କ୍ଷୁଦ୍ରଗଳ୍ପ - ଭାଲେଣ୍ଟାଇନ୍ ଲୁହ - ଇଂ ବିଦ୍ୟାଧର ପଣ୍ଡା

କ୍ଷୁଦ୍ରଗଳ୍ପ - ଭାଲେଣ୍ଟାଇନ୍ ଲୁହ - ଇଂ ବିଦ୍ୟାଧର ପଣ୍ଡା


ଫେବୃୟାରୀ ଚଉଦ, ଭାଲେଣ୍ଟାଇନ୍ ଡେ । ପ୍ରେମ ପାଇଁ ଦିନଟିଏ । କିଛି ନୂଆ ସମ୍ପର୍କର ମୂଳଦୁଆ ପଡେ ତ କିଛି ଅଧାଗଢା ସମ୍ପର୍କର ମୁଣ୍ଡି ମରାଯାଏ । କିଛି ସମ୍ପର୍କ ଭିତରେ ବୁଢିଆଣି ଜାଲପରି ବହୁ ପୁରୁଣା ଅଡୁଆ ଗଣ୍ଠିଗୁଡା ଖୋଲିଯାଏ ତ କିଛି ଦରଭଙ୍ଗା ସମ୍ପର୍କକୁ ଲିପାପୋଛା କରି ପୁଣି ସୁନ୍ଦର ଭାବେ ଗଢାଯାଏ । ଆଗରୁ ଏହି ଦିବସ ବିଷୟରେ ସେତେ କେହି ଜାଣି ନ’ଥିଲେ । ଏବେ ଗୋଲାପ ଫୁଲଟିଏ କିଣି ଆଇ ଲଭ୍ ୟୁ ନ’କହିବା ଯାଏ ଷାଠିଏ ସତୁରୀ ବର୍ଷିଆ ବୁଢା ସ୍ୱାମୀମାନଙ୍କ ଉପରେ ବି ସ୍ତ୍ରୀ ମାନଙ୍କର ଅତ୍ୟାଚାର । ଅର୍ଦ୍ଧାଙ୍ଗିନୀମାନଙ୍କ କୋପାନଳ ପ୍ରଭାବରୁ ସକାଳ’ ପିଇବାରେ ବିଳମ୍ବ । ଯୁବ ପ୍ରେମିକମାନଙ୍କ କଥା ଛାଡ, ଦିନସାରା ଫୁରୁସତ ନ’ଥିଲେ ଚାକିରୀ ଯିବାଭଳି ପରିସ୍ଥିତିକୁ ସାମ୍ନା କରିବାକୁ ପଡିପାରେ, ବାହାଘରକୁ ପାଂଚ ଛଅବର୍ଷ  ହୋଇଥିଲେ ପତ୍ନୀଙ୍କ ପାଇଁ ସାଧାରଣ ହିସାବରେ ଶାଢୀଟିଏ, ନହେଲେ ଚଳିବା ଫରଚା ଥିଲେ ସଂନ୍ଧ୍ୟା ବେଳକୁ ନୂଆ ଗହଣାଗାଣ୍ଠି କିଣାକିଣିର ବି ବନ୍ଦୋବସ୍ତ ସହ ଦାମୀ ହୋଟେଲ୍ ଆଡେ ଖାଇଯିବାର ବି ଦେଖିବାକୁ ମିଳୁଛି  । ସକାଳେ ଆମ ଗାଁ ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ୟାମସାର୍ ତାଙ୍କ ଧର୍ମପତ୍ନୀ ଗୀତାଙ୍କ ମୁହଁରୁ ଏହି ଦିବସଟିକୁ ପାଳନ କରିବାର ଛୋଟିଆ ଆନୁରୋଧଟିକୁ ପ୍ରତ୍ୟାଖ୍ୟାନ କରି କହିଲେ-  “ଇଂରେଜମାନେ ଯଦି ଆମର ପବିତ୍ର କାର୍ତିକ ମାସ ପଂଚୁକ, ଶିବରାତ୍ରୀ ଜାଗର କି ଛଟ୍ପୂଜା ଭଳି ଓଷାପର୍ବ ଗୋଟିଏ ବି ପାଳୁନାହାନ୍ତି, ତେବେ ତୁମେ ତାଙ୍କର ଭାଲେଂଟାଇନ୍ ଡେ ପଛରେ ଏତେ ବାଇଆ ହେଉଛ କାହିଁକି ? ବାହା ହେବାର ପଚାଶ ବର୍ଷ ହେଲାଣି, ଏବେ ନାତିନାତୁଣୀମାନେ ଏ’ସବୁ କଲେ ଦାଣ୍ଡକୁ ସୁନ୍ଦର । ଆମେମାନେ ପାକଲା ଆମ୍ବ । ପ୍ଲାଷ୍ଟିକ୍ ଦାନ୍ତ ସହ ଚୁଟି ରଙ୍ଗକରି ଏ’ ବୟସରେ ନନ୍ଦନକାନନ ଲଟିତଳେ ପଶି ଚଣାଠୁଙ୍ଗା ଧରି କଥାହେଲେ ଲୋକେ କଣ ଭାବିବେ କହିଲ? ଆଜିକାଲି ରାସ୍ତାଘାଟ କଥା ଯାହା, ଯାଉଯାଉ ଅଟୋରିକ୍ସା ଯଦି ଧକଡକଚଡ ହୋଇ ଖାଲରେ ପଡିଗଲା ମୋର ଅଂଟା ଆଉ ସଳଖି ହେବନି ।•ଚାଲ ସର୍ପେଶ୍ୱରଙ୍କ ପାଖରେ ନଡିଆଟିଏ ଭାଙ୍ଗି ନାତିନାତୁଣୀଙ୍କ ମଙ୍ଗଳ କାମନା କରି ଆସିବା ”  ।

ଗୀତାମାଡାମ୍ ଗରଗର ହୋଇ ଚା କପଟିକୁ ସାରଙ୍କ ହାତରେ ଧରଉ ଧରଉ ମୁହଁଟିକୁ ମୋଡିଦେଇ ଫେରିଲା ବେଳକୁ ଅବନୀ ଗୀତାଭାଉଜ ଆଡେ•ଚାହିଁ ମୁରୁକି ମୁରୁକି ମୁଚୁକୁନ୍ଦ ହସଟିଏ ହସି ମାନୀକୁ ଆଭିଏଟର୍ ପଛରେ ବସାଇ ଫୁରଫୁର୍ ଶଦ୍ଦକରି ନନ୍ଦନକାନନ ଆଡକୁ ଚାଲିଗଲା । ତାଙ୍କୁ ଦେଖି ମାଡାମଙ୍କ ମନ ଆଉଟିକେ ଖଟ୍ଟା ହୋଇଗଲା । ଆଗରୁ ଜନମ ହେଲେ ବୋଲି ସିନା ଆମର ବୟସ ଅଧିକା ହୋଇଗଲା, ବୁଢାବୁଢୀ ହେଲେ କଣ ମନ ବୁଢା ହୁଏ ? ମାଷ୍ଟର ଲୋକମାନଙ୍କୁ ବୁଝାଇବା ବଡ କଷ୍ଟ, ଆଉ କୋଉ ଜନ୍ମରେ ଭଗବାନ୍ ଏ’ ମାଷ୍ଟର ଚାକିରୀ କରିଥିବା ଲୋକସାଙ୍ଗରେ ମୋ ହାତଗଣ୍ଠି ପକେଇବନି ! ମନ ବୁଝିବେନି, ଛାଡ ନିଜ କପାଳ ଫଟା ଆଉ କାହାକୁ ଦୋଷ ଦେଲେ କିଛି ଲାଭ ନାହିଁ । ମାନୀ କେମିତି ଅବନୀ ପିଠିରେ ତା’ ପୁରାଦେହ ଲଦିଦେଇକି ମୋଟରସାଇକେଲ୍ ପଛରେ ଆଗକୁ ଝାଙ୍କିକି ବସି ଚାଲିଗଲା ବୁଢାକୁ କଣ ଦିଶୁନି? ଦିନଯାକ ହାତ ଧରାଧରି ହୋଇ ବଗିଚାରେ ବୁଲିବାଲି, ସିନେମା ଦେଖି ହୋଟେଲରେ ମଜାକରି ସଞ୍ଜକୁ ଫେରିବେ । ପିଣ୍ଡାଓଲୁମାନେ କଣ ଜାଣନ୍ତି ଏସବୁ ରୋମାଂଟିକ୍ କଥା,  ଭାଲେଣ୍ଟାଇନ୍ ଡେ ବିଷୟରେ ? ଘରୁ ସ୍କୁଲ୍ ସ୍କୁଲ୍ ରୁ ଘର, ଏମିତି ରେ ସାରା ଜୀବନ ବିତିଗଲା । ବାହାର ଦୁନିଆର ଭଲମନ୍ଦ କଥା କିଛି ଜଣା ନାହିଁ । ମାନୀ ଭାଗ୍ୟ ଟି ଭଲ । ଅବନୀ ସହରରେ କୋଉ ଗୋଟେ ଚାକିରୀ କରିଛି କେଜାଣି, କିନ୍ତୁ ମାଷ୍ଟର ଚାକିରୀ ନୁହେଁ । ସେଥିପାଇଁ ମାନୀ କି ନେଇ ପ୍ରତି ସପ୍ତାହରେ ଗୋଟାଏ ସିନେମା, ପ୍ରତି ମାସରେ ସ୍ନୋ ପାଉଡର, ଅତର ଶିଶିଟାଏ ଦେବା ସହ ବଡବଡ ହୋଟେଲ୍ରେ ଯାଇ ଖିଆପିଆ କରି ମଜା କରୁଛନ୍ତି । ଏ ଅକାଳକୁଷ୍ମାଣ୍ଡଙ୍କ ହାତରେ ମୋର ସାରା ଜୀବନ ନଷ୍ଟ ହୋଇଗଲା,  ଯୌବନ ବେଳେ କହିଲେ ଅବସର ପରେ ଖାଲି ତୀର୍ଥ ବୁଲି ବୁଲି ଅୟସ କରିବା । ଅବସର ନେବା ପରେ ଝିଅ ବାହା ହେଉ, ତା’ପରେ ଘର କାମ ସରୁ, ଏମିତି ଏମିତି ବଳବୟସ ଖସିଗଲା, ଦାନ୍ତ ଗଳିଲା ଆଉ ଅଂଟାବାତ ବାହାରିଲା । ଏହି କଥା ସବୁ ଭାବିଭାବି ମାଡାମଙ୍କ ଦୁଇ ଆଖିର ଦୁଇ କୋଣରେ ଜକେଇ ଆସୁଥିବା ମୋତିପରି ଭାଲେଣ୍ଟାଇନ୍ ଲୁହବିନ୍ଦୁ ଦୁଇଟିକୁ କାନିରେ ପୋଛୁପୋଛୁ କ୍ଷୀଣ ସ୍ୱରରେ କହୁଥିଲେ – “ଆପଣା ସୁନା ଭେଣ୍ଡି, ନିଜନିଜ ଭାଗ୍ୟର କଥା । ଅସ୍ତ ବେଳକୁ ମଥା ପିଟିଲେ କଣ ହେବ, ନେଡିଗୁଡ ତ କହୁଣୀକୁ ବୋହି ସାରିଲାଣି ?”

ଗାଡିରେ ଆସିଲା ବେଳେ ମାନୀ ଅବନୀକୁ କହୁଥାଏ ଗୀତା ଭାଉଜର ବହୁତ ଇଛା ଥିଲା ଭାଲେଣ୍ଟାଇନ୍ ଡେ ପାଳନ କରିବାକୁ କିନ୍ତୁ ଶ୍ୟାମଭାଇଙ୍କୁ ଏସବୁ ଭଲ ଲାଗେନି । ତାଙ୍କୁ ଆମ ସାଙ୍ଗରେ ନନ୍ଦନକାନନ ଆଣିଥିଲେ ଭଲ ହୋଇ ନ’ଥାନ୍ତା ! ଅବନୀ ମାନୀକୁ ବିରକ୍ତ ହୋଇ ହୁଣ୍ଡି ବୋଲି କହି ଗାଳିକଲା । ଆମ ସାଙ୍ଗରେ ଆସି ସିଏ କଣ କବାବରେ ହଡ୍ଡି ହୋଇଥାନ୍ତେ? କବାବ୍ ଶଦ୍ଦ ଶୁଣି ମାନୀ କହୁଛି-  “ଫେବୃୟାରୀ ଚଉଦ ହେଉ କି ଭାଲେଣ୍ଟାଇନ୍ ଡେ, ମୋର କିନ୍ତୁ ଗୁରୁବାର । ବାହାରେ ଆଇଁସ ଛୁଇଁବାର ନାହିଁ” । ଅବନୀ କଥା ମାନୀକୁ ଭଲରେ ଶୁଭୁ ନ’ଥାଏ, ଗାଡି ଦୃତବେଗରେ ଯାଉଥିବାରୁ ଆଗଆଡୁ ପିଟି ହେଉଥିବା ଶୀତୁଆ ପବନ କଥାକୁ ଉଡାଇ ନେଉଥାଏ ।

ଏମିତି ଅଧାଶୁଣା ଅଧାକୁହା କଥାରେ ଦୁହେଁ ପହଁଚିଲେ ଗୋଟିଏ ସୁନ୍ଦର ବଗି•ରେ । ନିର୍ବନ୍ଧ ସରି ଯାଇଛି, ବାହାଘର ଆସନ୍ତା ଏକୋଇଶ ତାରିଖରେ । ଅବନୀଟି ଭଲପିଲା, ଗାଁ ଗଣ୍ଡାରେ କୌଣସି ବଦନାମି କରିନି । ଘର ଭଲ, ବାପା ଗ୍ରାମ ସେବକ । ଅଂଚଳରେ ଜଣେ ଚିର ପରିଚିତ ସର୍ବମାନ୍ୟ ଭଦ୍ରଲୋକ । ଏସବୁ ଦେଖିକି ମାନୀକୁ ତାର ବାପାମାଆ ଅବନୀ ସାଙ୍ଗରେ ବୁଲି ଯିବାକୁ ଅନୁମତି ଦେଇଛନ୍ତି । ବଗିଚାଟିରେ ଅନେକ ପ୍ରକାରର ଫୁଲର ମହକ ସାଙ୍ଗରେ ମତୁଆଲା ଭଅଁରର ଗୁଣୁଗୁଣୁ ସଂଗୀତ ପରିବେଶଟିକୁ ଆମୋଦମୟ କରୁଛି । ମାନୀ ତ ଆସିବାକୁ ରାଜି ନଥିଲା, କିନ୍ତୁ ଅବନୀ ବହୁତ ବାଧ୍ୟ କଲା ପରେ ରାଜିହେଲା ।  ମାନୀର ଗୋଡ ଆଜି ତଳେ ଲାଗୁନି,  ବଗିଚାରେ ପହଁଚି ରକ୍ତଗୋଲାପ ପାଖୁଡାକୁ ଛୁଉଁଛୁଉଁ ଦୁଇଠୋପା ଅମାନିଆ ଭାଲେଂଟାଇନ୍ ଲୁହ ଗାଲଦେଇ ଗଡିଗଡି କେତେବେଳେ ପାଟିରେ ପଶିଲାଣି ମାନୀ ଜାଣିପାରିନି । ଅବନୀ ମାନୀର ଚିବୁକଟିକୁ ପାପୁଲିରେ ଧରି ଅତର ବୋଳା ରୁମାଲରେ ମୁହଁଟିକୁ ପୋଛିଦେଇ କାନ୍ଧରେ ହାତ ପକାଇ ନିକଟସ୍ଥ କଂକ୍ରୀଟ୍ ବେଂଚ୍କୁ ନେଇ କହିଲା- “ ଆଜି ଆମ ପାଇଁ ବହୁତ ବଡଦିନ, ବିବାହ ପୂର୍ବରୁ ଶେଷ ଭାଲେଂଟାଇନ୍ ଡେ, ଏଭଳି ଶୁଭ ଦିନରେ କଣ କିଏ କାନ୍ଦେ? ତୁମେ ହସିଲେ ବହୁତ ସୁନ୍ଦର ଦିଶୁଛ, ଏବେ ହସ ମୁଁ ମୋ କାମ ସାରିଦିଏ । ମାନୀ କିଛି ନ’ବୁଝୁଣୁ ଅବନୀ ବେଂଚ୍ରୁ ଉଠି ମାନୀ ସାମ୍ନାରେ ଘାସଗାଲି• ଉପରେ ଆଣ୍ଠୁମାଡି ବସି ଛାତି ପକଟେରୁ ଗୋଲାପ ଫୁଲଟିଏ ବାହାର କରି ମାନୀ ଆଡକୁ ବଢାଇ ଦେଲା ବେଳେ ଆପେଆପେ ତା’ର ଆଖି ମୁଦି ହୋଇଗଲା ।

ମାନୀ ଅବନୀର ଏହି ପ୍ରେମଭିକ୍ଷା ମୂଦ୍ରାକୁ ଆଉ କିଛି ଦଣ୍ଡ ଉପଭୋଗ କରିବା ପାଇଁ ଟିକିଏ ଡେରିରେ ହାତ ବଢାଇଲା ବେଳକୁ ତା’ର ଡାହାଣ ଗାଲରେ ପଛପଟରୁ କିଏଜଣେ ଶକ୍ତ ଚାପୁଡା ବସାଇଲା । ଚାପୁଡା ଶଦ୍ଦରେ ଅବନୀ ଆଖିଖୋଲି ଦେଖିଲା ମାନୀ ପଛରେ ଛଅଜଣ ବିଶାଳ ବପୁବାଲା ଯୁବକ ଛିଡା ହୋଇଛନ୍ତି । ଅବନୀକୁ ଚାରିଆଡ ଅନ୍ଧାର ଦେଖାଗଲା, ଏମାନେ କିଏ ? ପ୍ରକୃତିସ୍ଥ ହୋଇ ଦେଖିଲା ସମସ୍ତଙ୍କର ମୁଣ୍ଡରେ ବନ୍ଧା ଯାଇଥିବା ଗେରୁଆ ରଙ୍ଗର ପତାକାରେ ହନୁମାନ ମହାପ୍ରଭୁଙ୍କର ଚିତ୍ର ଅଛି । ମାନୀର ଗୋରା ଗାଲରେ ଯୁବକର ପାଂଚଆଙ୍ଗୁଠି ଚିହ୍ନର ନୋଳା ବସି ଲାଲ୍ ପଡି ଯାଇଥାଏ । ଅବନୀ ଛିଡା ହେଉହେଉ ତାର ଦୁଇ ଡେଣା ଧରି ତାଙ୍କରି ଭିତରୁ ଦୁଇଜଣ ବଗିଚାର ଗୋଟିଏ କୋଣକୁ ଟାଣି ନେଇଗଲେ, ଅନ୍ୟମାନେ ମାନୀକୁ ବିପରୀତ ପଟକୁ ଚାଲିବାକୁ ଇଙ୍ଗିତ କରି ଆଗରେ ପଛରେ ଦେହରକ୍ଷୀ ପରି ଚାଲିବାକୁ ଲାଗିଲେ । ପ୍ରଥମେ ମାନୀର ମୋବାଇଲ୍ ନେଇ ମାନୀକୁ ତାର ଓ ଅବନୀର ଘର ଠିକଣା, ବାପା ଓ ଭାଇଙ୍କର ନାଁ  ଓ ମୋବାଇଲ୍ ନମ୍ବର ମାଗି ପଚାରିଲେ ସେ ଟୋକାଟା କିଏ? ଏଠିକି କାହିଁକି ଆସିଥିଲ? ଏଠାରୁ କୋଉଠିକି ଯିବ? ତୁମ ଭିତରେ ସମ୍ପର୍କ କଣ? ରାତି ଯୋଜନା କଣ? ମାନୀ ଲୁହ ଗଡେଇ ସବୁ ପ୍ରଶ୍ନର ଉତର ଦେଇ ଚାଲିଥାଏ । ଶେଷରେ ମାନୀ ବାପାଙ୍କୁ ତା’ରି ମୋବାଇଲ୍ରୁ ଜଣେ କଲ୍କରି ଝିଅକୁ କାହା ସାଙ୍ଗରେ କୁଆଡେ ଛାଡିଛ ବୋଲି ପଚାରିଲା । ମାନୀର ବାପା ହଠାତ୍ ଏ’ ପ୍ରଶ୍ନରେ ଭାଙ୍ଗିପଡି ମାନୀର ଭାଇ ମାନସକୁ ଡାକି କଥା ହେବାକୁ କହିଲେ । ଟିକିଏ ପରେ ଅବନୀକୁ ନେଇ ସେ ଦୁଇଜଣ ମାନୀ ପାଖରେ ପହଁଚିଲେ । ଦୁଇଜଣଙ୍କ ଚାରିଆଖିରୁ ଅବିରତ ଭାଲେଂଟାଇନ୍ ଲୁହର ଧାର ବନ୍ଦହେବାର ନାଁ ନେଉ ନଥାଏ । ଅନେକ ଲୋକ ବଗିଚାରେ ଥାଇ ମଧ୍ୟ କେହି ସାହସ କରି ଏଥିରେ ହସ୍ତକ୍ଷେପ କରୁ ନାଥାନ୍ତି, ଦେଖି ନ’ଦେଖିଲା ପରି ମୁହଁ ବୁଲେଇ ଚାଲିଯାଉଥାନ୍ତି । ପୋଲିସ୍ କେଇଟା ଫାଟକ ବାହାରୁ ଅବନୀକୁ ଧକ୍କାମୁକି ଦେବା ସହ ଠେଲାପେଲା କରିବା, ମାନୀକୁ ବି ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା  ଦେଖଣାହାରୀ ପରି ଦେଖୁ ଥାଆନ୍ତି ସିନା କିନ୍ତୁ କିଛି ଉଁ କି ଚୁଁ ପ୍ରତିବାଦ କରୁ ନଥାନ୍ତି ।

ପରେ ଜଣା ପଡିଲା ଏମାନେ ଆମ ଦେଶର ଗୋଟିଏ ରାଜନୈତିକ ଦଳର ଦକ୍ଷ ସଭ୍ୟବୃନ୍ଦ । ଧର୍ମର ରକ୍ଷକଭାବେ ନିଜର ପରିଚୟ ଦେଇ ଆଇନକୁ ହାତକୁ ନେଲାବେଳେ ନିଜକୁ ଜଣେ ମସିହା ବୋଲି ବିବେଚନା କରୁଛନ୍ତି । ଏମାନେ ଭାଲେଂଟାଇନ୍ ଦିବସ ପାଳନ ନ’କରିବାକୁ ଗଣମାଧ୍ୟମରେ ବହୁ ପୂର୍ବରୁ ଅନୁରୋଧ କରିଛନ୍ତି, କିନ୍ତୁ ମାନୀ କି ଅବନୀ ଏ’ବିଷୟରେ ସମ୍ପୂର୍ଣ୍ଣ ଅଜ୍ଞ  । ପେପର ପଢନ୍ତିନି କି ଟିଭିରେ ନିୟୁଜ୍ ଦେଖନ୍ତିନି, ଜାଣିବେ କିମିତି? ଦୁଇଜଣଙ୍କ ମୋବାଇଲ୍ କ୍ୟାମେରାରେ ଶହେରୁ ଅଧିକ ଦୁହିଁଙ୍କର ନିର୍ବନ୍ଧ ଫଟୋ ରଖିଥିବାରୁ ସମ୍ମାନ ଗଲା କିନ୍ତୁ ଜୀବନ ବଂଚିଗଲା, ନହେଲେ ଅବସ୍ଥା ବହୁତ ଖରାପ ହୋଇଥାନ୍ତା । ମାନୀକୁ ଗୋଟିଏ ଶକ୍ତ ଚାପୁଡା ସହ ଅନେକ ଅଭଦ୍ର ପ୍ରଶ୍ନର ସାମ୍ନା କରିବାକୁ ପଡିଥିବା ବେଳେ ଅବନୀକୁ ଚାରିଟା ଗଳାଧକ୍କା ବେକୁଆ ସହ ଅନେକ ଗାଳି ହଜମ କରିବାକୁ ପଡିଥିଲା । ଦୁଇଜଣଙ୍କର ଏହି ଲୁହ ଭିଜା ଭାଲେଣ୍ଟାଇନ୍ ଦିବସ ଏକ ଅଭୁଲା ସ୍ମୃତି ହୋଇ ଜୀବନସାରା ମନ ଭିତରେ ରହିବ ଏଥିରେ କାହାର ସନ୍ଦେହ ନାହିଁ । ଫେରିଲା ବେଳେ ମାନୀ କହିଲା ମୋ’କଥା ମାନି ଯଦି ଗୀତାଭାଉଜଙ୍କୁ ସାଙ୍ଗରେ ଆଣିଥାଆନ୍ତେ ଏପରି କିଛି ହୋଇ ନଥାନ୍ତା ବୋଲି ମୁଁ ଭାବୁଛି । ଅବନୀ ଚୁପଚାପ୍ ଶୁଣିଲା । 

ସଭ୍ୟତାର ଏକ ବିଶୀଷ୍ଟ ଅଙ୍ଗ ହେଉଛି ସଂସ୍କୃତି । ଭାଲେଣ୍ଟାଇନ୍ ଡେ ପାଳନ କରିବା ସଂସ୍କୃତି କି ଅପସଂସ୍କୃତି କେଇଜଣ କଟରପନ୍ଥୀ ରାଜନେତା କି ମୁଷ୍ଟିମେୟ ଲୋକଙ୍କ ଉପରେ ଛାଡିଲେ ଚଳିବନି । ଇଲେକ୍ଟ୍ରୋନିକ୍ ମିଡିଆ ମାଧ୍ୟମରେ ସମାଜ ଭିତରକୁ ଅପସଂସ୍କୃତିର ଅନୁପ୍ରବେଶ ତ୍ୱରାନିତ୍ୱ ହେଉଥିବା ଉପଲବ୍ଧିକୁ କେହି ଅସ୍ୱୀକାର କରିପାରିବେ ନାହିଁ,  କିନ୍ତୁ ଏହିଭଳି ହିଂସ୍ର ଆଚରଣ ଦ୍ୱାରା ସମାଜ ଭିତରକୁ ପଶିଆସୁଥିବା ଅପସଂସ୍କୃତିର ପ୍ରଭାବ ନୀତି, ନୈତିକତା, ଶାଳୀନତା,ସୌଜନତା ଇତ୍ୟାଦି କଣ ଦୁରେଇ ଯିବ ? କୁନୀତି ଓ କୁରୁଚି ଯଥାକ୍ରମେ ସୁନୀତି ଓ ସୁରୁଚି ରୂପେ ଆଦରଣୀୟ ହେବାରେ କଣ ପୂର୍ଣ୍ଣଛେଦ ପଡିଯିବ ? ବରଂ ଉତେଜିତ ଚିନ୍ତାଧାରା ଚିରସ୍ଥାୟୀ ସୁନୀତିର ଧୃବପଦ ପ୍ରାପ୍ତିର ପଥରୋଧ କରି ସମାଜକୁ ବେଶି କଳୁଷିତ କରି ଆମର ଆଦର୍ଶ, ପରମ୍ପରା, ଶିକ୍ଷା ଓ ସଭ୍ୟତାକୁ ବିକାରମୟ କରିଦେବ । ଆମେ ଜାଣିବା ଉଚିତ୍ ଯେ ଚଳଚଂଚଳ ଉଦ୍ଦାମ କୈଶୋରିକ ପ୍ରବୃତି ଭଲମନ୍ଦ ନିର୍ବିଚାରରେ ନିର୍ବିକାର ଭାବେ ଯଥାଶୀଘ୍ର ପୁଲକଭାବ ସୃଷ୍ଟି କରୁଥିବା ଅପସଂସ୍କୃତିକୁ ଆଦରି ନେଇଥାଏ । ଏସବୁ ପରେ ବି “ଅହିଂସା ପରମଧର୍ମ” ହେଉଛି ଭାରତର ସିଂହନାଦ । ସାରା ବିଶ୍ୱରେ ବସୁଧୈବ କୁଟୁମ୍ବକମ୍ ପରି ମନ୍ତ୍ରରେ ବିଶ୍ୱାସ କରୁଥିବା ଭାରତବାସୀଙ୍କ ଭିତରେ ଭାଲେଣ୍ଟାଇନ୍ ଡେ ପାଳନ ପରି ଛୋଟିଆ କଥାରେ ଏଭଳି ଅସହିଷ୍ଣୁତା ପଦର୍ଶନ କରିବା କେତେଦୁର ଯଥାର୍ଥ ! ଏପରି ଚିନ୍ତାଧାରାରେ ଅତୀତର ମହନୀୟ ମାର୍ଜିତ ତଥା ସୌଜନ୍ୟ ସମୃଦ୍ଧ ସଂସ୍କୃତି କ୍ଷତବିକ୍ଷତ ହେବାର ଦେଖାଯାଉଛି । ଉଗ୍ର ଆଧୁନିକ ବାଦର ସାଂସ୍କୃତିକ ବିସ୍ଫୋରଣ କେତେକାଂଶରେ ଶାନ୍ତିମୟ ପରିବେଶ, ମୈତ୍ରୀମୟ ସଂସାର ଓ ପ୍ରୀତିମୟ ସମାଜ ଉପରେ ନକାରାତ୍ମକ ପଭାବ ପକାଇବା ସହ ପ୍ରଗତିରେ ବାଧକ ହେବାର ବି ଭୂମିକା ନେଉଛି । ତେଣୁ ନିରୀହ ଲୋକମାନଙ୍କ ହିତରେ ଉଗ୍ର ରକ୍ଷଣଶୀଳତା, ସଂଯମତାର ସୀମା ଲଘଂନକୁ ସଭ୍ୟସମାଜ ଓ ବୁଦ୍ଧିଜୀବିମାନେ ଦୃଢତାର ସହ ନିନ୍ଦାକଲେ ଭଲ ହେବ । ହାପି ଭାଲେଣ୍ଟାଇନ୍ ଡେ । 

ଇଂ. ବିଦ୍ୟାଧର ପଣ୍ଡା
ଖ- ୧୭/୧୫, ପଂଚଶଖା ନଗର,
ଡୁମୁଡୁମା, ଖଣ୍ଡଗିରି, ଭୁବନେଶ୍ୱର-୭୫୧୦୧୯

0 Comments