OUR READERS STATUS AROUND THE GLOBE : INDIA-362119 CANADA-354 CHINA-881 FRANCE-1727 GERMANY- 2083 QATAR - 61 SINGAPORE - 1114 UNITED STATES - 14819 UNITED KINGDOM - 553 UNITED ARAB EMIRATES - 926 UKRAINE-47 UNKNOWN REGIONS-5627

ପ୍ରବନ୍ଧ - ଗଛଟିଏ - ନାରାୟଣ ଚନ୍ଦ୍ର ସେନାପତି

ପ୍ରବନ୍ଧ - ଗଛଟିଏ - ନାରାୟଣ ଚନ୍ଦ୍ର ସେନାପତି


     ସାମ୍ପ୍ରତିକ ସମୟରେ ନିର୍ମମ ବିଶ୍ୱତାପନ ଓ ନିର୍ଦ୍ଦୟ ଅଂଶୁଘାତ ହିଂସୁକ ବାୟୁବାହିତ ରୋଗସହ ହାତ ମିଳାଇ ଯେତେବେଳେ ତାଣ୍ଡବ ଲୀଳା ସୃଷ୍ଟି କରେ, ସେତେବେଳେ ସ୍ରଷ୍ଟା ହିଁ ଆହ୍ୱାନ କରି ସତେ ଯେମିତି କୁହନ୍ତି..ଆସ ଲଗାଇବା ଗଛଟିଏ।ଉଦ୍ଭିଦ ଓ ପ୍ରାଣୀ ପ୍ରକୃତି ମୁଦ୍ରାର ଦୁଇ ଅବିଛିନ୍ନ ପାର୍ଶ୍ୱ, ସତେ ଯେମିତି ପରସ୍ପର ଜୀବନ ପାଇଁ ଜୀବନ ଦେବାକୁ ଆଙ୍ଗାଙ୍ଗୀ ଭାବେ ଛିଡା ହୋଇଛନ୍ତି ସମ୍ପର୍କର ବେଳାଭୂମିରେ।ଉଦ୍ଭିଦ କେତେବେଳେ ଗୁଳ୍ମ,କେତେବେଳେ ତୃଣ ତ କେବେ ବୃକ୍ଷ ବା ଗଛ ଭାବେ କଅଁଳିଆ ଲତାକୁ ହରି ଚନ୍ଦନ ଲେପିଲା ପରି ଗୁଡ଼ାଇ ସ୍ନେହ ମମତାର ରାକ୍ଷୀ ବାନ୍ଧିଥାଏ ତା ବନ୍ଧନର ବିଶ୍ୱାସ ହସ୍ତରେ।ତେବେ ଏ ଗଛର ମାହାତ୍ମ୍ୟ କିଏ ଜାଣୁ ବା ନ ଜାଣୁ,ସ୍ରଷ୍ଟାଙ୍କ ସର୍ବଶ୍ରେଷ୍ଠ ସୃଷ୍ଟି ମଣିଷକୁ କିଛି ଅଛପା ନାହିଁ।ଯେଉଁଥି ପାଇଁ ପୁରାଣରେ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇଛି, 

"ଶହେ ଗୁଣବାନ ପୁତ୍ର ଜନ୍ମ କରିବା ଅପେକ୍ଷା ଗୋଟିଏ ଗଛ ଲଗାଇ ବଡ଼ କରିବା ବହୁତ ଭଲ।"
     
    ଖାଲି ସେତିକି ନୁହଁ ବୈଜ୍ଞାନିକ ମାନଙ୍କ ପରୀକ୍ଷଣ,ସର୍ଭେ ଆଉ ବାସ୍ତବିକ ଆକଳନ କହେ,"ଗୋଟିଏ ବଡ଼ ବୃକ୍ଷ ତା ଜୀବନ କାଳ ଭିତରେ ପ୍ରାୟ ସାଢ଼େ ସତର ଲକ୍ଷ ଟଙ୍କାର ଉପକାର ଯୋଗାଇ ଥାଏ। ମାତ୍ର ଦୁଃଖଲାଗେ ଏ ଅଜ୍ଞ,ଦାୟିତ୍ୱହୀନ ସ୍ୱାର୍ଥପର ହିଂସୁକ ମାନବ ଯାହାକୁ ଦିନେ ବୃକ୍ଷ ଦେବତା ବୋଲି ପୂଜା କରୁଥିଲା, ସେହି ଅନୁପମ ସୃଷ୍ଟି ଗଛକୁ ଅନାୟାସରେ କାଟି ନିଜକୁ ମୃତ୍ୟୁର କବର ଖାନା ଭିତରକୁ ଆମନ୍ତ୍ରିତ କାହିଁକି କରୁଛି ? ବୃକ୍ଷ ଆଜି କାନ୍ଦୁଛି।ତା ଆଖିରୁ ଲୁହ ଧାର ଧାର ବହୁଛି।ବାସ୍ତବିକ ସେ କାନ୍ଦିବାର ତାତ୍ପର୍ଯ୍ୟ ଆମକୁ ଜଣାଥିଲେ ବି ଆମେ ଅଜଣା ପରି ଭୁଲି ଯାଉଛୁ ତା କର୍ତ୍ତୃତ୍ୱକୁ। ଗଛ ଥିଲା ଆଦିମ ମାନବର ବାପା ମାଆ।ବିଚରା ମାନବର ମୁହଁକୁ କିଛି ଦୂରରୁ ଦେଖି,ପରଖି, ତା ଡାଳକୁ ନୁଆଁଇ ନିମନ୍ତ୍ରଣ କରୁଥିଲା ଫଳ-ଫୁଲ-ପତ୍ର ଛିଣ୍ଡାଇ ଖାଇ କ୍ଷୁଧା ନିବାରଣ କରିବାକୁ।ତା ମୁଳ ପାଖକୁ ଡାକି, ଡାଳ-ପତ୍ରକୁ ମୁଣ୍ଡ ଉପରେ ଦେଇ ସେ ଦେଉଥିଲା ତାକୁ କୁଡ଼ିଆ ରୂପି ପ୍ରାସାଦର ଶୀତଳ ସ୍ପର୍ଶ।ଏମିତିକି ପତ୍ର,ଡାଳ ଓ ଛେଲିକୁ ଦେହରେ ଘୋଡାଇ ଦେଇ କରୁଥିଲା ସଭ୍ୟ ଓ କରୁଥିଲା  ମଧ୍ୟ ଶୀତ ତାପରୁ ରକ୍ଷା  ସହ ଲଜ୍ଜ୍ଵା ନିବାରଣ।ତେବେ ମୋଟ ଉପରେ ଏଇ ମହାମହିମ ବୃକ୍ଷ ହିଁ ଥିଲା ଖାଦ୍ୟ,ବସ୍ତ୍ର,ବାସଗୃହ ଆଦି ମୌଳିକ ଆଵଶ୍ୟକତା ର ପୃଷ୍ଠପୋଷକ।
     
     ଗଛ ହେଉଛି ବାସ୍ତବରେ ପ୍ରକୃତିର ଶୀତଳ କାରଖାନା।ପ୍ରାଣୀମାନଙ୍କ ଦ୍ଵାରା ନିର୍ଗତ ଦୂଷିତ ଗରମ ଅମ୍ଳଜାନକୁ ଆନନ୍ଦରେ ଶୋଷି ବିଶୁଦ୍ଧ ଶୀତଳ ଅମ୍ଳଜାନ ଦେଇ ପରିବେଶକୁ ଥଣ୍ଡା ଓ ବିଶୁଦ୍ଧ କରିଥାଏ ସେ।ପରୋକ୍ଷରେ ଗଛ ହିଁ ଆମ ଜୀବନ। କାରଣ ନିଦାଘ ଗ୍ରୀଷ୍ମର  ଶୋଷିତ ଜଳୀୟବାଷ୍ପକୁ ଉତ୍ସେଦନ ପ୍ରକ୍ରିୟାରେ ଶୋଷି ବାୟୁମଣ୍ଡଳକୁ ଯେଉଁ ବାଷ୍ପ ଛାଡେ ସେଥିରୁ ସୃଷ୍ଟି ହୁଏ ମେଘ ଓ ମେଘରୁ ଆମେ ପାଉ ବର୍ଷା।ପୁନଶ୍ଚ ବର୍ଷା କରାଇ ନୂତନ ଗଛର ଅଙ୍କୁରୋଦ୍ଗମ କରାଇବାର ମୁଖ୍ୟ କାରକ ହୋଇଥାଏ ସେ। ସତରେ ଗଛଟିଏ ହେଉଛି ପ୍ରତ୍ୟେକ ପ୍ରାଣୀ ପାଇଁ ଏକ ପ୍ରାକୃତିକ ଚିକିତ୍ସକ।ଶ୍ରେଷ୍ଠ ଜ୍ୟୋତିର୍ବିଦ ଚରକଙ୍କ ମତରେ ଏମିତି ଉଦ୍ଭିଦ ନାହିଁ ଯେ ଉପକାରୀ ନୁହଁ ବା ତାହାର ଔଷଧୀୟ ଗୁଣ ନାହିଁ।ଅଜ୍ଞ ମାନବ ଯାହାକୁ ଅଦରକାରୀ ବୋଲି ଭାବି କାଟିଦିଏ, ସେ ଜାଣେନା କି ତା ଭିତରେ ବି ଔଷଧୀୟ ଗୁଣ ପୁରି ରହିଛି।ପ୍ରତ୍ୟେକ ଗଛର ପତ୍ରହରିତ କଣିକା ଯୋଗୁଁ ହିଁ ସେ ତିଆରୁଥିବା ଶର୍କରାଜାତୀୟ ଖାଦ୍ୟ ଆମ ଜୀବନ ଧାରଣର ପ୍ରମୁଖ ଉପାୟ।

   ନିଦାଘ ଗ୍ରୀଷ୍ମରେ ମୁଣ୍ଡଫଟା ଖରା ଓ ଅଂଶୁଘାତରୁ ମୁକ୍ତି ଦେଇଥାଏ ଗଛର ସୁଶୀତଳ ଛାଇ।ଯେଉଁ ମୃତ୍ତିକା ଆମ ଆସ୍ଥାନ,ଯାହାକୁ କର୍ଷଣ କରି ବୀଜବପନ ଓ ଶସ୍ୟ ଉତ୍ପାଦନ ଫଳରେ ଆମ ଜୀବନ ବଞ୍ଚିଛି, ସେ ମୃତ୍ତିକାକୁ ଗଛର ଚେର ହିଁ ଜାବୁଡି ଧରିଥାଏ।ମାଡି ଆସୁଥିବା ଝଡ,ତୋଫାନ ସହ ସମ୍ମୁଖ ଯୁଦ୍ଧ କରି  ତାଙ୍କୁ ଘଉଡ଼ାଇ  ରଖିବାରେ ସମର୍ଥ ହୁଏ ସେ ବହୁ ଧନ ଜୀବନ ଓ ବାସ ଗୃହ ସୁରକ୍ଷିତ।ଖାଲି ସେତିକି ନୁହଁ, କ୍ଷୀପ୍ର ଗତିରେ ମାଡି ଆସୁଥିବା ଦୁର୍ଦ୍ଦର୍ଶ ବନ୍ୟାର ପ୍ରଖର ସ୍ରୋତ ଦୁଇକୁଳରେ ବୃକ୍ଷ ଥିବା ହେତୁ ମୃର୍ତ୍ତିକା କ୍ଷୟ କରିବାରୁ ମଧ୍ୟ ବଞ୍ଚିତ ହୁଏ।

   ବାସ୍ତବରେ ଗଛ ଏକ ସୁରକ୍ଷା କର୍ମୀ ଓ ଜାଗ୍ରତ ପ୍ରହରୀ ।ଯେତେବେଳେ ବିଜୁଳି ଆଲୋକର ଅନୁପସ୍ଥିତ ସେତେବେଳେ ଏହାର କାଠରେ ଜଳା ନିଆଁ ହିଁ ଆଲୋକିତ କରେ।ତା ଦେହର ଶୁଖିଲା ଅଂଶକୁ ଜାଳି ମଣିଷ ରାନ୍ଧେ କେତେ ସ୍ୱାଦିଷ୍ଟ ଖାଦ୍ୟ।ଶୀତ ସକାଳରେ ତାର ଶୁଖିଲା ଅଂଶକୁ ଜାଳି ଦରିଦ୍ର ପାଏ ଉଷୁମ ତାପ।ତା ଦେହର ମେରୁଦଣ୍ଡକୁ କାଟି ବଢ଼େଇ କରେ ଚେୟାର,ଟେବୁଲ,ଆଲମାରୀ..ଏଇମିତି କେତେ ଆସବାବ ପତ୍ର।ବର୍ଷା ଦିନରେ ଯେବେ ନଦୀ ଜଳ ଫୁଲି ମତୁଆଲା ହୋଇ ଅଟ୍ଟହାସ୍ୟ କରେ, ତା ଦୁଇକୁଳକୁ ଛୁଇଁ ଯାତାୟାତ କରିବା ପାଇଁ ସେ ଦେଇଥାଏ ତା ଶରୀରର ମଞ୍ଜ, ଗଢିବାକୁ ଡ଼ଙ୍ଗା।ସତରେ ସେ ଜଣେ ଏପରି ନିଃସ୍ୱାର୍ଥପର ଦୟାଳୁ ସେବକ ଯାହାଙ୍କ ଆଲୋଚନା ହିଁ ଧୃଷ୍ଟତା। ବହିଟିଏ ପାଇଁ ଶିଶୁଟିଏ ଯେବେ କାନ୍ଦୁଥାଏ, ସେଇ ଗଛ ଶହୀଦ ହୋଇ ତା ଦେହକୁ ଅର୍ପଣ କରିଥାଏ ନିର୍ଦ୍ଦ୍ଵନ୍ଦରେ।ବୈଜ୍ଞାନିକଙ୍କ ମତରେ ୧ଟନ କାଗଜ ଛାପିବା ପାଇଁ ଲୋଡାହୁଏ ୧୭ଟି ବଡ଼ ବୃକ୍ଷର ସର୍ବାଙ୍ଗ ଶରୀର।ଶାଳ ଗଛଟିଏ ଦେହରୁ ରକତ ନିଗାଡି ଦେଇଥାଏ ସୁଗନ୍ଧିତ ଝୁଣା।ତା ଫୁଲର ମଧୁକୁ ମଧୁମକକ୍ଷୀକାକୁ ଦେଇ ଗଢେ  ମଧୁମୟ ମହୁ।କେଉଁଠି ନିଜ ଦେହକୁ ଦେଇ ଗଢାଏ ଭୁଲ୍  ଲିଭା ଆଉ ଠିକ୍ କରିବାକୁ ଆମନ୍ତ୍ରଣ କରିବା କୁନି ରବରଟିଏ।

   ମଣିଷ ପ୍ରତ୍ୟକ୍ଷ ଓ ପରୋକ୍ଷରେ ଯେଉଁ ଜୀବଙ୍କ ଉପରେ ନିର୍ଭରଶୀଳ ସେମାନଙ୍କୁ ସେ ଆଦରରେ ଆତିଥ୍ୟତ ଦେଇଥାଏ,ବାସଗୃହ ବି ଦେଇଥାଏ।ତା ଡାଳରେ ବସି ଗୀତ ଗାଇ ନାଚିଲା ବେଳେ ତା ମନ କୁଂଢେମୋଟ ହୋଇଯାଏ। ଯଦି ଦୁଃଖିଟିଏ ସର୍ବସ୍ୱ ହରାଇ ତା ସାହାଯ୍ୟ ଲୋଡେ--  ଫଳ, ମୂଳ ଦେଇ ତା ଜୀବନ ରଖେ,ଡାଳ ଦିଏ ବିକ୍ରି ପରିବାର ପୋଷିବାକୁ,ଡାଳ ଗଣ୍ଡି ଦିଏ ଘର ବନେଇବାକୁ,ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଦିଏ ପତ୍ର ଓ ବଳିପଡ଼ିଥିବା ଖୁଣ୍ଟି କେଇଖଣ୍ଡ।ବର୍ଷା ଖରା ପାଇଁ ତା ମୁଣ୍ଡରେ ଜୋଖିଥାଏ ପ୍ରାକୃତିକ ଛତା।
     
  ସତରେ ଗଛଟିଏ ନିଜ ସର୍ବସ୍ୱ ଦାନ କରି ମାନଵକୁ ଏକାଧାରରେ ଖାଦ୍ୟ,ବସ୍ତ୍ର,ବାସଗୃହ,ଔଷଧ,ଜାଳେଣି,ଅମ୍ଳଜାନ ସଙ୍ଗେ ସଙ୍ଗେ କାଠ ସରଞ୍ଜାମ,ବର୍ଷା, ମୃତ୍ତିକା ସଂରକ୍ଷଣ,ପରିବେଶ ଶୁଦ୍ଧ,ଥଣ୍ଡା ଓ ଅନେକ ଅନେକ ଆଵଶ୍ୟକତା ଯୋଗାଇଥାଏ।ହେଲେ କୃତଜ୍ଞତା ପରିବର୍ତ୍ତେ ମଣିଷ ତାଠୁ ସର୍ବସ୍ୱ ପାଇ ଉପକୃତ ହେବା ସଂଗେ ସଙ୍ଗେ ନିଜ ଜୀବନକୁ ବଞ୍ଚାଇବି ତାକୁ ଧ୍ବଂସ କରିବାକୁ ପଛାଏ ନାହିଁ।ଜାଣୁଛି ଉଦ୍ଭିଦ ବିନା ପଲକେ ତିଷ୍ଠିବା ଅସମ୍ଭବ ତଥାପି ସେ ନିଜ ଗୋଡ଼କୁ ନିଜେ ନିଜ ଟାଙ୍ଗିଆରେ ଚୋଟ ମାରିବାକୁ ବି ପଶ୍ଚାତ ପଦ ହୁଏନାହିଁ।ଗଛକୁ ବହୁତ କଷ୍ଟ ଯନ୍ତ୍ରଣା ରେ ଦଗ୍ଧ କରିବାକୁ ବି ତିଳେ ମାତ୍ର ପଛାଏ ନାହିଁ।

  ଆଜି ଅତ୍ୟାଧୁନିକତାର ସ୍ପର୍ଶରେ ହେଉ ବା ଜନସଂଖ୍ୟା ବିସ୍ଫୋରଣ ପାଇଁ ଆବଶ୍ୟକ ହେଉ, ଘନ ଜଙ୍ଗଲ ପଦା କରି ମଣିଷ ଗଢୁଛି ଅଭିନବ ସଡ଼କ,ନଭଶ୍ଚୁମ୍ବୀ ପ୍ରାସାଦ।ବୃକ୍ଷ ଲତା ହ୍ରାସ ଯୋଗୁଁ ଅଭୟାରଣ୍ୟ ବି ଧ୍ୱଂସ ପ୍ରାୟ।ପୁରାତନ ପଶୁପକ୍ଷୀଙ୍କର ନାଁ ଇତିହାସ ବୃଦ୍ଧି କରିବାରେ ଲାଗିଛି।ଏଥିଯୋଗୁଁ ଐତିହ୍ୟ ବି ଗୁମୁରି ଗୁମୁରି କାନ୍ଦୁଛି ତା ବଂଶ କ୍ଷୟ ପାଇଁ।

   ସତେ ଯେମିତି ଲାଗେ ଗଛଟି ନିଜ ଜୀବନ ପାଇଁ ନୁହଁ ମାନବ ଜାତିର ସୁରକ୍ଷା, ସୁସ୍ଥତା ପାଇଁ ଜନ୍ମ ହୋଇଛି।ସେ ଆକୁଳ କଣ୍ଠରେ ନିବେଦନ କରି କହୁଛି ,ହେ ମୋର ପ୍ରିୟ ମାନବ ସମାଜ;ଗଛଟିଏ ଲଗାଅ,ତାର ଯତ୍ନ ନିଅ,ସୁରକ୍ଷା କର।ଯଦି ବଞ୍ଚିବାକୁ ଚାହଁ ତେବେ ଗଛଟିଏ ରୋଇ ବଞ୍ଚାଅ.. ବଢାଅ।ଯଦି ସୃଷ୍ଟିର ସ୍ଥିତି ଚାହଁ ତେବେ ଗଛର ସ୍ରଷ୍ଟା ହୁଅ।ଯଦି ସଭ୍ୟ,ଶିକ୍ଷିତ ହୋଇ ସଂସ୍କୃତିକୁ ଉଜ୍ଜୀବୀତ ରଖିବାକୁ ଚାହଁ ତେବେ ଗଛଟିର ଆତ୍ମାକୁ ଚିହ୍ନ,ତାକୁ ଭଲ ପାଅ, ଶ୍ରଦ୍ଧା କର,ତା ସ୍ପନ୍ଦନକୁ ନିଜ ସ୍ପନ୍ଦନରେ ମାପ।ମୁଁ ପରା ଗଛଟିଏ,ଆଉ ତୁମ ଓଠର କୁନି ହସ ଟିଏ।

ନାରାୟଣ ଚନ୍ଦ୍ର ସେନାପତି, ଜମ୍ଭରା, କେନ୍ଦୁଝର

0 Comments