ବାତ୍ୟା ଜନିତ ଅସୁବିଧା କାରଣରୁ କ୍ଷୁଦ୍ରଗଳ୍ପ ଓ କବିତା ପ୍ରତିଯୋଗିତାର ଫଳାଫଳ ମେ - ୧୦ ତାରିଖ ପରିବର୍ତ୍ତେ ଚଳିତ ମାସ ୩୧ ତାରିଖ ସୁଧା ଘୋଷଣା କରାଯିବ । ଏବଂ ଚଳିତ ମାସ ୨୩ ତାରିଖ ଠାରୁ କବିର ଘର ପ୍ରସ୍ତୁତ "ଆଜିର ଅତିଥି" କାର୍ଯ୍ୟକ୍ରମର ସାପ୍ତାହିକ ପ୍ରସାରଣ ସେବା ଆରମ୍ଭ ହେବ । ଅନିଚ୍ଛାକୃତ ଅସୁବିଧା ନିମନ୍ତେ ଦୁଃଖିତ ।

କ୍ଷୁଦ୍ରଗଳ୍ପ - ଉପହାର - ନାରାୟଣ ଚନ୍ଦ୍ର ସେନାପତି

କ୍ଷୁଦ୍ରଗଳ୍ପ - ଉପହାର - ନାରାୟଣ ଚନ୍ଦ୍ର ସେନାପତି


  ମଲ୍ଲିକା...ଆରେ ମଲ୍ଲିକା, ଉଠିଲୁଣି.. ଦେଖିଲୁ କେତେ ଦିନ ହେଲାଣି,ରାଜା  ବିରେନ୍ଦ୍ର ଡାକି ଡାକି ଆସିଲେ ଝିଅ ପାଖକୁ।
    ନାଁ ବାପା, ଉଠିବାକୁ ଇଚ୍ଛା ହେଉନାହିଁ,ଆଉଟିକେ ଯାଉ,ନରମ ଗଳାରେ  ଉତ୍ତର ଦେଲା ମଲ୍ଲିକା।

   ଭାରି ଗେହ୍ଲେଇଟା ଥିଲା ମଲ୍ଲିକା।ରାଜା ବିରେନ୍ଦ୍ର ବର୍ମା ଜୀବନଠୁ ବେଶି ଭଲ ପାଆନ୍ତି ତାକୁ।ଦୁଇ ମାସର ହୋଇଥିଲା ତା ମା'  ରାଣୀ ଚନ୍ଦ୍ରମୋହିନୀ ଦେବୀ ଆରପାରିକୁ ଚାଲିଗଲେ।ଜଣେ ନୈଷ୍ଟିକ ହିନ୍ଦୁ ଭାବେ ରାଜା ହେଲେ ବି ଦ୍ଵିତୀୟ ପତ୍ନୀ ଗ୍ରହଣ ନ କରି ଉଭୟ ପିତା ମାତାଙ୍କ କାମ ତୁଲାଉଥିଲେ ସେ।ସମୟେ ସମୟେ ଏକୁଟିଆ ବସି ଚନ୍ଦ୍ରମୋହିନୀର ସ୍ମୃତି ଭାଳି ଆଖିରୁ ଦୁଇଟୋପା ଲୁହ ଗଡେଇବାକୁ ଭୁଲିଯାଇ ନ ଥାନ୍ତି।ଅକ୍ଷରେ ଅକ୍ଷରେ ପାଳନ କରନ୍ତି ମଲାବେଳେ ରାଣୀ  କହିଥିବା କେଉପଦ କଥା;; 

"ମୋ ଝିଅକୁ ତୁମକୁ ଶ୍ରେଷ୍ଠ ଉପହାର ଦେଇଛି,ତାର ଯତ୍ନ ଓ ସୁରକ୍ଷା କରିବ ।

କେବେ ଅବହେଳା କରିବିନି।ଏ ହେଉଛି ଏ ବିଶ୍ୱର ସର୍ବଶ୍ରେଷ୍ଠ ଧନ,ଅନ୍ୟ କେଉଁ ଧନକୁ ଲୋଭ କରିବିନି।

ଏଇ ଆମ ପ୍ରେମ ପ୍ରଣୟର ସନ୍ତକ।"

     ଆଠ ବର୍ଷର ଝିଅ ମଲ୍ଲିକା।ଆସି ବାପାର କୋଳରେ ବସିଗଲା।କହିଲା ବାପା, ସ୍ବପ୍ନ ଦେଖିଥିଲି ତୁମ ଜନ୍ମଦିନ ବଡ଼ ଧୁମଧାମରେ ପାଳନ କରୁଛି। ସ୍ତ୍ରେ ବାପା  ତୁମ ଜନ୍ମଦିନ କାହିଁ କେବେ ତ ପାଳୁନ?ତୁମ ଜନ୍ମଦିନ କେବେ ? କେବେ ପାଳିବା ବାପା?ଝିଅଟି ପିଠିରେ ହାତ ଥାପୁଡ଼େଇ ବୀରେନ୍ଦ୍ର କହିଲେ ହଁ ରେ ମଲ୍ଲିକା,ମୋ ଜନ୍ମଦିନ ପ୍ରତିବର୍ଷ ମକର ସଂକ୍ରାନ୍ତି ଦିନ ପଡେ।ଦିନ ଥିଲା ପାଳନ ବି ବଡ଼ ଧୁମଧାମରେ ପାଳନ କରାଯାଉଥିଲା। ଏ ଦିନ ରାତି ନ ପାହୁଣୁ ତୋ ମା ପିଠା ପଣା, ଭୋଗରାଗ ଓ ଦିଆନିଆରେ ଉଲ୍ଲସି ଉଠୁଥିଲା।ଆଜି ତ ସେ ନାହିଁ ,ଆଉ ମୁଁ କାହିଁକି ବା ଏସବୁ ପାଳିବାକୁ ମନ ବଳେଇବି ? ଏହା କହୁ କହୁ ଆଖିରୁ ଝରି ପଡିଥିଲା କେଇଧାର ଲୁହ।ବାପାର ଆଖିରୁ ଲୁହ ପୋଛୁ ପୋଛୁ ମଲ୍ଲିକା ବି ମା'କୁ ମନେ ପକାଇ କାନ୍ଦି ଉଠିଥିଲା।ନିଜ ଜୀବନ ଠୁ ଭଲ ପାଉଥିବା ଝିଅର ଆଖି ଲୁହକୁ ସହି ପାରିଲେନାହିଁ ରାଜା।ନିଜ ବସ୍ତ୍ରରେ ପୋଛି ବୋଧ କଲେ।ମଲ୍ଲିକା ଜିଦି ଧରିଲା,କହିଲା ବାପା ଆଗକୁ ଆସୁଥିବା ଜନ୍ମଦିନ ମୁଁ ପାଳିବି।ବାପା ଝିଅର ଅଳିକୁ କେମିତି ବି କାଟି ପାରିଥାନ୍ତେ?

    ଦୁଇମାସ ଅତିକ୍ରମ ହେଲା।ଆସିଲା ମକର, ଆୟୋଜନ ହେଲା ରାଜାଙ୍କ ଜନ୍ମଦିନ ପାଳନର ଆଡ଼ମ୍ବର ବ୍ୟବସ୍ଥା।ସେଦିନ ରାତିରେ ବହୁଆଡ଼ମ୍ବରର ଆଲୋକ ସଜ୍ଜା ଓ ଧ୍ଵନି ସହ ରାଜା ଓ ସମ୍ଭ୍ରାନ୍ତ ମାନଙ୍କର ହେଲା ମନୋରଞ୍ଜନ ପର୍ବ।କେତେ ରାଜା,କେତେ ଅଂଚଳରୁ ଆସୁଥାନ୍ତି ଅତିଥି ଅବ୍ୟାହତ, ସାଥିରେ ଧରିଥାନ୍ତି କେତେ ଦାମିକା ଉପହାର।ଏସବୁ ଦେଖୁଥାଏ ମଲ୍ଲିକା।ଭାବିଲା ମୋ ବାପାଙ୍କୁ ମୁଁ ବି ଉପହାର ଦେବି।ଅତିଥୀଙ୍କ ମେଳରେ ଚାଲିଲା ଏକ ସ୍ନେହ ପ୍ରେମ,ଶରଧାର ଉପହାରଟିକୁ ନେଇ।

      ରାଜା ବିରେନ୍ଦ୍ର ନିଜ ଝିଅକୁ ଉପହାର ଧରି ଆସୁଥିବାର ଦେଖି ଉତ୍ଫୁଲ୍ଲିତ ହେଲେ, ଏବଂ ସଭିଙ୍କୁ ଏ ତାଙ୍କ ଝିଅ, ତାଙ୍କ ଜୀବନ ବୋଲି ଜଣାଇଲେ।ରାଜା ତ ବସିଥାନ୍ତି ରାଜା ସମ୍ଭ୍ରାନ୍ତଙ୍କ ମେଳରେ।ଗର୍ବରେ ଫୁଲି ଉଠି କହୁଥାନ୍ତି ମୋ ଝିଅର ଉପହାର ସବୁଠୁ ନିଆରା ଥିବ।ଏହା କହି ସଭିଙ୍କୁ ଦେଖାଇବା ପାଇଁ ଖୋଲିଲେ ସେ ଅତି ଆଗ୍ରହରେ ଓ ଅତି କୌତୁହଳରେ।ସମସ୍ତେ ଉତ୍କଣ୍ଠାରେ ଉଦବେଗରେ ଚାହିଁଥାନ୍ତି ଦେଖିବାକୁ ସେ ଅପୂର୍ବ ଉପହାର।ରାଜା ଆନନ୍ଦ ବିଭୋର ରେ ଅତି ଯତନରେ ଖୋଲିଲେ...ହେଲେ ସେ ବାକ୍ସ ଭିତରେ କାଗଜ ଖଣ୍ଡେ ବ୍ୟତୀତ ଆଉ କିଛି ହିଁ ନ ଥିଲା।ହଠାତ ସମ୍ମୁଖରେ ନିଜକୁ ଲଜ୍ଜିତ ମନେ କଲେ ସେ।ସମସ୍ତେ ବି କହୁଥାନ୍ତି ଝିଅ ଆଜି ଏପ୍ରିଲ ଫୁଲ କରି ମଜା କରିଦେଲା ବୋଧେ।ଏତେ ବଡ଼ ଲୋକଙ୍କ ମେଳରେ ଏତେ ଅପଦସ୍ତ,ବରଦାସ୍ତ କରିପାରିଲେନି ସେ। କ୍ରୋଧାନ୍ୱିତ ହୋଇ ଭାରସାମ୍ୟ ହରାଇ ସେ ଝିଅର ଗାଲକୁ ଶକ୍ତ ଚାପୁଡାଟେ ମାରିଲେଏବଂ କହିଲେ ,ତୁ ମୋ ସାଥିରେ ଗେହ୍ଲ ହେଉଛୁ,ଖେଳିବାକୁ ଜାଗା ପାଇଲୁନି, ଭଦ୍ର ଲୋକଙ୍କ ସମ୍ମୁଖରର ଖେଳୁଛୁ।ଝିଅଟି ଆଶାତୀତ ଭତ୍ସନା ଓ ଚାପୁଡା ମାଡ଼ ଖାଇ କାନ୍ଦି କାନ୍ଦି ଦୌଡ଼ି ଚାଲିଗଲା ତା କୋଠରୀକୁ।ବିଛଣାରେ ମୁହଁ ପୋତି ଧକେଇ ହୋଇ କାନ୍ଦିଲା ।

       ନିଜର ଏଭଳି କଦର୍ଯ୍ୟ ବ୍ୟବହାରକୁ ଧିକ୍କାର କରୁଥାନ୍ତି ରାଜା। କଣ ଭୁଲ୍ ସେ ନ କଲେ?ନିଜ ଜୀବନ ଯିଏ ତାକୁ ସେ ଏଭଳି ରାଗି ପାରିଲେ କିପରି?ଯାହା ଉପରେ ଧୂଳି କି ପତ୍ରର ଆଘାତ ଦେଇନଥିଲେ ତାକୁ ମାଡ଼ ପାରିପାରିଲେ କିପରି?ନିଜକୁ ଶତ ଧିକ୍କାର କରି ଆସ୍ଥାନରୁ ଉଠି ଆସିଲେ ସେ। ଏକ ମୁହାଁ ହୋଇ ଛୁଟିଗଲେ ନିଜ ଉଆସକୁ।ବହୁତ ବୁଝାଇଲେ,ଆଖିରୁ ଲୁହ ପୋଛିଦେଲେ,କହିଲେ...ଆରେ ମା' ଯଦି କିଛି ଦେବାକୁ ନ ଥିଲା ତୁ ଦେଇ ନଥାନ୍ତୁ,କି ଦେବାକୁ ଚାହୁଁଛୁ କହିଥିଲେ ମୁଁ ତାର ବ୍ୟବସ୍ଥା କରିଥାନ୍ତି, ହେଲେ ଏତେ ଲୋକଙ୍କ ଆଗରେ ମଜା କରିବା କି ମୋତେ ଅପଦସ୍ତ କରିବା କଣ ଭଲ ହେଲା?ଶୁନ୍ୟ ଉପହାର ଦେବା କଣ ଉଚିତ୍ ହେଲା?

    ମଲ୍ଲିକା ଲୁହ ପୋଛି ଥର ଗଳାରେ କହିଲା, ବାପା;ମୁଁ ତୁମକୁ ଉପହାସ କରି ନାହିଁ କି ମଜାକ୍ ବି କରିନାହିଁ,ମୁଁ ବରଂ ସବୁଠୁ ଭଲ ଉପହାରଟିଏ ଦେଇଥିଲି, ହେଲେ ଆପଣ ଧୈର୍ଯ୍ୟର ସହ ଦେଖି ନ ଥିଲେ।ନାଁ ରେ ମା ମୁଁ ଟିକନିକ ଦେଖିଛି ସେଥିରେ କିଛି ନ ଥିଲା।ବାପା, ଆପଣ ଏବେବି ଭଲକରି ଦେଖନ୍ତୁ ସେଥିରେ ମୁଁ କ'ଣ ଦେଇଥିଲି?

   ରାଜା ବୀରେନ୍ଦ୍ର ଉତ୍କଣ୍ଠାର ସହ ଖୋଜିଲେ । ଉପହାର ବାକ୍ସ ଭିତରେ ଖୋଜି ଖୋଜି ପାଇଲେ କାଗଜଖଣ୍ଡେ।କହିଲେ ମଲ୍ଲିକା ଏଇ ଦେଖ ମା' ଏଥିରେ ଏ କାଗଜ ଛଡା ଆଉ କିଛି ବି ନାହିଁ।ମଲ୍ଲିକା କହିଲା, ବାପା ସେହି କାଗଜକୁ ଖୋଲ ଭଲକରି ଦେଖ ସେଥିରେ କ'ଣ ଅଛି ଜାଣିପାରିବେ।ରାଜା ଖୋଲିଲେ କାଗଜଟି ଏବଂ ଯାହା ଲେଖାଥିଲା ତାହା ପଢି ଆଖି ବୁଜି ଦୀର୍ଘଶ୍ଵାସଟିଏ ପକାଇଲେ।

ଯେଉଁଥିରେ ଲେଖାହୋଇଥିଲା, *ଆଇ ଲଭ ୟୁ,ପାପା।ମୁଁ ତୁମକୁ ବହୁତ ଭଲ ପାଏ ବାପା ।

     "ମଲ୍ଲିକା"

     ମଲ୍ଲିକା କହିଲା, ବାପା ଏହାଠାରୁ ବଡ଼ ଉପହାର କ'ଣ ସତରେ ଏ ଦୁନିଆଁରେ ଅଛି ?ମୋ ଉପହରଠାରୁ ବଡ଼ ଓ ଭଲ ଉପହାର କ'ଣ ଆପଣଙ୍କୁ ମିଳିଛି!

      ରାଜା ବିରେନ୍ଦ୍ରଙ୍କ ଆଖିରୁ ଧାର ଧାର ଲୁହ ଝରି ପଡିଲା। ସେ ମଲ୍ଲିକାକୁ କୁଣ୍ଢେଇ ପକାଇଲେ ଏଵଂ କହିଲେ ମୋତେ କ୍ଷମା କରିଦେବୁ ମଲ୍ଲିକା,..ସତରେ ଏହାଠାରୁ ବଡ଼ ଉପହାର ପୃଥିବୀରେ କିଛି ନାହିଁ।

    ନିଜକୁ ଶତ ଧିକ୍କାର କଲେ ରାଜା,ବହୁତ ଅନୁତାପ ବି କଲେ ।ସତରେ କିଛି କରିବା ପୂର୍ବରୁ ଶହେ ଥର ଭାବିବା ତାଙ୍କର  ଉଚିତ୍ ଥିଲା।ଛୋଟ ପିଲାଟିଏ ହେଲେ ବି ତାକୁ ଓ ତାର ମନକୁ ଧୈର୍ଯ୍ୟର ସହ ସମ୍ମାନ ଦେବା ଉଚିତ୍ ଥିଲା।ଅସହିଷ୍ଣୁ ଭାବ ମଣିଷର ବଡ଼ ଶତ୍ରୁ।ନିଜର ଭାବନାକୁ ନାସ୍ତିକର ସୁଅରେ ଭସାଇବା  ସମ୍ପୂର୍ଣ୍ଣ ଅନୁଚିତ ହେଲା।କ୍ଷଣିକ ବଡ଼ପଣ କି ସମ୍ମାନବୋଧ ପାଇଁ ନିଜ ଭଲପାଇବାକୁ ଅଣଦେଖା କରିବା ଅନୁଚିତ।

     ନିଜ ଭୁଲ ପାଇଁ ଅନୁତପ୍ତ ହେଲେ ରାଜା,ନିଜ ଝିଅର ଏ ମହାନ ଭାବନା ପାଇଁ ଗର୍ବ ଅନୁଭବ କଲେ ।ଏବଂ ଆନନ୍ଦାଶୁ ଗଡାଇ ଆକାଶକୁ ଚାହିଁ କଣ ସବୁ ଭାବି ଗଲେ, କହିଲେ  ଆଖିପୁରେଇ ଦେଖ ହେ,ଚନ୍ଦ୍ରହାସିନୀ -- ତୁମ ଦେଇଥିବା ଉପହାରର ମହାନ ଉପହାର ପାଇ ମୁଁ ଆଜି ବହୁତ ଗର୍ବିତ।

      ସତରେ ଚନ୍ଦ୍ରହାସିନୀ, ଭଲପାଇବା ହିଁ ଏ ଜୀବନର ଶ୍ରେଷ୍ଠ ଉପହାର, ନୁହଁ ତ ଆଉ କ'ଣ ?

ନାରାୟଣ ଚନ୍ଦ୍ର ସେନାପତି, ଜମ୍ଭରା, କେନ୍ଦୁଝର

0 Comments