କ୍ଷୁଦ୍ରଗଳ୍ପ - ଅର୍ନ୍ତଦ୍ଵନ୍ଦ - ନିବେଦିତା ମହାପାତ୍ର

କ୍ଷୁଦ୍ରଗଳ୍ପ - ଅର୍ନ୍ତଦ୍ଵନ୍ଦ - ନିବେଦିତା ମହାପାତ୍ର

ଧନେଶ୍ବର ମଉସାଙ୍କ ଝିଅ ଟୁନି ଭଲପାଇ ବାହା ହୋଇଥିଲେ ସାଗର ଭାଇଙ୍କୁ ନିଜ ପସନ୍ଦରେ।ପୁଅ ସରକାରୀ ଚାକିରି କରିଥିବାରୁ ଆଉ ଝିଅର ଖୁସି ପାଇଁ ମଉସା ମଧ୍ୟ ଅରାଜି ନ ଥିଲେ ଏ ପ୍ରସ୍ତାବରେ।କିନ୍ତୁ ପୁଅ ମା'ଙ୍କର ଝିଅ ପସନ୍ଦ ନ ଥିଲା।କାରଣ ଗୋଟିଏ ଝିଅର ରଙ୍ଗ ଥିଲା କଳା।ତାଙ୍କ ପୁଅ ସାଗର ଯେତିକି ଗୋରା ଆଉ ସୁନ୍ଦର,ଟୁନି ଅପା ସେତିକି କଳା।ପୁଅର ଜିଦ୍ ରେ ବାହାଘର ପାଇଁ ରାଜି ସିନା ହେଇଗଲେ ହେଲ ଗ୍ରହଣ କରିପାରି ନଥିଲେ ବୋହୂକୁ।ସାହିପଡିଶା ଆଉ ବନ୍ଧୁବାନ୍ଧବ ସବୁଠି ବି ସେଇ ଗାେଟିଏ କଥା ପୁଅ ପାଇଁ ଝିଅ କିନ୍ତୁ ଠିକ୍ ହେଲାନି। ସବୁବେଳ ଏମିତି ଶୁଣି ଶୁଣି ସେ ପୁରା ଅତିଷ୍ଠ ହାେଇପଡଥିଲେ।ଶେଷରେ ପୁଅକୁ ବୋହୂ ବିରୁଦ୍ଧରେ କହିବା ଆରମ୍ଭ କରି ଦେଇଥିଲେ।ପ୍ରଥମେ ତ ସାଗର ଭାଇ ମାଉସୀଙ୍କ କଥା ଶୁଣୁ ନଥିଲେ।ହେଲେ ପରେ କିନ୍ତୁ ଟୁନି ଅପା ଓ ତାଙ୍କ ମଧ୍ୟରେ ଝଗଡା ଆଉ ମନୋମାଳିନ୍ୟ ଆରମ୍ଭ ହେଇଯାଇଥିଲା।ସବୁବେଳେ ନିଜ ବୋହୂ ବିରୁଦ୍ଧରେ କହିବା ସତେ ଯେମିତି ତାଙ୍କର ଅଭ୍ଯାସରେ ପରିଣତ ହେଇଯାଇଥିଲା।ବାହାଘର ବେଳେ ଧନେଶ୍ବର ମଉସା ଯୌତୁକ ଦେଇଥିଲେ ମଧ୍ୟ ବାପ ଘରୁ ଅଧିକ ଯୗେତୁକ ଆଣିବା ପାଇ ସେମାନେ ଟୁନିଅପା ଉପରେ ଚାପ ପକେଇବା ଆରମ୍ଭ କରି ଦେଇଥିଲେ।ଟୁନିଅପା କିନ୍ତୁ ସବୁ ସହିଯାଉଥିଲା,କାରଣ ସେ ଜାଣିଥିଲା ତା ବାପାଙ୍କର ଏବେ ସେମିତି ସକ୍ଷମତା ନାହିଁ ଯେ ସେ ଏକକାଳିନ ୫୦,୦୦୦ ଟଙ୍କା ଆଉ ଗୋଟେ କାର୍ ଦେଇପାରିବେ।ତଥାପି ଦିନେ କଥା ଛଳରେ ସେ ବାପାଙ୍କୁ ଏ କଥା ଜଣେଇଲା।ମଉସା ବି ସୁବିଧା କରି ଦେବି ବାେଲି କହି ଟୁନିଅପାକୁ ସାନ୍ତ୍ବନା ଦେଇଥିଲେ।
              କିଛିଦିନ ଏମିତି କଟିଗଲା।ନା ମଉସା ଟଙ୍କା ଦେଇପାରିଲେ ନା ଟୁନିଅପା ଉପରେ ହେଉଥିବା ଅତ୍ୟାଚାର କମିଲା।ଏ ସବୁ ଭିତରେ ସାଗର ଭାଇଙ୍କ ମା ତାଙ୍କ ବାହାଘର ଅନ୍ୟ ଯାଗାରେ କରିବା ପାଇଁ ଠିକ୍ କରିସାରିଥିଲେ।ସେଥିପାଇଁ ସେମାନେ ଟୁନିଅପାକୁ ଜୀବନରେ ମାରିଦବା ପାଇଁ ନିଷ୍ପତ୍ତି ନେଇଥିଲେ।ଦିନେ ଖରାବେଳ ସମସ୍ତେ ଖାଇ ସାରିବା ପରେ ଟୁନିଅପା ବି ଖାଇ ଶାେଇପଡିଲା ତା ରୁମ୍ ରେ।ତା ଆଖି ଲାଗିଯାଇଥିବା ବେଳେ ହଠାତ୍ ସବୁ ନିରବତାକୁ ଭାଙ୍ଗି ଦେଇଥିଲା କାହାର ଧିର ପାଦ ଶଦ୍ଦ।କିଛି ଭାବିବା ଆଗରୁ କେହି ଜଣେ ତକିଆରେ ଜୋର୍ କରି ଚାପି ଧରିଲା ଟୁନି ଅପାର ମୁହଁକୁ ଓ ଆଉ ଜଣେ ତା ଗାେଡ଼ ଦୁଇଟିକୁ।ବହୁତ ଛାଟି ପିିଟିହେଲା ସେ।ମୁକୁଳିବାକୁ ଶତ ଚେଷ୍ଟା କରି ମଧ୍ୟ ସେ ବିଫଳ ହେଲା।ଶେଷରେ କିଛି ସମୟର କସରତ୍ ପରେ ନିସ୍ତେଜ ହେଇଗଲା ୫'୪"ଲମ୍ବର ଶରୀରଟା।କେହି କିଛି ଜାଣିବା ଆଗରୁ ସେମାନେ ଟୁନି ଅପାର ଶରୀରକୁ ନେଇ ଟାଙ୍ଗିଦେଲ ବାଥ୍ ରୁମ୍ ରେ  ଲାଗିଥିବା ଲୁହାରଡ୍ ରେ।ଆଉ ସମସ୍ତେ ଚାଲିଗଲେ ନିଜ କାମରେ।
                            ସଂନ୍ଧ୍ୟାବେଳକୁ ଧନେଶ୍ବର ମଉସାଙ୍କୁ ଖବର ଦିଆଗଲା ଟୁନିଅପା suicide କରିଛି।ବିଶ୍ବାସ କରିପାରିଲେନି ମଉସା ।ମା ଛେଉଣ୍ତ ଝିଅଟି ପିଲାବେଳୁ ଅନେକ କଷ୍ଟ ସହି ବଡ ହେଇଛି;ହେଲେ କେବେ ଭାଙ୍ଗି ପଡିନି।ହେଲେ ଆଜି କଣ ହେଲା ତା'ର।ସେ ଏମିତି ଗାେଟ ଭୁଲ୍ କରିଲା।ନା ନା ଏମିତି ହେଇ ନ ପାରେ;ଟୁନି ପୁଣି ଆତ୍ମହତ୍ୟା କରିବ!ଏଇଟା ଅସମ୍ଭବ।ଏମିତି ଭାବୁ ଭାବୁ ଧନେଶ୍ବର ମଉସା ଯାଇ ପହଚିଁଲେ ଝିଅ ଘରେ।ସବୁଆଡେ ନିସ୍ତବ୍ଧତା।ବାରଣ୍ତାରେ ଧଳାଚାଦର ଘାେଡେଇ ରଖାଯାଇଛି ଶରୀରଟିଏ।ମଉସା ଚାଦରଟିକୁ ଆଡେଇ ଦେଇ ଦେଖିଲେ ତାଙ୍କ ଗେହ୍ଲି ଝିଅର ମୁହଁ।ନା ଅଛି ଅଭିମାନ ନା କିଛି ଅଭିଯାେଗର ଚିହ୍ନ।ସବୁକିଛି ଶେଷ ହେଇଯାଇଛି।ସବୁଦିନ ପାଇଁ ଶାନ୍ତିରେ ଶୋଇ ଯାଇଛି ସେ।ସେଦିନ ଏ ସବୁ ଘଟଣାକୁ ଦେଖି ଥିବା ଛୋଟ ଝିଅଟି କିଛି ବୁଝି ପାରିନଥିଲା।ଆଉ ଯେବେ ବୁଝିଲା ସେବେ ଠାରୁ ଆଜି ଯାଏଁ ସେ ବିଶ୍ବାସ କରିପାରିନି ଏ ପୁରୁଷ ସମାଜକୁ।
                     ଆଜି ଯେତେବେଳେ ବାପା ତା ବାହାଘର ଠିକ୍ କରିସାରିଛନ୍ତି ସେତେବେଳେ ପୂର୍ବର ସେ ସବୁ ସ୍ମୃତି ପୁଣି ମନେ ପଡିଯାଉଛି ତା'ର।ସତରେ କଣ ବିକାଶ ରାଜି ହେଇଛନ୍ତି ଏ ବାହାଘର ପ୍ରସ୍ତାବରେ।ତାର ଶ୍ୟାମଳ ରଙ୍ଗକୁ ତାଙ୍କ ଘର ଲୋକ ପସନ୍ଦ କରିଛନ୍ତି ନା ଯୗେତୁକ ଲୋଭରେ ରାଜି ହେଇଛନ୍ତି ସେମାନେ।ବିକାଶ ଆଉ ସାଗର ଭାଇଙ୍କ ଭଳି ବଦଳି ଯିବେନି ତ!ବିଶ୍ବାସରେ ଧରିଥିବା ହାତ ତା ପାଇଁ ଫାଶି ଦଉଡି ସାଜିବନି ତ!ଅନେକ ଅସମାହିତ ପ୍ରଶ୍ନ ଆଜି ତାକୁ ବ୍ୟସ୍ତ ବିବ୍ରତ କରିପକାଉଛି।ହେଲେ କିଏ ଦବ ଏ ସବୁର ଉତ୍ତର?କିଏ ଅବା କରିବ ଏ ଅର୍ନ୍ତଦ୍ବନ୍ଦ୍ବର ସମାଧାନ।ଏ ସବୁ ଭାବୁ ଭାବୁ କେତେବେଳ ସୂର୍ଯ୍ୟ ଦିଗ୍ ବଳୟ ଛୁଇଁଲେଣି ସେ ଜାଣିନି।ଏବେ ବି ନିର୍ବିକାର ଭାବରେ ବସି ରହିଛିି ସେ ବଗିଚାର ସେହି ବେତ ଚେୟାର୍ ଉପରେ ଅାଉ ଖୋଜୁଛି ତା ପ୍ରଶ୍ନର ଉତ୍ତର।

ନିବେଦିତା ମହାପାତ୍ର 

0 Comments