OUR READERS STATUS AROUND THE GLOBE : INDIA-362119 CANADA-354 CHINA-881 FRANCE-1727 GERMANY- 2083 QATAR - 61 SINGAPORE - 1114 UNITED STATES - 14819 UNITED KINGDOM - 553 UNITED ARAB EMIRATES - 926 UKRAINE-47 UNKNOWN REGIONS-5627

କ୍ଷୁଦ୍ରଗଳ୍ପ - ଗଛ ମାଉସୀ - ନାରାୟଣ ଚନ୍ଦ୍ର ସେନାପତି

କ୍ଷୁଦ୍ରଗଳ୍ପ - ଗଛ ମାଉସୀ - ନାରାୟଣ ଚନ୍ଦ୍ର ସେନାପତି


    ଆମ ଫୁଲ ଆଈଟା ଗଛକୁ ବହୁତ ଭଲ ପାଏ।ଯେତେବେଳେ ଦେଖିବ ଗଛ ସାଥିରେ ଲାଗିଥିବ।ଗଛ ଲଗାଇବା,ପାଣିଦେବା, ତାର ଯତ୍ନ ନେବା ସତେ ଯେମିତି ତାର ନିତି ଦିନିଆ କାମ, ପରମ ଧର୍ମ।ଗଛକୁ ଭାବେ ନିଜର ଅତି ଆପଣାର ନାତି କି ନାତୁଣୀ।ବେଳେବେଳେ ସେ ନାତୁଣୀ ସୁଜ୍ଞାନୀ କୁ କହେ, ଏ ଗଛ ଠିକ୍ ଆମ ମଣିଷ ପରି।ତାକୁ ଭଲ ପାଇଲେ,ଆଦର ଯତ୍ନ କଲେ,ସେ ପରା ଆମ ନିଜ ପରିବାରର ଜଣେ ହୋଇ ଆମକୁ ଭଲ ପାଇବ ଓ ସର୍ବସ୍ୱ ଅର୍ପଣ କରି ଦେବ।ଏକଥା ନାତୁଣୀ ମନକୁ ପାଏନାହିଁ।ସେ ଠୋ ଠୋ ହୋଇ ହସେ।ମନେ ମନେ ଭାବେ ମୋ ଫୁଲ ଆଈ ଟା କିଛି ଜାଣେନାହିଁ।ଖାଲି ପାଗଳି ପରି ଏଣୁ ତେଣୁ କଣ କହି ଦେଉଛି।ବଗିଚାରେ ଖେଳେଇ ଦେଉନି।କହୁଛି ମୋ ଗଛ ଭାଙ୍ଗିଯିବ।ଟିକେ ଗଛଟା ର ଡାଳ କି ପତ୍ର ଭାଙ୍ଗିଗଲେ ରାଗିଯାଏ,ଗାଳିଦିଏ। ସୁଜ୍ଞାନୀ ଆଜି ସାଥୀମାନଙ୍କୁ କହିଛି ଖରାବେଳେ ଆସିବେ,ଫୁଲଆଈ ଯେତେବେଳେ ଶୋଇ ପଡିବ ବଗିଚାରେ ଫୁଟବଲ ଖେଳିବ।ଏଣେ ଆଈ ଚେଇଁ ଚେଇଁ ଶୋଇଛି,କେତେବେଳେ ନାତୁଣୀ ମାନେ ଖେଳିଲେ ସେ ଯାଇ ମନାକରିବ।

     ଖରାବେଳ,ସୁଜ୍ଞାନୀ ଦେଖିଲା ଆଈ ଶୋଇଛି,ସେପଟେ ସାଙ୍ଗମାନେ ଗେଟ୍ ଠକ୍ ଠକ୍ କଲେଣି।ବଲଟିକୁ ଧରି ଧିରେ କବାଟ ଖୋଲି ସାଥୀମାନଙ୍କ ସଙ୍ଗେ ଚାଲିଲା ବଗିଚା କୁ।ଫୁଲଆଈ ଧିରେ ଧିରେ , ପଛେ ପଛେ।ଆରମ୍ଭ ହେଲା ଖେଳ।ଫୁଲଆଈ ବଡ଼ ପାଟିରେ ଚିତ୍କାର କରି କହୁଥାଏ,ଆରେ ପିଲେ,ଖେଳ ନାରେ,ମୋ ଗଛ ଭାଙ୍ଗିଯିବ।ଚାହୁଁ ଚାହୁଁ ଭାଙ୍ଗିଗଲା ଫୁଲକୁଣ୍ଡରେ ଥିବା ସୁକୁମାରୀ ଫୁଲଗଛଟା। ଫୁଲଗଛଟା କୁ ଠିଆ କରୁ କରୁ ଆଈର ପାଟିରୁ ବାହାରିଥାଏ,ମୋ ଗଛଟିକୁ ଭାଙ୍ଗିଦେଲରେ।ଆଖିରୁ ତା'ର ଲୁହ ଧାର ଧାର ବହୁଥାଏ।କହୁଥାଏ ମୋ ଗଛଟାକୁ କେତେ କଷ୍ଟ ହେଉଥିବ କହିଲ? ସୁଜ୍ଞାନୀ କହିଲା-ଆଈ, ଗଛର କଣ ଜୀବନ ଅଛି.. ଯେ ତାକୁ କଷ୍ଟ ହେବ, ସେ କାନ୍ଦିବ? ତୁମେ ଜାଣି ନ ରେ ପିଲେ,ସେ ପରା ଆମ ମଣିଷ ପରି ଜୀବଟିଏ,ଆଈ ଥର ଥର ଗଳାରେ ଉତ୍ତର ଦେଲା। ଫୁଲଆଈ ର ଆଖିର ଲୁହକୁ ଦେଖି କାହିଁକି କେଜାଣି ସୁଜ୍ଞନୀ ଗଭୀର ଭାବେ ଚିନ୍ତା କରୁଥାଏ।ମୋ ଆଈ ଗଛକୁ, ଆମକୁ ଭଲ ପାଇଲା ପରି ଆଦର କରୁଛି,ଏତେ ଯତ୍ନ ନେଉଛି।ସତରେ ସେ କଣ ଅଜ୍ଞାନ?ନା ମୋତେ ଏ ବିଷୟରେ ଜଣା ନାହିଁ।

     ସେଦିନ ଖାଇସାରି ଶୋଇଲା ସୁଜ୍ଞାନୀ।ପାହାନ୍ତା ସମୟ ଉପନୀତ।ସପନରାଣୀ ତାକୁ ଦେଇଥିଲା କୋମଳ ସ୍ପର୍ଶ।ତା କାନରେ ବାଜିଲା କାହାର କଇଁ କଇଁ କ୍ରନ୍ଦନର ସ୍ୱର।କବାଟ ଖୋଲି ଦେଖିଲା, ସବୁଜ ଵର୍ଣ୍ଣ ଆଧାରିତା ତରୁଣୀ ଟିଏ।ସୁଜ୍ଞନୀ ସେ କିଏ ଓ କାନ୍ଦିବାର ଅଭିପ୍ରାୟ ପଚାରିଲା।ଦୁଃଖ ଦରଦ ଓ ନରମ ଗଳାରେ କହିଲା ମୁଁ ପରା ତୁମ ଗଛ ମାଉସୀ।କାଲି  ମୋତେ କିଏ ଭାଙ୍ଗିଦେଲା,ମୋ ଦେହରେ କେତେ ଯେ କଷ୍ଟ ହେଲା। ତୁମ ମଣିଷ ମାନେ ମୋତେ ବହୁତ କଷ୍ଟ ଦେଉଛନ୍ତି।ମୁଁ ମୋ ଜୀବନ ଦେଇ ତାଙ୍କୁ ଭଲ ପାଉଛି କିନ୍ତୁ କୃତଜ୍ଞ ପରିବର୍ତ୍ତେ ସେମାନେ କୃତଘ୍ନ ଓ ନିଷ୍ଠୁର ହୋଇ ମୋତେ ଓ ମୋ ଭାଇ ଭଉଣୀଙ୍କୁ କେତେ ଯେ ନିର୍ଯ୍ୟାତନା ଦେଉଛନ୍ତି!

   ସୁଜ୍ଞାନୀ ତାଙ୍କ ଆଖିରୁ ଲୁହ ପୋଛିଦେଲା ଏବଂ କହିଲା,ଗଛ ମାଉସୀ, ସତରେ ତୁମର କଣ ଜୀବନ ଅଛି?ମୋ ନାନୀ କୁ ତାଙ୍କ ଗୁରୁଜୀ ପଢ଼ାଇଲା ବେଳେ ଶୁଣିଥିଲି , ଯିଏ ଖାଏ,ଚାଲେ,ଶ୍ବାସକ୍ରିୟା କରେ,ବଢେ,ବଂଶବୃଦ୍ଧି କରେ ସେ ସିନା ଜୀବ।କିନ୍ତୁ ତୁମର...?ଗଛ ମାଉସୀ ବୁଝାଇ କହିଲା,ଆମେ ହେଲୁ ପାଦପ,ତୁମେ ଉପର ପାଟିରେ ଖାଅ ପିଅ,ହେଲେ ଆମେ ପାଦ ବାଟେ ପିଉ,ମୁଳ ମାଟିରୁ ଖଣିଜ ଲବଣ, ଖତ, ସାର ସବୁ ଖାଏ।ତୁମେ ସିନା ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ଗତିକରେ ହେଲେ ଆମର ଚେର ତଳକୁ ତଳକୁ ଚାଲେ।ତୁମେ ନାକରେ ବାୟୁ ନିଅ,ମାତ୍ର ଆମେ ପତ୍ର ବାଟେ ନେଉ।ତୁମର ରକ୍ତ ଅଛି ଲୁହ ଅଛି,ହେଲେ ଆମ ଦେହରେ ବି କ୍ଷୀର ଅଛି।ଆମର ମଞ୍ଜି,ଡାଳ,ଚେରରୁ ବି ନୂଆ ଗଛ ହୁଏ।ଆମର ବି ଜନ୍ମ ମୃତ୍ୟୁ ଅଛି।ତେଣୁ ସଜୀବର ସମସ୍ତ ଗୁଣ ଥିବା ଜୀବ ଆମେ। ସୁଜ୍ଞାନୀ ବୁଝି ପାରିଲା ଗଛ ମାଉସୀର କଥାକୁ,ଏବଂ କହିଲା ମାଉସୀ ହଁ ମାନୁଛି ତୁମର ଜୀବନ ଅଛି,ହେଲେ ତୁମେ ମଣିଷର କଣ ଉପକାର କରୁଛ ଯେ?

   ଗଛ ମାଉସୀ ସୁଜ୍ଞାନୀ ର ହାତ ଧରି ନାଚି ନାଚି ଗୀତ ଗାଇ ଗାଇ କହିଲା,ଖାଲି ଇପକାର ନୁହଁ,ଆମେ ମଣିଷର ଜୀବନ ପରା ବଞ୍ଚାଉଛୁ।ନିଶ୍ୱାସରେ ଛାଡୁଥିବା ଅମ୍ଳଜାନ ନେଇ ପରା ମଣିଷ ବଞ୍ଚେ।ଏହା ବିନା ସେ କଣ ମୁହୂର୍ତ୍ତେ ବଂଚି ପାରିବ?ଆମେ ଦେଉଥିବା ଫଳ, ଫୁଲ,ପତ୍ର,କାଣ୍ଡ,ମୁଳ ଖାଇ ପରା ସେ ବଞ୍ଚିଛି।ତୃଣ,ଗୁଳ୍ମ,ବୃକ୍ଷ,ଲତା ଏମାନେ ଆମ ପରିବାରର ସଦସ୍ୟମାନେ।ସେ ଯେତେ ପ୍ରକାର ଖାଦ୍ୟ ଖାଉଛି ସବୁ ପରା ଆମଠୁ ପାଉଛି। ଗଛ ମାଉସୀ, ସତରେ ତୁମେ ଖାଦ୍ୟ ଦେଉଛ ହେଲେ ନାନୀର ଗୁରୁମା କହୁଥିଲେ,ଜଳ ହିଁ ଜୀବନ,ତାକୁ ତ ତୁମେ ଦେଇନାହଁ, ହେଲେ ଜୀବନ କହୁଛ କେମିତି ? ଗଛ ମାଉସୀ କହିଲା,ହଁ ତାକୁ ବି ଆମେ ଦେଇଛୁ।ଖରାଦିନେ ନଦୀ ନାଳ ଗଡ଼ିଆ ପୋଖରୀର ଜଳ ବାଷ୍ପ ହୋଇ ଆକାଶକୁ ଉଠିଯାଏ, ସେ ସବୁ ବାଦଲ ହୋଇ ଘୁରିବୁଲେ,ସେଥରୁ ବର୍ଷା ହୁଏନା,ମାତ୍ର ଯେଉଁ ବାଷ୍ପକୁ ଆମେ ଆମପତ୍ର ଦ୍ୱାରା ଶୋଷି ଉତ୍ସେଦନ ପ୍ରକ୍ରିୟାରେ ବାୟୁମଣ୍ଡଳକୁ ଛାଡୁ ସେସବୁ ମେଘ ହୋଇ ରହେ,ବର୍ଷାଦିନେ ଥଣ୍ଡା ହୋଇ ପରା ବର୍ଷା କରାଏ।

  ବାଃ ମାଉସୀ, ସତରେ ତୁମେ ଆମକୁ ବହୁତ କିଛି ଦେଉଛ,ହେଲେ ଆମକୁ ତମେ ଆଉ କଣ କଣ କିଛି ଦେଉଛ କି କହିଲ? ଗଛ ମାଉସୀ କହିଲା,କପା,ଶିମିଳି ଆଦି ତୁଳାରୁ ପରା ସୁତା କାଟି ଲୁଗା ବୁଣି ମଣିଷ ପୋଷାକ ପାଏ।ମୋ ଡାଳ ଗଣ୍ଡି ନେଇ ପରା ଘର ତିଆରେ।ଖାଲି ସେତିକି ନୁହଁ, ଯେଉଁ ଭୁଇଁରେ/ମାଟିରେ ଘର ତିଆରେ ଆମେ ପରା ଆମ ଚେରରେ ସେ ମାଟିକୁ ଜାବୁଡି ଧରିଛୁ,ନଷ୍ଟ କରି ଦେଉନାହୁଁ।ଯେଉଁ ଶୁଖିଲା ଡାଳ ଦେଉଛୁ ସେଥିରେ ସେ ରୋଷେଇ କରି ଖାଦ୍ୟ ଖାଉଛି।ଯେତେବେଳେ ଖୁବ୍ ଜୋରରେ ପବନ ଦିଏ ନା, ଆମେ ତା ଓ ତା ଘର ଚାରିପାଖରେ ରହି ପବନ ଝଡ଼ ତୋଫାନ ସାଙ୍ଗେ ଯୁଦ୍ଧ କରି ତାକୁ ଓ ତା ଘରକୁ ସୁରକ୍ଷା ଦେଉ।ବନ୍ୟାଜଳ ମାଡି ଆସିଲେ ଦୁଇ କୂଳରେ ରହି ମାଟିକୁ ନଷ୍ଟ କରି ଦେଉନା।ତୁମ ଘରେ ଯେଉଁ ଖଟ,ପଲଙ୍କ,ଚେୟାର,ଟେବୁଲ,ଆଲଣା କାହାଠାରୁ ତିଆରି ଟିକେ ବୁଝି କହିବ ତ?

  ସୁଜ୍ଞାନୀ କହିଲା,ଆରେ ହଁ ଏକଥା ପରା ମୋ ବାପା କହୁଥିଲେ।ହେଲେ ମାଉସୀ ଆମକୁ ଯେବେ ରୋଗ ହୁଏ କାହିଁ ତୁମେ ତ ସାହାଯ୍ୟ କରିପାରନା।ଖାଲି ୨/୩ଟା ଗଛକୁ ଛାଡିଦେଲେ ଅନ୍ୟମାନେ ତ ସେଥିପାଇଁ ଅଦରକାରୀ। ଗଛ ମାଉସୀ କହିଲା,ଆରେ ନାଁ, ତୁମେ ଛୋଟ ପିଲା,ତୁମେ ଏ ବିଷୟରେ ଜାଣିନ।ଗୋଟେ ପୁଅ ଥିଲା,ସେ ହେଲା ଚରକ,ସେ ଆମ ସମସ୍ତଙ୍କ ଗୁଣ ଚିହ୍ନି କହିଦେଇଥିଲାନା ଆମର ଗୁଣ।ତେବେ ଏମିତି କୋଉ ଗଛ ନାହିଁ,ଏମିତିକି ବିଛୁଆତି, ବାଇଡଙ୍କ ପର୍ଯ୍ୟନ୍ତ,ସବୁ ଥିରେ ଔଷଧୀୟ ଗୁଣ ପୁରି ରହିଛି।ଅବଶ୍ୟ ପଦାର୍ଥ ବିଜ୍ଞାନୀ ମାନେ ଆମକୁ ଭଲ ଭାବେ ଜାଣିଛନ୍ତି।

  ହେଲେ ଆମର ତ ସ୍ୱଚ୍ଛ ଅଭିଯାନ  ଚାଲିଛି,ତୁମେ ତ ପତ୍ର ପକାଇ ଅପରିଷ୍କାର କରୁଛ । ଗଛ ମାଉସୀ କହିଲା,ନିର୍ବୁଦ୍ଧିଆ ମଣିଷ ଅଜ୍ଞାତ ଯୋଗୁ ମୋ ଶୁଖିଲା ପତ୍ରରୁ କମ୍ପୋଷ୍ଟ ତିଆରି ପାରନ୍ତା ହେଲେ ସେ ତ ରାସାୟନିକ ସାରରେ ବାୟା ହୋଇଛି।ଜାଣିଛ,ତୁମେ ନିଶ୍ୱାସରେ ଛାଡୁଥିବା ଅଙ୍ଗାରକାମ୍ଳ,କାରଖାନାର ଦୂଷିତ ବାଷ୍ପକୁ ଶୋଷି ମୁଁ ପରା ବିଶୁଦ୍ଧ ଅମ୍ଳଜାନ ଦେଉଛି।ଥଣ୍ଡା ପବନ ଦେଉଛି।ପରିବେଶକୁ ଶୁଦ୍ଧ ମୁଁ ହିଁ କରୁଛି। ହେଲେ ମାଉସୀ କେତେକ ଗଛର ତ ଫଳ ନାହିଁ,ଫୁଲ ନାହିଁ,ତେବେ ସମସ୍ତେ କଣ ଉପକାର କରୁଛନ୍ତି କି?

    ଗଛ କହିଲା,ଆରେ କିଏ ଫଳ ନ ଦେଉ କି ଫୁଲ ନ ଦେଉ,ହେଲେ ଛାଇ ତ ଦେଉଛି।ଖରାଦିନେ ଅଂଶୁଘାତରୁ ପରା ରକ୍ଷା କରୁଛି।ଯେଉଁ ତୃଣ ଗୁଳ୍ମ ଛୋଟ ଚାରା ଦେଖୁଛ ସେମାନେ ପରା ଅମ୍ଳଜାନ ଦେଉଛନ୍ତି।ଯେଉଁ ଗଛର ପତ୍ର ସବୁଜ ସେମାନେ ପତ୍ରହରିତ ଦ୍ୱାରା ଖାଦ୍ୟ ତିଆରୁଛନ୍ତି କିଏ କାଣ୍ଡ ତ କିଏ କଣ୍ଟାଦ୍ୱାରା ବି ଖାଦ୍ୟ ତିଆରୁଛନ୍ତି।ଜାଣିଛ ତୁମପରି ଛୁଆଠାରୁ ଆରମ୍ଭ କରି ବଡ଼ଯାଏ ଯେଉଁ ବହି ପଢୁଛନ୍ତି ଏସବୁ ମୋ ଶହୀଦ ଦେହର ଅଂଶରେ।ମୋ ପରି ବଡ଼ ବଡ଼ ୧୭ଟା ଗଛର ଅଂଶରେ ୧ଟନ କାଗଜ ତିଆରି ହୁଏ ଯେଉଁଥିରେ କି ବହି ଛପାଯାଏ।ବର୍ଷା ଦିନେ ମଣିଷ ଯେଉଁ ଡ଼ଙ୍ଗାରେ ଯାଏ ସେସବୁ ବି ମୋ ଗଣ୍ଡିରେ ହୋଇଥାଏ।ମଣିଷ ଯେଉଁ ପଶୁପକ୍ଷୀ ମାରୁଛି ସେମାନଙ୍କ ଠାରୁ ଜିନିଷ ପାଉଛି ସେମାନଙ୍କୁ ଖାଦ୍ୟ ଓ ଆଶ୍ରୟ ଦେଇ ବଞ୍ଚାଇଛି ପରା ମୁଁ ଓ ଆମ ପରିବାର। ସତରେ ମାଉସୀ ତୁମେ ମହାନ।ତୁମକୁ ପାଇ ଆମେ ନିଶ୍ଚିତ ରୂପେ ଧନ୍ୟ।ହେଲେ ମଣିଷ ଏମିତି ଅନ୍ୟାୟ କରୁଛି କାହିଁକି?

  ଦିନଥିଲା ମୁନିଋଷିମାନେ ମୋତେ ଚିହ୍ନିଥିଲେ,ମୋର ଏସବୁ ସେବା,ଗୁଣ ଯୋଗୁଁ କହୁଥିଲେ, ଶହେ ଗୁଣବାନ ପୁତ୍ର ଜନ୍ମ କରିବା ଅପେକ୍ଷା ଗୋଟିଏ ଗଛ ବଞ୍ଚେଇ, ବଢ଼େଇବା ଅତି ପୁଣ୍ୟ।ସେଥିପାଇଁ ପୂର୍ବେ ସାଧାରଣ ମଣିଷ ଓ ରାଜା ମହାରାଜା ମାନେ ମୋତେ ପରା ଦେବତା କହି ପୂଜା କରୁଥିଲେ।ବିଜ୍ଞାନୀ ମାନେ କହୁଥିଲେ,ଗୋଟିଏ ବୃକ୍ଷ କାଳେ ଜୀବନ କାଳ ମଧ୍ୟରେ ସାଢେ ସତର ଲକ୍ଷ୍ୟ ଟଙ୍କାର ଉପକାର  ଦେଇଥାଏ।ହେଲେ ଏବେର ସ୍ୱାର୍ଥପର ଅବିବେକୀ ମୂର୍ଖ ମାନବ ଏସବୁ ଭୁଲି ଯାଇଛି।ରାସ୍ତା,କାରଖାନା କରି ମୋ ବଂଶ ଧ୍ବଂସ କରୁଛି ଓ ନିଜେ ବିପଦକୁ ହାତ ଠାରି ଡାକୁଛି। ଖାଲି ସେତିକି ନୁହଁ ମୁଁ ମରିଗଲା ପରେ ମୋ ଶୁଖିଲା ଦେହକୁ ବିକ୍ରି କରି କିବା ଜାଳି ସେ ବହୁତ ଟଙ୍କା ପାଏ।ମୁଁ ତା ପାଇଁ ଶହୀଦ ହୁଏ ପଛେ ତାର ମୋ ଉପରେ ଟିକିଏ ବି ଦୟା,ମାୟା କି ଆନ୍ତରିକତା ନ ଥାଏ। ଏକଥା ଶୁଣି କାନ୍ଦି ପକାଇଲା ସାତ ବର୍ଷର ଝିଅ ସୁଜ୍ଞାନୀ।ଦୁଇ ହାତରେ ତାକୁ କୁଣ୍ଢେଇ କହିଲା,ମାଉସୀ ତୁମେ କେବେ ମରିପାରିଵ ନି ।ମୁଁ ଠାକୁରଙ୍କୁ ଡାକିବି,କହିବି ତୁମକୁ ସେ ମାରିବେ ନାହିଁ । ସୁଜ୍ଞାନୀର ଆଖିରୁ ଲୁହ ପୋଛି ଦେଲା ଗଛ ମାଉସୀ।କହିଲା ନାଁରେ ଧନ,ଯିଏ ପୃଥିବୀରେ ଜନ୍ମ ନେଇଥାଏ ସେ ପରା ମୃତ୍ୟୁବରଣ କରେ ଏମିତିକି ଭଗବାନ ମଧ୍ୟ। ହେଲେ ମୋତେ କ୍ଷମା କରିଦିଅ ମାଉସୀ,ମୁଁ ମୋ ଆଈ କଥା ନ ମାନି ତା ଗଛକୁ ଭାଙ୍ଗି ଦେଇଛି।ମୁଁ ତୁମ ପାଦ ଛୁଇଁ ଶପଥ କରୁଛି,ଆଉ କେବେ ବି ଗଛ ଭାଙ୍ଗିବି ନାହିଁ,ବରଂ ଗଛ ଲଗାଇବି ଓ ଗଛ ଲଗାଇବା ପାଇଁ ସମସ୍ତଙ୍କୁ କହିବି।ଏସବୁ କହି ଭାଉଁ ଭାଉଁ ହୋଇ କାନ୍ଦିଲା ସୁଜ୍ଞାନୀ।ଗଛ ମାଉସୀ ତାକୁ କୁଣ୍ଢେଇ ପକାଇଲା ଓ କାନ୍ଦନା କହି ଆଖିରୁ ଲୁହ ପୋଛିଦେଲା।ତାପରେ କୁଆଡେ ଶୁନ୍ ହୋଇ ଚାଲିଗଲା।

   ହଠାତ ସୁଜ୍ଞାନୀର ନିଦ ଭାଙ୍ଗିଗଲା।ଚାରିଆଡେ କାହାକୁ ଖୋଜିଲା ପରି ଲାଗିଲା।ତରବର ହୋଇ ମୁହଁଧୋଇ ଏକ ଲୟରେ ଚାଲିଲା ବଗିଚାର ସେ ଗଛ ପାଖକୁ।ଛୋଟ କାଠିଟିଏ ଆଣି ଚାରା ଫୁଲଗଛଟିକୁ ସିଧା କରି ତା ସହ ବାନ୍ଧି ଦେଲା।ଗଛଟିକୁ ନିଜ ହାତରେ ଶ୍ରଦ୍ଧାରେ ଆଉଁସି ଦେଲା।ତାପରେ ଫୁଲକୁଣ୍ଡଟିଏ ଆଣି ନୂଆ ଗଛଟିଏ ଲଗାଇ ପାଣି ଟିକେ ଦେଲା।ଏସବୁ ଲକ୍ଷ୍ୟ କରୁଥିଲା ଫୁଲ ଆଈ।ନାତୁଣୀ ମୁଣ୍ଡରେ ଆଉଁସୀ ଦେଇ କହିଲା ମୋ ସୁନା ନାତୁଣୀ ଟା।କାନ୍ଦି କାନ୍ଦି ସୁଜ୍ଞାନୀ ଆଈକୁ କୁଣ୍ଢେଇ ପକାଇ କହିଲା,ଲୋ ଫୁଲ ଆଈ, ମୁଁ  ଆଉ ବଗିଚାରେ ଖେଳି ତୋ ଗଛ ଭାଙ୍ଗିବି ନାହିଁ।ସତରେ ଲୋ, ଏ ଗଛର ନା, ଜୀବନ ଅଛି।ତାର ଯତ୍ନ ଓ ସୁରକ୍ଷା କଲେ,ତାକୁ ଭଲ ପାଇଲେ ସେ ପରା କଥା କହେ।ସେ ହସି ହସି  କହେ... ମୁଁ ଗଛଟିଏ .... ତୁମରି ଓଠର ହସଟିଏ।

 ନାରାୟଣ ଚନ୍ଦ୍ର ସେନାପତି, ଜମ୍ଭରା, କେନ୍ଦୁଝର

0 Comments