OUR READERS STATUS AROUND THE GLOBE : INDIA-362119 CANADA-354 CHINA-881 FRANCE-1727 GERMANY- 2083 QATAR - 61 SINGAPORE - 1114 UNITED STATES - 14819 UNITED KINGDOM - 553 UNITED ARAB EMIRATES - 926 UKRAINE-47 UNKNOWN REGIONS-5627

କ୍ଷୁଦ୍ରଗଳ୍ପ - ବିଙ୍ଗ ହ୍ୟୁମାନ - ସଲିଳ କୁମାର ସ୍ଵାଇଁ

କ୍ଷୁଦ୍ରଗଳ୍ପ - ବିଙ୍ଗ ହ୍ୟୁମାନ - ସଲିଳ କୁମାର ସ୍ଵାଇଁ

        ଅକାଳରେ ଚାଲିଗଲା ଚୁଚା । ବାଇକ ପଛରୁ କକୁଦରେ ଖସିପଡିଥିଲା । ହାସପାତାଳରେ ଭର୍ତ୍ତିର ଅଳ୍ପ କେଇଘଣ୍ଟା ପରେ ଷ୍ଟେଥୋପକା ବାବୁ ତାକୁ ମୄତ ଘୋଷଣା କଲେ । ପୋଷ୍ଟମଟମ ପରେ ଜଣାପଡିବ ମୄତ୍ଯୁର କାରଣ,ମଦରେ ମଲା ନା କୁଦରେ ? ପରିବାର ଅପେକ୍ଷା କରିଛନ୍ତି ବଡି ମିଳିଲା ପରେ,ସତ୍କାର ପାଇଁ ରେଡି ହେବେ ।      
     ଏପଟେ ଧର୍ମରାଜ(ଯମ)ଙ୍କ ଦୂତମାନେ କିନ୍ତୁ ଅପେକ୍ଷା ନକରି ଚୁଚାର ଆତ୍ମାକୁ ନେଇ ଫାଟକ (ସେ'ପୁର) ପାଖରେ ପହଞ୍ଚିଲେ । ରୁଟିନ୍ ଚେକ୍ ପାଇଁ ନିଜେ ଉପସ୍ଥିତ ଥିଲେ ଧର୍ମରାଜ'ଙ୍କ ବ୍ଯକ୍ତିଗତ ସହାୟକ ଚିତ୍ରଗୁପ୍ତ । ଖାତା ଖତିଆନ ଆଡେଇ କହିଲେ ଚୁଚା ସ୍ଵର୍ଗକୁ ଯିବ ନା ନର୍କକୁ କିଛି ନିଷ୍ପତ୍ତି ହୋଇ ପାରିନି ।  ଚୁଚା କିନ୍ତୁ ସ୍ଵର୍ଗରେ ରହିବାକୁ ଅନୁରୋଧ କଲା, ଦାବି କଲାମଧ୍ୟ ।  
   ଚିତ୍ରଗୁପ୍ତ କହିଲେ- ତୁମପାଇଁ ଏକ ଅପ୍ସନ ଅଛି । ତୁମେ ଦିନେ ନର୍କରେ, ଦିନେ ସ୍ଵର୍ଗରେ ରୁହ । ତାପରେ ତମେ ଯେଉଁଠି ଚାହିଁବ ସେଠି ରଖିବା । 
          ମନେମନେ କୁସି ହେଲା ଚୁଚା । ଚୌକିଦାରକୁ ଚୋରକରି କେତେ ପପ୍ପୁଙ୍କୁ ସେ ପାସ କରେଇଚି । ଭାବିଲା ଆଗ ଯେନତେନପ୍ରକାରେଣ ନର୍କରେ ଦିନେ କଟେଇ ସ୍ଵର୍ଗରେ ସେଟଲ ହେଇଯିବ । ସେ ତା'ଆଡୁ ପ୍ରଥମେ ନର୍କକୁ ଯିବାକୁ ପ୍ରସ୍ତାବ ଦେଲା ।    
       ନର୍କରେ ପହଞ୍ଚିଲାକ୍ଷଣି ତାକୁ ଜୋରଦାର ସ୍ଵାଗତ କରାଗଲା । ପାନପତରରେ ତୀରପଶା ଆକୄତିର ବଡ ଗେଣ୍ଡୁମାଳ ପଛରେ ସେଲ୍ଫି, କାନ୍ଧରେ ବସେଇ, ଜୟଜୟାକାରକରି ଏକ ଶୋଭାଯାତ୍ରା'ରେ ତାକୁ ନିଆଗଲା । ସମସ୍ତେ ମସଗୁଲ , ବଲିଉଡ ଡିଜେମିକ୍ସ ଗୀତର ତାଳେତାଳେ । ଅବଶ୍ୟ ସମସ୍ତଙ୍କ ମୁହଁର ମଲ୍ଲୀଫୁଲିଆ ବାସ୍ନା ତାକୁ ଆମୋଦିତ କରୁଥିଲା । କେହିଜଣେ ତାକୁ ପଇଡଟେ ପିଇବାକୁ ଦେଲା । ପଇଡଟା ପିଉପିଉ ସେ ଜାଣିଲା, ମର୍ତ୍ତ୍ୟର ଜେଲରେ ଉପଲବ୍ଧ ସୁବିଧା ନର୍କରେ ମଧ୍ୟ ଅଛି । ଦ୍ଵିପ୍ରହରେ ଭୁରିଭୋଜନ ସହ ଆନୁଷଙ୍ଗିକ ବ୍ୟବସ୍ଥା । ବିଶ୍ରାମ ପରେ ସଂଜରେ ସୁରା(ମର୍ତ୍ତ୍ୟର ମଦ) ସହ ସାକୀ(ବାର୍ ଗାର୍ଲ) ।  ବିତିଗଲା ଦିନଟିଏ । 
     ନିଦ ଭାଙ୍ଗୁନଭାଙ୍ଗୁ ପହଞ୍ଚିଗଲେ ଚିତ୍ରଗୁପ୍ତ । ବର୍ତ୍ତମାନ ଦିନଟେ ସ୍ଵର୍ଗରେ କାଟିବାର ସମୟ । 
      ସ୍ଵର୍ଗରେ ମଧ୍ୟ ତାକୁ ପାଛୋଟି ନିଆଗଲା । ଅନ୍ତେବାସୀମାନେ ଭାରି ଖୁସି ଜଣାପଡୁଥିଲେ । ଗୋଟେ ଭାଇଚାରାର ବାତାବରଣ ବାରିହେଉଥିଲା । ସମସ୍ତେ  ଗୀତ ଗାଉଥିଲେ , ବୁଲୁଥିଲେ , ଆଉ ସମସ୍ତଙ୍କ ମୁହଁ ଥିଲା ଶାନ୍ତ ପ୍ରଶାନ୍ତ । 
                  ଅନୁଧ୍ୟାନ ଅନୁଶୀଳନ କରିବାକୁ ସମୟ ପାଇନି ଚୁଚା,   ନିର୍ଦ୍ଧାରିତ ସମୟରେ ପହଞ୍ଚିଗଲେ ଚିତ୍ରଗୁପ୍ତ । ଜାଣିବାକୁ ଚାହିଁଲେ ଚୁଚାର ନିଷ୍ପତ୍ତି । ନିଜ ମସ୍ତିଷ୍କକୁ ବିଶେଷ କଷ୍ଟ ନଦେଇ ସେ ନର୍କକୁ ଯିବବୋଲି କହିଲା । 
        ନର୍କର ଆମୋଦ ସେ ଭୁଲିନଥିଲା । କିନ୍ତୁ ଏ କ'ଣ ? ପାଦ ଦେଉଦେଉ ଦେଖିଲା ଚାରିଆଡ ଆବର୍ଜନାପୂର୍ଣ୍ଣ । ଦିନେ ତଳେ ଯୋଉମାନେ ତାକୁ ଭବ୍ଯ ସ୍ଵାଗତ କରିଥିଲେ,ଡିଜେବାଲା ଡାନ୍ସ କରୁଥିଲେ,ସୁରା'ର ପିଆଲା ବାମହାତରେ ଆଉ ଆରହାତ ସାକୀ'ର ଅଣ୍ଟାରେ ରଖି ଝୁମୁଥିଲେ , ସମସ୍ତେ ଅଳିଆ ଗୋଟାଇବାରେ ବ୍ଯସ୍ତ । ସପନ ଦେଖୁଚି ଚୁଚା ? ଆଖିକୁ ଦୁଇହାତରେ ମଳି ଚିତ୍ରଗୁପ୍ତଙ୍କୁ ଅନେଇଲା ସେ । ଆଖିରେ ଆଖିଏ ପ୍ରଶ୍ନ । ସେଦିନ ତ .....  

        ଟିକେ ହସି ଚିତ୍ରଗୁପ୍ତ କହିଲେ- ସେଦିନ ଆମେ ପ୍ରଚାର କରୁଥିଲୁ । ଆଜି ତୁମେ ଭୋଟ ଦେଲ ।   
      
          ସଲିଳ କୁମାର ସ୍ଵାଇଁ, ଶିକ୍ଷକ              
        ସୁନ୍ଦରପୁର ପ୍ର ଉ ପ୍ରା ବିଦ୍ୟାଳୟ

0 Comments