ବାତ୍ୟା ଜନିତ ଅସୁବିଧା କାରଣରୁ କ୍ଷୁଦ୍ରଗଳ୍ପ ଓ କବିତା ପ୍ରତିଯୋଗିତାର ଫଳାଫଳ ମେ - ୧୦ ତାରିଖ ପରିବର୍ତ୍ତେ ଚଳିତ ମାସ ୩୧ ତାରିଖ ସୁଧା ଘୋଷଣା କରାଯିବ । ଏବଂ ଚଳିତ ମାସ ୨୩ ତାରିଖ ଠାରୁ କବିର ଘର ପ୍ରସ୍ତୁତ "ଆଜିର ଅତିଥି" କାର୍ଯ୍ୟକ୍ରମର ସାପ୍ତାହିକ ପ୍ରସାରଣ ସେବା ଆରମ୍ଭ ହେବ । ଅନିଚ୍ଛାକୃତ ଅସୁବିଧା ନିମନ୍ତେ ଦୁଃଖିତ ।

ରମ୍ୟରଚନା - ନିର୍ବାଚନ ଋତୁ - ସଞ୍ଜୟ କୁମାର ପଣ୍ଡା

ରମ୍ୟରଚନା - ନିର୍ବାଚନ ଋତୁ - ସଞ୍ଜୟ କୁମାର ପଣ୍ଡା


ବସନ୍ତ ଆସିଲେ ବହୁ ଦୂର ଦୂରାନ୍ତରୁ ଭିନ୍ନ ଭିନ୍ନ ପ୍ରଜାତିର ପକ୍ଷୀ ଆସି ଜମା ହୁଅନ୍ତି ଏ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ । ପୁଣି ସମୟ ଆସେ ସବୁପକ୍ଷୀ ଏବଂ ପର୍ଯ୍ୟଟକ ଉଭୟ  ସେ ସ୍ଥାନ ଛାଡି ଚାଲିଯାନ୍ତି। ଶ୍ରୀହୀନ ହୋଇପଡେ ଚିଲିକା। ଫଗୁଣ ଆସିଲେ ଆମ୍ବ ବଉଳ ଖୋଲେ ଏବଂ କେଇପୁଞ୍ଜା ଯୁବକ ଯୁବତୀଙ୍କର ବାହାରାଶି ଖୋଲେ। ବାହାଘର ହୁଏ ଜାକଜମକରେ। ତା ଭିତରେ ପୁଣି ଏନଗେଜମେଣ୍ଟ, ମେହେନ୍ଦି ଡେ, ଅଳତା ଡେ, ପାର୍ଲର ଡେ ଇତ୍ୟାଦି କରି ଝିଅ ମାନେ ଯେତିକି ମଜା ଉଠାନ୍ତି ତା ଠାରୁ ଅଧିକ ମଜା ଉଠାନ୍ତି ପୁଅ ମାନେ- ବ୍ୟାଚଲର ପାର୍ଟି,ପ୍ରି-ୱେଡିଙ୍ଗ ପାର୍ଟି, ମଟନ କସାକୁ ବୋତଲ ଉଠା, ଡିଜେ ବାଜଣା, ନାଗିନା ନାଚ, ଡ୍ରେନରେ ପଡି, ଆଂଠୁ ଛିଣ୍ଡେଇ, ଡାକ୍ତରଖାନାରେ ବ୍ୟାଣ୍ଡେଜ ହେବା ଯାଏ । ହେଲେ ଏତେ ସବୁ ଧୁମ ଧଡ଼ାକ ଦିନ କେଇଟାରେ ଉଭେଇଯାଏ । ଯେତେବେଳେ ପାଦରେ ଅଳତା ଲିଭିନଥିବ ନବବଧୂ ଯାଇକି ପହଞ୍ଚେ ଡିଭୋର୍ସ କନ୍ସଲଟାଣ୍ଟଙ୍କ ପାଖରେ କଣ ନା ସେ ଘରେ ମୁ ଚଳିପାରିବିନାହିଁ କାରଣ ତାଙ୍କ ଘରେ ଏ ସି ନାହିଁ, ଫ୍ରିଜ ନାହିଁ,ୱାସିଂ ମେସିନ ନାହିଁ, କିଛି ଦାମୀ  ଚାରି ଚକିଆଟିଏ ନାହିଁ। ପୁଅର ଅଭିଯୋଗ ମୋର ତା ସହିତ ମନ ମିଶୁନାହିଁ। ଏକଥା କେଇଦିନ ଆଗରୁ ଭାବିଥିଲେ ବୋଧହୁଏ ଏମିତି ଦିନ ଦେଖିବାକୁ ପଡ଼ିନଥାନ୍ତା।
                ଏମିତି ଭାବରେ ବହୁତ କିଛି ଏ ଦୁନିଆରେ ହୁଏ ଯାହା କିଛିଦିନ ପାଇଁ ହସଖୁସି ଆଣିଦିଏ। ଋତୁ ବଦଳିଲା ଭଳି ଏସବୁ ପୁଣି ବଦଳି ଯାନ୍ତି। ଆମେ ଜାଣନ୍ତି ଛଅ ଗୋଟି ଋତୁ ଆମର ନିର୍ଦିଷ୍ଟ ସମୟ ଆସିଲେ ଆସି ହାଜର ହୋଇଯାନ୍ତି ଧରାପୃଷ୍ଠରେ। କିଛି ଲୀଳା ଖେଳା କରନ୍ତି ଏବଂ ପୁଣି ଚାଲି ଯାଆନ୍ତି। ସେହିଭଳି ପାଞ୍ଚବର୍ଷରେ ଥରେ ଆମ ଦେଶ ଅବା ଆମ ରାଜ୍ୟରେ ନିର୍ବାଚନ ଋତୁ ଆସେ। ଏ ଋତୁ ଆସିଲେ ନେତାମାନଙ୍କର କାୟାକାନ୍ତିରେ ନବପଲ୍ଲବ ଭରିଯାଏ। ସେମାନେ ଆବଶ୍ୟକତାଠାରୁ ଅଧିକ ଦେଶଭକ୍ତ ହୋଇପଡନ୍ତି। ଦୟା,କ୍ଷମା,ନ୍ୟାୟ,ସହନଶୀଳତା ଇତ୍ୟାଦି ଗୁଣର ଅତିମାତ୍ରାରେ ବିକାଶ ଘଟେ ଏହି ସମୟରେ।ନିଜ ଗାଁ କଥା,ମା କଥା,ମାଟି କଥା,ଜାତି କଥା ଭାରି ମାନେ ପଡେ।ପାଞ୍ଚବର୍ଷ ଧରି ଅଜ୍ଞାତବାସରେ ଥିବା ନେତା କାହିଁ କେତେଦୂରରୁ ଦୋୖଡିଆସନ୍ତି ନିଜ ନିର୍ବାଚନ ମଣ୍ଡଳୀକୁ।କ୍ୟାପିଟାଲରେ ସିନା ଦୁଇ ରୁ ଦଶଟି ଯାଏଁ ଉଚ୍ଚା ଉଚ୍ଚା ସୌଧ ଠିଆ କରାଇଥାନ୍ତି ତଥାପି ଗାଁ ରେ ଥିବା ଜେଜେଙ୍କର ଜେଜେଙ୍କର ଜେଜେ ରଖିଥିବା ସାଢେ ଛଅ ଡିସ୍ମିଲ ଜାଗା ନାଁ ନେଇ ଏହାକୁ ନିଜ ଗାଁ ନିଜ ଅଞ୍ଚଳ ନିଜ ଭାଇ ପଡିଶା କହି ଭାବର ଡୋରିରେ ବାନ୍ଧି ଦିଅନ୍ତି। ନିର୍ବାଚନର ବିଗୁଲ ବାଜିଗଲେ ନେତାମାନଙ୍କର ଲୀଳାଖେଳା ଆରମ୍ଭ ହୋଇଯାଏ । ଗାଁଟା ଭାରି ପୁରିଲା ପୁରିଲା ଭଳି ଲାଗେ। ସକାଳଠାରୁ ସନ୍ଧ୍ୟା ଯାଏଁ ଗାଁରେ ମକରମେଳା ଭଳି ଭିଡ ଲାଗି ରହେ। ଅମୁକ ଚିହ୍ନରେ ଅମୁକ ଭାଇଙ୍କୁ ଭୋଟ ଦେଇ ଜୟଯୁକ୍ତ କରାନ୍ତୁ ବୋଲି କହି ଦିନ ରାତି ସିନେମା ଗୀତ ଛୁଙ୍କଦିଆ ମାଇକ କିଛିଦିନ ଖୁବ ବାଜେ। ଆଉ ପୁଣି ରାସ୍ତାଘାଟ, ପୋଲ, ମନ୍ଦିର, ଗଛ ହେଉକି ଗୁହାଳ କାନ୍ଥ ଯେଉଁଠି ଦେଖିବ ଧୋବ ଫରଫର ପାଇଜାମା ପିନ୍ଧି ହାତ ଯୋଡିକି ଠିଆହୋଇଥିବା ପୋଷ୍ଟର ଦେଖିବାକୁ ମିଳେ। 
            ଗାଆଁର ନିରୀହ ଲୋକମାନେ ବି ଭାରି ସ୍ନେହୀ ଓ ସରଳ। ସେମାନେ ଏମିତି ଅଦିନିଆ ପ୍ରେମ ଦେଖି ଭାରିଗୋଟେ କୁରୁଳି ଉଠନ୍ତି। କାରଣ ଟିଭିରେ ଦେଖୁଥିବା ଏଡ଼େ ବଡ ବଡ ଲୋକ ଗୁଡାକ ମା ମଙ୍ଗଳା ମନ୍ଦିର ଆଗରେ ଅଧ୍ୟା ପଡୁଥିବା ଲୋକ ଭଳି ତାଙ୍କ ପାଦ ତଳେ ପଡିଯାନ୍ତି। କିଏ ଆସି ମୋ ଦାଦି କହି ସାଙ୍ଗରେ ବସି ପଖାଳ କାଞ୍ଜି ହାପୁଡିଲାଣି ତ କିଏ ଆସି ଛଅମାସ ହେଲା ଧୁଆ ହୋଇନଥିବା କାତର ପାରି ଶୋଇଲାଣି। ଏସବୁ ରାଜନୀତି ପାଲା ଭିତରେ ଲୋକେ ଗୋଟିଏ ଲାଭ ଆଶାରେ ନେତାଙ୍କ ପଛରେ ଦଉଡନ୍ତି ତାହା ହେଉଛି କାଳେ କିଛି ଉପୁରି ମାଲ ମିଳିଯିବ। ମାଲ ବୋଇଲେ ଅନେକ କଥା ବୁଝାଏ ଯଥା:- ମଦ, ମାଂସ, ଛତା, ଜୋତା, କମଳ, ଶାଢ଼ୀ, ଭୋଜି, ଟଙ୍କା ଇତ୍ୟାଦି। କିଛି ଲୋକ କୁହନ୍ତି ଆଳୁଦଳକୁ ଭୋଟଦେବା ସେ ଆମ ଘର ପିଛା ହଜାରେ ଟଙ୍କା ଲେଖାଏଁ ଦେଇଛି। କିଛି ଲୋକ କୁହନ୍ତି ସାରୁଦଳ ଭଲ ତାକୁ ଭୋଟ ଦେବୁ ସେ ମୁଣ୍ଡ ପିଛା ହଜାରେ ଟଙ୍କା ଦେଇଛି । ଆଉକିଛି କୁହନ୍ତି ଯିଏ ସବୁଠାରୁ ଅଧିକ ଟଙ୍କା ଦେବ ଆମେ ତାଙ୍କୁ ଭୋଟ ଦେବୁ। 
                 ସେତେବେଳେ ସବୁକିଛି ଭୁଲିଯାନ୍ତି ଯେ ନିଜ ଗାଆଁ ରାସ୍ତାରେ ପାଣି ଜମୁଛି, ସ୍କୁଲରେ ଶିକ୍ଷକ ନାହାନ୍ତି, ମଣ୍ଡିରେ ଧାନ ବିକ୍ରି ହେଉନି, କିରୋସିନି ବାଟମାରଣା ହେଉଛି, ଆବାସ ଯୋଜନା ପ୍ରକୃତ ହିତାଧିକାରୀଙ୍କୁ ମିଳୁନି, ଭଙ୍ଗା ଘରେ ପାଣି ଗଳୁଛି, ଅନ୍ୟ ରାଜ୍ୟକୁ ଲୋକେ ଦାଦନ ଖଟିବାକୁ ଯାଉଛନ୍ତି, ଲାଞ୍ଚ ନନେଲେ ସରକାରୀ ବାବୁ କାମ କରୁନାହାନ୍ତି ଇତ୍ୟାଦି ଏମିତି ଅନେକ ଅଭିଯୋଗକୁ ସେମାନେ ଭୁଲିଯାନ୍ତି ସାମାନ୍ୟ କେଇଗୋଟି ଟଙ୍କା ପାଇଁ। ଏଥିରୁ ଗୋଟେ ଅଣୁଗଳ୍ପ ମନେପଡେ ଯେ ଥରେ ନିର୍ବାଚନ ଆସିବାରୁ ଗୋଟେ ମେଣ୍ଢା ବସ୍ତିକୁ ନିର୍ବାଚନ ପ୍ରଚାର ପାଇଁ ଦଳେ ନେତା ଆସି ପହଁଚିଲେ। ସମସ୍ତେ ଏକ ମଞ୍ଚରେ ଭାଷଣ ଦେବାକୁ ଲାଗିଲେ ନିଜ ନିଜର ନିର୍ବାଚନୀ ଇସ୍ତାହାର କୁ ନେଇ। ଜଣେ କହିଲେ ମୋତେ ଭୋଟ ଦେଇ ଜିତାଇଲେ ମୁ ସବୁ ମେଣ୍ଢା ମାନଙ୍କୁ ଗୋଟିଏ ଗୋଟିଏ କମ୍ବଳ ଯୋଗାଇଦେବି। ସେଠାରେ ଉପସ୍ଥିତ ମେଣ୍ଢାମାନେ ଜୋରରେ ତାଳିମାରିବାକୁ ଲାଗିଲେ। ଏହା ଦେଖି ଅନ୍ୟ ନେତା ଜଣକ କହିଲେ ମୋତେ ଜିତାଇଲେ ମୁ ଜଣକା ପାଞ୍ଚଟିକରି କମ୍ବଳ ଯୋଗାଇଦେବି। ମେଣ୍ଢାମାନେ ଖୁବ ଜୋରରେ ତାଳି ମାରିବାକୁ ଲାଗିଲେ। ଏହି ସମୟରେ ନେତାଙ୍କ ଭାଷଣରେ ଅତି ଖୁସି ହୋଇ ଜୋର ଜୋରରେ ତାଳି ମାରୁଥିବା ଜଣେ ମେଣ୍ଢାକୁ ତା ପୁଅ ପଚାରିଲା- "ବାପା, ନେତାଜୀ ଯେଉଁ ଏତେ ପରିମାଣର କମ୍ବଳ ବାଣ୍ଟିବା କଥା କହୁଛନ୍ତି କମ୍ବଳ ତିଆରି ପାଇଁ ସେ ଏତେ ପରିମାଣର ମେଣ୍ଢା ଲୋମ କେଉଁଠୁ ଆଣିବେ ?"
             ତେବେ ଏ ଅଛିଣ୍ଡା ପ୍ରଶ୍ନର ଉତ୍ତର ସେଦିନ ମେଣ୍ଢା ତା ପିଲାକୁ ଦେଲା କି ନାହିଁ ଜଣାନାହିଁ କିନ୍ତୁ ସମୟ ଆସିଛି ଆମେ ସେ ଉତ୍ତର ଆମ ନିଜ ଭିତରେ ଖୋଜିବାର। ନିଜକୁ ନିଜେ ପ୍ରଶ୍ନ କରିବାର ଯେ ଆମେ ଆଉ ସେ ନିର୍ବୋଧ ମେଣ୍ଢାମାନଙ୍କ ଭଳି ମାଗଣା କମ୍ବଳ ପାଇବା ଆଶାରେ ନିଜର ମୂଲ୍ୟବାନ ଲୋମକୁ ହରେଇଦେବାନି ତ ?
                                                          ସଞ୍ଜୟ କୁମାର ପଣ୍ଡା
                                                          ଓଡ଼ିଆ ଭାଷା ଶିକ୍ଷକ
                        ଓଡିଶା ଆଦର୍ଶ ବିଦ୍ୟାଳୟ,ବେତନଟୀ,ମୟୁରଭଞ୍ଜ 
                                                        ମୋ-9778950092

0 Comments