ତମ ବିନା - ଡକ୍ଟର ନୀଳମାଧବ କର

ତମ ବିନା - ଡକ୍ଟର ନୀଳମାଧବ କର


ତମ ବିନା,
ଏ ପୃଥିବୀ ମୋର ଦରକାର ନାହିଁ
ଆଉ ଦଣ୍ଡେ ରହିବାକୁ ଇଚ୍ଛା ନାହିଁ ମୋତେ
ଏ ଦୁନିଆରେ
ତମ ବିନା
.
ତମ ବିନା
ଏ ଜଗତ ଅର୍ଥହୀନ ମୋ ପାଇଁ
ଏତେ ସବୁ ସବୁଜ ସୁନ୍ଦର
ବନାନୀ, କାକଳି
ନୀଳ ଆକାଶର ଧଳା ଧଳା ମେଘ
ସବୁ ଅଧା ଅଧା
ତମ ବିନା
ଅକାରଣ କାଗଜ ଟୁକୁଡା
.
ଆଉ ଯେତେ ରଂଗସବୁ
ଦିଶୁଥାଏ ନେସାହେଇ ଦେହରେ ମନରେ
ଖାଲି ଆବରଣ
ଲୁଚେଇବାକୁ ମୋ ଭିତର
ମୋ ଅଭ୍ୟନ୍ତର,  
ହୃଦୟ ଓ ଆତ୍ମା
.
ତମ ବିନା
ମୋ ପାଖରେ
କେବଳ ଅପେକ୍ଷା
ତମ ପାଇଁ
ନିରୋଳା ଅପେକ୍ଷା
ତମ ବିନା
ଏବେ ଖାଲି ତମ ସଂଗେ
ପୁଣି ମିଶିବାର,
ବିଲୀନ ହେବାର ଇଚ୍ଛା
ହଜିବାକୁ ତମ ମାଟି ପାଣି ପବନରେ
ଆକାଶ ଉର୍ଜାରେ
.
ଆଉ କେହି ଖୋଜି ନ ପାଇବାପରି
ଲୁଚିଯିବାକୁ ଯାଚନା ଏବେ
ଧିରେ ଧିରେ
ହଜିଯିବାକୁ ଇଚ୍ଛା
ସବୁ ପ୍ରିୟଜନର ଆଶ୍ୱସ୍ତ ଅଙ୍ଗୀକାରରେ 
ଜାଣତରେ
.
ତମ ବିନା,
ମୋ ମନର ଅପରାହ୍ନରେ
ତମ ମୁହଁ
ଝାପସା ହେଇଯିବା ପୂର୍ବରୁ
ଅନ୍ଧାରରେ ଲୁଚିଯିବା ପୂର୍ବରୁ
ମୁଁ ହଜିଯିବାକୁ ଚାହେଁ
ସୂର୍ଯ୍ୟାସ୍ତ ପୂର୍ବରୁ
ଏ ସଂସାରରୁ

***
ନୀଳମାଧବ କର,
ଓଲଭରହାମ୍ପଟନ, ୟୁକେ