କ୍ଷୁଦ୍ରଗଳ୍ପ - ପ୍ରଫୁଲ୍ଲ ଭାଇ ଜିନ୍ଦାବାଦ୍ - ନାରାୟଣ ଚନ୍ଦ୍ର ସେନାପତି


ରାମ୍ ରାମ୍ ଭାଇ।କି ଚହଳ ହୋ।କି ଦିନ କି ରାତି ଖାଲି ଜିନ୍ଦାବାଦ୍, ମୂର୍ଦ୍ଦାବାଦ୍।କେଉଁଟି ହାତ ଚିହ୍ନ ଜିନ୍ଦାବାଦ୍,କେଉଁଟି ଶଙ୍ଖ ଚିହ୍ନ ଜିନ୍ଦାବାଦ୍ ତ କିଏ ରଡି ଛାଡି କହୁଛି  ପଦ୍ମଫୁଲ ଜିନ୍ଦାବାଦ୍।କିଏ ଅରଟ, କିଏ ବହି, କିଏ ଛତା. ଜୋତା..ଏମିତି କେତେ ଜିନ୍ଦାବାଦ୍।କଥାରେ...ତେଜରେ.  ଢଙ୍ଗ ଢାଙ୍ଗୀରେ ପୁରା ଚକାଚକ୍ କାଚମାର୍କା ।ମନ କହୁଥିଲା ଏମିତି ଗର୍ଜ୍ଜନ ଥିଲେ ସେ ଦଲାଲ ଇଂରେଜ ଗୁଡାକ ସେଦିନ ଛେଳି ପରି ଦଉଡି ପଳାଇଯାଇଥାନ୍ତେ।ପୁଣି କିଏ କହୁଛି ଆମକୁ ଭୋଟ ଦେଲେ ତମକୁ ଭାକିରୀ ଦେବୁ,କିଏ କହୁଛି ଘର କରିଦେବୁ,କିଏ ବି ଅପାଳକ ରାଇଜରେ ବିଜୁଳି ଲକ୍ଷେ ଟଙ୍କା ପରି କି ଅଲଣା କଥା ଗୁଡ଼ାକ କହୁଥାନ୍ତି।କି ଧବ ଧାଉଳିଆ ଚିତ୍ରାଳୟରୁ ଭଡା ଆଣିଲା ପରି ପୋଷାକ ପିନ୍ଧି କିଏ ଇନ୍ଦ୍ର ମହଲର ଯାତ୍ରା କଳାକାର ପରି ଷ୍ଟାଇଲରେ ଅନୁରୋଧ କରୁଛି ତ କିଏ କୋଣାର୍କ ଅପେରା କଳାକାର ପରି ନିଖୁଣ ଭାବେ ଅଭିନୟର ଡାହା ମିଛ ପ୍ରତିଶ୍ରୁତି ଦେଉଥାନ୍ତି।କେତେ ପ୍ରକାରର ଜୁହାର ହୋ । ମନରେ ଆସେ ପ୍ରଶ୍ନ: ଏଇ ନିର୍ବାଚନ ସରିଯିବ, କିଏ ଜିତି ନେତା ହୋଇଯିବ, ଏମ୍. ଏଲ. ଏ..ତ କିଏ ଏମ୍. ପି.,ପୁଣି କିଏ ପାଇବ ମନ୍ତ୍ରୀପଦ।ମାତ୍ର ତା ପରେ କାଶିଆ କିଏ ନା କପିଳା କିଏ? କାହାର କେବଳ ଫଟୋ ଖଵରକାଗଜରେ ମଣିଷ ଦେଖିବ ତ ଯଦି କିଏ ଆସିବ ନୂଆ ରଙ୍ଗରେ ନୂଆ ରୂପରେ।ପୁଣି ନିର୍ବାଚନ ପୂର୍ବରୁ ମା",ମାଉସୀ,ଭାଇ,ଭଉଣୀ..ଡାକ ଆଉ ଶୁଭିବନି... କି ଯିଏ କାନ୍ଧରେ ହାତ ପକେଇ ଭୋଟ୍ ମାଗୁଥିଲା,ଖଇନି, ପାନ,ବିଡି,ସିଗାରେଟ କି ପଖାଳ ମାଗି ଖାଉଥିଲା ସେ ଦରକାର କରିବ ଜୁହାର, ଖୋସାମତ, କାକୁତିମିନଟି, ଲାଞ୍ଚ, ବଟି, ପିସି...ଏଇମିତି କେତେ କଥା। ଏଇମିତି କଂଗ୍ରେସ,ବିଜେଡି,ବିଜେପି,ସ୍ୱାଧୀନ ଦଳର ପ୍ରଚାର ଗାଡି,ମାଇକ୍,ପତାକା,ବ୍ୟାନର ସାଙ୍ଗକୁ ଏକ ଅଷ୍ଟାଶ୍ଚର୍ଯ୍ୟ ଦେଖିବାକୁ ମିଳିଥିଲା,ଜଣେ ଦିଵ୍ୟାଙ୍ଗ, ମାନେ ଏଇ ଅନ୍ଧ ପ୍ରଫୁଲ୍ଲର ପ୍ରଚାର।ବାପ୍ ରେ ବାପ୍।ଗୋଟେ ଭଙ୍ଗା ଟ୍ରଲି ଉପରେ ବସି ହାରମାନୀ ଧରି କି ମଧୁର ସ୍ୱରର ଗୀତ।  ବାସ୍ତବରେ ଶୁଣିଲେ ଘଡ଼ିଏ ଅଟକିଯିବ। କିଏ କିଏ ବି କହୁଥାଆନ୍ତି ଆରେ ଭାଇ ଇଏ କୋଉ ଦଳର?କିଏ କି କୁହନ୍ତି ଏଟା ଶଳା ପାଗଳ ଟା ବେ। କେହି କେହି ଥଟ୍ଟା କରି କୁହନ୍ତି, କ'ଣ ପ୍ରଫୁଲ୍ଲ ଭାଇ- ପ୍ରଚାର କେମିତି ଚାଲିଛି?କିଏ ବି କୁହେ; କିରେ ପ୍ରଫୁଲ୍ଲ ତୋର କୋଉ ପାର୍ଟିରେ ?ପ୍ରଫୁଲ୍ଲର ମୁହଁ କୁ ଚାହିଁଲେ ଲାଗେ ଅନେକ ଅସମାହିତ ପ୍ରଶ୍ନର ଉପନ୍ୟାସ ତା ହୃଦୟରେ ଲେଖା।ମନରେ ବିପ୍ଳବର ପ୍ରଶ୍ନ ଆସିଲା ସତରେ ଏ ପ୍ରଫୁଲ୍ଲ କଣ ପାଗଳ?ନାଁ ପାଗଳ କ'ଣ ଏତେ ସୁନ୍ଦର ଲାଳିତ୍ୟ ଗୀତ ଗାଇପାରିବ, ଏତେ ଭାବ ଦେଇପାରିବ?ତେବେ ସେ ତ କେଉଁ ପାର୍ଟିର ପ୍ରଚାର କରୁନାହିଁ,ତେବେ...।ତା ଗୀତ ର ଅର୍ଥ କହୁଛି କାହାଠୁ ଲାଞ୍ଚ ଖାଇ ଭୋଟ୍ ଦିଅନା,ନିଜ ମନ ବିବେକ ଯାହାକୁ କହୁଛି ତାକୁ ଦିଅ,ଲୁଗା ପଟା ପାଇ, ମଦ ମାଂସ ଖାଇ ଖରାପ ଲୋକକୁ ଭୋଟ୍ ଦିଅନା,ଭଲ ଲୋକକୁ ଦେଇ ଭାରତମାତାର ସମ୍ମାନ ବଢାଅ,ପୁଣି ଗୋଲାମୀ ସାଜି ଇଂରେଜ ଶାସନକୁ ଡାକିଆଣନା।ତେବେ, ତାର ଯାଏ ଆସେ କେତେ।ନାଁ ଏହା ଭିତରେ କିଛି ଗୂଢ ରହସ୍ୟ ଥିବ ସନ୍ଦେହ କରି, ଭାବି ଘରକୁ ଗଲା ବିପ୍ଳବ।

ଘରେ ବିପ୍ଳବର ମନ ମାନୁ ନ ଥିଲା।କୌତୁହଳ ତାକୁ ଉଠ ବସ କରୁଥାଏ।ତା ମନ, ବିବେକ ଓ ଆତ୍ମା କହୁଥାଏ ଏ ପ୍ରଫୁଲ୍ଲର ଉଦ୍ଦେଶ୍ୟ କ'ଣ ।ତା ମନ ଅସମ୍ଭାଳ ହେଲା। ସେ ଭାବିଲା ପ୍ରଫୁଲ୍ଲ ଘରକୁ ଯାଇ ତାକୁ ପଚାରି ସବୁ ବୁଝି ଜାଣିବ।ଉତ୍କଣ୍ଠାର ଗଜା ଗୁଡାକ ସତେ ଯେମିତି ଚାହିଁଥିଲା ସକାଳ ସବିତାର ସୁନେଲି କିରଣର କଅଁଳ ଛୁଆଁ।ସନ୍ଧ୍ୟାର ଶୀତଳ ଛୁଆଁକୁ ପରଶ ମୁଣାରେ ଧରି ଚାଲିଲା ଚାଲିଲା ପଚାରି ପଚାରି ଗାଁ ମୁଣ୍ଡ ଶେଷରେ ଥିବା  ପ୍ରଫୁଲ୍ଲ ଘରକୁ।ଘର ନିକଟରେ ଛିଡ଼ାହୋଇ ଶୁଣିଲା ଏକ କରୁଣ କ୍ରନ୍ଦନ।କବାଟକୁ ଠକ୍ ଠକ୍ କଲା । କିଛି ସମୟ ପରେ ପ୍ରଫୁଲ୍ଲ ଆସିଲେ ତାଙ୍କ ଚିର ସହାୟକ ରିକ୍ସାରେ।ସନ୍ତର୍ପଣରେ ଆଖିରୁ ଲୁହ ଗୁଡାକୁ ପୋଛି ଦେଇ ସ୍ୱାଭାବିକ  ଭାବେ ଅଭିବାଦନ ଜଣାଇ ଡାକି ନେଲା ଘରକୁ।
 ଆପଣ କାନ୍ଦୁଛନ୍ତି ! ବିପ୍ଳବ ପଚାରିଲା।
 ନାଁ ବାବୁ ଆଖିରେ ଧୂଳି ଟିକେ ପଡିଗଲା ତ।
ବିପ୍ଳବ ସବୁ କିଛି ଜାଣିପାରିଲା,ଅନ୍ଧ...ଆଖିରେ ପୁଣି ଧୂଳି !ହେଲେ ଦିବ୍ୟାଙ୍ଗ ପ୍ରଫୁଲ୍ଲ ମନରେ ଛପି ରହିଥିବା ଅବ୍ୟକ୍ତ କାହାଣୀ ଶୁଣିବାକୁ ତା"ର ଉତ୍କଣ୍ଠା ବଢ଼ିଲା।ସେ ପଚାରିଲା,ପ୍ରଫୁଲ୍ଲ ଭାଇ, ଆପଣତ କୌଣସି ଦଳର ନୁହଁନ୍ତି, ମାତ୍ର ବୁଲି ବୁଲି ଗୀତ ଗାଇ ଏସବୁ କାହିଁକି ପ୍ରଚାର କରୁଛନ୍ତି !କିଛି ଆପତ୍ତି ନ ଥିଲେ ଜାଣିପାରେକି?

ଦେଶ ବହୁତ ତଳକୁ ଖସି ଗଲାଣି ଆଜ୍ଞା, ଯେଉଁ ନେତା ମନ୍ତ୍ରୀ ଶାସନ କଲେ ବାହାଦୂରି ଦେଖାଇ ଦେଶକୁ ଋଣଭାରରେ ବୁଡାଇ ଦେଲେଣି।ଦେଶ ତ ବିକ୍ରିହେବା ଉପରେ।ତ୍ୟାଗ ନାହିଁ ନିଷ୍ଠା ବି  ନାହିଁ ଦେଶପ୍ରେମ ବି ଖୋଜିଲେ ମିଳୁନି। ଆମେ ଯଦି ସଜାଗ ନ  ହେବା ତେବେ ପୁଣି ପରାଧୀନ ଭାରତ କୁ ଫେରି ଯିବା ଯେ ?ପ୍ରଫୁଲ୍ଲ ଉତ୍ତର ଦେଇଥିଲା। ହେଲେ  ଆପଣ ମୋତେ କିଛି ଲୁଚାଉଛନ୍ତି..ଏ ମହତ ଉଦ୍ଦେଶ୍ୟ ପଛରେ ମୋତେ ଲାଗୁଛି କିଛି ବିଚିତ୍ର କାହାଣୀ ଲୁଚି ରହିଛି,ଯଦି ମୋତେ ଆପଣାର ମନେ କରନ୍ତି କହିଲେ ମୁଁ ସହଭାଗୀ ହୁଅନ୍ତି।ମୁଁ ଜଣେ ସମାଜସେବୀ ସଂଗଠକ,କୌଣସି ନେତା ନୁହଁ,ଆପଣଙ୍କ ଗାଁରେ ବାସ କରୁଥିବା ଦରଦୀ ମଣିଷଟିଏ। ବିପ୍ଳବ ସହୃଦୟେ ବିନତି ଜଣାଇଲା। ହଉ ବାବୁ କହୁଛ ଯଦି ବର୍ଷ ବର୍ଷ ଧରି ଲୁଚାଇ ରଖିଥିବା ଅକୁହା କଥାକୁ କହୁଛି।ଏହା କହି କାନ୍ଥରେ ଟଙ୍ଗା ହୋଇଥିବା ଫଟୋ କୁ ଦେଖିବାକୁ କହିଲା।ଏକ ସୁନ୍ଦରୀ ତରୁଣୀର ଫଟୋ,ଏକ ମନଲୋଭା ଦମ୍ପତିଙ୍କ ଫଟୋ ଓ ଏକ ଦିବ୍ୟ ସୁନ୍ଦର ଯୁବକର ଫଟୋଚ୍ଚିତ୍ର।ବାବୁ ଏ ମୋ ସ୍ତ୍ରୀ,ଆମ ବିବାହ ଫଟୋ ଓ ଅନ୍ୟଟି ମୋ ଯୁବକ ଅବସ୍ଥାର ଫଟୋ।ଫଟୋ ଓ ଏବେର ପ୍ରଫୁଲ୍ଲ କୁ ବାରମ୍ବାର ଦେଖୁଥାଏ ବିପ୍ଳବ,ମେଳ କରୁଥାଏ ସଦ୍ୟ ଅତ୍ୟାଧୁନିକ କମ୍ପ୍ୟୁଟର ପରି। କି ଆକାଶ ପାତାଳ ଫରକ!

ମୋର ଥିଲା ଏକ ଛୋଟିଆ ସଂସାର ଆଜ୍ଞା।ସେତେବେଳର ପ୍ରଖ୍ୟାତ ସାମ୍ବାଦିକ ପ୍ରଫୁଲ୍ଲ ମହାପାତ୍ର ଥିଲି ମୁଁ । ଅସାମାଜିକ, ଅସଭ୍ୟ, ଦୁର୍ନୀତିଗ୍ରସ୍ତ ବ୍ୟକ୍ତିଙ୍କର ମୁଁ ଥିଲି କାଳଗ୍ରହ।ନିଷ୍କଳଙ୍କ ସମାଜ ଗଠନ ଥିଲା ମୋ ଲକ୍ଷ୍ୟ।ନିଜ ଜୀବନକୁ କେବେ ହିଁ ସାରୁପତ୍ରରେ ବାନ୍ଧି ରଖି ଘର କୋଣରେ ଲୁଚି ରହିବାକୁ ପସନ୍ଦ କରିନଥିଲି।ସେ ସମୟରେ ଥିଲେ ଜଣେ ମନ୍ତ୍ରୀ ମାନବେନ୍ଦ୍ର ପଟ୍ଟନାୟକ ଯେ କି ପ୍ରସିଦ୍ଧ କାଠ ମାଫିଆ,ଅଫିମ ଓ ବ୍ରାଉନ ସୁଗାର ଚାଲାଣ ବେପାରୀ ।ସେତେବେଳେ ସେ ଥିଲେ କଂଗ୍ରେସ ଦଳର ଟାଣୁଆ ନେତା ଓ ତାଙ୍କ ଦଳ ସରକାରରେ ରହି ଶାସନ କରୁଥାଏ।ଖାଲି ସେତିକି ନୁହଁ ଅନେକ ସରଳା ନିରୀହା ଝିଅଙ୍କର ଇଜ୍ଜତ ନେଇ ଓ କେତେକଙ୍କୁ ବେଶ୍ୟାବୃତ୍ତି ପାଇଁ ଚାଲାଣ କରିଥାନ୍ତି ସେ ବିଦେଶକୁ।ଦିନକର କଥା,ତାଙ୍କ ଆଡ୍ଡା ସ୍ଥଳୀରେ ଚାଲିଥିଲା ବ୍ରାଉନ ସୁଗାର ବୋଝେଇ ଓ ଗୋଟେପଟେ ଏକ ଅବଳାକୁ ଧର୍ଷଣ,ଶୁଭୁଥିଲା ହତଭାଗିନୀର କରୁଣ ଚିତ୍କାର।ସେହି ବାଟ ଦେଇ ଗଲାବେଳେ ଶୁଣିଲି ସେ ଚିତ୍କାର, ଫାଟିଯାଉଥିଲା ମୋ ଅସମ୍ଭାଳ ହୃଦୟଟା।ଲୁଚି ଲୁଚି ଉଠାଇ ଆଣିଲି ଫଟୋ।ମାତ୍ର ସୁରାକ ପାଇ ମନ୍ତ୍ରୀର ଅନୁଗତ ଗୁଣ୍ଡାମାନେ ମୋ ଘରକୁ ଆସିଲେ,ମୋତେ ଧମକ ଚମକ ଦେଲେ,କିଛି ଫଳ ହେଲାନାହିଁ। ଶେଷରେ ମୋତେ ବାନ୍ଧି ନିସ୍ତୁକ ମାଡ଼ ମାରି ମୋ ଆଖି ଆଗରେ ମୋ ସ୍ତ୍ରୀକୁ ଧର୍ଷଣ କଲା ସେ ମନ୍ତ୍ରୀ ଓ ତାକୁ ଜୀବନରୁ ମାରି ଚକ୍ରାନ୍ତ କରି ମୋତେ ସଜାଇଲା ମୋ ସ୍ତ୍ରୀର ହତ୍ୟାକାରୀ।

ଜେଲ୍ ଜୀବନ ସରିଲା,ଅନ୍ତରରେ ଜଳୁଥିଲା ବିଦ୍ରୋହ, ପ୍ରତିଶୋଧର ନିଆଁ।ଭାବିଲି ବିଜେଡି ସରକାରଙ୍କୁ ଆପଣେଇବି।ଜଣେ ଭଦ୍ର ଦୟାଳୁ ବ୍ରହ୍ମଚାରୀ ଏ ଦଳର ମୁଖ୍ୟ ତାଙ୍କ ସାହାଯ୍ୟରେ ପ୍ରତିଶୋଧ ନେଵି,ନ୍ୟାୟ ପାଇବି ।ଦଳ ପାଇଁ ବହୁତ କାମ କଲି।ମୋ ବିଶ୍ୱସ୍ତତା ପାଇଁ ମୁଖ୍ୟମନ୍ତ୍ରୀ ବି ମୋତେ ବହୁତ ଭଲ ପାଇଲେ।ଭାବିଲି ସମୟ ଦେଖି କହିବି।ହେଲେ ମୋ ସାଥୀମାନେ ମୁଖ୍ୟମନ୍ତ୍ରୀ ଙ୍କ ସହ ମୋ ନିବିଡ଼ତା ସହିପାରିଲେ ନାହିଁ, ମୋ ପ୍ରଶଂସା ବି ସହିପାରିଲେ ନାହିଁ।ମୋ କଥା ଜଣାଇଥିଲି, ପ୍ରତିଶୃତି ବି ପାଇଥିଲି ସମୟ ଦେଖି ବୁଝିବେ ବୋଲି। ହେଲେ ବିଶ୍ୱାସଘାତକ ସହକର୍ମୀ ମାନେ ଦିନେ ମୋତେ ଗାଡି ଆକ୍ସିଡେଣ୍ଟ କରାଇଲେ।ବଞ୍ଚିଗଲି ସିନା, ହେଲେ ଦୃଷ୍ଟିଶକ୍ତି ହରାଇଲି।ମଝିରେ ଶୁଣିଥିଲି ବିଜେପି ଦଳଟିଏ ସ୍ୱଚ୍ଛ- ନିର୍ମଳ,ବହୁତ ବଡ଼ ବଡ଼ ଭଲ କଥା କହୁଛି।ଦିନେ ଦଳର ହାଇକମାଣ୍ଡକୁ ଦେଖାକଲି।ମୋ ଦୁଃଖ ଜଣାଇଲି।ମାତ୍ର ସେ ଆଗ୍ରହରେ ମୋ କଥା ଶୁଣି ମୋତେ କହିଲେ, ଆଜ୍ଞା ଆମ ଓଡ଼ିଶା ଲୋକ ଆମକୁ ଉପରେ ସିନା ଭଲ କହି ପ୍ରତିଶୃତି ଦେଉଛନ୍ତି ହେଲେ ଆମ ଉପରେ ଭରସା ନାହିଁ ତାଙ୍କର।ଆମେ ସିନା ବଡ଼ ଗର୍ଜ୍ଜନ କରୁଛୁ ହେଲେ ପ୍ରକୃତରେ ଆମେ ସବଳ ନୁହଁ।ଆମ ସରକାର ଆସିଲେ ନିଶ୍ଚୟ ସାହାଯ୍ୟ କରିବୁ। ଭାବିଲି ଆଉ ରହିଲେ ଏଇ ଛୋଟିଆ ଛୋଟିଆ କୁଜି ସ୍ୱାଧୀନ ଦଳ।ଶିଳ ଶିଳିପତା ଗଗନେ ଉଡୁଛି ଶିମିଳି ତୁଳାକୁ ବା କିଏ ପଚାରେ । ତେଣୁ ଭାବିଛି ଏଇମିତି ପ୍ରଚାର କରିବି, ଲୋକ ଲାଞ୍ଚ ନ ନେଇ ନିଜ ବିବେକ ଅନୁସାରେ ଭୋଟ୍ ନେଇ ଭଲ ନେତାଟିଏ ବାଛିବେ।ଯିଏ ପଇସା ଦେଇ ଭୋଟ୍ କିଣିବ ସେ ଜିତିଲା ପରେ  ଆମକୁ ଶୋଷିବ ନା,ଆମ ଦୁଃଖ ସୁଖରେ କ'ଣ ଭାଗୀ ହେବ ! ବିପ୍ଳବ ଦୀର୍ଘଶ୍ଵାସଟେ ପକାଇ ତାରିଫ କଲା। ଲୋମହର୍ଷଣକାରୀ ଖବର ତା ହୃତପୁଣ୍ଡକୁ କ୍ଷତାକ୍ତ କଲା।ତ ଧୈର୍ଯ୍ୟ ଓ ଆତ୍ମବିଶ୍ବାସ ପାଖରେ ମଥାନତ କଲା। ଧନ୍ୟ ଧନ୍ୟ ପ୍ରଫୁଲ୍ଲ।ତୁମ ପାଦ ଧୂଳି ଆମ ଦେଶବାସୀ ପାଇଁ ପବିତ୍ର।ତତପରେ ପଚାରିଲା ଆଜ୍ଞା ଆପଣଙ୍କ ଚିନ୍ତାଧାରାତ ମହାନ।ତେବେ ଆପଣ କଣ ଭାବୁଛନ୍ତି, ଲୋକ ବଦଳିବେ?ଆପଣ ଜଣେ ଚାହିଁଲେ କ'ଣ ଦେଶ ସୁଧୁରିଯିବ?

ପ୍ରଫୁଲ୍ଲ କହିଲା,ଆଜ୍ଞା ଏଇ ବିଶ୍ୱାସ ବଳରେ ତ ମଣିଷ ବଞ୍ଚିଛି।ତେବେ ଦେଶକୁ ବଦଳାଇବା ପାଇଁ ଜଣେ ଗାନ୍ଧୀ ହିଁ ଯଥେଷ୍ଟ ଥିଲେ।ଲକ୍ଷ ଲକ୍ଷ ମୂର୍ଖ ଅଶିକ୍ଷିତ ଦେଶକୁ ବଦଳାନ୍ତି ନାହିଁ,ଗୋଟିଏ ଭଲ ଇଂଜିନ ର ଡବା ହୋଇ ସଜାଡି ଦିଅନ୍ତି।କେତେଜଣ ଭଲ ଲୋକ ମୋ ହାତରେ ହାତ ମିଳାଇବା ଦରକାର।ଏଇ ଯେମିତି ଆପଣ ମୋତେ ବୁଝିପାରିଲେ ସେହିପରି ଆପଣ ପାଞ୍ଚ ଲୋକକୁ ବୁଝିପାରିଲେ ଏମିତି ପାଞ୍ଚ ପାଞ୍ଚ ଆକାରରେ ଏହା ଦିନେ ବିଶାଳ ହେବ। ମୋର ଏଭଳି ନେତା ଦରକାର ଯିଏ ନାରୀକୁ ଇଜ୍ଜତ ଦେବ,ଭ୍ରାତୃଭାଵ ରଖି ସାହାଯ୍ୟର ହାତ ବଢ଼ାଇବ ଓ ମନ ଶରୀର ଆତ୍ମାକୁ ସବଳ କରିପାରିବ,ତେବେ ଯାଇ ଦେଶ ଶୁଦ୍ଧ ହୋଇପାରିବ ଓ ମୋ ପରି ନିଷ୍ପେସିତ ମାନେ ନ୍ୟାୟ ପାଇପାରିବେ।ଏହା କହି ସେ ଲେଖା କରାଇଥିବା ପ୍ଲାକାର୍ଡ ଦେଖିବାକୁ କହିଲା।ବିପ୍ଳବ ଦେଖିଲା ସୁନ୍ଦର ତ ଥ୍ୟ ଲେଖାଅଛି,

"ସ୍ୱଚ୍ଛ କର ଭାଇ ନିଜର ହାତ
ଗଢି ଉଠିବ ମୋ ସୁନା ଭାରତ।"

"ଧରମ ପୁଣ୍ୟର ବଜାଅ ଶଙ୍ଖ
ଚହଲି ଉଠୁ ମୋ ଦୁନିଆଁ ଯାକ।"

"ପାପ ପଙ୍କିଳରୁ ହୁଅ ଉଦ୍ଧାର
ସତ୍ୟରେ ଫୁଟାଅ ପଦ୍ମର ଭାର।"

ବିପ୍ଳବ ମନେ ମନେ କହୁଥାଏ ବାଃ ପ୍ରଫୁଲ୍ଲ ବାଃ।ବାସ୍ତବରେ ଏହିଭଳି ବ୍ୟକ୍ତି ଯଦି ନେତା ହୁଅନ୍ତି ତେବେ ଦେଶ ଉଜ୍ଜ୍ୱଳ ନିଶ୍ଚୟ ହୋଇଉଠିବ। ସେ ପ୍ରଫୁଲ୍ଲକୁ କହିଲା, ପ୍ରଫୁଲ୍ଲ ଭାଇ ଯଦି ତୁମକୁ ନିର୍ବାଚନରେ ନେତା କରାଯାଏ ତେବେ ତୁମେ କଣ  ଦେଶକୁ ସଜାଡି ପାରିବା ନାହିଁ।ପ୍ରଫୁଲ୍ଲ ଦୁଃଖ ମିଶା ଗଳାରେ  କହିଲା ବାବୁ, କାହିଁକି ଏ ଅନ୍ଧକୁ ଥଟ୍ଟା ପରିହାସ କରୁଛନ୍ତି?ବିପ୍ଳବ କହିଲା ନାଁ ଭାଇ ମୁଁ ଚିନ୍ତା କରିଛି ଆପଣଙ୍କ ପରି ଦେଶପ୍ରେମୀ, ବିଦ୍ୱାନ, ସ୍ୱାଭିମନୀ ବୀର ଯଦି ଲୋକ ପ୍ରତିନିଧି ହୁଅନ୍ତି ତେବେ ନିଶ୍ଚୟ ଦେଶ ଆଗେଇବ।ଅନ୍ଧ ତ ଦୂରର କଥା,ଏ ଅତ୍ୟାଧୁନିକ ସମାଜରେ କଣ ବା ଅସମ୍ଭବ ?ମୁଁ ଜଣେ ସମାଜସେବୀ, କୌଣସି ବ୍ୟକ୍ତି ମୃତ୍ୟୁ ପୂର୍ବରୁ ସ୍ବେଚ୍ଛାକୃତ ଚକ୍ଷୁ ଦାନ କଲେ ମୁଁ ନିଶ୍ଚୟ ଚକ୍ଷୁ ଦିଆ କରାଇବି।ନିଜେ ନ ଲଢ଼ିଲେ ଆପଣଙ୍କ ପ୍ରତି ହୋଇଥିବା ଅନ୍ୟାୟର ପ୍ରତିଶୋଧ କଣ ନିଆଯାଇପାରିବ?ନିଦାଘ  ଗ୍ରୀଷ୍ମରେ ଅସରାଏ ବର୍ଷା ନବ ଜୀବନ ଦେଲାପରି ପ୍ରଫୁଲ୍ଲର ହୃଦୟରେ ବାସ ଚନ୍ଦନ ଲେପିଲା ପରି ଲାଗିଲା।ସେ ପୁଣି ଥରେ ଦେଖି ପାରିବ, ତା ସ୍ତ୍ରୀ ହତ୍ୟାର ପ୍ରତିଶୋଧ ନେଇ ପାରିବ।  ଆଖିରୁ ତାର ବହୁ ଦିନର ପ୍ରତୀକ୍ଷିତ ଆନନ୍ଦର ଅଶ୍ରୁ ବିଗଳିତ ହେଲା।ପୁରୁଣା ସ୍ମୃତିକୁ ସେ ମନେ ପକାଇଲା।ବିପ୍ଳବକୁ ପୁନଶ୍ଚ ତା ଗୀତର ମାଧୁର୍ଯ୍ୟ ଶୁଣାଇବାକୁ ଲାଗିଲା।ମୁଗ୍ଧ ବିପ୍ଳବ ସେହି ଦିନୁ ପ୍ରଫୁଲ୍ଲର ପ୍ରଚାରର ସାଥି ଦେଲା।ମନେ ରଖିଲା ସେ ପ୍ରଫୁଲ୍କୁକୁ ଫେରାଇବ ତା ଦୃଷ୍ଟିଶକ୍ତି।ପ୍ରଫୁଲ୍ଲ ହେବ ନେତା,ନେତା ବସ୍ତ୍ରରେ ଅଗ୍ନୀବର୍ଷି ଭାଷଣରେ ପୁଣି ଦେଖି ପାରିବି ସେ ସେଦିନର ସୁଭାଷଙ୍କୁ।ଥଟ୍ଟା ପରିହାସ କରୁଥିବା ତୋଷାମଦିଆ ମାନେ ବି ଦେଖି କହୁଥିଵେ, ବାଃ ! ବାଃ ! ପ୍ରଫୁଲ୍ଲ ବାଃ।ଆଉ ଗୌରବର ଛାତି ଫୁଲାଇ ବିପ୍ଳବ ସାଗର୍ବେ କହୁଥିବ...."ପ୍ରଫୁଲ୍ଲ ଭାଇ ଜିନ୍ଦବାଦ୍।"    "ପ୍ରଫୁଲ୍ଲ ଭାଇ ଜିନ୍ଦାବାଦ୍"।

ନାରାୟଣ ଚନ୍ଦ୍ର ସେନାପତି, ଜମ୍ଭରା, କେନ୍ଦୁଝର

1 Comments

ବଣମଲ୍ଲୀର ମହକ ତାହାର ପାଠକ ପାଠିକା ମାନଙ୍କ ନିକଟରୁ ସର୍ବଦା ଗଠନମୂଳକ ମତାମତ ଆଶା କରିଥାଏ । ଯାହାକି ଜଣେ ସ୍ରଷ୍ଟାଙ୍କୁ ଉଚିତ ମାର୍ଗ ପ୍ରଦର୍ଶନ କରିବାରେ ସକ୍ଷମ ହୁଏ । ଯଦି Anonymous User ଭାବେ ଆପଣ ଉପରୋକ୍ତ ବିଷୟଟି ଉପରେ ନିଜର ମତାମତ ପ୍ରଦାନ କରିବାକୁ ଚାହୁଁଛନ୍ତି, ତେବେ ନିଜର ମତାମତ ତଳେ ଆପଣଙ୍କ ନାମ ଓ ଠିକଣା ପ୍ରଦାନ କରିବାକୁ ଅନୁରୋଧ ।