ହାତ ମୋ ଦେଉଛି ତୁମ ହାତେ ସାଥି
କରିବନି ମୋତେ ପର,
ସାକ୍ଷୀ ରହିଲା ଏ ବେଦୀ ହୋମ ନିଆଁ
ସାକ୍ଷୀ ଏ ଶଙ୍ଖା ସିନ୍ଦୁର II
ସାକ୍ଷୀ ଚଉଦିଗ ସାକ୍ଷୀ ପୁଣି ବେଦ
ସାକ୍ଷୀ ଏ ପୁର୍ଣ କଳସ ,
ସାକ୍ଷୀ ମନ୍ତ୍ର ପାଠ ସାକ୍ଷୀ ଯଜ୍ଞ କାଠ
ସାକ୍ଷୀ ଏହି କୁଳ ଦୀପ II
ରହିଥିବି ତୁମ ସାଥେ ସବୁ ଦିନ
ହୋଇ ଛାଇ ଟିଏ ପରି ,
ଆସୁ ଯେତେ ଝଡ ଝଞ୍ଜା ଅବା ଦୁଃଖ
ପଛାଇ ନ ଯିବି ଡରି II
ଜୀବନ ସାଥି ମୁଁ ତୁମକୁ ବରିଲି
ଜୀବନର ଶେଷ ଯାଏଁ ,
ହୃଦୟରେ ମୋତେ ଜାଗା ଟିଏ ଦେବ
ଏତିକି ମୁଁ ଆଜି ଚାହେଁ  II
ତୁମେ ମୋର ସ୍ୱର୍ଗ ତୁମେ ମୋ ଈଶ୍ୱର
ତୁମେ ହିଁ ତ ମୋର ପୂଜା,
ତୁମେ ମୋ ଦୁନିଆ ତୁମେ ମୋର ଲକ୍ଷ୍ୟ
ତୁମେ ମୋ ହୃଦୟ ରାଜା II

ସସ୍ମିତା ସାହୁ, ନାଶିକ, ମହାରାଷ୍ଟ୍ର