କବିଟିଏ ମୁହିଁ - ରମେଶ ଚନ୍ଦ୍ର ମିଶ୍ର

କବିଟିଏ ମୁହିଁ - ରମେଶ ଚନ୍ଦ୍ର ମିଶ୍ର


କବିଟିଏ ମୁହିଁ, ରବିଟିଏ ମୁହିଁ,
କଳ୍ପଲୋକର ସ୍ରଷ୍ଟାଟିଏ,
ଶବ୍ଦ-ଶୀଳାରେ ଶୂନ୍ୟ ଲୋକରେ
ଥାପିଦେଇପାରେ ହର୍ମ୍ୟଟିଏ
କଥା-କୁହୁକର ମୁଗ୍ଧମାୟାର ଯାଦୁକର
ମନ-ପକ୍ଷୀରାଜେ ବୁଲାଇପାରେ ମୁଁ
ମୁହୂର୍ତ୍ତକେ ସାରା ସଂସାର ।।୧

ଚିତ୍ରକର ମୁଁ ତୂଳି ବଦଳରେ
ଲେଖନୀ ମୂନରେ
ଶବ୍ଦର ଚିତ୍ର ଆଙ୍କିଥାଏ,
ଆଞ୍ଜୁଳା ଆଞ୍ଜୁଳା ଅନୁଭବ ରଙ୍ଗେ
ରଙ୍ଗ ମଖାଇ
ଚିତ୍ରେ ଜୀବନ ଦେଇଥାଏ,
ଆଖିଆଗେ ତୋଳି ଧରିଥାଏ ।

ସୃଷ୍ଟିକରତା ବ୍ରହ୍ମା ସାଜି ମୁଁ
କରେ ସୃଜନୀର ଶଙ୍ଖନାଦ
ଚାରି ବେଦ ଗାଇ ସମାଜ ହିତରେ
ସରଳ ତରଳ ଭାବ ଛନ୍ଦରେ
ଗାଏ ଗମ୍ଭୀରେ ଉପନିଷଦ,
ସଂସାର- ବିଷ ହରଣ ପାଇଁକି
ଔଷଧ ରୂପେ ଗଦ
ଖୁଆଇ ଜଗତ ଜନ ମାନସରୁ
ଦୂରେଇ ଦିଏ ମୁଁ ବିଷ ବିଷାଦ ।

ମରୁ ବୁକୁ ପରେ ସୃଷ୍ଟି କରେ ମୁଁ
ନନ୍ଦନ ବନ ପାରିଜାତ
ଜଳର ପ୍ଳାବନେ ଭିଜାଇ ଦିଏ ମୁଁ
କଠୋରତା, ରୁକ୍ଷ ଅବିଚାର
ଦୂରେଇ ଦିଏ ମୁଁ ଜୀବନର ଯେତେ
ମନତଳ ଘାତ ସଂଘାତ,
ଭୁଲାଇଦିଏ ମୁଁ ଜୀବନ ଯାତନା
ସଜାଏ ନିଜକୁ
ଦୁଃଖୀ ମଣିଷ ପରାଣ ମିତ ।

ସୃଷ୍ଟିର ବୁକେ ପ୍ରକୃତିର ଯେ ସାନ ସାନ ଉପାଦାନ
ସାଧାରଣ ଲୋକ ଦୃଷ୍ଟି ଅନ୍ତରେ ଲୁଚିଯାଏ
ମୋ ଆଖିରେ ତାର ମହନୀୟ ପଣ
ଦିଶେ ବୋଲି ଚଳ ଚଞ୍ଚଳ ହୁଏ
ଏ ମୋର କଲମ
କ୍ଷୁଦ୍ର ଭିତରୁ ବିରାଟ ସନ୍ଧାନ
ମୁଁ ଯେ ନିତି କରିଥାଏ
ପରମାଣୁ ଦେହୁ ପରମାତ୍ମାର ସନ୍ଧାନ କରି
ଜନତାର ଆଖି ଖୋଲିଦିଏ ।

ରମେଶ ଚନ୍ଦ୍ର ମିଶ୍ର
ସମ୍ପାଦକ, ତ୍ରିଧାରା ସାହିତ୍ୟ ସଂସଦ, ବଇଣ୍ଡା,  ଅନୁଗୋଳ

0 Comments