ବିଶ୍ୱରେ  ପ୍ରତ୍ୟେକ  ଜୀବ  ଭଳି  ମାନବ  ଜନ୍ମଗ୍ରହଣ  କରେ  ।   କିନ୍ତୁ  ସବୁ  ଜୀବ  ଠାରୁ  ସେ  ସମ୍ପୂର୍ଣ୍ଣ  ଅଲଗା  ।  ସମାଜରେ  ତାର  ସ୍ଥିତି  ଓ  ସମାଜରେ  ତାର  ବିଲୟ  ।  ତେଣୁ   ସମାଜରେ  ସେ  ଉତ୍ତମ  ରୂପେ  ବଢ଼ିବା  ସଙ୍ଗେ  ସଙ୍ଗେ  ସମାଜ  ପ୍ରତି  ସଚେତନ  ରହି  ଅନେକ  କର୍ତ୍ତବ୍ୟ  ପାଳନ  କରେ  ।  ଏଭଳି  କେତୋଟି  କର୍ତ୍ତବ୍ୟ  ସାଧନା  କରିବା  ଲାଗି  ପଡେ,  ଯାହା  କେବଳ  ପାରମ୍ପରିକ  ଅବଲୀଳା  କ୍ରମେ  କରିବାକୁ  ହୁଏ  ।  ସେସବୁ  କର୍ତ୍ତବ୍ୟ  କର୍ମର  ଯଥାଯଥ  ଭାବ  ସମ୍ପାଦନାର  ଗୁରୁତ୍ୱ   ବୈଦିକ  ଋଷି ଗଣ  ଉପଲବ୍ଧ  କରି  ଥିଲେ,  ଏକଥା  ଭାବିଲା  ବେଳକୁ  ବିସ୍ମୟ  ଲାଗେ,  ଅଭିଭୂତ  ହେବାକୁ  ପଡେ  ।  ପ୍ରାଚୀନ  ଋଷିଗଣ  ସେ  ସବୁ  ସତ୍ୟାସ୍ପଦକୁ  ହୃଦୟରେ  ଉପଲବ୍ଧ  କରିଛନ୍ତି,  ଯାହା  କୌଣସି  ନିଦ୍ଧିଷ୍ଟ    ସଂପ୍ରଦାୟର  ଦେଶ  ବା  କାଳର  ନୁହେଁ,  ତାହା  ସାର୍ବଜନୀନ  ।  ପ୍ରତିଦିନ  ଆମର  ତ୍ରୀସଂଧ୍ୟା  ବନ୍ଦନା  ପରେ  କିମ୍ବା  ଯେକୌଣସି  ପର୍ବପର୍ବାଣି  ବା  ଅନୁଷ୍ଠାନର  ମାଙ୍ଗଳିକ  କାର୍ଯ୍ୟ ସମ୍ପାଦନ  ଶେଷରେ  ଶାନ୍ତି  ପାଠ  ଆବୃତ୍ତି  କରିବାକୁ  ହୁଏ,  ସେ  ସମୟରେ  ସମ୍ବଳିତ  କଣ୍ଠରେ  ବୋଲିବାକୁ  ହୁଏ  'ସର୍ବେ   ଭବନ୍ତୃ  ସୁଖିନଃ  ସର୍ବେ  ସନ୍ତୁ  ନିରାମୟଂ  ସର୍ବେ   ଭଦ୍ରାଣି  ପଶ୍ୟନ୍ତୂ  ମା'କଶ୍ଚିତ୍  ଦୁଃଖ ଭାଗ୍  ଭବେତ୍  ।"  
କୁହାଯାଏ  ଅନ୍ତର  ଭିତରେ  ପରମେଶ୍ବରଙ୍କୁ  ଅନ୍ତରର  ନିଭୃତ  କୋଣରୁ  ପ୍ରାର୍ଥନା  କରାଯିବା  ଉଚିତ,  ହୃଦୟର  ସହିତ  ପ୍ରାର୍ଥନା  କଲେ  ସର୍ବ  ମଙ୍ଗଳ  ଘଟିବ  ।  ସକଳେ  ଆରୋଗ୍ୟ  ଲାଭ  କରିବେ,  ସମସ୍ତେ  ଶୁଭ  ଦର୍ଶନ କରିବେ ।  ସକଳଙ୍କ  ଉଦ୍ଦେଶ୍ୟରେ  ଅଂଜଳି  ବନ୍ଦ  ଜଳ  ଅର୍ପଣ  କରାଯାଏ,  ସେତେବେଳେ  ମନ୍ତ୍ର  ଉଚ୍ଚାରଣ  କରାଯାଇ  କୁହାଯାଏ " ଓଁ ..."  ଭକ୍ତିରେ  ଏସବୁ  କରିବା  ଦ୍ୱାରା  ବିଶ୍ୱର  ସର୍ବତ୍ର  ବ୍ରହ୍ମ  ଦର୍ଶନ  ମିଳେ  ।  ଯାହାକି  ସାଧନାର  ସଫଳତା  ଘଟି  ବ୍ରହ୍ମ  ଉପଲବ୍ଧ  ହୁଏ  ।  ଜାଗତିକ  ସର୍ତ୍ତା  ଯେ  ଅଭିନ୍ନ,  ଏଚିତ୍ର  ଶାଶ୍ୱତ  ଉପଲବ୍ଧର  ପ୍ରତ୍ୟକ୍ଷ  ଦ୍ରଷ୍ଟା  ପୁରୁଷ  ଋଷିଗଣହିଁ  ସେତେବେଳେ  ଥିଲେ  ।  ଏ  ବିଶ୍ବ  ଜଗତରେ  ଯେଉଁ  ସମତାର  ବିଘ୍ନ  ଘଟିଛି,  ତାହା  ଯେ,  ଅନ୍ୟ  କୌଣସି  ଜାଗାରେ  ଆଘାତ  ପ୍ରାପ୍ତ  ହେବ,  ସେମାନେ  ଏହି  ଚରମ  ସତ୍ୟ  ମର୍ମେ  ମର୍ମେ  ଉପଲବ୍ଧ  କରିଥିଲେ  ।   ନିଜର  ଆତ୍ମୀୟମାନଙ୍କ  ସ୍ୱାର୍ଥେ  ଏଜଗତରେ  ବଞ୍ଚି  ରହିବା   ନୁହେଁ,  ବରଂ   ସମତା  ସ୍ୱାର୍ଥରେ  ସକଳଙ୍କ  ଶାନ୍ତି  ପୂର୍ଣ୍ଣ  ସହବାସ୍ଥାନ  ଆଜି  ଏକାନ୍ତ  ଜରୁରୀ  ହୋଇ  ପଡ଼ିଛି  ।  ଜୈବ  ବୈଚିତ୍ର  ଭାବ,  ଜୀବାବଳି,  କୌଣସି  ପ୍ରାଣୀର  ଅବଲୁପ୍ତ  ଘଟିଲେ  ବା  ଖାଦ୍ୟ  ଶୃଙ୍ଖଳା  ବ୍ୟବସ୍ଥା  ଅଭାବ  ଘଟିଲେ,  ଏପରିକି  କେବଳ  ପ୍ରାଣୀମାନଙ୍କ  ନୁହେଁ,  ମଣିଷର  ବଞ୍ଚିବା  ମଧ୍ୟ  କଠିନ  ହୋଇ  ପଡ଼ିବ  ।
ଜୀବଜଗତର  ପ୍ରତ୍ୟେକ  ପ୍ରାଣୀ  ବଞ୍ଚିବା  ସ୍ୱାର୍ଥରେ  ଏବେ  ବଣପ୍ରାଣୀ  ସଂରକ୍ଷଣ  ବା  ଅଭୟାରଣ୍ୟ  ସୃଷ୍ଟି  କରାଯାଇଛି  ।  ପ୍ରତ୍ୟେକ  ସ୍ତରରେ  ବୃକ୍ଷ  ରୋପଣ  ଅଭିଯାନ  ଓ  ଉଦ୍ଘାଟନ  କରାଯାଉଛି  ।  ପୃଥିବୀର  ଅସ୍ତିତ୍ଵ ରକ୍ଷା  ନିମନ୍ତେ  ପରମାଣୁବିକ  ଅସ୍ତ୍ରଶସ୍ତ୍ର  ଧ୍ବଂସ  କରିନେବା  ଉଚିତ  ।  ଶାନ୍ତି,  କଲ୍ୟାଣ  ଓ  ସମୃଦ୍ଧିର   ସଂଘ  ବା  ଔଦ୍ୟୋଗିକ  ସଂସ୍ଥା  ବିଭିନ୍ନ  ଦିବସରେ  ନିଦ୍ଧିଷ୍ଟ  କର୍ମସୂଚୀ  ଅନୁସାରେ  ସେସବୁ  ଦିବସର  ସଫଳ   ହେବା  ଉଚିତ  ।  ଯେମିତି  ଆର୍ନ୍ତଜାତୀୟ  ମାତୃଢ୍ୱ  ଦିବସ,  ବନ୍ୟପ୍ରାଣୀ  ଦିବସ,  ମାତୃଦୁଗ୍ଧ  ଦିବସ  ଆଦି  ପାଳନର  ପ୍ରକୃତ  ଉଦ୍ଦେଶ୍ୟ  ବିଶ୍ୱର  ପ୍ରତ୍ୟେକ  ମଣିଷକୁ  ସଚେତନ  କରାଇବା  ।  ନିଦ୍ଧିଷ୍ଟ  ଲକ୍ଷ୍ୟ  ପ୍ରତି  ଉଦ୍ବିଗ୍ନ  କରାଇ  ପ୍ରେରଣା  ଦେବା  ଥିଲା  ଋଷିଗଣଙ୍କ  କାର୍ଯ୍ୟ ।
ଠିକ୍  ସେଭଳି  ଭାରତୀୟ  ବୈଦିକ   ଋଷିଗଣ  ସମାଜରେ  ପ୍ରତି  ମୁହୂର୍ତ୍ତରେ  ମାନବକୁ  ମହାନ୍  ଲକ୍ଷ୍ୟ  ପୂରଣରେ  ସଚେତନ  କରିବାର  ପ୍ରୟାସ  କରିଛନ୍ତି  ।  ମାନବର  ଯେଭଳି  କର୍ତ୍ତବ୍ୟ/ କର୍ମରେ  ବିସ୍ମୃତି  ନଘଟୁ  ।  ପ୍ରତ୍ୟେକ  ନିଜ  ନିଜ  କର୍ତ୍ତବ୍ୟ  ସୁଚାରୁ  ଭାବେ  ପାଳନ  କରନ୍ତୁ  ।  ମଣିଷର  ଏ  ଜଗତରେ   ବଞ୍ଚିବାର  ଅଧିକାର  ଅଛି,  ଅନ୍ୟକୁ  ବଞ୍ଚେଇ  ବାର  ସେଭଳି  କର୍ତ୍ତବ୍ୟ  ରହିଛି  ।  ଋଷିଗଣ  ଆଧ୍ୟାତ୍ମିକ  ଜଗତରେ  ଏସବୁ  ଲାଗି  ଉଦ୍ବିଗ୍ନ  ଥିଲେ  ।   ଆଧ୍ୟାତ୍ମିକତାକୁ  ସର୍ବଶ୍ରେଷ୍ଠ  ବିଦ୍ୟାରୂପେ  ଘୋଷଣା  କରିଥିଲେ  ।  ଏଭଳି  ବିଦ୍ୟାକୁ  ଆତ୍ମସ୍ଥ  କରାଗଲେ  ମଣିଷର  ପ୍ରତ୍ୟେକ  କର୍ମ  ଯଜ୍ଞ  ରୂପେ  ପରିଗଣିତ  ହୋଇପାରିବ  ।  ଏହି  ଯଜ୍ଞ  ଶବ୍ଦଟି  'ଯଜ୍'  ଧାତୁରୁ  ନିଷ୍ପନ୍ନ  ହୋଇଛି  ।  ଯଜ୍+ଜ୍ଞ=ଯଜ୍ଞ,  ପ୍ରତ୍ୟୟରେ  ଯଜ୍+ଘଞ୍=ଯଜ୍ଞ,     ଏହାର  ଅର୍ଥ  ପୂଜା  କରିବା  ବା  ଉତ୍ସର୍ଗ  ବା  ଅର୍ପଣ  ବା  ଦାନ  କରିବା  ।  ଭାରତୀୟ  ଋଷିଗଣ  ପରେମୋଶ୍ୱରଙ୍କୁ  ନାନା  ରୂପେ  ଉପାସନା  କରି  ଆସିଛନ୍ତି  ।  ସେମାନଙ୍କ  ସକଳ  କାର୍ଯ୍ୟ  ଯଜ୍ଞ  ରୂପେ  ଅଭିହିତ  ।  ସେମାନଙ୍କ  ଦୃଷ୍ଟିରେ  ସମଗ୍ର  ଜୀବନ  ହେଉଛି  ଉପାସନା  ବା  ଯଜ୍ଞମୟ  ।  ଗୀତା  (୯/୨୭)ରେ  ଶ୍ରୀକୃଷ୍ଣ  ଅର୍ଜୁନଙ୍କୁ  କହିଛନ୍ତି, 
" ଯତ୍କରୋଷି  ୟଦଶ୍ନାସି  ୟଜ୍ଜୁହୋଷି  ଦଦାସି  ୟତ୍
ୟତ୍ତପସ୍ଯସି  କୌନ୍ତେୟ  ତତ୍  କୁରୁଷ୍ୱ  ମଦର୍ପଣମ୍  ।"
ହେ  କୁନ୍ତୀପୁତ୍ର  !  ତୁମେ  ଯାହା  ସବୁ  କର,  ତୁମେ  ଯାହା  ସବୁ  ଖାଅ,  ଯାହା  ସବୁ  ଅର୍ପଣ  କର,  ଦାନ  କର,  ପୁନଶ୍ଚ  ଯେଉଁ  ତପସ୍ୟା  କର-  ଏ  ସମସ୍ତ  ମୋତେ  ଅର୍ପଣ  କର  । 
ଏକଥା  ସତ୍ୟ,  ଯଜ୍ଞରେ  ଆହୂତି  ଦାନ  ମଧ୍ୟ  ଏକ  ଶ୍ରେଷ୍ଠତମ  କାର୍ଯ୍ୟ,  ଯେଭଳି  ଗୋଟିଏ  ଥର  ଅନ୍ନ  ଗ୍ରହଣ  କରାଯାଏ,  ସେଭଳି  ଗୋଟିଏ  ଥର  ଗୀତା  ପାଠ  କରାଗଲେ  ତାହା  ପୂର୍ଣ୍ଣାଙ୍ଗ  ପାଲଟେ  ।  ଖାଦ୍ୟ,  ବସ୍ତ୍ର,  ଦ୍ବାରା  ଆରାଧ୍ୟ  ଦେବତାଙ୍କୁ  ଯଥା ରୀତିନୀତି  ନିବେଦନାନୁସାରେ  ଉପନୀତ  କରି  ଓଁ  କାର  ମନ୍ତ୍ର  ପାଠ  କରି  ତୋଷ  କରିବା  ହେଉଛି  ଭକ୍ତି  ନିବେଦିତ  କରିବାହିଁ  ଜ୍ଞାନ  ଯଜ୍ଞର  ଉଦ୍ଦେଶ୍ୟ  ।  ଉତ୍ତମ  ରୂପରେ  ଜ୍ଞାନ  ଯଜ୍ଞ  ସଂପାଦନ  କରିବା  ଋଷିଗଣଙ୍କ  ପରମ  ଲକ୍ଷ୍ୟ  ।  ଏହି  ଲକ୍ଷ୍ୟ  ପୂରଣ  ପାଇଁ  ଋଷିଗଣ  ମାନବ  ଜୀବନର  ପ୍ରତ୍ୟେକ  କ୍ଷେତ୍ରରେ  ପାଞ୍ଚଟି  କର୍ମ  ନିୟମାନୁସାରେ   ପାଳନ  କରିବାକୁ  ଦର୍ଶାଇଛନ୍ତି  ।  ଏକଥା  ସତ୍ୟଯେ  ବୈଦିକ  କର୍ମ  ଚର୍ତୁବିଧ,  ଅର୍ଥାତ  ଚାରି  ପ୍ରକାର,  ଅର୍ଥ, କାମ,ଧର୍ମ  ଓ  ମୋକ୍ଷ  ।  କେତେକ  ଶାସ୍ତ୍ରରେ  ଏହା  ସହ  ପ୍ରାୟଶ୍ଚିତ  କଥା  ଉଲ୍ଲେଖ  ରହିଛି  ।  ସାଧାରଣ  ମଣିଷ  ନିଜ  ସ୍ୱାର୍ଥରେ  ବ୍ୟସ୍ତ  ଓ  ବିବ୍ରତ,  ତେଣୁ  ତା  ମନରେ  କିଭଳି  ଅନାସକ୍ତ  ଭାବ  ସୃଷ୍ଟି   କରିବା  ନିମନ୍ତେ  ଋଷିଗଣ  ଏଭଳି  ମହାଯଜ୍ଞ  ସଂପାଦନ  କରିବା  କଥା  ଭାବିଛନ୍ତି  ।  ଶୁଦ୍ଧତାର  ସହ  ବଞ୍ଚିବା  ଅର୍ଥାତ  ଉନ୍ନତ  ଜୀବନ  ସନ୍ଧାନରେ  ପ୍ରତ୍ୟହ  ଏହି  ମହାଯଜ୍ଞ  ପାଳନ  କରିବା  ନ୍ୟାୟବାନ  ବ୍ୟକ୍ତିର  ପାଳନୀୟ  ।  ଏସବୁ  ନିତ୍ୟ  କର୍ମ  ନକଲେ,  ପ୍ରତି  ସ୍ୱରୂପ  ଦୋଷ  ହୁଏ  ।ଏହି  ନୈମିତ୍ତକ  କାର୍ଯ୍ୟ  କରିବା  ଲାଗି  କିଛି  ତିଥି  ବାର  ଖୋଜି  ପୂଜାର୍ଚ୍ଚନା  କରିବା  ବା  କୌଣସି  ବିଶେଷ  ଅନୁଷ୍ଠାନରେ  ସଂପାଦନ  କରିବା,  ଅର୍ଥ  ନିଜର  ପରିବାର  ବା  ଆତ୍ମିକ  ବନ୍ଧୁ  ବର୍ଗର  କଲ୍ୟାଣ  ନିମନ୍ତେ  କିଛି  କରିବା  ହେଉଛି  କର୍ମବାଦ,  ପ୍ରାୟଶ୍ଚିତ  କରିବା  ଅର୍ଥ  ଅନୁଶୋଚନା  କରିବା  ।  ଅର୍ଥାତ  ପୂର୍ବଜ  ମାନଙ୍କ  ପ୍ରତି  ଉପବାସ  କରି  ସେମାନଙ୍କ  ସ୍ମୃତି  ରୋମନ୍ଥନ  କରିବା,  ଅସହାୟ  ପ୍ରତି  ଦୟା/ଦାନ  କରିବା,  ନିଷିଦ୍ଧ  କର୍ମ  ହେଉଛି  ପ୍ରାଣୀ  ଓ  ପରିବେଶ  ଜଗତର  କୌଣସି  କ୍ଷତି  ନଘଟାଇବା  ।
ମନୁସ୍ମୁତି(୩/୭୦)ରେ  ପଞ୍ଚ  ମହାଯଜ୍ଞ  କହିବାର  ଅର୍ଥ :
"ଅଧ୍ୟାପନଂ  ବ୍ରହ୍ମୟଜ୍ଞଃ  ପିତୃୟଜ୍ଞସ୍ତୁ  ତର୍ପଣମ୍
ହୋମଦୈବୋ  ବଳି  ଭୋତୋ  ନୃୟଜ୍ଞୋ£ତିଥି  ପୂଜନମ୍  ।"
ଅର୍ଥାତ  ଯେଉଁ  ପାଞ୍ଚଟି  ଯଜ୍ଞ  ମାନବର  ନିତ୍ୟ  କର୍ମ  ଭାବରେ  ପ୍ରତ୍ୟହ  ପାଳନୀୟ   ଋଷିଯଜ୍ଞ/ବ୍ରହ୍ମଯଜ୍ଞ,  ଦେବଯଜ୍ଞ,   ପିତୃଯଜ୍ଞ,  ନୂଯଜ୍ଞ  ଓ  ଭୂତଯଜ୍ଞ  ।  ଆନ୍ତରିକ  ସହକାରେ  ଏହି  ଯଜ୍ଞ  ସଂପାଦନା  କଲେ  ମାନବ  ଜାତି  ତାର   ବର୍ତ୍ତମାନ  ଓ  ଭବିଷ୍ୟତ  ଶାନ୍ତି  ଓ  କଲ୍ୟାଣ  ପୃଥିବୀରେ  ଆଣିପାରିବ  ।  ଦିନକୁ  ଦିନ  ସମାଜରେ  ଯେଭଳି  ଅନ୍ୟାୟ,  ଦୁର୍ନୀତି,  ହତ୍ୟା,  ଗୋହତ୍ୟା,  ମାତୃ/ପିତୃ,  ହିଂସା,  ଧର୍ଷଣ,  କଷଣ,  ବର୍ଣ୍ଣ  ବୈଷମ୍ୟ  ଆଦି  ଦେଖାଦେଉଛି  ଅତ୍ୟାଚାରରେ  ପୃଥିବୀ  ଅସହାୟ  ହେଉଛି  ।  ଏସବୁର  ଶାନ୍ତ  ପାଇଁ  ଭୂପୂଜା,  ଗୋପୂଜା,  ଯଜ୍ଞ,  ହୋମ,  ମନ୍ତ୍ର  ଉଚ୍ଚାରଣ,  ଘୃତଦାନ,  ଦୀପଦାନ,  ସିନ୍ଦୂର,  ପୁଷ୍ପ,  ଝୁଣା  ସୁଗନ୍ଧ  ଆଦିରେ  ପାରିପାର୍ଶ୍ବିକ  ପରିବେଶ  ପରିବର୍ତ୍ତନ  କରିହେବ  ।  ଏହି  ପାଞ୍ଚଟି  ମହାଯଜ୍ଞରୁ  ନିରୁକ୍ତ  ରହି  ମନୁଷ୍ୟ  ଦିନକୁ  ଦିନ  ହିଂସାରେ  ଲିପ୍ତ  ରହୁଛି,  ସେସବୁର  ମୁକ୍ତି  ପାଇଁ  ତାକୁ  ପଞ୍ଚ  ମହାଯଜ୍ଞ  କରିବାର  ବିଧି  ବିଧାନ  ଋଷିଗଣ  କରିଛନ୍ତି,  ଯାହା  ମଣିଷର  ପଞ୍ଚେନ୍ଦ୍ରିୟ  ଶୁଦ୍ଧ   କରିଛନ୍ତି,  ଅର୍ଥାତ  ସଂଯତ  କରିବାର  ମାର୍ଗ  ଦର୍ଶାଇଛନ୍ତି  ।
ସର୍ବ  ପ୍ରଥମେ  ଜାଣିବା  ଆବଶ୍ୟକ  ଋଷି  କହିଲେ  ସର୍ବ  ଦ୍ରଷ୍ଟା  ମହାପୁରୁଷ,  ସତ୍ୟ  ଦ୍ରଷ୍ଟା,  ମନ୍ତ୍ର  ଦ୍ରଷ୍ଟା  ଯୁଗ ପୁରୁଷଙ୍କୁ  ବୁଝାଏ  ।  ଅତୀତ,  ବର୍ତ୍ତମାନ  ଓ  ଭବିଷ୍ୟତ  ତ୍ରିକାଳ  ଦ୍ରଷ୍ଟା  ସେ  ।  ଦୃଢ଼ତାର  ସହ  ଭାରତବର୍ଷ   ବିଶ୍ୱାସ  କରି  ଆସିଛି,   ସେହିଁ  କେବଳ  ଆତ୍ମସାକ୍ଷାତର  ମାର୍ଗ  ଦର୍ଶାନ୍ତି  ।  ସେହି  ଋଷିଗଣ     ହେଉଛନ୍ତି  ଅମୂଲ୍ୟ  ସଂପଦ,  ଉତ୍ତରାଧିକାରୀ  ସୂତ୍ରରେ  ସମସ୍ତଙ୍କ  ପାଇଁ  ମଙ୍ଗଳ  କାମନାର  ଅନୁଶୀଳନ  ହେଉଛି  ଋଷିଯଜ୍ଞ  ।  ସାଧାରଣଭାବରେ  ପ୍ରତିଦିନ  ସତ୍  ଗ୍ରନ୍ଥପାଠ,  ସତ୍  କଥା  ଶ୍ରବଣ,  ସନ୍ଥ,  ସାଧୁ  ସନ୍ୟାସଙ୍କ  ସହ  ମିଳିତ ହୋଇ  ପଦପୂଜା  କରିବାକୁ  ଋଷିଯଜ୍ଞ  କୁହାଯାଏ  ।  ଜ୍ଞାନର  ଅନୁଶୀଳନରେ  ଭାରତ  ସର୍ବଦା  ଉତ୍ସାହିତ  ହୋଇଆସିଛି,  ଋଷିଯଜ୍ଞ  ତାର  ପ୍ରମାଣ  ।  ଭାରତର  ପ୍ରତ୍ୟେକ  ବ୍ୟକ୍ତି  ବେଦକୁ  ଈଶ୍ୱର  ବାଣୀରୂପେ  ବିଶ୍ୱାସ  କରିଆସିଛି  ।  ବେଦ  ଅପୌଋଷିଙ୍କ,  କିନ୍ତୁ  ବେଦ  କହିଲେ  କୌଣସି  ଦେବତାଙ୍କୁ  ବୁଝାଏ  ନାହିଁ  ।  ବେଦ  କହିଲେ  ହିନ୍ଦୁ  ସଂସ୍କୃତିର  ସକଳ  ସର୍ତ୍ତାକୁ  ବୁଝାଏ  ।  ବେଦ  ସତ୍ୟ  ଚିରନ୍ତନ  ଓ  ଅପରିବର୍ତ୍ତିତ,  ଦେଶ  କାଳ  ପାତ୍ର  ନିମନ୍ତେ  ଉଦ୍ଦିଷ୍ଟ  ।  ତେଣୁ  ଋଷିଯଜ୍ଞକୁ  ବ୍ରହ୍ମଯଜ୍ଞ  କୁହାଯାଇପାରେ,  ଏହା  ସାଧକ  ସାଧନା  ଜୀବନର  ଅପରିହାର୍ଯ୍ୟ  ।  ଆଧ୍ୟାତ୍ମିକ  ଦିଗରେ  ବେଦ,  ଉପନିଷଦ,  ଗୀତା,  ରାମାୟଣ,  ମହାଭାରତ  ଆଦି  ପଠନହିଁ  ମାନବ  ଜୀବନର  ମୂଳ  ଲକ୍ଷ୍ୟ  ହେଲେ,  ଋଷିଗଣଙ୍କ  ଚିନ୍ତା  ଚେତନାର  ଯଥାର୍ଥ  ଉତ୍ତରାଧିକାରୀ  ହୋଇପାରିବ  ।
ଦେବଯଜ୍ଞ  କହିଲେ  ଦେବତାଙ୍କ  ଉପାସନାକୁ  ବୁଝାଏ  ।  ସାଧାରଣ  ମଣିଷ  ଉପାସନା  ଦ୍ୱାରା  ସହଜରେ  ଯଜ୍ଞର  ନିକଟବର୍ତ୍ତୀ  ହୋଇପାରିବ ।  ପ୍ରତ୍ୟହ  ନିଃସ୍ୱାର୍ଥପର  ଭାବେ  ସନ୍ଧ୍ୟା  ଉପାସନା  ଓ  ପ୍ରାର୍ଥନା  ଶୁଦ୍ଧଚିତ୍ତ  ହୃଦୟରେ  କରିବା  ଦରକାର ।  ଗୁରୁ  ଦୀକ୍ଷାରେ  ଦୀକ୍ଷିତ  ହୋଇ  ତାଙ୍କ  ନିର୍ଦ୍ଦେଶରେ  ସାଧନ,  ଭଜନ,  କୀର୍ତ୍ତନରେ  ବ୍ରତୀ  ହେବା  ଦରକାର  ।  ଗୁରୁବିନା  ଧର୍ମ  କାର୍ଯ୍ୟ  ସମ୍ପାଦନ  କରିବା  କଷ୍ଟକର  ।  ପ୍ରତ୍ୟେକ  ନର/ନାରୀ  ଧର୍ମ  ଭାବନାରେ  ଉଦିପ୍ତ  ହେବା  ଉଚିତ  ।  ଧର୍ମହୀନ  ମଣିଷ  ପଶୁ  ସମାନ  ।  ଘରେ  ପ୍ରତିଷ୍ଠିତ  ଗୃହ  ଦେବତାଙ୍କ  ନିୟମିତ  ପୂଜା/ଅର୍ଚ୍ଚନାହିଁ  ଦେବଯଜ୍ଞ  ।  ଗୁରୁଙ୍କ  କହିବାମତେ  ଜପ,  ଧ୍ୟାନ  ଓ  ଭଗବତ୍  ଉପାସନା  କଲେ  ସ୍ୱତଃ  ଦେବଯଜ୍ଞ  ସଫଳ  ହୁଏ  ।
ସେଭଳି  ପିତୃଯଜ୍ଞ  କହିଲେ  ଶ୍ରାଦ୍ଧ,  ତର୍ପଣାଦିକୁ  ବୁଝାଏ  ।  ଶ୍ରଦ୍ଧାର  ସହ  ଯାହା  ଅର୍ପଣ  କରାଯାଏ  ତାହା  ଶ୍ରାଦ୍ଧ  ।  ବିଧିଅନୁସାରେ    ତର୍ପଣ  କରିବା  ଓ  ମାସିକ,  ତ୍ରୟମାସିକ  ବା  ବାର୍ଷିକ  ଶ୍ରାଦ୍ଧାଦି  କରି  ପିତୃ  ପୁରୁଷଙ୍କ  ଶ୍ରଦ୍ଧାର  ସହ  ଶ୍ରାଦ୍ଧ  ଦେଲେ  ତାହା  ପିତୃଯଜ୍ଞ  ପାଲଟେ  ।  ପିତୃପୁରୁଷଙ୍କୁ  ସ୍ମରଣ  କରିବା  ସକଳ  ମାନବର  କର୍ତ୍ତବ୍ୟ,  ଅତୀତର  ଐତିହ୍ୟ  ସ୍ମରଣ  କରି  ପିତୃପୁରୁଷଙ୍କୁ  ସମ୍ମାନ  ଦେବା  ହେଉଛି  ପୁରୁଷାନୁକ୍ରମିକ  ପିଢ଼ି  ।  
ସେଭଳି  ମାନବ  ଜୀବନରେ  ନୃଯଜ୍ଞ  ପାଳନୀୟ  ଏକ  ପବିତ୍ର  କର୍ତ୍ତବ୍ୟ  ବୋଲି  ଧରାଯାଏ  ।  ଅର୍ଥାତ  ଆଶ୍ରିତ  ପଶୁ  ପକ୍ଷୀ  ତଥା  ନିରାଶ୍ରୟ,  ଅନାଥମାନଙ୍କ  ପ୍ରତିପାଳନ  କରିବା  ।  ଏପରିକି  ସେମାନଙ୍କ  ଭରଣ/ପୋଷଣ  ସହ       ଅତିଥି  ସତ୍କାର  କରିବା  ହେଉଛି  ନୃଯଜ୍ଞ,  ଅର୍ଥାତ  ଦରିଦ୍ର,  ଆତୁର  ମଣିଷର  ସେବା,  ସମାଜର  କଲ୍ୟାଣକର  କାର୍ଯ୍ୟ ରେ  ଅଂଶଗ୍ରହଣ  କରିବା,  ଆର୍ଥିକ  ସହାୟତା  ଦେବା  ହେଉଛି   ନୃଯଜ୍ଞ  ।  ଗୀତାରେ   କୁହାଯାଇଛି,  କେବଳ  ନିଜର  ଉଦର   ପୂରଣରେ   ଜନକାର୍ଯ୍ୟରେ  ଅବହେଳା  କଲେ  ପାପ  ଲାଗିବା  ବିଶ୍ୱାସ  ରହିଛି  ।
ସେଭଳି  ଭୂତଯଜ୍ଞ  କହିଲେ   ମନୁଷ୍ୟୋତ୍ତର  ପ୍ରାଣୀମାନଙ୍କ  ଖାଦ୍ୟ,  ପାନୀୟ  ଦ୍ବାରା  ସେବା  ଯତ୍ନ  କରିବା,  ରୋଗରେ   ପଡ଼ିଥିବା  ରୋଗୀର  ଚିକିତ୍ସା  କରିବା  ହେଉଛି  ଭୂତଯଜ୍ଞ  ।  ଭାରତବର୍ଷରେ  ଗୁରୁ,  ଗଙ୍ଗା,  ଗାୟତ୍ରୀ  ଓ  ଗୋ'ଜାତିକୁ  ଦେବତା  ଭାବେ  ଗ୍ରହଣ  କରାଯାଇଛି  ।  ଯେଉଁମାନେ  ସେମାନଙ୍କୁ  ଦେବ/ଦେବୀଙ୍କ  ସଙ୍ଗେ  ଅର୍ଥାତ  ଈଶ୍ବରୀୟ  ଜ୍ଞାନ  କରି  ପୂଜା  କରନ୍ତି,  ସକଳ  ଘଟେ  ନାରାୟଣ  ବିଦ୍ୟମାନ  ମନେ  କରନ୍ତି,  ତାହାହିଁ  ଭୂତଯଜ୍ଞ  ।  କେହି  ଶତ୍ରୁ  ନୁହେଁ  ବା  ଆତ୍ମିୟ  ନୁହନ୍ତି,  ଏହି  ଚରମ  ସତ୍ୟକୁ  ଭାରତବର୍ଷ  ଆଧ୍ୟାତ୍ମିକ  ଶିକ୍ଷା  ଦେଇ  ଆସିଛି  ।
ଭାରତ  ବର୍ଷର  ମୂଳ  ଦିବ୍ୟଗୁଣ  ରହିତ  ଶିକ୍ଷା  ହେଉଛି  ବ୍ରହ୍ମକୁ  ଜାଣିବା,  ଚିହ୍ନିବା  ଓ  ବ୍ରହ୍ମମୟ  ପାଲଟିବା,  ମାୟା,  ମୋହ  ଅଳିକ  ସଂସାରରେ  ମୃତ୍ୟୁହିଁ  ଧ୍ରୁବ  ସତ୍ୟ  ।  ନିର୍ବୋଧ  ମାନବ   ବୁଝି  ପାରେନାହିଁ,  ଏ  ସୁଖ/ଦୁଃଖ  ଦୋଳାୟତ  ଖେଳରେ  ନିମର୍ଜିତ  ରହି,  ଋଷିଗଣଙ୍କ  ପ୍ରଦର୍ଶିତ  ପଞ୍ଚ  ମହାଯଜ୍ଞରେ  ଅସମର୍ଥ  ପାଲଟେ  ।  ତେଣୁ  ପ୍ରତ୍ୟେକ  ଏହି  ପଞ୍ଚ  ମହାଯଜ୍ଞକୁ  ଅନୁସରଣ  କଲେ  ପରମ  ସତ୍ୟର   ମହାନନ୍ଦ,  ମହାସୁଖ,  ମହାଶାନ୍ତିରେ  ପରମ  ସହ  ମହାମୁକ୍ତି  ପାଇ  ମରଣଶୀଳ  ଦୁନିଆଁରେ  ଅମରତ୍ବ  ଲଭିପାରିବ   !!!

ଓଡ଼ିଆ  ଭାଷା  ଓ  ସାହିତ୍ୟ  ବିଭାଗ
ମହାନଦୀ  ବିହାର   ମହିଳା  ସ୍ନାତକ  ମହାବିଦ୍ୟାଳୟ,  କଟକ-4
ଦୂରଭାଷ  :  ୯୪୩୭୭   ୪୦୨୮0