ପ୍ରବନ୍ଧ - ଅତୀତ ଗୌରବ ରାଜି - ଲୋରୀ ସ୍ବାଇଁ

ପ୍ରବନ୍ଧ - ଅତୀତ ଗୌରବ ରାଜି - ଲୋରୀ ସ୍ବାଇଁ


       ଘନ କୁହୁଡ଼ି ଭିତରେ ପ୍ରତିବିମ୍ବ ସାଉଁଟିବାରେ ଲାଗିଥାଏ କେଶବ । ଆଖିରେ ନାଚୁଥାଏ ବୀରଦର୍ପର କାହାଣୀ । ତା'ରି ଭିତରେ ପରଖୁ ଥାଏ ଆଜି-କାଲିର ତଫାତ । କାଲିକାର ଖାଦ୍ଯାଭାବ -ଅନାହା - ଭୋକର ଅଭିଯୋଗକୁ ଚାପି ଦିଏ ମାଆର କାନି ତଳେ । ବାପାଙ୍କ ଆସିବା ପଥର ପ୍ରତିକ୍ଷାରେ ; ବାପା ଆସିଲେ ବୋଧେ କ୍ଷୁଧା କ୍ଳିଷ୍ଟର ପରିସମାପ୍ତି ଘଟିବ । କିନ୍ତୁ ଅନତି ଦୂରରୁ କର୍ଣ୍ଣପାତ ହୁଏ -
  "କାଇଁ ଶୋଇଗଲ ବୀର ହେ ଉଠ ଉଠ ଚଞ୍ଚଳ
    ବୀରଗତି ଲଭି ଯାଉଛ ଆଜି କାନ୍ଦେ ଉତ୍କଳ
      ଅଧୁରା ସ୍ଥଗିତ ସପନ ଏଇ ଭାରତବର୍ଷେ
ପରାଣ ପ୍ରଦୀପ ଲିଭାଇ ତୁମେ ଶୋଇଲ ଶେଷେ ।"
      ମା' ଦୌଡ଼ି ଯାଇ କାନ ପାରେ ଏରଣ୍ଡାବନ୍ଧ ଏପଟେ । ଦୂରରୁ ଭାସି ଆସୁଥିବା ହୃଦ ବିଦାରଣକାରୀ ସଙ୍ଗୀତ ଆନ୍ଦୋଳନ ସୃଷ୍ଟି କରେ ପ୍ରତି ଓଡିଆ ପ୍ରାଣରେ ; ଥରାଇ ଦିଏ ଓଡ଼ିଆ ତନ୍ତ୍ରୀ । ଜାଗ୍ରତ କରାଏ ଓଡ଼ିଆଙ୍କୁ ଏବଂ ଶୀତଳ ଶୋଣିତକୁ ଉତ୍ତପ୍ତ କରାଇ ଦିଏ । ସେହି ସମୟରେ ଶ୍ବେତ ଚାଦର ତଳେ ଶୋଇଥିବା ବ୍ଯକ୍ତିଟେ ଆସି ପହଞ୍ଚେ ଘର ସାମ୍ନାରେ । କେତେଜଣ ଭାରତୀୟ ସେନା ପୋଷାକଧାରୀ ବ୍ଯକ୍ତିମାନେ ଗାଡ଼ି ଭିତରୁ ବାହାର କରି ଦାଣ୍ଡଦ୍ବାର ପାଖରେ ରଖିଦେଲେ । ଚାହୁଁ ଚାହୁଁ ଜନ ସମୁଦ୍ର ; ଅଶାନ୍ତ ପରିବେଶ ତତ୍‌କ୍ଷଣାତ୍‌ । ସବୁରି ଆଖିରେ ଲୁହ । ଜନଗହଳି ଦେଖି ଧାଇଁ ଆସେ ନାକେ ଓଢ଼ଣା ଢ଼ାଙ୍କି କେଶବର ମାଆ । ଚାଦର କାଢ଼ି ଦେଖେ ତ ନିଦ୍ରିତାବସ୍ଥାରେ କେଶୁର ବାପା । 
- ଏ କ'ଣ ! ଇଏ କି ଅସନା ଲୋକଟାଏ ମ ! କି ଅସନା ହୋଇ ଶୋଇଛନ୍ତି ଦେଖ ବା..... କେଶୁ ବାପା ! କେଶୁ ବାପା ! 
ଦୁଇ ପଦ ଡ଼ାକିବା ପରେ.......
-ଏ କେଶବ ! ଦେଖିଲୁ ତୋ ବାପା କେମିତି ଶୋଇଛନ୍ତି !! ଆଇଲୁ ଆଇଲୁ.. ଧଇଲୁ ; ନେଇଯିବା ଘର ଭିତରକୁ । 
ସେଠାରେ ଉପସ୍ଥିତ ଥିଲେ ପଞ୍ଚଷଠୀ ବର୍ଷର ବୃଦ୍ଧ ସାଧୁ ଅଜା ; ମୁଣ୍ଡ ବାଳ ଛେତା ପଡ଼ି ଗଲାଣି । ଆଖିରେ ଆଖିଏ ଲୁହ ; ଧୀର ଗମ୍ଭୀର କଣ୍ଠରୁ ଭାସି ଆସିଲା ନମ୍ର ସ୍ବର ପଦେ -
- କେଶୁରେ !! ତୋ ବାପା ଆଉ ଏ ଦୁନିଆରେ ନାହିଁ  । 
         "ଆଖୁ କିଆରୀରେ    ଦନ୍ତା ପଶିଥିଲା
                  ଯାଇଥିଲା ବିଦା କରି
           ବିଦା କରିସାରି    ଫେରନ୍ତା ପଥରେ
                  ଶାଗୁଣା ଗଲେକ ଘେରି । 
                  ଆଉ ନଆସିବ ଫେରି....
                        କେଶୁରେ.....
                  ଆଉ ନଆସିବ ଫେରି....;
            ରକ୍ତ-ମାଂସ ତା'ର     ଝୁଣି ଖାଇଗଲେ
                   ବିଧାତା ହେଲା ବଇରୀ ।"
ଭୋ-ଭୋ ହୋଇ କାନ୍ଦି ଉଠିଲା କେଶବ । ଲୋଟି ପଡ଼ିଲା ଶରୀରଟି ନିଶ୍ଚିତରେ ଶୋଇ ରହିଥିବା ଧଳା ଚାଦର ଢ଼ଙ୍କା ବ୍ଯକ୍ତିଟି ଉପରେ । କେଶବର ଆଖିରେ ଅମାପ ଅଶ୍ରୁର ବନ୍ଯା ।I  ନା ବୁଝିଛି ସେ ମୃତ୍ୟୁର ଅର୍ଥ ନା ବୁଝେ ସେ ଏ ଛଳ ସଙ୍ଗୀତ । ମା'ର ଲୁହରେ, ଗାଁର ଲୁହରେ ଫାଟି ପଡ଼ୁଥିଲା ତା' ହୃଦୟ ; କେଞ୍ଚି ହୋଇ ଝରି ଯାଉଥିଲା ପେନ୍ଥା ପେନ୍ଥା ହୋଇ ନୟନାଶ୍ରୁ । କଅଁଳ ହାତରେ ବାପାଙ୍କୁ ମୁଖାଗ୍ନି ଦେବା ବେଳେ ସାଧୁ ଅଜାଙ୍କୁ ବାରି ହୋଇ ପଡୁଥିଲା ସ୍ପଷ୍ଟ  କେଶବ ଆଖିତଳର କୁଢ଼ କୁଢ଼ ସ୍ବପ୍ନ ସବୁକୁ । 

       କ୍ଷିପ୍ରବେଗେ ବଢ଼ି ଚ଼ାଲିଲା ବୟସ ସମୟ ସହ ତାଳ ଦେଇ ; ବାଳରୁ ଯାଇ ଯୁବ ଅବସ୍ଥାରେ ଅବତୀର୍ଣ୍ଣ ହୁଏ କେଶବ । ତା' ଦକ୍ଷତା ଓ ନିର୍ଭୀକତା ନିକଟେ ପରାଜୟ ବରନ୍ତି  ଭାରତ ସରକାର । ତା' ନିଷ୍ଠାପର କାର୍ଯ୍ଯକୁ ସାଲ୍ୟୁଟ୍ ମାରି ଯୋଡ଼ କରେ ଆମନ୍ତ୍ରନ୍ତି କାର୍‌ଗିଲ୍‌ ସମର କ୍ଷେତ୍ରକୁ । ଭାଗବତର ବାଣୀ -" କର୍ମ ମୋର ନିଜ ଗୁରୁ । ଉଦ୍ଧବ କେତେ ତୁ ପଚାରୁ ।।" ଅନୁସରଣ ପୂର୍ବକ କର୍ମକୁ ଭଗବନ୍‌ ମଣି କର୍ତ୍ତବ୍ୟ ପରାୟଣ ହୋଇଉଠେ କେଶବ । ଆହ୍ଵାନ ଦିଏ ପ୍ରତିପକ୍ଷକୁ ଯୁଦ୍ଧକ୍ଷେତ୍ରକୁ ; ସ୍ଲୋଗାନ ଛାଡ଼େ କର୍କଶ କଣ୍ଠରେ "ଭାରତ ମାତାକି ଜୟ... ଭାରତ ମାତାକି ଜୟ ।" ଗାଁର କେତେଗୁଡ଼େ ଲୋକ ମୁଖରୁ କେଶବର ମା' କେଶବର ପ୍ରଶଂସା ଶୁଣେ - " କେଶବ ଆମର ବୀର ଯୋଦ୍ଧା ।" କେଶବର ମା' ଆଖିରେ ଅଶ୍ରୁର ନିର୍ଝର । କାରଣ ସେ ଅନୁଭବ କରିଛି ତା' ଯୋଦ୍ଧା ପତି ପରମେଶ୍ବରଙ୍କୁ । କୌଣସି ମାଆ ଚାହେଁନି ତା' ସନ୍ତାନକୁ ହରେଇବା ପାଇଁ । ହେଲେ, ଜଣେ ବୀର ଯୋଦ୍ଧାର ଜାୟା , ବୀର ଯବାନର ଜନନୀ କିପରି ପଛଘୁଞ୍ଚା ଦେଇ ପାରିବ ? 
         "ପଛଘୁଞ୍ଚା ନାହିଁ ବୀରର ଜାତକେ
          ନମରେ ସେହୁଁ ପରାଣ ଆତଙ୍କେ ।"
ହୃଦ ଅମାରରେ ନିଜ କୋହକୁ ଚାପି କେଶୁର କପାଳଚକ୍ରର ମଧ୍ୟଭାଗରେ ବିଜୟ ବଳିଷ୍ଠ ତିଳକ ଲେପନ କରି ବନ୍ଦାପନା କରି କୁରୁକ୍ଷେତ୍ରକୁ ଯିବା ପାଇଁ ଅନୁମତି ଦିଏ । ଲୋଚନାଶ୍ରୁକୁ ଲୁଚାଇ କେଶୁକୁ କାନେ କାନେ ଚେତାଇ କହୁଥାଏ :-
        "ଘୋରାରଣ୍ଯେ ଯାଉ    ମୃଗମାରି ଧନ
                   ଯିବୁନିରେ ବହୁଦୂର 
          ସଅଳ ସଅଳ     କାର୍ଯ୍ଯ ଶେଷ କରି
                  ପ୍ରତ୍ୟାବର୍ତ୍ତିବୁ କୁଟୀର ।
                   ରାଣ ରହିଲା କୁମର ;
           ଦେଖି ଡ଼ରିବୁନୁ    ଅମା ଅନ୍ଧକାର 
                ଚିନ୍ତିବୁ ତୋ ତାତ ବୀର ।"

               ମାଆର ଆଶିଷ ଭିକ୍ଷା ଗାଣ୍ଠିଲି ମୁଣ୍ଡାଇ ଯୁଦ୍ଧକ୍ଷେତ୍ର ପାଦ ବଢ଼ାଏ କେଶବ ; ପହଞ୍ଚି ଦେଖେ ଭାରତ- ପାକିସ୍ତାନର କୁରୁ-ପାଣ୍ଡବ ମହାସମର । ଭାରତର ଅଗଣିତ ଜନତାଙ୍କ ପାକିସ୍ତାନର ଅନୁପ୍ରବେଶକାରୀ ଓ ଆତଙ୍କବାଦୀଙ୍କଠୁଁ ରକ୍ଷାର୍ଥେ ନିଜ ଜୀବନୋତ୍ସର୍ଗ କରିଦେଇ ଥିଲା କେଶବ ; ଅନୁପ୍ରବେଶକାରୀ ଓ ଉଗ୍ରବାଦୀଙ୍କୁ ଦମନ କରିବାକୁ ଯାଇ ମାଇଲ୍‌-ମାଇଲ୍ ଗିରିପଥ ଦେଇ ଗତି କରିବାକୁ ପଡ଼େ କେଶବକୁ । ଗୁଳିଗୋଳାର କର୍କଶ ସ୍ବରରେ ପ୍ରକମ୍ପିତ କାର୍‌ଗିଲ୍‌ ପାର୍ବତ୍ୟାଞ୍ଚଳ । ଚାରିଆଡ଼େ ଧୂଆଁ,ଖାଲି ଧୂଆଁ ।ଜୀବନ-ମରଣର ଲୁଚକାଳି ଖେଳରେ ଉଭୟ ପକ୍ଷର ସୈନିକ ; କେଶବ ବି ସାମିଲ୍‌ । 

                  ଚାରୋଟି ବୁଲେଟ୍‌ ଅଙ୍ଗବିଦ୍ଧ ହେବା ପରେ ବି ସେ ଜାଗ୍ରତ କରାଉଥାଏ ଆପଣା ସାଥି ମାନଙ୍କୁ ; କଣ୍ଠ ଫଟାଇ ଚିତ୍କାର କରେ -
      "ଜାଗି ଉଠ ଜାଗି-     ଉଠରେ ଭାରତ
             ବେଗେ ଉଠ ନିଦ୍ରା ତେଜି
       ରଣକ୍ଷେତ୍ର ଆଜି     ତୃଷାରେ ମରୁଛି 
               ଲଗାଅ ପରାଣ ବାଜି ।।
        ଶରୀରରେ ସଞ୍ଚି     ଶତ ସିଂହ ଶକ୍ତି 
                ଆୟୁଧ ଧର ହାଥରେ
      ହିଂସ୍ର ପାକିସ୍ତାନ     ଶୋଣିତେ ସ୍ନାହାନ
              କର କାର୍ଗିଲ୍‌ ମାଟିରେ ।"
ହାଡ଼ଭଙ୍ଗା ଜାଡ଼ରେ ତୁଷାର ବୁକୁ ପଥରେ ପେଟେଇ ପେଟେଇ ରଣହୁଙ୍କାର ଦେବା ସହିତ ଶତ୍ରୁ ନେତ୍ରେ ନିରେଖୁ ଥାଏ ଆପଣାର ପ୍ରତିବିମ୍ବ । ତା'ରି ମଧ୍ଯରେ ନିଜକୁ ସୁରକ୍ଷିତ ସ୍ଥାନକୁ ନେଇ ରାଶିଏ ଭାବନାରେ ବଶୀଭୂତ ହୁଏ ; ଭାବେ ସେ ବି ଗୋଟେ ମା'ର ପୁଅ ନା...। ହେଲେ କ'ଣ ହେବ ; କର୍ତ୍ତବ୍ୟରେ ସେ ତ ବଶ । 

      ମନେପଡ଼େ ମହାଭାରତ ଯୁଦ୍ଧରେ କେଉଁପରି
ବିଷାଦ ହଟାଇ ସାହସ ଭରିଥିଲେ କୃଷ୍ଣ । ସେପରି ନିଜକୁ ବିଷାଦ ମୁଖୁଁ ଓହରାଇ ଦେଇ ମା' କତିକୁ ପତ୍ରଟେ ଲେଖି ବସେ କେଶବ :-
        "ଫେରିବାକୁ କହି    ଯଦି ମୁଁ ନ ଫେରେ
                   ଧରିବୁନି ମୋର ଦୋଷ 
           ଭାରତ ମାତାର     ବଳିଷ୍ଠ ବୁକୁରେ
                 ତେଜିବି ଶେଷ ନିଃଶ୍ବାସ ।
          କେବେ କାନ୍ଦିବୁନି     ନେତ୍ରୁ ଢ଼ାଳି ପାଣି
                    ମୁଁ ପରା ବୀର କୁମର 
             ଗରବେ ଛାତିକୁ    ଫୁଲାଇ ଚାଲିବୁ
                       ଗାଆଁ ଗଣ୍ଡାରେ ଆମର  l"

ଚିଠିଟିକୁ କେଶବ ତା'ର କ୍ଯାପ୍‌ଟେନ୍‌ ହାତକୁ ବଢ଼ାଆଇ ଦେଇ କହିଲା -
- ଦେଖନ୍ତୁ ସାର୍‌ ; ଏ ଚିଠିଟି ଡ଼ାକରେ ପଠାଇ ଦେବେ । ଯେପରି ମୋ ମାଆ ହାତରେ ପଡ଼େ । 
ଏତିକି କହି ଆସିବା ବାଟରେ କାବୁ କରି ପକାନ୍ତି କେଶବକୁ ପ୍ରତିପକ୍ଷ ପାକିସ୍ତାନ ସେନା ; ସାଂଘାତିକ ଅତ୍ୟାଚାରରେ ତାଙ୍କର ଅତିଷ୍ଠ  ହୋଇପଡ଼େ କେଶବ ; ତଥାପି ଦମ୍ଭହରା ନୁହେଁ ସେ । ନିର୍ମମ ପ୍ରହାର ପରେ ବି ଛୁଟି ଆସେ ସ୍ଲୋଗାନ -
-"ବନ୍ଦେ ଉତ୍କଳ ଜନନୀ"
-ଅଖଣ୍ଡ ଭାରତ ମାତାକି ଜୟ"
ଅନନ୍ଯୋପାୟ ନପାଇ ଶେଷରେ କପଟତାର ସହ ଲୁଚକାଳି ଖେଳିବା ଆରମ୍ଭ କରେ କେଶବ ; ଭାବେ ଯୁଦ୍ଧରେ ନୁହଁ ବୁଦ୍ଧିରେ ପରାସ୍ତ କରିବା ଅନିର୍ବାର୍ଯ୍ଯ ଅବିକା । ନିଚ୍ଛକ ଛଳାଭିନୟରେ ଉତ୍ତୀର୍ଣ୍ଣ ହୋଇ ଅତି ବିଶ୍ବସ୍ତ ହୋଇପଡ଼େ କେଶବ ପାକିସ୍ତାନ ଯବାନ ମାନଙ୍କ ପାଖରେ । ତାଙ୍କରି ପାରୁଶେ ରହି ତାଙ୍କ ପାଇଁ ରଚେ ଅଭିନବ ଷଡ଼ଯନ୍ତ୍ର । ଛଳନାତ୍ମକ ଉପଦେଶ ଦିଏ ପାକିସ୍ତାନକୁ ଏବଂ ଚିତ୍ରକର ସାଜି ମନ ମୋହିନିଏ । ନଜର ଅମୋଘ ଜ୍ଞାନ ବଳରେ ବନିଯାଏ ପାକିସ୍ତାନ କ୍ଯାପ୍‌ଟେନ୍‌ର ଦକ୍ଷିଣ ହସ୍ତ । ମନ୍ଥରା ପରି କୁମନ୍ତ୍ରଣା ଦେଇ ଚାଲେ ; ଶକୁନି ଚରିତ୍ରକୁ ବେଶ୍‌ ଭଲ ଭାବରେ ପ୍ରଷ୍ଫୁଟିତ କରେ କେଶବ । ପାକିସ୍ତାନର ନିଜ ଦ୍ବାରା ବିଛା ଯାଇଥିବା ଜାଲର ଫାନ୍ଦରେ ନିଜେ ପଡ଼ିବାର ଉପାୟ ଖୋଜି ପ୍ରୟୋଗ କରେ । 

        ଏକଦିନେ ପାକିସ୍ତାନର କ୍ଯାପ୍‌ଟେନ୍‌କୁ ମନ୍ଥରା ମାୟାରେ ବଶ କରି ଅନୁପ୍ରବେଶକାରୀ ହାତରେ ପ୍ରେରଣ କଲା ପୁଳା ପୁଳା ପୋଷ୍ଟର୍‌ ; ଯା' ଥିଲା ପାକିସ୍ତାନକୁ ନିହତ କରିବାର ରାମବାଣ । ଅଭିମନ୍ୟୁ ପରି ଚକ୍ରବ୍ଯୁହରେ ପ୍ରବେଶ କରି ଯାଇଖି ସିନା କିନ୍ତୁ କର୍ତ୍ତବ୍ୟରୁ କଦାଚନ ନିବୃତ ହୋଇନି କେଶବ । ତା' ଆରଦିନ ପ୍ରାତଃ ପ୍ରହରେ ପୋଷ୍ଟର୍‌ ପଢ଼ି ତାଜୁବ୍ ଭାରତୀୟ ସେନା ; ଯାହା ସେଠି ଉପସ୍ଥାପିତ ଥାଏ । 

      "ଯଦି ତୁମେ ଅଟ     କାପୁରୁଷ ସବୁ
               ଲୁଚିକି ମାର ଆମକୁ
       ଯଦି ବୀରପଣ     ଦେଖାଅ ବରଫ
               ଉଖାରି ପଶ ଗଡ଼କୁ ।
        ବାରୁଣୀର ଦିଶେ    ଗଚ୍ଛିତ ବାରୁଦ
                ବିଧ୍ୱଂସ ଆମେ କରିବୁ
      ଆମେ ବି ଦେଖିବୁ     ପ୍ରତୀଚୀରୁ ଆସି
              କେସନେ କରିବ କାବୁ ।
         ଗିରି ଗହ୍ବରରେ     ଶସ୍ତ୍ରାସ୍ତ୍ର ଅମାର
                  ଜଗନ୍ତି ସୈନିକ ସବୁ
     ଏଡ଼େ ବୋକା ତମେ     ରଣ କର ହେଲେ
                  ନିରେଖନା ଉପରକୁ ।
ଏସନେକ ଛଳନାମୟ ତଥ୍ଯ ପ୍ରଦାନି ଭାରତବର୍ଷକୁ ବିଜୟ ପଥରେ ଆଗେଇ ନିଏ କେଶବ । ତହିଁ ପରଦିନ ଭରତ ସେନା ପକ୍ଷରୁ ଜାରି ହୁଏ ସର୍ଚ୍ଚ ଅପରେସନ୍ । ଯେପରି ଚମ୍ପକ ପ୍ରଷ୍ଫୁଟିତେ ଚଉଦିଶ ବାସ ବିଚ୍ଛୁରେ ସେପରି ବିଜୟର ଶଙ୍ଖନାଦରେ ପ୍ରକମ୍ପିତ ହୁଏ ଭାରତବର୍ଷ । ସର୍ବଶେଷରେ ପାକିସ୍ତାନ ପରାଜୟତା ବରଣ କରେ ଓ ବିଜୟ ତିଳକ ପରିଧାନ କରେ ଭାରତ । କାର୍‌ଗିଲ୍‌ ଘାଟୀ ଉପରୁ ତ୍ରିରଙ୍ଗା ନିଶାନ ଉଡ଼ାଇ ଏକସଙ୍ଗେ ଏକସ୍ବରରେ ଗାଇ ଉଠନ୍ତି ଭାରତ ସେନା - "ବନ୍ଦେ ମାତାରମ୍" ଓ "ଜୟ ଭାରତ"। ଶୁଭେ ଜାତିର ସଙ୍ଗୀତ.....

         "ଫରଫର ଉଡ଼େ ଜାତି ନିଶାନ
          ଘନଘନ ଶୁଭେ ଭେରି କମାଣ 
           ମୁକ୍ତ ଭାରତ     ମୁକ୍ତ ଗଗନେ
                ରଙ୍ଗ ଅରୁଣ ଜୟ ;
               ମୁକ୍ତ ଭାରତ ଜୟ ।"

             ଆଜି କିନ୍ତୁ ସବୁକିଛି ପରିବର୍ତ୍ତନଶୀଳ  । ରାଜନୀତିର ପଶାପାଲିରେ ପାଞ୍ଚାଳ ରାଜକୁମାରୀର ବାସ ଲୁଣ୍ଠନ ସମ ଭାରତ ମାତା ବି ବାଜିରେ ଲାଗିଛି । କିଏ ବା କାହିଁକି ଏଠି ରକ୍ତ ଦେବ ବିନା ସ୍ବାର୍ଥରେ ? ଆଉ କିଏ ବା କାହିଁକି ସ୍ଲୋଗାନ ଛାଡ଼ି ନିଜକୁ ଅସୁସ୍ଥ କରିବ? ଏଠି ଦେ'-ନେ'ର କାରବାର । ମୁଣ୍ଡ କ୍ରୟ- ବିକ୍ରୟର ବଜାର ଏ ଭାରତବର୍ଷ । ସଦା ସମ୍ବାଦପତ୍ରର ଶୀର୍ଷରେ ସ୍ଥାନିତ ଶତ ଶତ ସୀତା ହରଣ , ଶତ ସତୀର ସତୀତ୍ୱ ଲୁଣ୍ଠନ, ଭ୍ରୁଣହତ୍ଯା ପରି ଜଘନ୍ୟ କାଣ୍ଡ, ରକ୍ଷକ ଭୂମିକାରେ ଭକ୍ଷକର ଅଭିନୟ । କୁନ୍ଦୁଲି ପରି କେତେ କେତେ ନାରୀଙ୍କର ଗଣ ବଳାତ୍କାର ଏବଂ ରାଜନୀତିର ରଣକ୍ଷେତ୍ରରେ ଛବିରାଣୀ ପରି କେତେ କେତେ ନିରୀହ ନାରୀଙ୍କର ଅକାଳ ବୀରଗତି ଭାରତବର୍ଷକୁ କଳଙ୍କିତ କରିବାରେ ଲାଗଛି । ରାଜନୀତିର ଚନ୍ଦ୍ରହସ୍ତ ଖଡ୍ଗର ପ୍ରହାର ଛିନ୍ନ କରୁଛି କେତେ ନିରୀହ ଜନ ଜୀବନ । ମିଛ ସମ୍ମାନର କିଣା-ବିକା ଓ ଉଚ୍ଚାସନ ପ୍ରାପ୍ତିର ପ୍ରତିଯୋଗୀତା ସହ ଲୁଣ୍ଠନ, ଅହଂଭାବ ଓ ସ୍ବାର୍ଥରେ ବ୍ରତୀ ସମାଜର ବଡ଼ପଣ୍ଡା ବୋଲାଉ ଥିବା ଅନେକ ହିଂସ୍ର ବଣିକ ଓ ରାଜନେତା । 

            ବସୁ ବୁକୁ ବିଦାରି ପୁନରାୟ ଚେଇଁ ଉଠ ବୀର ସୈନିକ ; ଆବାହନ ସ୍ବୀକାର କର ଆହେ ପୂର୍ବଜ । ତୁମ ଅନୁପସ୍ଥିତିରେ ଅବନୀ ଅବହେଳିତ । ପୁନରାୟ ଫେରିଆସ ତୁମେ ; ଆଉ ଥରେ ଶୁଭୁ ହେ ଗୋଦାବରୀଶ ତୁମର ସେ ତନ୍ତ୍ରୀ ଥରା ଆହ୍ବାନ -   
"ଦୁର୍ଗମ ଗିରି ଦୁର୍ଗ ପ୍ରାଚୀର ଜୀର୍ଣ୍ଣ ଦୁଆରେ ବସି
ଡାକେ ତାନ୍ତ୍ରିକ ମନ୍ତ୍ର ସାଧନେ ଜାଗ୍ରତ ପୁରବାସୀ !
ପୃଥ୍ବୀ ବିଦାରି ବାରବାଟୀ ମଡ଼ା ଉଠ ଉଠ ଚଞ୍ଚଳ,
ଖୋରଧାର ଶତ ସରଦାର ଶିର କର ଉନ୍ନତତର !
ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି,
ଉଠୁ ଗତ ଗୌରବ, ହୃତ ଗୌରବ, ମୃତ ଗୌରବ ରାଜି ।"

ଓସ୍ତପୁର, କାକଟପୁର (ପୁରୀ)

0 Comments