ଅନୁଭୂତି କଥା - ଶହୀଦ - ସମିର କୁମାର ବେଉରା

ଅନୁଭୂତି କଥା - ଶହୀଦ - ସମିର କୁମାର ବେଉରା


ଆନୱାର ମୋର କଲିଗ | ଗୋଟିଏ ଅଫିସରେ କାମ କରୁ | ଆନୱାର, ମୁ ଆଉ ଅରବିନ୍ଦ ତିନିଜଣ ଭଲ ସାଙ୍ଗ | ମୁ ଓଡ଼ିଶାର, ଅରବିନ୍ଦ କେରଳର ଆଉ ଆନୱାର ତାମିଲ ମୁସଲମାନ | ଆମେ ଦୁହେଁ ଭଡ଼ାଘରେ ରହୁ ଆଉ ସେ ତା ଘରୁ (ପ୍ରାୟ ୪୦ କିଲୋମେଟର ଦୂରରୁ ) ଯିବା ଆସିବା କରେ | ଘରେ ତାର ଅବା, ଅମି ଆଉ ଗୋଟେ ସାନ ଭଉଣୀ ରୁକସାନା | ତା' ବଡ଼ ଭାଇ ଡିଫେନ୍ସରେ  ସର୍ଭିସ କରନ୍ତି | 

ଅନେକ ଥର ଛୁଟିରେ ଯାଇଛୁ  ତା ଘରକୁ  | ମିଶିଛୁ ତା ପରିବାର ସହ | ପ୍ରତିବର୍ଷ ରମଜାନ ଆଉ ବକରୀଦ କଟେ ଆମର ତା ଘରେ ବିରିୟାନୀ ଖାଇବାରେ | ସେ ବି ଅନେକ ଥର ଆମ ରୁମରେ ରହିଯାଏ |  ଅରବିନ୍ଦ ତା' ଗାଁରୁ ଆଣିଥିବା ପୁଟୁ, ନନ୍ଦ୍ରନ ଚିପ୍ସ  ତଥା ମୁ ଆମ ଗାଁରୁ ଆଣିଥିବା ଭଜା ବଡି, ବରକୋଳି ଆଚାର ଇତ୍ୟାଦି ଖାଇବାରେ ସେ ବିଲକୁଲ କୁଣ୍ଠା ବୋଧ କରେନି | ମୁସଲିମ ହେଲେ ସୁଦ୍ଧା ସେ ପୁରୀ ଜଗନ୍ନାଥ ମନ୍ଦିର ଭୋଗ, ତିରୁପତି ଲଡୁ, ପଦ୍ମନାଭସ୍ୱମୀ ମନ୍ଦିର ପ୍ରସାଦ ଆଦି ସେବନ କରି ସେ ଆନନ୍ଦ ଉପଭୋଗ କରେ |

ଆମେ କିନ୍ତୁ ତାକୁ ସବୁବେଳେ ରହସ୍ୟ କରୁ ସଂତ୍ରାସବାଦୀ ବୋଲି କହି | ଭାରତ ପାକିସ୍ତାନ କ୍ରିକେଟ ମ୍ୟାଚ ସମୟରେ ପାକିସ୍ତାନ ଜିତିଲେ ଆମେ ତାକୁ ମିଠା ମାଗୁ | ସେ ବିରକ୍ତ ହୁଏ | ସ୍ୱାଧୀନତା ଦିବସ ଦିନ ସେ ଛାତିରେ ତ୍ରିରଙ୍ଗା ମାରି ବୁଲିଲେ ଆମେ ତାକୁ ପାକିସ୍ତାନୀ ଆଉ ଦେଶଦ୍ରୋହୀ ବୋଲି କହି ମଜା କରୁ | ତା ଜନ୍ମଦିନରେ ଆମେ ତାକୁ ପାକିସ୍ତାନୀ କ୍ରିକେଟ ଟିମର ଟା-ସାର୍ଟ ଉପହାର ଦେଉ, ସେ ଅବଶ୍ୟ ବିରକ୍ତ ହୁଏ ଆଉ ଗ୍ରହଣ କରେନି | ଏ ସବୁ ପରେ ବି ସେ ଆମକୁ ବହୁତ ଭଲପାଏ | ଆମେ କିନ୍ତୁ ସବୁବେଳେ ତା ସହ ମଜାକ କରୁ |

ପୁଲୱାମାରେ ଆମର ସି.ଆର.ପି.ଏଫ ଯବାନ ମାନେ ଶହୀଦ ହେବାର ପରଦିନ ମୁ ଆଉ ଅରବିନ୍ଦ କିଛି ଅଫିସ ବୁଲି କିଛି ଫଣ୍ଡ ଯୋଗାଡ କରିବାର ଯୋଜନା କଲୁ | ମୁଁ ଅରବିନ୍ଦଙ୍କୁ କହିଲି ଯେ ଆନୱାରକୁ ଫୋନ କରିବା ସେ ଜଲଦି ଆସୁ ଏବଂ ଆମ ସହ ଯୋଗ ଦେଉ ବୋଲି | ଅରବିନ୍ଦ ହସିଲା, କହିଲା ତାକୁ କାହିଁକି ଡାକିବା, ଆରେ ଏ ଆତଙ୍କ ତାଙ୍କରି ଲୋକମାନେ କରିଛନ୍ତି, ଏ କଣ ଆସିବ ? ଚାଲ ଆମେ ଯିବା | ମୁଁ କିନ୍ତୁ ତା କଥା ନ ମାନି ଆନୱାର କୁ ଫୋନ କଲି, ତା କଣ୍ଠ ଭାରି ଭାରି ଲାଗିଲା | ମୁଁ ପଚାରିଲି କଣ ହେଇଛି ବୋଲି | କାନ୍ଦ କାନ୍ଦ ହୋଇ ସେ କହିଲା : ପୁଲୱାମା ଦୁର୍ଘଟଣାରେ ବଡ ଭାଇ ଶହୀଦ ହୋଇଗଲେ, ମୁଁ ଆଉ ଅବା ଯାଉଛୁ ଚେନ୍ନାଇ ଏୟାରପୋର୍ଟରୁ ଡେଡ଼ବଡି ଆଣିବାପାଇଁ | ମୁଁ ଆଉ କିଛି କହିପାରିଲିନି, ଚୁପ ହୋଇ ବସିଗଲି | ମୋ କଥା ଶୁଣିବା ପରେ ଅରବିନ୍ଦ ପୁରା ଅବାକ ହୋଇଗଲା |

ଆମେ ଦୁହେଁ ଏୟାରପୋର୍ଟ ଯିବାର ଯୋଜନା କଲୁ |   ଆମେ ପହଂଚିବାର କିଛି ସମୟ ପରେ ସେ ଆଉ ତା ଅବା ଆସି ପହଁଚିଲେ | ଆମ ପାଖରେ କିଛି ଭାଷା ନଥିଲା ତାକୁ ଆଶ୍ୱାସନା ଦେବାପାଇଁ କେବେ ତାକୁ ଆଲିଙ୍ଗନ କରିବା ଛଡା | 

ସମିର କୁମାର ବେଉରା , ଚେନ୍ନାଇ , ତାମିଲନାଡୁ

0 Comments