ମରତର ଏଇ ଶ୍ରେଷ୍ଠ ରୂପସୀ ଯେ
ତୁମରି ଶରଣାଗତ ,
ଆହେ ଶାନ୍ତ ଶୁଦ୍ଧ ତେଜୋଦୀପ୍ତ ବୁଦ୍ଧ
ଦିଅ ମୋତେ ଜ୍ଞାନାମୃତ ।

ରୂପେ ଅନୁପମା ନାହିଁ ଯା' ଉପମା
ସେହି ଆମ୍ରପଲ୍ଲୀ ମୁହିଁ ,
ବାରବଧୂ ଗାତ୍ର ହୋଇବ ପବିତ୍ର
ଦେଲେ କୃପାନେତ୍ରେ ଚାହିଁ ।

ତୁଚ୍ଛ କଲି ମୋର ବିଳାସ ବ୍ୟସନ
ହୀରା,ମୋତି-ବଇଭବ ,
ଆହେ ମହାମନା-କାମନା ବାସନା
ବୁଝିଲି ଅଳିକ ସର୍ଵ ।

ଏ ରୂପ-ଯୌବନ ହେବ ଦିନେ ଶୂନ୍ୟ
କହୁଛି ଯା' ମୋର-ମୋର ,
ବେଳଥାଉଁ ତେଣୁ ତୁମ ଆଶ୍ରା ନେଲି
ଶିଷ୍ୟା ପଣେ ଘେନାକର ।

ବି. ନିରୁପମା
ମାମୁରିଆ, ଛେଣ୍ଡିପଦା,ଅନୁଗୋଳ