OUR READERS STATUS AROUND THE GLOBE : INDIA-362119 CANADA-354 CHINA-881 FRANCE-1727 GERMANY- 2083 QATAR - 61 SINGAPORE - 1114 UNITED STATES - 14819 UNITED KINGDOM - 553 UNITED ARAB EMIRATES - 926 UKRAINE-47 UNKNOWN REGIONS-5627

ପ୍ରବନ୍ଧ - ନିରପେକ୍ଷ ସମ୍ବାଦପତ୍ର ଓ ଗଣମାଧ୍ୟମ - ଇଂ ବିଦ୍ୟାଧର ପଣ୍ଡା

ପ୍ରବନ୍ଧ - ନିରପେକ୍ଷ ସମ୍ବାଦପତ୍ର ଓ ଗଣମାଧ୍ୟମ - ଇଂ ବିଦ୍ୟାଧର ପଣ୍ଡା


ଭାରତ ବିଶ୍ୱର ସର୍ବବୃହତ ଗଣତାନ୍ତ୍ରିକ ରାଷ୍ଟ୍ର । ଗଣତନ୍ତ୍ର ରାଷ୍ଟ୍ରର ଚତୁର୍ଥସ୍ତମ୍ବ କୁହାଯାଉଥିବା ଗଣମାଧ୍ୟମ ଗୁଡ଼ିକର ନିରପେକ୍ଷତା ଉପରେ ଶତକଡ଼ା ପଚାଶ ଭାଗ ଗଣତନ୍ତ୍ରର ସଫଳତା ନିର୍ଭର କରେ ବୋଲି ଅଧିକାଂଶ ବୁଦ୍ଧିଜୀବୀଙ୍କର ମତ । ଆଧୁନିକ ଯୁଗକୁ କେହିକେହି ସମ୍ବାଦପତ୍ରର ଯୁଗ ବୋଲି ଏବେ କହୁଛନ୍ତି । ସକାଳ ଚା’ ସାଙ୍ଗରେ ଖବର କାଗଜଟିଏ ନଥିଲେ ଚା’ର ସ୍ୱାଦ ପାଣିଚିଆ ଲାଗେ । ସାରାଦିନ କଣ ଗୋଟାଏ ହଜିଲା ହଜିଲା ଭଳି ମନଟି ଉଦାସ ରହେ । ମନେହୁଏ ସମ୍ବାଦପତ୍ରର ପୃଷ୍ଠା ଗୁଡ଼ିକରେ ଯେମିତି ଆମ ଦେଶର ପ୍ରତି କୋଣଅନୁକୋଣ ପ୍ରତିଫଳିତ ହୋଇ ଅଧଘଂଟାଏରେ ସାରାଦେଶ ଭ୍ରମଣ କରାଇଦିଏ । ନିର୍ବାଚନ ସମୟରେ ସମ୍ବାଦପତ୍ରର ଗୁରୁତ୍ୱ ଅନେକ ଗୁଣରେ ବଢିଯିବା ସ୍ୱାଭାବିକ୍ । ନେତାମାନଙ୍କର ପ୍ରତିପକ୍ଷ ନେତାଙ୍କ ପ୍ରତି କଟାକ୍ଷ ସାଧାରଣ ଲୋକ ମନଭରି ଉପଭୋଗ କରନ୍ତି । ପ୍ରତି ବଡ଼ବଡ଼ ନେତାଙ୍କ ଭାଷଣରେ କ’ଣ କ’ଣ ବାନ୍ତି କରାଯାଏ ସେ’ସବୁର ସମୀକ୍ଷା ହୁଏ ।

ସମ୍ବାଦପତ୍ର ଓ ଗଣମାଧ୍ୟମ ଲୋକମାନଙ୍କ ଭିତରେ ସପକ୍ଷରେ କି ବିପକ୍ଷରେ ଜନମତର ହାୱା ସୃଷ୍ଠିକରେ । ଏହି ହାୱା ବଳରେ ନେତାମାନେ ଫୁଲିଫୁଲି ଭୋଟରେ ଜିତିଯାନ୍ତି ଓ ଶେଷରେ ଶାସକ ହୋଇ ଶାସନ କରନ୍ତି । ଗଣତନ୍ତ୍ର ଶାସନରେ ସମ୍ବାଦପତ୍ର ବା ଗଣମାଧ୍ୟମ କେତେଜଣ ଲୋକଙ୍କୁ ଜିତିବାକୁ ସାହାଯ୍ୟ କରେ, ତେଣୁ ଗଣମାଧ୍ୟମ ହିଁ ପ୍ରକୃତ ଶାସକ ତିଆରି କରିବା ପାଇଁ ସବୁକିଛି ସାରଖତ ଯୋଗାଇ ଗଣତନ୍ତ୍ର ଗଛମୂଳରେ ପାଣି ଢାଳେ । ଗଛ ବଢେ, ପତ୍ରଫୁଲ ଧରି ଶେଷରେ ଫଳ ଫଳେ । ଗଣମାଧ୍ୟମର ନିରପେକ୍ଷତା ଗୁଣରେ ସାମାନ୍ୟ ତ୍ରୁଟିଥିଲେ କିଛି ଅସାମାଜିକ ଖଳ ପ୍ରକୃତିଛଡ଼ା ଲୋକ ଶାସକ ହୋଇ ଶାସନ କ୍ଷମତା ଡ଼ୋରି ହାତରେ ରଖନ୍ତି, ଯାହାର ଫଲରେ ସମାଜରେ ହଳାହଳ ବିଷ ଭରିଯାଏ । ଆଇନ୍ଶୃଙ୍ଖଳା ହଜିଯାଏ, ଅସହ୍ୟ ଅତ୍ୟାଚାର ଭିତରେ ସାଧାରଣ ଲୋକେ ତ୍ରାହିତ୍ରାହି ଚିତ୍କାର କରନ୍ତି । ଚାଷୀ ହାରିଲେ ବରଷେ ଭୋଟର ହାରିଲେ ପାଂଚ ବରଷ, ଅଖା ଧୋଉଥା ଗୁଣ ଗାଉଥା । ତେଣୁ ଗଣମାଧ୍ୟମ ଖବର ପରୋଷିବା ବେଳେ ନିଜର ଦାୟୀତ୍ୱବୋଧତା ଶତପ୍ରତିଶତ ପାଳନ ପୂର୍ବକ ଶସ୍ତା ଲୋକପ୍ରିୟତାଠାରୁ ଦୂରରେ ରହି ରାଜନେତାଙ୍କର ଦୁର୍ନିୀତିଫାଶରୁ ବାହାରି  ନିଜନିଜର କର୍ତବ୍ୟ ନିର୍ବାହ କଲେ ଗଣତନ୍ତ୍ର ମଜବୁତ୍ ହେବ ଏବଂ ଦୀର୍ଘଦିନ ସମାଜର ମଙ୍ଗଳ ପାଇଁ ଗଣତନ୍ତ୍ର ବୃକ୍ଷରେ ଅମୃତଫଳ ମଧ୍ୟ ଫଳିବ ।

ସମ୍ବାଦପତ୍ର ଜନମତର ବଳିଷ୍ଠବାହକ ହୋଇଥିବାରୁ ରାଜନେତା ଏହାକୁ ଯେନତେନ ପ୍ରକାରେଣ କରାଗତ କରି ନିଜର ଅଧିନକୁ ଆଣିବା ପାଇଁ ପ୍ରଚେଷ୍ଟା କରିବା ସ୍ୱାଭାବିକ୍ କିନ୍ତୁ ପ୍ରତିଷ୍ଠିତ ସୟଂସମ୍ପର୍ଣ୍ଣ ବ୍ୟକ୍ତି ବିଶେଷ ନୀତି ଆଦର୍ଶକୁ ଭୁଲି ତାଙ୍କର ଛତ୍ରଛାୟାକୁ ଚାଲିଯିବା କଣ ସମୀଚୀନ? ଓଡ଼ିଶାରେ କିଛି ଶାସକବିରୋଧୀ ଅନେକ ଗଣମାଧ୍ୟମର ମାଲିକ ହିସାବରେ ଅନେକ ଦିନହେଲା କାମ କରୁଥିଲେ । ବିଭିନ୍ନ ଜନହିତକର ସାମାଜିକ ସଂଗଠନର ମୁଖ୍ୟ କାର୍ପଟଦାର ସହ ଅନେକ ସାମାଜିକ ଜନ ଆନଦୋଳନର ନେତୃତ୍ୱ ମଧ୍ୟ ନେଉଥିଲେ । ହଠାତ୍ ନିଜିସ୍ୱାର୍ଥ ଓ ଅନିୟନ୍ତ୍ରୀତ ମହତ୍ୱାକାଂକ୍ଷା ବା ପାର୍ôଥବ ବସ୍ତୁବାଦୀଲୋଭ ସାମ୍ନାରେ ଆଣ୍ଠେଇ ଶାସକଦଳରେ ପଶିଗଲେ । ଅବଶ୍ୟ ଜାତି ବଦଳିବା ପରେ ଓଡ଼ିଶାରୁ ଉଡ଼ାଜାହାଜରେ ଦିଲ୍ଲୀ ଉଡ଼ିଗଲେ । ତାଙ୍କରି ନିଜ କାଗଜରେ ନିଜେ ଲେଖି ଜନହିତକର କାମକୁ ତ୍ୱରାନ୍ୱୀତ କରିବା ସଦୀଚ୍ଛାର ଗର୍ଭୋଦୟ ହେବା ପରେ, ସେମାନେ ଏପରି ନିଷ୍ପତି ନେଇଥିବା କଥା ଯେତେ କହିଲେ ବି କଣ ବିଶ୍ୱାସ ହେଉଛି! ନୂଆ ନୂଆ ଡ଼େଇଁଥିବା ବେଳେ ଲୋକେ ମନେ ପଡ଼ୁଥିଲେ, ବାଉଳାରେ କିଛି ଭଲକଥା ସମାଜ ପାଇଁ କହିଦେଉଥିଲେ, ଏବେ କିନ୍ତୁ ଶୁଆପରି ଖାଲି ତୁଣ୍ଡ ଖୋଲିଲେ ଶାସକଦଳର ଯୋଜନା ଗୁଣଗାନ ପଦ ଗୁଡ଼ିକ ଭାଗବତ ପରି ଅନର୍ଗଳ ଗାଇବାର ଦକ୍ଷତା ସାଧାରଣ ସଭାଗୁଡ଼ିକରେ ଦେଖିବାକୁ ମିଳୁଛି ।

ସମାଜରେ ସାଧାରଣ ଲୋକଙ୍କ ଚକ୍ଷୁରେ ଅସାଧାରଣ ଲୋକେ ଅଜସ୍ର ମାନସମ୍ମାନର ଅଧିକାରୀ ହୋଇ ଯଦି ବିବେକ ହରେଇ ଦେବେ, ତେବେ ଅନ୍ୟ କାହାକୁ କଣ କହିବା? କିଛିଦିନ ପୂର୍ବରୁ ଢେଙ୍କାନାଳ ସାଂସଦ ମହୋଦୟଙ୍କର ରାଜନୀତିରୁ ମନ ଛାଡ଼ିଗଲା । କିଏ କହୁଛି ନବିନବାବୁ ତାଙ୍କୁ କହିଲେ ଏଥର ତୁମକୁ ଟିକେଟ ଦେବା କଷ୍ଟ ହେବ! ତାଙ୍କର କୁଆଡ଼େ ଲୋକସମ୍ପର୍କରେ ଅବକ୍ଷୟ ଘଟିଛି ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି! ଏତିକି ବେଳକୁ ସାଂସଦ ମହାଶୟଙ୍କ ନାବାଳକ ସୁପୁତ୍ର ବାପାଙ୍କୁ ରାଜନୀତି ଛାଡ଼ି ସମ୍ବାଦୀକତା କରିବାକୁ ଉପଦେଶ ଦେଲେ, ତେଣୁ କାଳବିଳମ୍ବ ନକରି ପୁତ୍ରବତ୍ସଳ ପିତାଙ୍କ କର୍ତବ୍ୟ ନିର୍ବାହ କରିବାକୁ ଯାଇ ତୁରନ୍ତ ଘୋଷଣା କଲେ ଯେ, ସେ ଆଉ ଆଗକୁ ନିର୍ବାଚନ ନ’ଲଢି ନିରପେକ୍ଷ ସାମ୍ବାଦିକତା କରିବେ । ଏଥିରୁ ଗୋଟିଏ କଥା ସ୍ପଷ୍ଟ ହେଉନି ଯେ ସେ କଣ ଏ’ପର୍ଯ୍ୟନ୍ତ ପକ୍ଷପାତୀ ସାମ୍ବାଦିକତା କରୁଥିଲେ କି! ଜଣେ ପୁର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଚାନ୍ଦିଚାମୁଚ ପାଟିରେ ପୁରେଇ ଜନ୍ମ ନେଇଛନ୍ତି । ଅଚଳାଚଳ ସମ୍ପତୀର ମାଲିକ ହୋଇ ଯଦି ଏ’ପରି କରିବାକୁ ପଡ଼ୁଛି ତେବେ ସାଧାରଣ ଯୁବକଟିଏ, ଯିଏ ସାମ୍ବାଦିକ ହୋଇ ନିଜର ଓ ନିଜ ପରିବାରର ପେଟ ପାଟଣା ପୋଷିବା ଲାଗି ଗଣମାଧ୍ୟମ ପାଇଁ କାମକରିବାକୁ ଘରୁ ଗୋଡ଼କାଢେ, ତେବେ ତା’ର ଅବସ୍ଥା କ’ଣ ହେବ? ମାନନୀୟ ସାଂସଦ ଭୁଲ୍ବଶତଃ ସିନା ଏ’ଭଳି ସତ କଥାଟିକୁ ତୁଣ୍ଡରେ ଧରିଦେଲେ କିନ୍ତୁ ବାକି ଯେଉଁସବୁ ଏବେ ପ୍ରତ୍ୟେକ୍ଷ ରାଜନୀତିରେ ସାଂସଦ ବିଧାୟକ କି ଉଚ୍ଚ ପଦପଦବୀରେ କୌଣସି ଦଳ ସାଙ୍ଗରେ ରହି ବିଭିନ୍ନ ଗଣମାଧ୍ୟମର ମାଲିକ ଅଛନ୍ତି ସେମାନଙ୍କଠାରୁ ସମାଜ ନିରପେକ୍ଷତା ଆଶା କରିବା କଣ ଠିକ୍ ! ଏବେ ବି ସେମାନେ ଯାହା ପରିବେଷଣ କରୁଛନ୍ତି, ସେଗୁଡ଼ିକୁ ଅନ୍ଧ ଭାବରେ ବିଶ୍ୱାସ ନକରି ଶାନ୍ତ ମନରେ ବିଚାର କରିବା ଉଚିତ୍ । ଅବଶ୍ୟ କେଇଜଣ ଏହାକୁ ନିଜ ମୁହଁରେ ଅସ୍ୱୀକାର କରି ଦୃଢଭାବରେ ବାରମ୍ବାର ଖଣ୍ଡନ କରୁଛନ୍ତି, କିନ୍ତୁ ତାଙ୍କଦ୍ୱାରା ପରିଚାଳିତ ସମ୍ବାଦପତ୍ର କିମ୍ବା ଦୂରଦର୍ଶନ ଚ୍ୟାନେଲ୍ ଗୁଡ଼ିକରେ ବହୁ ସମୟରେ ଏହାର ନିୟମିତ ବ୍ୟତିକ୍ରମ ଦେଖିବାକୁ ମିଳୁଛି । ଆମ ଦେଶରେ ଦର୍ଶକମାନଙ୍କର ଏକତା କି ପ୍ରତିରୋଧ କ୍ଷମତାର ଉପେଯାଗ ଦେଖିବାକୁ ମିଳେନାହିଁ । ଗଣମାଧ୍ୟମ ଯାହା ଦେଖାଇବେ ତାକୁ ସମସ୍ତେ ଦେଖିବାକୁ ବାଧ୍ୟ, ଅତିବେଶୀରେ ପସନ୍ଦ ନହେଲେ ମୁହଁ ଆମ୍ବିଳା କରି ରିମୋଟ୍ ବଟନ୍ ଟିପି ଅନ୍ୟ ଗୋଟିଏ ଚ୍ୟନେଲ୍କୁ ଡ଼େଇଁଯିବା!

ନିର୍ବାଚନ ସମୟରେ ବହୁତ ଲୋକ ଦୁଇ ଚାରିଟା ଖବର କାଗଜ ପଢିବା ସହ ଦିନଯାକ ସେଇ ଆଠଦଶଟା ନିଉଜ୍ଚ୍ୟାନେଲ୍କୁ ଏପଟ ସେପଟ ଦେଖି ଦେଖି ସମୟ କାଟନ୍ତି । ଯଦି ଘରେ ଜଣେ ଅବସର ପ୍ରାପ୍ତ ବେକାର ବୟଷ୍କ ବ୍ୟକ୍ତି ଅଛନ୍ତି, ତେବେ ତାଙ୍କ ହାତରୁ ଦିନଯାକ ରିମୋଟର ମୁକ୍ତି ଅସମ୍ଭବ । ଏଥିରେ ଘର ସ୍ତ୍ରୀ ଲୋକଙ୍କ ତୁଳସୀ. ଦୂର୍ଗା କି ତାରାତାରିଣୀ ଧାରାବାହିକ ନଦେଖି ଭାତ ହଜମ ହେଉନି କି ଛୁଆଙ୍କର ଡ଼ୋରେମନ୍ କାର୍ଟୁନ୍ ନଦେଖି ରାତିରେ ନିଦ ହେଉନି । ପୁପୁନ୍ କାଲି ଟ୍ୟୁସନ୍ରୁ ଆସି ଜେଜେଙ୍କୁ ପଚାରୁଛି

- ଜେଜେ ଏ’ ନିର୍ବାଚନ କେବେ ସରିବ? 
- କାହିଁକି, ସେଥିରେ ତୋର ଯାଏ ଆସେ କଣ?
- ନାଇଁ ମ’ ! ତମର ଟିଭି ଦେଖା କମିଲେ ମୁଁ ଟିକେ କାର୍ଟୁନ୍ ଦେଖିଥାନ୍ତି ।
-ଏବେ ପରୀକ୍ଷା ବେଳ, ପାଠ ପଢାପଢିରେ ମନ ଲଗା, ଟିଭିଫିଭି ଦେଖା ଛାଡ଼ , ଜୀବନଯାକ ପଡ଼ିଛି ଟିଭି ଦେଖିବାକୁ । ଆମ ଘରେ ଟିଭି ନ’ଥିଲା ବୋଲି ତୋ ବାପା ଆଜି ହାକିମ ହେଲା, ନହେଲେ ବାତେରା ଗାଁ ଟୋକାଙ୍କ ସାଙ୍ଗରେ ଏବେ ବୋତଲ ଧରି କ୍ଲବ୍ଘରେ ନିଶାରେ ଗଡୁଥାନ୍ତା । ତୁ ବାପାପରି ସେମିତି ବଡ଼ ହାକିମ ହେଲେ, ତୋ କ୍ୱାର୍ଟରର ସବୁଘରେ ଗୋଟାଏ ଗୋଟାଏ ଟିଭି କାନ୍ଥରେ ଝୁଲେଇ ଦିନରାତି ଦେଖିବୁ । ସେତେବେଳେ ତୋତେ କିଏ ମନା କରିବ? ଯେତେ ଇଛା ଦେଖିବୁ, ଏବେ କିନ୍ତୁ ସିଆଡ଼କୁ ମନ ଦେଏନା ।
-ହେଲା, ହଉ ଏବେ ତମ ଭାଷଣ ରଖ, ଖବର ଦେଖ ଟିଭିରେ ମୋଦୀ ବାହାରିଲାଣି  ।

ପୁପୁନ ମାଆ ଆଡ଼େ ନାଲିଆଖି ଦେଖାଇ ମନେମନେ କହୁଥିଲା- ଆଜି ରାତିରେ ବୁଢା ଶୋଇଲା ପରେ ଚଷମା ହଳକ ଭଙ୍ଗିବାକୁ ପଡ଼ିବ! ଗୋଡ଼ କଚାଡ଼ି ଚାଲିଚାଲି ଖଟ ଉପରକୁ ଉଠିଯାଇ ମୋବାଇଲ୍ ନେଟ୍ଅନ୍ କରି ଖେଳିବାକୁ ଲାଗିଲା । ମାଆ ଭାବୁଥାନ୍ତି ଏଇ ମୋବାଇଲ୍ଟି ନଥିଲେ ପୁପୁନ୍କୁ କଣ ସମ୍ଭାଳି ହୁଅନ୍ତା! ଛୁଆଟାର ବୁଦ୍ଧି ହେଇନି, ସିଏ ବା କଣ କରିବ । ଆଜିକାଲି ଯେଉଁ କଷ୍ଟ ପାଠ ମଝିରେ ମଝିରେ ଟିକିଏ ଟିଭି ନଦେଖିଲେ କଣ ପଢାରେ ମନ ଲାଗୁଛି! ଏକା ବେଳକେ ଦୁଇତିନି ଘଂଟା ବସି ଛୁଆଲୋକ କେମିତି ମନଦେଇ ପାଠ ପଢିବ? ହଉ , ଏ’ ନିର୍ବାଚନ ଦୁଇମାସ ଟିଭି ଜେଜେଙ୍କର ଜାଣ ।

ସମ୍ବାବଦପତ୍ରର ଜନ୍ମସ୍ଥାନ ଚୀନ । ପରେ ଏହା ଇଟାଲୀର ଭେନିସ୍ ନଗରୀକୁ ଯାଇଥିଲା । ଭାରତରେ ପ୍ରଥମେ ମିଶନାରୀମାନଙ୍କ ପ୍ରଚେଷ୍ଟାରେ କୋଲକତା ଶ୍ରୀରାମପୁରରୁ ବଙ୍ଗଳାଭାଷାର ବେଙ୍ଗଲ ଗେଜେଟ୍ ୧୭୮୦ ମସିହା ଜାନୁୟାରୀ ୨୯ତାରିଖରେ ପ୍ରକାଶ ପାଇଲା । ପରେପରେ ମୋଗଲ ଶାସନ କାଳରେ ବହୁ ହସ୍ତ ଲିଖିତ ସମ୍ବାଦପତ୍ରର ପ୍ରଚଳିତ ଥିବାର ଜନଶ୍ରୁତି ଅଛି । ୧୮୧୮ ମସିହାରେ ବଙ୍ଗଳାରେ ସମାଚାର ଦର୍ପଣ ନାମ୍ନୀ ସମ୍ବାଦପତ୍ର ପରେ ଧିରେ ଧିରେ ଏହାର କଳେବର ଓ ପରିଶର ବୃଦ୍ଧି ହେବାରେ ଲାଗିଲା । ଏବେ ଆମ ଦେଶରେ  ବିଭିନ୍ନ ପ୍ରକାରର ସମ୍ବାଦପତ୍ର ପ୍ରକାଶ ପାଉଛି । ଦୈନିକ, ସାପ୍ତାହିକ, ପାକ୍ଷିକ ଓ ମାସିକ । ଛୋଟସାପର ବିଷ ବେଶୀ ଭଳି ଛୋଟ ଅବଧିର ଦୈନିକ ସମ୍ବାଦପତ୍ରର ପ୍ରଭାବ ସବୁଠାରୁ ବେଶୀ । ଏବେ ଆମ ଓଡ଼ିଶାରେ ସମାଜ, ଧରିତ୍ରୀ, ସମ୍ବାଦ, ପ୍ରମେୟ, ସମୟ, ସଂଚାର, ନିତିଦିନ, ଅମୃତ ଦୁନିଆ, ମାତୃଭୂମି, ପ୍ରଜାତନ୍ତ୍ର, ମାତୃଭାଷା, ସ୍ୱରାଜ୍ୟ, ପ୍ରଗତିବାଦୀ, ଦିନଲିପି, ହୀରାଖଣ୍ଡ, ପ୍ରତିଦିନ, ଦର୍ଶନ, ସୂର୍ଯ୍ୟପ୍ରଭା, ଓଡ଼ିଶା ଭାସ୍କର, ଶ୍ରୁତି, ସର୍ବସାଧାରଣ, ପର୍ଯ୍ୟବେକ୍ଷକ, ପରିଦର୍ଶକ, ଆଜିକାଲି, ଧ୍ୱନୀପ୍ରତିଧ୍ୱନୀ, କ୍ରାନ୍ତିଧାରା, ନ୍ୟାୟବତୀ, କଳିଙ୍ଗପ୍ରଭା, କଳିଙ୍ଗମେଲ୍, ଓଡ଼ିଶା ଏକ୍ସପ୍ରେସ୍, ନିର୍ଭୟ, ଅନୁପମ ଭାରତ, ସେଇଠୁ ଆରମ୍ଭ, ଅଭିଯାନ ପରି ପ୍ରାୟ ପଚାଶରୁ ଅଧିକ ଦୈନିକ, ସାପ୍ତାହିକ ସାହସ, ସ୍ୱାଧିକାର, ରାଜନୈତିକ ବ୍ୟଙ୍ଗ ପତ୍ରିକା ଦୁର୍ମୁଖ, ଦୁର୍ଦ୍ଦାନ୍ତ, ବଜ୍ରକୀଳା ପ୍ରଭୃତି ସହ ପାକ୍ଷିକ ନିରପେକ୍ଷ ସମ୍ବାଦ ହିସାବରେ ନୟାଗଡ଼ ଦର୍ପଣ ଆଦି ନିୟମିତ ଭାବେ ପ୍ରକାଶ ପାଉଛି । ଆଜିକାଲିର ସମ୍ବାଦପତ୍ର ଦିନୁଦିନ ପାଠକମାନଙ୍କ ରୁଚି ନେଇ କଳେବର ବି ବଦଳେଇବାର ଲାଗିଛି । ଏଥରେ ବୈଜ୍ଞାନିକ, ଐତିହାସିକ, ଭ୍ରମଣ, ଧାର୍ମିକ, କ୍ରୀଡ଼ା, କୃଷି, ପାଣିପାଗ, ଧର୍ମଘଟ, ରାଜନୈତିକ ସହ ସାହିତ୍ୟିକ ସୃଜନୀ ପୃଷ୍ଠାର ବି ସଂଯୋଜନା ଦେଖିବାକୁ ମିଳୁଛି । ଏହି ସାହିତ୍ୟିକ ପୃଷ୍ଠା ବଦଳରେ ଭାଷା ସାହିତ୍ୟର ଉନ୍ନତି ହେବା ସହ ଅଗଣିତ ଯୁବ ଲେଖକ ଓ କବିମାନଙ୍କର ଆବିଷ୍କାର ମଧ୍ୟ ସମ୍ଭବ ହୋଇପାରୁଛି ।

ଭାରତ ପରି ଆମ ରାଜ୍ୟ ଓଡ଼ିଶାରେ ମଧ୍ୟ ପ୍ରଥମେ ମିଶନାରୀମାନଙ୍କ ଦ୍ୱାରା ସମ୍ବାଦପତ୍ରର ଅୟଂଆରମ୍ଭ କରାଯାଇଥିଲା । କଟକରେ ୧୮୩୮ ମସିହାରେ ଗୋଟିଏ ଛାପାଖାନା ହେବା ପରେ ୧୮୫୬ ମସିହା ଡିସେମ୍ବର ୨୦ ତାରିଖରେ ରେଭରେଂଟ୍ ଲେସିଙ୍କ ସମ୍ପାଦନାରେ ‘ପ୍ରବୋଧ ଚନ୍ଦ୍ରିକା’ ନାମରେ ଗୋଟିଏ ସମ୍ବାଦଧର୍ମି ମାସିକ ପତ୍ରିକା ପ୍ରକାଶ କରାଗଲା । ଏହା ପୂର୍ବରୁ ସୁନ୍ଦର ଦାସ ନାମ୍ନୀ ଜଣେ ଅଦ୍ୱୈ÷ତବାଦୀ ସାଧୁ ‘କୁଜିବର’ ପତ୍ରନାମରେ ଓଡ଼ିଆରେ ଏକ ହାତଲେଖା ସମ୍ବାଦପତ୍ର ଆରମ୍ଭ କରିଥିବାର କୁହାଯାଏ । ନ‘ଅଙ୍କ ଦୁର୍ଭିକ୍ଷ ପରେ କଟକରୁ ଗୌରୀଶଙ୍କର ରାୟଙ୍କ ସମ୍ପାଦନାରେ ଉତ୍କଳ ଦୀପିକା, ପରେ ପରେ ବାଲେଶ୍ୱର ସମ୍ବାଦ ବାହିକା(୧୮୬୮), ଉତ୍କଳ ହିତୈଷିଣୀ (୧୮୭୯), ସମ୍ବଲପୁର ହିତୈଷିଣୀ(୧୮୮୯) ଆଦିର ଆତ୍ମପ୍ରକାଶ ଘଟିଥିଲା । ସଂପ୍ରତି ଓଡ଼ିଶାରୁ ଛୋଟବଡ଼ ୫୦ରୁ ଅଧିକ ସମ୍ବାଦପତ୍ରରେ ଗୋଟିଏ ଦୁଇଟି ପୃଷ୍ଠା ଭାଷା ସାହିତ୍ୟ ପାଇଁ ବି ଉତ୍ସର୍ଗିତ ରହୁଛି ଯାହାକି ଆମର ଭାଷା ସାହିତ୍ୟକୁ ସମୃଦ୍ଧି କରିବାରେ ସାହାଯ୍ୟ କରିବା ସହ ବହୁ ବୁଦ୍ଧିଜୀବୀମାନଙ୍କର ମତାମତ ଅଗଣିତ ପାଠକମାନଙ୍କ ପାଖରେ ପହଁଚିବାର ସୁଯୋଗ ପାଇ ପାରୁଛି ।

ମଣିଷର ବୌଦ୍ଧିକ ବିକାଶର କାରଣ ମଧ୍ୟ ସମ୍ବାଦପତ୍ର । ବିଶ୍ୱର ବିଭିନ୍ନ ଘଟଣା, ସାମାଜିକ ପରିବେଶ, ଆଂଚଳିକ ଟିକିନିଖି ଘଟଣାଗୁଡ଼ିକୁ ବିସୃତ ଭାବେ ପ୍ରକାଶକରିବା ଦ୍ୱାରା ସମ୍ବାଦପତ୍ର ମାଧ୍ୟମରେ ମଣିଷ ନିଜନିଜର ସୀମାରେଖାରୁ ବାହାରି ବସୁଧୈବ କୁଟୁମ୍ବକମ୍ ମନ୍ତ୍ରକୁ ସାର୍ଥକ କରିବା ଦିଗରେ ଅଗ୍ରସର ହୋଇ ବିଶ୍ୱର ବିରାଟ ପରିଶରରେ ନିଜକୁ ସ୍ଥାପିତ କରୁଛି । ସଂପ୍ରତି ସମ୍ବାଦପତ୍ରର ଲୋକପ୍ରିୟତା ବହୁପରିମାଣରେ ବୃଦ୍ଧି ପାଇଲାଣି । ବମ୍ବେ ଓ ଦିଲ୍ଲୀରେ କିଛି ସମ୍ବାଦପତ୍ରର ସକାଳ ଓ ସନ୍ଧ୍ୟା ସମୟର ଭିନ୍ନଭିନ୍ନ ପ୍ରକାଶନ ଦିନକୁ ଦୁଇଥର ପ୍ରକାଶିତ ହେଉଛି । ଏଥିରୁ ସମ୍ବାଦପତ୍ରର ଆଦର ଓ ଉପଯୋଗୀତା ବେଶ୍ ସ୍ପଷ୍ଟ । ଏସବୁ ବିଷୟକୁ ତର୍ଜମା କଲେ ସମ୍ବାଦପତ୍ର ଗୁଡ଼ିକର ଦାୟିତ୍ୱପୂର୍ଣ୍ଣ ଓ ନିରପେକ୍ଷ ଭାବରେ ସମ୍ବାଦ ପରିବେଷଣ କରି ଜନସାଧାରଣଙ୍କୁ ସଙ୍ଗଠିତ ରଖି ଗଣତନ୍ତ୍ରକୁ ସୁଦୃଢ କରିବାରେ ଯେଉଁ ଭୁମିକା ଗ୍ରହଣ କରେ ତାହା ସହଜରେ ଅନୁମେୟ । ପରିଶେଷରେ ନିର୍ବାଚନ ଦିନମାନଙ୍କରେ ସମ୍ବାଦପତ୍ର ଗୁଡ଼ିକ ଜାତିର ସେବାଭାବକୁ ମୂଖ୍ୟକରି ସ୍ୱାଧୀନ ଚିନ୍ତାଧାରାର ଅବିରତ ଧାରା ବୁହାଇ ସତ୍ୟ ନିରପେକ୍ଷ ଖବର ପରିବେଷଣ କଲେ ଦେଶରେ ସୁସ୍ଥ ସୁଦୀର୍ଘ ସୁଦୃଢ ଗଣତନ୍ତ୍ର ସୁଶାସନ ସହ ସାଧାରଣ ଜନତାଙ୍କର ଅଶେଷ ମଙ୍ଗଳ ସାଧିତ ହେବା ସଙ୍ଗେସଙ୍ଗେ ବିଶ୍ୱ ଦରବାରରେ ମଧ୍ୟ ଆମଦେଶ  ଭାରତ ଯଶସ୍ୱୀ ହେବ । 

ଇଂ ବିଦ୍ୟାଧର ପଣ୍ଡା
ଖ- ୧୭/୧୫, ପଂଚଶଖା ନଗର, ଡୁମୁଡୁମା, ଖଣ୍ଡଗିରି,
ଭୁବନେଶ୍ୱର-୭୫୧୦୧୯, ମୋ-୯୪୩୯୧୨୮୦୫୦

0 Comments