OUR READERS STATUS AROUND THE GLOBE : INDIA-362119 CANADA-354 CHINA-881 FRANCE-1727 GERMANY- 2083 QATAR - 61 SINGAPORE - 1114 UNITED STATES - 14819 UNITED KINGDOM - 553 UNITED ARAB EMIRATES - 926 UKRAINE-47 UNKNOWN REGIONS-5627

କ୍ଷୁଦ୍ରଗଳ୍ପ - ସାଉଁଟା ଜୀବନ - ପ୍ରମୋଦ କୁମାର ପଣ୍ଡା

କ୍ଷୁଦ୍ରଗଳ୍ପ - ସାଉଁଟା ଜୀବନ - ପ୍ରମୋଦ କୁମାର ପଣ୍ଡା


            ଅସଂଖ୍ୟ ଲୋକଙ୍କ ଗହଳି ଓ ଘୋ ଘା ହୋ ହା ତଥା ଡାକବାଜି ଯନ୍ତ୍ରର କାନଫଟା ଚିତ୍କାରରେ ଅତିଷ୍ଠ ହୋଇ ମୁଁ ଅପେକ୍ଷାକୃତ କମ୍ ଗହଳି ଥିବା ମେଳାର ଠିକ୍ ଶେଷ ଆଡକୁ ଥିବା ଚିହ୍ନା ଚା' ଦୋକାନରେ ପଡିଥିବା ବେଞ୍ଚ୍ ଉପରେ ବସି ଗରମ ଚା ' ର ମଜା ନେଉଥାଏ | ଏଣେ ତେଣେ ଦୃଷ୍ଟି ଦୌଡାଇ ମେଳାକୁ ଆସି କିଣାକିଣିରେ ମସଗୁଲ୍ ଥିବା ଲୋକଙ୍କୁ ଦେଖୁଥାଏ | ହଠାତ୍ ମୋର ଦୃଷ୍ଟିଟା ଚା' ଦୋକାନର ବିପରୀତ ପାର୍ଶ୍ୱରେ ଥିବା ରାସ୍ତା କଡରେ ଗୋଟିଏ ବଡ ରଙ୍ଗୀନ୍ ପିପିଲି ଛତା ତଳେ ବହିର ପସରା ମେଲାଇ ବସିଥିବା ବହି ଦୋକାନୀଟି ଉପରେ ପଡିଲା | 
            ତଳେ ପାଲ ପାରି ତା' ଉପରେ ଗୁଡିଏ ବହି ସଜାଇ ପ୍ରାୟ ପଚାଶ ପଞ୍ଚାବନ ବର୍ଷର କାଳିଆ ଦୁର୍ବଳିଆ ଲୋକଟିଏ ବସିଛି | ବୟସର ପ୍ରଭାବ ନୁହେଁ ବରଂ ଜୀବନ ସଂଘର୍ଷର ଅସୀମ ସଂଘାତରେ ତାର ମୁହଁରେ ଆଙ୍କି ହୋଇ ଯାଇଛି ଅନେକ ଅଲିଭା ରେଖା ଯାହା ଦୂରରୁ ବି ସ୍ପଷ୍ଟ ଦୃଶ୍ୟ ହେଉଥାଏ |
            କାଳିଆ ମୁହଁଟା ପାକଲା ଦାଢିରେ ଭର୍ତ୍ତି | ବୋଧହୁଏ ସପ୍ତାହେ ହେବ ଖିଅର ହୋଇନି | ମୁଣ୍ଡରେ ଧଳା କଳାର ଖେଚେଡି ଆଲୁଳାୟୀତ କେଶ | ପୋଷାକର ଅବସ୍ଥା ମଧ୍ୟ ତଦୃପ | ସବୁ ମିଶି ଏତିକି ଧାରଣା ସୃଷ୍ଟି କରାଇବାକୁ ସକ୍ଷମ ହେଉଛି ଯେ ଜୀବନର ଗାଡି ବଡ କଷ୍ଟରେ ଚାଲିଛି |
       ମଝିରେ ମଝିରେ ସେ ନିଜର ଝାଳୁଆ ମୁହଁଟା ଉପରେ କାନ୍ଧରେ ପଡିଥିବା ଗାମୁଛାଟା ଆଣି ବୁଲେଇ ନେଇ ପାଟି କରୁଥିଲା........
"ଆସ ବହି ନିଅ ଶୁଆ ସାରୀ କାହାଣୀ, ଆଈ ମା କାହାଣୀ, ଅବଲୋକରା କାହାଣୀ, ଚିତ୍ତ ବିନୋଦ, ଭାଗବତ."........ମଝିରେ ଟିକେ ବିରାମ ଦେଇ ପୁଣି ପାଟି କରୁଥାଏ, " ଆସ ବହି ନିଅ ନୃସିଂହ ପୁରାଣ, ହରିବଂଶ, ରାମାୟଣ, କୃଷ୍ଣ ଲୀଳା."......." ଆସ ବହି ନିଅ  ଚାଟଶାଳୀ ପାଠ, ମଥୁରା ମଙ୍ଗଳ, ସହଜ ଇଂରାଜୀ ଶିକ୍ଷା, ବ୍ୟାକରଣ.".......,"ଆସ ବହି ନିଅ ଛବିଳ ମଧୁ ବର୍ଣବୋଧ, ଫକୀର ମୋହନ ଗ୍ରନ୍ଥାବଳୀ, ରାଧାନାଥ ଗ୍ରନ୍ଥାବଳୀ, ଗଙ୍ଗାଧର ଗ୍ରନ୍ଥାବଳୀ, ବୈଷ୍ଣବ ପାଣି ଗ୍ରନ୍ଥାବଳୀ....." ଇତ୍ୟାଦି ଇତ୍ୟାଦି......| ମଝିରେ ମଝିରେ ପାଟି କରି କରି ତଣ୍ଟି ଶୁଖିଗଲେ ପାଖରେ ଥିବା ପାଣି ବୋତଲରୁ ପାଣି ଢୋକେ ଦି ଢୋକ ପିଇ ଦେଇ ପୁଣି ପାଟି କରୁଥାଏ |
            ଗ୍ରାହାକ ଆସୁଥାନ୍ତି, ବହି ଗୁଡାକ ଖେଳେଇ ଦେଇ ଚାଲି ଯାଉଥାନ୍ତି | କେହି କେହି ବହିର ପୃଷ୍ଠା ଗୁଡିକ ଓଲଟାଇ କଣ ସବୁ ଦେଖି ନନେଇ ଚାଲିଯାଉଥାନ୍ତି | ସତେ ଯେପରି ଜ୍ଞାନ ଗୁଡାକ ମୁଣ୍ତରେ ପଶି ରହିଗଲା, ଆଉ ପଢିବାର ଆବଶ୍ୟକତା ନାହିଁ | ବିଚରା ଏଣେ ତେଣେ ଖେଳାଇ ହୋଇ ପଡିଥିବା ବହିଗୁଡିକୁ ସାଉଁଟି ଆଣି ପୁଣି ସଜେଇ ଦେଉଥାଏ |
            ମୁଁ ମନେ ମନେ ଭାବୁଥାଏ ଆଜିକାଲି ଯୁବପିଢିର ପୁସ୍ତକ ପ୍ରୀତି ଯାହା ଏ ବହି ବେପାରକରି ବିଚରା ଲୋକଟି କେମିତି ଯେ ତା କୁଟୁମ୍ବ ପୋଷୁଥିବ କେବଳ ତାକୁ ହିଁ ଜଣା | ମୋବାଇଲ୍ ରିଚାର୍ଜ ଓ ମାଦକ ଦ୍ରବ୍ୟ ସେବନରୁ କିଛି ଅର୍ଥ  ଯଦି ପୁସ୍ତକ କିଣିବାରେ ଖର୍ଚ୍ଚ କରୁଥାନ୍ତା ତେବେ ବହି ବିକ୍ରେତା, ପ୍ରକାଶକ ଓ ଲେଖକ ଉପକୃତ ହୁଅନ୍ତେ | ସାରସ୍ୱତ ସାଧନାକୁ ନିଶା ନକରି ପେଷା ଭାବରେ ଗ୍ରହଣ କରିବାକୁ କୌଣସି ଅସୁବିଧା ନଥାନ୍ତା | ପାଠକ ମାନଙ୍କର ଅନାଗ୍ରହ ଯେ ସାରସ୍ୱତ କ୍ଷେତ୍ରକୁ ସଙ୍କୁଚିତ କରୁଛି ଏଥିରେ କୌଣସି ଦ୍ୱିମତ ନାହିଁ |
        ମୁଁ ଉଠି ଠିଆହେଲି | ପର୍ସ ଖୋଲି ଦେଖିଲି.....ତିନି ଖଣ୍ଡ ଶହେ ଟଙ୍କିଆ ନୋଟ୍ ତା ଭିତରୁ ଉଙ୍କି ମାରୁଥିଲା | ପର୍ସରୁ ରେଜା ପଇସା କାଢି ଚା ଦୋକାନୀକୁ ଦେଇ ପୁଣି ପ୍ୟାଣ୍ଟ୍ ର ପଛ ପକେଟରେ ପର୍ସଟାକୁ ଗେଞ୍ଜିଦେଇ ଚାଲ ଚାଲ ହୋଇ ରାସ୍ତା ପାରି ହୋଇ ବହି ଦୋକାନୀଟିର ସାମନାରେ ଠିଆହେଲି | ବହିବାଲା ମୋତେ ଆଶାୟୀ ନେତ୍ରରେ ଚାହିଁ କହିଲା,  ବହି ନେବେ ଆଜ୍ଞା ? ଦେଖନ୍ତୁ କୋଉଟା ନେବେ | ପାଞ୍ଚଶ ଟଙ୍କାର ବହି ଯଦି ନେବେ ତେବେ ଆପଶଙ୍କୁ ମିଳିବ ସ୍ପେଶାଲ୍ ଡିସ୍କାଉଣ୍ଟ୍, ଟ୍ୱୋଣ୍ଟି ପର୍ସେଣ୍ଟ୍ | ମୁଁ ଆଖି ବୁଲେଇଲି  | ରାଧାନାଥ ଗ୍ରନ୍ଥାବଳୀଟିକୁ ଉଠାଇ ଆଣିଲି | ଦାମ୍ ଥିଲା ଦୁଇଶ ପଚାଶ ଟଙ୍କା ଏ ଅମୂଲ୍ୟ ଗ୍ରନ୍ଥର | ମୋ ପାଖରେ ଥିବା ତିନିଖଣ୍ଡ ଯାକ ଶହେଟଙ୍କିଆ ତା' ହାତକୁ ବଢାଇଦେଲି | ଦୋକାନୀ କହିଲା, ଆଜ୍ଞା ! ଆଉ ଦୁଇଶ ଟଙ୍କାର ନେଇ ଯାଆନ୍ତୁ, ଟୋଟାଲ୍ ଚାରିଶହ ଦେବେ | ମୁଁ ଅଳ୍ପ ହସି କହିଲି, ମୋ ପାଖରେ ଏତିକି ହିଁ ଅଛି | ତୁମେ ମୋତେ ରିହାତି ଦେବା ଆବଶ୍ୟକ ନାହିଁ , ଯାହା ପ୍ରିଣ୍ଟ୍ ଅଛି ସେୟା ରଖ |  ବହିବାଲା ଟିକେ ଅସମଞ୍ଜସରେ ପଡିଲା ଆଉ ମୋତେ ପଚାଶ ଟଙ୍କା ଫେରାଇବାକୁ ତାକୁ ପାଖ ଷ୍ଟେସନାରୀ ଦୋକାନୀ ପାଖରେ ଶହେ ଟଙ୍କିଆଟିକୁ ଭାଙ୍ଗିବାକୁ ପଡିଲା | ନିଜର ଅସହାୟତାକୁ ଲୁଚେଇବାକୁ ସେ ଶୁଖିଲା ହସ ହସି କହିଲା,  ଆଜ୍ଞା , ଆଜି  ଦୋକାନ ଖୋଲୁ ଖୋଲୁ ଡେରି ହୋଇଗଲା ତ , ତେଣୁ ବହିନି ହୋଇନି | ମୁଁ  ସବୁ ବୁଝିପାରୁଥିଲି |  ଫୁଟପାଥ୍ କଡର ଏ  ସାଉଁଟା ଜୀବନ ଯେ କେତେ ଦୟନୀୟ ସେକଥା କେବଳ ସେ ହିଁ ଅନୁଭବ କରୁଥିବ ..........|

ପ୍ରମୋଦ କୁମାର ପଣ୍ଡା
ବାଘମାରୀ, ଖୋର୍ଦ୍ଧା

0 Comments