କ୍ଷୁଦ୍ରଗଳ୍ପ - ସଂବାଳୁଆର ପର - ସିପ୍ରା ନାମତା (ନମ୍ରତା)

କ୍ଷୁଦ୍ରଗଳ୍ପ - ସଂବାଳୁଆର ପର - ସିପ୍ରା ନାମତା (ନମ୍ରତା)


ପାରୁଲ ର ଆଖି ଶୁଷ୍କ ନୀରସ ଦେଖାଯାଉଛି ।କାନ୍ଦିବା କଣ ସେ ଜାଣେନା ।ଦୁଃଖ ର କଥା ବୋଲି ବୁଝେ ।ସାନ ଭଉଣୀ  ଲୁସ୍କି  ଓ ଭାଇ ସାକିଲା ବି କିଛି ବୁଝନ୍ତିନି ।ବୟସ ଆଉ କେତେ କି ସେମାନଙ୍କ ର ଯେ ବୁଝିବେ ଏତେ କଥା ?
    ଆସି ଦିନ ଦ୍ବି ପହର ହେଲାଣି ,ଲୋକେ ଜମା ହୋଇଗଲେଣି
ଜଣେ ଜଣେ କରି ।ପାରୁଲ ଆଉଜାଇ ନେଇଛି ସାକିଲା କୁ କୋଳ ରେ ।ଲୁସ୍କି ଦୁଇ ଆଣ୍ଠୁ ସନ୍ଧିରେ ମୁହଁ ପୋତି ଅନୁଚ୍ଚ ମାଟି ପିଣ୍ଡା ରେ ବସିଛି  ।କୋକେଇ ବାନ୍ଧି ରଖିଛନ୍ତି କୁଟୁମ୍ବ ।କୋକେଇ ବୋଇଲେ ,ଦଉଡିଆ ଖଟ ଖଣ୍ଡକ ରେ କୁଟା ଉପରେ ମଶିଣା ଆଉ ପାରୁଲ ମାଆ ର ଚିରା ପୁରୁଣାଲୁଗା ଟିଏ ।ପଞ୍ଚମ ଶ୍ରେଣୀରେ ପଢ଼ୁଥିବା ପାରୁଲ ର ହସ କାନ୍ଦ କିଛି ଜଣା ପଡୁନି ।ଠାକୁରା କୁ କେହି ଜଣେ ହଲାଇ ଦେଲା ।ଚାରିଜଣ ଖଟ ର ବାହୁଙ୍ଗୀ ଧରି ଉଠାଇଲେ ।ପଛକୁ ଫେରି ଦେଖିଲା ନାହିଁ ସେ ଯିବା ପରେ କିଏ କଣ କରୁଛି ।ହେଲେ ପାରୁଲ କୁ ଲାଗୁଥିଲା ଯେମିତି ଖଟ ଉପରୁ ତା ମାଆ ଶୂନ୍ୟ ମଣ୍ଡଳ କୁ ଚାଲିଯାଇଛି ଆଉ ବଡ ଅସହାୟ ନେତ୍ର ରେ ଚାହିଁ କିଛି କହିବାକୁ ଚେଷ୍ଟା କରୁଛି ।କିନ୍ତୁ ପାରୁଲ ଜାଣିବା ଅବସ୍ଥାରେ ନ ଥିଲା ଯେ ତା ମାଆ ,"ମୋ ଯିବା ପରେ ଭାଇ ଭଉଣୀ ତୋତେ ଲାଗିଲା "
ବୋଲି କହୁଛି  ।କାରଣ ଠାକୁରା କୁ ଆଦୌ ବିଶ୍ୱାସ କରାଯାଇ ପାରେନା ।କାହିଁକିନା ଦିବସର ଅର୍ଧେକ ସମୟ ସେ କୋଉ ହାଣ୍ଡିଆ ଖଟି ରେ ପଡିଥାଏ ନତୁବା କାହା ପାଖରୁ ଯଦି କାଣୀଚାଏ ନାଲି ପାଣି ମିଳିଯାଏ ତେବେ ତାକୁ ଆଉ ଖୋଜି ପାଇବା ମୁସ୍କିଲ ହୋଇ ପଡେ ।ଏମିତି ଅବସ୍ଥାରେ ସେ ଯେ ଛୁଆ ଙ୍କ ଯତ୍ନ ନେବ ସେ ବିଶ୍ୱାସ ହାରୁନି ର ନ ଥିଲା ।ଏତେ କଥା ପାରୁଲ ର ମନ କୁ ଛୁଇଁ ପାରୁ ନ ଥିଲା ।ସୂର୍ଯ୍ୟ ରଶ୍ମୀ ର ଉଷ୍ମତା ବଢୁଥାଏ ।କେହି ଜଣେ ଆଉ ଅଧିକ ବିଳମ୍ବ ନ କରିବାକୁ ପରାମର୍ଶ ଦେଉଥାନ୍ତି । ଠାକୁରା ପିଣ୍ଡା ରେ ଲୁଢକି ପଡିଥାଏ ।ଜୀବନର ଏକ ନିଷ୍ଠୁର ଚିତ୍ର ।ପ୍ରତ୍ୟେକ ପ୍ରାଣୀଙ୍କ ର ଅବ୍ୟସମ୍ଭାବୀ ଘଟଣା ।
         ହାରୁନି ର କ୍ରିୟାକର୍ମ ଶେଷ ହେଲା ।ପାରୁଲ ର ମନ ରେ ଆଗ ଭଳି ସରାଗ ନାହିଁ ।ବାପା ଭାତ ରାନ୍ଧିବା ପାଇଁ ସଜ କରେ ,ପାରୁଲ  ହାଣ୍ଡି ରେ ପାଣି ଦିଏ, ଚାଉଳ ଛାଡେ ପେଜ ଗାଳେ ନାହିଁ ସେମିତି ପାଣି ଢାଳିଦେଇ ରଖିଦିଏ ।ସଜନା ଶାଗ ସିଝେଇ ରସୁଣ ଚାରିଫଡା ଦେଇ ଛୁଙ୍କ ମାରେ ।ଆଳୁ ଦୁଇଟା ନିଆଁ ରେ ପୋତି ଦିଏ ।ଅଧା ତିନିପା ସିଝିଗଲା ପରେ କାଢି ଆଣେ ।ରିଟି ପିଟି ହୋଇ ସ୍କୁଲ ଯିବାକୁ ବାହାରେ ।କିନ୍ତୁ ଅଡ଼ୁଆ କରେ ଛୋଟ ଭାଇ ସାକିଲା  ଟା । କାନ୍ଦି କାନ୍ଦି ଦିଦି ଦିଦି କହି ଗୋଡାଏ ପଛରେ ।ଏକା ସାଙ୍ଗରେ ଲୁସ୍କି ,ସାକିଲା ଙ୍କୁ ନେଇ ସ୍କୁଲ ବାହାରେ ପାରୁଲ ।ସେ ଯେମିତି ସ୍ୱୟଂ କ୍ରିୟ ଭାବେ ସବୁ ବୁଝି ପାରୁଥିବା ଝିଅ ଟିଏ ।ତା ମାଆ କ'ଣ ଦେଖିପାରୁଥିବ ଏସବୁ ?କେଜାଣି !!କିନ୍ତୁ ସେ କରିଯାଏ ମାଆ କରୁଥିବା କାମ ଗୁଡିକୁ ନିଜ ଶୈଳୀରେ ।
--------      ----------      ----------


ଠାକୁରା ହାରୁନି କୁ ଗୋଟେ ମେଳା ରୁ ନେଇ ଆସିଥିଲା ।ଧାଙ୍ଗିଡି ମେଳା । ବୟସରେ ଠାକୁରା ଠାରୁ ବଡ ଥିବା ହାରୁନି ପତି ପରିତ୍ୟକ୍ତା ଥିଲା । ପ୍ରଥମ ପତିଠାରୁ ତିନୋଟି ପୁତ୍ର ଥିଲେ ମଧ୍ୟ ଦେହର ଭୂଗୋଳ ଗୋଲମଟଲ ଥିଲା ।ଠାକୁରା
ଯୌବନର ନିଶା ରେ କଣ ଠିକ୍ କଣ ଭୁଲ ବୁଝିବା ପୂର୍ବରୁ ହାରୁନି ଦୁଇଟି କନ୍ୟା ସନ୍ତାନ ଜନ୍ମ ଦେଇସାରିଥିଲା ।କିଛି ଦିନ ପରେ ସଂସାର ଜ୍ୱାଳା ରେ ହାରୁନି ର ସ୍ୱାସ୍ଥ୍ୟ କ୍ରମେ ବିଗିଡି ଯାଉଥିଲା ବେଳେ କିଆରୀ ଆଉ ଥରେ ଯେମିତି ଫସଲ ଭାର
ରେ ପୂର୍ଣ୍ଣ ହୁଏ ଆସନ୍ନ ଗର୍ଭୋଦୋୟ ଭାର ରେ ନଇଁ ପଡୁଥିଲା ବେଳେ ଠାକୁରା ର ମନ ଆଉ ଲାଗୁ ନ ଥିଲା ।ବାଦଲ ଟା ଗର୍ଜ୍ଜନ କରୁଥିଲା କଚାଡି ହେବା ପାଇଁ ମାଟି ଉପରେ ।ଘର କୋଣ ରେ ରଡି ଛାଡୁଥିଲା ହାରୁନି । ବୋହି ଆସୁଥିଲା ରକ୍ତ
ଧାର ଧାର ହୋଇ ମାଟି ବତୁରି ଯାଉଥିଲା ।ଜନ୍ମ ନେଇଥିଲା ସାକିଲା ।ହାରୁନି ର ସ୍ୱାସ୍ଥ୍ୟ ଖରାପ ରହୁଥିବା ବେଳେ ଠାକୁରା
ର ବେପାର ମାନ୍ଦା ପଡିଯାଉଥିଲା ।ତିନୋଟି ଛୁଆ ଙ୍କ ଖବର ବୁଝୁ ବୁଝୁ ତାକୁ ବେଳ ଅଣ୍ଟୁ ନ ଥିଲା ।ବେପାର କରିବା କଷ୍ଟ ହୋଇପଡୁଥିଲା ଏ କଥା ବୁଝୁଛି କିଏ ?ତଥାପି ହାରୁନି କାମ କରେ ।ଗେରସ୍ତ ର ଦୁଃଖ ସହିପାରେନି ।ଏଣେ ଛୁଆ ଙ୍କ କଥା ତେଣେ ଆର୍ଥିକ ରୋଜଗାର ର ଚିନ୍ତା ଖାଉଥାଏ ।ଗରିବ ବାପୁଡା ର ନିତିଦିନିଆ ଘଟଣା କୋଉ ଦିନ ଚୁଲ୍ଲୀ ଜଳେ ତ କୋଉ ଦିନ ଜଳେନା ।ବାସି ତୋରାଣି ମୁନ୍ଦେ ,ପଖାଳ ଗଣ୍ଡେ ରେ କାମ ଚଳିଯାଏ ।ହେଲେ ଛୋଟ ଛୁଆ ଙ୍କ ମୁହଁକୁ ଗରମ ଭାତ ଦି'ଗୁଣ୍ଡା ଦେବାକୁ କାମ ଖୋଜନ୍ତି ଗେରସ୍ତ ,ଭାରିଯା ।ଚାଷ ଜମି ବୋଲି ନିଜର କିଛିବି ନାହିଁ ଭାଗ କୁ ନେବା ପାଇଁ ,ରୁଆ ପୋତା ବେଉଷଣ କାମ କୁ ସମ୍ବଳ ମଧ୍ୟ ନାହିଁ ଯେ ,
କରିପାରିବ ।ସେଥିପାଇଁ ମୂଲ ଲାଗିବାକୁ ପଡେ ।କିନ୍ତୁ ବେଶୀ ପରିଶ୍ରମ କରିବାରୁ ଠାକୁରା କୁ ଜ୍ୱର ଆସିଲା ଓ ରକ୍ତ ବାନ୍ତି କଲା ।ସେଇଦିନ ଠାରୁ ବାହାର କାମ ବନ୍ଦ ।ନିଜର କେଇଟା ଛେଳି ,ମେଣ୍ଢା ,ଘୁଷୁରୀ ଙ୍କୁ ନେଇ ପାଳିଲା ।ହାରୁନି ମୂଲ ଲାଗିବାକୁ କାମ ଖୋଜିଲେ ଠାକୁରା ମନା କରେ ।
--"ଆଲୋ ମୁଁ ମରଦ ଟାଏ ବା ।ମୋ ବାହା ,ରେ କଣ ଏତେ ଟିକେ ବଳ ନାହିଁ ଯେ ତୁ ଯିବୁ କାମ କରିବାକୁ ।ମୋ ମରଦ ପଣିଆ କୁ ଧିକ ।"
    ଦିନେ ରାତିରେ କାଶ ବଢିଲା ଯେ ବଢିଲା  ।ହାରୁନି ତେଲ ଟିପେ ଗରମ କରି ତା'ଛାତିରେ ମାରିଦେଲା ।କନା ପୁଡିଆ ଟେ କରି ନିଆଁ ଧାସ ରେ ଦେଖେଇ ଦେଖେଇ ଠାକୁରା ଗୋଡ଼ ହାତକୁ ସେକିଦେଉଥିଲା ବେଳେ ଶୀତ ରାତିର ଉଷୁମ ପରଶ ଚୁଲ୍ଲୀ ଭିତର ର ନିଆଁ ତା ଲହ ଲହ ଜିଭରେ କେତେବେଳେ ହାରୁନି ର ପଣତ କାନି କୁ ଚାଟି ଦେଇଥାଏ ଜାଣି ନ ଥାଏ ହାରୁନି ।
          ସେଥିରୁ ମୁକୁଳିବା ବେଳକୁ ହାରୁନି ର ଗୋଟାଏ ଗୋଡ ସମ୍ପୂର୍ଣ୍ଣ ସିଝିଯାଇଥାଏ ଓ ଉପରକୁ ଟିକିଏ ଜଙ୍ଘ ପର୍ଯ୍ୟନ୍ତ ।ସରକାରୀ ଡାକ୍ତରଖାନାରେ ଚିକିତ୍ସା ପାଇଁ ଯେତକ ସୁବିଧା ମିଳିଲା ସେତକ ସମୁଦ୍ର କୁ ଶଙ୍ଖେ ପରି ।ଡାକ୍ତର କହିଲେ ----"ଏଠାରେ ପୋଡା ଜଳା କେସ ପାଇଁ ବିଶେଷ ସୁବିଧା ନାହିଁ ତମେ ୟାକୁ ଆଉ କୋଉଠି କୁ ନେଇଯାଅ।ଏଠି ବେଡ ଟା ଶୀଘ୍ର ଖାଲି କରିଦିଅ"।
କୋଉ ବଡ ଡାକ୍ତରଖାନା କୁ ନେଇକରି ଯିବ ସେ ?ବି ପି ଏଲ କାର୍ଡ ନେଇ ଦେଖେଇଥିଲା ସେ କାଉନସିଲର କୁ ,ସେଥିପାଇଁ କିଛି ପଇସା ଦରକାର ବୋଲି କାଉନସିଲର କହିବା ପରେ କେତେ ହାତ, ଗୋଡ ଧରି ନେହୁରା ହେବା ଟା ବୃଥା ହେଲା । ଘରେ ଦି ଓଳି ଖାଇବାକୁ ଜୁଟୁନି ...ଆଖିରୁ ଧାର ଧାର ହୋଇ ଲୁହ ଖସି ପଡେ ।ଆକାଶଟା ରୁଷିଲା ପରି ସବୁବେଳେ ଥମ ଥମ ଦେଖାଗଲା ଠାକୁରା  ର ମୁହଁ ।ଘର ଅଗଣାରେ ଖଟିଆ ରେ ପଡିଥାଏ ହାରୁନି । ମାଆ ର ଗାଳି ରେ ସ୍କୁଲ ଯାଉଥିବା ପାରୁଲ ବଡ ହୋଇ ପଞ୍ଚମ ଶ୍ରେଣୀ ରେ ପଢୁଥାଏ । ମାଆ ପଡିବା ଦିନ ଠାରୁ ସ୍କୁଲ ବନ୍ଦ ଅଧେ ଦିନ ।ସ୍କୁଲ ମାଷ୍ଟ୍ରେ ଡକେଇ ପଠାନ୍ତି ପାରୁଲ ର ବାପା ଠାକୁରା କୁ ।ସବୁ କାହାଣୀ ଶୁଣି ଆଉ କିଛି କହିପାରନ୍ତି ନାହିଁ ।ସୁବିଧାରେ ସପ୍ତାହ କୁ ଦୁଇ ତିନି ଦିନ ସ୍କୁଲ ଆସିବାକୁ କୁହନ୍ତି ।ମୁଣ୍ଡ ଟୁଙ୍ଗାରି ଚାଲିଯାଏ ଠାକୁରା ।ଲୁସ୍କି ପଢେ ତୃତୀୟ ରେ ।ଜଣେ ସ୍କୁଲ ଗଲେ ଆଉ ଜଣେ ବନ୍ଦ ।ଧୀରେ ଧୀରେ ଚିକିତ୍ସା ର ଅବହେଳା ଯୋଗୁଁ ପୋକ ହୋଇଯାଇଥାଏ ହାରୁନି ର କ୍ଷତ ସ୍ଥାନରେ ।ତିନି ଚାରି ମାସ ପଡିଲା ପରେ ହାରୁନି ଦିନେ ଚାଲିଗଲା  ଛୁଆ ମାନଙ୍କୁ ଛାଡିଦେଇ ।ଠାକୁରା ଭୀଷଣ ଅସହାୟ ।ବସନ୍ତ ଆସିବା ପୂର୍ବରୁ ପତ୍ର ଝଡା ଦିଏ ନବ ପଲ୍ଲବ ରେ ବିକଶିତ ହେବାପାଇଁ ।କିନ୍ତୁ ତା'ର ଯେ ଗଣ୍ଡି ହିଁ ଭାଙ୍ଗିଗଲା ଅଧାରୁ ସେଥିରେ ଆଉ ଯେ ନୂତନତ୍ୱ ର ସଞ୍ଚାର ହେବ ସେଭଳି ଆଶା ସେ କରିପାରୁ ନାହିଁ ।
ଘର ଅଗଣା ,ଖାଁ... ଖାଁ....।

   ଏଇଠି ଖଟିଆ ରେ ହାରୁନି ପଡିଥିଲା ।କିଛିଦିନ ପରେ ବାଡି ଖଣ୍ଡିଏ ଧରି ଚାଲୁଥିଲା ।ସେଇ ଚାଲିବା ବେଳେ ଝୁଣ୍ଟି ପଡିଲା ଯେ ଆଉ ଉଠିପାରିଲା ନାହିଁ ।କେହି କିଛି ସାହାଯ୍ୟ କରିପାରିଲେ ନାହିଁ କେବଳ ସମବେଦନା ଟିକକ କୁ ଛାଡିଦେଲେ ।ସାକିଲା କୁ ସମ୍ଭାଳି ହେଉନାହିଁ ।ଠାକୁରା କୁ କେହି କେହି ଆଉ ଗୋଟେ ଆଣିବାକୁ ପରାମର୍ଶ ଦେଉଛନ୍ତି ।
ପାରୁଲ ଓ ଲୁସ୍କି ର ସ୍କୁଲ ବନ୍ଦ ହେଉଛି ।ପାରୁଲ ଭଲ ପଢୁଛି ।
ବୁଦ୍ଧି ଦିଶୁନାହିଁ କିଛି କରିବାକୁ ।
   
       ମାମୁଁ ଘର ଗାଁ ରେ ମେଳା ବସିଛି ।ପାରୁଲ ଓ ଲୁସ୍କି ଅଡି ବସିଛନ୍ତି ଯିବାକୁ ।ଅନ୍ୟ ଉପାୟ ନ ପାଇ ଠାକୁରା ଇଛା ନ ଥିଲେ ବି ଛୁଆ ଙ୍କ ପାଇଁ ସେମାନଙ୍କୁ ନେଇ ଗଲା ।ମେଳା ରେ ଛୁଆ ମାନେ ବୁଲୁଥିଲେ ଅଜା ସହିତ ।ମନ ମାରି ଧୀର ଗତିରେ ଚାଲୁଥାଏ  ଠାକୁରା ସାକିଲା କୁ ଧରି ।କେତେବେଳେ ସାକିଲା ହାତରୁ ଖସି ଯାଇଛି ।ମୁଣ୍ଡ ଝାଇଁ ମାରିଗଲା ଠାକୁରା ର ।ଖେଦି ଗଲା ସବୁଆଡେ ।କିଛି ସମୟ ପରେ ଦେଖିଲା ସାକିଲା ଖେଳୁଛି ଜଣେ ସ୍ତ୍ରୀଲୋକ ପାଖରେ । ସେପଟେ ନାଚ ଗୀତ ର ଆସର ଚାଲିଛି ।ଯୁବକ ଯୁବତୀ ପରସ୍ପର ଙ୍କ ର ମନ ପସନ୍ଦ ସାଥୀ ନିର୍ବାଚନ ର ଇଏ ଗୋଟେ ବେଳ ।ସାକିଲା କୁ ଆଣିବା ପାଇଁ ହାତ ବଢାଇଲା ସେ ।ଠାକୁରା ହାତ କୁ ବଢାଇ ଦେଉ ଦେଉ ସ୍ତ୍ରୀଲୋକ ଟା  କହିଲା "-ମୁଁ ଡାଙ୍ଗରି " ।ସେତେବେଳେ ଦଳେ ଲୋକ ସେମାନଙ୍କୁ ଅତିକ୍ରମ କରୁଥିଲେ ।ହଠାତ ଜଣେ ବୃଦ୍ଧା ଠାକୁରା ଓ ଡାଙ୍ଗରି କୁ ଟାଣି ନେଇ ଦଳ ରେ ମିଶାଇ ନେଲେ ।ସେମାନେ ଏ ଦୁହିଁଙ୍କୁ ସାଥୀ ବୋଲି ଭାବୁଥିଲେ ।
               ସେ ଘଟଣା ପର ଠାରୁ ଡାଙ୍ଗରି ପାଲଟି ଗଲା ଠାକୁରା ର ଘରଣୀ ।ଆଉ ପାରୁଲ କୁ ରାନ୍ଧିବାକୁ ,ପାଣି ବୋହିବାକୁ, ଅଗଣା ଖରକିବାକୁ ,କିମ୍ବା ଘର ଲିପିବାକୁ
ପଡ଼ିଲାନି ।ସେ ଓ ଲୁସ୍କି ନିର୍ବିଘ୍ନ ରେ ସ୍କୁଲ ଗଲେ । ଡାଙ୍ଗରି
ସାକିଲା କୁ ଆପଣେଇ ନେଇ ଥିଲା ଠିକ୍ ଜନ୍ମ କଲା ମାଆ
ପରି ପହିଲେ ପହିଲେ ।ପତ୍ର ର ରଙ୍ଗ ବଦଳେ  ସବୁଜ ରୁ ମାଟିଆ ପୁଣି ହଳଦିଆ ଶେଷରେ ଝଡି ପଡେ ପତ୍ର ଝଡା
ଦେଇ ।ମାଟିରେ ଚାରା ରୋପିଲେ ମୂଳ ଜଳ ପାଇ ଛନ ଛନ କଅଁଳ ପତ୍ର ମେଲେଇ ବସେ ।ବୟସ ବଢିବା ସଙ୍ଗେ ସଙ୍ଗେ
ଦ୍ରୁମ ଟି ମହାଦ୍ରୁମ ରେ ପରିଣତ ହୁଏ ।ସେତେବେଳେ କୋମଳ ସ୍ୱର ଆସ୍ତେ ଆସ୍ତେ ଲିଭିଯାଏ କର୍କଶତା ର ସ୍ପର୍ଶ ରେ ।ଏଇ ତ ଜୀବନର ସତ୍ୟ ,ଅତି ବାସ୍ତବତା ।ଡାଙ୍ଗରି ର ଛଳ ଛଳ ମାତୃତ୍ୱ ଅନୁଭଵ କରେ ନିଜ ଭିତରେ ଏକ ପରିବର୍ତ୍ତନ ର ସ୍ୱର ।ଉଲ୍ଲସି ଉଠେ ନିଜକୁ ନିଜେ ।ଛ'ଫୁଟିଆ ମର୍ଦ୍ଦ କାଇଲୁ ର ବଳିଷ୍ଠ ବାହୁ ଆଉ ଛାତିର ନିବିଡତା ଦୀର୍ଘ ସାତ ବର୍ଷ ପରେ ବି ଏଇ ରୂପାନ୍ତର କୁ ଅନୁଭବ କରିବାକୁ ଦେଇପାରି ନ ଥିଲା ଯାହା ଠାକୁରା ପାଖରୁ ସେ ପାଇଛି ।ସେଇଥିପାଇଁ ସେ କାଇଲୁ କୁ ଛାଡି ଦେଇଆସିଥିଲା ସବୁ ଗଞ୍ଜଣା ଆଉ ଦୋଷ କୁ ସହି ନପାରି ।ପାରୁଲ ଆଉ ଠିକ୍ ସମୟରେ ସ୍କୁଲକୁ ଯାଇପାରେ
ନାହିଁ ।ମଝିରେ ମଝିରେ ସ୍କୁଲ ବନ୍ଦ ହୁଏ ।କିନ୍ତୁ ଠାକୁରା ଜାଣି ପାରେନା କିଛି ।ଡାଙ୍ଗରି ଠାକୁରା କୁ ବାନ୍ଧି ରଖିଥାଏ ତା ଦେହ ର ଜ୍ୟାମିତିକ ପରିଦର୍ଶନରେ ।ଦିନ ବିତିଯାଏ ଡାଙ୍ଗରି କୋଳ ରେ ପୁତ୍ର ସନ୍ତାନ ଟିଏ ହାତ ଗୋଡ ହଲାଇ ଖେଳେ ।ପାରୁଲ ର ଚାପ ବଢିଯାଏ ।ପ୍ରବଳ ଇଛା ତା'ର ସ୍କୁଲ ଯିବ ....କିନ୍ତୁ କେମିତି ?ଲୁସ୍କି ର ପଢ଼ିବାର ଇଛା ନାହିଁ ତଥାପି ସେ ତାକୁ ଘରୁ ଘଉଡି ଦିଏ ସ୍କୁଲ ପାଇଁ ।ଇତି ମଧ୍ୟରେ ସେ ଷଷ୍ଠ ଶ୍ରେଣୀ କୁ ଉତ୍ତୀର୍ଣ୍ଣ ହୋଇ ସପ୍ତମ କୁ ଯିବାପାଇଁ ପ୍ରସ୍ତୁତ ହେବାକୁ ଥାଏ ।
           ପାରୁଲ ଏକ ଅଜଣା ଭାବନା ଚିନ୍ତାରେ ବେଳେ ବେଳେ
ଅତିଷ୍ଠ ହୋଇପଡୁଛି ।ବାପା ଡାକିଲେ ବି ତା ସାମ୍ନା କୁ ଯିବା ପାଇଁ ଲାଜ ଲାଗୁଛି।କଅଁଳ ମାଂସ ଖୁନ୍ଦି ହେଇଯାଉଛି ଛାତିରେ ,
ଆଉ ସମାନ୍ତରାଳ ଲାଗୁନି ଦେହ ର ସମ୍ମୁଖ ଭାଗ । କେମିତି ଭିନ୍ନ ଲାଗୁଛି ପୁରୁଣା ପାରୁଲ ଆଉ ନୂଆ ପାରୁଲ ଭିତରେ ।ସ୍କୁଲ ଗଲା ବେଳେ ସଦ୍ୟ ଗଜୁରୁ ଥିବା ନିଶୁଆ ପିଲା ଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଚାହାଁଣୀ କେମିତି ଅସ୍ତ୍ୟବସ୍ତ୍ୟ କରିପକାଏ ତାକୁ ।ଠିକ୍ ଭାବେ ପଢିଥିଲେ ଏତେବେଳକୁ ନବମ ଡିଆଁ ମାରିସାରନ୍ତାଣି ।ସେଇ ଅବଶୋଷ ସବୁବେଳେ ରହିଥାଏ ତା ମନ ରେ ।ଏବେ ତ ନୂଆ ମାଆ ଆଉ ଆଗ ଭଳି ଭଲ ପାଉନି ।ଲୁସ୍କି ବି ତା'କଥା ଶୁଣୁନି । ଅନେକ ସମୟରେ ସେ କାନ୍ଦି ପକାଏ କିନ୍ତୁ ସେ କାନ୍ଦ କାହାକୁ ଦେଖେଇବା ମନା ।

           ସେଦିନ ରାମୁଆ ର ନଜର ପଡ଼ିଲା ପାରୁଲ ଉପରେ ।ଗାଁ ମୁଣ୍ଡ ନଳକୁଅ ରୁ ପାଣି ବୋହୁଥିଲା ବେଳେ ।--"ଆହା ,ଛୁଆ ଟି ଭାଗ୍ୟ ଦେଖ... !!ଆଲୋ ପାରୁ ତୁ ଆଉ ସ୍କୁଲ ଯାଉନୁ କି ?
...ଆଉ ମାତ୍ର ଦି ତିନି ଟା ବରଷ ଗଡ଼ିଗଲେ ବଳେ ମୁଣ୍ଡ କୁ ହାତ ପାଇଯାଆନ୍ତା । ଠାକୁରା ଭାଇ ଜାଣେ କି ? ତୋ ସ୍କୁଲ ନ ଯିବା କଥା ...।
ଦଣ୍ଡେ ଠିଆ ହେଲା ପାରୁଲ ତା'ପରେ ଆସ୍ତେ ମୁଣ୍ଡ ହଲାଇ ନାହିଁ କଲା ।----ଦେହ ଭଲ ରହୁନି ତ ସେଇଥିପାଇଁ ଯାଇନି ।
---ହଉ ତୁ ଘରକୁ ଯା ।ମୁଁ ତାକୁ କହିଦେବି ଯେ ..।
ରାମୁଆ ,ଗାଁ ମୁଖିଆ ।ଜୁଆନ ଚେହେରା ।ରୂପ ଯେମିତି ଗୁଣ ବି ସେମିତି ।କାହାରି ଦୁଃଖ ଦରଦ ସହିପାରେନା ବୋଲି ସଭିଙ୍କ ମୁହଁରେ କେତେ ପ୍ରଶଂସା ।ଓଃ ସେଇ ରାମୁଆ ଆଜି ତା କଥା ବୁଝିଦେଵ ବୋଲି କହିଛି ,ଯାହା ହେଉ ଭାରି ଭଲ ଲୋକ ।
ସେଦିନ ସଞ୍ଜ ପରେ ...
        --ଠାକୁରା ଭାଇ ,ଓ ଠାକୁରା ଭାଇ ଘରେ ଅଛୁ କି ?
ରାମୁଆ ର ଡାକ ରେ ଡାଙ୍ଗରି ବାହାରି ଆସିଲା ।ରାମୁଆ କିଛି ଭଲ ମନ୍ଦ କଥା ପଚାରିବା ସମୟରେ ଠାକୁରା କାମ ରୁ ଫେରି ଆସିଲା ।ରାମୁଆ ର ପାରୁଲ ର ସ୍କୁଲ ଯିବା ପ୍ରସଙ୍ଗରେ ତାକୁ ମାଷ୍ଟ୍ରେ ଡାକି କହୁଥିବା ପ୍ରସଙ୍ଗ ଉଠାଇବା ଦେଖି ଠାକୁରା କହିଲା ,
---ରାମୁଆ ,ଦେଖୁଛୁ ତ ଆମ ଘର କଥା କେମିତି ଗୋଟିକ ପରେ ଗୋଟିଏ ଦୁଃଖ ମାଡିଆସୁଛି ।ଏମିତି ରେ କଣ ବା କରିପାରିବି ?ଭାବୁଛି ଏ ସନ ପାରୁ କୁ ବିଭା ଦେଇଦେବି ।ମୋ ଦେଇ ଆଉ ସମ୍ଭାଳି ହେବନି ।
----ତୁ କିଛି ଚିନ୍ତା କର ନା ମ ।ପାରୁ ପାଇଁ ଏକ ସେ ଏକ ପିଲା ମିଳିବେ ।ହେଲେ ସେ କଥା ନୁହେଁ ଯେ ,ଯାହା କରିବୁ ତା ପୂର୍ବରୁ ଥରେ ଚିନ୍ତା କରିବୁ ,କାରଣ ଏବେ ତ ତୋର ଆଉ ପୂର୍ବ ଅବସ୍ଥା ନାହିଁ,।କହି ରାମୁଆ ଚାଲିଗଲା ।
   ଘର କୋଣ ରେ ଥାଇ କାନ ପାରିଥିଲା ପାରୁଲ ,ରାମୁଆ ସତ ରେ ଭଲ ଲୋକ କି ନା ପରଖୁ ଥିଲା ।କଣ ବୁଝୁଥିଲା ସେ ଜାଣେନି କିନ୍ତୁ ବିଭାଘର ପ୍ରସଙ୍ଗ ର ଉତ୍ଥାପନ ହେବା ଦେଖି ଆଖି ଦୁଇଟି ତା'ର ବିଷର୍ଣ୍ଣ ହୋଇ ଉଠିଲା ।ବାପା କୁ ବି ଦୋଷ ଦେଇ କି ଲାଭ ଯେ ? ସବୁ ତା'ଭାଗ୍ୟ ର ଦୋଷ ...ହଁ ସେଇ ଭାଗ୍ୟ ..ନୁହେଁ ତ ଆଉ କଣ ଯେ ? ମାତ୍ର ମନ ତଳ ର ସେଇ ସୂକ୍ଷ୍ମ ଚେତନା ଟିରେ ଖେଳିଗଲା ଗୋଟେ ସିର ସିର ତରଙ୍ଗ
,କମ୍ପିଗଲା ସାରା ତନୁବଲ୍ଲରୀ ଟି ଏକ ଅହେତୁକ ଶିହରଣ
ରେ ।ରାମୁଆ ଖୁବ୍ ଭଲ ପିଲା ତାକୁ ନେଇ କିଛି ସ୍ୱପ୍ନ ଦେଖାଯାଇ ପାରେ ।
             ଏଇ ତ ସଂବାଳୁଆ ନିଜକୁ ଆବଦ୍ଧ କରି ରଖିଛି ତା'ର
ସୁରକ୍ଷା କବଚ ଭିତରେ .....ପ୍ରତୀକ୍ଷା ଅଛି ପରିବର୍ତ୍ତିତ ହେବାକୁ
ଏକ ସୁନ୍ଦର ଜୀବନ କୁ ଯେଉଁଥିରେ ଖାଲି ରଙ୍ଗ ଆଉ ରଙ୍ଗ ...
ତା ସାଥିରେ ଏକ ନବ କଳ୍ପନା ର ଉଚ୍ଛ୍ୱାସ ରେ ନୀଳ ଆଭା ମଣ୍ଡଳ କୁ ଛୁଇଁବାର ପ୍ରୟାସ ଟିକି ଟିକି ଡେଣା ଦ୍ୱାରା । ଦୋଳାୟମାନ ପବନ ର ଗତି ରେ ନିଜକୁ ସାବଲୀଳା କରି ରଖିବାର ଅଦମ୍ୟ ପ୍ରଚେଷ୍ଟା ।ଫୁଲ ରୁ ଫୁଲ କୁ ଉଡିବୁଲିବା ର
ଧର୍ମ ରେ ।ଏକ ଅବୋଧ୍ୟ ଦୃଷ୍ଟିରେ ଚାହିଁଥିଲା ପାରୁଲ ସେଇ କାନ୍ଥ ଓ ଛପର ତଳ ସନ୍ଧି ଜାଗା ଟିକୁ ଯାହାକୁ ତିନି ଦିନ ତଳେ ସେ ଓ ଲୁସ୍କି ଆବିଷ୍କାର କରିଥିଲେ ।ଗୋଟେ ଅଳନ୍ଧୁ ମଳା ଟେ ।
ଲୁସ୍କି ତାକୁ ଖେଞ୍ଚିବାକୁ ଯାଉଥିଲା କିନ୍ତୁ ପାରୁଲ ମନା କରି
ଥିଲା । ସେ ଦେଖିଛି ଏଇ ବସା ଭିତରୁ ସୁନ୍ଦର ପ୍ରଜାପତି ଟିଏ ବାହାରିବାର ।
   
  ----ଆଉ ସକ ସକ ହଅନା ବା ,ଏଥର ଘର କାମ ରେ ମନ ଲଗା ।ସେମାନେ କାଲି ଆସିବେ ଏଠିକୁ ।ଟିକେ ସଫା ସୁତୁରା କରିବାକୁ ହେବ ପିଣ୍ଡା ,ଅଗଣା ..।
ଡାଙ୍ଗରି କାମ ବରାଦ କରିଦେଇ ଚାଲିଗଲା ପୁଅ କୁ ଶୁଆଇବାକୁ ।ବହି ବସ୍ତାନି କୁ ଗୋଟେ କଡ କୁ ରଖି ଦେଇ ଲଥ କରି ବସିଗଲା ପାରୁଲ ।ମୁହଁର ରଙ୍ଗ ଉଡ଼ିଗଲା ।ଶୁଖିଲା ମୁହଁରେ କାମ ରେ ମନ ଦେଇ ଗୁଣୁ ଗୁଣୁ ହେଲା ।କଣ କହୁଥିଲା ସେକଥା କାହାକୁ ଶୁଭୁ ନ ଥିଲା ।

-----ଦି'ଟା ଛେଳି ,ଗାଈ ଗୋଟେ ଦେବ କହୁଛି ।କଣ କରିବା ?
ପ୍ରଶ୍ନ ଥିଲା ଠାକୁରା ର ଡାଙ୍ଗରି ଉଦ୍ଦେଶ୍ୟରେ ।
ପୁଣି କହିଲା ,ଗୋରୁ ଆଣି କଣ ହେବ ? ନିଜର ତ ବଖରେ ହେଲେ ଜମି ନାହିଁ ।ପର ଦୁଆରେ ମୂଲ ଲାଗିବାକୁ ପଡୁଛି ।
ଗାଈ ଟେ ହେଲେ ଦୁଧ ଦେବ ।ଏଇୟା ଭାବି ଗାଈ କଥା କହିଲି ମୁଁ ।ଠିକ୍ କହିଛି ତ ?
  ----ହଁ,ଠିକ୍ କହିଛ ।ଦୁହାଁଳିଆ ଗାଈ କଥା କହିବ ।ଛୁଆ ଟା ବି ଦୁଧ ଟିକେ ପାଇଯାଆନ୍ତା ।ଡାଙ୍ଗରି ସେତକ କହି ଦେଇ ଅଗଣା କୁ ଚାଲିଗଲା କିଛି ଜିନିଷ ଆଣିବାକୁ ।
ପାଖ କବାଟ ସେ ପଟ ରୁ ଜୁଳୁ ଜୁଳୁ ଚାହିଁଥିବା ଆଖି ଦୁଇଟି ପ୍ରତି ସେମାନଙ୍କର ଦୃଷ୍ଟି ନ ଥିଲା ।

ଏବେ ସେ ଅଳନ୍ଧୁ ମଳା ଟା ଭାଙ୍ଗି ଯାଇଛି ।ଲୁସ୍କି ଶୋଇବା ବେଳେ  ପାରୁଲ କଥା ଭାବୁ ଭାବୁ ଲକ୍ଷ୍ୟ କରୁଛି କିଛି ଗୋଟେ ବାହାରିବାକୁ ଚେଷ୍ଟା କରୁଛି ତା 'ଭିତରୁ ।ଏକ ଅଜଣା ଆବେଗ ରେ ଗୋଟେ ଝଟକା ରେ ଉଠିଯାଇ ଠିଆ ହୋଇଗଲା ସେଇଠି ପାରୁଲ ଚାଲିଯାଇଛି ତା ଶ୍ୱଶୁର ଘର କୁ। ଲୁସ୍କି ଥମ କରି ଛିଡା ହୋଇଗଲା ।କିଛି ସମୟ ନୀରବତା ର ପ୍ରତୀକ୍ଷା ପରେ କେତେବେଳେ ଆଖି ସାମ୍ନା ଦେଇ ଉଡିଚାଲି ଯାଇଥିଲା ଲୁସ୍କି କୁ ମାତ କରିଦେଇ ।ଲୁସ୍କି ସେଇଠି ବସିଗଲା ।ଆଖିରୁ ଝର ଝର ହୋଇ ଲୁହ ବୋହିଯାଉଥାଏ ତା'ର  । ପାରୁଲ ର ଅନୁପସ୍ଥିତି ଅସହ୍ୟ ବୋଧ ହେଉଥାଏ ।ନିଦ ହଜି ଯାଇଥାଏ ଆଖିରୁ ।


  ବାସ୍ତବତା କୁ ମର୍ମେ ମର୍ମେ ଅନୁଭବ କରୁଥାଏ ପାରୁଲ ।
ବୟସରେ ଦୁଇଗୁଣ କି ଆଉ ଟିକିଏ ଅଧିକ ହେବ ,ପୁରୁଷ
ଟିକୁ ବିଭା ହୋଇଛି ପାରୁଲ ।ଦୁଇଟା ଛେଳି ଓ ଗୋଟେ ଗାଈ
ର ପଣି ରେ ।ତା'ଜୀବନର ମୂଲ୍ୟ କିଛି ନାହିଁ !!।ପୁରୁଷ ଟି ଯେ
ଏକବାର ଅସହ୍ୟ ସେକଥା ନୁହେଁ ,କିନ୍ତୁ ସେ ଯେ ପାରୁଲ କୁ ଦୟା କରିଛି ସେ କଥା ବି ତ ନୁହେଁ ।ତେବେ ଆଉ କଣ ବାକି ରହିଲା ? ସମ୍ପୂର୍ଣ୍ଣ କ୍ଳାନ୍ତ ହୋଇ ପାରୁଲ ଶୋଇଯାଇଥିଲା । ମୁଦ୍ରିତ ନୟନ ରେ ରଙ୍ଗୀନ ଫୁଲ ର  ବଗିଚା ମଝିରେ
ଫୁଆରା ।ଓଃ କି ଚମତ୍କାର ଦୃଶ୍ୟ ।ରଙ୍ଗ ବେରଙ୍ଗ ର ଜାତି ଜାତି ପ୍ରଜାପତି ,ଭଅଁର ,ଉଡିବୁଲୁଛନ୍ତି  କିନ୍ତୁ ଏ କଣ? .....କିଛି ସମୟ ପରେ ସେମାନେ କିଏ କୁଆଡେ ଛିନ୍ନଛତ୍ର ହୋଇ ଚାଲିଗଲେ ତ କିଛି ଜଣଙ୍କର ଟିକି ଟିକି ଡେଣା ସବୁ ଛିଡି ଯାଉଛି ,କଟି ଯାଉଛି ,ସେମାନେ ଆଉ ମନ ଇଛା ଉଡି ପାରୁ ନାହାନ୍ତି ।ପଡି ଯାଉଥାନ୍ତି ତଳକୁ ...ଓଃ ...କି କଷ୍ଟ ....ଉଠିବାକୁ ଚେଷ୍ଟା କରୁଥିବା ପ୍ରଜାପତି ମାନେ ବାରମ୍ବାର ଭୁଲୁଣ୍ଠିତ ହେଉଥାନ୍ତି ....।ଏଇ ତ ଟିକକ ଆଗରୁ କି ସୁନ୍ଦର ଦେଖାଯାଉଥିଲା ବଗିଚା ଟି  କିନ୍ତୁ ବର୍ତ୍ତମାନ .......କୁଆଡେ ଗଲା ସେମାନଙ୍କ ପର ......।
        ପାରୁଲ ର ଆଖି ଖୋଲୁ ନ ଥାଏ ,କିନ୍ତୁ ଗୋଟିଏ ସ୍ୱର ଭାସିଆସୁଥାଏ ---ମୋ ପର,.... ମୋ ପର ....।।


*************
ସିପ୍ରା ନାମତା ,ନମ୍ରତା
ବାରିପଦା


Sent from my MI MAX 2

0 Comments