କ୍ଷୁଦ୍ରଗଳ୍ପ - ଟ୍ରେନରେ କବି - ଶ୍ୟାମା କିଙ୍କର ମହାନ୍ତି

କ୍ଷୁଦ୍ରଗଳ୍ପ - ଟ୍ରେନରେ କବି - ଶ୍ୟାମା କିଙ୍କର ମହାନ୍ତି

       କବିଙ୍କର ଯିବାର ଥିଲା ପୁରୀ । ଷ୍ଟେସନ ଆସି ଦେଖନ୍ତି ତ ଆଠ ଘଣ୍ଟା ଲେଟ ଚାଲୁଥିବା ନୀଳାଚଳ ଏକ୍ସପ୍ରେସ ପ୍ଲାଟଫର୍ମରେ ଆସିବାର ଅଛି । ଯଥା ସମୟରେ ନିଜର ମାସିକ ଟିକେଟଟି ଧରି ସ୍ଲିପର ବଗିରେ ଜାଗାଟିଏ ଅଧିକାର କରିନେଲେ କବି । ଭୁବନେଶ୍ୱର ପର୍ଯ୍ୟନ୍ତ ତ ଠିକଠାକ ଥିଲା କିନ୍ତୁ ତା ପରେ ଗାଡିର ଗତି ପୁରା ଧିମେଇ ଯାଇଥିଲା ଆଉ ସପୂର୍ଣ ଫାଙ୍କା ଫାଙ୍କା ଲାଗୁଥିଲା ବଗିଟା । 
      ତାଙ୍କ ବର୍ଥରେ ଏକୁଟିଆ ବସିଥିଲେ କବି । କିଛି ମିନିଟ ପରେ ଆଧୁନିକ ପରିପାଟୀର ସୁନ୍ଦରୀ ଝିଅଟିଏ ଆସିଲା ବର୍ଥକୁ । 
: ଆଜ୍ଞା ସେପଟ ବର୍ଥରେ କେହି ନାହାନ୍ତି , ଭାରି ଅନସେଫ ଲାଗିଲା , ତେଣୁ ଏପଟକୁ ଚାଲି ଆସିଲି ।
: ଠିକ କଲେ , ବସନ୍ତୁ ବସନ୍ତୁ ।
ବସିବା ପରେ କବି ଲକ୍ଷ୍ୟ କଲେ ଝିଅଟା ଚାହୁଁଛି ତାଙ୍କୁ ଖୋଜିଲା ଖୋଜିଲା ଆଖିରେ ।
: ସାର ଆପଣ କବି ଶ୍ରୀମାନ ନା..?
: ଆପଣ ମୋତେ ଜାଣିଛନ୍ତି ?
: ଆରେ ସାର..ଆପଣଙ୍କର ତ ମୁଁ ଗୋଟେ ବଡ ଫ୍ୟାନ । ଓଃ, କି ଚମତ୍କାର ଲେଖନ୍ତି ଆପଣ । ଆପଣ ଓଡ଼ିଶାର ଏକନମ୍ବର ରୋମାଣ୍ଟିକ କବି ।
      ରୋମାଂଚିତ ହେଲେ କବି । ଯା ହେଉ ଟ୍ରେନରେ ଦେଖି ଝିଅଟିଏ ତାଙ୍କୁ ଚିହ୍ନି ପାରୁଛି । ଥାଙ୍କ ଗଡ଼ , ଫେସବୁକ ଅଛି ଦୁନିଆରେ । ନ ହେଲେ ତାକୁ କିଏ ଚିହ୍ନିଥିଲା । ୟା ଭିତରେ ଝିଅଟି ତାଙ୍କ ପାଖକୁ ଲାଗି ଆସିଲାଣି । ଅନର୍ଗଳ ଗପି ଚାଲିଛି ତାଙ୍କ କବିତାକୁ ନେଇ । ଅମକ କବିତାର ଏନଡିଙ୍ଗଟା ଏମିତି କାହିଁକି କଲେ.. ସମକ କବିତାଟି କଣ ଆପଣଙ୍କ ପୁରୁଣା ପ୍ରେମିକା ପାଇଁ ଲେଖିଥିଲେ...? ମୋ ପ୍ରିୟକବିଙ୍କୁ ଏତେ ପାଖରେ ପାଇବି ବୋଲି ସ୍ୱପ୍ନରେ ବି ଭାବିନଥିଲି..କହୁ କହୁ ଝିଅଟା ଆହୁରି ପାଖେଇ ଆସୁଛି । ଶିରିଶିରି ପବନରେ ତା ସୁଗନ୍ଧିତ କେଶରାଶି ଛୁଇଁ ଯାଉଛି କବିଙ୍କ ମୁହଁକୁ । 
      ସାର ଆପଣଙ୍କ ଅଟୋଗ୍ରାଫ ଦିଅନ୍ତୁ ନା..କହି ଭ୍ୟାନିଟରୁ ସ୍ଲାମ ବୁକ ବାହାର କଲା ସେ । ଗୋଲାପୀ ରଙ୍ଗ ଆଉ ହୃଦୟ ଆକୃତିର କାଗଜରେ ଲେଖିଲାବେଳେ ଜୀବନରେ ପ୍ରଥମ ଥର ପାଇଁ ଗୋଟେ ସିଲେବ୍ରିଟି ଫିଲିଙ୍ଗ ଆସିଲା କବିଙ୍କର । ଏ ଭିତରେ ଅନେକ ଗପସପ । ପୁରୀର କୋଣସି ଏକ କଲେଜରେ ପଢୁଛି ଝିଅଟା , ରହୁଛି ମେସ ରେ । ସାର , ପ୍ଲିଜ ମୋ ସହ ଆମ ମେସକୁ ଚାଲନ୍ତୁ ନା ମୋ ସାଙ୍ଗ ମିତା ଆଉ ପଲ୍ଲବୀ ବି ଆପଣଙ୍କୁ ଦେଖି ବହୁତ ଖୁସି ହେବେ..ଦୁଇ ହାତରେ କବିଙ୍କ ହାତକୁ ଧରି ଅନୁରୋଧ କରୁଚି ସେ । ପଇଁଚାଳିଶ ବର୍ଷ ବୟସ୍କ କବି ଏଇ କୋଡ଼ିଏ ବର୍ଷ ବୟସ୍କ ଝିଅର ମଧୁର ସ୍ପର୍ଶରେ ବିମୋହିତ ହେବା କିଛି ଆଶ୍ଚର୍ଯ୍ୟ ନଥିଲା । ସାର, ଜାଣିଛନ୍ତି , କାଲି ମୁଁ ନିଜେ ଏଇ କେକ ବନେଇଛି ଘରେ.. ମିତା ଆଉ ପଲ୍ଲବୀ ପାଇଁ , ଆପଣ ବି ଗୋଟେ ପିସ ଖାଆନ୍ତୁ ନା ...। ଝିଅଟା କବିଙ୍କ ହାତକୁ କେକ ବଢ଼େଇଦେଉଥିଲା , ପୁରୀ ବି ପାଖ ହେଇଆସୁଥିଲା । .......
      ପୁରୀ ଷ୍ଟେସନର ତିନି ନମ୍ବର ପ୍ଲାଟଫର୍ମରେ ନୀଳାଚଳ ଏକ୍ସପ୍ରେସ ପହଂଚିସାରିଥିଲା ସହିସଲାମତ । କିନ୍ତୁ କବିଙ୍କୁ  ସଂଜ୍ଞାହୀନ ଅବସ୍ଥାରେ ଗୋଟେ ବଗିରୁ ଏକୁଟିଆ ଉଦ୍ଧାର କଲା ରେଳବାଇ ସୁରକ୍ଷା ବାହିନୀ ।ତାଙ୍କ ପର୍ସ/ସ୍ମାର୍ଟଫୋନ/ହାତଘଣ୍ଟା/ସୁନାମୁଦି/ଚେନ/ବ୍ରେସେଲେଟ ନ ଥିଲା ତାଙ୍କ ପାଖେ ।
      ସଦ୍ୟତମ ସୂଚନା ଅନୁସାରେ ପୁରୀ ବଡ ଡାକ୍ତରଖାନାରୁ ଫେରି କବି ଏବେ ଘରେ ଅବସ୍ଥାନ କରୁଛନ୍ତି । ଶାରୀରିକ ଅସୁସ୍ଥତାରୁ ମୁକ୍ତ ହୋଇସାରିଥିଲେ ବି ମାନସିକ ଅସୁସ୍ଥତା ଯୋଗୁଁ ଗତ ପନ୍ଦର ଦିନ ହେଲା ଫେସବୁକ ରେ କୌଣସି ନୂଆ ପୋଷ୍ଟ କରିନାହାନ୍ତି ।

0 Comments