OUR READERS STATUS AROUND THE GLOBE : INDIA-362119 CANADA-354 CHINA-881 FRANCE-1727 GERMANY- 2083 QATAR - 61 SINGAPORE - 1114 UNITED STATES - 14819 UNITED KINGDOM - 553 UNITED ARAB EMIRATES - 926 UKRAINE-47 UNKNOWN REGIONS-5627

ପ୍ରବନ୍ଧ - କ୍ରାନ୍ତୀର ଅନ୍ୟନାମ ଭଗତ - ନାରାୟଣ ଚନ୍ଦ୍ର ସେନାପତି

ପ୍ରବନ୍ଧ - କ୍ରାନ୍ତୀର ଅନ୍ୟନାମ ଭଗତ - ନାରାୟଣ ଚନ୍ଦ୍ର ସେନାପତି


"ସ୍ବାଧୀନତା ନୁହଁ କାହା ବୋପାର ସମ୍ପତ୍ତି
ଯେ ରଖିଛି ଜାବୁଡି ଧରି,
ଜୋର ଜବରଦସ୍ତ ଆଣିବା ଛିଣ୍ଡାଇ
ମରିବା ପଛକେ, ନ ଡରି ।"

ସ୍ୱର୍ଣ୍ଣପ୍ରସୂ ଭାରତବର୍ଷର ଭାଗ୍ୟ ଆକାଶରେ ଦୁର୍ଭାଗ୍ୟ ରୂପୀ ପରାଧୀନତାର କଳାବାଦଲ ହୋଇ ଯେତେବେଳେ କ୍ରୁର ବ୍ରିଟିଶ ମାଡି ଆସିଥିଲା, ତାକୁ ଧୂଳିସାତ କରିବାକୁ ମଧ୍ୟାହ୍ନ ସୁର୍ଯ୍ୟ ରୂପେ ଜନୈକ ଲେଲିହାନ ଅଗ୍ନିଶିଖା ଆବିର୍ଭାବ ହୋଇଥିଲେ, ସେ ଆଉ କେହି ନୁହଁ, ସେ ଆମ ଭାରତ ବର୍ଷର  ଅମ୍ଳାନ ତାରକା,ଦୀପ୍ତିମନ୍ତ ଜ୍ୟୋତିଷ୍କ, ବିଖ୍ୟାତ କ୍ରାନ୍ତୀକାରୀ ଭଗତ ସିଂ।ସାମ୍ପ୍ରତିକ ଜଗତରେ ଯାହାଙ୍କ ନାମ ଧରିଲେ ବିପ୍ଳବର ଶିହରଣ ଖେଳେ,ଯାହାଙ୍କର ଛବି ଆଖିଆଗରେ ଉଭା ହେଲେ ଦେଶାତ୍ମବୋଧକ ନାରା ସ୍ୱତଃସ୍ଫୁର୍ତ୍ତ ନିସୃତ ହୁଏ,ଯିଏ ଥିଲେ ସ୍ବାଧୀନତାର ମୂଳମନ୍ତ୍ର,ଜଟିଳ ସୂତ୍ର,ଜାଗ୍ରତ ପ୍ରହରୀ  ସେ ହିଁ ଆମ ଅମର ଶହୀଦ ଭଗତ ସିଂ। ପବିତ୍ର ପଞ୍ଚନଦୀର ସ୍ଥାନ ତଥା ଐତିହାସିକ ସିଂହ ଭୂମି ପଞ୍ଜାବର ଲାୟଲପୁର ଜିଲ୍ଲାର ବଙ୍ଗା ଗାଁ ଭୁଇଁରେ ଦେଶ ଭକ୍ତ ପିତା କାଶନ ସିଂ ଓ ଦରଦୀ ବାତ୍ସଲ୍ୟମୟୀ ମାଆ ବିଦ୍ୟାଦେବୀଙ୍କ କୋଳମଣ୍ଡନ କରିଥିବା ଅଦ୍ବିତୀୟ ତାରକା ୧୯୦୭ ମସିହା ସେପ୍ଟେମ୍ବର ୨୮ରେ ଭାରତମାତାର ପଦ ବନ୍ଦନା ପାଇଁ ସତେ ଯେମିତି ଦେବଦୂତ ରୂପେ ପ୍ରେରିତ ହୋଇଥିଲେ ପୁଣ୍ୟମୟୀ ଏଇ ଭାରତବର୍ଷକୁ।ଶିଶୁ ବେଳୁ ଦେଶାତ୍ମବୋଧକ ସଂଗୀତଟେ  ଶୁଣିଲେ ତାଙ୍କ ଲୋମମୁଳ ଟାଙ୍କୁରି ଉଠୁଥିଲା,ଦେଶର ଲୋକଙ୍କୁ ନିର୍ଯ୍ୟାତନା ତ ଦୂରର କଥା କିଏ କଠୋର ଶବ୍ଦଟେ କହିଦେଲେ, ତା ଜିଭ ଉପାଡ଼ିଦେବାକୁ ତାଙ୍କ ପ୍ରାଣ କହୁଥିଲା; ତାଙ୍କ ସମ୍ବନ୍ଧରେ ବର୍ଣ୍ଣନା କରିବା ଯେତିକି କଷ୍ଟ ସେତିକି ସୌଭାଗ୍ୟର କଥା ମଧ୍ୟ।

ଏକ ମଧ୍ୟବିତ୍ତ କୃଷକ ପରିବାରରେ ଜନ୍ମନେଇ ପିତାଙ୍କ ପାଖରୁ ପ୍ରତ୍ୟହ ଦେଶଭକ୍ତି ପୂର୍ଣ୍ଣ ଗଳ୍ପ ଶୁଣି ନିଜକୁ ବୀର ବୋଲି ଭାବୁଥିଲେ ସେ।ମା'ର ବିବେକୀ ମମତମୟୀ ନୀତିପୂର୍ଣ୍ଣ ଶିଷ୍ଟ ଶିକ୍ଷା ତା ଜୀବନକୁ ମାତୃପ୍ରୀତି,ମାତୃଭୂମି ପ୍ରତି ଅନାଵିଳ ପ୍ରେମର ମୂଳମନ୍ତ୍ର ପ୍ରଦାନ କରିଥିଲା।
ସେତେବେଳେ ଭଗତକୁ ୧୨ବର୍ଷ ବୟସ। ବିଦ୍ୟାଳୟର ଏକ ଉଚ୍ଚ ଧୀଶକ୍ତିସମ୍ପନ୍ନ ଉଦୀୟମାନ ବିନୟୀ ଛାତ୍ର। ପରାଧୀନ ଭାରତ ବର୍ଷର ବାର୍ତ୍ତା ତା କୋମଳ ହୃଦୟକୁ ଧୀରେ ଧୀରେ ସ୍ପର୍ଶ କରୁଥାଏ।କେଉଁଠି ସୈତାନ୍ ବ୍ରିଟିଶ୍ ର ଚାବୁକ ମାଡ଼,ଲାଠିମାଡ଼ ତ କେଉଁଠି ଗୁଳିଗୋଳା ବାରୁଦର ବର୍ଷଣ।କଅଁଳ ମନରେ ଶକ୍ତ ଆଲୋଡ଼ନ ଦୋଳାୟମାନ ଭାବେ ଖେଳୁଥାଏ।ଜୀବନର ପହିଲି ମୋଡ଼ ଟାଣିନେଲା ସେଦିନର ସେହି ଇଂରେଜର ବର୍ବର ଉନ୍ମୁକ୍ତ କାଣ୍ଡ।

୧୯୧୯ ମସିହା,ପଞ୍ଜାବର ଅମୃତସରର ଜାଲିୱନାବାଗ ପ୍ରାଙ୍ଗଣରେ ଜାତିର ପିତା ମହାମାନବ ମହାତ୍ମାଗାନ୍ଧୀଙ୍କ ନେତୃତ୍ୱରେ ସରଳ ନିରୀହ ୨୦ହଜାରରୁ ଉର୍ଦ୍ଧ୍ଵ ଭାରତୀୟଙ୍କୁ ନେଇ ସ୍ବାଧୀନତା ଆନ୍ଦୋଳନ ନିମିତ୍ତ ଏକ ସାଧାରଣ ସଭା ଚାଲିଥିଲା।କେମିତି କୁଚକ୍ରୀ ବଣିକ ଜାଣିଲା କେଜାଣି,ମାଇକେଲ୍  ଜେନେରାଲ ଡାୟାରଙ୍କ ନିର୍ଦ୍ଦେଶରେ  ଅତର୍କିତ ଗୁଳିଚାଳନାରେ ଦଗ୍ଧ ହେଲେ ହଜାର ହଜାର ଭାରତୀୟ।ଆହତ ଓ ଅକର୍ମଣ୍ୟ ସଂଖ୍ୟା ଏତେ ଯେ ଦେଖିଲେ ଆଖିରୁ ଲୋତକ ଝରି ପଡିବ।ଏ ହତ୍ୟାକାଣ୍ଡ ଭଗତର ହୃଦୟକୁ କ୍ଷତବିକ୍ଷତ କରିଦେଲା।ନିଜ ରକ୍ତକୁ ଟକଟକ ଫୁଟାଇ ଯଥାଶୀଘ୍ର ତାଙ୍କୁ ଧ୍ୱଂସ କରିବାକୁ ଦେଶପ୍ରୀତିଟା ଆହ୍ୱାନ କରୁଥିଲା।ହେଲେ ୧୨ବର୍ଷର ଭଗତ ଥିଲା ନାଚାର ଓ କିଂକର୍ତ୍ତବ୍ୟବିମୁଢ।ହେଲେ ସେ ହିଂସା ବିରୁଦ୍ଧରେ ଜାଳିବାକୁ ଥିବା ନିଆଁ, ପ୍ରତିମୁହୂର୍ତ୍ତରେ ଲାଲ ଟହ ଟହ ହୋଇ ଜଳୁଥାଏ।ଭାରତ ମାତା କୀ ଜୟ ସ୍ଲୋଗାନ ଓ ବୈମାନ ଇଂରେଜଙ୍କ ଅନ୍ୟାୟର ପ୍ରତିଶୋଧ ନେବାକୁ ପ୍ରତଜ୍ଞାବଦ୍ଧ ହୋଇଥିଲେ ସେ । ବିପ୍ଳବ, ଆନ୍ଦୋଳନ ଓ ବିଦ୍ରୋହର ଶାହେନସା ବୋଳାଉଥିବା ଏ ଭଗତ ସିଂ ବୀର ଦର୍ପରେ ଗଢ଼ିଥିଲେ ନୟା ଯବାନ ଭାରତ ସଭା,ହିନ୍ଦୁସ୍ଥାନ ସୋସିଆଲିଷ୍ଟ ରିପବ୍ଲିକସ,କୀର୍ତ୍ତି ସମାଜ ପାର୍ଟି ଓ ପରେ ପରେ କରିଥିଲେ ସ୍ୱାଧୀନତା ଆନ୍ଦୋଳନରେ ସକ୍ରିୟ ଅଂଶଗ୍ରହଣ।

ଜୀବନର ଅନ୍ୟତମ ବୃହତ ମୋଡ଼ ଆଣିଲା ୧୯୨୮ରେ ।ବ୍ରିଟିଶ ସାଇମନ କମିଶନ ପ୍ରଣୟନରେ ଅନ୍ୟାୟ ଅନୀତି।ଲାଲା ଲାଜପତ ରାୟଙ୍କ ନେତୃତ୍ୱରେ ହେଲା ଏହାର ପ୍ରତିରୋଧ।ଜେମ୍ସ ସ୍କଟ ଙ୍କ ନିର୍ଦ୍ଦେଶରେ ହେଲା ଲାଠିମାଡ଼।କ୍ଷତବିକ୍ଷତ ହେଲେ କେତେ ଯେ ଭାରତୀୟ,ସବୁଠୁ ଆଧିକ ହେଲେ ଲାଲାଜୀ।ଦୁର୍ଭାଗ୍ୟର କଥା ଲାଲା ମୃତ୍ୟୁବରଣ କଲେ ଏଥିନିମନ୍ତେ ଇଂରେଜଙ୍କୁ ଦୋଷୀ କରିଥିଲେ ବି କର୍ଣ୍ଣପାତ କରି ନଥିଲା ବ୍ରିଟିଶର ଅନ୍ଧା ଆଇନ୍ ।ଚାଲିଲା ଭଗତଙ୍କ ନେତୃତ୍ୱରେ ବିଦ୍ରୋହ, ବୋମା ବିସ୍ଫୋରଣ।ମାତ୍ର ମୃତ୍ୟୁ ବରଣ କଲେ ଜେ ପି ସୌନ୍ଦରସ୍, ସହ ସୁପରିଣ୍ଟେଣ୍ଡେଣ୍ଟ ଅଫ୍ ପୋଲିସ।ଦାୟୀ କରାଗଲା ଭଗତଙ୍କୁ।

ଏ ସମୟରେ ଆଉ ଜଣେ ବୀର ଭାରତୀୟ ବ୍ୟାଘ୍ର ପରି ମାଡି ଆସି ଭଗତଙ୍କ ସହ ହାତ ମିଳାଇଲେ,ସେ ଥିଲେ ଚନ୍ଦ୍ର ଶେଖର ଆଜାଦ।୧୯୨୯ ଅପ୍ରେଲ ଆଠରେ ଆସେମ୍ଲି  ଚାଲିଥିଲା ବେଳେ ଭଗତ ଓ ବଟକୃଷ୍ଣ ସହ କେତେକ ସାଥୀ ବୋମା ବର୍ଷଣ କଲେ।ଅନେକ ବ୍ରିଟିଶ ଆହତ ହେଲେ,ଧୂଆଁ ମାଡ଼ ଭିତରୁ ଭଗତ ଓ ଅନୁଗାମୀଙ୍କ ଇନ କିଲାଵ ଜିନ୍ଦା ବାଦ ଧ୍ଵନି ଚିହ୍ନା ପକାଇଲା ତାଙ୍କ କଣ୍ଠସ୍ୱରକୁ।ଦୋଷୀ ସାବ୍ୟସ୍ତ ହେଲେ ସେ।

୧୯୨୯ ମସିହାରେ ଲାହୋର ଠାରେ ବେଆଇନ ବମ୍ ମେନୁଫ୍ୟାକ୍ଚରିଙ୍ଗ ଧରାପଡ଼ିଲା । ତେବେ ସୌନ୍ଦରଙ୍କ ମର୍ଡର,ଆସେମ୍ବଲି ବୋମିଙ୍ଗ, ବମ ମେନୁଫାକଚାରିଙ୍ଗ ଆଦି ଅପରାଧରେ ଦୋଷୀ ବୋଲି ଧରିବାକୁ ଖୋଜାଗଲା ଓ ସିଆଇଡି ହାତରେ ଧରା ପଡିଲେ ସେ ଓ ତାଙ୍କ ଦୁଇ ଅନୁଗାମୀ।ପ୍ରଥମେ ଦିଲ୍ଲୀ ଜେଲ୍ ଓ ପରେ ମିଆନୱଳି ଜେଲ୍ ଦଣ୍ଡ ଭୋଗିବାକୁ ପଡିଲା ତାଙ୍କୁ।ଜେଲ୍ ରେ ଖାଦ୍ୟ,ରହଣୀ,ଅନ୍ୟାୟ ପୂର୍ଣ୍ଣ ଆଶାତୀତ କ୍ରୀତଦାସ ପରି ଖଟାଇବା ବିରୁଦ୍ଧରେ କଲେ ଆମରଣ ଅନଶନ।

ବ୍ରିଟିଶର ଅକଲ ଗୁଡୁମ୍ ହୋଇଗଲା।କାରଣ କମିଶନ ପାଶ୍ କଲା ରାଜନୈତିକ ବନ୍ଦୀଙ୍କୁ ସମସ୍ତ ସୁବିଧା ଦେବା ପାଇଁ।ଜେଲ ଭିତରେ ବୈପ୍ଲବୀଙ୍କ ଆଚରଣକୁ ଭିତ୍ତି କରି ଭଗତଙ୍କୁ କରାଗଲା ସାଧାରଣ ଅପରାଧୀ ଓ ବିଚାରରେ ଘୋଷଣା କରାଗଲା ତାଙ୍କ ଫାଶୀଦଣ୍ଡ । ନିର୍ଭୀକ ବୀର ସିଂହ ଛୁଆ ଭଗତକୁ ଏ ସବୁ ଲାଗୁଥିଲା ବାମ ହାତର ଖେଳ ଓ ଉପଭୋଗ୍ୟ ଜିନିଷ ଭଳି।ଲଢୁଆ ମାଟିର ବଢ଼ୁଆ ଯବାନ ପକ୍ଷେ ଏ ସବୁ ନ ଥିଲା ଯନ୍ତ୍ରଣାଦାୟକ ବରଂ ଏହା ପରୋକ୍ଷରେ ଜାତି ଭାଇ ପାଇଁ ତାଙ୍କ ଭାଷାରେ ମନ୍ତ୍ରଣାଦାୟକ।

ଭାରତ ଆକାଶରେ ପରାଧୀନତାର ଆକାଶରେ ପାଖେଇ ଆସିଲା ଅମାବାସ୍ୟାର ସୂର୍ଯ୍ୟ ପରାଗ।ଜାଜୁଲ୍ୟମାନ ତାରକାଟା ୧୯୩୧ ମସିହା ୨୪ ତାରିଖରେ ଯିବ କ'ଣ କୂଟଚକ୍ରାନ୍ତରେ ତା ପୂର୍ବ ୨୩ ବିଳମ୍ବିତ ରାତିରେ ଫାଶୀ ଖୁଣ୍ଟରେ ଝୁଲି ଲୁଚିଗଲା ।ନିର୍ବାସନ ଥାଇ ବି ହସି ହସି ଭାରତ ମାତାର ନାରା ଦେଇ ଚାଲିଗଲା ସିନା ହେଲେ କହିଗଲା, ମୋ ବୀର ମାଟିରେ ଭଗତଙ୍କର ଅଭାବ ନାହିଁ।ବୀର ପ୍ରସଵିନୀ ମା' ମାନଙ୍କ କୋଳରୁ ଜାତ ତେଜିୟାନ ଭଗତ ମାନେ ନିଶ୍ଚୟ ସ୍ବାଧୀନତା ଛଡେଇ ଆଣିବେ ଏ ଜାରଜଙ୍କ ଠାରୁ।ଏମାନେ ଏଇମିତି ଜାରଜ ହୋଇ ବଂଶ ବିସ୍ତାର କରି ଶେଷରେ ନର୍ଦ୍ଦମା କୀଟ ପରି ମରିବେ। ଫାଶୀ ପୂର୍ବରୁ ଭାରତୀୟ ନେତା,ଦେଶପ୍ରେମୀ ବୁଦ୍ଧୀଜୀବୀ ଅନେକ କାକୁତି- ମିନତି,ଅନୁରୋଧ କରିଥିଲେ ବି ନିର୍ଦ୍ଦୟର ହୃଦ ତରଳି ନ ଥିଲା।ସ୍ତବ୍ଧ ଚକିତ ଭାରତୀୟ ମର୍ମାହତ ହୋଇ ରକ୍ତ ଚାଉଳ ଚୋବାଇ ଖୋଜୁଥିଲା ପ୍ରତିଶୋଧର ଦିନ,ତାରିଖ ଓ ମୁହୂର୍ତ୍ତ।କେବେ ସେ କରିବ ଭଗତ ସିଂ ର ଆଶା,ଆକାଂକ୍ଷା ଓ ପ୍ରତିଜ୍ଞା ପୁରଣ।କରିବ ତା ସନ୍ତାପିତ ଆତ୍ମାକୁ ତୃପ୍ତ । ଶହୀଦ ହୋଇଗଲେ ସିନା ଭଗତ,ହେଲେ ଆଜି ବି ମାନବ ଆଶ୍ଚର୍ଯ୍ୟ ହୋଇ ଯାଏ କଳ୍ପନା କରି ସେଦିନର ସେ ଦାମ୍ଭିକ ଯୁବକର କୃତିକୁ ଭାବି।ଯିଏ ଫୁଟନ୍ତା ତେଲ କଡେଇକୁ ଡେଇଁ, ଅବା ଜ୍ୱଳନ୍ତ ନିଆଁ ହୁଳାକୁ ଡେଇଁ ନିଆଁ ଲଗେଇ ସେଠାରୁ ଦୁର୍ଦ୍ଧଷଙ୍କ ଆଖିରେ ଧୂଳି ଦେଇ ଖସି ଆସୁଥିଲା।

 ଆଜି ବି ସ୍ୱାଧୀନତା କଥା ପଡିଲେ ସର୍ବାଗ୍ରେ ଆସେ ଭାଗତଙ୍କ ନାମ ଯିଏକି ସ୍ବାଧୀନତାକୁ ମୂଳ ମନ୍ତ୍ର କି ମୂଳ ବ୍ରତ କରିଥିଲେ। ଆଜିବି ଦେଶପ୍ରେମ କଥା ପଡିଲେ ଭାରତୀୟ ମନେ ପକାଏ ଭାଗତଙ୍କ ଜୀବନର ଶ୍ରେଷ୍ଠ ୧୦ଟି କଥା ଯାହା ଥିଲା କ୍ରାନ୍ତୀକାରୀ ଭାଗତଙ୍କ ବ୍ରତ । ଜୀବନ ତ କେବଳ ଶକ୍ତି ଓ ସାମର୍ଥ୍ୟ ବଳରେ ଜୀଆହୁଏ । ଅନ୍ୟର କାନ୍ଧରେ ତ କେବଳ ଶବ ହିଁ ଉଠେ । ଶ୍ରମିକ ମାନେ ହିଁ କେବଳ ସମାଜରେ ତିଷ୍ଠି ପାରନ୍ତି । ବନ୍ଦୀଥିବାବେଳେ ତାଙ୍କ ଉକ୍ତି ତନ୍ତୀକୁ ଥରାଇ ଦେଉଥିଲା। ମୁଁ ଏପରି ଜଣେ କଏଦୀ ଯିଏ କି ବନ୍ଦୀ ଗୃହରେ ସ୍ୱାଧୀନ ଓ ମୁକ୍ତ । ତାଙ୍କୁ ଅନ୍ୟାୟ ଓ କଦର୍ଯ୍ୟ ବ୍ୟବହାର ପାଇଁ ସେ କହିଥାନ୍ତି, ବ୍ୟକ୍ତିକୁ ଅପଦସ୍ତ କରାଯାଇ କେବେ ତାର ବିଚାର ହତ୍ୟା କରାଯାଇପାରେନା  ମୁଁ ଏକ ମଣିଷ ଓ ଯାହା ସବୁ ଆଉ ଜଣେ ମଣିଷ ବା ମାନବିକତାକୁ ପ୍ରଭାବିତ କରିବା ମୋତେ ସେଥିରେ ହିଁ ଶାନ୍ତି ମିଳେ । ଇଂରେଜଙ୍କ ହେୟଜ୍ଞାନ ଓ ଚେତାବନୀ ପାଇଁ ତାଙ୍କ ସେ ବ୍ରତ ଯୁକ୍ତ ଉକ୍ତି; ଯଦି ବଧୀରଙ୍କୁ ଶୁଣାଇବାର ଆଛି ତ କଣ୍ଠ ସ୍ୱର ସେତିକି ଅଧିକ ହେବ ଉଚିତ୍*,ଅତି ମାର୍ମିକ। ଯିଏ ବିକାଶ ପାଇଁ ଛିଡା ହୁଏ ତାକୁ ରୁଢୀବାଦ ଆଲୋଚନା କରିବାକୁ ହେବ, ତାକୁ ଅନ୍ୟକୁ ଅବିଶ୍ୱାସ କରିବାକୁ ହେବ ଓ ନିର୍ବାଚନ ଲଢ଼ିବାକୁ ହେବ ।

ଜଣେ ସଚ୍ଚା ଦେଶପ୍ରେମୀ ଭାବେ ତାଙ୍କ ଉକ୍ତି, ଦେଶର ସେବା କରିବା ହିଁ ମୋର ଧର୍ମ ଦର୍ଶାଇ ଦିଏ ତାଙ୍କ ଜୀବନର ଧର୍ମ କ'ଣ ? ନିଜର ଦୃଢତାକୁ ପ୍ରତିଫଳିତ କରେ ତାଙ୍କ ସେ କଥା, ମଣିଷ ସେତେବେଳେ କିଛି କରେ ଯେତେବେଳେ ତା ନିଜ କର୍ମକୁ ନେଇ ସେ ନିଶ୍ଚିତ ଥାଏ ।ନିଜ କର୍ମ, ଧର୍ମ ଉପରେ ବିଶ୍ୱାସ ରଖି ତାଙ୍କ ଉକ୍ତି ଯାହା ବଳିଷ୍ଠ ଥିଲା, ସଂସାର ଆପଣଙ୍କୁ ଉଦାହରଣ କରି ନିଜକୁ ବଦଳାଇବା ପାଇଁ ବାଧ୍ୟ ହୋଇ ପଡୁ । ଆଜି ସିନା ଭଗତ ନାହାନ୍ତି ହେଲେ ତାଙ୍କ କର୍ମ,ଧର୍ମ,ଉକ୍ତି,ଦୃଢତା ଓ ବିଶ୍ୱାସ ଭାରତୀୟଙ୍କ ଭଗତ କରୁ ଓ ସିଂହ କରି ଗଢି ତୋଳୁ, ଭାରତୀୟ ଯୁବକ ଦିବାସ୍ବପ୍ନ ଦେଖି ନିଜକୁ ଭଗତ ସିଂ ର ଦାୟାଦ ଭାବି କହୁ... କ୍ରାନ୍ତୀର ଅନ୍ୟନାମ ପରା ଭାଗତ ।

ଛୋଟ ଫୁଲ କଢି ହୋଇ ଥିବା ବେଳେ ନିଜର ଉତ୍ସର୍ଗୀକୃତ ମନୋଭାବ ଓ ସ୍ବାଧୀନ କାଙ୍ଗଲ ପ୍ରେମ ଭାବ ଆଜି ମନେ ପକାଇ ଜାତି ରାଷ୍ଟ୍ର ଧକେଇ ହୋଇ କାନ୍ଦେ ଓ ପୁନରାବୃତ୍ତି କରି କହେ ସେ ଅଭୁଲା ଦୁର୍ଲ୍ଲଭ ଉକ୍ତି, *"ମୋର ଜୀବନକୁ ମୁ ଏକ ମହାନତାମ କାମରେ ଉତ୍ସର୍ଗ କରିଦେଇଛି।ତାହା ହେଉଛି ଦେଶର ସ୍ବାଧୀନତା।ସେଥିପାଇଁ କୌଣସି ଇଛା କି ଆରାମ ମୋତେ ପ୍ରଲୋଭିତ କରି ପାରିବ ନାହିଁ ।"

ନାରାୟଣ ଚନ୍ଦ୍ର ସେନାପତି, ଜମ୍ଭରା, କେନ୍ଦୁଝର

0 Comments