କ୍ଷୁଦ୍ରଗଳ୍ପ - ପ୍ରକୃତ ବାପା - ଇଂ ବିଦ୍ୟାଧର ପଣ୍ଡା

କ୍ଷୁଦ୍ରଗଳ୍ପ - ପ୍ରକୃତ ବାପା - ଇଂ ବିଦ୍ୟାଧର ପଣ୍ଡା


(ଚରିତ୍ର ଓ ଘଟଣା କଳ୍ପନାପ୍ରସୂତ, ଦୈବାତ କିଛି କେଉଁଠି ସାଦୃଶ୍ୟ ପରିଲକ୍ଷିତ ହେଲେ ତାହା ଆକସ୍ମିକ, ସଂଯୋଗବଶତଃ ଏବଂ ଅନିଛାକୃତ ବୋଲି ଧରିନେବାକୁ ବିନମ୍ର ଅନୁରୋଧ – ଲେଖକ)

ସୋମବାର ସକାଳେ ବହୁତ କାମଥାଏ । ଆଜି କିନ୍ତୁ ବୋହୁ ଉଠି ପାରୁନାହିଁ । ମାଆ ପୁଅ ଉପାସରେ ସଜବାଜ ହୋଇ ଯେଝା ଯେଝା କାମକୁ ବାହାରିଲେଣି । ଖଞା ଭିତରକୁ ବୁଲେଟ୍ ମୋଟର ସାଇକେଲ୍ ଷ୍ଟାର୍ଟହେବା ଶଦ୍ଦ ଶୁଣାଗଲା  । ବୋହୂ ଜାଣିଲେ, ମାଆ ପୁଅ ବାହାରିଗଲେ । ଚଢା ଗଳାରେ ଡାକ ପକେଇଲେ - ଗୋବରା ! ଗୋବରା ! ଆରେ କୁଆଡେ ହଜିଯାଉଛୁ ? ଡାକି ଡାକି ମୋ ତଂଟି ପଡିଲାଣି । ବାହାରପଟେ କଣ କରୁଛୁ ? ଗୋବରା ଦୀର୍ଘ ନିଃଶ୍ୱାସଟିଏ ନେଇ ଓହୋ ! ଏବେ ଘର ପୁରା ଖାଲି । ସାନମା ! ତୁମେ ରାଣୀ, ମୁଁ ଚାକର । ଆମ ଦୁଇ ଜଣଙ୍କ ରାଜ୍ ଚାଲିବ ସଂନ୍ଧ୍ୟା ପାଂଚଟା ଯାଏ, ମାନେ ବଡମା ଚାଟଶାଳୀରୁ ଫେରିବା ପର୍ଯ୍ୟନ୍ତ । ବକର ବକର ପଛରେ ହେବୁ,  ଆଗ ଶିକୁଳି ଲଗେଇ ଭଲରେ ଦାଣ୍ଡ କବାଟ ବନ୍ଦ କରି ଦେଇ ଆସେ । ଦଉଡି କି ଯାଉନୁ, ହଲି ହଲି କଣ ପାଇଁ ଚାଲୁଛୁ ? ଆସିଲି ସାନ ମା, ବାହାର ପଟ କବାଟ ଜଞିର ଲଗେଇ ଦେଇଛି । ଗୋଟିଏ ଡେକ୍ଚିରେ ଦୁଇ ତିନି ଗ୍ଲାସ୍ ପାଣି ଗରମ କରି, ସେ କଣମାଛିରେ ତୁଳା ଆଉ ଡେଟଲ୍ ବୋତଲଟିଏ ରଖିଛି, ତାକୁ ନେଇକି ଶୋଇବା ଘରକୁ ଜଲଦି ଆ, ମୁଁ ସବୁ କଥା କହୁଛି ।

ଗୋବରା ସାନମାକୁ ଭାରି ଭଲ ପାଏ । ସାନମା ଦେଖିବାକୁ ଯେମିତି ସୁନ୍ଦର, ତାଙ୍କର ହୃଦୟଟି ବି ସେମିତି କୋମଳ । ପୁରା ଗୋଟିଏ ଚାଉଳରେ ଗଢା । ପରିବାରରେ ସମୂଦାୟ ତିନିଜଣ । ମା, ପୁଅ ଓ ବୋହୁ । ପୁଅ ବାହାଘର ପୂର୍ବରୁ ବିଧବା ମା ଓ ପୁଅ ସେଇ ଘରେ ପ୍ରାୟ କୋଡିଏ ବର୍ଷ ହେଲା ରହି ଆସୁଥିଲେ । ମାଆଟି ପାଠୋଇ, ତେଣୁ ପ୍ରାପ୍ତ ଯୈ।ବନ ସମୟ ଅଠର ବର୍ଷ ବୟସରେ ପୁଅଟିଏ ଜନ୍ମ ହେଲା ପରେ ସ୍ୱାମୀ ଏତେ ନିଶାପାଣି ଖାଇ ମାରଧର କଲେ ଯେ, ସେ ଆଉ ସହି ପାରିଲାନି । ଶେଷରେ ସ୍ୱାମୀକୁ ଘରେ ଖାଇବା ପିଇବା ନଦେବାରୁ, ବାଧ୍ୟ ହୋଇ ସିଏ କେଉଁ ଆଡେ ଚାଲିଗଲା କେହି ଜାଣନ୍ତିନି । ନିଜର ପେଟ ଓ ଛୁଆଟିକୁ ପାଳନ କରିବା ପାଇଁ ଘରୁ ଚାରିମାଇଲ୍ ଦୂରରେ ଚାଟଶାଳୀଟିଏ ଖୋଲିିଥିଲା । ପାଠ ଦି’ଅକ୍ଷର ପଢିଥିଲା ବୋଲି ମା ପୁଅ ବଂଚିଗଲେ । ନହେଲେ ଯେମିତି ଜମିବାଡି ବୋଲି ଗୁଣ୍ଠେନାହିଁ, କଣ ଯେ କରିଥାନ୍ତା ଭାବି ହେବନି । ସେତେବେଳେ ସରକାରୀ ଦରମାଫରମା କିଛି ନାହିଁ । ପାଳିକରି ପ୍ରତିଦିନ ଦୁଇ ତିନି ଘର ପରିବା ପତ୍ର ସାଙ୍ଗକୁ ଚାଉଳ, ମାଣ୍ଡିଆ, ବିରି, ମୁଗ ଓ କୋଳଥ ଆଦି ଦେଇ ଯାଆନ୍ତି । ମାଆ ପୁଅଙ୍କର ଢେର୍ ହୁଏ । ପୁଅକୁ ଏକୋଇସି ବର୍ଷରେ ବହୁତ ସୁନ୍ଦର ଝିଅଟିଏ ଦେଖି ବାହା କଲା ସିନା କିନ୍ତୁ ତାଙ୍କର ପ୍ରେମ ଦେଖିଲେ ବୁଢି ନିଜକୁ ଏବେ ଅସୁରକ୍ଷିତ ମନେ କରୁଛି । ଭାବୁଛି ସାଇ ପଡିଶାରେ ଯେମିତି ସବୁ ଘଟୁଛି, ଯଦି ପୁଅ ମୋତେ ବୋହୂ କଥାରେ ପଡି ଛାଡି ଦିଏ ? ତେଣୁ ପୁଅ ବୋହୁ ଭିତରେ ମନୋମାଳିନ୍ୟ କରି ଝଗଡା କରଉଛି ।

ପୁଅ କଟକରେ ନୂଆନୂଆ ଚାକିରୀ ଆରମ୍ଭ କରିଛି । ସପ୍ତାହରେ ଶନିବାରେ ଆସେ ଆଉ ସୋମବାରେ ପଳାଏ । ବୁଢି ମାଷ୍ଟ୍ରେୟାଣୀ ଯେତେବେଳେ, ତା ପାଖରେ ଖାତା କଲମ ସବୁବେଳେ ଥାଏ ଆଉ ତା ହିସାବରେ ବୋହୂ ପ୍ରତ୍ୟେହ ଯାହାଯାହା ଭୁଲ୍ କରେ, ସେଗୁଡିକୁ ଟିପି ରଖେ । ଶନିବାର ରାତିରେ ପୁଅ ଘରକୁ ଆସିଲା ବେଳେ ବୁଢି ବରାଦ କରି ପୁଅ ମନ ପସନ୍ଦ ରୋଷେଇ କରାଏ । ରାତିରେ ଜଲଦି ଶୋଇବାକୁ କୁହେ । ମାଆ ତା ପୁଅକୁ ଭଲରେ ଚିହ୍ନିଛି, ସବୁ ନାଡି ମାପିକି ରଖିଛି । ଶନିବାର ରାତିଟି ପୁଅ ବୋହୁ ସାଙ୍ଗରେ ଥଟ୍ଟାମଜ୍ଜା ସହ ରତିକ୍ରୀଡା କରି ମନ ଭରିଦିଏ । ରବିବାର ସକାଳେ ପୁଅ ନଦୀକୁ ଗାଧୋଇ ଗଲାବେଳେ ମା ସେଇ ବୋହୁ ବିଷୟରେ ଲେଖି ରଖିଥିବା ସପ୍ତାହର ସମସ୍ତ ଅଭିଯୋଗ କାଗଜଟିକୁ ଦାଣ୍ଡପଟେ ଆସି ଧରାଇ ଦିଏ । ନଦୀତୁଠ ପଥର ଉପରେ ପୁଅ ବସି ସେଇ ସମସ୍ତ ଅଭିଯୋଗକୁ ପଢେ ଆଉ ସ୍ନାନ ସାରି ପୁଅ ଫେରିଲା ପରେ ମା ପୁଅ ଏକାଠି ଭୋଜନ କରନ୍ତି । ପୁଅର କଦଳୀ ପତ୍ରରେ ଖାଇବାକୁ ଭାରି ଇଛା । ଦୁଇଜଣଙ୍କର ଭୋଜନ ସରିଲା ପରେ ଗୋବରାକୁ ପତର ନେଇ ଫୋପାଡି ତା ଘରକୁ ଚାଲିଯିବାକୁ କୁହାଯାଏ । ଗୋବରରାର ବି ସେଇ ରବିବାର ସକାଳ ଏଗାରଟା ବେଳୁ ସୋମବାର ସକାଳ ସାତଟା ଯାଏ ଛୁଟି । ଘରେ ଦୁଇଟି ଶୋଇବା ଘର । ଗୋଟିଏ ମାଆର ଓ ଆଉ ଗୋଟିଏ ପୁଅର । ଦୁଇ ଜଣଯାକ ଖାଇ ନିଜନିଜ ଶୋଇବା ଘରକୁ ଯାଆନ୍ତି । ପୁଅ ଘରେ ପଶିବା ପରେ ବୋହୂକୁ ଡାକି ଭିତର ପଟ ଜଞିର ଦିଏ । ତାପରେ ଅଭିଯୋଗ ଫର୍ଦ୍ଦର ଗୋଟିଏ ଗୋଟିଏ ଭୁଲ୍ ପାଇଁ ଚମଡା ଅଂଟା ବେଲ୍ଟରେ ଦଶଦଶ ଚାବୁକ ବୋହୂ ଦେହରେ ବସେ । ବିଭାଘର ହେବାର ଛଅ ମାସ ହେଲାଣି । ପ୍ରଥମ ଦେଢ ଦୁଇ ମାସ ଠିକ୍ଠାକ୍ ଚାଲିଲା, କିନ୍ତୁ ତାପରେ ଏଇ ରିତିନୀତି ଆରମ୍ଭ ହେଇଛି । ଯଦିଓ ସବୁ ସପ୍ତାହରେ ଏମିତି ଚାଲେ କିନ୍ତୁ ଗତକାଲିର ରବିବାରରେ ଅଭିଯୋଗ ସଂଖ୍ୟା ଅଧିକ ଥିଲା । ମାଡ ସହି ନପାରି ବଡପାଟିରେ ଚିଲେଇବାରୁ ବାବୁ ଗୋଟାଏ କନା ବିଣ୍ଡୁଳା ପାଟିରେ ବାନ୍ଧି ପିଟିଲେ । ପିଠି, ଛାତି, ପିଚା ଓ ପେଟ , ସବୁଆଡେ ବେଲ୍ଟ ଓସାରର ନାଲିନାଲି ନୋଳା ଦାଗ ବସିଛି । ଗୋବରା ସକାଳୁ ଆସି ଓଳାଓଳିରେ ବ୍ୟସ୍ତ । ବୋହୂ ଅପେକ୍ଷା କରିଛି ପୁଅ ମାଆ ଘରୁ ଚାଲିଗଲେ, ଗୋବରା ହାତରେ ଗରମ ପାଣି ସେକଟିକେ ଦେଇ ଘରେ ଥିବା  ଅମୃତାଞନ ଟିକେ ଟିକେ ଲଗେଇବ । ଗୋବରା ଏସବୁ କିଛି ନଜାଣି ଭାବୁଛି ସକାଳୁ ସକାଳୁ ସାନମା କାହିଁକି ବିରକ୍ତିଆ କଥାବାର୍ତା କରୁଛନ୍ତି । ଯାହାହେଉ ଗାରୁଗାରୁ ହେଇ ସାନ ମାଆଙ୍କ ଆଜ୍ଞା ଅନୁସାରେ ଗୋବରା ଗୋଟିଏ ହାତରେ ତୁଳା ଓ ଡେଟଲ୍ ବୋତଲ ଏବଂ ଅନ୍ୟ ହାତରେ ସଣ୍ଡୁଆସିରେ ଚାପି ହୋଇ ରହିଥିବା ଗରମ ସିଲଭର ପାଣି ଡେକ୍ଚିଟି ଧରି ଶୋଇବା ଘରକୁ ପଶିଲା ବେଳକୁ ଦେଖିଲା ସାନମା ବାବୁଆଣିଙ୍କର ନଗ୍ନ ଦେହ । ଅଂଟା ଉପରକୁ କିଛି ହେଲେ ବି ବସ୍ତ୍ର ନାହିଁ  । ଫୁଙ୍ଗୁଳା ଛାତି, ଉନ୍ମୁକ୍ତ ବକ୍ଷରେ ସୁନ୍ଦର ସ୍ତନ ଯୁଗଳ, ଆଖିରେ ଆଖିଏ ଲୁହ । ଗୋବରା ବିଶ୍ୱାସ କରିପାରଲାନି ନିଜ ଆଖିକୁ, ଏରୁଣ୍ଡି ବନ୍ଧ ଡେଇଁବାକୁ ସାହସ ବାନ୍ଧି ପାରିଲାନି । ଧୀର ସ୍ୱରରେ ବାବୁୟାଣି ଭିତରକୁ ଡାକି ସେଇ ଦାଗ ଗୁଡିକୁ ଦେଖାଇଲେ, କହିଲେ ତୋ’ ଛଡା କିଏ ଅଛି କହ ? ତୁ ମୋତେ ଯେମିତି ଦେଖୁଛୁ ଦେଖ କିନ୍ତୁ ମୋ ସେବା କରିବାକୁ ପଡିବ, ମୋ କଥା ମାନିବାକୁ ପଡିବ । ଗୋବରା କ୍ଷତ ଦାଗଗୁଡା ଦେଖିଲା ପରେ ରୁଦ୍ଧକଣ୍ଠରେ କାନ୍ଦକାନ୍ଦ ହୋଇ କହିଲା ବାବୁ ଏତେ ନିର୍ଦ୍ଦୟ ବୋଲି ମୁଁ ଆଜି ଜାଣିଲି । ତୁମକୁ ସାନମା ମାରିଲା ବେଳେ ତ ବହୁତ କଷ୍ଟ ହେଇଥିବ ? କେମିତି ସହିଲ ? ଏହି ନୋଳାଦାଗକୁ ମୁଁ ଠିକ୍ କରିଦେବି ।

ପ୍ରଥମେ ପିଠି ଦାଗଗୁଡା ସବୁ ସେକ ଦେଇ ସାରିଲା ପରେ ଯେତେବେଳେ ବକ୍ଷପଟ ସାନମା ବୁଲାଇଦେଲେ ଗୋବରା ହୃଦୟରେ ବାବୁୟାଣି ପ୍ରତି କାମଭାବ ଜାଗ୍ରତ ହେଲା । ଗୋବରା ବୟସ ଚାଳିସି ଉପରେ, ବିବାହିତ ଓ ତିନୋଟି ଛୁଆ । ଗୋଟିଏ ବସ୍ତ୍ରହୀନ ସୁନ୍ଦର ତରୁଣୀ ଏକାନ୍ତରେ ଦେଖିଲେ ଏଇ ବୟସରେ କିଏ କଣ ସମ୍ଭାଳିପାରେ ? ତଥାପି ଗୋବରା ଜଗିଛି, ଏପର୍ଯ୍ୟନ୍ତ କିଛି ବି ବାଚଳାମି କରିନି । ସାନମା ଚାହିଁଲେଣି, ତଥାପି ଗୋବରା ଡରୁଛି । ବାବୁୟାଣୀ କ୍ଷତକଷ୍ଟରେ ଦ୍ରବିଭୁତ ହୋଇ ଆଖିକୋଣ ଦୁଇଟିକୁ ଜକେଇଦେଇ ମୁଣ୍ଡଟିକୁ ନେଇ ସାନମା ମୁଣ୍ଡରେ ଢୋ’ କରି ବାଡେଇଦେଇ ସେଓପରି ଦୁଇପଟ ବର୍ତୁଳ ପୁରିଲାପୁରିଲା ଗାଲକୁ ଆଉଁସି ବାକୁ ଲାଗିଲା । ବାବୁୟାଣୀ ବୁଝିଗଲେ, ଆଖିଦୁଇଟିକୁ ବୁଜିଦେଇ ପୂର୍ଣ୍ଣ ସହମତିର ସଂକେତ ଦେଲେ, କିନ୍ତୁ ଏବେ ତ ନିଜର ବସିବା ଶୋଇବା ପାଇଁ କ୍ଷମତା ନାହିଁ, ଗୋବରା ପ୍ରେମ ଅଭିଳାସା ପୂରଣ କରିବା କଥା ମନରେ ଆଣିଲେ କି ଲାଭ? ଗୋବରା ବି ସ୍ୱାର୍ଥପର ନୁହେଁ, ସିଏ ସାନମା ଅନ୍ତର ବୁଝି ପାରିଲା । ଖାଲି ବକ୍ଷସ୍ଥଳର ଭଲ ଜାଗାରେ ଧିରେଧିରେ ଟିପ ମାରି ନିଜର ଗରମ ପାଣି ସେକ କାମରେ ଲାଗିଗଲା । ସେତେବେଳକୁ ଗୋବରା ଓ ସାନମା ଆତ୍ମା ମିଶି ସାରିଥାଏ । ଏବେ ଆଉ ଲାଜ ସରମର ସ୍ଥାନ କେଉଁଠି ? ଛାତି ପିଠି ସରିଲା ପରେ ଗୋବରା କହିଲା ସାନମା ମୁଁ ଯିବି, ମୋତେ ଓଷଧ ପଇସା ଦିଅ । ଏମିତି କହି ସାନମା ମୁହଁକୁ ଚାହିଁଲା ବେଳକୁ ଧାରଧାର ଲୁହ ଗଢୁଛି । ଗୋବରା କାନ୍ଧରେ ହାତରଖି କହିଲା ସାନମା ! ଭାବିଲେ କି ଲାଭ ? କାନ୍ଦିଲେ କଣ ତୁମ କଷ୍ଟ କିଏ ନେଇଯିବ ? ନାଇଁ, ଗୋବରା, ତୁ ଏପର୍ଯ୍ୟନ୍ତ ମାଡରେ ଫାଟିଥିବା ପିଚା ଦେଖିନୁ । ଆଉଟିକେ ପାଣି ଗରମ କରି ଆଣ୍ । ମୁଁ ଲୁଗା ଶାୟା ଖୋଲୁଛି, ତୁ ଦେଖିବୁ । ଏକଥା ଶୁଣି ଗୋବରା ତୁରନ୍ତ ବାବୁୟାଣୀଙ୍କୁ ମୁହଁମାଡି ଶୁଆଇଦେଇ ପଛପଟ ଲୁଗା ଟେକି ଦେଖିଲା, ପ୍ରାୟେ କୋଡିଏ ପଚିଶ ଧାଡି ଚମ ଛିଡି ବେଲ୍ଟ ଚଉଡାର ରକ୍ତାକ୍ତ କ୍ଷତ ଦିଶୁଛି । ଗୋବରା ଆଖିରୁ ଲୁହ ବାହାରି ଗଲା । ଏତେ ନୃଶଂସ । ସାନମାକୁ କହିଲା ଏମିତି ଖୋଲାରଖି ଶୁଅ, ଟିକେ ପବନ ବାଜୁ । ବାବୁ ପୁରା ଗୋରୁଗାଇଙ୍କୁ ପିଟିଲା ଭଳି ମାରିଛନ୍ତି, ତାଙ୍କର ମଙ୍ଗଳ ହେବନି । ମୁଁ ସାଙ୍ଗେସାଙ୍ଗେ ପାଣି ଗରମ କରି ଆସୁଛି । ଗୋବରା କ୍ଷତଗୁଡିକର ଦାୟୀତ୍ୱ ନେଇ ଚାରିଦିନ ଭିତରେ ବାବୁୟାଣୀଙ୍କୁ ଫିଟ୍ କରିଦେଲା ଆଉ ପଂଚମଦିନ ଶୁକ୍ରବାର ତିଥିରେ ଶାଶୁ ଚାଟଶାଳିରେ ଥିବାବେଳେ ଦ୍ୱି’ପ୍ରହର ସମୟରେ ବାବୁୟାଣୀ ଓ ଗୋବରା ଆରମ୍ଭ କଲେ ସେଇ ଚିରାଚରିତ ନାରୀପୁରୁଷର ଆଦିମ ପ୍ରକୃତି ଖେଳ । ପ୍ରଥମ ଥର ପାଇଁ ସାନମା ତାଙ୍କ ଜୀବନର କାମତୃପ୍ତି ଗୋବରା ଠାରୁ ପାଇଲେ ଏବଂ ସେହିଦିନ ପରେ ଯେତେବେଳେ ସୁଯୋଗ ପାଇଲେ ସେତେବେଳେ ମିଳାମିଶା ହେବାକୁ ଲାଗିଲା ।

ଏବେ ବାବୁ ହେଲେ ବଡବାବୁ ,ଖାଲି ନାଁ କୁ ସ୍ୱାମୀ ମାତ୍ର ବାବୁୟାଣୀଙ୍କ ମନର ସାଥୀ ଓ ପ୍ରେମିକ ହେଲେ ଗୋବରା । ଏକଥ।। ସାଇ ପଡିଶା, ବନ୍ଧୁବାନ୍ଧବ ଓ ଜ୍ଞାତିକୁଟୁମ୍ବ କେହି ବି ଶେଷ ପର୍ଯ୍ୟନ୍ତ ଜାଣି ପାରିଲେନି । ଫଳାଫଳ ସ୍ୱରୁପ ଜନ୍ମନେଲେ ଦୁଇଟି ପୁଅ ଏବଂ ଗୋଟିଏ ଝିଅ । ତିନିକୁ ତିନିହେଁ ବାଡଡିଆଁ କଳୁଷିତ ଆତ୍ମା । ବଡପୁଅ ତ’ ଦଶମ ଶ୍ରେଣୀରେ ମଦ, ଗଞେଇ, ପାନ ଓ ବିଡି ଆଦି ସବୁ ନିଶାରେ ପାସ୍ ଖାଲି ପାଠରେ ଫେଲ୍ । ଝିଅ ବାର ବର୍ଷରେ ଗୃହଯାଗ୍ୟା ହୋଇ ଚଉଦ ବର୍ଷରେ ପ୍ରଥମ ପାପ ଗର୍ଭ ଧାରଣ କରିଥିଲା । ବଡଲୋକଙ୍କର ବହୁ ଡାକ୍ତର ଚିହ୍ନା, କାନକୁ କାନ ଖବର ହୁଏନି । ତା’ ପରେପରେ ଭଲ ପାଇ ବାହା ହେବା ପୂର୍ବରୁ ଝିଅଟି ପାଂଚ କି ଛଅଥର ଭଙ୍ଗେଇଛି । ବାବୁୟାଣୀ କଥା ଯଦି ସତ ହୋଇଥାଏ ତେବେ ବାବୁଙ୍କ ସହ ମିଶିବାରୁ ଝିଅର ଦୁଇଥର ଗର୍ଭ ରହି ଯାଇଥିଲା । ହେବନି ବା କେମିତି, ସବୁ ପିଲାଛୁଆତ ଗୋବରାର ନା । ସାନପୁଅର ଚେହେରା, ଆଖି ଓ ଚୁଟି ପୁରା ଗୋବରା ସାଙ୍ଗରେ ମେଳ ଖାଉଛି । କିନ୍ତୁ ଏପର୍ଯ୍ୟନ୍ତ ସବୁ ଗୋପନୀୟ, ଚଢେଇ ଛୁଆଟିଏ ବି ଜାଣି ନାହାନ୍ତି । ସବୁଦିନେ ନାହିଁ ଚାନ୍ଦିନି ରାତି, ସବୁଦିନେ ନାହିଁ ଭାବ ପିରତି । ସାନମା ଓ ଗୋବରା ପ୍ରେମ ଥିଲା ସାତ୍ୱିକ ଓ ପରିପୂରକ । କେହି କାହାକୁ ଅସମ୍ମାନ କରନ୍ତିନି କି ଗୋବରା ସାନମାକୁ ସମ୍ଭୋଗ କରୁଛି ବୋଲି କେବେ ସେମିତି ବ୍ୟବହାର କରିନି । ସୁଖଶାନ୍ତିର ପରିବାର ଧିରେ ଧିରେ ବଢିଲା, ପିଲାମାନେ ବଡ ହେଲେ । ଶାଶୁବୁଢିର ଗୋଡହାତ ବଳ କମିଲା, ବୋହୂକୁ ଆଶ୍ରା କଲା । ରବିବାର ଅପରାହ୍ନ ବାବୁଙ୍କର ବେଲ୍ଟ ବାଡିଆ ନୋଳାଫଟା କାର୍ଯ୍ୟକ୍ରମ ବନ୍ଦ ହେବାକୁ ଲାଗିଲା । ସବୁକିଛି ବ୍ୟବସ୍ଥିତ ହେଲା ବେଳକୁ ଗୋବରା ଅଚିହ୍ନା ରୋଗରେ ପଡିଲା । କିଛିଦିନ ଯାଇ ବଡ ଡାକ୍ତରଖାନାରେ ରହିଲା, ତାପରେ ତାଙ୍କର ଘରକୁ ଫେରେଇ ଦେଲେ । ଜୀବନରେ ଆଶା ନାହିଁ, ଦୁଇମାସ ଭିତର କଥା । ଦେଖୁଦେଖୁ ଛମାସ ଗଲା, ସେମିତି ପଡିପଡି କଷ୍ଟ ପାଉଥାଏ । ରାତିଅଧରେ ଏମିତି ଚିଲଉଥାଏ ଯେ ପୁରା ସାଇଲୋକ ତା ଘରେ ଜମା ହେଇ ଯାଉଥାନ୍ତି । ଘରଲୋକ ବି ବିରକ୍ତ ହୋଇ ଗୋଟାଏ ଗାଇ ଦାନ ଦେଲେ । କିଏ କହିଲା ତା ଓଜନର ଧାନ ଗୋଟିଏ ନିଚ୍ଚଜାତି ପରିବାରକୁ ଦାନଦେଇ ତା ଗୋଡଧୁଆ ପାଣି ପିଆଅ । ସେ କାମ ବି ସରିଲାଣି, ତଥାପି ଗୋବରା ପ୍ରାଣ ଯାଉନି । ଏବେ ଖାଲି କହୁଛି ଗିଲାସ ଆଣ ପରିଶ୍ରା କରିବି ଆଉ ତସଲା ଆନ ଝାଡା ଯିବି । ଘର ଦୁଆର ଗନେ୍ଧଇ ଗଲାଣି । ପରିବାର ଲୋକେ ଦରମରା ହେଇସାରିଲେଣି । ପଡିଶାର ଗୋଟିଏ ବୁଢି, ଗୋବରାର ଭାଉଜ ହିସାବ ହେବେ । ଦିନେ କଣ ଭାବିଲା କେଜାଣି, ଗୋବରା ସ୍ତ୍ରୀ କୁ ଡାକି ଗୋବରା ଶେଯ ପାଖରେ ବସିଲା । ପାଖପଡୋଶଙ୍କୁ ସବୁ ବିଦା କରି ଗୋବରା କାନରେ କହିଲା – କାହିଁକି ଏତେ ଦହଗଞ କରଉଛୁ? ତୁ ନିଜେ ବି ସଢୁଛୁ, ସମସ୍ତିଙ୍କି ହଇରାଣ କରୁଛୁ । ଯଦି କିଛି ପାପ କରିଛୁ କହିଦେ ମୁକ୍ତି ପାଇଯିବୁ ।

ଏତିକି ଶୁଣିଲା ପରେ ଗୋବରାର ହେତୁ ଅସିଲା, ନିଜ ହାତ ଟେକିଲା । ଦୁଇଜଣଙ୍କ ମୁଣ୍ଢ ଆଉଜେଇ କାନକୁ ତା ପାଟିରେ ଲଗେଇ କହିଲା  “ମୁଁ ସାନମା ଠାରୁ ଯେଉଁ ସ୍ନେହଁ ଶ୍ରଦ୍ଧା ପାଇଛି ତାହା ବାବୁ ବି ପାଇ ନାହାନ୍ତି । ତିନୋଟିଯାକ ପିଲାର ବାପା ମୁଁ ନିଜେ । ବାବୁୟାଣୀ ମୋତେ ବହୁତ ଭଲ.. ଲ..ଲ .. ଏତିକିରେ ଆଖି ଡିମାଡିମା କରି ନିଃଶ୍ୱାସ ବନ୍ଦ ହୋଇଗଲା, ସେଇ ଆଖିବାଟେ ପ୍ରାଣବାୟୁ ଉଡିଗଲା । କାନ୍ଦ ବୋବାଳି ଭିତରେ ଏ କଥା ସେଇଦିନ ପାଇଁ ହଜିଗଲା, କିନ୍ତୁ କେଇଟା ଦିନ  ଭିତରେ ପଂଚାୟତ ସାରା ରାଷ୍ଟ୍ର ହେଇଗଲା । ବାବୁଙ୍କୁ ଷାଠିଏ କୁ ବାବୁୟାଣୀଙ୍କୁ ପଂଚାବନ । ଦିହେଁ ବୁଢାବୁଢୀ । ଏକଥା ପ୍ରଘଟ ହେଲା ପରେ ଦି’ଜଣଙ୍କ ଆତ୍ମା ଅଲଗା ହୋଇଗଲା । ଆଉ ଅଂଟା ଚମଡା ବେଲ୍ଟରେ ମାରିବା ଅଧିକାର କି ସାହସ ବାବୁର ନାହିଁ । ସବୁ ସତ କଥା ଶୁଣିବା ପରେ ଛୁଆଗୁଡା ମାଆ ପଟ ନେଲେ । ଝିଅ କହିଲା ମୁଁ ବି ମାଆ ଜାଗାରେ ଥିଲେ ମା ଯାହା କଲା ମୁଁ ବି ସେଇଆ କରିଥାନ୍ତି । ନିଜ ସ୍ତ୍ରୀକୁ ଯିଏ ନୃଶଂସ ଭଳି ଚାବୁକ୍ ମାରେ ସିଏ କେମିତି ତାକୁ ଭଲପାଇବ? ତାର ପିଲାର ମାଆ ହେବ? ସେଦିନ ବାବୁୟାଣୀ ଗୋଟିଏ ଜ୍ୱଳାମୁଖୀ ହୋଇ ନିଜର ଅତୀତକୁ ବଖାଣିଲେ, ଆଉ କେଉଁ ପରିସ୍ଥିତିରେ ଗୋବରା ମୋ ହୃଦୟକୁ ପଶି ଆସି ବାବୁଙ୍କୁ ବାହାର କରିଦେଲା, ତାହା ବାବୁଙ୍କ ଉପସ୍ଥିତିରେ ସମସ୍ତଙ୍କୁ ବୁଝାଇ ଦେଲେ । ସମସ୍ତେ ନିସ୍ତବ୍ଧ ହତବାକ୍ୟ ହୋଇ ମାଆ କଥା ଶୁଣି ଯେଝା ବାଟରେ ଚାଲିଗଲେ, କିନ୍ତୁ ବାବୁ ଶେଷ ନିଃଶ୍ୱାସ ତ୍ୟାଗ କଲା ଯାଏ ଆଉ ବାବୁୟାଣୀ ହାତରୁ ପାଣି ଛୁଇଁଲେନି କିକଥା ହେଲେନି । ପିଲାଗୁଡା ଅଯୋଗ୍ୟ, ବାଳୁଙ୍ଗା ଆଉ ସ୍ତ୍ରୀ ଦୋଚାରୁଣୀ । ଏସବୁ ମାନସିକ ଚିନ୍ତାରେ ସବୁ ରୋଗ ମାଡି ଆସିବାରୁ ଅଳ୍ପ ଦିନରେ ବାବୁ ଚାଲିଗଲେ, କିନ୍ତୁ ବାବୁୟାଣୀ ବଂଚିଲେ ଏକ ଜୀବନ୍ତ ଜ୍ୱଳାମୂଖୀ ରୁପରେ । ଯାହା କରିଛନ୍ତି କିଛି ଭୁଲ କରି ନାହାନ୍ତି । ଯୌବନବେଳେ ସ୍ୱାମୀ ପ୍ରେମ ବଦଳରେ ଛାଟ, ଶାଶୁ ସ୍ନେହଁ ବଦଳରେ ଭଗାରି ପରି ଯନ୍ତ୍ରଣା କାହିଁକି ଦେଲେ ? ସଂସାରରେ ଯିଏ ଭଲ ପାଇଲା ସିଏ ହେଲା ମୋ’ ପିଲାର ବାପା ହେଲା । ପ୍ରେମ ବଦଳରେ ପ୍ରେମ ହିଁ ମିଳେ । ସ୍ୱାମୀ ଚାବୁକ ବଦଳରେ ମୁଁ କେମିତି ସମର୍ଥ ହୋଇଥାନ୍ତି ଶ୍ରଦ୍ଧା ସହ ଆଲିଙ୍ଗନ କରି ମନପ୍ରାଣ ଅର୍ପଣ କରିବାକୁ ? ମୋର ଏଥିରେ ସଂକୋଚ ନାହିଁ କି ପଶ୍ଚାତାପ ବି ନାହିଁ । ମୋର ତିନୋଟି ସନ୍ତାନ ଏବଂ ସମସ୍ତଙ୍କର ଗୋବରା ହେଲା ପ୍ରକୃତ ବାପା । 

ଇଂ ବିଦ୍ୟାଧର ପଣ୍ଡା,
ଖ- ୧୭/୧୫, ପଂଚଶଖା ନଗର, ଡୁମୁଡୁମା,
ଖଣ୍ଡଗିରି, ଭୁବନେଶ୍ୱର-୭୫୧୦୧ ମୋ- ୯୪୩୯୧୨୮୦୫୦

0 Comments