ଭିଜା ବସନ୍ତ - ପ୍ରମୋଦ କୁମାର ପଣ୍ଡା

ଭିଜା ବସନ୍ତ - ପ୍ରମୋଦ କୁମାର ପଣ୍ଡା


ଢିଙ୍କିଶାଳରୁ ଢେଙ୍କାନାଳ ଯାଏଁ
ବାଡିମୁଣ୍ଡରୁ ବଡଦାଣ୍ଡ ଯାଏଁ
ପଲ୍ଲୀରୁ ଦିଲ୍ଲୀ ଯାଏଁ
ପବନରେ ଗୋଳେଇହୋଇ 
ଗୁଡାଏ ବୁଝା ଅବୁଝାର ଶବ୍ଦର
ମିଶ୍ରିତ ରାଗ ଛୁଇଁଯାଉଛି 
ନେତେରା ମା ର କାନ ପରଦାକୁ
ପରିବର୍ତ୍ତନ, ସୁଶାସନ, ପ୍ରଗତି 
ଇତ୍ୟାଦିର ଫେଣ୍ଟାଫେଣ୍ଟି ଆବାଜ
ତା'ର ଏଇ ଅନେକ ବସନ୍ତ ବିତା 
ଦେହ ଆଉ ମଳୟକୁ ଛୁଇଁପାରୁନି
ଫୁଟି ଚହଟୁଥିବା ସୁଗନ୍ଧରାଜ 
ଫୁଲର ମହକକୁ ସେ 
ଠଉରେଇ ପାରୁନି
ଧୁସର ଆଖିର ପରଦା ଟେକି
ଦୃଷ୍ଟି ତା'ର ଖୋଜୁଥିଲା
ସେଇ ଭିଜା ବସନ୍ତର
ଧୁଆଁଳିଆ ଅତୀତକୁ |

ଗାଁ ଇସ୍କୁଲର ଧାଡିରେ
ନାକେ ଓଢଣା ଟଣା
ତା'ର ମୁହଁରେ ଅନେକ ଆଶା
ଭଉଁରୀ ଖେଳୁଥିଲା
ଭୋଟ୍ ଦେଇସାରି ସେ 
ଫେରୁଥିଲା ଆଶାର ଗଣ୍ଠିଲି ବୋହି
ସ୍ୟାହିଲଗା ଆଙ୍ଗୁଠିଟା 
ମୁଣ୍ଡରେ ପୋଛି ପୋଛି
ଏକ ନୂତନତ୍ୱର ପ୍ରତାରଣାରେ,
ପ୍ରବଞ୍ଚନାରେ ବାନ୍ଧିହୋଇ 
ପୁଣି ଦୃଷ୍ଟି ଅଟକିଲା 
ନେତେରାର ସେ ଅହଣ୍ଡିଆ ପେଟରେ
ନେତେରା ବା ର ଶୋଥା, 
ଜାମୁକୋଳିଆ ମୁହଁରେ                              
କିଛି ତ ବଦଳିଲାନି
ପ୍ରତିଶୃତିର ପାହଡରୁ ଗୋଡିଟିଏ ବି
ପ୍ରାପ୍ତ ହେଲାନି
ନେତେରା ବା ର ମୁର୍ଦ୍ଦାର ପୋଡିବା
ପାଇଁ କାଠ ତ ମିଳିଲାନି ବରଂ
ଟାୟାର ଜାଳି ତା'ର ପୋଡଖୁଣ୍ଟା
ଦେହଟା ଦର ପୋଡା ହୋଇ ରହିଲା
ନେତେରା ଚାଲିଗଲା
ଅଫେରା ରାଇଜକୁ
ଭେଣ୍ଡା ବୟସରେ
ଆଉ ନଫେରିବାର ଦ୍ୱାହି ଦେଇ
ଦାଦନ ଫେରନ୍ତା ଜରାଜୀର୍ଣ 
ଦେହଟା ନେଇ | |

ସେ କିନ୍ତୁ ବଞ୍ଚିଛି
ଗଙ୍ଗାରେ ପକାଇବ ତା 
ଗିରସ୍ତ ଆଉ ପୁଅର ଅସ୍ଥି
କିନ୍ତୁ ଅର୍ଥ କାଇଁ
ସେ ଚାହିଁଲା ତା'ର ବେଛପର
ଚାଳ ଉପରକୁ
କାଉଟା ମେଲା ଚାଳର ପଞ୍ଜରାରେ
ଥଣ୍ଟ ଘସି ତା'କୁ ଖତେଇ ହେଉଥିଲା
ପକ୍କାଘର ଯୋଜନାରେ ତା ନାଁ ନାହିଁ
ବାହୁବଳୀମାନେ ନେଇଯାଇଛନ୍ତି
ପଇସା ମିଶେଇ ଦୋମହଲା କରିଛନ୍ତି
ସାଇ ଭିତରକୁ ମାଇକିଲଗା ଗାଡିଟା   
 ପଶିଆସୁଛି ଘୋ ଘୋ ଶବ୍ଦ କରି                   
ସେ ଉଠିଲା, ଗୋବର ଘସି ସାଉଁଟା
ତା'ର ଶିରାଳ ହାତରେ ଭରାଦେଇ
ହଠାତ୍ ଭୁସ୍ କରି ଗୋଟାଏ ଶବ୍ଦ
ଦୁର୍ବଳ ହାତ ଦୁଇଟା ଶରୀରକୁ
ଟେକିପାରିଲେନି
ଆଖି ଆଗରେ ଅନ୍ଧାର ବହଳିଆ
ହୋଇଉଠିଲା
ଅନେକ ବସନ୍ତ ଭିଜା ତା'ର ଦେହଟା 
ପକ୍ଷୀ ଲଗାଇ ଉଡୁଥିଲା
ଅନନ୍ତ ଉଜ୍ଜ୍ୱଳ ଆକାଶର ସେପାଖରୁ
ନେତେରା ବା ଆଉ ନେତେରାର 
ଆବାହନୀ ମନ୍ଦ୍ର ସ୍ୱରରେ
ଫିକା ପଡିଯାଉଥିଲା
ଡାକବାଜି ଯନ୍ତ୍ରର ଧାତବ ଶବ୍ଦ
ସୁଶାସନ, ପରିବର୍ତ୍ତନ, ପ୍ରଗତି
ଭିଜା ବସନ୍ତର ଆଢୁଆଳରେ
ଶୂନ୍ୟଗାମୀ ହେଉଥିଲା
ବିଦେହୀ ଆତ୍ମା 
ଏସବୁ ମିଥ୍ୟା ପ୍ରଚାର ଠାରୁ
ଅନନ୍ତ ଦୂରତାକୁ..........|||

ପ୍ରମୋଦ କୁମାର ପଣ୍ଡା, ବାଘମାରୀ

0 Comments