ପ୍ରବନ୍ଧ - କିଛି ଅବୁଝା କଥାର ବ୍ୟଥା - ସନ୍ତୋଷ କୁମାର ମହାନ୍ତି

ପ୍ରବନ୍ଧ - କିଛି ଅବୁଝା କଥାର ବ୍ୟଥା - ସନ୍ତୋଷ କୁମାର ମହାନ୍ତି

    ମଣିଷ ଏ ପୃଥିବୀର ସବୁଠୁ ବୁଦ୍ଧିମାନ ପ୍ରାଣୀ |ସେଥିପାଇଁ ସେ ବିରାଟକାୟ ହାତୀକୁ ଆୟତ୍ତ କରିପାରିଛି |ଆଉ ଚନ୍ଦ୍ରରେ ଘର ତୋଳିବାର ପ୍ରୟାସ ଜାରି ରଖିଛି |କିନ୍ତୁ ସେହି ବୁଦ୍ଧିମାନ ମଣିଷ ମାନଙ୍କ ଭିତରୁ ଅନେକ  ଏମିତି କିଛି କାମ କରୁଥାନ୍ତି  ତାହା ଅନ୍ୟକୁ ଆଚମ୍ବିତ ଲାଗୁଥିଲେ ମଧ୍ୟ ସେହି ମଣିଷ ମାନେ ସେସବୁ କରିବାରେ ଭାରି ଖୁସି ପାଆନ୍ତି |ସେ ସବୁ କାମଗୁଡିକ କେତେ ଦୂର ତା ନିଜ ପାଇଁ ଗୁରୁତ୍ୱ ରଖେ ସେ ସବୁ ଚିନ୍ତା କରିବାଟା ସେ ଉଚିତ ମନେ କରେନା ଆଉ ଯଦି କେହି ତାର ସେ କାମ ଉପରେ କିଛି ଟିପ୍ପଣୀ ଦେଇଦେଲା ତାହା ହେଲେ କହିବା ଵାଲାର  ବେଳ ସେଦିନ ଖରାପ ପଡିଲା  ଜାଣ |
    ସମସ୍ତେ ଜାଣନ୍ତି ମଦ୍ୟ ପାନ ,ବିଡି,ସିଗାରେଟ ,ଖଇନି,ଗଂଜେଇ ,ହେରୋଇ଼ନେ ,ଚରସ ସବୁ ଦେହ ଖରାପ କରେ |କିନ୍ତୁ ଏ ସବୁର ବବ୍ୟହାର ଆଜିର ମଣିଷ ମାନଙ୍କ ଭିତରେ ଏତେ ବଢି ଗଲାଣି ଯେ  ନିଶା ପାନ ଗୋଟେ ଫେଶନରେ ପରିଣତ ହୋଇଗଲାଣି |ମାଦକ ଦ୍ରବ୍ୟ ଖାଇ  ପଛେ ଦେହ ଖରାପ ହେଇଯାଉ କିନ୍ତୁ ସେଇଟା ନ ଖାଇଲେ ଆଜିର ଦିନରେ କୁଆଡେ ମଣିଷ ଆଉ ମଣିଷରେ ଗଣା ହେଉନି |
     ସମସ୍ତେ ଜାଣନ୍ତି ଠାକୁର ପ୍ରସାଦ ଖାଆନ୍ତି ନାହିଁ କିନ୍ତୁ ମଣିଷ ଠାକୁର ପାଖେ ଯେତେ ପ୍ରସାଦ ନେଇ ଅର୍ପଣ କରେ ସତରେ ଯଦି ମହାପ୍ରଭୁ ପ୍ରସାଦ ସେବନ କରୁଥାନ୍ତେ ଏ ମଣିଷ ଏତେ ପ୍ରସାଦ ଠାକୁର ପାଖେ ନେଇ ରଖନ୍ତା ନାହିଁ |ଏ ଦେଶରେ କୋଟି କୋଟି ଶିଶୁ କ୍ଷୀର ଟିକେ ନ ପାଇ ଅସ୍ଥି କଙ୍କାଳ ସାର ହୋଇପଡନ୍ତି |କିନ୍ତୁ ବର୍ଷର ପ୍ରତି ସୋମବାର ଓ ବିଶେଷ ପୂଜା ଦିନ ଗୁଡିକରେ ଶିବ ଲିଙ୍ଗରେ ଦେଶ ବ୍ୟାପି କୋଟି କୋଟି ଲିଟର କ୍ଷୀର ଢଳାଯାଏ ଆଉ ସେହି ସବୁ କ୍ଷୀର ପାଦୁକା କୁଣ୍ଡରେ ମନ୍ଦିର ବାହାରକୁ ଯାଏ ଆଉ ତାକୁ କୁକୁର, ମାଙ୍କଡ ସବୁ ଖାଉଥାନ୍ତି |
      ଆଗେ ୨୫ ଖଣ୍ଡ ଗାଁରେ  ଳେଖକଟିଏ ନ ଥିଲେ |ସୋସିଆଲ ମିଡ଼ିଆର ପ୍ରଭାବ ଫଳରେ ଏବେ ଘରେ ଘରେ ମାଳ ମାଳ ଲେଖକ ଓ ଲେଖିକା |ଲେଖା କିଏ ପଢୁ କି ନ ପଢୁ ରାତି ରାତି ସାହିତ୍ୟିକ୍ ହେବାର ଭାରି ନିଶା |ଆଉ କିଛି ଲେଖକ ,ଲେଖିକା ନିଜ ଖର୍ଚ୍ଚରେ ସଂକଳନ ପରେ ସଂକଳନ କରିବାରେ ଭାରି ଆଗୁଆ କିନ୍ତୁ ସେମାନଙ୍କ ଭିତରୁ ଅନେକଙ୍କ ଲେଖାରେ ଭାଷା,ଭାବ ଓ ଚିନ୍ତନ ସମୃଦ୍ଧ ହେଉନି କିନ୍ତୁ ସେମାନେ ସେମାନଙ୍କ ସଂକଳନକୁ ନେଇ ଏତେ ଗର୍ବିତ ଯେ ସାହିତ୍ୟରେ ସାଧନା ଜାରି ରଖି ଆଗକୁ ବଢୁଥିବା ସ୍ରଷ୍ଠାଟିଏ ସେମାନଙ୍କ ବାହାସ୍ଫୋଟ ପାଖରେ ଠିଆ ହେଇ ପାରେନା |
      ନେତାଟିଏ  ନିର୍ବାଚନ ବେଳେ ପାଞ୍ଚଶ କି ହଜାରେ ଦେଇ ପାଞ୍ଚ ବର୍ଷ ଯାଏ ଭୋଟର ମୁଣ୍ଡ କିଣି ନିଏ |ଭୋଟର ବି ନେତାର ଚାଲକୁ ବୁଝିପାରେ କିନ୍ତୁ ବୁଝିକି ବି ସେ ନିର୍ବାଚନ ବେଳେ ଯୋଉ ଦଳ ଯାହା ଦେଲା ପକେଟରେ ପୁରେଇ ଦିଏ| ଆଉ ପାଞ୍ଚ ବର୍ଷ ଯାଏ ବିଧାୟକ,ସାଂସଦ ,ସରପଂଚଙ୍କ ପାଖରେ  ଠିଆ ହେବାକୁ ସାହସ କରି  ପାରେନା |
     ବନ୍ଦ ବେଳେ ସମସ୍ତେ ହଇରାଣ ହୁଅନ୍ତି |କିନ୍ତୁ ଏ ଦେଶରେ ନିଜର ଦାବି ପୂରଣ ହେଉ ବା ନ ହେଉ ବନ୍ଦକୁ ଅତି ଆଗ୍ରହ ସହିତ କରିବାରେ ଆମ ମାନଙ୍କ ଭିତରେ ବହୁତ  ଝୁଙ୍କ |  ରାସ୍ତା ଘାଟ  ଜାମ କରି ସରକାରୀ ଓ ବେସରକାରୀ ସମ୍ପତି ନଷ୍ଟ କରିବାରେ ଅନେକ ଲୋକଙ୍କୁ ଆନନ୍ଦ ମିଳେ| ସେଇଟା ନ କରିପାରିଲେ ଆମ ପରୁଷ ପଣିଆ ଜଣା ପଡ଼େନି |
 ମଣିଷ ସବୁ ଦାୟିତ୍ୱ ନିଜେ ମୁଣ୍ଡେଇ ପାରେନା |କିନ୍ତୁ ଏ ଦୁନିଆର କିଛି ମଣିଷ ନିଜକୁ ଅତି ଯୋଗ୍ୟ ଦେଖେଇ ହେଇ ସାମୁହିକ କାମରେ ଅନେକ  ଦାୟିତ୍ୱ ମୁଣ୍ଡକୁ ନେଇଯାନ୍ତି  କିନ୍ତୁ ଠିକ ବେଳକୁ ସେମାନଙ୍କ  ଦେଖା ମିଳେନି |ଏଣେ ସମେସ୍ତେ ତାର ପାରିବା ପଣିଆକୁ ନେଇ ଯାହା କହିଲେ ବି ତାର ଫରକ ପଡ଼େନି |ମଣିଷ ଜାଣିଛି ସତ ଉପରେ ଯେତେ ପରଦା ଢାଙ୍କିଲେ ବି ସତ ପଦାକୁ ଫୁଟିକି  ବାହାରେ କିନ୍ତୁ ଏ ଦୁନିଆର ଅଧାରୁ ଅଧିକ ମଣିଷ ମିଛକୁ ଜପାମଳି କରି ବଞ୍ଚିଛନ୍ତି |
   କିଛି ଲୋକ ଦୁନିଆରେ ସମସ୍ତକୁ ଖୁସି କରିବାକୁ ଚାହାନ୍ତି କିନ୍ତୁ ଦୁନିଆରେ ସମସ୍ତକୁ ଖୁସି କରିବା ଏତେ ସହଜ ନୁହେ |କିଛି ମଣିଷ ନିଜର ଫୁଟାଣି ଗୁଣ ଯୋଗୁ ସମସ୍ତଙ୍କୁ ସବୁ କଥାରେ ' ହଁ' ମାରନ୍ତି ଆଉ ଠିକବେଳେ କାମଟା ନ କରିପାରି ଲଜ୍ଜିତ ହୁଅନ୍ତି ପଛେ କିନ୍ତୁ ନାହିଁ କରିବାଟା ସେମାନଙ୍କ ଜାତକରେ ନ ଥାଏ |
    ସରକାରୀ ବାବୁଙ୍କ ଲାଞ୍ଚ ନେବାଟା ତାଙ୍କ ଅଫିସରେ  ସମସ୍ତେ ଜାଣୁଥାନ୍ତି |ଥରେ ଦୁଇ ଥର ସେ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ି ଜେଲ ଯାଇଥାନ୍ତି  କିନ୍ତୁ ତା ପରେବି ଲାଞ୍ଚ ନ ନେଲେ ତାଙ୍କ କଲମ ଚାଲେନି ଆଉ ଦୁନିଆ ସେ ବାବୁଙ୍କୁ ଯାହା କହୁ ଥାଉ ପଛେ ସେଥିରେ ତାଙ୍କର କିଛି ଫରକ ପଡ଼େନି |
    ମଣିଷ ଜାଣିଛି ଯିଏ ସଂସାରରେ ଜନ୍ମ ହେଇଚି ସିଏ ମରିବ |ଆଉ ଏଇ ମରଣତ କାହାକୁ ଖବର ଦେଇକି  ଆସେ ନାହିଁ ତଥାପି ନିଶ୍ୱାସ ଚାଲିଥିବା ଯାଏଁ ମଣିଷ  ଗର୍ବ,ଅହଂକାର ଓ ଲୋଭ ଛାଡେ ନାହିଁ |ଏଇ ପୃଥିବୀରେ ମଣିଷ ଅଛନ୍ତି  କୋଟି କୋଟି ଦାନ ଦେଇ କେବେ ନିଜର ପ୍ରଚାର ,ପ୍ରସାର କରନ୍ତି ନାହିଁ ଆଉ କିଛି ଏମିତି ଲୋକ ଅଛନ୍ତି  ନିଜ ପକେଟରୁ ନ ଦେଇ ପର ଅର୍ଥରେ ଅସହାୟ ମଣିଷକୁ କମ୍ବଳ ଦୁଇଟା ଦେଇ ସେଲ୍ଫି ନେଇ  ଫୋଟୋ ପୋଷ୍ଟ କରି ନିଜକୁ ବଡ ଦାତା ବୋଲାଉଥାନ୍ତି  |ଆଉ କିଛି ଲୋକ ନିଜକୁ ସମାଜସେବୀ ଓ ଗରିବର ବନ୍ଧୁ କହି ଏମିତି ଗଳି କନ୍ଦିରେ ହୋର୍ଡ଼ିଂଗ ଲଗାଇଥାନ୍ତି ଆଉ ଖବରକାଗଜରେ ବିଜ୍ଞାପନ ଦେଉଥାନ୍ତି ସତରେ ଏଇ ସମାଜ ପାଇଁ ଏଠି କାନ୍ଦିବା ଲୋକଙ୍କ ତାଲିକା ଏତେଯେ ଆପଣ ବି ତାର ତାଲିକା କରିବା କାଠିକର ପାଠ ହୋଇପଡିବ |
  ଛୋଟ ଘର ଭିତରେ ମଣିଷ ଶାନ୍ତିରେ ରହିପାରୁନି |ନିଜେବି ନାନା ଅଶାନ୍ତି ଭିତରେ କୁହୁଳୁଛି  | ବୃଥା  ଅହମିକା,ଫୁଟାଣି ଓ ଚଞ୍ଚକତା ଭିତରେ ବୁଡି ରହି ମଣିଷ ଶାନ୍ତି ଠାରୁ ସଦା ଦୁରେଇ ଯାଉଛି ଆଉ ସେହି ମଣିଷ ଏଠି ବିଶ୍ୱଶାନ୍ତି ମହାଯଜ୍ଞର ଆୟୋଜନ କରି  ପୃଥିବୀରେ ଶାନ୍ତି ପାଇଁ ବିପୁଳ ଅର୍ଥର   ଘିଅ ପୋଡି ଶାନ୍ତିକୁ ଖୋଜୁଛି |ବାପା,ମା ବଂଚିଥିବା ବେଳେ ସେମାନଙ୍କ ଦେଖାଶୁଣା ପାଇଁ ସମୟ କାଢି ପାରୁନଥିବା ପୁଅ ମାନେ  ଦଶାହ କ୍ରିୟା ଓ ଶ୍ରାଦ୍ଧରେ  ଯୋଉ ଭଳି ଲୋକ ଦେଖାଣିଆ ଖର୍ଚ୍ଚ କରନ୍ତି ସତେକି ଏବେ ରାମଚନ୍ଦ୍ର ଓ ଶ୍ରବଣ କୁମାର ଭଳି ପୁଅ ମାନେ  ଏ ଧରାରେ ଥିବା ଭଳି ପ୍ରତୀୟମାନ ହୁଏ |ଘର ,ଗାଁ ,ନଗର  ଓ  ଦେଶରେ ନାରୀ ଉତ୍ତମ  ସମ୍ମାନ ପାଇପାରୁନି କିନ୍ତୁ ଏ ଦେଶରେ ମାତୃ ଶକ୍ତିକୁ ମୃଣୟ ମୂର୍ତି ରୂପେ ଏପରି ଭାବରେ ଗଳି କନ୍ଦି ଓ  ପାର୍ବଣ  ଗୁଡିକରେ  ପୂଜା କରାଯାଉଛି ଯେ କେହି ଭାବିବ ଏ ଦେଶରେ ନାରୀ ପ୍ରତି ଏଠି କିଛି ଅବିଚାର ହେଉନଥିବ  ଆଉ ଏ ଦେଶରେ ନାରୀ ପୁରୁଷ ଠାରୁ ତାର ଉପଯୁକ୍ତ ସମ୍ମାନ ପାଉଥିବ |
   ଦୁଇ ଓ ଚାରି ଲାଇନର ରାସ୍ତା ଆମ ପାଇଁ ପଡିଛି |ପାଦରେ ଚାଲିକି ଯାଉଥିବା  ଲୋକମାନଙ୍କ ପାଇଁ ରାସ୍ତା ବିପଦ ସଂକୁଳ ହୋଇପଡିଲାଣି  |ଆଉ ଯୋଉଠି ଫୁଟପାଥ ଅଛି ତା ଉପରେ ଗାଡି ପାର୍କିଙ୍ଗ କରିବା, ଦୁଇ ଚକିଆ ଗାଡି ଚଲେଇକି  ଯିବା ଆସିବା କିଛି ଲୋକଙ୍କ ଅଭ୍ୟାସରେ ପରିଣତ ହେଲାଣି |ପଦଚାରି ପାଇଁ ଫୁଟପାଥ ଏବେ ବିପଦ ସଂକୁଳ ହେଇଗଲାଣି ଆଉ ସେଠି କିଛି ଲୋକ ବେପାରର ଆସର ଖୋଲିଛନ୍ତି ତା ଆଉ ପ୍ରେମୀ ଯୁଗଳଙ୍କ ଫୁଟପାଥ ଉପରେ ଗପରେ ମାତି ଯାଉଛନ୍ତି ସେଇଟା ଫୁଟପାଥ କି ପାର୍କ ଜଣା ପଡୁନି |
   ସତରେ ଏ ମଣିଷର ଅନେକ କାମ,କଥା ଲେଖି  ବସିଲେ ପୋଥିଟିଏ ହେଇଯିବ ପଛେ ଲେଖା ସରିବନି |ଏଠି ଯିଏ ଯାହା ବୁଝିଛି ତାହା ସିଏ କରିଚାଲିଛି |ତାହା ପ୍ରକୁତରେ ସମାଜ ପାଇଁ କେତେ ଗ୍ରହଣୀୟ ଓ ସେସବୁର ପ୍ରୟୋଜନ ଅଛିକି ନାହିଁ ବିଚାର କରିବାର ବେଳ ଏଠି କାହାର ନାହିଁ ଆଉ ଯିଏ ଏଠି ସେହି ଭୁଲ ଗୁଡିକ ସେହି ମଣିଷ ମାନଙ୍କୁ  ଦେଖେଇ ଚେତେଇ ଦେବ  ସେ ଆକ୍ରୋଶର ଶିକାର ହେବ  ନହେଲେ ଗୋଟେ ପାଗଳର ଆଖ୍ୟା ପାଇବା ସାର ହେବ |ଏବେ ଦେଖିବାକୁ ବାକି ରହିଲା ସେହି ମଣିଷ ମାନଙ୍କର ଚେତନାର ଦ୍ୱାର କେବେ ଖୋଲୁଛି  ?

ସନ୍ତୋଷ କୁମାର ମହାନ୍ତି
ନବଜୀବନ ସମାଜ, ସଫା, କଟକ
ଦୂରଭାଷ ନମ୍ବର-୯୭୭୭୭୬୬୩୪୬

0 Comments