ସତ୍ୟ ଶିବ ସୁନ୍ଦର - ବିଷ୍ଣୁ ପ୍ରସାଦ ମିଶ୍ର

ସତ୍ୟ ଶିବ ସୁନ୍ଦର - ବିଷ୍ଣୁ ପ୍ରସାଦ ମିଶ୍ର


ସତ୍ୟ ସିଏ, ଶିବ ସିଏ, ସିଏ ହିଁ ସୁନ୍ଦର,
ସଂସାର'ର ସାର ସର୍ବ, ପୂଜ୍ୟ ଲିଙ୍ଗାକାର. ୦.
ସର୍ବ ଭୂତେ ପରମାତ୍ମା, ସର୍ବ ଦାନକାରି,
ଯୋଗମୟ ପୁରୁଷ ସେ, ଗଳେ ସର୍ପ ଧାରି. ୧.
ତତ୍ତ୍ଵମୟ, ତତ୍ତ୍ଵ ପ୍ରିୟ, ସାତ୍ତ୍ଵିକ ଦାୟକ,
ସତ୍ଵ ରଜ ତମ ତିନି, ଗୁଣର ନାୟକ. ୨.
ନୃତ୍ୟ ପ୍ରିୟ, ନଟରାଜ, ଜଟା ବିଭୂଷଣ,
ଡ଼ମ୍ୱରୁ, ତ୍ରିଶୁଳ ହସ୍ତ, ବିଭୂତି ଲପନ. ୩.
ପାନ କରି ଗରଳ ହେ, ହେଲ ନିଳକଣ୍ଠ,
କଷ୍ଟ ସହି ସୁଖ ଦାନେ, ସଦା ଭକ୍ତ ଇଷ୍ଟ. ୪.
ପରମେଶ୍ଵର ପରମ, ଶାନ୍ତି ପ୍ରଦାୟକ,
ପାପ ତାପ ହାରି ଆହେ, ପାର୍ବତୀ ନାୟକ. ୫.
ଜଟାରେ ଗଙ୍ଗା କୋଳରେ, ଗଉରୀ ମଣ୍ଡନ,
ଗଣପତି, କାର୍ତ୍ତିକେୟ, ତାତ ହେ ଇଶାନ. ୬.
ଶ୍ମଶାନ ବାସି ଇଶ୍ଵର, ନିଃଶ୍ୱ ଅବିନାଶୀ,
ସର୍ବ ତ୍ୟାଗୀ, କୃତିବାସ, ପରମ ବିଶ୍ବାସୀ. ୭.
ବିଶ୍ଵ ଅଧିପତି ତୁମ, ରୂପ ଦିଗାମ୍ବର,
ଦେବଦେବ ମହାଦେବ, ବିଦିତ ସଂସାର. ୮.
ସଦାନନ୍ଦ ଚନ୍ଦ୍ରଚୂଡ଼, ଗୁଢ଼ ତତ୍ତ୍ଵ ରୂପି,
ପିନାକୀ, କନ୍ଦର୍ପ ଦର୍ପ ହାରୀ, ସର୍ବ ବ୍ୟାପି. ୯.
ଓଁକାର ପ୍ରିୟ ହୁଂଙ୍କାର ଗର୍ବ ନାଶକାରି,
ଶଙ୍କର ହେ ନିରାକାର ବ୍ରହ୍ମାଣ୍ଡ ବିସ୍ତାରି. ୧୦.
ବ୍ୟାପକ ସର୍ବ ହୃଦୟେ ଦୟାର ସାଗର,
ଇଶ୍ବର ହେ ଏ ନଶ୍ବର ଦାସେ ଦୟାକର. ୧୧.

ବିଷ୍ଣୁ ପ୍ରସାଦ ମିଶ୍ର
ରଥଶର୍ମା କଲୋନୀ, କୋରାପୁଟ

0 Comments