OUR READERS STATUS AROUND THE GLOBE : INDIA-369114 CANADA-450 CHINA-889 FRANCE-2506 GERMANY- 2255 QATAR - 61 SINGAPORE - 1114 UNITED STATES - 15666 UNITED KINGDOM - 602 UNITED ARAB EMIRATES - 934 UKRAINE-47 UNKNOWN REGIONS-5943 (As On 31st May 2019)

ପ୍ରବନ୍ଧ - ଗାଁ କାନ୍ଦୁଛି ମା କାନ୍ଦୁଛି - ସନ୍ତୋଷ କୁମାର ମହାନ୍ତି

ପ୍ରବନ୍ଧ - ଗାଁ କାନ୍ଦୁଛି ମା କାନ୍ଦୁଛି - ସନ୍ତୋଷ କୁମାର ମହାନ୍ତି



ଗାଁ ଆମ ସମସ୍ତଙ୍କ ପ୍ରିୟ | ନିଜ ଭିଟା ମାଟି ପ୍ରତି ମୃତ୍ୟୁ ପର୍ଯ୍ୟନ୍ତ ସମସ୍ତଙ୍କର ଶ୍ରଦ୍ଧା ରହିଥାଏ | ଯିଏ ଯୋଉଠି ଥାଉନା କାହିଁକି ନିଜ ଗାଁକୁ ଝୁରି ହୁଏ | ପେଟ ପାଟଣା ନେଇ ବାହାରେ ରହିଲେ ମଧ୍ୟ ଗାଁକୁ ପୁନେଇ ପର୍ବରେ ଛୁଟି ଆସିବାକୁ ମନ ଆତୁର ହୁଏ |ଗାଁର ସୁଖ ଚାକଚକ୍ୟ ଭରା ସହର ମାଟିରେ ମିଳେନା | ଗାଁର ପଖାଳଭାତ, ବଡି ଚୁରା, ବାଇଗଣ ଭରତା, କଖାରୁ ଫୁଲ ଭଜା, ପୋଇ ରାଇ, ଚୁନାମାଛ ତରକାରୀ, ଛତୁ ପୋଡା ଓ ସଜନା ଶାଗ ଭଜାର ସ୍ୱାଦ ସବୁବେଳେ ନିଆରା | ଗାଁରେ ଦୋଳ, ଦଶହରା, ମଙ୍ଗଳା ପୂଜା, ଅଷ୍ଟପ୍ରହରୀ, ରଜ, ଦୀପାବଳି, ଭାଲୁକୁଣି ଓଷା, ବୁଧେଇ ଓଷା, ଦାଣ୍ଡ ପହଁରା, ଦଣ୍ଡ ନୃତ୍ୟ ଓ ବାଲି ପର୍ବ ଆମ ଭାଇଚାରା ଓ ସଂସ୍କୃତିକୁ ବାନ୍ଧି ରଖିଥିଲା | କିନ୍ତୁ ଏହି କୋଡିଏ ବର୍ଷ ଭିତରେ ଗାଁ ଏପରି ଭାବରେ ବଦଳୁଛି ଗାଁରୁ ଯିଏ ଗଲେ ସେମାନେ ଆଉ ଫେରିବାକୁ ମନ କରୁନାହାନ୍ତି | ଆଉ ଯୋଉମାନେ ସବୁ ଗାଁରେ ରହିଛନ୍ତି ସେମାନେ ତ୍ରାହି ତ୍ରାହି ଡାକ ଦେଲେନି |ଗାଁରେ ନଷ୍ଟ ହେଇ ଆସୁଥିବା ଭାଇଚାରା ଓ କଳୁଷିତ ପରିବେଶ ଯୋଉ ଏବେ ଖାଲି ଗାଁ କାଂଦୁନାହିଁ ବରଂ ଗାଁରେ ରହୁଥିବା ମା ମାନେବି ଗୁମୁରି ଗୁମୁରି କାନ୍ଦୁଛନ୍ତି | ଆଜି ଗାଁ ଗହଳିରେ ମଦର ବହୁଳ ପ୍ରସାର ଯୋଗୁ ଗାଁଗୁଡ଼ିକର ଆର୍ଥିକ ସ୍ଥିତି ଖରାପ ଆଡକୁ ଗତି କରିବାକୁ ବସିଲାଣି |ପାରିବାରିକ ଅଶାନ୍ତି ସହ ମହିଳା ଓ ଶିଶୁ
ମାନଂକ ପ୍ରତି ନିର୍ଯାତନା ବଢ଼ିବାରେ ଲାଗିଛି ପଛେ କମିବାର ନା ଧରୁନି |ମଦୁଆ ଲୋକମାନଂକ ଉତପାତ ଯୋଗୁ ଗାଁର ପରିବେଶ ଖରାପ ହେଉଛି |ଏଣେ ଗାଁର ଭାଇଚାରା,ଶାନ୍ତ ପରିବେଶକୁ ମଦ ପୁରା ଉଜାଡି ସାରିଲାଣି |ମଦୁଆ ଲୋକମାନଂକ ଗାଳିଗୁଲଜ ଯୋଗୁ ସେମାନଂକ ପରିବାର ସହ ପଡୋଶୀ ପିଲାମାନଂକର ପାଠ ପଢା ପ୍ରଭାବିତ ହେଉଛି |ମଦୁଆଙ୍କ ଯୋଗୁ ଗାଁରେ ଆଉ କିଛି ଭଲ କାମ ହେଇ ପାରୁନି |ଗାଁରେ କୂଟନୀତି,ନାନା ପ୍ରକାର ଖଳ କାମରେ ମଦୁଆ ଲୋକଙ୍କୁ ସାମିଲ କରାଯାଇ କିଛି ଲୋକ ନିଜର ସ୍ଵାର୍ଥ ସାଧନା କରିବାରେ ଲାଗିଛନ୍ତି |ନେତା ଓ କୁଜିନେତା ମାନେ ଗାଁର ଲୋକମାନଂକୁ ମଦରେ ବୁଡାଇ ଲୋକମାନଂକର ବିଚାର ଶକ୍ତି ନଷ୍ଟ
କରିବାରେ ଲାଗିଛନ୍ତି |ମଦ ପିଇ ମାତାଲ ହୋଇ କୋଉଟା ଭଲ କୋଉଟା ମନ୍ଦ ଆଉ ଲୋକ ବିଚାର କରିପାରୁ ନାହାନ୍ତି |ଗାଁ ରେ ଅତ୍ୟାବଶ୍ୟକ ସାମଗ୍ରୀ ଓ ସେବା ପଛେ ନ ମିଳୁ କିନ୍ତୁ ମଦ ସହଜରେ ମିଳି ଯାଉଛି |ଘରର ମୁଖିଆ ମାନେ ମଦ ଅହରହ ପିଇବା ଦ୍ଵାରା ମହିଳା ମାନଂକ ପ୍ରତି ନିର୍ଯାତନା ବଢିବା ସହ ପିଲା ଓ ମହିଳା ମାନେ କୁପୋଷଣର ଶିକାର ହେଉଛନ୍ତି | ଶିକ୍ଷା ଅନୁଷ୍ଠାନର ୫୦୦ ମିଟର ଦୂରତା ମଧ୍ୟରେ ମଦ ଦୋକାନ ନ ଖୋଳାଯିବାର ନିୟମ ଥିଲେ ମଧ୍ୟ ଏ ନିୟମକୁ ପାଳନ କରାଯାଉନି |ସରକାରୀ ସ୍ତରରେ ମଦ
ପ୍ରତି ପ୍ରୋଛାହନ ଯୋଗୁ ଗାଁ ଗୁଡିକରେ ମହିଳା ମାନଂକ ମଦ ବିରୋଧୀ ଆନ୍ଦୋଳନ କିଛି ସୁଫଳ ହୋଇ ପାରୁନି |ଏଣେ ଗରିବ ଲୋକମାନଂକ ପାଇଁ ଖାଦ୍ୟ ସୁରକ୍ଷା ଯୋଜନାରେ ଯେତେ ଚାଉଳ ବାଣ୍ଟିଲେବି ସେମାନେ ଭାତ ନଖାଇ ଚାଉଳ ବିକି ମଦ ପିଇକରି ନିଜର ସ୍ବାସ୍ଥ୍ୟ ହରାଇବାରେ ବସିଛନ୍ତି |ଆଉ ସରକାର କହୁଛନ୍ତି ଆମର ପ୍ରଗତି ହେଉଛି |ଲୋକମାନଂକ ଶାରୀରିକ ଓ ମାନସିକ ଶକ୍ତିକୁ ନଷ୍ଟ କରି କୋଉ ସରକାର କେବେ ଗୋଟେ ଜାତିର ଉନ୍ନତି କରି ପାରେନାହିଁ |ଲୋକଂକୁ ମଦୁଆ କରି ଗାଁର ଅର୍ଥନୀତିକୁ ରସାତଳଗାମୀ କରୁଥିବା ଆମର ନେତା,କୁଜିନେତା ଓ ପ୍ରଶାସନିକ ଅଧିକାରୀ ମାନେ ଗାଁର ସ୍ଥିତି କୋଉ ଆଡକୁ ଗତି କଲାଣି ବୁଝିବାକୁ ଅକ୍ଷମ |ଏଣେ ସରକାର ରାଜସ୍ୱ ବଢାଇବା ପାଇଁ ମଦ ଦୋକାନ ଖୋଲିବାର ବହୁତ ଲାଗିଛନ୍ତି |ଗାଁର ଅର୍ଦ୍ଧାଧିକ ଲୋକମାନେ ସୁଷମ ଖାଦ୍ୟ ଆଉ ନ ଖାଇ ମଦ ପିଇ ମାତାଲ ହେଉଛନ୍ତି | ଆଉ ଅକାଳରେ ଆର ପାରିକୁ ଚାଲି ଯାଉଛନ୍ତି |ମଦ କବଳରେ ବାନ୍ଧି ହୋଇପଡ଼ିଥିବା ନିଜ ସ୍ୱାମୀ ଓ ରୋଜଗାରିଆ ପୁଅ ମାନଙ୍କର ଦୁରବସ୍ଥା ଦେଖି ସ୍ତ୍ରୀ ଓ ମା ମାନେ ଅହରହ ଆଖିର ଲୁହ ପୋଛୁଛନ୍ତି |

ସମୟ ଥିଲା ଗାଁ ରାସ୍ତାରେ ଶଗଡ଼,ଟ୍ରକ ଆଦି ଯାନବାହାନ ଯାଇ ପାରୁଥିଲା |ଏହି ପନ୍ଦର ବର୍ଷ ଭିତରେ ଗାଁରେ ଅନାଧିକାର ଭାବରେ ସର୍ବସାଧାରଣ ରାସ୍ତାରେ ଆଗକୁ ମଡ଼େଇ ଘର କରାଯାଉଛି | ରାସ୍ତା କବଜା କରି ପଥର,ଗୋଡି,ବାଲି ଅନେକ ଦିନ ଧରି ରଖିବା ଫଳରେ ଦୁଇ ଚକିଆ ଯାନ ଗାଁ ରାସ୍ତାରେ ଯିବା କଷ୍ଟ ଦାୟକ ହୋଇ ପଡ଼ିଲାଣି | ଯୋଉ ଗାଁ ଗୁଡିକର ରାସ୍ତା ଦେଇ ୨୦ଟି ଗାଁର ଲୋକ ଯିବା ଆସିବା କରୁଛନ୍ତି ଯାତାୟାତ ବେଳେ କଳିଗୋଳ ହେଉଛି |ଗାଁ ରାସ୍ତାରେ ଗାଈ ଗୋରୁ ବାନ୍ଧି ଯିବା ଆସିବା ରାସ୍ତାକୁ ବିପଦ ସଂକୁଳ କରାଯାଉଛି |କିଛି ଗାଁର ଲୋକମାନେ ରାସ୍ତା ଉପରେ ଧାନ ମଡ଼େଇବା କାମ କରୁଛନ୍ତି | ଗାଁ ର ସର୍ବସାଧାରଣ ରାସ୍ତାରେ ଡ୍ରେନ ନେବା ଓ ରାସ୍ତା ଚଉଡା କଲାବେଳେ ବହୁତ ବିବାଦ ଉପୁଜୁଛି |ଏଥି ପାଇଁ ଗାଁ ଲୋକଙ୍କ ଭିତରେ ମାଡ଼ ପିଟ ହେଉଛି |ଆଉ ଯୋଉ ମାନେ
ତ ଟିକେ ପଇସା ଵାଲା ଓ ରାଜନୀତି ସହ ଜଡିତ ଅଛନ୍ତି ସେମାନେ ସର୍ବସାଧାରଣ ରାସ୍ତା ଓ ଜାଗା ସବୁ ମାଡି ବସି ଯାହା ମନ ତାହା କରୁଛନ୍ତି |ତାଙ୍କୁ କହିବାକୁ କି ଦେଖିବାକୁ କେହି ନାହାନ୍ତି | ଏପରିକି ଗାଁରେ ଥିବା ମଶାଣି ,ଗୋଚର ଓ ଖେଳ ପଡିଆର ଜାଗାକୁ କିଛି ଲୋକ ଚଂଚକତା କରି ଏମିତି ବବ୍ୟହାର କରୁଛନ୍ତି ଯାହା ଫଳରେ ଗାଁରେ ଅନେକ ଅସୁବିଧା ହେଉଛି |ସହରରେ ପ୍ରଶାସନ ଯୋଉ ଭଳି ସର୍ବ ସାଧାରଣ ଜାଗାକୁ ଅଧିକାର କରିଥିବା ପରିବାର ଉପରେ ଚଢ଼ାଉ କରୁଛି ,ଗାଁରେ ମଝିରେ ମଝିରେ ଏପରି କରିବା ଦରକାର ପଡ଼ିଲାଣି |ନହେଲେ ଗାଁ ରାସ୍ତାରେ ଆଗକୁ ସାଇକେଲରେ ଯାଇ ହେବ କି ନାହିଁ ସେ ନେଇ ସନ୍ଦେହ ଉପୁଜିଲାନି | ଗାଁରେ ଏବେ ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତ ପରିବାର ଗୁଡିକ ଏକ ପ୍ରକାର ସଂକଟମୟ ସ୍ଥିତି ଦେଇ ଗତି କରୁଛନ୍ତି |ବି.ପି .ଏଲ ଶ୍ରେଣୀରେ ଥିବା ଲୋକମାନେ
ନାନା ସରକାରୀ ସୁବିଧା ସୁଯୋଗ ପାଇଁ ଆଉ କାମ କରିବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି |ଯାହାଫଳରେ ଏବେ ବିଲ ସବୁ ପଡିଆ ପଡୁଛି |ଯୋଉ ଗାଁ ଗୁଡିକରେ ଦୋ କି ତିନି ଫସଲି ହେଉଥିଲା ଏବେ ସେଠି ଗୋଟେ ଥର ଫସଲ ଅମଳ କାଠିକର ପାଠ ହେଇପଡିଲାଣି |ଆଉ ଶିକ୍ଷିତ ଯୁବ ଗୋଷ୍ଠୀ ବିଲବାଡି଼କୁ ଯିବାକୁ ପୁରା ବିମୁଖ |କିଛି ଶିକ୍ଷିତ ପିଲା ଓଡ଼ିଶାରେ କାମ ନ ପାଇଁ  ମହାରାଷ୍ଟ୍ର, ଗୁଜୁରାଟ, ଗୋଆ, କର୍ଣ୍ଣାଟକ ,ଆନ୍ଧ୍ର ପ୍ରଦେଶ ଯାଇ ପେଟ ପାଟଣା ନେଇ ଯୁଝୁଛନ୍ତି |ଆଉ ଦଳେ ଯୁବକ ଗାଁରେ ଯିଏ ସବୁ ରହିଲେ ଦଳୀୟ ରାଜନୀତିରେ ମାତି ଗାଁକୁ ଖାଲି ଉଠାଉଛନ୍ତି ଓ ପକାଉଛନ୍ତି |ଆଉ ନେତା ଓ ସେମାନଙ୍କ ଅନୁଗତ ମାନେ ସେହି ଯୁବକ ମାନଙ୍କୁ ହାତବାରିସୀ କରି
ନିଜ ସ୍ୱାର୍ଥ ସାଧନରେ ମାତିଛନ୍ତି |କିନ୍ତୁ ଏହାରି ଭିତରେ ଯେ ଯୁବ ଶକ୍ତି ,ଯେଉଁ ମାନଙ୍କୁ ଯୋଗୁ ଗାଁ ଉନ୍ନତି ହେଵା କଥା ସେମାନଙ୍କ କର୍ମ ବିମୁଖତା ଓ ବାଟବଣା ଗାଁର ସ୍ଥିତିକୁ ଅଧିକ ଦୁର୍ବଳ କଲାଣି |

ଏବେବି ଅନେକ ଗାଁକୁ ଆମ୍ବୁଲାନ୍ସ ଯିବାକୁ ରାସ୍ତା ନାହିଁ |ଭଲ ପିଇବା ପାଣି ଟିକେ ମିଳୁନି |ପିଲାମାନେ ବିପଦ ସଂକୁଳ ରାସ୍ତା ଦେଇ ସ୍କୁଲ ଯାଉଛନ୍ତି |ଓଡ଼ିଶାର ଅନେକଗୁଡିଏ ଗାଁ ସ୍କୁଲର ସ୍ଥିତି ଆଉ ଭଲ ନାହିଁ |ସବୁ ପ୍ରକାର ସୁବିଧା ସୁଯୋଗ ପରେବି ଗାଁ ସ୍କୁଲରେ ଆଉ ଉତ୍ତମ ବିଦ୍ୟାର୍ଥୀ ବାହାରି ପାରୁନାହାନ୍ତି |ତଥାପି ଗାଁ ନିଜ ଭାଗ୍ୟକୁ ଆଦରି ପଡିଛି |ଝିଅ ,ବୋହୂ ମାନେବି ଗାଁରେ ଆଉ ସୁରକ୍ଷିତ ନୁହନ୍ତି |କିଛି ଗୋଷ୍ଠୀ ଓ ଚତୁର ଶ୍ରେଣୀ ଗାଁକୁ ପୁରା ନିଜ କବଜାରେ ରଖିଛନ୍ତି |ସେମାନେ ସାଧାରଣ ଲୋକଙ୍କ ଆଖିରେ ଆଙ୍ଗୁଠି ଗେଂଜି ନିଜ ଗୋଡ ହଳଦିଆ କରି ଚାଲିଛନ୍ତି |ପ୍ରତିବର୍ଷ ଗାଁରେ ନେତା ଓ ସେମାନଙ୍କ ଅନୁଗତଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପର ଶୁଭ ଦିଆଯାଉଛି |କିଛି ହେଉଛି ,ଆଉ କିଛି ଅଧା ହେଇପଡିଛି |ଆଉ କିଛି କାମ ଆରମ୍ଭ ବି ହେଇନି |ଅନେକ ଗାଁରେ ପ୍ରକଳ୍ପର ଫଳକ ଜାଗା ମାଡି ଆମ ଗାଁ ପ୍ରଗତିର
ଇତିହାସ ବଖାଣୁଛି | ଏବେ ପୁଣି ଥରେ ଆମ ହାତରେ ନିଜ ଗାଁ ଓ ରାଜ୍ୟକୁ ପରିବର୍ତନ କରିବାର ବେଳ ଆସି ପହଂଚିଛି |ତେଣୁ ଆଉ କାହାର ପ୍ରଲୋଭନରେ ନ ପଡି ନିଜ ଗାଁର ପୂର୍ବ ଇତିହାସ ଓ ବର୍ତ୍ତମାନ ପରିସ୍ଥିତିକୁ ସୁସ୍ଥ ମନରେ ବିଚାରକରି ଜନ ପ୍ରତିନିଧି ଚୟନ କରିବାର ସମୟ ଆସିଛି | ନିଜ ଗାଁକୁ ନିଜ ହାତରେ ସଜାଡ଼ିବାର ବେଳ ଏବେବି ଅଛି |

ନବଜୀବନ ସମାଜ,
ସଫା,କଟକ-୭୫୪୦୨୨ ,ଚଳମାନ-୯୭୭୭୭୬୬୩୪୬

0 Comments