ଅନୁଚିନ୍ତା - ସନ୍ତୋଷ ପଟ୍ଟନାୟକ

ଅନୁଚିନ୍ତା - ସନ୍ତୋଷ ପଟ୍ଟନାୟକ


ଭାବନା ପ୍ରଦେଶେ ଭ୍ରମୁଥିଲେ ଦିନେ
     ମଣିଷର ଦୁଇ ଅଙ୍ଗ
ଆଖି ଓ ହୃଦୟ ଅତି ଆପଣାର
     ଦୁହେଁ ଦୁହିଁଙ୍କ ସଙ୍ଗ

ଆଖିକହେ ମୋର ସୌଭାଗ୍ଯ ଅଟଇ
      ଜଗତକୁ ପାରେ ଦେଖି
ସ୍ରଷ୍ଟାଙ୍କ ସୃଷ୍ଟିର ଅନନ୍ୟ ସୌନ୍ଦର୍ଯ୍ୟେ
    ଚିତ୍ତ ମୋର ଥାଏ ଲାଖି

ନିଦ୍ରାରେ ଦେଖଇ ମଧୁର ସପନ
    ଚେଇଁ ଥାଇ ଗଢେ ଆଶା
ରୂପ ରଙ୍ଗ ଦେଖି ସୌନ୍ଦର୍ଯ୍ୟ  ପରଖି
    ଜୀବପାଖେ ମୁଁ ଭରଷା

ଦୁଃଖେ ସହଭାଗୀ ହୋଇଥାଏ ମୁହିଁ
 ସୁଖେ ଥାଏ ହୋଇ ସାଥୀ   
ହେଲେ ବେଳେବେଳେ ଭୁଲ୍ ହେଇଯାଏ
     ଭଲପାଇବା ପରଖି.....

କଥାଟିକୁ ସାରି  ଆଖି କହେ ପୁଣି   
     କହରେ ହୃଦୟ ଭାଇ
ଛାତି ତଳେ ରହି ନଦେଖି କାହାକୁ
     କେମିତି ତୁ ଭଲ ପାଉ !?....

ଉତ୍ତରେ ହୃଦୟ  କହଇ ସଧିର
    ବିବେକ ଅଟେ ମୋ ବଳ
ଭଲପାଇବାକୁ ଚିହ୍ନିବାରେ ସେଇ
   ହୋଇଥାଏ ମୋ ସମ୍ବଳ....

ରୂପ ଦେଖେନାହିଁ  ଗୁଣକୁ ପରଖେ
      ଏଇଟା ମୋର କରମ
କର୍ମକୁ ଆଦରି ମାରିଯାଏ ମୁହିଁ
      ନିଶ୍ବାର୍ଥ ଭରା ମଲମ.....

ଉତ୍ତରକୁ ଶୁଣି ଆଖି ହେଲା ଦୁଃଖୀ
      ଝରେଇ ଦିଟୋପା ପାଣି
ନିଜ କରମକୁ ଧିକାରୀ  କହିଲା
     ଧନ୍ୟ ହେ ହୃଦୟ ମଣି....

ହୃଦୟ କହଇ ଶୁଣ ଆଖି ତୁହି
     ଦେଖନି କାହାରି ଖୁଣ
ମଣିଷ ଶରୀରେ ମୂଲ୍ୟବାନ ଅଙ୍ଗ
     ହେଲେ ଆମେ ଦୁଇଜଣ

ନିଜକୁ ଛୋଟିଆ ମଣନି କେବେ ତୁ
      ନଡରି କରିଯା କର୍ମ
ସ୍ବଧର୍ମ ଆଦରି କରମ କରିଲେ
     ନଥିବ ଚିନ୍ତା କାରଣ.....

କର୍ମ ବୀର ହୁଅ ନକରି ଛଳନା
    ମନକୁ ଆୟତ୍ତେ ରଖ
ବାହ୍ୟ ଆବରଣ ଦେଖିବା ତୋ କର୍ମ
    ମୋ କଥାଟି ମନେରଖ....

ସନ୍ତୋଷ ପଟ୍ଟନାୟକ
ତିରିଡା, ବେଗୁନିଆପଡା, ଗଞ୍ଜାମ

0 Comments