ସେଦିନ ଅପରାହ୍ଣ ଚାରିଟା
ଏକା ଏକା ଲାଗୁଥିଲା ମୋ ଶୂନ୍ୟ ମନଟା
ହେଲା ତୁମ ସହ ଯେବେ ଦେଖା
ସୌନ୍ଦର୍ଯ୍ୟରେ ଝଲସି ଉଠିଲା ନିକୋ ପାର୍କଟା
ଆକର୍ଷଣର ଆଙ୍କୁଶୀଟା ଟାଣି ଆଣିଲା
ଦୁଇ ଆଖିକୁ ଦୁଇ ଆଖି ମିଶାଣରେ ଛନ୍ଦିଲା
ସୃଷ୍ଟିକଲା ପ୍ରେମର ପହିଲି ସୂତ୍ର
ଭେଟିଦେଲା ସମ୍ପର୍କର ଯୋଗଫଳ
ଆଙ୍କିଦେଇ ଦୁଇ ଅକ୍ଷରର ପ୍ରେମ ଚିତ୍ରଲେଖା॥
ସମ୍ପର୍କ ସମୁଦ୍ରର ବେଳାଭୂମିରେ ବସି
ବିଭୋରରେ ଚାହୁଁଥିଲେ ଯେବେ ନିଳିମା ଚାନ୍ଦକୁ
ତା ଜୋଛନାର ଝରିଲା ଚେନାଏ ଚେନାଏ ସ୍ନେହ,ଶ୍ରଦ୍ଧା
ଯୋଡି ଯୋଡି ଜୁଆରରେ କରୁଥିଲା ଅପୂର୍ବ କ୍ରମିକ ଯୋଗ
ମିଳନର ଢେଉରେ କାନ୍ଦୁଥିଲା ପ୍ରୀତି ଓ ମମତା
ବାରମ୍ବାର ଖୁସିର ପୁଲକଟା ଗୁଣକ ହୋଇ ଗୁଣୁଥିଲା ପୁଣ୍ୟ ପ୍ରେମକୁ
ଶିହରଣ ସମାନ ଚିହ୍ନଟା ଝଲସାଇ ଦେଉଥିଲା ନିଷ୍କପଟ ହୃଦୟକୁ
ଆବେଗର କମ୍ପନ ବାନ୍ଧୁଥିଲା 
ଅର୍ପଣ କରି ପ୍ରଣୟର ଗୁଣଫଳ॥
ଆମେ ଯେବେ ଆଙ୍କୁଥିଲୁ ହସଖୁସିର ଇନ୍ଦ୍ରଧନୁ
କଳାମେଘର ବଇରୀଟା ହିଂସୁକ ହେଲା
ପାରିଲାନି ଦେଖି ସହି ଆମର ନିବିଡ ସମ୍ପର୍କ
ନିଦାଘରୂପୀ ଚକ୍ରାନ୍ତଟା ସୈତାନ ସାଜି
ହରଣ କଲା ଆମ ଦେଖାସାକ୍ଷାତ ମିଳାମିଶାକୁ
ଭରିଦେଇ ଆବଦ୍ଧ ଓ ନଜରବନ୍ଦୀର ଭାଗଫଳ॥
ସେଦିନ ଡିସେମ୍ବର ଚଉଦ
ଆମ ସମ୍ପର୍କକୁ ଘେରିଗଲା କଳା ବଉଦ
ଚାଲିଗଲି ପଣ୍ଡିଚେରୀ କରିବାକୁ ସିନା ଗବେଷଣା
କାନ୍ଦୁଥିଲା ଆମ ପ୍ରେମ ଧକେଇ ଧକେଇ
ସାଉଁଟି ମେଞ୍ଚାଏ ଯନ୍ତ୍ରଣା
ତୁମେ ସ୍ୱଦେଶରେ ତ ମୁଁ ବିଦେଶରେ
ଧମକ ଚମକର ବିୟୋଜନ ଗୁଡାକ
 ଅଥୟ କଲା ଆମ ପ୍ରେମକୁ ଫେଡି ଫେଡି
ଭାଙ୍ଗିଲ ପ୍ରଣୟ ପ୍ରତିଜ୍ଞା
ପ୍ରେମ ଇତିହାସରୁ ହେଲା ବାରମ୍ବାର ଫେଡାଣ
ଭାଙ୍ଗିଗଲା ଆମ ସପନ ମହଲ
କୂଟନୀତିର ଚକ୍ରବ୍ୟୁହ କଲା କ୍ରମିକ ବିୟୋଗ
ମୋ ଫେରନ୍ତାକୁ ଦେଖି ହସୁଥିଲା ଗଣିତ 
ଆଖିରୁ ପୋଛିଦେଲା ଅଶ୍ରୁ 
ଧରାଇଲା ଅକାଟ୍ୟ ଅଛିଣ୍ଡା ଶୂନ
ଗଢି ପ୍ରେମ ଇତିହାସର ଗାଣିତିକ ଚାରିସୂତ୍ର॥

    *ନାରାୟଣ ଚନ୍ଦ୍ର ସେନାପତି*
      *ଜମ୍ଭରା,କେନ୍ଦୁଝର*