ଭୋକ - ଉଷାରାଣୀ ଦାସ

ଭୋକ - ଉଷାରାଣୀ ଦାସ


ଖାଇମି ଦେ ଖାଇମି ଦେ
କରୁଥିଲା ସେ ଅନୁନୟ
ଚମକାଇ ଦେଲା ଅକସ୍ମାତେ ଛୁଇଁ
ଦେଖି ଦେଇ ତାକୁ ହେଲି ଅଥୟ

ଅଲରା କେଶ ତା ଥିଲା ଟାଉଁସିଆ
ଆଖି ତା ନେଞ୍ଜେରା ବୋଳା
ସାତସିଆଁ ମଇଳା ଫ୍ରକ ପିନ୍ଧି ସିଏ
ଦିଶୁଥିଲା ଅବାଗିଆ

ମୁଣ୍ଡରେ ଥିଲା ତା ଲୁଗାର ଗଣ୍ଠିଲି
ପେଟରେ କ୍ଷୁଧାର ଜ୍ବାଳା
ସାଥିରେ ଥିଲେ ତା ପୁରା ପରିବାର
ସମସ୍ତେ ଥିଲେ ଆତୁରା

ମଇଳା କୁଚୁଟିଆ ଶାଢି ପିନ୍ଧି ତା' ମା'
ଦେଖେଇ ନହକା ଦେହ
ସାତ ସନ୍ତାନର ବୋଝବହି ଏକା
ତଥାପି ଥିଲା ନିଥର

ଲୋଭିଲା ଆଖିର ଭିଡ ଭିତରେ
କେତେ ସଜାଡିବ ଦେହକୁ
ମାଂସର ବିଳାପ କାମାଗ୍ନି କ୍ଷୁଧାରେ
ସମର୍ପି ଦେଇଛି ନିଜକୁ

ଗୁମୁରି ଗୁମୁରି କାନ୍ଦଇ ଅନ୍ତର
ଧିକ୍କାରଇ ତା ମାତୃତ୍ବ
ଭାତ ମୁଠେ ପାଇଁ ହାତ ପାତେ ସିଏ
ଭୁଲିଯାଇ ନିଜ ଅସ୍ତିତ୍ବ ।

ଉଷାରାଣୀ ଦାସ, ଶିକ୍ଷୟିତ୍ରୀ
ୟୁନିଅନ ନୋଡାଲ ଉଚ୍ଚ ଇଂରାଜୀ ବିଦ୍ୟାଳୟ,
ରଣସାହି, ବାଲେଶ୍ବର

0 Comments