OUR READERS STATUS AROUND THE GLOBE : INDIA-362119 CANADA-354 CHINA-881 FRANCE-1727 GERMANY- 2083 QATAR - 61 SINGAPORE - 1114 UNITED STATES - 14819 UNITED KINGDOM - 553 UNITED ARAB EMIRATES - 926 UKRAINE-47 UNKNOWN REGIONS-5627

କ୍ଷୁଦ୍ରଗଳ୍ପ - ମନ୍ଦିର ଯିବା ମନା - ପ୍ରଣତି ମହାପାତ୍ର

କ୍ଷୁଦ୍ରଗଳ୍ପ - ମନ୍ଦିର ଯିବା ମନା - ପ୍ରଣତି ମହାପାତ୍ର


ଦୁଇତିନି ଦିନ ପୂର୍ବରୁ ପ୍ରସ୍ତୁତି ଆରମ୍ଭ ହୁଏ । ମନ୍ଦିର ଥାଏ ଗାଆଁର ଶେଷ ମୁଣ୍ଡରେ।ତା ପାଖାପାଖି ୫/୬ଟି ଘର।ମନ୍ଦିର କୁ କାଁ ଭାଁ ଲୋକ ଆସନ୍ତି।କିନ୍ତୁ ଜାଗର ଦିନ ପ୍ରାୟ ଗ୍ରାମର ଅର୍ଦ୍ଧାଧିକ ଲୋକ ଆସିଥାନ୍ତି ପୂଜା କରିବାକୁ।ହେଲେ ମନ୍ଦିର ଆଖପାଖର କିଛି ପିଲା ଭାରି ଖୁସି ହୋଇଯା'ନ୍ତି,ବହୁତ ଲୋକ ସମାଗମ ପାଇଁ।ମନ୍ଦିର ଚାରି ପାଖ କିଆବୁଦା, ଲଟାଝଟା ରେ ପରିପୂର୍ଣ୍ଣ ଥାଏ।ପିଲାମାନେ ଦୁଇତିନି ଦିନ ଲାଗି ଚାରିଆଡ଼େ ଲଟାଝଟା କାଟି ସଫା କରି ଦିଅନ୍ତି।ଜାଗର ଦିନ ସକାଳୁ ନନା ପୂଜା ପାଇଁ ଠାକୁରଙ୍କ ପାଖରେ ବସିଯା'ନ୍ତି।ଗାଁର ଘନଗୁଡିଆ (ଯାହାକୁ ପଡୋଶୀ ଭାବରେ ବଡବାପା ବୋଲି ସମ୍ବୋଧନ କରୁ) ନାନା ପ୍ରକାର ମିଠା ଧରି ଆସି ବସେ।ତାଙ୍କର ସେଦିନ ବହୁତ ବିକ୍ରି ହୁଏ।ମୁଁ ଗଜା ଖାଇବାକୁ ଭାରି ଭଲପାଏ।ସେ ଗାଆଁରେ ବି ବୁଲି ବୁଲି ବିକ୍ରି କରନ୍ତି।ତାଙ୍କ ପାଖରୁ ସବୁବେଳେ ମୋ ମାଆ ମିଠା ରଖେ।ତା ବଦଳରେ ତାଙ୍କୁ ଧାନ କି କୋଳଥ ଦିଆଯାଏ।ମନ୍ଦିର ପାଖରେ ମୋତେ ଦେଖିଲେ ଚଟାପଟ୍ ଗୋଟିଏ କାଗଜ ଠୁଙ୍ଗାରେ ଗଜା,ଆଉ ଗୋଟିଏ ଠୁଙ୍ଗାରେ ଅନ୍ୟ ମିଠା ଦିଅନ୍ତି।ହେଲେ ମୁଁ ଆଣିବାକୁ କୁନ୍ଥୁକୁନ୍ଥୁ ହେଉଥାଏ।କାରଣ ମାଆ କହି ନ ଥାଏ ନା।ସେ ବାଧ୍ୟକରି ଦେଇ ଦିଅନ୍ତି।ଆଉ କହନ୍ତି ନେଇ ଯା ଘରକୁ।ମୁଁ ଘରକୁ ଯିବି।ଏ ତ ଗଲା ମିଠା କଥା । ଆଉ ଜଣେ ସେହିଭଳି ଆସନ୍ତି।ନବକାକା,ଯିଏକି ସାଦା କାଗଜ ଉପରେ ନାନା ପ୍ରକାର ରଙ୍ଗ ଦେଇ ,ବାଉଁଶ କାଠି ଆଉ ସୋଲକୁ ସେହିଭଳି ରଙ୍ଗୀନ କରି ଏକ ପ୍ରକାର ସୁନ୍ଦର ଜିନିଷ ତିଆରି କରିଥାନ୍ତି।ତା ନାମ ଥିଲା ଫୁଲଛତ୍ରି।ଜାଗର ଦିନ ମହାଦେବଙ୍କ ଉପରେ ଚଢାଯାଏ।କଥିତ ଅଛି ଯେ, ଜାଗର ଦିନ ଘରର ସମସ୍ତଙ୍କ ନାମରେ ଗୋଟିଏ ଗୋଟିଏ ଫୁଲଛତ୍ରି ଚଢାଯାଏ, ଚଢେଇଲେ ସମସ୍ତଙ୍କ ର ଦେହ,ପା,ଗ୍ରହରିଷ୍ଟ,କୁଦୃଷ୍ଟି ଇତ୍ୟାଦି ସମ୍ବନ୍ଧ ରେ ଆଉ କିଛି ଅସୁବିଧା ହୁଏ ନାହିଁ।ସେ ସକାଳୁ ସକାଳୁ ଗୋଟିଏ ବସ୍ତାରେ ତାଙ୍କ ଜିନିଷ ପତ୍ର ଧରି ଆସି ମନ୍ଦିର ପାଖେ ବସି ଯାନ୍ତି।ଆଉ ନାନା ପ୍ରକାର ଫୁଲରେ, ବେଲପତ୍ର ରେ ମାଳକରି ମଧ୍ୟ ଆଣିଥାନ୍ତି।ସେ ଆମର ନାଗୁଆ। କାରଣ ଆମ ଘରେ ଭାଗବତ ଗାଦି ପୂଜା ହୁଏ।ସେ ନିତି ଦିନ ଭାଗବତ ପାଇଁ ଫୁଲ ଦେଇଥାନ୍ତି।ବର୍ଷ ଶେଷରେ ଆମ ଘରୁ ଧାନ ନିଅନ୍ତି।ବିନା ମଗାରେ ସେ ଆମ ଘରପାଇଁ କେତେ ଫୁଲଛତ୍ରି ଦରକାର, ଦେଖିଲା ମାତ୍ରେ ଦେଇଥାନ୍ତି।

ତୃତୀୟ ଆତ୍ମୀୟ ହେଲେ କକା,ଯିଏକି ମହାଦେବ ପୂଜାରୀ।ଶିବକକା,ବିଷ୍ଣୁ କକା।ସେଦିନ ବଡିଭୋରରୁ ମନ୍ଦିର କୁ ଆସନ୍ତି।ଆମକୁ ଡାକନ୍ତି।ମନ୍ଦିର ଭିତର ଘଷି ମାଜି ସଫାକରିବାରେ ଆମ ମାନଙ୍କୁ ସାହାଯ୍ୟ ମାଗନ୍ତି।ଆମେ ପାଣି ଦେଲେ ସେ ଧୁଆଧୋଇ କରନ୍ତି।ଆମ ଘରୁ ବାଲଟି,ନୋଟା ଇତ୍ୟାଦି କିଛି ଜିନିଷ ମୁଁ ନେଇଥାଏ।ମଧ୍ୟାହ୍ନ ବେଳକୁ ସେ ଆମକୁ ଡାକି ଫାଳେ ଦିଫାଳ ନଡିଆ,କଦଳୀ ଓ କିଛି ଫଳ ଦିଅନ୍ତି।ତାଙ୍କ ପାଇଁ ପଣା ତିଆରି କରି ଦେବାକୁ।ପରମ ଆଗ୍ରହର ସହ ମୁଁ ସେସବୁ ପ୍ରସ୍ତୁତ କରି ଦିଏ। ତା ପରେ ଏସବୁ କାମ ବଡ଼ ଆଗ୍ରହରେ ବି ଆମେ କରୁ।ଏ ଦିନକୁ ଯେମିତି ଅପେକ୍ଷା କରିଥାଉ।ସନ୍ଧ୍ୟା ବେଳେ ଦୀପ ଜାଳିବାକୁ କେତେ କେତେ ଲୋକ ଆସନ୍ତି, ଆମ ଘର ବାଟଦେଇ।ସେମାନଙ୍କ ମଧ୍ୟରୁ ଅଧିକାଂଶ ପରିଚିତ ଲୋକ ବି ଘରକୁ ଆସନ୍ତି।ଭାରି ଖୁସି ଲାଗେ।ସନ୍ଧ୍ୟା ବେଳକୁ ଗାଆଁର କିଛି ବୟସ୍କ ବ୍ୟକ୍ତି ଖୋଳ,ତାଳ,ତୁରୀ ଇତ୍ୟାଦି ଧରି ମନ୍ଦିର ପାଖରେ ପହଞ୍ଚି ଯା'ନ୍ତି ଭଜନ କୀର୍ତ୍ତନ କରିବାକୁ।ରାତି ଦଶ ଏଗାର ବେଳକୁ ଶିବ ଓ ବିଷ୍ଣୁ କକା ଗୋଟିଏ ବଡ଼ ଦୀପ ଆଣି ଘିଅବଳିତା କର୍ପୁର ଦେଇ ମହାଦୀପ ପାଇଁ ପ୍ରସ୍ତୁତ କରନ୍ତି। ଭଜନ କୀର୍ତ୍ତନ ତାଳରେ ମହାଦୀପ ଉଠେ। ଗୋଟିଏ ବଡ଼ ଜାଗାରେ ଭୋଗ ହୁଏ।ସେ ଜାଗା ଅର୍ଥାତ ମାଣ୍ଡିଆ ମୁଁ ଆମ ଘରୁ ନେଇଥାଏ । ସର୍ବ ଶେଷରେ ଭୋଗ ସମସ୍ତେ ଖାଇ ଘରକୁ ଫେରନ୍ତି।କକା ସେହି ମାଣ୍ଡିଆ ଭିତରେ ମେଞ୍ଚେ ଭୋଗ ମୋତେ ଦିଅନ୍ତି।ଦିନରେ ବି ବହୁତ ନଡ଼ିଆ ପାଣି ପିଇବାକୁ ଦିଅନ୍ତି।ଦିନଟି ଏମିତି ଏମିତି କଟିଯାଏ।

ପରଦିନ ବଡିଭୋରରୁ ଦୁଇକକା ଭିତରୁ ଯାହାର ପାଳି ଥାଏ ସେ ଆସନ୍ତି।ଭୋଳାନାଥ ଉପରେ ଯେତେ ଯାହା ଗଦା ହୋଇଥାଏ ସବୁ ସଫା କରନ୍ତି।ମୁଁ ବି ସେତେବେଳକୁ ଗାଧୋଇ ପାଧୋଇ ଅପେକ୍ଷା କରିଥାଏ।କେତେବେଳେ କକା ଆସିବେ।କାହିଁକି କହିଲେ।ମୋର କିଛି ଜିନିଷ ନେବା ଲକ୍ଷ୍ୟରେ।ସେ ଆସିବା ମାତ୍ରେ ମନ୍ତ୍ର ପଢି ପୂଜା କରନ୍ତି।ତାଙ୍କ ପାଟି ଶୁଣି ମୁଁ ଧାଏଁ ମନ୍ଦିର କୁ।ସେ ପୂଜା କରିବା ଭିତରେ ମୁଁ ପାଣି ଆଣିଦିଏ।ପୂଜା ସରିଲେ ମୋ ହାତରେ୫/୬ଟା ଫୁଲଛତ୍ରି ଧରେଇ ଦିଅନ୍ତି।ମନ ଖୁସିରେ ସେସବୁ ନେଇ ଘରକୁ ଆସେ।ଏବେ ତ ଏସବୁ ସାତ ସପନ।ନା ଅଛି ଗାଆଁରେ ଆତ୍ମୀୟତା,ନା ଏକତା ନା ସ୍ନେହ ମମତା।ନା ଏଭଳି ଢଙ୍ଗରେ ପୂଜାର୍ଚ୍ଚନା। ଏଇଠି ଗୋଟିଏ ଛୋଟ ଅନୁଭୂତି କହିବି। ଦିନେ ସକାଳୁ ସକାଳୁ ଲୋକଙ୍କ ଟୁପ୍ ଟାପ କଥା ଶୁଭିଲା।ସାହୁଘର ଝିଅ ଆତ୍ମହତ୍ୟା କରିଛି।ହାଲ୍ଲାକୁଲ୍ଲା ହୋଇଗଲା ସାରା ଗାଆଁରେ।ଯେ ଯୁଆଡେ କାମଧନ୍ଦା ରେ ଥିଲେ, ସବୁ କାମ ଛାଡି ଧାଇଁଲେ ସେଠିକି।କଥା ବି ସତ।ସମସ୍ତେ କୁହାକୁହି ହେଲେ, ଆହାଃ କେଡ଼େ ସୁନ୍ଦର ରୂପର ଝିଅଟା,ଅକାରଣେ ଜୀବନ ହାରିଦେଲା।

କୁହାକୁହି ତ ହେଲେ।ହେଲେ ୟା ପଛରେ ଥିବା କାରଣ ଟା ସମସ୍ତଙ୍କ ଆଗକୁ ବି ଆସିଲା।କାରଣ କୁହାଯାଏ ସତ କେବେ ବି ଲୁଚି ରହେନା।ସେମିତି ଏ ଘଟଣାର ସତ୍ୟ ବି ପଦାକୁ ଆସିଥିଲା।ବର୍ଣ୍ଣିତ ଶିବମନ୍ଦିରକୁ   ପଶ୍ଚିମ ସାହିର ନଟଦାସ ପୁଅ ହରିଆ ପ୍ରତିଦିନ ଗାଧୋଇ ସାରି ଶିବଦର୍ଶନ ପାଇଁ ଆସେ।ସାହୁଘର ଝିଅ ବି ଆସେ।ହଠାତ ଏକସମୟରେ ଉଭୟ ଉଭୟଙ୍କ ସହ ଭେଟ ହୋଇଗଲା।ଦୁହେଁ ଦୁହିଁଙ୍କ ବିଷୟରେ ପଚରାଉଚରା କଲେ।ଏମିତି ଏମିତି ଉଭୟଙ୍କ ର ଦେଖାଚାହାଁ ପ୍ରାୟ ହେଲା।ଧୀରେ ଧୀରେ ଉଭୟ ଉଭୟଙ୍କ ପ୍ରେମରେ ପଡିଗଲେ।ଏବେକାର ପରି ସେତେବେଳେ ତ ଆଉ ମୋବାଇଲ ର ମାଧ୍ୟମ ନ ଥିଲା ଯୋଗାଯୋଗ କରିବା ପାଇଁ।ତେଣୁ ସେହି ସମୟଟା ସେମାନଙ୍କ ପାଇଁ ଉପଯୁକ୍ତ ଥିଲା।କାରଣ ମନ୍ଦିର ପୁଜାରୀ ସକାଳ୯ଟା ପୂଜାର୍ଚ୍ଚନା ସାରି ଘରକୁ ପଳାଏ।ଯେଉଁ ଭକ୍ତମାନେ ଆସନ୍ତି ଦେବ ଦର୍ଶନ କରି ,ବେଲପତ୍ର ପାଇ ଚାଲିଯାନ୍ତି।ପ୍ରଥମରୁ କହିଛି ସେ ସ୍ଥାନକୁ ଜନ ସମାଗମ ପ୍ରାୟ ଖୁବ କମ୍।ତେଣୁ ଏହି ପ୍ରେମୀ ଯୁଗଳ ସେ ଫାଙ୍କା ସ୍ଥାନରେ ନିଜ ବାର୍ତ୍ତାଳାପ ଖୁବ୍ ଏକାନ୍ତରେ କରିପାରନ୍ତି।

ଦିନେ ଦୁହେଁ ସ୍ଥିର କଲେ ଏହି ଶିବରାତ୍ରି ଦିନ ଦୁହେଁ ଦୁହିଁଙ୍କ ଘରେ ବିବାହ ପ୍ରସ୍ତାବ ଦେବେ।ଆଉ ତାହାହିଁ କଲେ।ହେଲେ ତା ପରଠାରୁ ସେମାନଙ୍କ ଜୀବନରେ ବିପର୍ଯ୍ୟୟ ଆସିଗଲା।କାରଣ ଗାଆଁରେ ପ୍ରାୟ ଜାତି ପ୍ରଥା ଜୋର ଥାଏ।ତେଣୁ ଝିଅଟି ଯେହେତୁ ଉଚ୍ଚ ଜାତିର।ପୁଅ ନୀଚ୍ଚ ଜାତିର।ଏ କ୍ଷେତ୍ରରେ ବିବାହ ଅସମ୍ଭବ।ଏଣେ ପୁଅଝିଅ ଦୁହିଁଙ୍କର ଅବାଧ ମିଳାମିଶା ଫଳରେ ଝିଅଟି କମଦିନର ଗର୍ଭବତୀ ଥାଏ।ପୁଅଟି ଝିଅକୁ ସବୁବେଳେ ବାଧ୍ୟ କରେ ଆମେ ଘରଛାଡି ପଳେଇବା।ହେଲେ ବଂଶ ପରମ୍ପରା, ବାପାମାଆ, ଭାଇଭଉଣୀ, ତଥା ଘରର ଇଜ୍ଜତ କୁ ଆଖି ଆଗରେ ରଖି ଏମିତି ଭୁଲବାଟରେ ହିଁ ନ ଯିବାକୁ ସ୍ଥିର କଲା।ଯିଏ ଯାହା କହିଲେ ବି ଝିଅଟି ଏକରକମ ସ୍ଥାଣୁ ପାଲଟି ଯାଇଥିଲା।ଝିଅଟିର(ପ୍ରେମିକା ର) ଏତାଦୃଶ କାର୍ଯ୍ୟ କଳାପରେ ପ୍ରେମିକ କ୍ରୋଧାନ୍ଵିତ ହୋଇଗଲା, କାହାକୁ ଦେଖାଇ ପାରିଲାନି ସତ।ହେଲେ ପ୍ରତିଶୋଧ ର ବହ୍ନି ହୁତହୁତ ହୋଇ ଜଳି ଉଠିଲା।ଏକ ନିଛାଟିଆ ଜାଗାରେ ଝିଅଟିକୁ ଜବରଦସ୍ତ ଦୁଷ୍କର୍ମ କରି ପ୍ରମାଣ ସ୍ଵରୂପ ଆଗରୁ କିଛି ଲୋକଙ୍କୁ ପ୍ରସ୍ତୁତ କରାଇଥିଲା।ସେଥିପାଇଁ ଦୁଷ୍କର୍ମ ସମୟରେ ସବୁ ଲୋକମାନେ ଆଗକୁ ଆସି ଝିଅକୁ କେତେ ନାହିଁ କେତେ କଥା କହିଲେ।ଗର୍ଭ ଯନ୍ତ୍ରଣା ସହ ଲୋକମାନଙ୍କ ଦ୍ବାରା ଅପମାନିତ ହେବାକୁ ସହଜରେ ହଜମ କରି ନ ପାରି ଶେଷ ରାସ୍ତା ବାଛି ନେଇଥିଲା ଝିଅଟି।ଆଉ ସେହି ଦିନ ଠାରୁ ସେ ମନ୍ଦିର ଖାଲି ନୁହେଁ, ସେ ଗ୍ରାମର ସବୁ ମନ୍ଦିର କୁ ଝିଅମାନଙ୍କୁ ନ ଯିବାକୁ ବାରଣ କରାଯାଏ।ସତକୁ ସତ ସେହି ଦିନ ଠାରୁ ଆଉ କୌଣସି ଝିଅ, ସ୍ତ୍ରୀଲୋକ ମନ୍ଦିର ଯିବାର ପ୍ରଥା ବନ୍ଦ ହୋଇଯାଇଛି।

ପ୍ରଣତି ମହାପାତ୍ର, ବାଲେଶ୍ଵର

0 Comments