ଷ୍ୟ ଅଛି ମୋର ଏ ଜୀବନେ ପୁଣି
ସ୍ୱୟଂପୂର୍ଣା ସ୍ଥାନ
ଲଭିବାକୁ ।
ସେଥି ପାଇଁ ମୁଁ ଯେ ଲକ୍ଷ୍ୟ ବିନ୍ଧୁଛି
ସିଦ୍ଧି,ସମୃଦ୍ଧି
ବକ୍ଷେ ବକ୍ଷୁ ।।

Writer's Details: ସଂଯୁକ୍ତା ରାଉତ, ଶିକ୍ଷୟିତ୍ରୀ
ଜୟପୁର, କୋରାପୁଟ Content Category:
Submission Date: Apr 26, 2019