କ୍ଷୁଦ୍ରଗଳ୍ପ - ମୋ ଜେଜେମା - ନୃସିଂହ ଚରଣ ବେହେରା

କ୍ଷୁଦ୍ରଗଳ୍ପ - ମୋ ଜେଜେମା - ନୃସିଂହ ଚରଣ ବେହେରା


ସତର ବର୍ଷର କଞ୍ଚା ବୟସରେ ବିଧବା ହୋଇଯାଇଥିଲା ମୋ ଜେଜେମା’ । ସେ ସାମାଜିକ ବନ୍ଧନ,ଋଢୀ,ରୀତି ନୀତି ଭିତରେ ଦବି ହୋଇ ବଞ୍ଚିବାର ନୂଆ ବାଟଟିଏ ଖୋଜି ନେଇଥିଲା । ଆଉ ନିଜ ସର୍ତ୍ତରେ ସେ ବଞ୍ଚିଥିଲା ଗୋଟିଏ ସାଲିସ୍ ବିହୀନ ଜୀବନ । ରାତି ତିନିଟା ବେଳେ ବାଜି ଉଠିଲା ଫୋନ୍ ଟି ଆଉ ମୋ ଛାତି ଭିତରଟା ଥରି ଉଠିଲା ଅଜଣା ଆଶଙ୍କାରେ । ଦଉଡି କରି ଫୋନ୍ ଉଠେଇଲା ବେଳକୁ ଭାଇ ଫୋନ୍ କରିଥିଲେ ଆଉ କହିଲେ ଜେଜେମା’ ଆଉ ନାହିଁ ଏ ଦୁନିଆରେ । ଏହା ଶୁଣି ମୋ ପାଦ ତଳର ମାଟି ଖସିଗଲା ଯେମିତି । ହଠାତ୍ ଆଖିଆଗରେ ଭାସି ଉଠିଲା ମୋ ଜେଜେମା’ର ସ୍ନେହସିକ୍ତ ଚେହେରା । ପୂଜା ପାଠରେ ଅଗାଢ ବିଶ୍ୱାସ ରଖୁଥିବା ମୋ ଜେଜେମା’..! ବୟାଅଶୀ ବର୍ଷର ଦୃଢ ଆତ୍ମବିଶ୍ୱାସୀ ଆଉ ସବୁବେଳେ, ସବୁ ପରିସ୍ଥିତିରେ ହସୁଥିବା ମୋ ଜେଜେମା’.. । ହିନ୍ଦୁଧର୍ମର ଶାସ୍ତ୍ର ପୁରାଣ, ମହାଭାରତ, ଗୀତା ଓ ଭାଗବତର ସିଦ୍ଧାନ୍ତରେ ମୋ ଜେଜେମା’ର ଥିଲା ଅଗାଢ ବିଶ୍ୱାସ । ସେ ଅଷ୍ଟମ ଯାଏଁ ପଢିଥିଲା ସିନା ତା’ର କିନ୍ତୁ ଧର୍ମ ବିଷୟରେ ଅଧିକ ଜ୍ଞାନ । ସେ ଅଧିକ ପାଠ ପଢି ପାରିନଥିବାରୁ ତା’ର ଅବଶୋଷ ଥିଲା । ଅଳ୍ପ ବୟସରେ ବାହାଘର ହୋଇଯିବାରୁ ପାଠପଢାରେ ଡୋରୀ ବନ୍ଧା ହୋଇଥିଲା । ସେ ଶାଶୁଘରକୁ ଯାଇ ମନ ଦେଲା ଘରକରଣାରେ । ହେଲେ ସେ ଯେତେବେଳେ ବି ସମୟ ପାଏ ଧର୍ମ ଶାସ୍ତ୍ର ଅଧୟନ କରେ । ଗୀତା ଭାଗବତ ତ ତା’ର ମୁଖସ୍ଥ ଥିଲା । ସେ ଥିଲା ପ୍ରବଳ ଇଶ୍ୱର ବିଶ୍ୱାସୀ । ବର୍ଷକୁ ବାରମାସ ତେର ପର୍ବପର୍ବାଣୀକୁ ସେ ନିଷ୍ଠାର ସହିତ ପାଳେ । ଜ୍ୟୋତିଷ ବିଦ୍ୟା ସହିତ ବଳି ପ୍ରଥାକୁ ମଧ୍ୟ ମାନେ । ତା’ର ଏତେଟା ଭଗବାନଙ୍କ ଉପରେ ବିଶ୍ୱାସ ଆମେ ବେଳେ ବେଳେ ଥଟ୍ଟା କଲେ ବି ତାକୁ କେବେ କିଛି କହନ୍ତିନି । କାହିଁକିନା ସେ ତା’ ଜୀବନରେ ବହୁତ ଦୁଃଖ ସହିଥିଲା ।

ମୋ ଜେଜେମା’.. ଶକୁନ୍ତଳା ମାତ୍ର ସତର ବର୍ଷର କଞ୍ଚା ବୟସରେ ବିଧବା ହୋଇଯାଇଥିଲା । ଦୁଇ ମାସର ପୁଅକୁ କୋଳରେ ଧରି ଏତେ ବଡ ସଂସାରରେ ସେ ଏକୁଟିଆ ଖୋଜୁଥିଲା ବଞ୍ôଚବାର ରାହା । ତା’ ଶାଶୁଘର ଲୋକ ତାକୁ ଅଲକ୍ଷଣୀ ବୋଲି କହି ଘରୁ ତଡିଦେଲେ ଆଉ ତା’ ବାପଘର ଲୋକଙ୍କର ଏତେ ସମ୍ବଳ ନଥିଲାକି ସେ ବିଧବା ଝିଅ ଆଉ ଦୁଇ ମାସର ନାତିର ଦାୟିତ୍ୱ ନେଇ ପାରିଥାନ୍ତେ । ବୈଧବ୍ୟର କଳା ବାଦଲ ତା ଖୁସିରେ ଗ୍ରହଣ ଲଗେଇ ଦେଇଥିଲା । ଶଶୁର ଘରୁ ତଡା ଖାଇ ସାରିଲା ପରେ କ’ଣ କରିବ.. କ’ଣ ନାଇଁ ସେ ଚିନ୍ତାରେ ଜେଜେମା’ ଘାରି ହେଉଥିଲା ବେଳେ ଗାଁର ଜଣେ ଖୁଡୀ ଆଶ୍ରୟ ଦେଲେ ତାଙ୍କୁ ତାଙ୍କ ଘରେ । ସେ ଖୁଡୀ ବି ବିଧବା ଥିଲେ । ଆଉ ଏ ଦୁନିଆରେ ଥିଲେ ଏକାକୀ । ଖୁଡୀଙ୍କ ପଣତ କାନି ତଳେ ଜେଜେମା’ଙ୍କୁ ଆଶ୍ରୟ ମିଳିଗଲା ସତ.. ହେଲେ ବିଧବାର ମୁହଁ ଚାହିଁବାଟା ସେତେବେଳେ ଥିଲା ଅଶୁଭ । ଆଉ ତାଙ୍କୁ କାମ କିଏ ଦେଇଥାନ୍ତା । ତେଣୁ ସେ ପାଖ ଗାଁରେ ଗୋଟିଏ ଛୋଟ ଦୋକାନ କଲେ ଖୁଡୀଙ୍କ ସହଯୋଗରେ । ସେ ଦୋକାନରେ ସେ ନିଜ ହାତ ତିଆରି ବଡି,ପାମ୍ପଡ,ଆଚାର ବିକିଲେ । ତାଙ୍କ ଜିନିଷର ସ୍ୱାଦ ପାଇଁ ଆଖ ପାଖ ଗାଁରୁ ତାଙ୍କୁ ଅର୍ଡର ମିଳିବାକୁ ଲାଗିଲା ଆଉ ଧୀରେ ଧୀରେ ଦୋକାନରୁ ଭଲ ଆୟ ହେବାକୁ ଲାଗିଲା । ସେ ଦିନଯାକ ଦୋକାନ ସମ୍ବାଳନ୍ତି ଆଉ ରାତିରେ ଘର ଆଉ ପୁଅକୁ । ନିଜେ ବେଶୀ ପାଠ ନପଢିଥିଲା କ’ଣ ହେଲା ନିଜ ପୁଅକୁ ବହୁତ ପଢେଇଲେ । ଚାହୁଁ ଚାହୁଁ ପୁଅ ଚାକିରୀ କଲା ଆଉ ସେ ତା’ର ବିବାହ କରିଦେଲେ ନିଜ ପସନ୍ଦର ଝିଅ ସହିତ । ତା’ପରେ ନାତି ନାତୁଣୀଙ୍କର ଜନ୍ମ । ଆଉ ସେ ବ୍ୟସ୍ତ ହୋଇଗଲେ ସେମାନଙ୍କ ଲାଳନ ପାଳନ ପୋଷଣରେ । ସମୟ କ୍ରମେ ନାତି ନାତୁଣୀମାନେ ପଢା ସାରି ନିଜ ନିଜ ଚାକିରୀ ଆଉ ଘର ଗୃହସ୍ଥିରେ ବ୍ୟସ୍ତ ହୋଇଗଲେ ।

ମୋ ହେତୁ ହେବା ଦିନଠୁ ମୁଁ ଦେଖି ଆସିଛି ଏକାଦଶୀ, ସଂକ୍ରାନ୍ତି, କୁଆଁପୁନେଇରେ ଚାନ୍ଦ ପୂଜା, ଶାମ୍ବ ଦଶମୀରେ ସୂର୍ଯ୍ୟ ପୂଜା ଭଳି ପର୍ବ ପର୍ବାଣିକୁ ଖୁସିରେ ପାଳନ କରେ ମୋ ଜେଜେମା’ । ଆଉ ବିଧବା ବୋଲି ବାହାଘର, ବ୍ରତଘରଠୁ ଦୂରରେ ରହେ । ମୁଁ ଯେତେବେଳେ ଏ ସବୁର ବିରୋଧ କରେ, ଆଉ ଅବାଧ୍ୟ ହୁଏ ସେତେବେଳେ ସେ ମୋତେ ଏପରି ବୁଝାଇ ଦିଏ ଯେ ମୁଁ ସୁନା ପିଲା ପରି ତା’ କଥା ମାନିଯାଏ । ତା’ର ବୁଝେଇବା କଳାଟା ବି ନିଆରା । ଯେକୌଣସି ପରିସ୍ଥିତିରେ ସେ କେବେବି ରାଗେନି ଆଉ ତା’ର ହସ ହସ ମୁହଁଟିକୁ ଦେଖିଦେଲେ ମୋର ରାଗ ସବୁ ପାଣିର ଫୋଟକା ପରି ମିଳେଇଯାଏ । ଠିକ୍ ଠିକ୍ ମନେ ପଡେନ..ହେଲେ କେଉଁ ଏକ ବହିରେ ପଢିଥିଲି,ନାରୀ ନାରାୟଣୀ, ଶକ୍ତି ସ୍ୱରୂପିଣୀ, ଜ୍ଞାନ ପ୍ରଦାୟିନୀ । ବାସ୍ତବରେ ସେ ସବୁ ଗୁଣର ସମାହାର ହେଉଚନ୍ତି ମୋର ଜେଜେମା’ । ମୁଁ ଦିନେ ତାଜୁ ପଚାରିଲି, “ଆଛା.. ଜେଜେମା’, ତୁମେ ସବୁବେଳେ ଏତେ ଖୁସିରେ କେମିତି ରହିପାରୁଛ ?” ସେ ମୋ ଗାଲକୁ ଟିକିଏ ଚିପି ଦେଇ କହିଲେ, “ପୁଅ..,ସକାଳୁ ସଞ୍ଜଯାଏଁ ମୁଁ ମୋ କାମରେ ଲାଗିଥାଏ । ଆଳସ୍ୟ ପରାୟଣ ବ୍ୟକ୍ତି ପାଖରେ ସିନା ସମୟର କିଛି ମୂଲ୍ୟ ନାହିଁ..ହେଲେ ଚଳ ଚଞ୍ଚଳ ଲୋକ ସବୁବେଳେ ନିଜକୁ କିଛି ନା’ କିଛି କାମରେ ବ୍ୟସ୍ତ ରଖେ ।” ଆଜିର ଯୁଗରେ ମଣିଷ ସବୁବେଳେ ତୃଷ୍ଣା କବଳିତ ହୋଇ ମରୀଚିକା ପଛରେ ଗୋଡାଇ ଅଶାନ୍ତିର ଶୀକାର ହେଉଛି । ଏହାର କାରଣ ହେଲା ତୃଷ୍ନା.. ଯାହାର ଅନ୍ତ ନାହିଁ । ତୃଷ୍ଣା ପଛେ ଧାଇଁ ଧାଇଁ ଆଜିର ମଣିଷ ଜୀବନରେ ଶାନ୍ତି ନାହିଁ । ତା’ଛଡା ନୈ÷ରାଶବାଦୀ ବ୍ୟକ୍ତି ବଞ୍ଚିଥାଉ ଥାଉ ମୃତ ସିନା । ଏହା ଶୁଣି ମୁଁ ପଚାରିଲି, “ମା’ ତୃଷ୍ଣାକୁ ଆୟତ୍ତ କରିବାଟା କ’ଣ ସମ୍ବବ ?” ଏହା ଶୁଣି ଜେଜେମା’ ମୋତେ କହିଲେ, ଏ ଦୁନିଆରେ କୌଣସି ଜିନିଷ ଅସମ୍ଭବ ନୁହେଁ । ସେଥିପାଇଁ କଠୋର ବ୍ରତ ପାଳନ କରିବାକୁ ହେବ । ଠିକ୍ ମହାତ୍ମାଗାନ୍ଧୀଙ୍କର ତିନି ମାଙ୍କଡ ପରି ।

ସତରେ ଆଜି ମୁଁ ନିଜକୁ ଆଉ ଆଜିର ଯୁବ ପୀଢିଙ୍କୁ ଯେତେବେଳେ ଦେଖୁଛି, ମୋରେ ଚାରିପଟେ କେବଳ କ୍ରେଧ, ଅସହିଷ୍ଣୁତା ଆଉ ଆକ୍ରୋଶ ହିଁ ଦେଖିବାକୁ ମିଳୁଛି । ସବୁ ସୁଖ ସୁବିଧା ଥିବା ସତ୍ତେ୍ୱ ଅସହିଷ୍ଣୁତା ଦେଖା ଯାଉଛ, ଅଥଚ ମୋ ଜେଜେମା’ ସତର ବର୍ଷ ବୟସରୁ ଜୀବନର ପତ୍ରଝଡାକୁ ଦେଖି ପ୍ରତିଟି ମୂହୁର୍ତ୍ତରେ ଅପମାନକୁ ସହି ମଧ୍ୟ ସେ କେତେ ଶାନ୍ତ ଆଉ ସହନଶୀଳ । ମୁଁ ତାଙ୍କୁ କେବେବି ରାଗିବାର କି କାହା ଉପରେ ଚିତ୍କାର କରିବାର ଦେଖିନି କି ଶୁଣିନି । ସେ ଚୁପ୍ଚାପ୍ ଆଉ ସୌମ୍ୟ ହସ ବଳରେ ସମସ୍ତଙ୍କ ମନକୁ ଜିତି ପାରିଥିଲେ । ସେ ନିଜେ ବେଶୀ ପାଠ ପଢିନଥିଲେ ସତ ହେଲେ ମୋ ମା’ଙ୍କର ଅଧା ପାଠକୁ ପୁରା କରେଇଲେ । ନିଜେ ଘରର ଦାୟିତ୍ୱ ଆଉ ଆମ ମାନଙ୍କର ଦାୟିତ୍ୱ ସମ୍ଭାଳିବା ସହିତ ମା’କୁ କଲେଜ ପଠେଇଥିଲେ ପଢିବା ପାଇଁ । ଆମ ମାନଙ୍କ ଜନ୍ମ ଦିନରେ ସେ ମଧ୍ୟ ଅନାଥ ଆଶ୍ରମରେ ଖାଇବାକୁ ପଠାନ୍ତି ଆଉ ତା’ସହିତ ରିଟର୍ଣ୍ଣ ଗିଫ୍ଟ ମଧ୍ୟ ଦିଅନ୍ତି ।

ମୋର ମନେ ଅଛି ଆଜିବି । ମୁଁ ସେତେବେଳେ ଦଶମ ଶ୍ରେଣୀରେ ପଢୁଥିଲି । ସ୍କଲ୍ରୁ ଘରକୁ ଆସି ଦେଖେତ ବଡ ଭଉଣୀ କାନ୍ଦୁଛି ଆଉ ତାକୁ ମା’ ବୁଝୋଉଛି । ଘଟଣା କ’ଣ ମୁଁ ପଚାରିବାରୁ ବଡ ଭଉଣୀ କହିଲା ତା’ର କୋଏଜିକେଶନ୍ କଲେଜରୁ ଆଡିମିଶନ୍ ପାଇଁ ଲେଟର ଆସିଛି ହେଲେ ମା’ କୋଏଜୁକେଶନ୍ କଲେଜରେ ପଢେଇବା ବିରୁଦ୍ଧରେ ଥିଲେ । ଏକଥା ଶୁଣି ଜେଜେମା’ ହସି ହସି ମା’କୁ କହିଲା, “ତୋ’ର କ’ଣ ତୋ ଝିଅ ଉପରେ ଭରସା ନାହିଁ ସୁମି । ଦେଖ୍ ତାକୁ ପଢିବାକୁ ଦେ ଆଉ ନିଜ ସଂସ୍କାର ଉପରେ ଭରସା ରଖ ।” ବାସ୍ ସେଇ ପଦକ କଥାରେ ମା’ ରାଜି ହୋଇଗଲା ଆଉ ନାନୀ ବି କୋ ଏଜୁକେଶନ୍ କଲେଜରେ ପଢି ମଧ୍ୟ ପୁରା କଲେଜରେ ପ୍ରଥମ ସ୍ଥାନ ଅଧିକାର କରି ପରିବାରର ନାଁ ଉଚ୍ଚା କରିଦେଲା । ଏମିତି କେତେ କ’ଣ ଭାବୁ ଭାବୁ ମୁଁ ଆସି ପହଞ୍ଚିଗଲି ଘରେ ।

କିଛି ସମୟ ପରେ ଆରମ୍ଭ ହୋଇଗଲା ଜେଜେମା’ଙ୍କର ଅନ୍ତିମ ଯାତ୍ରା । ଦେଖୁ ଦେଖୁ ଜେଜେମା’ ଆମକୁ ଛାଡି ବହୁତ ଦୂରକୁ ଚାଲିଗଲା । ଆଉ ପଛରେ ଛାଡି ଗଲା ସଂଘର୍ଷର ଏମିତି ଏକ ଅନମୋଲ୍ ଖଜାନା ଯାହା ବହୁତ ଲୋକଙ୍କ ପାଇଁ ପ୍ରେରଣାର ସ୍ରୋତ ହୋଇଯାଇଥିଲା । ସେ ପୁରୁଣା ଋଢୀବାଦୀ ଯୁଗର ଏମିତି ମହିଳାଟିଏ ଥିଲା ଯିଏ ନିଜେ ଅନ୍ଧବିଶ୍ୱାସର ଡୋରକୁ ବାନ୍ଧି ରଖିଥିଲା ସତ ହେଲେ ଆମ ସମସ୍ତଙ୍କୁ ଅନ୍ଧସିଶ୍ୱାସଠୁ ରଖିଥିଲା ବହୁତ ଦୂରରେ । ମୋର ଆଜିବି ମନେଅଛି, ଥରେ ମୋ ମନ ଅଶାନ୍ତ ଥିଲା । ସେ ମୋ ପାଖରେ ବସି ମୋ ମୁଣ୍ଡ ବାଳକୁ ଆଉଁସି ଦେଇ ପଚାରିଲା, “କ’ଣ ହେଲା ପୁଅ! କ’ଣ ଆଜି ବହୁତ ବ୍ୟସ୍ତ ବିବ୍ରତ ଜଣା ପଡୁଛୁ ।” ମୁଁ ଟିକେ ହସିଦେଇ କହିଲି, “ନା.. ଜେଜେମା, ସେମିତି କିଛି ନୁହେଁ । ମୁଁ ଜାଣିପାରୁନି କ’ଣ କରିବି! ମୁଁ ଟିକିଏ ଦ୍ୱନ୍ଦରେ ଅଛି ?” ମୋର ଏଇ କେଇ ପଦ କଥାରେ ସେ କ’ଣ ବୁଝିଲା କେଜାଣି ଟିକିଏ ହସି ଦେଇ କହିଲା, “ଯଦି ଶାନ୍ତି ପାଇବାକୁ ଚାହୁଁଛୁ ପୁଅ ତେବେ ପ୍ରତିଦିନ ଗୀତା ପଢ ।” ଗୀତାର ପ୍ରଥମ ଶ୍ଲୋକରେ ଅନ୍ଧ ଧୃତରାଷ୍ଟ୍ର ସଞ୍ଜୟକୁ ପଚାରୁଛନ୍ତି, “ମୋ ପୁତ୍ର ଏବଂ ପଣ୍ଡୁ ପୁତ୍ର ଧର୍ମକ୍ଷେତ୍ର କୁରକ୍ଷେତ୍ରରେ ଏକାଠି ହୋଇ କ’ଣ କଲେ ?” ଏଥିରୁ ଦୁଇଟା କଥା ସୁସ୍ପଷ୍ଟ, ଗୋଟିଏ ହେଲା ମୋର ଏବଂ ଅନ୍ୟଟି ତା’ର । ଏଇ ମୁଁ ଆଉ ମୋରକୁ ପରିହାର କରିବାକୁ ହେବ । କାରଣ ଏହି ଦୁଇଟି ହେଉଛନ୍ତି ଅଶାନ୍ତିର ମୂଳ କାରଣ । ଯଦି ଆମେ ମୁଁ ଆଉ ମୋର ପରିଧିରୁ ବାହାରି ଆମର କୁ ଗ୍ରହଣ କରିବା ତେବେ ଅଶାନ୍ତିର ଦୂର ଦୂର ପର୍ଯ୍ୟନ୍ତ ଦେଖା ମିଳିବନି ଆମ ଜୀବନରେ ।

ସତରେ କେତେ ବଡ କଥାଟିଏ ମୋତେ ସେଦିନ କହିଥିଲା ମୋ ଜେଜେମା’ । ସେ ଥିଲା ମୋ ଜୀବନ ଆକାଶରେ ପବନର ଶୀତଳ ସ୍ପର୍ଶ ପରି । ବିପଦରେ ସେ ଥିଲା ମୋ ପାଇଁ ସତର୍କର ଘଣ୍ଟି । ତା’ ଆବର୍ତ୍ତମାନେରେ ମୁଁ ଏବେ ଜଣେ ଦିଗହରା ବିହଙ୍ଗମ ।

ନୃସିଂହ ଚରଣ ବେହେରା
୨୧୭,ୟୁନିଟ-୯(ଫ୍ଲାଟ)
ବାୟାବାବା ମଠ ଲେନ, ଭୁବନେଶ୍ୱର-୨୨

0 Comments