ପ୍ରବନ୍ଧ - ଆଜିର ଭାରତ - ଚିତ୍ତରଞ୍ଜନ ସାହୁ

ପ୍ରବନ୍ଧ - ଆଜିର ଭାରତ - ଚିତ୍ତରଞ୍ଜନ ସାହୁ


ଏଭଳି ଏକ ବିଷୟ ଉପରେ ଆଲୋଚନା କରିବାକୁ କାହିଁକି ମନ ବଳାଇଲି ଜାଣେନାହିଁ। କିନ୍ତୁ ଏହା ଅପ୍ରିୟ ସତ୍ୟ।ଅବଶ୍ୟ ଏ ଲେଖାରେ ସମାଲୋଚନା ହେବାର ସମ୍ଭାବନା ଅଛି। ତଥାପି ମୁଁ ଲେଖିବାକୁ ଆଦୌ ଭୟ କରୁନାହିଁ। କାରଣ ସତ୍ୟକୁ ଲୁଚାଇଲେ ତାହା ଲୁଚିରହେନା ଏବଂ ମୁଁ ଭାବେ ସତ୍ୟ ପ୍ରକାଶ କରିବାରେ କୁଣ୍ଠାବୋଧ କରିବା ମଧ୍ୟ ଏକ ପ୍ରକାରେ ମିଥ୍ୟାକୁ ପ୍ରଶୟ ଦେବା। ଯାହାକୁ ମୁଁ ଘୃଣା କରେ।
ସିଧାସଳଖ ବିଷୟ ବସ୍ତୁକୁ ଆରମ୍ଭ କଲି। ବର୍ତମାନର ଚାଲି ଚଳଣି ଏମିତି ମୋଡ ନେଲାଣି ଯେ ପୂର୍ବ ଠାରୁ ବହୁତ ଭିନ୍ନ କହିବା କିଛି ଅତ୍ୟୁକ୍ତିକର ହେବନାହିଁ। ଆଜି ଆମେ ଏଭଳି ଭାବେ ଅନ୍ଧକାରର ଦାସତ୍ୱକୁ ବରଣ କରିଲେଣି ଯେ ଜ୍ଞ୍ୟାନ ରୂପକ ଆଲୋକରୁ ଆମେ ବହୁତ ଦୂରେଇ ଗଲେଣି। ଅଜ୍ଞାନ ଆମକୁ ନିଜର ଗ୍ରାସ କରିବାରେ ଲାଗିଲାଣି। ଅଧର୍ମ ସାମ୍ରାଜ୍ୟର ପୁର୍ନର୍ବାର ପ୍ରତିଷ୍ଠା ହେଇ ସାରିଲାଣି।
                        ଗୋଟେ ସମୟ ଥିଲା ଯେତେବେଳେ ପିତାମାତା ପୂଜା ପାଉଥିଲେ। ବର୍ତମାନ ମଧ୍ୟ ପୂଜା ପାଉଛନ୍ତି। କିନ୍ତୁ ଏବେର ପୂଜା ଆଉ ଅତୀତର ପୂଜା ମଧ୍ୟରେ କେଉଁଠି ନା କେଉଁଠି ଆକାଶ ପାତାଳ ଫରକ ଅଛି। ପିତାମାତାଙ୍କ ମୁଖ ନିସୃତ ବାଣୀକୁ ସନ୍ତାନ ନିଜର କର୍ତବ୍ୟଠୁ ବଳି ଶ୍ରେଷ୍ଠ ଧର୍ମ ଭାବି ପାଳନ କରିବାକୁ ତତ୍ପର ଥିଲେ। ଏହାର ଉଦାହରଣ ନିଆଯାଉ ଯାହା ପୁରାଣରେ ବର୍ଣନା କରାଯାଇଅଛି। ଆପଣଙ୍କୁ ତ ଜଣା ଥିବ ପିତୃ ସତ୍ୟ ପାଳନ କରିବାକୁ ଯାଇ ପ୍ରଭୁ ଶ୍ରୀ ରାମଚନ୍ଦ୍ର ପତ୍ନୀ ଦେବୀ ସୀତା ଏବଂ ଅନୁଜ ଲକ୍ଷ୍ମଣଙ୍କ ସହ ଦୀର୍ଘ ଚଉଦ ବର୍ଷ ବନବାସ ଯାଇଥିଲେ। ଆଉ ପ୍ରଭୁ ପର୍ଶୁରାମ ମଧ୍ୟ ପିତା ଯମଦଗ୍ନିଙ୍କର ଆଦେଶ ମାତ୍ରେ ନିଜ ମାତା ରେଣୁକାଙ୍କର ମୁଣ୍ଡ ଶରୀରରୁ ଅଲଗା କରିଦେଇଥିଲେ। ଅବଶ୍ୟ ପରେ ମହର୍ଷି ଯମଦଗ୍ନି ନିଜର ତପଶକ୍ତି ବଳରେ ପୁଣିଥରେ ରେଣୁକାଙ୍କୁ ଜୀବିତ କରିଦେଇ ଥିଲେ।
             ପୂର୍ବେ ଗୁରୁଜନଙ୍କୁ ଦେବତୁଲ୍ୟ ମଣି ସେମାନଙ୍କୁ ସସତ୍କାରେ ପୂଜା କରା ଯାଉଥିଲା। ବାଲ୍ୟାବସ୍ଥାରେ ଗୁରୁ ଆଶ୍ରମରେ ରହି ଜୀବନର ମାର୍ଗଦର୍ଶନ ଭଳି ଶିକ୍ଷ୍ୟା ଗ୍ରହଣ କରାଯାଉଥିଲା। କିନ୍ତୁ ଅଧୁନା ଏହାର ସମ୍ପୂର୍ଣ୍ଣ ଭାବେ ପରିବର୍ତ୍ତନ ନହେଲେ ମଧ୍ୟ ବହୁତ ଅଂଶରେ ପରିବର୍ତ୍ତନ ଘଟିଲାଣି। ନା ପିତାମାତାଙ୍କୁ ନା ଗୁରୁଜନ ଅବା ଶିକ୍ଷଦାତାଙ୍କୁ ,କାହାକୁ ବି ଉଚିତ ସମ୍ମାନ ମିଳୁନାହିଁ। ପିତାମାତା ତ ବର୍ତ୍ତମାନ କିଛି ଅକର୍ମା ସନ୍ତାନଙ୍କ ପାଇଁ ଅଲୋଡ଼ା ହୋଇ ଗଲେଣି । ପିତାମାତାଙ୍କ ପାଇଁ ସେମାନଙ୍କ ପାଖରେ କୌଣସି ମୂଲ୍ୟ ନାହିଁ। କାହିଁ ସେଭଳି ପୁତ୍ର ଶ୍ରବଣ କୁମାର ଯେ ନିଜର ଅନ୍ଧ ମାତାପିତାଙ୍କୁ ଭାରରେ ବୋହିବାର ସାମର୍ଥ୍ୟ ରଖୁଥିଲା। ବାସ୍ତବରେ ଆଜିର ଦୁନିଆରେ ଶ୍ରବଣ କୁମାର ଭଳି ପୁତ୍ର ମିଳିବା ବହୁତ କମ।
          ମୁଣ୍ଡକୁ ହାତ ପାଇ ଗଲେ ସବୁକିଛି ପାଇଗଲା ଭଳି ଭାବନ୍ତି। ନିରକ୍ଷର ହେଇ ମଧ୍ୟ ନିଜକୁ ସମାଜରେ ପ୍ରତିଷ୍ଠିତ କରିଦେଲା ପରେ ସେମାନେ ନିଜକୁ ସର୍ବେସର୍ବା ବୋଲି ଧରିନିଅନ୍ତି। ପିତାମାତା, ଭାଇବନ୍ଧୁ,ଗୁରୁଜନଙ୍କର ପରାମର୍ଶ ସେମାନଙ୍କୁ ଅସାର ମନେ ହୁଏ। ନିଜ ସ୍ୱାର୍ଥରେ ଅନ୍ଧହେଇ ଅନ୍ୟମାନଙ୍କ ପଥରେ ପ୍ରତିବନ୍ଧକ ହେଇ ଛିଡ଼ା ହେବାରେ ସେମାନଙ୍କୁ ଅପାର ସୁଖ ପ୍ରାପ୍ତ ହେବା ଭଳି ଲାଗୁଛି।ଅବୈଧ କାର୍ଯ୍ୟକଳାପରେ ସର୍ବଦା ଲିପ୍ତ ରହି ନିଜକୁ ଧର୍ମଠୁ ବହୁତ ଦୂରକୁ ଆଣିଲେଣି। ଭାଇ ବନ୍ଧୁ ପିତାମାତା ଗୁରୁଜନ କାହାପ୍ରତି ଆଉ ଆନ୍ତରିକତା ନାହିଁ। ଶ୍ରଦ୍ଧା ଆଉ ସମର୍ପଣ ନାହିଁ। କାହାର ଉଚିତ ପରାମର୍ଶ ମଧ୍ୟ ତା ପକ୍ଷେ ଗ୍ରହଣ ଯୋଗ୍ୟ ହେଉନାହିଁ। ପ୍ରତ୍ୟୁତ୍ତରରେ ସଙ୍ଗେ ସଙ୍ଗେ ଅହଂକାର ମୟ ବାଣୀ ମୁଖରୁ ନିସୃତ ହେଉଛି। କାହାରି ପ୍ରତି ପୂର୍ବଭଳି ଆଉ ଆଦର, ସହାନୁଭୂତି,ଦୟା,କ୍ଷମା,ତଥା ତ୍ୟାଗ ଦେଖିବାକୁ ମିଳିବା କଷ୍ଟକର ହେଇଗଲାଣି। ମାତ୍ର ଏବେବି ସମାଜରେ ବହୁତ ଧର୍ମାବଲମ୍ବୀ ଲୋକ ଅଛନ୍ତି ଯେଉଁମାନେ ନିଜକୁ ଜନ କଲ୍ୟାଣରେ ଉସ୍ଛର୍ଗ କରିଦେଇଛନ୍ତି। କିନ୍ତୁ ସେମାନଙ୍କ ଗହଣରେ ଅନେକ କ୍ରୁର ଅନ୍ୟାୟି ଲୁଚିରହି ନିଜକୁ ସେମାନଙ୍କ ସଦୃଶ ଦେଖାଇ ଛଳନା କରୁଛନ୍ତି।
          କୁଆଡେ ଗଲା ସେହି ପୁଣ୍ୟଭୂମି ଭାରତବର୍ଷ? ଯେଉଁଠି "ଅତିଥି ଦେବୋ ଭବଃ" ରୂପକ ଉକ୍ତିର ସାର୍ଥକତା ଦେଖିବାକୁ ମିଳୁଥିଲା। ଆଜି ଦେଶର ବିଭିନ୍ନ ପ୍ରାନ୍ତରେ ଅତିଥି ଲୁଟପାଟ ର ଶିକାର ହୁଅନ୍ତି। ବଳାତ୍କାର ଭଳି ଜଘନ୍ୟ କାର୍ଯ୍ୟର ଶିକାର ହୁଅନ୍ତି। ନାନାବିଧ ଅସୁବିଧାର ସମ୍ମୁଖିନ ହୁଅନ୍ତି। କାହିଁ ସେହି ପୁଣ୍ୟଭୂମି ଭାରତ ଯେଉଁଠି ଦିନେ ଗାନ୍ଧୀ,ବିବେକାନନ୍ଦ,ରବିନ୍ଦ୍ରନାଥଙ୍କ ଭଳି ପ୍ରତିଭାସମ୍ପନ୍ନ ବ୍ୟକ୍ତି ଜନ୍ମ ଗ୍ରହଣ କରି ବିଶ୍ୱ ବାସୀଙ୍କୁ ଶାନ୍ତିର ବାର୍ତା ଦେଇଥିଲେ?
   ଆଜିର ଏ ବିଚିତ୍ର ସମାଜରେ କିଛିଲୋକ ଦୁଗ୍ଧପୋଷ୍ୟ ସର୍ପ ଭଳି ନିଜର ଦୁର୍ଗୁଣକୁ ବିସ୍ତାର କରି ଚାଲିଛନ୍ତି। ଅମାର୍ଗରେ ଯାଉଥିଲେ ମଧ୍ୟ ସେମାନଙ୍କୁ ଏହା ଦୃଷ୍ଟିଗୋଚର ହେଉ ନାହିଁ। ଅମାର୍ଗରୁ ସୁମାର୍ଗକୁ ପ୍ରତ୍ୟାବର୍ତ୍ତନ କରିବାର ଅବକାଶ ପ୍ରାପ୍ତ ହେଉଥିଲେ ମଧ୍ୟ ଏହାକୁ ତୁଚ୍ଛ ମନେ କରି ସେମାନେ ବିନାଶ ଆଡକୁ ଅଗ୍ରସର ହେଉଛନ୍ତି। ଏକଛତ୍ର ଭାବେ ନିଜକୁ ସମ୍ରାଟ ମନେକରି ସଭିଙ୍କ ଉପରେ ପ୍ରଭୁତ୍ୱ ବିସ୍ତାର କରିବାର ନିଶା ଏବେ ବହୁଳ ଭାବେ ଦେଖାଗଲାଣି। ନିଜର ଆତ୍ମସୁଖ ପାଇଁ ଅନ୍ୟାୟର ପ୍ରଶୟ ନେଇ ଅନୀତି,ଅଧର୍ମ କଲେ ମଧ୍ୟ ସେମାନଙ୍କୁ ଏହା ଅବଗତ ହୋଇ ପାରୁନାହିଁ। ନିଜ ଦ୍ୱାରା କୃତ ସମସ୍ତ କାର୍ଯ୍ୟକୁ ଶ୍ରେଷ୍ଠ ମନେକରି ଫଳସ୍ୱରୂପ ନିଜକୁ ଶ୍ରେଷ୍ଠତମ ମନେକରନ୍ତି। ସର୍ବଶକ୍ତିମାନ ଈଶ୍ବରଙ୍କ ଠାରେ କେବଳ ମିଥ୍ୟାଭକ୍ତି ରଖି ସମାଜରେ ଦୁର୍ନୀତିକୁ ପରିପୃଷ୍ଟ କରନ୍ତି।
      ଏସବୁର ନିଦାନ ହେଉଛି ସ୍ୱାର୍ଥ ଦ୍ୱାରା ବଶୀଭୂତ ହେଇ କାମାନକୁ ପୁର୍ଣ କରିବା। କାମନାର କେବେ ଅନ୍ତ ଘଟେ ନାହିଁ। ଗୋଟେ କାମନା ପୁର୍ଣ ହେଲେ କାମନା ପ୍ରବଳତର ହେଇଉଠେ। କିନ୍ତୁ ଏହା ସ୍ୱାର୍ଥାନ୍ଧ ମାନଙ୍କୁ କେବେବି ଜଣା ପଡେନାହିଁ। ନିଜର ସ୍ୱାର୍ଥ ସାଧନ ହେତୁ ଛଳନା, ବଳପ୍ରୟୋଗ,ଏବଂ ଅନ୍ୟାନ୍ୟ ଅପ୍ରୀତିକର ପନ୍ଥାକୁ ଜୀବନର ଶେଷ ଅସ୍ତ୍ର ତଥା ପ୍ରମୁଖ ଅସ୍ତ୍ର ରୂପେ ପରିଚାଳିତ କରନ୍ତି।
    ସେମାନେ ଭୁଲିଯାଆନ୍ତି ଯେ ନିଜର କୃତକର୍ମର ଫଳ ସେମାନଙ୍କୁ ଏହି ଠାରେ ହିଁ ଭୋଗିବାକୁ ହେବ। ଅଧର୍ମର ଭାର ପ୍ରକୃତି ଯେବେ ସହିନପାରିବ,ଧରଣୀ ମାତା ଯେବେ  ଚିତ୍କାର କରିବ ତେବେ ଅଧର୍ମର ବିନାଶ ପାଇଁ ଅବତାରୀ ରୂପେ ଧର୍ମ ରକ୍ଷକଙ୍କୁ ଧରାବତରଣ କରିବାକୁ ହେବ।
ଆଜି ସମଗ୍ର ସଂସାରରେ ମାତୃପିତୃ ଭକ୍ତି, ଗୁରୁଜନ ପ୍ରତି ସମ୍ମାନ,ଭାଇ ବନ୍ଧୁ ପ୍ରତି ସ୍ନେହ-ଶ୍ରଦ୍ଧା,ଦୁଃଖୀରଙ୍କି ପ୍ରତି ଦୟା କରୁଣା ଏବଂ ସର୍ବଶେଷରେ ମଣିଷତ୍ଵ ହିଁ ଦେଖିବାକୁ ବହୁତ କମ ମିଳୁଛି।
                     ସର୍ବତ୍ୟାଗୀ ବଦଳରେ ଏମାନେ ସର୍ବଭୋଗି ହେବାକୁ ଶ୍ରେଷ୍ଠ ମଣୁଛନ୍ତି। କିନ୍ତୁ ବାସ୍ତବରେ ତ୍ୟାଗ ହିଁ ମୁକ୍ତିର ଶ୍ରେଷ୍ଠ ପଥ ଏକଥା ବୁଝିବାକୁ ପ୍ରୟାଶ କରୁନାହାନ୍ତି। ମାଙ୍କଡ଼ ହାତେ ମୁକ୍ତା ମାଳର ମୂଲ୍ୟ ସମ ମାତୃପିତୃ ଭକ୍ତି ଏମାନଙ୍କ ପାଇଁ ସମାନ ବୋଧ ହେଉଛି। ମାତାପିତାଙ୍କ ଆଶୀର୍ବାଦ ହିଁ ସାକ୍ଷାତ ଭଗବାନଙ୍କ ଆଶୀର୍ବାଦ ଏକଥା ଜାଣି ମଧ୍ୟ ଏହାକୁ ତୁଛ ମଣୁଛନ୍ତି। ଯଥାର୍ଥରେ କୁହା ଯାଇଅଛି----
                     
"ମାତାପିତା ଭାଇବନ୍ଧୁ ଗୁରୁଜନ ଠାରେ
 କରୁଣାର ଦୃଷ୍ଟି ଯେହୁ ଦିଏ ନାହିଁ ବାରେ
 କିଲାଭ ସହସ୍ର ବର୍ଷ ବଂଚିଲେ ସେ ଲୋକ
ଖାଇ ଖାଇ ଦୀର୍ଘ କାଳ ନବଞ୍ଚେ କି କାକ?"

ଧର୍ମତ୍ମାଙ୍କ ବିଚାରରେ ସମ୍ପ୍ରତି ପ୍ରତିଷ୍ଠିତ ସମାଜର ରୀତିନୀତି ସଂସାର ପାଇଁ ବିପଦ ନେଇ ଆସୁଛି। ତେଣୁ ସମସ୍ତଙ୍କୁ ଅନୁରୋଧ କି ପୁଣ୍ୟଭୂମି ଭାରତବର୍ଷର ଗୁଣ ଗରୀମାକୁ,ଏହାର ଅଖଣ୍ଡ ପ୍ରତିଷ୍ଠାକୁ ଚୁର୍ଣ ନକରି,ଏହାର ଯଥାର୍ଥତାକୁ ହୃଦୟଙ୍ଗମ କରି ,ସଂସାରର ହିତ ସାଧନ କରିବା ଉଚିତ। ଅଯଥାରେ ନିଜକୁ ଶ୍ରେଷ୍ଠ ତଥା ଅନ୍ୟକୁ ନୀଚ,ଏସବୁ ଭାବନାରୁ ଦୂରରେ ରହି,ଅହଂକାର ସ୍ୱାର୍ଥ ଭାବ ଦୂର କରି,ଏକତ୍ରିତ ହେଇ କାର୍ଯ୍ୟ କଲେ ଯାଇଁ ଆମ ସମାଜରେ ପୁଣି ଥରେ ସେହି ପୁଣ୍ୟଭୂମି ଭାରତବର୍ଷର ଅଖଣ୍ଡପ୍ରେମ,ଭକ୍ତିଭାବ ଉଦ୍ରେକ ହୋଇ ପାରିବ। ସ୍ୱାର୍ଥକୁ ବଳି ଦେଇ ସମାଜର କଲ୍ୟାଣ ସାଧନ କରିବା ହିଁ ପ୍ରତ୍ୟେକ ହିନ୍ଦୁର କର୍ତବ୍ୟ ଅଟେ। ତେଣୁ ମହାନ ଦେଶପ୍ରେମୀ ଗୋପବନ୍ଧୁ ଦାସ କହିଛନ୍ତି--

"ନିଜ ହିତ ଲାଗି ଜାତ ନୁହେଁ ହିନ୍ଦୁ
 ବିଶ୍ୱ ହିତେ ହିନ୍ଦୁ ପ୍ରତି ରକ୍ତ ବିନ୍ଦୁ"

 ଆହୁରି ମଧ୍ୟ କୁହା ଯାଇଅଛି ଯେ----
   "ଜାତି ନନ୍ଦିଘୋଷ ଚଳିବ କି ଭାଇ
         ସ୍ୱାର୍ଥକୁ ସାରଥୀ କଲେ
ଟାଣେ କିରେ ଗାଡି ଦାନାର ତୋବଡା
        ଘୋଡା ମୁହେଁ ବନ୍ଧା ଥିଲେ"
        
ଭାରତ ଭଳି ପୁଣ୍ୟଭୂମି ଯେଉଁଠାରେ ସ୍ୱୟଂ ଭଗବାନ ଜନ୍ମଗ୍ରହଣ କରିଥିଲେ ଆମେ ଆଜି ସେହି ପବିତ୍ର ମା'ର କୋଳରେ ଜନ୍ମଲାଭ କରିଛେ। ଏହାଠୁ ବଳି ବଡ଼ ସୌଭାଗ୍ୟ ଆମ ପାଇଁ କ'ଣ ହୋଇପାରେ? ତେଣୁ ନିଜ ମଧ୍ୟରେ ଲୁକ୍କାୟିତ ଥିବା ଶକ୍ତିକୁ ଜାଗ୍ରତ କରି ଧର୍ମରକ୍ଷାରେ ସହାୟକ ହେବାପାଇଁ ସର୍ବଦା ଧର୍ମ ପଥକୁ ଅନୁସରଣ କରିବା ସର୍ବଦା ଉଚିତ ହେବ। ପିତାମାତା, ଭାଇବନ୍ଧୁ, ଗୁରୁଜନଙ୍କ ସହ ମିଳିମିଶି ସେମାନଙ୍କ ଉପଦେଶ ମାନି କାର୍ଯ୍ୟ କଲେ ଆମେ ସମାଜରେ ଧର୍ମାନୁଯାୟୀ ପ୍ରତିଷ୍ଠିତ ହୋଇପାରିବା।
ଭାରତ ଭଳି ପୁଣ୍ୟଭୂମିରେ ଜନ୍ମଗ୍ରହଣ କରିବା ଆମ ପାଇଁ ଲକ୍ଷେ ଜନ୍ମର ପୁଣ୍ୟଫଳ ସହ ସମାନ। ଭାରତ ଭଳି ପବିତ୍ର ଭୂମି ପୃଥିବୀରେ କେଉଁଠି ବି ନଥିବ। 
   ତେଣୁ ହେ, ପୁଣ୍ୟଭୂମି ଭାରତରେ ଜନ୍ମିତ ପ୍ରତିଭାମାନେ ନିଜକୁ ସମାଜ ସେବାରେ ନିୟୋଜିତ କରି କ୍ଷଣଜନ୍ମାରେ ଜନ୍ମିତ ହେବାର ପରିଚୟ ପ୍ରଦାନ କର। ମାନବ ଜୀବନର ମୂଲ୍ୟବୋଧ କୁ ବୁଝିବାକୁ ଚେଷ୍ଟା କର। ଭାରତ ମାତା କୋଳରେ ଜନ୍ମ ହେବାର ଗୌରବ ଲାଭ କରିଥିବା ପାଇଁ ତାର ସେବା କର। ନିଜ ମଧ୍ୟରେ ଥିବା ଲୁକ୍କାୟିତ ଶକ୍ତିକୁ ଜାଗ୍ରତ କରି ଧର୍ମ ଅବସ୍ଥାନରେ ସହାୟକ ହୁଅ। ପିତାମାତା, ଭାଇବନ୍ଧୁ, ଗୁରୁଜନ ସମସ୍ତଙ୍କ ସହ ମିଶିକରି ମାନବ ସେବା ତଥା ମାଧବ ସେବାରେ ନିଜକୁ ନିୟୋଜନ କର। ଆଜିର ଭାରତକୁ ପୂର୍ବର ପୁଣ୍ୟଭୂମି ଭାରତ ଭଳି ରହିବାକୁ ଦିଅ।
   
    "ଧର୍ମର ପ୍ରହାର ଅସହ୍ୟରେ ଭାଇ
             ଅଧର୍ମକୁ ଗ୍ରାସ କରେ
     ପାପୀ ଅଧର୍ମୀକୁ ନର୍କର ଦ୍ୱାରରେ
             ଆଣିକରି ଛିଡାକରେ
     ସ୍ୱାର୍ଥ ଅହଂକାର ତ୍ୟାଗ କରିବାକୁ
             କରୁ ଅଛୁ କାହିଁ ଭୟ
     ଧର୍ମର ବିଜୟ ହୋଇଛି ହୋଇବ
            ଦେଖିବୁ ଏହା ନିଶ୍ଚୟ"
                              ............ଚିତ୍ତରଞ୍ଜନ ସାହୁ
    
"ୟଦା ୟଦା ହିଁ ଧର୍ମସ୍ୟ ଗ୍ଲାନିର୍ଭବତି ଭାରତ
 ଅଭ୍ୟୁତ୍ଥାନମଧର୍ମସ୍ୟ ତଦାତ୍ମାନଂ ସୃଜାମ୍ୟହଂ
 ପରିତ୍ରାଣାୟ ସାଧୁନାଂ ବିନାଶାୟ ଚ ଦୁସ୍କୃତାମ
 ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାମି ୟୁଗେ ୟୁଗେ"
(ଗୀତା- ଚତୁର୍ଥ ଅଧ୍ୟାୟ ସପ୍ତମ-ଅଷ୍ଟମ ଶ୍ଳୋକ: ଜ୍ଞ୍ୟାନ-କର୍ମ-ସନ୍ୟାସ ଯୋଗ)

0 Comments