ମୋ ଓଡିଶା - ନିବେଦିତା ମହାପାତ୍ର

ମୋ ଓଡିଶା - ନିବେଦିତା ମହାପାତ୍ର


ଏଇତ ଆମରି ଓଡିଶା ମାଟି
ଆମେରେ ସନ୍ତାନ ଓଡିଆ ଜାତି,
ମନେ ପଡିଗଲେ ତାର କିରତି
ଗର୍ବରେ ଫୁଲି ଉଠଇ ଛାତି॥(୧)
ବୀରପ୍ରସବିନୀ ଏଇ ମାଆ କୋଳେ
କେତେ ବରପୁତ୍ର ଜନମି ଥିଲେ,
ରଖିବାକୁ ମାଟି ମାଆର ମାନ
ଜୀବନକୁ ତାଙ୍କ ଦେଲେ ବଳିଦାନ॥(୨)
ପୁରୁଷ ସିଂହ ସେ ମଧୁସୂଦନ
ସ୍ବତନ୍ତ୍ର ଓଡିଶା କଲେ ସଂଗଠନ
ତୁଟିଗଲା ସବୁ ବାଧା ବନ୍ଧନ
ଓଡିଆ ପାଇଲା ତାର ସ୍ଵାଭିମାନ॥(୩)
ଉତ୍କଳର ମଣି ଦାସେ ଆପଣ
ଗରୀବଙ୍କ ପାଇଁ ସତେ ଭଗବାନ,
ଦୁଃଖିଦରିଦ୍ର ସେବା କରିବା ପାଇଁ
ପୁତ୍ରମୋହ ଛାଡି ଆସିଲେ ଧାଇଁ॥(୪)
ଖୋରଧାର ବୀର ପାଇକ ଜାତି
ଦେଶରକ୍ଷା ପାଇଁ ଉଠିଲେ ମାତି,
ରଖିବାକୁ ନିଜ ମାତୃଭୂମି ମହତ
ଢାଳି ଦେଇଥିଲେ ନିଜ ରକତ॥(୫)
ଓଡିଆ ପୁଅର ନିହଣ ମୁନ
ପଥର ଦେହରେ ଭରିଲା ପ୍ରାଣ,
ସ୍ବର୍ଣ୍ଣ ତ୍ରିକୋଣର ପ୍ରତିଟି ଛବି
ସ୍ମୃତିକୁ ସାଇତି ରଖିଛି ଆଜି॥(୬)
ଆମରି ମାଟିର କବି ଲେଖକ
ଲେଖନୀ ମୁନରେ କଲେ କୁହୁକ
ସୃଷ୍ଟିକରି କେତେ କାଳଜୟୀ ରଚନା
ଓଡିଆ ସାହିତ୍ୟର ରଖିଲେ ନାଁ॥(୭)
ଓଡିଆ ପ୍ରାଣର ବଡ ଠାକୁର
ସେହିତ ଜଗନ୍ନାଥ ଏକା ଆମର,
ପାଳନ କରନ୍ତି ସଭିଁଙ୍କୁ ସେହି
ମମତା,ପ୍ରୀତି,ସେନେହ ଦେଇ॥(୮)
ବାରମାସେ ଏଠି ତେର ଯାତରା
ଶ୍ରେଷ୍ଠ ତା ମଧ୍ୟେ ରଥଯାତରା,
ଭୁଲିଯାଇ ସବୁ ଧରମ ଜାତି
ପାଳନ କରନ୍ତି ସଭିଏଁ ମିଶି॥(୯)
ଆମରି କଳା ଆମ ସଂସ୍କୃତି 
ସେହିତ ଅଟଇ ଆମରି ଶକ୍ତି,
ଗରବେ କହୁଛି ମୁଁ ଓଡିଆ
ମୋଭାଷା ସଂସ୍କୃତି ଭାରି ବଢିଆ॥(୧୦)

ନିବେଦିତା ମହାପାତ୍ର
ମୁକୁନ୍ଦମିଶ୍ର ନଗର, ପୁରୀ



0 Comments