ବାତ୍ୟା ଜନିତ ଅସୁବିଧା କାରଣରୁ କ୍ଷୁଦ୍ରଗଳ୍ପ ଓ କବିତା ପ୍ରତିଯୋଗିତାର ଫଳାଫଳ ମେ - ୧୦ ତାରିଖ ପରିବର୍ତ୍ତେ ଚଳିତ ମାସ ୩୧ ତାରିଖ ସୁଧା ଘୋଷଣା କରାଯିବ । ଏବଂ ଚଳିତ ମାସ ୨୩ ତାରିଖ ଠାରୁ କବିର ଘର ପ୍ରସ୍ତୁତ "ଆଜିର ଅତିଥି" କାର୍ଯ୍ୟକ୍ରମର ସାପ୍ତାହିକ ପ୍ରସାରଣ ସେବା ଆରମ୍ଭ ହେବ । ଅନିଚ୍ଛାକୃତ ଅସୁବିଧା ନିମନ୍ତେ ଦୁଃଖିତ ।

ପ୍ରବନ୍ଧ - ଆସ ପଢିବା ଆଉ ପଢେଇବା - ସନ୍ତୋଷ କୁମାର ମହାନ୍ତି

ପ୍ରବନ୍ଧ - ଆସ ପଢିବା ଆଉ ପଢେଇବା - ସନ୍ତୋଷ କୁମାର ମହାନ୍ତି


ପଠନ ମଣିଷର ଚିନ୍ତନ ଶକ୍ତି ବୃଦ୍ଧି କରେ | ତାହା ସହ ପଠନ ଦ୍ବାରା ମଣିଷ ନୂଆ ଜ୍ଞାନ ପାଇବା ସହ ନିଜ ଜୀବନକୁ ଭଲ ଭାବେ ଗଢି ତୋଳି ପାରେ | ଏବେ ଆମ ସମାଜରେ ପଠନ ଅଭ୍ୟାସ କମିବା ସହ ,ପଠନ ପ୍ରତି ବିଦ୍ୟାଳୟ ଗୁଡିକରେ ପିଲାମାନଙ୍କ ଆଗ୍ରହ ସୃଷ୍ଟି କରା ଯାଉନାହିଁ | ଆମ ଦେଶ ତଥା ରାଜ୍ୟରେ ଘର ଗୁଡିକରେ ପଠନ ଅଭ୍ୟାସ ପ୍ରାୟତଃ ନାହିଁ | ପାଠ ପୁସ୍ତକକୁ ଛାଡିଦେଲେ ଅନ୍ୟ ପୁସ୍ତକ ଗୁଡିକ ଘରେ ଦେଖିବାକୁ ମିଳେ ନାହିଁ | ଯଦି ଦେଖାଯାଏ କେବଳ ଦଶ ପ୍ରତିଶତ ପାଠୁଆ ଲୋକଙ୍କ ଘରକୁ ନୂଆ ପୁସ୍ତକ,ପତ୍ରିକା ଓ ସମ୍ବାଦପତ୍ର ସବୁ ଯାଏ | ଅନେକ ଶିକ୍ଷିତ ଓ ଅଧିକ ରୋଜଗାରିଆ ବାପା ,ମା ମାନେ ନିଜେବି ନୂଆ ପୁସ୍ତକ ଓ ପତ୍ରିକା ପଢ଼ନ୍ତି ନାହିଁ କି ନିଜ ପିଲା ମାନଙ୍କୁ ସେସବୁ ଆଣି ଦିଅନ୍ତି ନାହିଁ | ଯୋଉଠି ପଢ଼ିବାର ମାହୋଲ ନାହିଁ ସେଠି ପିଲାଙ୍କୁ ନିଜ ପାଠ୍ୟ ପୁସ୍ତକ ଛଡା ଅନ୍ୟ ପୁସ୍ତକ ପ୍ରତି ଆଗ୍ରହ ସୃଷ୍ଟି କରାଯାଇ ପାରିବ ନାହିଁ | ପିଲାମାନେ ସବୁବେଳେ ବଡ ମାନଙ୍କୁ ଅନୁକରଣ କରନ୍ତି | ଘର ଓ ସମାଜର ଗୁରୁଜନ ମାନେ ଯେତେବେଳେ ପଢିବା ଠାରୁ ଦୁରେଇ ଯାଉଛନ୍ତି ସେଠି ପିଲାମାନେ ପାଠ୍ୟ ପୁସ୍ତକ ଛାଡି ଅନ୍ୟ ପୁସ୍ତକ ପ୍ରତି ଆଗ୍ରହୀ ହେବେ, ଏ ଆଶା କରିବା ବୃଥା ?

ଅନେକ ପରିବାର ଆର୍ଥିକ ଦୃଷ୍ଟିରୁ ବହୁତ ସ୍ୱଚ୍ଛଳ ହେଇଥିଲେ ମଧ୍ୟ ନିଜ ପିଲାମାନଙ୍କୁ ପାଠ୍ୟ ପୁସ୍ତକ ଛାଡ ଅନ୍ୟ ପୁସ୍ତକ କି ଶିଶୁ ପତ୍ରିକାଟିଏ ଦେବା ଠିକ ମନେ କରନ୍ତି ନାହିଁ | ବର୍ତ୍ତମାନ ସ୍ଥିତି ଏପରି ସ୍ତରରେ ପହଂଚିଲାଣି ପିଲାମାନେ ଆଉ ନିଜ ପାଠ୍ୟ ପୁସ୍ତକ ବି ପଢ଼ୁନାହାନ୍ତି | ମୂଳ ବହି ତଥା ପାଠ୍ୟ ପୁସ୍ତକଟିକୁ ନ ପଢି ପିଲା ଗାଇଡ଼ ପଢିବାରେ ବ୍ୟସ୍ତ | ସେହି କ୍ଷେତ୍ରରେ ପିତାମାତା,ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କବି ବହୁତ ବଡ ଭୁଲ ଦେଖିବାକୁ ମିଳୁଛି| ଅଶୀ ପ୍ରତିଶତ ବାପା ,ମା ,ଶିକ୍ଷକ ଓ ଶିକ୍ଷିକା ମାନେ ପିଲାମାନଙ୍କୁ ବିଭିନ୍ନ ବିଷୟର ମୂଳ ବହି ନପଢି ଗାଇଡ଼ ବହି ପଢିବାକୁ ବାଧ୍ୟ କରୁଛନ୍ତି | ତେଣୁ ପିଲାଟି ମୂଳ ବିଷୟ ନପଢି ଗାଇଡ଼ ବହି ଉପରେ ବେଶୀ ନିର୍ଭର କରୁଛି | ଅନ୍ୟ ପୁସ୍ତକ ଗୁଡିକ କଥା ଛାଡ଼ନ୍ତୁ ନିଜ ପାଠ୍ୟ ପୁସ୍ତକ ତଥା ସାମାଜିକ,ସାହିତ୍ୟ,ଭୂଗୋଳ, ବିଜ୍ଞାନ ,ଇଂଲିଶ,ହିନ୍ଦୀ ଆଦି ବିଷୟ ଗୁଡିକରେ ଥିବା ପାଠ ଗୁଡିକ ନ ପଢିବା ଦ୍ୱାରା ପିଲାର ଅନେକ କ୍ଷତି ହେଉଛି | ମୂଳ ପାଠଟିରେ ଥିବା ସନ୍ଦେଶକୁ ସେ ଗ୍ରହଣ କରିପାରୁନି | ପଠନ ଠାରୁ ଦୁରେଇ ଯାଉଥିବାରୁ ପିଲାର ଚିନ୍ତନ ଶକ୍ତି,ଭାଷା ଜ୍ଞାନ ,ଶବ୍ଦ କୋଷ ଓ ଲିଖନ ଆଦି ପ୍ରଭାବିତ ହେଉଛି |

ଆଗେ ବିଦ୍ୟାଳୟ ଗୁଡିକରେ ପଠନ ଉପରେ ବହୁତ ଗୁରୁତ୍ୱ ଦିଆ ଯାଉଥିଲା | ଶିକ୍ଷକ ଓ ଶିକ୍ଷିକାମାନେ ପିଲାମାନଙ୍କୁ ସାହିତ୍ୟ ଓ ଇଂରାଜୀ ଆଦି ବିଷୟର ଥିବା ପାଠ ଗୁଡିକ ଊଂଚ ସ୍ୱରରେ ଶବ୍ଦ ଓ ବାକ୍ୟ ଗୁଡିକ ଉଚ୍ଚାରଣ କରି ପଢ଼ାଉଥିଲେ | ଆଉ ପିଲାମାନେ ଶ୍ରେଣୀ ଗୃହରେ ଊଂଚ ସ୍ୱରରେ ପଢୁଥିଲେ | ସେଥିପାଇଁ ଶିକ୍ଷକ ଓ ଶିକ୍ଷିକା ପିଲାମାନଙ୍କୁ ଗାଇଡ଼ କରୁଥିଲେ | ଏପରିକି ଛାତ୍ର ,ଛାତ୍ରୀମାନଙ୍କ ଠାରୁ ପଢ଼ାଯାଇଥିବା ପାଠର ରିଡିଙ୍ଗ ନିଆ ଯାଉଥିଲା | ସେ ପରିବେଶ ଏବେ ଆଉ ପାଞ୍ଚ ପ୍ରତିଶତ ବିଦ୍ୟାଳୟ ଗୁଡିକରେ ମଧ୍ୟ ଦେଖିବାକୁ ମିଳୁନାହିଁ | ପଢିବା ପାଇଁ ଶିକ୍ଷକ ,ଶିକ୍ଷିକାଙ୍କ ଠାରୁ ଯୋଉ ମାର୍ଗ ଦର୍ଶନ ଓ ସହାୟତା ମିଳିବା କଥା ତାହା ଆଉ ଆଉ ଅଧିକ ପରିଲକ୍ଷିତ ହେଉନାହିଁ | ତେଣୁ ପିଲା ପଠନ ଠାରୁ ଦୁରେଇ ଯାଉଛି | ବାପା ,ମାଙ୍କ ଠାରୁ ପିଲାମାନେ ବେଶୀ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କୁ ବେଶୀ ଶ୍ରଦ୍ଧା କରନ୍ତି ଓ ସେମାନଙ୍କ କଥାକୁ ବେଦର ଜ୍ଞାନ ଭଳି ମାନନ୍ତି | ବିଶେଷ କରି ଦେଖିବାକୁ ଗଲେ ସାର ଓ ଦିଦିମାନେ ଊଂଚ ପଠନ (Loud Reading),ଦଳଗତ ପଠନ(Group Reading),ମାର୍ଗ ଦର୍ଶନ (Guided Reading) ଓ ବ୍ୟକ୍ତିଗତ ପଠନ(Individual Reading) ଉପରେ ଗୁରୁତ୍ୱ ନ ଦେବା ଫଳରେ ପିଲାମାନଙ୍କ ପଠନ ଦକ୍ଷତା ଯୋଉ ଭଳି ଭାବେ ବଢିବା କଥା ବଢି ପାରୁନି | ଯୋଉଠି ପିଲାଟି ଦେଖୁଛି ତାକୁ ପଢ଼ାଉଥିବା ସାର ଓ ଦିଦି ଯୋଉଠି ନୂଆ ପୁସ୍ତକଟିଏ ପଢୁ ନାହାନ୍ତି କି ନୂଆ କାହାଣୀ ,କବିତା ଓ ନୂଆ କଥା କିଛି କହୁ ନାହାନ୍ତି ,ଏପରିକି ନୂଆ ବହି ପଢିବା ପାଇଁ ପିଲାଙ୍କୁ ପ୍ରେରିତ କରୁନାହାନ୍ତି ସେଠି ପିଲାମାନେ ପାଠ୍ୟପୁସ୍ତକ ସହ ନୂଆ ବହି ପ୍ରତି କିପରି ଆଗ୍ରହ ପ୍ରକାଶ କରିବେ |

ଆମ ରାଜ୍ୟର ବିଦ୍ୟାଳୟ ଗୁଡିକରେ ପାଠାଗାର ପାଇଁ ପିରିୟଡ଼ଟିଏ ଥାଏ| ପ୍ରାୟ ଅର୍ଦ୍ଧାଧିକ ବିଦ୍ୟାଳୟ ଗୁଡିକରେ ପାଠାଗାର ପାଇଁ କିଛି କାର୍ଯ୍ୟାବଳୀ ହୁଏ ନାହିଁ | ପ୍ରାୟତଃ ସବୁ ବିଦ୍ୟାଳୟ ଗୁଡିକରେ ସରକାରୀ ସହାୟତାରେ ପୁସ୍ତକ,ପତ୍ର ପତ୍ରିକା ଆଦି କିଣା ଯାଇଛି | ଶିକ୍ଷକ ଓ ଶିକ୍ଷିକା ମାନେ ପାଠାଗାର ପିରିୟଡ଼ରେ ପିଲା ମାନଙ୍କୁ ନେଇ କିଛି କାମ କରିବାକୁ ଉଚିତ ମନେ କରନ୍ତି ନାହିଁ | ଆଉ ଖୁବ କମ ବିଦ୍ୟାଳୟରେ ବହି ସବୁ ପିଲା ମାନଙ୍କୁ ଘରକୁ ଦିଆଯାଏ |ପିଲାମାନେ କିଛି ଦିନ ବହି ରଖି ପାଠାଗାରକୁ ଫେରାଇ ଦିଅନ୍ତି | ଏଣେ ବହୁତ ବିଦ୍ୟାଳୟରେ ବହି ସବୁ ଟ୍ରଙ୍କ ଓ ଆଲମାରୀରେ ଚାବି ପଡି ରହିଛି | ପିଲାମାନେ ସେ ବହିଗୁଡ଼ିକ ଦେଖିଲେ ନାହିଁ କି ଶିକ୍ଷକ, ଶିକ୍ଷିକା ସେସବୁ ପଢିଲେ ନାହିଁ | ଅନେକ ବିଦ୍ୟାଳୟରେ ବହି ସବୁ ମୂଷା ଓ ଉଇ ନଷ୍ଟ କଲେଣି | ଏପରିକି କିଛି ବେସରକାରୀ ଅନୁଷ୍ଠାନ ତରଫରୁ ବିଦ୍ୟାଳୟ ଗୁଡିକୁ ଶ୍ରେଣୀ ଉପଯୋଗୀ ବହି ପ୍ରଦାନ କରାଯାଉଛି |କିନ୍ତୁ ଆନ୍ତରିକତା ଅଭାବରୁ ବହି ଗୁଡିକ ପିଲାଙ୍କ ପାଖରେ ପହଂଚି ପାରୁନି | ପ୍ରତି ବର୍ଷ ସରକାରୀ ସ୍ତରରେ ପ୍ରାଥମିକ ଓ ଊଂଚ ପ୍ରାଥମିକ ଶିକ୍ଷକ ,ଶିକ୍ଷିକା ମାନଙ୍କୁ ପ୍ରଶିକ୍ଷଣ ବାବଦରେ ବହୁତ ଅର୍ଥ ଓ ସମୟ ବିନିମୟ କରାଯାଉଛି | କିନ୍ତୁ ପାଠାଗାର ପରିଚାଳନା କିପରି ହେବ ଓ ସେହି ପିରିୟଡ଼ରେ ଗଳ୍ପ କହିବା ,ଶୁଣାଇବା,ଗୀତ ବୋଲିବା,ଗଳ୍ପକୁ ନେଇ ଅଭିନୟ କରିବା,ଚିତ୍ର କରିବା ,ଚିତ୍ର,ବାକ୍ୟ ଓ ଶବ୍ଦକୁ ନେଇ ଗଳ୍ପ ଲେଖିବା ଉପରେ କିଛି ବି ଆଲୋଚନା ହୁଏନି | ଯାହା ଫଳରେ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ଓ ଶିକ୍ଷିକା ମାନେ ପାଠାଗାରର କାମ ବିଷୟରେ ଜାଣି ପାରନ୍ତି ନାହିଁ | ଊଂଚ ଅଧିକାରୀ ଯୋଉମାନେ ବିଦ୍ୟାଳୟ ଗୁଡିକ ପରିଦର୍ଶନ କରନ୍ତି ସେମାନେ ବି ବିଦ୍ୟାଳୟ ଗୁଡିକରେ ପିଲା ମାନଙ୍କ ପଠନ ଦକ୍ଷତା କୋଉ ସ୍ତରରେ ଅଛି ଓ ସେଥିପାଇଁ କି ପ୍ରକାର କାର୍ଯ୍ୟାବଳୀ ସବୁ କରାଯାଉଛି ତାହା କେବେ ସମୀକ୍ଷା କରୁନଥିବାରୁ ବିଦ୍ୟାଳୟ ଗୁଡିକରେ ତେଣୁ ପଠନ ଉପରେ ଏତେ ଗୁରୁତ୍ୱ ଦିଆ ଯାଉନି |

ସରକାରୀ ସ୍ତରରେ ଗାଁ ଗହଳିରେ ବେଶୀ ମଦ ଦୋକାନ ଖୋଲା ଯିବା ଉପରେ ଗୁରୁତ୍ୱ ଦିଆ ହେଉଛି | କିନ୍ତୁ ଗାଁ କ୍ଲବ ତଥା ଭାଗବତ ଟୁଙ୍ଗି ଗୁଡିକୁ ବହି ଦିଆ ଯାଉନାହିଁ | ଏପରିକି ପାଠାଗାର ଆନ୍ଦୋଳନ ଉପରେ ଆଉ ଗୁରୁତ୍ୱ ନାହିଁ କହିଲେ ଭୁଲ ହେବ ନାହିଁ | ଯୋଉ ସଂଗଠନ ଗୁଡିକ ନିଜ ଉଦ୍ୟମରେ ଗାଁ ଗୁଡିକରେ ପାଠାଗାର ସ୍ଥାପନ କରିଥିଲେ ତାହା ସ୍ଥାଣୁ ହେବାକୁ ବସିଲାଣି | ଏଣେ ବେସରକାରୀ ସଂଗଠନ ଓ ବ୍ୟକ୍ତିଗତ ଉଦ୍ୟମରେ ଯୋଉଠି ପାଠାଗାର ଆନ୍ଦୋଳନକୁ ଆଗକୁ ନେବାକୁ ଉଦ୍ୟମ କରା ଯାଉଛି ଲୋକମାନଙ୍କ ପଠନ ଅଭ୍ୟାସ ଓ ପଠନ ଦକ୍ଷତା ନଥିବାରୁ ତାହା ଫଳପ୍ରଦ ହେଇପାରୁନି | ଆଗେ ଝିଅ ଶାଶୁ ଘରକୁ ବିଦା ହେଲାବେଳେ ବହି ନେଇ ଆସୁଥିଲା |ଆଗର ବୋହୂମାନେ କମ ପାଠ ପଢି ଥିଲେବି ସୁଦଶା ବ୍ରତ,ଲକ୍ଷ୍ମୀ ପୁରାଣ,ଭାଲୁକୁଣି ଓଷା, ବୁଦ୍ଧିବାମନ ଓଷା ବହି,ଭାଗବତ ଆଦି ବହି ପଢି ପାରୁଥିଲେ |କିନ୍ତୁ ଏବେ ଅଶୀ ପ୍ରତିଶତ ଅଧିକ ପାଠ ପଢିଥିବା ଝିଅ ଓ ବୋହୁ ମାନଙ୍କର ବହି ପଢିବାବି ଆଉ ଠିକ ନାହିଁ | ଓଷା ବ୍ରତରେ ବହିଟିଏ ପଢି ପାରୁନାହାନ୍ତି |ଯଦି ଗାଁର ଅତୀତ କଥା ବିଚାରକୁ ନେବା ସେତେବେଳେ ଖୁବ କମ ପଢିଥିବା ଲୋକଟି ପୁରାଣ ଓ ଭାଗବତ ବହିଟି ଠିକ ଉଚ୍ଚାରଣ କରି ତାଳ,ଲୟ ସହ ପଢି ପାରୁଥିଲା |କିନ୍ତୁ ଏବେ ମହାବିଦ୍ୟାଳୟ ମାଡ଼ିଥିବା ଅନେକ ପିଲାବି ପଞ୍ଚାନନ ମେଳା ଓ ଭାଗବତ ବହି ଠିକାରେ ପଢି ପାରିବେ ନାହିଁ |ଦୋଷ ଆମେ କାହାକୁ ଦେବା ?ସମସ୍ତକୁ ଦୋଷ ମୁଣ୍ଡାଇବାକୁ ପଡିବ |ଆମକୁ ଆମ ଘର ଓ ବିଦ୍ୟାଳୟର ପରିବେଶକୁ ସଜାଡିବାକୁ ପଡିବ |

ମୋବାଇଲରେ ଆଙ୍ଗୁଠି ଚଳେଇ ପଢିବା ଅପେକ୍ଷା ବହି ଓ ସମ୍ବାଦ ପତ୍ରକୁ ଧରି ପଢ଼ିବାର ଅଲଗା ମଜା ଥାଏ | ଯେତେବେଳେ ପଢ଼ିବାର ସୁଯୋଗ ମିଳୁଛି ତାହା ହାତଛଡା କରିବା ଠିକ ନୁହେ ? ପରଠାରୁ ମାଗି ଆଣି ବହି ଓ ସମ୍ବାଦ ପତ୍ର ସବୁ ମାଗିକି ପଢିବା ଅଭ୍ୟାସ ଛାଡିବା ଦରକାର | ଯଦି ଆମର ଆର୍ଥିକ ସ୍ଥିତି ଭଲ ଅଛି ତେବେ ଘରକୁ ସମ୍ବାଦପତ୍ର, ନୂଆ ପୁସ୍ତକ ଓ ପତ୍ରିକା ସବୁ ଆଣିବା ଦରକାର | ନିଜେ ସେସବୁ ପଢିବା ସହ ପିଲାମାନଙ୍କୁ ସେଥିପାଇଁ ପ୍ରେରିତ କରିବା କଥା | ଆମେ ପିଲାମାନଙ୍କୁ ବହୁତ ଶିକ୍ଷିତ କରେଇଦେବା ସତ କିନ୍ତୁ ବହି ପଢା ଠାରୁ ସେମାନଙ୍କୁ ଦୁରେଇ ଦେଲେ ଆମେ ଗୋଟେ ହୃଦୟହୀନ ମଣିଷ ସୃଷ୍ଟି କରିବା | ମଣିଷ ଯଦି ନୂଆ ବହି ସବୁ ନ ପଢିବ ତେବେ ପ୍ରକାଶିତ ବହି ଗୁଡିକ କେବଳ ବିଭିନ୍ନ ଆଡେ ଶୋଭା ପାଉଥିବ | ଆଉ ପ୍ରକାଶନ ବଜାରବି ପ୍ରଭାବିତ ହେବ | ଆଉ ତାହା ସହିତ ବହି ମଣିଷକୁ ଯୋଉ ନୂଆ ଚିନ୍ତା କରିବାର,ନୂଆ ରାସ୍ତା ଚାଲିବାର ଓ ବିଭିନ୍ନ ପରିସ୍ଥିତି ଓ ପରିବେଶ ସହ ଖାପ ଖୁଆଇ ଚଳିବାରେ ସାହାଯ୍ୟ କରୁଥିଲା ତାହା ହୋଇ ପାରିବ ନାହିଁ | କାରଣ ପଠନ ପିପାସା ମଣିଷକୁ କେବଳ ଚିନ୍ତାଶୀଳ କରେନି ତାକୁ ସଂସ୍କାରିତ କରିବା ସହ ସମାଜରେ ଆମକୁ ଅଧିକ ନମନୀୟ ଓ ଗ୍ରହଣୀୟ କରିପାରେ | ଆସ ଆମେ ସମସ୍ତେ ପଢିବା ,ପଢେଇବା ଓ ପଢିବା ପାଇଁ ଏକ ମାହୋଲ ତିଆରି କରିବା |

ନବଜୀବନ ସମାଜ, ସଫା, କଟକ, ପିନ-୭୫୪୦୨୨
ଦୂରଭାଷ-୯୭୭୭୭୬୬୩୪୬


0 Comments