କ୍ଷୁଦ୍ରଗଳ୍ପ - ଧନ୍ୟରେ କାଳିଆ - ନିବେଦିତା ମହାପାତ୍ର

କ୍ଷୁଦ୍ରଗଳ୍ପ - ଧନ୍ୟରେ କାଳିଆ - ନିବେଦିତା ମହାପାତ୍ର


ସକାଳ ପାଖା ପାଖି ୧୦ଟା ବାଜିବ।ମୁଁ ଖାଇପିଇ ଗାଡି କାଢୁଥାଏ ଅଫିସ୍ ଯିବା ପାଇଁ।ଦେଖିଲା ବେଳକୁ ନିଧି ମଉସା ଗୋଟିଏ ଇସ୍ତ୍ରୀ ଦିଆ ଧଳା ଧୋତି ଆଉ କୁର୍ତ୍ତା ପିନ୍ଧି ହାତରେ ଗୋଟେ ବ୍ୟାଗ୍ ଧରି କୁଆଡେ ବାହାରିଛନ୍ତି।ଭାରି ବ୍ୟସ୍ତ ଜଣାପଡୁଥାନ୍ତି।ମଉସାଙ୍କର ଏ ରୂପ କେବେ ଦେଖିବା କାହିଁ ମୋର ମନେ ପଡୁନି।ସେ ତ ସବୁବେଳେ ଗାମୁ୍ଛା ଖଣ୍ଡେ ପିନ୍ଧି କାମ କରନ୍ତି ଆଉ ବୁଲନ୍ତି।

ମୁଁ ଆଶ୍ଚର୍ଯ୍ୟ ହେଇଗଲି।ଭାବିଲି ମଉସା ବୋଧେ ସୁରଭି ପାଇଁ ବନ୍ଧୁଘର ଦେଖିବାକୁ ଯାଉଛନ୍ତି।ଭାବିଲି ପଚାରିବି ବୋଲି ହେଲେ କାଳେ ଖରାପ ଭାବିବେ ସେଥିପାଇଁ ଚୁପ୍ ରହିଲି।ମଉସା ମୋ ପାଖ ଦେଇ ଗଲାବେଳେ ସାହସ କରି କହିଲି,"ମଉସା କାମରେ ଯାଉଛ କି?ଚାଲ ଛାଡିଦେବି।"
ମଉସା ମୋ ମୁହଁ କୁ ଚାହିଁଲେ ଆଉ କହିଲେ ମୁଁ ତ ଏଇ ପଞ୍ଚାୟତ ଅଫିସ୍ ଯାଉଛି।ତୁ କାହିଁ ମୋ ପାଇଁ ହଇରାଣ ହବୁ।ତୁ ଯା,ମୁଁ ଚାଲିଯିବି।

ହଇରାଣ କଣ?ମୋ ଅଫିସ୍ ଯିବା ବାଟରେ ତ ପଞ୍ଚାୟତ ଅଫିସ୍ ପଡିବ।ତମକୁ ଛାଡିଦେବି ବସ।ବାଧ୍ୟ କରିବାରୁ ମଉସା ମୋ ଗାଡିରେ ବସିଲେ।

ବାଟରେ ଗଲାବେଳେ ମଉସା ବହୁତ ଚୁପ୍ କରି ବସିଥିଲେ।ମତେ ଲାଗିଲା ସତେ ଯେମିତି ସେ ବହୁତ ଚିନ୍ତାରେ ଅଛନ୍ତି।ତାଙ୍କ ମନ ହାଲକା କରିବାକୁ ଯାଇ ମୁଁ ତାଙ୍କୁ ପଚାରିଲି,ମଉସା ପଞ୍ଚାୟତ ଅଫିସ୍ ରେ କଣ କାମ ଅଛି କି?
ମଉସା କହିଲେ ହଁ।ମୁଖ୍ୟମନ୍ତ୍ରୀ ପରା କଣ ଗୋଟେ କାଳିଆ ଯୋଜନା କରୁଛନ୍ତି ସେଇ କଥା ବୁଝିବାକୁ ଯାଉଛି। ମୁଁ ଏ କଥା ଶୁଣି ଆଶ୍ଚର୍ଯ୍ୟ ହେଲି।ଏ ଯୋଜନା ବିଷୟରେ ତ ମୁ୍ଁ କିଛି ଜାଣିନି।ହଉ କଣ ଗୋଟେ ହେଇଥିବ।ଏମିତି କଥାବାର୍ତ୍ତା ଭିତରେ ପଞ୍ଚାୟତ  ଅଫିସ୍ ଆସିଯାଇଥାଏ।ମୁଁ ମଉସାଙ୍କୁ ସେଠି ଛାଡି ମାେ ଅଫିସ୍ ରେ ଯାଇ ପହଞ୍ଚିଲି।
ମୁଁ ମନରେ ନିଧି ମଉସା କହିଥିବା "କାଳିଆ ଯୋଜନା"କଥା ଭାବୁଥାଏ।ପ୍ରଥମେ ମୁଁ ଭାବିଲି କି ଏହି ଯୋଜନା ମାଧ୍ୟମରେ ଆମ ମୁଖ୍ୟମନ୍ତ୍ରୀ ବୋଧ ହୁଏ ବରିଷ୍ଠ ନାଗରିକ ମାନଙ୍କୁ ନେଇ ପୁରୀ ବୁଲେଇ କାଳିଆର ଦର୍ଶନ କରେଇବେ।ବହୁତ ଭଲ କଥା।ଏମିତି ବି ସେ କାର୍ତ୍ତିକ ମାସରେ ହବିଷ୍ୟାଳୀ ମାନଙ୍କୁ ମାଗଣାରେ ରହିବା,ଖାଇବାର ସୁଯୋଗ ଦେଇ ତ ପୁଣ୍ୟ ଅର୍ଜନ କରିଛନ୍ତି ଆଉ ଏବେ ଏମାନଙ୍କୁ ନେଇ କାଳିଆ ଦର୍ଶନ କରେଇ ଆହୁରି ପୁଣ୍ଯ ଅରଜିବେ ନିଶ୍ଚିତ।

ଏମିତିରେ ବି ଆଉ ଗୋଟିଏ କଥା ହେଲା ନିଧି ମଉସାଙ୍କ ପୁଅମାନେ ସମସ୍ତେ ଚାକିରି କରନ୍ତି।ନିଜ ସ୍ତ୍ରୀ ଆଉ ପିଲାଙ୍କ କଥା ଛଡା ସେମାନଙ୍କ ପାଖରେ ନିଧି ମଉସାଙ୍କ କଥା ବୁଝିବାକୁ ସମୟ କାହିଁ।ଏହି ଯୋଜନାରେ ହଉ ପଛେ ସେ ଟିକେ ଯାଇ ବାହାରେ ବୁଲି ଆସିବେ ତ।

ଏମିତି ଭାବୁଭାବୁ ଆମ ପିଅନ ଆଣି ସମ୍ବାଦ ପତ୍ରଟିଏ ଆଣି ମୋ ଟେବୁଲ ଉପରେ ରଖି ଦେଇଗଲା।ମୁଁ ତାକୁ ଓଲଟାଇ ଆଜିର ମୁଖ୍ୟ ଖବର ଦେଖିବାକୁ ଲାଗିଲି।ହଠାତ୍ ମଝି ପୃଷ୍ଠାରେ ମୋର ନଜର ପଡିଲା।ପୁରା ପୃଷ୍ଠାଟି ଗୋଟିଏ ବିଜ୍ଞାପନରେ ଭରିଥିଲା।ସେଇଟା ଥିଲା ଆମ ମୁଖ୍ୟମନ୍ତ୍ରୀଙ୍କ "କାଳିଆ ଯୋଜନା"କଥା।

କୌତୁହଳ ପୂର୍ଣ୍ଣ ଭାବେ ମୁଁ ତାକୁ ପଢିବାକୁ ଲାଗିଲି।ପଢି ସାରିବା ପରେ ମୁଁ ନିଜେ ମୋ ବୋକା ପଣିଆକୁ ନେଇ ଲଜ୍ଜିତ ହେଲି।ପ୍ରକୃତରେ କାଳିଆ ଯୋଜନା ହେଉଛି କୃଷକ ମାନଙ୍କର ବିକାଶ ପାଇଁ କରାଯାଉଥିବା ଗୋଟିଏ ଯୋଜନା।
ତା ପର ପୃଷ୍ଠାରେ ପୁଣି ଆଉ ଗୋଟିଏ ଖବର ମତେ ବେଶି ଆଶ୍ଚର୍ଯ୍ୟ କଲା ସେଇଟା ହେଉଛି ଜଗନ୍ନାଥ ମନ୍ଦିରରେ ପୋଲିସ୍ ଓ ସେବାୟତ ମଧ୍ୟରେ ବଚସା ପାଇଁ ଜଗନ୍ନାଥଙ୍କ ନୀତିକାନ୍ତି ବନ୍ଦ।ବଡ ଅଦ୍ଭୁତ କଥା।ଏପଟେ ଜଗନ୍ନାଥଙ୍କ ନାଁ ନେଇ ନୂଆ ଯୋଜନା ଆରମ୍ଭ କରାଯାଉଛି ଆଉ ସେପଟେ ନିଜେ କାଳିଆ ସୁରକ୍ଷିତ ନୁହଁନ୍ତି। 

ଧନ୍ୟରେ କାଳିଆ ଧନ୍ୟ ତୋର ଲୀଳା।ତୋ ନାଁ ରେ ଯୋଜନା କରି ଲୋକଙ୍କୁ ସୁରକ୍ଷା ଦବାକୁ ଚେଷ୍ଟା କରାଯାଉଥିବା ବେଳେ ତୁ ନିଜେ ଆଜି ଦଇତା ମାନଙ୍କ ହାତର ଖେଳନା ପାଲଟି ଯାଇଛୁ।

🏵 ନିବେଦିତା ମହାପାତ୍ର 
ମୁକୁନ୍ଦ ମିଶ୍ର ନଗର,ପୁରୀ🏵
🌺🌺🌺🌺🌺🌺🌺

0 Comments