ମୁଖ୍ୟ-ସମ୍ପାଦକଙ୍କ ବକ୍ତବ୍ୟ - ୨୦୧୯

ସ୍ଥାନ : ମୈତ୍ରୀ ଭବନ, ପ୍ରାଣନାଥ ସ୍ଵୟଂଶାସିତ ମହାବିଦ୍ୟାଳୟ, ଖୋରଧା

ସର୍ବପ୍ରଥମେ ଏ ମଂଚ ଓ ମଂଚ ସମ୍ମୁଖରେ ବସିଥିବା ସାରସ୍ୱତ ସାଧକସାଧିକାମାନଙ୍କୁ ପ୍ରଣାମ । ସମ୍ମାନୀୟ ସଭାପତି ମହୋଦୟ, ମଂଚାସୀନ ଅତିଥିଗଣ ତଥା ଏହି ମିଳିତ ସାରସ୍ୱତ ସମାରୋହରେ ଉପସ୍ଥିତ ସମସ୍ତ ସାରସ୍ୱତ ସାଧକସାଧିକାଗଣ, ପ୍ରଥମରୁ କହିରଖେ, ଏ ମଂଚରେ ବସିଥିବା ଓଡିଆ ସାହିତ୍ୟର ରଥୀମାନଙ୍କ ସହ ବସିବାକୁ ମୁଁ ନିଜକୁ ଯୋଗ୍ଯ ମନେକରେନି । କାରଣ ମଂଚରେ ଅଛନ୍ତି ବିଶିଷ୍ଟ ଐତିହାସିକ ଡ. ସତ୍ଯବାଦୀ ବଳିଆରସିଂହ, ଯେ'କି ଶିକ୍ଷା ବିଭାଗର ନୋଡାଲ ଅଫିସର ଥିଲେ, ଆଉ ମୁଁ ପେଶାରେ ଜଣେ ଶିକ୍ଷକ । ଆଉ ମଧ୍ୟ ମଂଚରେ ଅଛନ୍ତି ଗୁରୁଜୀ ମେଜର କ୍ଷୀରୋଦ ପ୍ରସାଦ ମହାନ୍ତି । 'ବଣମଲ୍ଲୀରମହକ' ଇ-ପତ୍ରିକାର ମୂଖ୍ଯ-ସମ୍ପାଦକ ହିସାବରେ ମଂଚରେ ଆସୀନ ହେବାର ସୁଯୋଗ ମିଳିଛି । 'ବଣମଲ୍ଲୀରମହକ' ଇ-ପତ୍ରିକାର ପ୍ରତିଷ୍ଠାତା ଲକ୍ଷ୍ମୀନାରାୟଣ ପଟ୍ଟନାୟକ ଓ ମୁଁ ଗୋଟିଏ ଗାଁ'ର । ଆମେ ଦୁଇଜଣ ଖେଳସାଥି,ପଢାସାଥୀ ମଧ୍ୟ । ପିଲାଟିଦିନରୁ ଉଭୟ ଓଡିଆ ସାହିତ୍ୟ ପ୍ରତି ଆକର୍ଷିତ ହୋଇଥିଲୁ, ଓଡିଆ ଭାଷାକୁ ନିବିଡ ଭାବେ ଭଲ ପାଉଥିଲୁ । ପାଠପଢା ସରିବାପରେ ଦୁହିଁଙ୍କ ବୄତ୍ତି ଅଲଗା ଅଲଗା ହୋଇଥିଲେ ମଧ୍ୟ ଦୁଇଜଣ ଚିନ୍ତାକଲୁ ନିଜ ଭାଷା ପାଇଁ କିଛି କରିବା । ଶେଷରେ ଇ-ପତ୍ରିକାଟିଏ କରିବାକୁ ସ୍ଥିର କଲୁ । ସେ ଏହାର ପ୍ରତିଷ୍ଠାତା ସମ୍ପାଦକ ଓ ମୋତେ ମୂଖ୍ୟ ସମ୍ପାଦକ ଦାୟିତ୍ୱ ଦେଇଛି, ସେଥିପାଇଁ ମୁଁ ତା ପାଖରେ ଋଣୀ ।

ଵଣମଲ୍ଲୀର ମହକ' ଦୁଇ ବର୍ଷର ଶିଶୁଟିଏ । କିଛିଦିନ ତଳେ ଜଣେ ଶିକ୍ଷକ ବଂଧୁ କହିଲେ- କ'ଣ ଗୋଟେ ଇ-ପତ୍ରିକା କରିଛନ୍ତି ମ । କିଏ ପଢୁଛି ? ତାଙ୍କୁ କହିଲି- ମୁଁ ଯେତେବେଳେ ଛାତ୍ରାବାସରେ ରହୁଥିଲି, ମୋ ବାପା ମନିଅର୍ଡର କରି ଟଙ୍କା ପଠାଉଥିଲେ, ଏବେ ଛାତ୍ରାବାସରେ ରହୁଥିବା ମୋ ଝିଅ ପାଖକୁ ମୁଁ ଇଣ୍ଟରନେଟ ବ୍ଯାଙ୍କିଙ୍ଗରେ ପଠଉଛି । କିଛି ଅସୁବିଧା ହେଉନି ତ ? ମୁଁ କଲେଜରେ ପଢିଲାବେଳେ ୫୦ ଟଙ୍କା ଦେଇ ଟେପରେକର୍ଡର ଗୋଟେ କ୍ଯାସେଟ କିଣି ଏପଟସେପଟ କରି ୧୦/୧୨ଟି ଗୀତ ଶୁଣୁଥିଲି । ଏବେ ମାଇକ୍ରୋଚିପ୍ରେ ହଜାରେ ଗୀତ ଶୁଣୁଚି । ତାଛଡା ୟୁଟ୍ଯୁବ'ରେ ଅଗଣିତ ଗୀତ ସହ ଚିତ୍ର । ମୁଁ ଯେତେବେଳେ ମ୍ଯାଟ୍ରିକ ପାଶ କଲି, ୪/୫ଟା କଲେଜକୁ ଯାଇ ଫର୍ମ କିଣି ନାମଲେଖା ଆବେଦନ କରିଥିଲି । ହେଲେ ମୋ ପୁଅ ଯେତେବେଳେ ମ୍ଯାଟ୍ରିକ ପାଶକଲା, ଏକାଥରକେ ୬ଟି କଲେଜ ପାଇଁ ମୁଁ ଅନଲାଇନ ଆବେଦନ କରିପାରିଲି । ବଂଧୁଜଣକ ବୁଝିଗଲେ । ଗୋଟେ କଥା ମନରେ ଦୁଃଖ ଦିଏ ଯେ, ଭାରତ ସେଇ ଦେଶ, ଯୋଉ ଦେଶକୁ ଅତୀତରେ ବିଦେଶରୁ ବିଦ୍ଯାର୍ଥୀମାନେ ଅଧ୍ଯୟନ କରିବାକୁ, ଗବେଷଣା କରିବାକୁ ଆସୁଥିଲେ । କିନ୍ତୁ ଗତ କୋଡିଏ ବର୍ଷ ହେଲା ଏ ଦେଶରେ ସର୍ବଶିକ୍ଷା ଅଭିଯାନ ଚାଲିଛି, ଏବେ ତାର ନୂଆ ନାଁ ସମଗ୍ର ଶିକ୍ଷା । ଶିକ୍ଷକ ମାନଙ୍କ ଉପରେ ଶିକ୍ଷା ବ୍ଯତିରେକ କେତେ ଯେ କାର୍ଯ୍ୟ ଲଦିଦିଆଯାଉଛି ତା ଆପଣମାନେ ଜାଣନ୍ତି । 

ଏ ମଧ୍ୟରେ ୩୦୦ରୁ ଅଧିକ ସାରସ୍ୱତ ସାଧକସାଧିକା ଅନଲାଇନରେ ଲେଖା ପଠାଉଛନ୍ତି । ସାରା ବିଶ୍ଵରେ ଦୁଇଲକ୍ଷରୁ ଉର୍ଦ୍ଧ୍ବ ପାଠକପାଠିକା ଏହି ଇ-ପତ୍ରିକା ପଢୁଛନ୍ତି । ଆପଣମାନଙ୍କ ଶୁଭେଚ୍ଛା, ଶୁଭକାମନା ଆମକୁ ଓଡିଶା ଓ ଓଡ଼ିଆ ଭାଷାର ସେବା କରିବା ପାଇଁ ଉତ୍ସାହିତ କରୁଥାଉ, ଏହାହିଁ କାମନା । ଧନ୍ୟବାଦ ।

ସଲିଳ କୁମାର ସ୍ଵାଇଁ, ମୂଖ୍ୟ ସଂପାଦକ, ବଣମଲ୍ଲୀରମହକ, ମଂଗଳାଯୋଡି, ଖୋରଧା

0 Comments