OUR READERS STATUS AROUND THE GLOBE : INDIA-362119 CANADA-354 CHINA-881 FRANCE-1727 GERMANY- 2083 QATAR - 61 SINGAPORE - 1114 UNITED STATES - 14819 UNITED KINGDOM - 553 UNITED ARAB EMIRATES - 926 UKRAINE-47 UNKNOWN REGIONS-5627

କ୍ଷୁଦ୍ରଗଳ୍ପ - ରହିଗଲା ତୁମ କାହାଣୀ ଅଧା - ନାରାୟଣ ଚନ୍ଦ୍ର ସେନାପତି

କ୍ଷୁଦ୍ରଗଳ୍ପ - ରହିଗଲା ତୁମ କାହାଣୀ ଅଧା - ନାରାୟଣ ଚନ୍ଦ୍ର ସେନାପତି


କାହିଁକି  କେଜାଣି ମଳୟର ମନଟା ଖାଁ ଖାଁ ଲାଗୁଛି । ବସନ୍ତର ଅବଧିରେ ଦୁଷ୍ଟ ନିଦାଘଟା ପଶିଆସି ମୃଦ୍ୟୁ ଯନ୍ତ୍ରଣାରେ ଝରାଉଛି ଦେହରୁ କେଇଟୋପା ଘର୍ମବିନ୍ଦୁ । ସମ୍ବଲପୁରୀ ତଉଲିଆଟିରେ ଦେହ ମୁହଁ ପୋଛି ବାହାରିଲା ସେ ପାଖ ବୈତରଣୀ ନଦୀକୂଳକୁ ଖାଇବାକୁ ଟିକେ ଥଣ୍ଡା ସମୀରଣ । ସାଥିରେ ପ୍ରିୟ ସ୍ମାର୍ଟ ଫୋନ୍ ଟାକୁ ନେବାକୁ ଭୁଲି ନ ଥିଲା ସେ । ସୁର୍ଯ୍ୟ ଅସ୍ତ ହେବାକୁ ଅଣ୍ଟା ଭିଡ଼ିଥାନ୍ତି । ନଦୀକୂଳର ଚଳ ଜଳରାଶିର ଅନତି ଦୂରରେ ଚକାମାଡି ବସି ମୋବାଇଲ ଟାକୁ ଅନ୍ କଲା ମଳୟ ।
      
ହଠାତ୍ ମେସେଞ୍ଜରରେ ଏକ ଅଚିହ୍ନା ଅପରିଚିତର ଚାଟିଂ ଟିଏ ଆସିଲା ।
କେମିତି ଅଛ ?
ମଳୟ ଦେଖିଲା ପ୍ରୋଫାଇଲ୍ ରେ ଫଟୋ ନାହିଁ, ଆଇ. ଡି. ରେ ଲେଖା ଅଛି, ବି. ଏମ୍. ପି.।

କିଏ ସେ ? କଣ ମୋର ଚିହ୍ନା ? ନ ହୋଇଥିଲେ କେମିତି ଅଛ କିପରି ପଚାରିଥାନ୍ତେ ? ଆଇ. ଡି. ଏବାଉଟ୍ ମାରି ଦେଖିଲେ ଫିମେଲ ଲେଖା ଅଛି । ତେବେ ଏ ମହିଳା ଜଣକ କିଏ?ସେ ପୁଣି ମୋର ପରିଚିତ ? ଏମିତି ଭଣ୍ଡାର ଘରରୁ କୌଣସି ଜିନିଷ ଖୋଜିଲା ପରି ମଳୟ ତା ମସ୍ତିଷ୍କର ଷ୍ଟୋର ହାଉସରୁ ଏବ୍ରିଭାଏସନ(ସଂକ୍ଷୀପ୍ତକାର)କୁ ନିଜ ଅଭିଜ୍ଞତା ଓ ଚିହ୍ନା ସମ୍ପର୍କିତ କରି ବି. ଏମ୍. ପି. ର ପୁରା ରୂପ ଖୋଜୁଥାଏ।
    
ମୋତେ ଜାଣି ପାରୁନ କି? ଏତେ ଶୀଘ୍ର ଭୁଲି ଗଲ?

ହଠାତ୍ ସ୍ମୃତିର ରଙ୍ଗୀନ ପୃଷ୍ଠାରୁ ଆସିଗଲା ସେ ଅଭୁଲା ଅଲିଭା ନାଁ ଟି।ଯେଉଁ ନାଁ ଟିକୁ ସେ ବାରମ୍ବାର ଡାକି ଖୁସିର ମହଲ ସୃଷ୍ଟି କରିଥିଲା,ତାକୁ ସେ ଭୁଲି ଯାଇଛି,ମନେ ପକାଇପାରୁନି କିପରି ଯେ ?

ମନେ ରଖିଛି,କେମିତି ବା ସେ ଅଭୁଲା ସ୍ମୃତିକୁ ଭୁଲିବି? ମଳୟ କ'ଣ ବାସନ୍ତୀକୁ ଭୁଲିପାରିବ !

ହେଲେ ଗୋଟେ ଯୁଗ ପରେ ଆଜି କେମିତି ଏ ଆଖୋଜା ଅଲୋଡଟା ମନେ ପଡ଼ିଲା ଯେ ? ମଳୟ ଲେଖିଲା। ବହୁତ ଖୋଜିଛି,ବହୁତ ମନେ ପକାଇଛି,ହେଲେ ଏ ହତଭାଗିନୀ କି ପାପ କରିଥିଲା କେଜାଣି ମନ୍ଦ ମଳୟଟା ତାକୁ ଠକି ଦେଲା ।ସେ କ'ଣ ଏମିତି ଅସୁୟା ଥିଲା ଯେ ତାକୁ ଟିକେ ଆଖିରେ ବି ଛୁଇଁ ପାରିଲା ନାହିଁ ? ମଳୟ ଓ ବାସନ୍ତୀ ଦୁହିଁଙ୍କର ଉତ୍ସୁକତା ଧୀରେ ଧୀରେ ବଢୁଥାଏ ପରସ୍ପରକୁ ଦେଖିବା ପାଇଁ।ମେସେଞ୍ଜର ରେ ଭିଡିଓ କଲ୍ କଲା ବାସନ୍ତୀ । ଦୁହେଁ ପରସ୍ପରକୁ ଦେଖି ବିମୁଗ୍ଧ ।ମଳୟ ଦେଖୁଥାଏ ବାସନ୍ତୀକୁ,ସେଇ ଏକା ଚେହେରା,ସେଇ ଢଳ ଢାଳ ଆଖି,ସୁନ୍ଦର ମୁଖମଣ୍ଡଳ, ସୁଢ଼ଳ ତନୁ।ଖୁବ୍ ଆକର୍ଷନୀୟ।କେବଳ କିଛି ବର୍ଷ ବିଟିଯାଇଛି। ବାସନ୍ତୀ ଦେଖିଲା,ଠିକ୍ ସେହି ସୁନ୍ଦର ମୁଖମଣ୍ଡଳ,ହସ ହସ ମୁହଁ।ମନଲୋଭା ଚାହାଣୀ।ନାକ,ଓଠ ଓ କେଶର ସୁନ୍ଦର ଠଣୀ।କେବଳ କିଛି ଦିନ ସିନା ବିଟିଯାଇଛି ହେଲେ କାହିଁ କିଛି ନ ବଦଳିଲା ପରି ଲାଗୁଛି। ଦୁହେଁ ପରସ୍ପରକୁ କିଛି ସମୟ ଦେଖି ନୀରବ ଥାଆନ୍ତି।ଦୁହିଙ୍କ ଆଖିରୁ ବହି ଯାଉଥିଲା ଆନନ୍ଦର ବୁନ୍ଦା ବୁନ୍ଦା ଅମାନିଆ ଅଶ୍ରୁ।

କାହିଁକି କାନ୍ଦୁଛ ମଳୟ ???

ତୁମ ଆଖିରେ ତ ଲୁହଧାର ବାସନ୍ତୀ ??? ସହର ଛାଡି ଚାଲି ଆସିଲ, ହେଲେ ଜଣାଇଲ ନାହିଁ କେମିତି?ଜାଣିଛ ମୁଁ କେତେ...   ଯେ ଖୋଜିଛି ?

କେମିତି ଜଣାଇଥାନ୍ତି କହିଲ?ମୋ ବିଦାୟ ମୁହୂର୍ତ୍ତ ଦେଖିଥିଲେ ତୁମେ ସମ୍ଭାଳି ପାରିଥାନ୍ତ ତ?ମୁଁ ଧାର୍ଯ୍ୟ ଧରି ପାରିଥାନ୍ତି ତ? କଣ ପାଇଁ ବାସନ୍ତୀ? ମଳୟ ତୁମର କଣ କି? ତୁମେ କଣ ଜାଣିନାହିଁ, ବାସନ୍ତୀ ମଳୟକୁ କେତେ ଯେ ଭଲ ପାଏ। କିନ୍ତୁ ଏଇ ପଦଟିକୁ ମୁଁ ଚାହିଁ ଥିଲି। କିନ୍ତୁ ତୁମେ.... କେମିଟିବା କହିଥାନ୍ତି,ମୁଁ ପରା ଜଣେ ନାରୀ,ହେଲେ ତୁମେ ତ କହିପାରିଥାନ୍ତ ! କେମିତି ବା କହିଥାନ୍ତି,ତୁମେ ପରା ଥିଲ ବିବାହିତା। ଏବେ କଣ ତୁମେ ଶାନ୍ତିରେ ଅଛ ମଳୟ,ମୋ ବିନା?

 ହୃତପିଣ୍ଡରୁ ପ୍ରାଣ ଚାଲିଗଲେ ସେ କେମିତି ବା ଭଲରେ ରହିପାରିବ,ତୁମେ କଣ ରହି ପାରିଛ, ବାସନ୍ତୀ। ହଁ ଭାଗ୍ୟ ତ ସାଥ ଦେଲା ନାହିଁ,ଆମ କାହାଣୀ ଅଧା ହୋଇ ରହିଗଲା। ହଉ ପରେ କଥା ହେବି,ସେ ଆସିଲେଣି।ରହୁଛି,ତୁମ ମଲ୍ଲିକା । ଆନନ୍ଦ ବିଷାଦର ସଙ୍ଗମରେ ଆନନ୍ଦାଶ୍ରୁକୁ ପୋଛି ଦୀର୍ଘଶ୍ଵାସଟାଏ ପକାଇଲା ମଳୟ।ଚାହିଁଲା ନଦୀର ଚଳ ଜଳଧାରକୁ।ସତରେ ପ୍ରେମର ସ୍ରୋତ କାହିଁକି ବା କାହାକୁ ଅପେକ୍ଷା କରିବ?ଉପରକୁ ଚାହିଁଲା, ବଗ ବଗୁଲୀ ଯୋଡି ହୋଇ ଆନନ୍ଦରେ କେମିତି ଘରକୁ ଫେରୁଛନ୍ତି।ମନେ ପଡିଗଲା ତା ପ୍ରେମ କାହାଣୀ,ଖୋଲିଦେଲା ତା ତରଙ୍ଗର ପୃଷ୍ଠାକୁ।

ସେଦିନ ଥିଲା ତା ଚାକିରୀ ଜୀବନର ପ୍ରଥମ ଦିନ।ମନରେ ଆନନ୍ଦର ଜୁଆର।କିଛି ଭଲ କାମ କରି ନିଜର ପରିଚୟ ସୃଷ୍ଟି କରିବା ଥିଲା ତାର ଇଛା।ବାପା ମା ଗୁରୁ ସଭିଙ୍କ ଵଚନ ଅକ୍ଷରେ ଅକ୍ଷରେ ମନେ ରଖିଥାଏ,ତ୍ୟାଗ,ନିଷ୍ଠା, ବିଶ୍ୱସ୍ଥତା ଓ କୃତଜ୍ଞତା-ଏସବୁକୁ କେବେ ନ ଭୁଲିବାକୁ।ମଧ୍ୟାହ୍ନ ଯାଏ କାମ କରି ଚାଲିଲା ସାଧାରଣ କୋଠରୀକୁ,ଯେଉଁଠି ସମସ୍ତେ ବସି ଟିଫିନ୍ ଖାଆନ୍ତି।ହାତ ଧୋଇ ଟିଫିନ୍ ବକ୍ସ ଖୋଲି ଖାଇଲା ବେଳେ ଆଖି ପଡ଼ିଲା ଜନୈକା କର୍ମଚାରୀଙ୍କ ଉପରେ।ସତରେ ଏ ଦେବୀ ନା ମାନବୀ!ତୋଫା ଗୋରା ତକ୍ ତକ୍ ଚନ୍ଦ୍ରମା ପରି ମୁଖମଣ୍ଡଳରେ ଚକଚକ କରୁଥିବା ଆଖି,ତା ସହ ସଜ ଫୁଟା ଗୋଲାପର ହସ ଓ ଚୋରା ଚାହାଣୀ।ଖାଇବ ବା କ'ଣ, ତାଙ୍କୁ ଦେଖି ତ ପେଟ ପୁରିଗଲା ମଳୟର।ସେପଟେ ବାସନ୍ତୀର ନଜର ଥାଏ ମଳୟ ଉପରେ।ମଳୟ ଏକ ଦିବ୍ୟ ଚେହେରା ଯୁକ୍ତ ଛନଛଚନିଆ ଷ୍ଟାଇଲିଷ୍ଟ ଟୋକା।ଚିକ୍ଣଣ ମୁଖମଣ୍ଡଳ,ସୁନ୍ଦର ହସ ଓ କେଶସଜ୍ଜା ସହ ଲୁଚା ଲୁଚା ଚାହାଣୀ।ବିହ୍ଵଳ ହୋଇଗଲା ବାସନ୍ତୀ।ଏଇମିତି ଦେଖା,ସାକ୍ଷାତ ଓ ହସଖୁସି ଆମୋଦରେ ବୁଡ଼ାଇଦେଉଥାଏ ଦୁହିଁଙ୍କୁ।କିଏ ଯଦି କେବେ ନ ଆସିଲେ,ମନ ଅପରର କାନ୍ଦେ।

ଦିନେ ଦୁହେଁ ଥାନ୍ତି,ବାସନ୍ତୀ କହିଲା କାଲି ଆପଣ ଆସି ନ ଥିଲେ ଯେ,ଦେହ ଭଲ ନ ଥିଲା କି?ହଁ ଦେହ ଭଲ ଲାଗିଲାନି ତ?ମଳୟ ଉତ୍ତର ଦେଲା।କ୍ଷମା କରିବେ,ଆପଣଙ୍କ ପୁରା ନାମଟା ଜାଣିପାରେ କି?ମୋ ନାଁ ବି ଏମ୍ ପି।ପୁରା ନାମଟା...ବାସନ୍ତୀ ମଲ୍ଲିକା ପାଣି।ଆପଣଙ୍କ ପୁରା ନାମ ? ଏମ୍. ବି. ପି.,ପୁରନାମ ମଳୟ ବଲ୍ଲଭ ପତି,ମଳୟଙ୍କ ଉତ୍ତର ଥିଲା।ଓଃ କି ନାଁ ଯୋଡିଟା ସୁନ୍ଦର କହି ଦୁହେଁ ହସିଥିଲେ। ୟାପରେ ଦେଖା ସାକ୍ଷାତ ମିଳାମିଶା ଏମିତି ବହୁତ କିଛି।ଦିନେ ସ୍ବାଧୀନତା ଦିବସରେ ମଲ୍ଲିକାର ଇଂଗୀତରେ ପାଖରେ ଛିଡା ହେଲା ମଳୟ।ହାତରେ ଥାଏ ଏକ ସୁନ୍ଦର ଚିଜ।ବଢ଼େଇ ଦେଲା ମଲ୍ଲିକା ହାତରେ।ଆନନ୍ଦରେ ଫାଟିଯାଉଥିଲା ମଲ୍ଲିକା।କାରଣ ତାହା ଥିଲା ଏକ ସୁନ୍ଦର ରକ୍ତ ଗୋଲାପ।ପ୍ରେମର ପକ୍ଷୀ ପ୍ରତୀକ୍ଷଣ ଉଡୁଥାଏ ଦୁହିଙ୍କ ହୃଦୟ ବଗିଚାରେ।

ସେଦିନ କାନ୍ ଝାରୀ ଡ୍ୟାମ୍ ରେ ଅଫିସ୍ ଷ୍ଟାଫ୍ ଙ୍କ ପିକ୍ ନିକୄ।ମଜାଖୁସିର ନାଚଗୀତରେ ମଳୟ ଓ ବାସନ୍ତୀଙ୍କ ସାଥୀ ହୋଇ ନାଚିବା ଏକ ସ୍ମରଣୀୟ ହୋଇଥିଲା। ତା ପରେ ପୁଣିଥରେ ଅଫିସ୍ ତରଫରୁ ଚାଲିଲେ ଚକ୍ରତୀର୍ଥା।ଯେଉଁଠି ଦେଖିଲେ ମଳୟ ଓ ବାସନ୍ତୀଙ୍କ ଯୋଡି।ଫେରିବା ବାଟରେ  ଶୀତରେ ଥରୁଥାନ୍ତି ମଳୟ,ସହି ପାରିଲେନି ବାସନ୍ତୀ,ନିଜର ଶାଲଟିକୁ ଘୋଡାଇ ଦେଲେ ମଳୟଙ୍କୁ ନିଜ ହାତରେ। ସବୁଦିନ ଦେଖନ୍ତି ମଳୟ, ବାସନ୍ତୀ ମୁଣ୍ଡରେ ହାଲୁକା ସିନ୍ଦୁର ଲଗାଇ ଆସିଥାନ୍ତି।ମଳୟ ସେଦିନ କହିଲେ,ଆଛା ବାସନ୍ତୀ,ତୁମ ଘର ପାଖରେ କଣ ମନ୍ଦିର ଅଛି କି?ସବୁଦିନ ମନ୍ଦିରରେ ଠାକୁର ସିନ୍ଦୁର ଲଗାଇ ଆସୁଛ।ବାସନ୍ତୀ କହିଲା,ନାଁ ତ,ମୁଁ ସବୁଦିନ ସତ ସତିକା ସିନ୍ଦୁର ଲଗାଇ ଆସେ।ମୋ ହଜଵ୍ଯାଣ୍ଡ କୁହନ୍ତି ଟିକେ ଅଧିକ ଲଗାଇବା ପାଇଁ କିନ୍ତୁ ମୋତେ ଏପରି ହାଲକା ଲଗାଇବାକୁ ଭଲ ଲାଗେ। ମଳୟର ହୃଦୟରେ ବୈଶାଖାର କାଳବୈଶାଖୀ ବହିଲା।ତାର ମୁଣ୍ଡ,କାନ ସବୁ ଝାଏ ଝାଏ ହୋଇଗଲା।ତା ଆଶାର ବାଲୁକା ସ୍ତୁପଟା ଜଳ ତରଙ୍ଗରେ ଭାଙ୍ଗିଗଲା।  ସୁନ୍ଦର ମୁଖମଣ୍ଡଳଟା ପରାଜିତ ସୈନିକ ପରି ଶୁଖିଯାଇଥାଏ।ବାସନ୍ତୀର ଅନେକ ପ୍ରଶ୍ନକୁ ଏଡାଇ ନିଜକୁ ନିୟନ୍ତ୍ରିତ କଲା ସେ।

ନିଜକୁ ଅପରାଧୀ ପରି ମନେ କଲା ମଳୟ।ସେ ଜଣେ ହିନ୍ଦୁ,ଭାରତୀୟ।ଭାରତୀୟ ସଂସ୍କୃତିକୁ ସମ୍ମାନ ଦେଉଥିବା ସଚ୍ଚା ଆଚାରୀ ପରିବାରର ମଣିଷଟିଏ।ଶେଷରେ ଜଣେ ବିବାହିତା ମହିଳାଙ୍କୁ ସେ ଭଲପାଉଛି ? ଛି ଛି କି ଅମଣିଷ ଟା ସିଏ।ଯେଉଁ ହିନ୍ଦୁ ଅନ୍ୟ ପତ୍ନୀକୁ ଦେବୀର ଆସନ ଦେଇଥାଏ ସେ ତାକୁ ଭଲପାଉଛି।ନିଜକୁ ପ୍ରଶ୍ନ ପରେ ପ୍ରଶ୍ନ ଓ ନିଜେ ଉତ୍ତର ପରେ ଉତ୍ତର ଦେଉଥାଏ ସେ।ହେଲେ ସେ କ'ଣ ଜାଣିଥିଲା ବାସନ୍ତୀ ଏକ ବିବାହିତା... ବୋଲି ? ଦେଖିଲେ କେହି ବି ବିଶ୍ୱାସ କରିପାରିବେନି ତାକୁ। ନୀରବ,ଏକୁଟିଆ,ଅପ୍ରସନ୍ନ ଭାବ ଦେଖି ବାସନ୍ତୀ ମନ ଆନ୍ଦୋଳିତ ହେଉଥିଲା,ହୃଦୟକୁ ଆଘାତ ଆସୁଥିଲା।ସେ ମଳୟକୁ ବୁଝାଇବାକୁ ଚାହିଁଲା। ତା ପରିବାର ବିଷୟରେ ସବୁ ଜଣାଇବାକୁ ଚାହିଁଲା।ତା ସ୍ୱାମୀକୁ ତା ଘର ଲୋକ ଜୋର ଜବରଦସ୍ତ ବିବାହ କରିଛନ୍ତି।ତାକୁ ଟିକେ ପଚାରିବାର କଣ ନ ଥିଲା।ସେ କଣ ଗୋଟାଏ ପ୍ଲାଷ୍ଟିକ ଜିନିଷ ଯେ...ହରେକ୍ ମାଲ୍ ପରି ବିକ୍ରିକରାଜୀବ।ସ୍ୱାମୀ ପ୍ରଭାକର ଜଣେ ଭିନ୍ନ ଦୁନିଆର ମଣିଷ।ତାଙ୍କୁ ବୁଝିବାକୁ ଚାହାନ୍ତି ନାହିଁ।ନିଜର ଆଦେଶ,ନିର୍ଦ୍ଦେଶ,ଆଇନ୍ କେବଳ ଜାହିର କରନ୍ତି।ତାଙ୍କର ସ୍ୱାଧୀନତାକୁ ବନ୍ଦୀ କରି କ୍ରୀତଦାସ ଜୀବନ ବିତାଇବାକୁ ବାଧ୍ୟ କରିଥାନ୍ତି।ଯଦି ଟିକେ ଖୁସି ସେ ପାଇଛି ତାହା କେବଳ ତାଙ୍କ ପାଇଁ।ଭାବିଲା କେବେ ସମୟ ଦେଖି ମଳୟକୁ କହିବ।

ସମୟର ଦକ୍ଷିଣା ପବନଟା ହଠାତ୍ ଦିଗ ପରିବର୍ତ୍ତନ କରି ଉତ୍ତର ଦିଗରୁ ବହିଲା।ମଳୟର ବାପାଙ୍କ ଦେହ ଅତ୍ୟନ୍ତ ଖରାପ ଥିବାରୁ ଡାକରା ଆସିଲା ଗାଁକୁ ଯିବାକୁ।ଇତସ୍ତତଃ ହୋଇ ସେ ଚାଲିଗଲେ ଗାଁକୁ।ଛୁଟିପରେ ଛୁଟି।କଟକ ବଡ଼ ଡାକ୍ତରଖାନାକୁ ନେବାକୁ ପଡିଲା।ୟା ଭିତରେ ବାସନ୍ତୀଙ୍କର ବଦଳି ବାଲେଶ୍ୱର ଜିଲ୍ଲାକୁ।ବଦଳି ଅର୍ଡର ପାଇ ଚାଲିଗଲେ ସେ। ମଳୟ ଆସିଲେ,ହେଲେ ସେଇଦିନୁ ପାଇଲେ ନାହିଁ ବସନ୍ତର ସ୍ପର୍ଶ।ବାସନ୍ତୀର ବିଦାୟରେ ନ ରହିଲା ତା ଖୁସି କୋଇଲିର ମୂର୍ଚ୍ଛନା ନା ଉତ୍ଫୁଲ୍ଲିତ ହଲଦୀବସନ୍ତ୍ରର ଚିତ୍ତାକର୍ଷକ ନୃତ୍ୟ।ଶ୍ରୀହୀନ ହୋଇଗଲା ସେ ପ୍ରକୃତି ଦୁଃଖ ନିଃସଙ୍ଗ ରୂପୀ ନିଦାଘର ବାରମ୍ବାର ବିରହ ରୂପୀ ଅଂଶୁଘାତରେ।

ପୁଣି ଥରେ ମୋବାଇଲ୍ ରେ ମେସେଞ୍ଜରର ଆବାଜ ଶୁଣିଲା ସେ।ଦେଖିଲା କେତୋଟି ପୁରୁଣା ଫଟୋ।କାନଝରୀ ଡ୍ୟାମ ର ଡ୍ୟାନ୍ସ ଓ ଚକ୍ରତୀର୍ଥର ସାଥୀହୋଇ ଯୋଡିଫଟୋ ତା ସଙ୍ଗେ ସ୍ୱାଧୀନତା ଦିବସର ତା ସଙ୍ଗେ ମିଳିତ ଫଟୋ। ସତରେ ବାସନ୍ତୀ ମୋତେ କେତେ ଭଲ ପାଉଥିଲା।ସବୁ ସ୍ମୃତିକୁ ଜାବୁଡି ରଖିଛି ତା ପ୍ରେମ ଆଲବମ୍ ରେ। ପୁଣି ଦେଖିଲା ଏକ ପୁରୁଣା କାଗଜ ଲେଖା ଚିଠି ଯାହା ସେଦିନ ବିବାହିତା ଜାଣିବା ପରେ ମଳୟର ମନ ଦୁଃଖ ଦେଖି ବୁଝାଇବାକୁ ଚାହିଁଥିଲା।

ଶେଷରେ ଲେଖାଥିଲା,ମଳୟ ଆମ କାହାଣୀ କଣ ଏଇମିତି ଅଧା ହୋଇ ରହିଯିବ।ମୁଁ ଏବେବି ଚାହିଁଛି ମଳୟ ତୁମ ମୃଦ୍ୟୁମନ୍ଦ ପବନକୁ।କେଉଁଦିନ ପାଇବ ଏ ବାସନ୍ତୀ, ତା ନିଜକୁ ଧନ୍ୟ ମନେ କରିବ। ମଳୟ ଆଖିରୁ ଲୁହ ପୋଛି ଲେଖିଲା... ମୋ ହୃଦୟ ଖୋଲା ଅଛି ବାସନ୍ତୀ...ତୁମେ ଯଦି ନ ଆସ ନା... ତେବେ  ପ୍ରକୃତି ତାଛଲ୍ୟ କରି ନିଶ୍ଚେ କହିବ..  
ହେ..ମଳୟ,
ହେ ବାସନ୍ତୀ...
ହାରିଗଲ ତୁମେ..
ଏଇଦେଖ...
ରହିଗଲା ତୁମ .....
  ... ଏ କାହାଣୀ ଅଧା.…।

ନାରାୟଣ ଚନ୍ଦ୍ର ସେନାପତି, ଜମ୍ଭରା, କେନ୍ଦୁଝର

0 Comments