କ୍ଷୁଦ୍ରଗଳ୍ପ - ଭୁଲ କାହାର - ପ୍ରତାପ ନାୟକ

କ୍ଷୁଦ୍ରଗଳ୍ପ - ଭୁଲ କାହାର - ପ୍ରତାପ ନାୟକ


କିଶୋର ବୟସର ଚପଳତା ଅବା ନୂଆନୂଆ ବଡ ହବାର ଅନୂଭବ ଜଣକୁ ଆପଣାର କରିବାକୁ ଚେଷ୍ଟାକରେ.....। ଯା ପାଖରେ ନିଜକୁ ସମର୍ପିହବ, ନିଜର ଭାବି ଯତ୍ନରେ ଅବା ଅଯତ୍ନରେ । ଭୁଲ ଠିକର ହିସାବ ନଥିବ ଯେଉଁଠି । ମନଭରି ହସି ହବ ମନଭରି କାନ୍ଦିହେବ ସବୁ ବ୍ୟକ୍ତିଗତ କଥାକୁ ଭାଗ କରିହବ ଅକାତରେ । ଆଉ ସିଏ ବନ୍ଧୁ ହେଇ ଧୈର୍ଯ୍ୟ ଦଉଥିବ ଅବା ଗୁରୁ ହେଇ ଉପଦେଶ.....।

          ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷର ପିକନିକ୍ ତାର ଏବେବି ମନଅଛି, ଖଣ୍ଡାଧାର ପର୍ବତ ଚଢିଲାବେଳେ......। ଅନ୍ୟମନସ୍କରେ ଗୋଡ ମୋଡି ହୋଇଯିବାରୁ ସେ ପର୍ବତର ଉଠାଣି ରାସ୍ତାରେ ତଳେ ପଡିଯାଇଥିଲା । ଏହି ତନ୍ମୟ ତାକୁ ସଖ୍ୟଦେଇ ସେଇଠୁ ଆଉ ଉପରକୁ ନଯାଇ ତାକୁ ଧରି ବହୁ କଷ୍ଟରେ ତଳକୁ ଆଣି ରହିବା ଯାଗାରେ ତା ପାଦରେ ଆଈଡେକ୍ସ ଲଗାଇ ଦେଇଥିଲା, ତା ଖଣ୍ଡିଆଆଣ୍ଠୁକୁ ଭଲଭାବରେ ପାଣିରେ ଧୋଇ ବେଟାଡିନ୍ ଲଗେଇ ଦେଇଥିଲା।ପୁଣି ସାଂଗରେ ନେଇଥିବା ଫାଷ୍ଟଏଡ୍ ବକ୍ସରୁ ପେନକିଲର ଟାବଲେଟ ଦେଇ ତାକୁ ଯଗି ବସିଥିଲା ଯେତେବେଳେ କଲେଜର ସବୁ ସାଂଗମାନେ ଖଣ୍ଡାଧାର ଝରଣାରେ, ଗାଧୋଇ ପିରନିକର ମଜା ନଉଥିଲେ ।କେବଳ ପିକନିକ ତମ୍ବୁରେ ଥିଲେ ଦୁଇ ରୋଷେଇଆ ନନା ଆଉ ବବିତା ଓ ତନ୍ମୟ ।

     ସେତେବେଳେ ଭଲପାଇବାର ବିନ୍ଦୁ ବସର୍ଗ ନା ଯଣା ଥିଲା ତନ୍ମୟକୁ ନା ତାକୁ।

     କେବଳ ଯଣେ ପ୍ରକୃତ ସାଂଗର ସଖ୍ୟ ଲିଭୋଉଥିଲା ତନ୍ମୟ ଆଉ ସେବା ନଉଥିଲା ତା ଠୁ ସେ ନିଜେ....।

    ଏତେ ପାଖରୁ ଯଣେ ପୁଅ ସାଂଗକୁ ଅତି ନିକଟରୁ ବବିତା ଦେଖୁଥିଲା।ଯେତେବେଳେ ଅଧା ପର୍ବତ ଉପରୁ ତା ବାମ ହାତକୁ ନେଇ ତନ୍ମୟ ନିଜ କାନ୍ଧଉପରେ ରଖି ବବିତା ଦେହର ଓଜନକୁ ଅଧା ତା ଉପରେ ରଖି ତାକୁ ଅତି ସନ୍ତର୍ପଣରେ କାନ୍ଧଦେଇ ଧୀରେ ଧୀରେ ତଳକୁ ଆଣୁଥିଲା ସେତେବେଳେ ବବିତାର ବାମପଟ ଅଧା ଶରୀର ଓ ତନ୍ମୟର ଡାହଣପଟ ଅଧା ଶରୀର ଲଗାଲଗି ଚପାଚପି ହୋଇ ଏକ ହୋଇଯାଉଥିଲା......।

     ଆଣ୍ଠୁରେ ଓ ବଳାଗଣ୍ଠିରେ କଷ୍ଟ ହେଉ ଥିଲେବି ବବିତା ତା ନିଜ ଶରୀରରେ କିଛି ଉନ୍ମାଦନା ଅନୁଭବ କରୁଥିଲା।ସେ ଉନ୍ମାଦନା କଣ ଅବଶ୍ୟ ସେତେବେଳେ ଆଦୌ ଯଣା ନଥିଲା ତାକୁ ।

     ଏବେ ସେ ଯେତେବେଳେ ତା ସ୍ୱାମୀକୁ ସମର୍ପିଥିଲା ନିଜକୁ ସେ ବୁଝିଥିଲା କି ପ୍ରକାର ଉନ୍ମାଦନା ଖେଳିଥିଲା ତା ଦେହରେ ଚାରିବର୍ଷ ତଳେ ସେଦିନ.........।
  
     ଭାବିବାକୁ  ଲାଜ ଲାଗିଲେବି ତା ଅବ୍ୟକ୍ତ ପ୍ରଥମ ପରଶ ସେ ସତେ ଯେପରି ଅନୁଭବ କରୁଥିଲା ଏଇ ଚିଠିକୁ ଧରି .....।
     
       ଦେଖିନେଲା ବାମପଟ ଆଣ୍ଠୁ ପର୍ଯ୍ୟନ୍ତ ଲୁଗାକୁ ଟେକି। ଲୁଗାତଳ ଆଣ୍ଠୁରେ ଅସ୍ପଷ୍ଟ ଚିହ୍ନଥିବା ସେହି ଖଣ୍ଡିଆଦାଗ ଖଣ୍ଡାଧାରର....।
      
       ଆଗରୁ ସେ ଖଣ୍ଡିଆଦାଗକୁ ସେ କେତେଥର ଦେଖିଛି,ହାତମାରି ତା ଉପରେ ସେହି ପୁରୁଣା ସ୍ମୃତିକି ମନେପକେଇଛି ଅନେକ ଥର।କିନ୍ତୁ ସେ ଆଜି ଯେପରି ଅନୁଭବ କରୁଛି ତା ଉପରେ ହାତମାରି,ଆଗରୁ ସେ କେବେ ଏମିତି ତ ଅନୁଭବ କରିନଥିଲା?
      
      ସେ ଲଖ୍ୟ କରୁଛି ତନ୍ମୟର ଆଖି ଯେଡିକକୁ ଅନେକ ସମୟରେ,ସତେକି ଡବ ଡବ ହେଉଛି କଣ ଖାଲି କହିଯିବ ବୋଲି ......।
   
      ସତରେ ତା ଆଖି ଯୋଡିକ ବହୁତ ସୁନ୍ଦର ଲାଗେ ବବିତାକୁ,କଥାର ମିଠାସ ବି ମନ ମୁଗ୍ଧକର,ଯିଏ ତା ସଂସ୍ପର୍ଶରେ ଆସିଛି ସିଏ ଯାଣିଛି କିନ୍ତୁ ବେଳେ ବେଳେ ପାଠ ସମ୍ବନ୍ଧୀୟ କଥା ବ୍ୟତିତ ଅନ୍ୟ କିଛି  କଥା ତନ୍ମୟ ହେଇନାହିଁ ତା ସହିତ.....।
   
      କହିବାକୁ ଗଲେ ସେ ସମ୍ପୁର୍ଣ୍ଣ ନିଆରା ଥିଲା ପୁଅପିଲା ସାଂଗ ମାନଙ୍କ ମଧ୍ୟରେ।କେବେ କେଉଁ ପ୍ରଫେସରଙ୍କ ଉପରେ ଔଦ୍ଧତାମି କି କୈାଣସି ଝିଅପିଲାକୁ ଟାହିଟାପରା କରିବା କେହି ଦେଖିନାହାଁନ୍ତି ତନ୍ମୟକୁ...... ।

        ବହୁତ ସମୟ ହେଇଗଲାଣି, ଯଣାନାହିଁ ବବିତାକୁ।ରୋଷେଇ ଘରେ କିଏ ଖଡଖଡ କରୁଛି ,ଯାଇ ଦେଖେତ ଶାଶୁ ଆଣିଥିବା କଳମ ଶାଗକୁ ବାଛି ଧୋଇ କଡେଇ ବସେଇଲେଣି,ସେପଟେ ସିଏ ବସେଇଥିବା ଭାତକୁ ମଧ୍ୟ ଶାଶୁ ଚୁଲିରୁ ଓହ୍ଲେଇ ଗାଳି ଦେଇଛନ୍ତି।

     ଦୋଷି ଦୋଷି ମନେକଲା ନିଜକୁ।ଶାଶୁ ତା ଆସିବାକୁ ଯାଣିପରିଲେକି କଣ,କହିଲେ ତୁ ଜମା ବ୍ୟସ୍ତ ହୋଓନା ବବି,ମୁଁ ଭାବିଲି ତୁ ବୋଧେ ଟିକେ ତୋ ଶୋଇବା ଘରେ ଢୋଳେଇ ପଡିଛୁ।ତତେ ଡାକିଲିନି,ମୁଁ ତ ପୁଣି ଆଗରୁ ଏ ଘରେ ସବୁ ରୋଷେଇବାସ କାମ କରୁଥିଲି।ତୁ ଯା ତୋ ଦେହ ଭଲ ନାହିଁକି କଣ,ମୁଁ ଆଜି ରୋଷେଇ କରିଦଉଛି।
     ଯେତେ କାକୁତି ମିନତୀ ହେଲେ ଶାଶୁ ରାଣ ନିୟମ ପକେଇ ବିଶ୍ରାମ ନବାକୁ ବବିତାକୁ ତା ଶୋଇବା ଘରକୁ ପଠେଇ ଦେଇ ନିଜେ ରୋଷେଇ କାମରେ ଲାଗିଗଲେ।

        ଶୋଇଛି ଖଟ ଉପରେ ବବିତା,ତା ଛାତି ଉପରେ ନୀଳ ଲଫାପା ,ତା ଭିତରେ ସେହି ଛୋଟ ଚିଠି ଖଣ୍ଡିକ ଅନ୍ୟମନସ୍କ କରିଦଉଛି ତାକୁ।ଏପଟେ ଦେବ ପ୍ରତିମ ଶାଶୁ  ଶଶୁର।ବାପମା ଠାରୁ ବଳି ବାପମା।କର୍ତ୍ତବ୍ୟନିଷ୍ଠ ପୁଣି ଜୀବନଠାରୁ ବେଶୀ ଭଲପାଉଥିବା ସ୍ୱାମୀ.......। 

      କଣ କରିବ ସେ କଣ କରିବ।

      ଭୁଲ ତାର କୋଉଠି ରହିଯାଉଛି ।ଯାଣିପାରୁନି ସେ।କଣ ଚିରିଦବ ଅନାବିଳ ପ୍ରେମରେ ଭରପୁର ଚିଠିଟିକୁ.......।

       ପ୍ରତ୍ୟାଖ୍ୟାନ କରିଦବ ଏକ ସରଳ ନିଷ୍ପାପ ପ୍ରେମିକକୁ.....।

      ନା ସତ କଥା ସ୍ୱାମୀକୁ ସେ କହିଦବ। ଯାହା ସେ ନିଜକୁ ନିଜଠାରେ ଲୁଚେଇ ରଖିଛି ଆଜି ପର୍ଯ୍ୟନ୍ତ.....।

                     କିଏ କହିବଯେ ଭୁଲ କାହାର......

Ambasouri, Balichandrapur, Jajpur