କ୍ଷୁଦ୍ରଗଳ୍ପ - ଆଇନାର ଛାଇ - ସିପ୍ରା ନାମତା (ନମ୍ରତା)

କ୍ଷୁଦ୍ରଗଳ୍ପ - ଆଇନାର ଛାଇ - ସିପ୍ରା ନାମତା (ନମ୍ରତା)


ଛାଇ ଟା ଆହୁରି ଲମ୍ବା ଦିଶୁଛି । କାହିଁକି ଲମ୍ବା ହୋଇଯାଉଛି ବୁଝିପାରୁନି ସେ ।କିନ୍ତୁ ଛାଇଟା ଶୂନ୍ୟେ ଶୂନ୍ୟେ ବଢିଯାଇ ମିଶିଯାଉଛି ଘନ ଅନ୍ଧକାର ର ଗର୍ଭ ରେ ।ସେଇ ଅନ୍ଧକାର ରୁ ସୃଷ୍ଟି ହେଉଛି ପୁଣି ଏକ ଛାଇ । ଛାଇ ର ସଂଘର୍ଷ ଚାଲେ ହାରିବାର ଛାଇ ମିଳେଇଯାଏ ଶୂନ୍ୟ  ,ମହାଶୂନ୍ୟ ଭିତରେ ଆଉ ଗମ୍ଭୀର ନୀରବତା ର ଛାତି କୁ ଥରାଇ ଦେଇ ଗୁଞ୍ଜରି ଉଠେ ଏକ ଆର୍ତ୍ତ ଚିତ୍କାର ..।
               ଆଃ..... ଧଡପଡ ହୋଇ ଉଠିବସେ ବିଠୁଲ । ମୁହଁକୁ ଝାଳୁଆ ହାତ ଦୁଇଟି ରେ ବୁଲାଇ ଆଣି ଏକ ଭୟାର୍ତ୍ତ ଦୃଷ୍ଟି ରେ ଚାହିଁରହେ  ଚତୁର୍ଦ୍ଦିଗ କୁ .......ସେପଟେ ଖଟ ଉପରେ ଶୋଇଛନ୍ତି ବାପା ଠିକ୍ ଦୁଆର ମୁହଁକୁ ଲାଗି ।ସାନ ଭାଇ ଭଉଣୀ ବୋଉ ଓ ତା'ପାଇଁ ବିଛଣା ପରା ହୋଇଛି ବାପା ଙ୍କ ଖଟ ପାଖରୁ ତଳେ ।
                     ଇନ୍ଦିରା ଆବାସ ,ବିଜୁ ପକ୍କାଘର କୁଆଡେ ବାଟ ମାରଣା ହେଲା ଜାଣିହେଲାନି ।ତଥାପି ଦଉଡି ଦଉଡି ଯେତେକ ମିଳିଲା ସେଇଥିରେ ଏଇ ପକ୍କା ଘର ଖଣ୍ଡିକ ବହୁ କଷ୍ଟ ରେ ହେଲା ।ବଡ ସଂସାର ଟି କଷ୍ଟେ ମଷ୍ଟେ ଚଳେଇ ନେବାକୁ ପଡୁଛି ।କାଗଜ଼ ପତ୍ର ରେ ଦେଶ ,ରାଜ୍ୟ ର ପ୍ରଗତି ଠିକ୍ ଚାଲିଛି ବୋଲି ବେଶ ଜୋର ସୋର ରେ ପ୍ରଚାର ପ୍ରସାର ହେଉଛି ।ବିଠୁଲ ଦେଖୁଛି ତା'ପରିବାର କୁ ,କେତେ ଶାନ୍ତି ରେ ସାନଭାଇ ,ଭଉଣୀ ମିଶି ବୋଉ ପିଠିରେ  ,ପେଟ ରେ ଗୋଡ ହାତ ଲଦି ଶୋଇ ଯାଇଛନ୍ତି। ବୋଉ ର ମୁହଁକୁ ଦେଖିଲେ ଲାଗୁଛି ,ସଂସାର ସୁଖ ର ନିର୍ବେଦ ପ୍ରତିମୂର୍ତ୍ତି ଟିଏ ।ବୋଉ ର ସବୁ ସୁଖ ତା'ପିଲାଙ୍କୁ ନେଇ । ହେତୁ ହେବା ଦିନ ରୁ ସେ କେବେ ବାପା ଓ ବୋଉ ଙ୍କର ପଟିବାର ଦେଖିନି ।ନିଜ ବିଷୟରେ କିଛି କହେନି ବୋଉ ।କିନ୍ତୁ ଛୁଆ ଙ୍କ କଥା ନେଇ କଥା କଟା କଟି । ବାପା ଯଦି କହିବେ ,ନା ବିଠୁଲ ଆଉ ପଢିବନି ।ବୋଉ ର ଅଲବତ ଜିଦ ,ନା ---ସେପଢିବ ।ଅତଏବ ବିଠୁଲ ଆଗକୁ ପଢେ ।

                ଗାଁ ହାଇସ୍କୁଲ ରୁ ଦଶମ ପାସ ପରେ ଯୁକ୍ତ ଦୁଇ ପାଇଁ ପଢିବାକୁ କଲେଜ ଦଶ କି. ମି ବାଟ ।ଜାତୀୟ ରାଜପଥ କୁ ଗାଁ ରାସ୍ତା ଦେଢ କି. ମି ବାଟ ପହଞ୍ଚି ଗଲେ ଗାଡି ଘୋଡା ଗଣ୍ଡା ଗଣ୍ଡା ।ପାଦ ରେ ଚାଲି ଚାଲି ବସ ରେ ଦେହଘଷରା ଦେଇ କଲେଜ ଯିବା ଟା ବେଳେ ବେଳେ ଅସହ୍ୟ ଲାଗେ ।ବରଂ ସାଇକେଲ ଗୋଟେ ହେଲେ ପରିଶ୍ରମ ହେଉ ପଛକେ ମାନମହତ ତ ରହିବ ।ତା ସହିତ ଗାଁ ର ଅଳ୍ପ ପାଠୁଆ ସନିଆ ( ସନାତନ ) କୁ ଅର୍ଦ୍ଧାଧିକ ସମୟ ରେ ତାକୁ ଅନୁସରଣ କରିବା ଟା ଦୃଷ୍ଟିକଟୁ ଲାଗେ ।କେତେଥର ଘର କାମ ଦାମ କରୁ କରୁ ସେ କହି ହୁଏ ,--"ସେ ଛତରା ବଜାରି ସନିଆ ର କିଛି କାମ ନ ଥାଏ ତ ,ଖାଲି ମୋରି ପିଛା ଧରିଥିବ... କେତେବେଳେ କାନମୂଳିଆ ଦି ଟା ଦେଇଦେବି ଯେ ..."।ବୋଉ ଶୁଣନ୍ତି କି ନାହିଁ ସେକଥା ସେ ଜାଣେନି କିନ୍ତୁ ବାପାଙ୍କ ଦୈନ୍ୟତା ଆଗରେ ସାଇକେଲ କିଣିବା କଥା କହିପାରେନି  ବିଠୁଲ ।

---"ବୋଉ ,ଏ ବୋଉ.... ତୁ ହଁ କର । ସେ ପିଲା ଦି ଟା ଙ୍କୁ
ପଢ଼ାଇବି ।ହଜାରେ ଟଙ୍କା ଦେବେ କହୁଛନ୍ତି ।" ବୋଉ ର ନୀରବତା ଦେଖି ପୁଣି ମନ କୁ ମନ କହେ -"ହେଃ ...ଏ ବୋଉ ଟା ଅପାଠୋଇ.....ବୁଝିପାରୁନି କିଛି ।ଜାତୀୟ ରାଜପଥ ସେ ପଟ କୁ ନୂଆକରି ଦି ଚାରି ଟା ବିଲଡିଂ ହୋଇଛି ସେଇଥିରୁ ଗୋଟେ ପରିବାର ର ଯାଆଁଳା ପିଲା ଙ୍କ ଇଂରାଜୀ ମାଧ୍ୟମରେ ପଢନ୍ତି ।ସେମାନଙ୍କ ପାଇଁ ଟ୍ୟୁସନ ମାଷ୍ଟର ଖୋଜା ଚାଲିଛି ।
       ବୋଉ ଆଖିରେ ଆତଙ୍କ ।କଲେଜ ଯିବା ଅଲଗା ଆଉ ଘରୋଇ ଟ୍ୟୁସନ କୁ ଯିବା ଅଲଗା ।ପୁଣି ଦାରିଦ୍ର୍ୟର କଷାଘାତ ରେ ଅନ୍ୟ ତିନିଟା ଛୁଆଙ୍କ ମୁହଁକୁ ଚାହିଁ ଅଗତ୍ୟା" ହଁ"
ଭରନ୍ତି  ।  ଦିନ ଥାଉଁ ଥାଉଁ ଘରକୁ ଫେରିଆସିଲେ କଥା
ସରିଲା ।ଘର ମାଲିକାଣୀ ଭଦ୍ର ମହିଳା ।ବାବୁ ସାତ ଦିନ କୁ ଥରେ ଆସନ୍ତି । ବାହାରେ ସରକାରୀ ଚାକିରୀ ।ଜୀବନ ର ଅନ୍ୟନାମ ସଂଘର୍ଷ ପଥ ରେ ବିଠୁଲ ପାଦ ଦେଇସାରିଥିଲା ।
ନୀଳ ନୀଳ ଆଖିରେ ମେଞ୍ଚାଏ ସ୍ବପ୍ନ ଭାସୁଥିଲା ।ସେ ଭିତରୁ ପ୍ରଥମ ଥିଲା ସାଇକେଲ କିଣା ।

            ସାଇକେଲରେ ଜୀବନ ଚାଲିଲା ବନ୍ଧୁର ସମାନ୍ତରାଳ ପଥ ରେ ।ଗାଁ ଛକ ଜାତୀୟ ରାଜପଥ ପାଖରେ ଛକ ରେ ଖୋଲିଥିବା ଗୁଲିଖଟି ରେ ଭାଗ ନେଉଥିବା ଯୁବକ,ବୃଦ୍ଧ ,ପ୍ରୌଢ
ସଭିଙ୍କର ପଞ୍ଝାଏ ଆଖି ପହଁରିଯାଏ ତା ପତଳା ନହକା ଚେହେରା ଉପରେ ।ସେଥିମଧ୍ୟରୁ ଗାଁ ବାହାରିଆ ଟୋକା କେଇଜଣ ମଧ୍ୟ ମିଶିଥାନ୍ତି ।କେଇଦିନ ସେମାନଙ୍କ ଭିତରୁ ଜଣକ ର "ଦେଖେତାକୁ ....."କମେଣ୍ଟ ମାରି ସୁସୁରୀ ବଜେଇବା  ଦେଖି ଦେଖି ବିଠୁଲ ଭୀଷଣ ଉତ୍କ୍ଷିପ୍ତ ହେଲା ।ସାଇକେଲ ସଜାଡିବା ବାହାନା ରେ ମଧୁନନା ସାଇକେଲ ଦୋକାନୀ ଙ୍କୁ ଶୁଣେଇଦେଲା ସେଇ କଥା ବିଠୁଲ । --"ମଧୁ ନନା ,ଆଜି ମୋ ଜାଗାରେ ତମ ଝିଅ ଥିଲେ ତମେ ଏମିତି ନୀରବ ରହିପାରନ୍ତ ?
ତା ର ଦି ଦିନ ପରେ ସେ ଟୋକା ଗୁଡା ଆଉ ଦେଖାଗଲେ
ନାହିଁ ।
                    ଏତିକି ରେ ତା ଯନ୍ତ୍ରଣା ର ଶେଷ ହୁଏନି ।ବାପା ଙ୍କୁ ଭୀଷଣ ଜ୍ଜ୍ୱର ଆସେ ।ରାତି ଅଧିଆ ଡାକ୍ତରଖାନା ବୁହା ହୋଇଯାଆନ୍ତି ସେ ।ସଦର ମହକୁମା ର ବଡଡ଼ାକ୍ତରଖାନା ରୁ କଟକ ବଡ ଡାକ୍ତରଖାନା ପର୍ଯ୍ୟନ୍ତ ।ଜ୍ଜ୍ୱର କମେନା ।ଦୀର୍ଘ ଦୁଇମାସ ପଡି ପଡି ଜୀବନ ସହିତ ସଂଘର୍ଷ କରି କରି ଶେଷରେ ବାପା ହାରି ଯାଆନ୍ତି ।ବୋଉ ର ନାଲି ରଙ୍ଗ ,ଭଳି କି ଭଳି ରଙ୍ଗ ସବୁ ଧୋଇ ଯାଏ ଆଖି ର ତତଲା ଲୁହ ରେ ।ଧୀରେ ଧୀରେ ବୋଉ ର ଚେତା ବୁଡିଯିବା ରୋଗ ବାହାରେ ।
        ଭାଇ ଭଉଣୀ ଙ୍କୁ ସାହାରା ଦେବା ର ନିଷ୍ପତ୍ତି ରେ ନୀଳ ଆଖି ର ସ୍ବପ୍ନ ବଦଳିଯାଏ  , ସବୁ ରଙ୍ଗୀନ ଫୁଲ ର ସୁଗନ୍ଧିତ ବଗିଚା ଟି ମୁହୂର୍ତ୍ତକ ଭିତରେ ପାଣ୍ଡୁରିଆ ଦେଖାଯାଆନ୍ତି । ସବୁଠାରୁ ଛୋଟ ଭାଇ ବିଠୁଲ କୁ ମାଆ ବୋଲି ବୁଝେ ।ଶଯ୍ୟାଶାୟୀ ବୋଉ କୁ ସେ ମାଆ ବୋଲି ଗ୍ରହଣ କରିବାକୁ ରାଜି ନୁହେଁ ।
               ଏହା ଭିତରେ ଦୀର୍ଘଦିନ ବିତିଯାଏ ।ଜୀବନ ସାବଲୀଳତା କୁ ଆସିଥିଲେ ମଧ୍ୟ ଆସିପାରନ୍ତି ନାହିଁ ବିଠୁଲ ଓ ବୋଉ ଆଉ ପରିବାର ର ନୀତି ନିୟମ ।ବୋଉ କେବେ କେବେ ସୁସ୍ଥ ହେଲେ କହନ୍ତି --"ଵିଠୁ ,ତୋ ଚେହେରାକୁ ଟିକେ ଆଇନା ରେ ଦେଖ ମା ,କଣ ହେଲୁଣି ଆସି ....।"ଆଖିରୁ ଧାର ଧାର ଲୁହ ବୋହିଯାଏ ତାଙ୍କର ।କିନ୍ତୁ ବିଠୁଲ ପାରେନି ,ଦେଖି ପାରେନି  ନିଜକୁ ଆଇନାରେ । ଆଇନାର ଛାଇ କୁ ତା'ର ଭୀଷଣ ଡର ।କେତେବେଳେ ସ୍ୱାର୍ଥପର ହୋଇଯିବ ଛାଇ ଟା ।ରକ୍ତ ମାଂସ ର ଦେହ ଭିତରେ ଅନେକ କ୍ଷୁଧା ,ଅନେକ ଲାଳସା ,ଭୋଗିବାକୁ କଡ ଲେଉଟାନ୍ତି ।ବିବେକ ର ଚାବୁକ ରେ ଅନୁଶାସନ ର ପ୍ରହାର ରେ ସେମାନଙ୍କୁ ଶାନ୍ତ କରିବାକୁ ପଡେ ।କିନ୍ତୁ ବେଳେ ବେଳେ ଏସବୁ ବୋଲମାନେନା ,ଯେତେବେଳେ ସବା ସାନ ଭଉଣୀ ନିଲୁ କୁ ନିଛାଟିଆ ଜାଙ୍ଗୁଲୁ ଜାଙ୍ଗୁଲୁ ଅନ୍ଧାରରେ କାହାସହ ଫୁସୁ ଫୁସୁ କଥା ହେବାର ଦେଖେ ...ବୋଲମାନେନା କିଛି ।ନିଜ ରକ୍ତମାଂସ କୁ ନିଜେ ଛଞ୍ଚାଣ  ଭଳି ଟିକ ଟିକ କରି ଚିରି ଚାଲୁଛି ସେ କିନ୍ତୁ ପ୍ରତିଦାନ ରେ କଣ ପାଉଛି ? ?
ସହରରେ ଥିବା ଗାର୍ଲସ ହାଇସ୍କୁଲ ରେ ଏବଂ ହଷ୍ଟେଲରେ ନିଲୁ କୁ ଭର୍ତ୍ତି କରାଇଦିଏ ସେ କାହାକୁ କିଛି ନ କହି । ପ୍ରଧାନ ଆଚାର୍ଯ୍ୟ ଙ୍କୁ ଅନୁରୋଧ କରେ ବାହାର ର କୌଣସି ଲୋକ ସହ ଦେଖା ସାକ୍ଷାତ ନ ହୁଏ ଯେମିତି ।ଏବେ ତ ତା ଆଖିରେ ସ୍ବପ୍ନ ଭାସୁଛି ,ଭାଇ ଯାହା କରୁନା କାହିଁକି ଭଉଣୀ ଦୁଇଜଣ ଆପାତତଃ ନିଜ ଗୋଡ ରେ ଯେମିତି ଛିଡା ହୋଇପାରନ୍ତୁ ।ତଳ ଭଉଣୀ ସିଲୁ ପାଇଁ ତା'ର ଚିନ୍ତା ନାହିଁ।କାରଣ ସେ ନିଜ ଦାୟିତ୍ୱ ବୁଝିପାରିଛି ।ଗାଁ ସ୍କୁଲ ଗୁରୁଜୀଙ୍କ ସହାୟତା ରେ ଷ୍ଟଡି ଲୋନ ପାଇପାରିଛି ।ପାଠ ରେ ତା'ର ଭାରି ମନ ।ଏଇ ନିଲୁ ଟା ବୁଝିବାର ହୋଇ ଗଲେ ସେ ଶାନ୍ତିରେ ନିଃଶ୍ବାସ ନେବ । ବାପାଙ୍କ ଶେଷ ନିଃଶ୍ବାସ ପରେ କୌଣସି ପ୍ରକାରେ ଯୁକ୍ତ ତିନି ପାସ କରି ଯାଇଛି ସେ ।ଅଧିକ ପଢ଼ିବାର ସୁଯୋଗ ସିନା ପାଇଲାନି ,କିନ୍ତୁ ଘରେ ରହି ଘରୋଇ ଭାବେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରି ପାରିଛି ।

     ଏବେ ଗାଁ ର ଚେହେରା ଆଉ ଆଗ ପରି ନାହିଁ ।କିଛି ସ୍ତ୍ରୀ ଲୋକଙ୍କୁ ଏକାଠି କରି ଏସ ଏଚ ଜି କରି ସେଥିରେ ଅନେକ ଙ୍କୁ ରୋଜଗାର କ୍ଷମ କରାଇ ପାରିଛି ସେ ।ନିଜେ ଏକ ବେସରକାରୀ ସଂସ୍ଥା ଟିଏ ଖୋଲି ଗାଁ ର ଅପାଠୁଆ ଝିଅ ବୋହୂ ମାନଙ୍କୁ ନେଇ ଆଚାର ,ବଡି ,ପାମ୍ପଡ଼ ,ଧୂପକାଠି ,ଛତୁଆ ,
ସବାଇ ରୁ ପ୍ରସ୍ତୁତ ସାମଗ୍ରୀ  ଓ ସିଲେଇ ଇତ୍ୟାଦି ରେ ବିଭିନ୍ନ
କାର୍ଯ୍ୟକ୍ରମ କରାଇ ରୋଜଗାର ର ପନ୍ଥା ବାହାର କରିପାରିଛି ।
ଛୋଟ କୁଟୀର ଶିଳ୍ପ କେନ୍ଦ୍ର ଟିଏ ଖୋଲି ଦେଇଛି , " ବିଠଲା ଗ୍ରାମଦ୍ୟୋଗ " ।ସେଥିରେ ଗାଁ ର ଅନେକ ଯୁବକ , ଯୁବତୀ ଙ୍କର ସହଯୋଗ ରହୁଛି ।ଏସବୁ  କରିବାକୁ ତାକୁ କମ ଶ୍ରମ ସ୍ଵୀକାର କରିବାକୁ ପଡିନି ,ଅନେକ ଲାଂଛନା ସହିଛି  ,ଭର୍ତ୍ସନା
ଶୁଣିଛି  ।କିନ୍ତୁ ଡରିଯାଇନି କି ହାରିଯାଇନି  ।ପ୍ରାଣ ମୂର୍ଚ୍ଛା ଉଦ୍ୟମ କରିଛି ,ବଞ୍ଚିବା ପାଇଁ ...ନିଜ ପାଇଁ ନିଜକୁ ହଜେଇଦେବା ପାଇଁ କିଛି ରାସ୍ତା ଖୋଜି ବାହାର କରିଛି ସେ ।ତଥାପି ରାତିରେ ଭୟ ଲାଗେ ଶୋଇବାକୁ !!! ।
ବୋଉର ଶିରାଳ ହାତ ବୁଲିଆସେ ତା ମୁହଁ ଚାରିପଟେ ।
--"ଥାଉ ,ବୋଉ କିଛି କହନା ,ମୁଁ ଜାଣେ ଏଇନେ ତୁ କହିବୁ ଆଉ କାନ୍ଦିବୁ  ।ତୋ ପାଇଁ କାନ୍ଦିବା ମନା ବୋଲି ତୁ ଜାଣିଛୁ କି
ନା କହିଲୁ ?
କିନ୍ତୁ ବୋଉ ଚୁପ ରହିପାରନ୍ତି ନାହିଁ ।ଥର ଥର କଣ୍ଠ ରେ କହନ୍ତି
---"ନିଜକୁ ଟିକେ ଚାହାଁ ମା "।

   ମଣିଷ ଯନ୍ତ୍ର ପରି କେତେଦିନ ଚାଲିବ ? ଯନ୍ତ୍ର ର ବି ଦିନେ ଯାନ୍ତ୍ରିକ ତ୍ରୁଟି ବାହାରିଥାଏ ।ଅସୁସ୍ଥ ହୋଇପଡିଲା ବିଠୁଲ ....
ଭୀଷଣ ଅସୁସ୍ଥ ।କିନ୍ତୁ ଭଉଣୀ କାହାକୁ କିଛି ଖବର ଦେବାକୁ ମନା କଲା ସେ ।ବିଠଲା ଗ୍ରାମଦ୍ୟୋଗ ର ଲୋକମାନଙ୍କ ସହାୟତା ରେ ଡାକ୍ତରଖାନାରେ ଭର୍ତ୍ତି ହେଲା ସେ ।ଡାକ୍ତର ଅଂଶୁମାନ ,ସରଳ ସ୍ନେହୀ ,ନିଷ୍କପଟ ଯୁବ ଡାକ୍ତର ଙ୍କ ତତ୍ତ୍ୱାବଧାନରେ ରହିଲା ସେ ।ପିତ୍ତକୋଷ ରେ  ପଥୁରୀ ରୋଗ ସହିତ କାମଳ ରୋଗ ର ଚିକିତ୍ସା ....ସର୍ଜରୀ ର ଦାୟିତ୍ୱ ନିଜେ
ନିଅନ୍ତି । ବିଠୁଲ ପ୍ରତି ତାଙ୍କର ଆଶ୍ୱାସନା କେତେବେଳେ ଅନ୍ୟ ରୂପ ନିଏ  ନିଜ ଅଜାଣତରେ ....।ବିଠୁଲ ପ୍ରତି ତାଙ୍କର ଆଗ୍ରହ
ବୋଉ ପାଇଁ ଜାଣିଲା ସେ ।ତା'ର ସୁସ୍ଥତା ପରେ ବୋଉ ଙ୍କର ଚିକିତ୍ସା ପାଇଁ ସ୍ୱତଃପ୍ରବୃତ ଭାବେ ଆଗେଇ ଆସିଥିଲେ ଅଂଶୁମାନ ।ବୋଉ ବୁଝିବାର ଲୋକ ।ତାଙ୍କ ଆଖି ଚକ ଚକ କରେ ଏକ ବିରାଟ ଆଶା ର ଦ୍ୟୁତି ରେ ..।ଅଂଶୁମାନ ଙ୍କ ହାତ
ଧରନ୍ତି ସେ କ୍ଷୀଣ ବଳ ରେ ... ଆଶାୟୀ ନେତ୍ର ରେ ....।
--"ମୋ ପତ୍ନୀ ଏକ କନ୍ୟା ସନ୍ତାନ ର ଦାୟିତ୍ୱ ଦେଇ ମୋ ଠାରୁ ଚିରଦିନ ପାଇଁ ବିଦାୟ ନେଇଛନ୍ତି ।ସେ କେବେ ବି ଏ ସୁନ୍ଦର ପୃଥିବୀ କୁ ପ୍ରତ୍ୟାବର୍ତ୍ତନ କରିବେନି ।ବିଠୁଲ ଯଦି ସମ୍ମତ ହୁଏ ତା'ର ଦାୟିତ୍ୱ ନେବାକୁ ମୋର କୌଣସି ଆପତ୍ତି ନାହିଁ ।"
      ଜୀବନର ଅନ୍ୟ ନାମ ତ୍ୟାଗ । ଯେତେବେଳେ ଭାଇ ଭଉଣୀ ଙ୍କୁ ମଣିଷ କରିବାରେ ଛାତି ରୁ ରକ୍ତ ଝରାଇଛି  ସେତେବେଳେ ସଇ ଛାତିରୁ ଦେଢବର୍ଷ ର ଶିଶୁ ପାଇଁ ମାତୃତ୍ୱ ର ସ୍ନେହ ଝରାଇ ପାରିବ ନାହିଁ ? ? ଅଂଶୁମାନ ଙ୍କ ହାତ ଧରି  "ନାରୀ "ଜୀବନ କୁ ମହିମା ମଣ୍ଡିତ କରିବାକୁ ଆଗେଇଯାଏ
ବିଠୁଲ ବେଶ ନିରାଡ଼ମ୍ବର ଭାବେ ।ଯୁଗ୍ମ ଜୀବନର ପ୍ରଥମ ପାଦ ରେ  ବିଠୁଲକୁ ଆଇନା ଆଗକୁ ନେଇଯାଆନ୍ତି ଅଂଶୁମାନ  ।
ନା.... ସେ ଦେଖିପାରିବନି  ,ନିଜକୁ ବଧୂବେଶ ରେ ।ସେ ଅଧିକାର ତା'ର ନାହିଁ ।ତା ସୀମନ୍ତ ର ସେଇ ଛୋଟିଆ ସିନ୍ଦୂର
ଟିକ କୁ ସେ କେବଳ ହୃଦୟ ଦେଇ ଅନୁଭବ କରିବ ।
ବିଠୁଲ ହଠାତ ଶିଶୁକନ୍ୟା କୁ କୋଳ କୁ ଟେକି ନେଇ କହେ
---"ଆମ  "ଆନି "  ସତେ କେତେ ସୁନ୍ଦର ନା ! ! ହେଇ ଦେଖ
ତା ଘୁମନ୍ତ ମୁହଁରେ କେମିତି ସରୁ ହସ ଧାରେ   ..."।
---"ମୁଁ ଜାଣେ ଵିଠୁ ,ଆମ ଆନି ଖୁବ୍ ସୁନ୍ଦର ।ଆଉ ତମ କୁ ପାଇ ସେ ଆହୁରି ସୁନ୍ଦର ଦିଶିବ ।ତୁମ ମନ ରେ ଚାଲୁଥିବା ସଂଶୟ କୁ ମୁଁ ବୁଝିପାରୁଛି । ମୋ ଆଖିରେ ଦେଖ ....."।
ବିଠୁଲ ର ଚିବୁକ ଧରି ଆଖିରେ ଆଖି ମିଶାଇଲେ  ସେ ।
---" ମୁଁ ଜାଣେ ତମେ ନ୍ୟାୟ ର ଏକ ମୂର୍ତ୍ତିମନ୍ତ ଦେବୀ ।ତମେ ମୋ ସନ୍ତାନ ର ଉପଯୁକ୍ତ  ମାଆ ।କିନ୍ତୁ ତମେ ମୋର ଦାସୀ ନୁହଁ ।ତମେ ବି ମୋ ପାଇଁ ପ୍ରେମାସ୍ପଦା ।କେବଳ କର୍ତ୍ତବ୍ୟ ନୁହେଁ ବିଠୁଲ...... ତମେ କଣ ମୋତେ ହୃଦୟ ର ସହ ଟିକିଏ ପ୍ରେମ ଦେଇପାରିବ ନାହିଁ ? ? "
      କୋହସବୁ ଆଉ ଆତ୍ମ ସମ୍ବରଣ କରି ପାରୁ ନ ଥିଲେ ବିଠୁଲ ର ।ଧାର ଧାର ଅଶ୍ରୁ ବୋହି ସିକ୍ତ କରୁଥିଲା ମସୃଣ ଗଣ୍ଡଦେଶ କୁ ।ଅଂଶୁମାନ ଙ୍କ ଛାତିରେ ଆଉଜି ଦୁଇ ହାତରେ ସମ୍ପୂର୍ଣ୍ଣ ଶକ୍ତି ଖଟାଇ ଆବେଷ୍ଟନୀ ମଧ୍ୟରେ ଭିଡି ଧରୁଥିଲା ସେ ।ସବୁ ଅଭିମାନ ର ପୃଷ୍ଠା କୁ ଟିକି ଟିକି କରି ଚିରି ଫିଙ୍ଗି ଦେଉଥିଲା ସେ ।ସଂସାର ର ସବୁ କାମନା କୁ ଭୋଗିନେବାର ଇଛା ସବୁ କଡ ଲେଉଟାଇବାର ପ୍ରୟାସ କରୁ ନ ଥିଲେ ।ଅଂଶୁମାନ ଙ୍କର ସ୍ନେହ ସ୍ପର୍ଶ ରେ  ଗୋଟାପଣେ ଭିଜିଯାଉଥିବା ବେଳେ  ଅଂଶୁମାନ ସେମାନଙ୍କ ର ଯୁଗଳ ଅବୟବ କୁ ଆଇନା ସମ୍ମୁଖରେ ପ୍ରଦର୍ଶନ କରୁଥିଲେ ।ଏଥର ସାହସ ର ସହ ଦେଖୁଥିଲା ବିଠୁଲ ତା'ର ଆଉ ଅଂଶୁମାନ ଙ୍କର ପ୍ରତିବିମ୍ବ କୁ  ....କେବଳ ଦୁହିଁଙ୍କୁ .....।


******////*******
ସିପ୍ରା ନାମତା, ନମ୍ରତା
ବାରିପଦା

Sent from my MI MAX 2

0 Comments