OUR READERS STATUS AROUND THE GLOBE : INDIA-362119 CANADA-354 CHINA-881 FRANCE-1727 GERMANY- 2083 QATAR - 61 SINGAPORE - 1114 UNITED STATES - 14819 UNITED KINGDOM - 553 UNITED ARAB EMIRATES - 926 UKRAINE-47 UNKNOWN REGIONS-5627

କ୍ଷୁଦ୍ରଗଳ୍ପ - ହଣ୍ଡ୍ରେଡ଼ - ସିପ୍ରା ନାମତା (ନମ୍ରତା)

କ୍ଷୁଦ୍ରଗଳ୍ପ - ହଣ୍ଡ୍ରେଡ଼ - ସିପ୍ରା ନାମତା (ନମ୍ରତା)


ନୀରବତା ଭଙ୍ଗ କଲା ସିମ୍ରନ । --କିଛି କହିଲ ? ମଥା ହଲାଇ ମନା କଲା ପ୍ରତୀକ । ପୁଣି ଦୁଇଟି ଛାୟା ନୀରବ ରେ ଚାଲିବାକୁ ଲାଗିଲେ । ସିମ୍ରନ ପ୍ରତୀକ ର ହାତ ପାପୁଲି କୁ ଆଉ ଟିକେ ନିବିଡ କଲା । ସିମ୍ରନ ବୁଝେ ପ୍ରତୀକ କୁ ନିଜ ଠାରୁ ବି ବେଶୀ । ପ୍ରତୀକ ଏବେ ଜାଗୃତି ଓ ସୁସୁପ୍ତି ର ତ୍ରିଶଙ୍କୁ ମଧ୍ୟରେ । ତେଣୁ ତାକୁ ବର୍ତ୍ତମାନ କିଛି କହିବା ଓ ବୁଝାଇବା ନିରର୍ଥକ । ସେ ତାକୁ ଦୀର୍ଘ ଚାରିବର୍ଷ ଧରି ଦେଖିଆସୁଛି, ଏମିତି ପରିସ୍ଥିତି ରେ ତା'ର ଦରକାର  ପଡୁଥିଲା କେବଳ ଗୋଟେ ଭଲ ପ୍ୟାଗ ରେଡ ୱାଇନ । କିନ୍ତୁ ସେ ତାକୁ ଧୀରେ ଧୀରେ ପରିବର୍ତ୍ତିତ କରିଦେଇଛି ବ୍ଲାକ ଟି କୁ । ଆଉ ଏବେ ସେ (ପ୍ରତୀକ) ଗୋଟେ କପ ବ୍ଲାକ ଟି ପିଇ ସାରିଲା ପରେ ପୁଣି ଧୀରେ ଧୀରେ ସ୍ୱାଭାବିକ ହେବ । ଏଇ ତ ଆଗ ରେ କାଫେ । ଦୁଇଟା ଚେୟାର ଅକ୍ତିଆର କଲେ ପ୍ରତୀକ ଓ ସିମ୍ରନ । କପ ରେ ଚୁମୁକ ଦେଉ ଦେଉ ପ୍ରତୀକ କହିଲା --ମାଆ ଆଉ ଭଲ ହେବନି ବୋଧ ହୁଏ !! ଏପଟେ ମାଆ, ସେପଟେ ବାବା କଣ କରିବି କିଛି ବୁଝିପାରୁନି ସିମି ।

--ତମେ ଆଦୌ ବ୍ୟସ୍ତ ହୁଅନି । ମୁଁ ସବୁବେଳେ ତମ ସହ ଅଛି ଆଉ ରହିବି ମଧ୍ୟ । ଆଶ୍ୱାସନା ଦେଲା ସିମ୍ରନ । କିନ୍ତୁ ସେ ମଧ୍ୟ ବୁଝିପାରୁରଥିଲା ପରିସ୍ଥିତିର ଗମ୍ଭୀରତାକୁ । ଯେତେବେଳେ ପ୍ରଥମ କରି ସେ ଆସିଥିଲା ପ୍ରତୀକ ସହିତ...

ଝଣତ... ଚୁନ ଚୁନ କରି ବିଛାଡି ହୋଇଗଲା  ଗ୍ଲାସର କାଚ ଗୁଣ୍ଡ ସବୁ ଚଟାଣ ଉପରେ । "ତୁମେ ସମସ୍ତେ ଚୋର, ଡକାୟତ, ମୋର ସବୁ ଚୋରି କରି ନେଇଛ, ମୋ ଗଡରେଜ ରୁ ସବୁ ଜିନିଷ ନେଇଯାଇଛ । ମୁଁ... ମୁଁ... ତୁମ ସମସ୍ତଙ୍କୁ ପୋଲିସ ରେ ଦେବି । କାହିଁ... ମୋ ମୋବାଇଲ କୁଆଡେ ଗଲା.... ହ୍ୟାଲୋ.. ହ୍ୟାଲୋ... ହଣ୍ଡ୍ରେଡ଼...  ମୁଁ କହୁଛି.... ମୁଁ.. ମୁଁ.." ନର୍ସ ଦୁଇଜଣ ବେହାଲ ହୋଇଯାଉଥାନ୍ତି ମୀନାକ୍ଷୀ କୁ କାବୁ କରିବାପାଇଁ, ଅବଶେଷ ରେ ବୟସ୍କ ସେବିକା ଡାକ ପକାଇଲେ --ନଗେ.... ନଗେନ... ଆସ ଜଲଦି ନହେଲେ ହେବନାହିଁ । ନଗେନର ସହାୟତାରେ ସେବିକା ଦୁଇଜଣ ଇଞ୍ଜେକ୍ସନ ଦେବାରେ ସଫଳ ହୋଇ ମୀନାକ୍ଷୀ କୁ ଶୁଆଇ ଦେଲେ । ହାତ ଓ ଗୋଡ ରେ ବ୍ୟାଣ୍ଡ  ପୁଣି କପଡା ରେ ବନ୍ଧା ହୋଇ ଖଟ ଖୁରା ରେ ବନ୍ଧା ହୋଇଥାଏ । ଅସ୍ତବ୍ୟସ୍ତ ବେଶ ଭୁଷାକୁ ଠିକ୍ କରି କୋଠରୀ ରୁ ବାହାରି ଆସିଲେ ସେବିକା ଦୁଇଜଣ । --ହାତ ଗୋଡ଼ ରେ କାହିଁକି ବ୍ୟାଣ୍ଡ ଲାଗିଛି ? ସେପଟେ ଆଉ ଦୁଇଜଣଙ୍କର ତ କାହିଁ ନାହିଁ ?? ଉତ୍କଣ୍ଠାରେ ପଚାରିଦେଲା ସିମ୍ରନ । ନର୍ସ ତା ଆଡକୁ ଚାହିଁ କହିଲା "ଚିନ୍ହିବା ପାଇଁ । ଇଏ କୋଉ ଗ୍ରେଡର ରୋଗୀ ।"

'ମୀନାକ୍ଷୀ' ଚିରଞ୍ଜୀବ ବାବୁଙ୍କ ସାନ ପୁଅ ସୁଷେନର ସ୍ତ୍ରୀ । ଚିରଞ୍ଜୀବ ବାବୁଙ୍କ ପରିବାର କହିଲେ, ଝିଅ ସଞ୍ଜନା, ବଡ ପୁଅ ସୋମେନ ତା ସ୍ତ୍ରୀ ବନ୍ଦନା, ଦୁଇ ବର୍ଷର ପୁଅ ସ୍ୱସ୍ତିକ । ସେତେ ବେଳେ ମୀନାକ୍ଷୀ ବିଭା ହୋଇ ଆସିଥିଲା । ଦୁଇମାସ ନପୁରୁଣୁ ବାପ ଘରକୁ ଚାଲିଯାଇଥିଲା । ବର୍ଷକ ପରେ ପୁଅ ପ୍ରତୀକ ଜନ୍ମ ହେଲା ପରେ ଭିନେ ହୋଇ ଗଲା ଅତି ନାଟକୀୟ ଭଙ୍ଗୀରେ  ହୀନମନ୍ୟତା ଓ ନକରାତ୍ମକ ଭାବନାର ଶୀକାର ହୋଇ । କାହାର ଭଲ ଖାଇବା, ପିନ୍ଧିବା, ସେ ଦେଖି ସହି ପାରେନି । କେବଳ ନିଜ ଭଲ କଥା ଚିନ୍ତା କରିଥାଏ । ସଞ୍ଜନାର ବାହାଘର ହୋଇ ପାରୁ ନ ଥିଲା ବୋଲି ସେ ବ୍ୟଙ୍ଗ କରେ । ଯଦିଓ ପ୍ରତୀକକୁ ସମସ୍ତେ ଭଲ ପାଆନ୍ତି, ଯତ୍ନ ନିଅନ୍ତି କିନ୍ତୁ ପ୍ରତୀକର ଯତ୍ନ କେହି ନିଅନ୍ତିନି ବୋଲି ସ୍ୱାମୀ ଆଗରେ ସଫେଇ ଦିଏ । ସୋମେନ ମେଡିସିନ ହୋଲସେଲରର ବ୍ୟାପାର କରୁଥାନ୍ତି ଓ ଘରେ ଏକ ଡାଏରୀ ଫାର୍ମ କରିଥାନ୍ତି ଯୋଉଟା ବନ୍ଦନା ଓ ସଞ୍ଜନା ବୁଝା ବୁଝି କରନ୍ତି । ଚିରଞ୍ଜୀବ ବାବୁ ମଧ୍ୟ ମଝିରେ ମଝିରେ ସେ କଥା ବୁଝନ୍ତି । ପତ୍ନୀ ସୁପର୍ଣ୍ଣାଙ୍କ ବିୟୋଗ ପରେ ନିଜକୁ ସବୁବେଳେ କାମ ରେ ବ୍ୟସ୍ତ ରଖନ୍ତି ସେ । ଘରେ ଯଥେଷ୍ଟ ଗୋକ୍ଷୀର ହେଉଥିଲେ ମଧ୍ୟ ପୁଅ ପ୍ରତୀକ ପାଇଁ ଡବା କ୍ଷୀର ଆଣିବାକୁ ବାଧ୍ୟ କରେ ସେ । "ଗାଈ କ୍ଷୀର ଖାଇଲେ ପୁଅ କୁ ଝାଡା ହେବ" ସେ ଯୁକ୍ତି କରେ । ପ୍ରତ୍ୟେକ ବ୍ୟବହାର୍ଯ୍ୟ  ଦ୍ରବ୍ୟ ରେ "ବ୍ରାଣ୍ଡେଡ଼" ଓ ଦାମିକା ଜିନିଷ ର ଡିମାଣ୍ଡ ରହେ । ଘରେ ମାସିକିଆ ସଉଦା ପାଇଁ ଯୋଉ ଚିଠା ହୁଏ ସେଥିରେ ଖାଇବା, ପିନ୍ଧିବା, ନାଇଁବା ସବୁ ପ୍ରକାର ଜିନିଷ ଆଣିବାର ଥାଏ ସେଥିରେ ମୀନାକ୍ଷୀ ଆଡେଇଯାଇ ତା'ର କିଛି ଆବଶ୍ୟକ ନାହିଁ ବୋଲି ମନା କରେ । କିନ୍ତୁ ଏକାନ୍ତରେ ସ୍ୱାମୀ କୁ ବ୍ରାଣ୍ଡେଡ଼ ଜିନିଷ ର ଗୋଟେ ତାଲିକା ଧରାଇ ଦିଏ । ଛୋଟ ଛୋଟ ଜିନିଷ ରେ ଯୋଉ କାମ ହୋଇପାରନ୍ତା ସେ ତା'ର ଚାରିଗୁଣ ବଡ ଜିନିଷ ଆଣିବାକୁ କହେ । ସୁଷେନ ମଧ୍ୟ ନୂଆ ନୂଆ ତା'ର ଡିମାଣ୍ଡ ପୂରଣ କରୁଥାଏ ପୁଅ ହୋଇଥିବା ଯୋଗୁଁ । ସେ ସବୁବେଳେ ଭାଇର ସଂସାର ସହିତ ନିଜ ସଂସାର କୁ ତୌଲୁଥାଏ । ଭାଉଜ ଭାଇକୁ ତାଙ୍କର ବ୍ୟବସାୟରେ ସାହାଯ୍ୟ କରିବା ସହିତ ଘର କାମକୁ ମଧ୍ୟ ସମ୍ଭାଳି ନେଉଥିବାର ଦେଖି ସୁଷେନ ମୀନାକ୍ଷୀକୁ ବେଳେ ବେଳେ ବନ୍ଦନା ପରି ହେବାକୁ କହିଲେ ସେ କ୍ରୋଧରେ ସୁଷେନକୁ ଗାଳି ବର୍ଷଣ କରେ । ଦେଢଶୁର ଓ ଯାଆକୁ ମୂଲିଆ, ଚାକରଠୁ ହୀନ କହି ତାତ୍ସଲ୍ୟ ଇଙ୍ଗିତ କରେ । ସ୍ୱାମୀ ଚାକିରୀକୁ ବାହାରିଗଲା ପରେ ଅସଂଲଗ୍ନ ବାର୍ତ୍ତାଳାପ ସହିତ ଗାଳି ଗୁଲଜ ଦେବା ଆରମ୍ଭ କରେ ।  ପରିବାରର ଲୋକଙ୍କୁ ପୋଲିସରେ ଦେବା ଉଚିତ ବୋଲି ନିଜେ ନିଜେ ଉଚ୍ଚ ସ୍ୱର ରେ କହି ହୁଏ । କୌଣସି କାମ ଠିକ୍ ରୂପେ କରେ ନାହିଁ କିନ୍ତୁ କାହାକୁ ଟୀକା ଟିପ୍ପଣୀ ଦେବାକୁ ମଧ୍ୟ ଛାଡେନାହିଁ ସେ । ସୋମେନର ପୁଅ  ସ୍ୱସ୍ତିକ ନର୍ସରୀ ସ୍କୁଲ ରେ ପଢେ । କେବେ କେବେ ଗାଈଫାର୍ମରେ କାମ କରୁଥିବା ଲୋକ ଅନୁପସ୍ଥିତ ରହିଲେ ବନ୍ଦନା, ସଞ୍ଜନା ଓ ଚିରଞ୍ଜୀବ ବାବୁଙ୍କୁ ସେଠାରେ କାମ କରିବାକୁ ପଡେ । କିନ୍ତୁ ମୀନାକ୍ଷୀ କୌଣସି ପ୍ରକାରେ ସାହାଯ୍ୟ କରେନା ।
      
ସ୍ୱସ୍ତିକ ସ୍କୁଲରୁ ଫେରିଆସିଲା ପରେ ରୋଷେଇ ହୋଇ ନ ଥାଏ । ମୀନାକ୍ଷୀ ତା ପୁଅ ପ୍ରତୀକକୁ ଧରି ବସିଥାଏ ନୋଚେତ ଶୋଇଥାଏ । ବନ୍ଦନା ସେପଟୁ ଆସି ସ୍ୱସ୍ତିକକୁ ପଖାଳ ଦି ମୁଠା ଖୁଆଇ ଦେଇ ରୋଷେଇ କାମରେ ଲାଗିପଡ଼େ । ଚିରଞ୍ଜୀବ ବାବୁ ବାଧ୍ୟ ହୋଇ ରନ୍ଧା ବଢା କାମ ପାଇଁ ଗୋଟେ ସ୍ତ୍ରୀ ଲୋକ କୁ ରଖିଲେ । ସେ ତା'ର ଛୋଟ ପିଲା ସହିତ ରହିବ ବୋଲି ସର୍ତ୍ତ ରଖିଲା । ଯାହା ବି ହେଉ ଘରେ ଶାନ୍ତି ରହିବା ଦରକାର ବୋଲି ଭାବିଲେ ଚିରଞ୍ଜୀବ ବାବୁ । କିନ୍ତୁ ମୀନାକ୍ଷୀ ଯେପରି ପଣ କରିଥିଲା କାହାକୁ ଶାନ୍ତି ରେ ରଖାଇ ଦେବ ନାହିଁ । ଅଇଁଠା ବାସନ କୁସନ ଏମିତି ବଢ଼େଇ ରଖିଥିବ ଯେ ଚାକରାଣୀ ଛଅ ମାସ ପରେ କାମ କରିବାକୁ ମନା କରି ଦେଲା । ବାସି ପାଇଟି କରିବା ଲୋକଟିକୁ କୌଣସି ପ୍ରକାରେ ବନ୍ଦନା ଅଟକାଇ ରଖିଥାଏ । ଚାକର ବାକର ଲୋକ ଙ୍କ ନିକଟରେ ଘରର ସଦସ୍ୟଙ୍କ ପ୍ରତି କରିଥିବା କୁତ୍ସାରଟନାକୁ ପରେ ଜଣା ପଡେ । କେବଳ କୁତ୍ସା ନୁହେଁ, ସୁଷେନ ଓ ସଞ୍ଜନା ତା କଥା ନେଇ ବାକ ବିତଣ୍ଡାରେ ହାତ ହଲେଇ ଯୁକ୍ତିତର୍କ କରୁଥିବା ଅବସ୍ଥାରେ ମୀନାକ୍ଷୀ ତାଙ୍କ ଭିତରେ ଅଯଥା ରେ ପଶି ସ୍ୱାମୀ କୁ ଉସକାଏ ସଞ୍ଜନା କୁ ଦି ଚାପୁଡା ପକେଇବା ପାଇଁ କିନ୍ତୁ ପ୍ରତିରୋଧ କରି ସଞ୍ଜନା ସେଥିରୁ ମୁକୁଳିଗଲେ ମିଛ ଟାରେ ଭାଇ ଭଉଣୀ ଦୁହେଁ ମିଶି ତାକୁ ମାଡ ମାରନ୍ତି ବୋଲି ମିଛ ରେ ସେମାନଙ୍କ ପାଖରେ କହି ଘର ର ବଦନାମ କରିବାକୁ ଚେଷ୍ଟାକରେ । ଅନୋନ୍ୟପାୟ ହୋଇ ଚିରଞ୍ଜୀବ ବାବୁ ମୀନାକ୍ଷୀର ବାପା ମାଆ ଙ୍କୁ ଡକାଇ ପଠାନ୍ତି, ସମସ୍ୟାର ସମାଧାନ ପାଇଁ । ମୀନାକ୍ଷୀର ବାପା ତା'ର ବଦମିଜାଜ ଗୁଣ ଲୁଚାଇବାକୁ ଯାଇ "ଟିକିଏ ହାଇପାରଟେନସନ ହୋଇଗଲେ ସେ ଏଭଳି ହୋଇଯାଏ" ବୋଲି ମନ୍ତବ୍ୟ ଦିଅନ୍ତି । କିନ୍ତୁ ମୀନାକ୍ଷୀ ର ବଡ ଭାଉଜ ପାଖରୁ ଘଟଣା ସମ୍ପର୍କରେ ଆଲୋକପାତ ହୁଏ । ସେ ହାଇସ୍କୁଲରେ ପଢ଼ୁଥିବା ସମୟରେ ଥରେ ଘର ଛାତରୁ ଖସି ପଡ଼ିଥିଲା । ତା ପରଠାରୁ ଯଦିଓ ଚିକିତ୍ସା ହଉଥିଲା ମଝିରେ ମଝିରେ ତା'ର ବଦମିଜାଜୀ ଗୁଣ ବାହାରେ । ମଫସଲ ରେ ଚଳି ପାରୁନଥିବାରୁ ତାକୁ ଆଣି ଟାଉନରେ ମାମୁଁଙ୍କ ଘରେ ରଖାଇଥିଲେ । ଚିରଞ୍ଜୀବ ବାବୁଙ୍କ  ପରି ଭଲ ଘରଟିଏ ପାଇ ସେ ଭଲ ହୋଇଯିବ ବୋଲି ଆଶା କରୁଥିଲେ ସମସ୍ତେ । ମୀନାକ୍ଷୀର ଅସହିଷ୍ଣୁତା, ଔଦ୍ଧତ୍ୟ, ତାତ୍ସଲ୍ୟ, ଅବିବେକି ପଣିଆର କଥା ଗୋଟି ଗୋଟି କରି ବର୍ଣ୍ଣନା କରେ ବନ୍ଦନା ମୀନାକ୍ଷୀର ବାପା ମାଆଙ୍କ ଠାରେ । ସେ ଭାବିଥିଲା ଗୋଟେ ପ୍ରକାର କିନ୍ତୁ ହେଲା ଆଉ ଗୋଟେ ପ୍ରକାର । ପରିସ୍ଥିତି ସମ୍ପୂର୍ଣ୍ଣ ଅଣାୟତ ହୋଇଗଲା । ମୀନାକ୍ଷୀ ତା ପିତା ମାତାଙ୍କର ଜିନିଷ ପତ୍ର ସବୁ କୋଠରୀରୁ ଫିଙ୍ଗିଦେଇ ସେଠାରୁ ଚାଲିଯିବା ପାଇଁ ଆଦେଶ ଦେଲା ଏବଂ ଅସୌଜନ୍ୟ ମନ୍ତବ୍ୟ ଦେଇ ବନ୍ଦନା ଓ ସୋମେନଙ୍କ ଉପରେ ଅତି ଲଜ୍ଜା ହୀନ ଭାବେ ଗାଳି ଗୁଲଜ କଲା । ସୁଷେନ ମଧ୍ୟ ସ୍ତ୍ରୀ ର କଥା ରେ ସହମତ ହେଲା । ମୀନାକ୍ଷୀ ର ନିର୍ଲଜ ଉକ୍ତିରେ ଆହତ ବନ୍ଦନା ଚିରଞ୍ଜୀବ ବାବୁଙ୍କୁ କାନି ପାତି ଭିକ୍ଷା ମାଗିଲା "-ବାପା, ଆପଣ ଙ୍କ ପୁଅ ର ଅସମ୍ମାନ ଆଉ ସହିହେଉନି । ମୋତେ ବୋହୁ କରି ଆଣିଥିଲେ ଏବେ ମୋ ସଂସାର କୁ ବଞ୍ଚାଇବା ଦାୟିତ୍ୱ ଆପଣ ଙ୍କ ର ।"

ବନ୍ଦନାର କାନି ପାତି ଭିକ୍ଷା ମାଗିବା ତାଙ୍କୁ ବେଶ ବାଧିଥିଲା । ସୋମେନ ଘର ଛାଡିବାର ନିଷ୍ପତ୍ତି ନେଉଥିଲା ବେଳେ ଚିରଞ୍ଜୀବ ବାବୁ ସୁଷେନକୁ  ମୀନାକ୍ଷୀକୁ କିଛିଦିନ ପାଇଁ ପିତୃଗୃହ ରେ ଛାଡିଦେଇ ଆସିବାକୁ କୁହନ୍ତି । ଇତି ମଧ୍ୟରେ ସଞ୍ଜନାର ଚାକିରୀ ହୋଇଯାଇଥାଏ ଘରଠାରୁ ପଚାଶ କି.ମି  ଦୂରରେ । ସଞ୍ଜନା ପ୍ରତି ମଧ୍ୟ ମୀନାକ୍ଷୀର କଟୁକ୍ତି ସୀମା ଅତିକ୍ରମ କରି ଯାଇଥାଏ । ବନ୍ଦନା ଓ ସଞ୍ଜନା ପତଳା ସ୍ୱାସ୍ଥ୍ୟ ଓ ଦେଖିବାକୁ ସୁନ୍ଦର ତଥା ସବୁ କାମରେ ନିପୁଣ ଥିବାରୁ ମୀନାକ୍ଷୀ ର ଈର୍ଷ୍ୟା ବଢିଯାଏ । ତେଣୁ ସେମାନଙ୍କ ର କୌଣସି କଥା ରେ ସେ ସହ ମତ ହୁଏନା । ସେ ଚାହେଁ ତା ସ୍ବାମୀ କେବଳ ତା କଥା ମାନୁ । ବାପା ଙ୍କର କଥା ସୁଷେନକୁ ଅଯଥା ଅଭିମାନରେ ଦୁଃଖିତ କରେ । କିନ୍ତୁ ସ୍ତ୍ରୀ ର ବ୍ୟବହାରକୁ ପରିବର୍ତ୍ତନ କରିବାକୁ ଚେଷ୍ଟା ନକରି ସେ ଘର ଛାଡି ତା ସଂସାରକୁ ନେଇ ଭଡା ଘର କୁ ଚାଲିଯାଏ ।
     
ସଞ୍ଜନା ସବୁ ଦେଖି ଚୁପ ରହେ । ମାଆ ର ଜିନିଷ ଯଥା ଲୁଗାପଟା, ଗହଣା ସବୁ ତ ବାଣ୍ଟି ଦେଇଛି ଦୁଇ ବୋହୁଙ୍କ ଭିତରେ । ଟଙ୍କା ପଇସା ଯାହା ରଖିଥିଲେ ସବୁ ବ୍ୟବସାୟରେ ଲଗେଇ ଦେଇଛି ସୁଷେନ ପ୍ରଥମେ କରିଥିବା ଡ୍ରେସ ଦୋକାନ ପାଇଁ, ବୈଷୟିକ ମହାବିଦ୍ୟାଳୟରେ ଚାକିରୀ ପାଇଁ ଡୋନେସନ ରେ ଓ ବଡ ଭାଇ ର ଡାଏରୀ ଫାର୍ମ ପାଇଁ  ଓ ମେଡିସିନ  ବେପାର ରେ ପୁଞ୍ଜି ଖଟାଇବା ପାଇଁ  । ମାଆ ଅଧା ଛାଡି ଦେଇ ଯାଇଥିବା ଘର ର ଉପର ମହାଲାଟା କୁ ବାପା ରିଟାୟର୍ଡ଼ କଲା ପରେ ଯାହା ପଇସା ପତ୍ର ପାଇଥିଲେ ଓ ସଞ୍ଜନା ବାହାଘର ପାଇଁ ଯେଉଁ ଟଙ୍କା ପଇସା ରଖିଥିଲେ ସେଇଥିରେ ଲାଗିଥିଲା । ମନ ଦୁଃଖରେ ସଞ୍ଜନା ଘରର ଅଶାନ୍ତି ଭିତରେ ଜଳି ଯାଏ । "କୋଉଠି ଗୋଟେ ଭଲ ପାତ୍ର ବି ଭାଗ୍ୟ ରେ ଜୁଟୁନି" କହି ସାରା ଜଗତର ଯେତେ ଦେବା ଦେବୀ ଅଛନ୍ତି ସମସ୍ତଙ୍କୁ ଦୁଃଖ ଜଣାଏ । ସେତିକିବେଳେ ଚାକିରୀଟି ତାକୁ ଅଶେଷ ସାନ୍ତ୍ୱନା ଦିଏ । ସୁଷେନ ନିଜେ ସେ ଘର ଛାଡିଦେଇ ଅନ୍ୟତ୍ର ଭଡା ଘରକୁ ଚାଲିଗଲା । କିନ୍ତୁ ସେକଥା କେହି ଚାହୁଁ ନ ଥିଲେ । ହେଲେ ଯାହା ହେବାକୁ ଥାଏ ସେଇୟା ହୁଏ ନ୍ୟାୟ ରେ ସମସ୍ତେ ନୀରବ ରୁହନ୍ତି । ସଞ୍ଜନା ଚାକିରୀ ସ୍ଥାନରେ ଭଡା ନେଇ ରହେ ।ଘରକୁ ବିଶେଷ ଆସିବାକୁ ପସନ୍ଦ କରେନା । କିନ୍ତୁ ପର୍ବପର୍ବାଣୀରେ ସୋମେନ ଯାଇ ତାକୁ ଘରକୁ ନେଇ ଆସନ୍ତି । ଦିନ ବିତିଯାଏ । ସୁଷେନ ଚାକିରୀ କରୁଥିବା ବୈଷୟିକ ମହାବିଦ୍ୟାଳୟଟି ବନ୍ଦ ହୋଇଯାଏ । ସୁଷେନ ବାପା ପାଖକୁ ସାହାଯ୍ୟ ପାଇଁ ଆସେ । ମାସକୁ ମାସ କେଇ ମାସର ଘର ଭଡା ବାପା ପାଖରୁ ନିଏ । ଶେଷରେ ଘରକୁ ଫେରିବା ପାଇଁ କହେ "--ଚାକିରୀ ତ ଆଉ ନାହିଁ । ଏମିତି ମାସକୁ ମାସ ଘର ଭଡା କେତେ ଆଉ ଦେବି ?"

--"ତୋ ନିଜ ଇଚ୍ଛାରେ ତୁ ସବୁ କରୁଛୁ କିନ୍ତୁ ଅନ୍ୟ ମାନଙ୍କୁ ଦୋଷ ଦେଉଛୁ । ତୋ ଭାଗର ଘର ହିସାବରେ ଉପର ବଖରା ତ ଫାଙ୍କା ପଡିଛି, ଆସି ରହିବୁ । ଉତ୍ତର ଦେଇଥିଲେ ବାପା ଚିରଞ୍ଜୀବ ବାବୁ । ତାପରେ ସାନ ପୁଅର ଘରବାହୁଡା ହୋଇଥିଲା ଓ ସାଥିରେ ଅନେକ ବିପର୍ଯ୍ୟୟ ଡାକିଆଣିଥିଲା । କହିବା ବାହୁଲ୍ୟ ଯେ ପୂର୍ବ ଘଟଣା ଗୁଡିକର ଅଧିକରୁ ଅଧିକ ମାତ୍ରାରେ ପୁନରାବୃତ୍ତି ଘଟିଥିଲା । ପୁଣି ଅଶାନ୍ତି ର ଗୁଞ୍ଜରଣ ଆରମ୍ଭ ହୋଇଯାଇଥିଲା । ଯିଏ ଯାହାର ଭାଗ ରେ ରହୁଥିଲେ ମଧ୍ୟ ସେଥିରୁ ଆରମ୍ଭ ହେଲା କଳି । ସୁଷେନ ଚାକିରୀ ହରାଇବା ପରେ ଚାହୁଁଥିଲା ବାପା ତାଙ୍କ ପେନସନ ପଇସା କୁ କିଛି ଦେଇଥାନ୍ତେ, ସେଥିପାଇଁ ସବୁବେଳେ ସେଇ ପେନସନକୁ ଟାର୍ଗେଟ କରି ଝଗଡା କରୁଥିଲା ସେ ଏବଂ ଏକ ବ୍ୟବସାୟ ରେ ପୁଞ୍ଜି ଖଟାଇବାକୁ ପଇସା ମାଗୁଥିଲା । ଚିରଞ୍ଜୀବ ବାବୁ ତାକୁ କିଛି ପଇସା ଦିଅନ୍ତି ପୁଞ୍ଜି ବିନିଯୋଗ ପାଇଁ କିନ୍ତୁ ସ୍ୱଳ୍ପ ପେନସନ ଯୋଗୁଁ ସେ କିଛି ଦେଇପାରିବେ ନାହିଁ ବୋଲି ସ୍ପଷ୍ଟ ମନା କରି ଦିଅନ୍ତି ।
         
ତାପରେ ପରେ ସଞ୍ଜନାର ବିବାହ ହୋଇଯାଏ କିନ୍ତୁ ଚାକିରୀ ଯୋଗୁଁ ସେ ଶ୍ୱଶୁରାଳୟ ରେ ନ ରହି  ପିତୃ ଗୃହ ରେ ହିଁ ରହେ ବଦଳି କୁ ଅପେକ୍ଷା କରି । ସଞ୍ଜନା ର ସେଠି ରହିବା ଟା ସୁଷେନ ଓ ମୀନାକ୍ଷୀ ର ଆଖିରେ ଯାଏ ନାହିଁ । ଆଉ ଏପଟେ ସଞ୍ଜନା ର ବଦଳି ମଧ୍ୟ ହୋଇପାରୁ ନ ଥାଏ । ସମୟ ବିତିଯାଉଥିବା ବେଳେ ସୁଷେନ ର ସଞ୍ଜନା ର ରହିବା ଓ ବାପା ଙ୍କର ପେନସନ ନ ଦେବା ଘଟଣା କୁ କେନ୍ଦ୍ର କରି ସୋମେନ ସହିତ ଝଗଡା ହୁଏ ଓ ମୀନାକ୍ଷୀ ମଧ୍ୟ ସେଥିରେ ସୁଷେନ କୁ ତୀବ୍ର କଟୁକ୍ତି ର ଆକ୍ଷେପ ଦ୍ୱାରା ବିଦ୍ୱେଷ ର ନିଆଁ ରେ ଘିଅ ଢାଳେ । କିଛି ଜ୍ଞାତି କୁଟୁମ୍ବ ଙ୍କ ନଜର ରେ ଏସବୁ ଘଟଣା ପଡିବା ପରେ ସେମାନେ ସୁଷେନ କୁ ପରାମର୍ଶ ଦିଅନ୍ତି ମୀନାକ୍ଷୀ କୁ ମାନସିକ ଚିକିତ୍ସା କରାଇବା ପାଇଁ । ପ୍ରକୃତରେ ତା'ର ଏ ପ୍ରକାର ବ୍ୟବହାର କେଉଁଥିପାଇଁ ହେଉଛି ସେ କଥା କୁ ବୁଝିବା ଉଚିତ ବୋଲି ସେମାନେ ମତ ପ୍ରକାଶ କରନ୍ତି କିନ୍ତୁ ସୁଷେନ ସେସବୁ କଥା କୁ କର୍ଣ୍ଣପାତ କରେନାହିଁ । କିନ୍ତୁ ମୀନାକ୍ଷୀ ଧୀରେ ଧୀରେ ହୀନମନ୍ୟତା ର ଶୀକାର ହୋଇ ଅଧିକ ପ୍ରତିକ୍ରିୟା ପ୍ରକାଶ କରୁଥାଏ । ସୁଷେନ ଏହା ମଧ୍ୟରେ ବ୍ୟାପାର ଛାଡି ଏକ  ବେସରକାରୀ ସଂସ୍ଥାରେ କାମ କରୁଥାଏ ଏବଂ ଭଲ ପଇସା ରୋଜଗାର କରୁଥାଏ । ସେତେବେଳେ ମୀନାକ୍ଷୀ ସୁଷେନର ଅଧୀନରେ କାର୍ଯ୍ୟରତ କିଛି ଯୁବକଙ୍କୁ ପରିବାର ଲୋକଙ୍କ ବିରୁଦ୍ଧରେ ସାହାଯ୍ୟ ମାଗେ । ଏକଥା ସେମାନେ ସୁଷେନ କୁ ଜଣାନ୍ତି ଏବଂ ସୁଷେନ ମୀନାକ୍ଷୀ କୁ ପଚାରେ..  

-- "ବାପା ତୁମକୁ ଟର୍ଚ୍ଚର କରୁଛନ୍ତି  ??  ଏ ଖଣ୍ଡ ମଣ୍ଡଳରେ କେହି ସେ କଥା ବିଶ୍ୱାସ କରିବେ ଯୋଉ ମିଛ କହୁଛ ଟିକେ ଭାବି ଚିନ୍ତି କୁହ । ତା ଛଡା ସେ ପିଲାମାନେ ମୋ ତଳେ କାମ କରୁଛନ୍ତି, ଅନ୍ତତଃ ମୋ ଷ୍ଟାଟସ ଟା ତ ଦେଖିବ..! ମୋତେ କଣ ଭାବିବେ ସେମାନେ ? ବାପା ଙ୍କ ସହିତ ପେନସନ ପାଇଁ ଯୁକ୍ତି ଅଲଗା କଥା, ହେଲେ ସେ ତ ସମ୍ପୂର୍ଣ୍ଣ ରୂପେ ମନା କରି ଦେଲେ ନା ତେଣୁ ଆଉ କିଛି କହିବାର ଅଛି  ?? ସେ ତାଙ୍କର ସେଇ ଭାଇ ପାଖରେ ହିଁ ରହିବେ ଆଉ ତାକୁ ହିଁ ପଇସା ଦେବେ । ଏସବୁ କେବଳ ତୁମ ପାଇଁ ବୁଝିଲ ? କୋଉ ଗୁଣ ଟା ତୁମ ପାଖରେ ଅଛି କୁହନା ? ନା ସେଇ ଛୁଆ ଟିର ବି ଯତ୍ନ ନେଉଛ ? ଯେତେବେଳେ ଯାହା କାମ କଲି ମୁଁ ହିଁ କଲି । ଯଦି ଠିକ୍ ସେ କାମ କରିପାରୁଥାନ୍ତ ଆଜି ବାପା ଆମ ପାଖରେ ବି ରହିଥାନ୍ତେ ।କିଛି ବୁଝ ତୁମେ ? ଭାଉଜ କୁ ଦେଖ କେମିତି ମ୍ୟାନେଜ କରୁଛନ୍ତି ?? ମଥା ଖରାପ ନା କ'ଣ... ଖାଲି ସବୁବେଳେ ୟାକୁ ଗାଳି ତାକୁ ଗାଳି ୟା ର ଦୋଷ ତା ର ଦୋଷ... ଶୁଣି ଶୁଣି କାନ ଦୁଇଟା ପାଚି ଗଲାଣି ।" ...କଥା ସରିନାହିଁ ସୁଷେନର ମୀନାକ୍ଷୀ ଗର୍ଜ୍ଜି ଉଠିଲା --କଣ... କଣ କହିଲ.... ମୋର ମଥା ଖରାପ... ଆଉ ସମସ୍ତେ ଭଲ.... ତୁମେ ଭଲ..? ତୁମ ଖାନଦାନ, ବଂଶ, ଚଉଦ ପୁରୁଷ ଭଲ ?? ଭିନ୍ନେ କରିଦେଲେ ପରା ?? ଲାଜ ଲାଗୁନି ମୁହଁ ଦେଖେଉଛ ଏତିକିରେ ତ ଏତିକି.... ଆଉ ଥିଲେ କେତିକି ଛିଃ ଲୋ ମା ଏଗୁଡାଙ୍କ ମୁହଁରେ ଲାଜ ସରମ ବୋଲି କିଛି ନାହିଁ ।...."

ମୀନାକ୍ଷୀ ଆହୁରି ଉତ୍କ୍ଷିପ୍ତ ହୋଇ ଆଶ୍ରାବ୍ୟ ଭାଷା ଗୁଡାଏ କହି ଦେଲା ପରେ ଚୈତନ୍ୟ ହାରାଇଲା । ଅର୍ଦ୍ଧଉଲଗ୍ନ ସ୍ତ୍ରୀ କୁ  ସମ୍ଭାଳିବା ପାଇଁ ସୁଷେନ ଯାଇ ବନ୍ଦନା ର ସାହାଯ୍ୟ ମାଗେ । ମୀନାକ୍ଷୀର ଚୈତନ୍ୟ ଫେରାଇ ଆଣିବା ପାଇଁ ବନ୍ଦନା ପାଣି ସିଞ୍ଚେ ତା ମୁହଁରେ  ବନ୍ଦନା କୁ ଦେଖିବା ମାତ୍ରେ ମୀନାକ୍ଷୀ ପୁଣି ଉତ୍ୟକ୍ତ ହୋଇ ତାକୁ ଗାଳି କରେ ଅତି ନ୍ୟୁନ ଶ୍ରେଣୀ ର ଲୋକ ପରି । ଘର ଭିତରକୁ ନେବାରେ ସାହାଯ୍ୟ କରି ଦୁଃଖ ପୂର୍ଣ୍ଣ ହୃଦୟ ରେ ଫେରିଆସେ ବନ୍ଦନା । ପରସ୍ପର ମଧ୍ୟରେ ସମ୍ପର୍କ ତିକ୍ତ ହୋଇଯାଏ ଓ କେହି କାହାର ସଂସ୍ପର୍ଶରେ ନ ଆସିବା ପାଇଁ ମନସ୍ଥ କରନ୍ତି । ଭାଇ ଭାଗ ବଣ୍ଟା ହେବାର ସମୟ ଆସିଯାଏ । ସଞ୍ଜନା ର ପରିବାର କୁ ସୁଷେନ ଓ ମୀନାକ୍ଷୀ କୁକୁର ବିଲେଇ ପରି ବ୍ୟବହାର କରୁଥାନ୍ତି । କିନ୍ତୁ ସୋମେନ, ବନ୍ଦନା ଓ ଚିରଞ୍ଜୀବ ବାବୁ ସଞ୍ଜନା କୁ ସାନ୍ତ୍ୱନା ଦେଇ ଦୁଃଖ ନ କରିବାକୁ ଉପଦେଶ ଦିଅନ୍ତି । ଆଇନ ଅନୁସାରେ ସମ୍ପତ୍ତି ର ଭାଗ ବଣ୍ଟା ନେଇ ହିସାବ ହୋଇଯାଏ । ଜଣେ ଭଲ ଓକିଲ ଙ୍କୁ ନେଇ ସୋମେନ ଶାନ୍ତି ରକ୍ଷା କରିବାକୁ ଘରକୁ ଚାରି ଭାଗ ରେ ଭାଗ କରିଦେଇ ବାଡି କୁ ଓଗେର ରଖିଦିଅନ୍ତି । ଫାଙ୍କା ଜାଗାକୁ ସମସ୍ତେ ସବୁ ପ୍ରକାର କାମ କାର୍ଯ୍ୟ ରେ ଲଗେଇପାରିବେ । ସୁଷେନ କିଛି କହେନା । ଏହା ଭିତରେ  ସେ କରୁଥିବା ସଂସ୍ଥାରେ ତାକୁ ଅଧିକ ଖଟଣୀ ପଡିବାରୁ ସେ ସଂସ୍ଥା ରୁ ଚାକିରୀ ଛାଡିଦେଇ  ଏକ ବେସରକାରୀ ସ୍କୁଲରେ ଚାକିରୀ କରିଥାଏ।ଏମିତି ବିତିଗଲା ଦିନ ମାସ ବର୍ଷ  ।
          
ମୀନାକ୍ଷୀର ପାଗଳାମୀ  ମଝିରେ ମଝିରେ ଅଧିକ ମାତ୍ରାରେ ବାହାରୁଥାଏ । କିଛିଦିନ ପାଟିହୁରି, କଳିଝଗଡା ଚାଲିବା ପରେ ପୁଣି ଡାକ୍ତର ପାଖକୁ ଯାଇ ଚିକିତ୍ସା ଚାଲେ । ଏମିତି ଚାଲେ କିଛି ବର୍ଷ । ପ୍ରତି ମୁହୂର୍ତ୍ତରେ କିଛି ନୂତନତ୍ୱକୁ ଆଶା କରି । କିନ୍ତୁ ମୀନାକ୍ଷୀର ପାଗଳାମୀ ବାହାରିଲେ ସବୁ ଆଶା ମଉଳିଯାଏ ଆଉ ହତାଶା, ନିରାଶାର ଧୂ ଧୂ ନିଆଁରେ ଜଳିବା ସାର ହୁଏ । ସୁଷେନ ବେଳେ ବେଳେ ଚିନ୍ତା କରେ ମୀନାକ୍ଷୀକୁ ଛାଡପତ୍ର ଦେଇ ଦେବ କିନ୍ତୁ ଶ୍ୱଶୁର ଓ ଶଳା  ପ୍ରତୀକର ଭବିଷ୍ୟତର ଦ୍ୱାହି ଦେଇ, ନିଜର ଦୋଷ ଦୁର୍ବଳତାକୁ ଘୋଡେଇ ଦେବା ପାଇଁ ଦୁହିଁଙ୍କୁ ଏକାଠି ରହିବା କୁ ଅନୁରୋଧ କରନ୍ତି । ଚିରଞ୍ଜୀବ ବାବୁ ଅନେକ ସମୟରେ ଦୁଃଶ୍ଚିନ୍ତା ମଧ୍ୟ ଦେଇ ଗତି କରୁଥିବା ଅବସ୍ଥାରେ ସୋମେନ ହଠାତ ଭୀଷଣ ଜ୍ୱର ରେ ପଡେ । "ହଁ, ଛାଡିଯିବ" କହି ଚିକିତ୍ସା ରେ ଅବହେଳା କରେ ସେ କିନ୍ତୁ ଜ୍ୱର ଛାଡେନା । ପାଞ୍ଚଦିନପରେ ଡାକ୍ତର ପରାମର୍ଶ କରେ । ପାଞ୍ଚ ଛଅ ଦିନ ପରେ ଡାକ୍ତରଖାନାରେ ଭର୍ତ୍ତି କରାଯାଏ ତାକୁ । କିନ୍ତୁ ସମସ୍ତଙ୍କୁ ଶୋକ ସାଗରରେ ଭସେଇ ବନ୍ଦନାର ସୀମନ୍ତ ଶୂନ୍ୟ କରିଦେଇ ଚାଲିଯାଏ ପରପାରି କୁ । ଚିରଞ୍ଜୀବ ବାବୁଙ୍କ ଧୈର୍ଯ୍ୟ ଚ୍ୟୁତି ଘଟିଲେ ମଧ୍ୟ ସ୍ୱସ୍ତିକ ପାଇଁ ବଞ୍ଚିବାକୁ ପଡିବ ବୋଲି ସଞ୍ଜନା ତାଙ୍କୁ ବୁଝାଏ । ଜ୍ୟେଷ୍ଠ ପୁତ୍ର ବଧୂ ର ବୈଧବ୍ୟ ଓ କନିଷ୍ଠ ପୁତ୍ର ବଧୂ ର ଦୌରାତ୍ମ କୁ ସନ୍ତୁଳିତ କରି ରଖିବାକୁ ସଞ୍ଜନା ବାପା ଙ୍କୁ ସାହସ ଦିଏ । କୌଣସି ପ୍ରକାରେ ଦିନ ଅତିବାହିତ ହେଉଥାଏ ।                    

ସମୟ ର ଫାଇଦା ନେବା ପାଇଁ ସୁଷେନ ଭିନ୍ନେ କରୁଥିବା ମଝିଭାଗ ବନ୍ଦ କବାଟ କୁ ଖୋଲି ଦେବା ପାଇଁ କହେ । ସେଥିରେ ବନ୍ଦନା ରାଜି ହୁଏ ନାହିଁ । ତେଣୁ ସେ କଥା ରେ ଅଶାନ୍ତି ବଢେ । ଏ ଘଟଣା ରେ ମୀନାକ୍ଷୀ ସମ୍ପୂର୍ଣ୍ଣ ରୂପେ ବନ୍ଦନା କୁ ନିର୍ଲଜ ଭାଷା ରେ ଆକ୍ଷେପ କରେ ଓ ଅତି ଅସଭ୍ୟ ମନ୍ତବ୍ୟ ଦିଏ । ଭାବେନା ଜଣକର ପରିସ୍ଥିତି କୁ । ଗୋଟିଏ ବିଲ୍ଡିଂଗରେ ଅଲଗା ଭାଗ ହୋଇ  ଜଣକ ଝରକା କୁ ଆଉ ଜଣକ ଝରକା ଲାଗି ଲାଗି ରହିବା କଷ୍ଟକର ହୋଇପଡେ । କାରଣ ସେଇ ଝରକା ଦେଇ ମୀନାକ୍ଷୀର ସବୁତକ କ୍ରୋଧ, ଅସୂୟା, ଅଶ୍ଳୀଳ ମନ୍ତବ୍ୟର ରୂପ ନିଏ । ତେଣୁ ଉପଯୁକ୍ତ ଭାବେ ଜମିବାଡ଼ି ଘରଦ୍ୱାରର ବଣ୍ଟନ ପ୍ରକ୍ରିୟା ଆରମ୍ଭ ହୁଏ । ଏସବୁ ପ୍ରକ୍ରିୟା ବୁଝିବାର ଜ୍ଞାନ ନ ଥାଏ ସୁଷେନ ର । ବାପା ତାକୁ ତା ଭାଗ ସମ୍ପତ୍ତି ରୁ ବେଦଖଲ କରୁଛନ୍ତି ଭାବି ସେ ଘର ଭିତରୁ ପରିବାର ଲୋକଙ୍କୁ ଅକଥ୍ୟ ଭାଷା, ଅଶାଳୀନ ମନ୍ତବ୍ୟ ଫିଙ୍ଗେ । ଚିରଞ୍ଜୀବ ବନ୍ଦନା,ସଞ୍ଜନା ସ୍ତବ୍ଧ, ହତଚକିତ ରହିଯାନ୍ତି । କିନ୍ତୁ ସବୁ ସୀମା ଟପିଯାଏ ଯେତେବେଳେ ମୀନାକ୍ଷୀ ସୁଷେନ କୁ ଘର ଭିତରକୁ ଯିବା ପାଇଁ କବାଟ ଖୋଲେ ନାହିଁ କିମ୍ବା ପ୍ରତୀକ କୁ ମଧ୍ୟ କୌଣସି ପ୍ରତିକ୍ରିୟା ଦେଖାଏ ନାହିଁ । ସୁଷେନ ବାଧ୍ୟ ହୋଇ ଦୁଇଦିନ ଘର ବାହାରେ ଥଣ୍ଡାରେ କୌଣସି ପ୍ରକାରେ କଟାଇଲା ପରେ ମୀନାକ୍ଷୀ କବାଟ ଖୋଲେ କିନ୍ତୁ ଘର ଭିତର ର ଦୃଶ୍ୟ ଅତି ବିଚିତ୍ର ହୋଇଯାଇଥାଏ । ଛୋଟ ପିଲାଙ୍କ ପରି ଘର ମଧ୍ୟରେ  ଝାଡା ପରିସ୍ରା ସହିତ ନାନା ପ୍ରକାର ବର୍ଜ୍ୟବସ୍ତୁରେ ଚଟାଣ ଅପରିଷ୍କାର ହୋଇପଡ଼ିଥାଏ । ସୁଷେନର ପ୍ରଶ୍ନର ଉତ୍ତର ନଦେଇ ତାକୁ ଓଲଟି କହେ, --" ମୋତେ ବନ୍ଦ କରି ଘରେ ରଖୁଛି । ରହି ଥା, ପୋଲିସ ଡାକି ତୁମ ସମସ୍ତଙ୍କୁ ଧରେଇବି ।"

ଘରଦ୍ୱାର ପରିଷ୍କାର ପରିଛନ୍ନ କରିଵାକୁ ଗଲାବେଳେ କୋହ ଉପରେ କୋହ ଉଠି ସୁଷେନ କାନ୍ଦି ପକାଏ । ୟା ଭିତରେ ଦୀର୍ଘ ଅଠର ବର୍ଷ ବିତି ଗଲାଣି । ସହ୍ୟ କରି କରି ଆଉ ଧୈର୍ଯ୍ୟ  ରହୁନି ତା'ର ଏସବୁ କରିବାକୁ । ଯୋଉ ବାପା କୁ ସେ  ଏଇ କିଛିଦିନ ଆଗରୁ ଅପମାନିତ କରିଥିଲା ସେଇ ବାପାଙ୍କ ପାଖରେ ଦିନେ ଆସି କାନ୍ଦି ପକେଇଲା । ମୀନାକ୍ଷୀ ର ତାକୁ ଓ ଘରପରିବାରର ସଦସ୍ୟଙ୍କୁ ଆକ୍ରମଣ କରିବା ଘଟଣାକୁ କେନ୍ଦ୍ର କରି ମୀନାକ୍ଷୀ କୁ ନେଇ ଗୋଟେ ମେଣ୍ଟାଲ ଆସିଲମରେ ରଖିବାର ପ୍ରସ୍ତାବ ଦେଉଥିଲେ ପାଖ ପଡିଶା ଲୋକେ । କିନ୍ତୁ ସୁଷେନ ଏସବୁକୁ ଗୁରୁତ୍ୱ ଦେଉ ନ ଥିଲା । କିନ୍ତୁ ଏବେ ଏବେ ତା'ର ହୃଦବୋଧ ହେଲାଣି ଯେ ମୀନାକ୍ଷୀ କୁ ଆଉ ଘରେ ରଖିବା ସମ୍ଭବ ପର ନୁହେଁ ।

ପ୍ରତୀକ ବି ଆଉ ଛୋଟ ପିଲା ନୁହେଁ । ଅଠର ବର୍ଷ ହେବାକୁ ବସିଲାଣି । ସେ ସବୁ ବୁଝିପାରୁଛି । ଏକ ଅବ୍ୟକ୍ତ ବେଦନା ରେ ଗୁମୁରି ଗୁମୁରି ମନ ପକ୍ଷୀ ତା'ର କାନ୍ଦି ଉଠୁଛି । ସବୁ ଘରେ ସମସ୍ତେ ନିଜ ନିଜ ବାପା ମାଆ ଙ୍କ ସାଥୀରେ ଓ ପରିବାରର ଅନ୍ୟ ସଦସ୍ୟ ମାନଙ୍କ ସହିତ କେତେ ଖୁସି ରେ ରହୁଥିବା ବେଳେ ସେ କେମିତି ଦୟନୀୟ ଜୀବନ ବିତାଉଛି ଭାବିଲେ ଖୁବ୍ ଘୃଣା ଆସେ ତା ନିଜ ଉପରେ । ଛିଃ..... ଏତେ କଦର୍ଯ୍ୟ ଜୀବନ ହେବ ବୋଲି ସେ ସ୍ବପ୍ନ ରେ ସୁଦ୍ଧା ଭାବି ନ ଥିଲା । ଘରେ ମାଆ ର ପାଗଳାମୀ ଯୋଗୁଁ ବାପା ଆଣି ହୋଷ୍ଟେଲ ରେ ରଖେଇଦେଲେ, ପାଠ ଟା ଟିକିଏ ଭଲ ପଢିବ ବୋଲି । କିନ୍ତୁ ସେ ଜାଣେ, ପରିସ୍ଥିତି ନ ବଦଳିଲା ପର୍ଯ୍ୟନ୍ତ ସମୟ ଏମିତି ଚାଲିଥିବ । କିନ୍ତୁ ସେ ତ ଛୋଟ ବେଳୁ ଦେଖି ଆସୁଛି ବାପା ହିଁ ତା'ର ଓ ଘର ର ସବୁ କାମ  ପ୍ରାୟ କରନ୍ତି । ସ୍କୁଲ ଯିବା, ଟିଫିନ ସଜାଡିବା, ଟ୍ୟୁସନ ନେବା ଆଣିବା, ଦେହ ପା'ରେ ଜଗା ରଖା ସବୁ କାମ କରି ଆସୁଛନ୍ତି । ତା ପରେ ପରେ ମାଆର ବେମାରୀ ବାହାରିଲା ସମୟରେ ରୋଷେଇ ଠାରୁ ଆରମ୍ଭ କରି ସବୁକିଛି କରନ୍ତି । ମାଆ କରୁଥିବା ସବୁ ଜିଦ୍ଦି ପୂରଣ କରନ୍ତି । ତଥାପି ମାଆ, ବାପା ଉପରେ ଗର ଗର ରବେଇ ଖବେଇ ହୁଏ । ତା'ର କାରଣ ସେ ବୁଝିପାରେନା । ଜେଜେ ତ ଏବେ ସବୁ ସମ୍ପତ୍ତି ଭାଗ ବି କରିଦେଇଛନ୍ତି । ପୁଣି କାହିଁକି ମାଆ ଜେଜେ ଙ୍କୁ ଗାଳି କରେ ଓ ବଡ ମାଆ କୁ, ବାପାକୁ ଗାଳି କରେ ସେ ବୁଝିପାରେନା । ପିଉସୀ କୁ ଯଦି ଘର ବାଡି ଦିଆଗଲା, ଠିକ୍ ଅଛି ସେଥିରେ ଆମର ବା କଣ ଯାଏ ଆସେ ? ସେ ତ ଆଉ ଆମ ସମ୍ପତ୍ତିରୁ ନେଉନାହାନ୍ତି । କିନ୍ତୁ ବାପା ଓ ମାଆ ଉଭୟ ତାଙ୍କ ଉପରେ ଗାଳି ବର୍ଷଣ କରନ୍ତି କୁତ୍ସିତ ଭାଷାରେ । ଏଠାରୁ ଚାଲିଯିବାକୁ ବାରମ୍ବାର ଧମକ ଦିଅନ୍ତି କ'ଣ ପାଇଁ ସେ ବୁଝିପାରେନା । କିନ୍ତୁ ଏତିକି ସେ ବୁଝେ ବାପା ମଦ୍ୟପାନ କରି ସମସ୍ତଙ୍କୁ ଖରାପ ଭାଷା ରେ ଗାଳି ଦିଅନ୍ତି । ଭଲ ଥିଲେ କାହାକୁ ମୁଣ୍ଡ ଟେକି ଚାହାଁନ୍ତିନି ମଧ୍ୟ । କେବେ କେବେ ମଦ ନ ଖାଇ ଭଲ ଥିବା ଅବସ୍ଥାରେ ମାଆ କୁ ହସ୍ପିଟାଲରେ ଭର୍ତ୍ତି କରିବା କଥା ବାପା କହୁଥିଲେ ମଧ୍ୟ ସେ ପ୍ରତିରୋଧ କରୁଥିଲା । କିନ୍ତୁ ଏବେ ତାକୁ ମଧ୍ୟ ଲାଗୁଛି ମାଆ ର ବେମାର ଟା ବହୁତ ଅଧିକ ବଢିଯାଇଛି । କାରଣ ସେ  ଆଉ କାହାକୁ ଭଲ ରୂପେ ଚିନ୍ହି ପାରୁନି । ଅଧିକାଂଶ ସମୟରେ "ହଣ୍ଡ୍ରେଡ଼... ହଣ୍ଡ୍ରେଡ଼, ଚିତ୍କାର କରି ପୋଲିସ ରେ ଦେବ ବୋଲି କହୁଛି । ତେଣୁ ତାକୁ ମେଣ୍ଟାଲ ଆସିଲମ ରେ ଭର୍ତ୍ତି କରିଦେଲେ ସେ ଭଲ ହୋଇଯାଇପାରେ ଭାବି ବାପା କଥାରେ ସହମତ ହୁଏ ।

କିନ୍ତୁ ମୀନାକ୍ଷୀ ସହଜରେ ମାନେନା କିମ୍ବା ଘର ଭିତରୁ ବାହାରକୁ ଆସେନା । ଓଲଟି ସମସ୍ତଙ୍କୁ  ସମ୍ପୂର୍ଣ୍ଣ ଅଶ୍ଳୀଳ ଭାଷା ରେ ଗାଳି କରେ । ପଡିଶା ଘରେ ବନ୍ଦନା କୁ ଦେଖିଲେ ଝରକା ଦେଇ ବନ୍ଦନା କୁ ସେଠାରୁ ଘଉଡେଇ ଦେବା ପାଇଁ କହେ ସେମାନଙ୍କୁ । ବିଚିତ୍ର ବିଚିତ୍ର ଉପମା ଦିଏ ବନ୍ଦନା କୁ । ସେ ବିଧବା । ସ୍ୱାମୀ ଖାଇ । ବେଶ୍ୟା । ସଜେଇ ହୋଇ ବୁଲିବାକୁ ଲାଜ ଲାଗୁନି ତାକୁ । ସାହି ପଡିଶା ଘର ବୁଲିବାରେ ତା ର ଅଧିକାର ନାହିଁ । ସେ ମଦ ବିକ୍ରୀ କରି ସୁଷେନ କୁ ପିଆଉଛି । ଇତ୍ୟାଦି ଇତ୍ୟାଦି ଅତି ତାତ୍ସଲ୍ୟ ପୂର୍ଣ୍ଣ କଥା ଓ ଅତି ନିମ୍ନ ସ୍ତର ର ଭାଷା ପ୍ରୟୋଗ କୁ ସମସ୍ତେ ବିରୋଧ କରନ୍ତି ଏବଂ ମହିଳା ସମିତି କୁ ଡାକିବା ପାଇଁ ଧମକ ଦିଅନ୍ତି । ସେଥିରେ ସୁଷେନ ନିଜର ଅପମାନ ହେବାର ଆଶଙ୍କା କରି ମୀନାକ୍ଷୀ କୁ ହସ୍ପିଟାଲରେ ଭର୍ତ୍ତି କରିବା ପାଇଁ ତା'ର ଶ୍ୱଶୁର ଓ ଶଳା ର ସାହାଯ୍ୟ  ନିଏ । ଅବଶେଷରେ ମୀନାକ୍ଷୀ ମେଣ୍ଟାଲ ଆସିଲମ ରେ ଭର୍ତ୍ତି ହୁଏ । କିନ୍ତୁ ତା'ର ମାନସିକ ସନ୍ତୁଳନ ଆହୁରି ଅଧିକ ବିଗିଡିଯାଏ । ସ୍ୱାମୀ ସୁଷେନକୁ ବିଧବା ଯାଆ ସହିତ  ଅବୈଧ ସମ୍ପର୍କର କଳ୍ପନା କରି ନିଜକୁ ଅସୁରକ୍ଷିତ ମନେ କରିବା ସହିତ ସେମାନଙ୍କୁ ଅତି ଅଶ୍ଳୀଳ ଭାଷା ରେ ଗାଳି ଦିଏ । ପାଖ ପଡିଶା ର ସ୍ତ୍ରୀ ଲୋକ ମାନେ ଶାନ୍ତ୍ୱନା ଦିଅନ୍ତି ବନ୍ଦନା କୁ । କିଛି ଉପାୟ ନ ଥାଏ ନୀରବରେ ସହିବା ଓ ଅଶ୍ରୁ ତର୍ପଣ ବ୍ୟତୀତ । ପ୍ରତୀକର ଉଚ୍ଚ ଶିକ୍ଷା ଓ ମୀନାକ୍ଷୀ ର ଚିକିତ୍ସା ପଛରେ ଟଙ୍କା ଖର୍ଚ୍ଚ କରିବା ପାଇଁ ସୁଷେନ ଭିଟା ମାଟି ର ସମ୍ପତ୍ତି ବିକ୍ରୀ କରିଦିଏ । ପ୍ରତୀକ ରହେ ହଷ୍ଟେଲରେ । ସୁଷେନ ନିଜ ଚାକିରୀ କୁ ବଞ୍ଚେଇ ରଖିବା ପାଇଁ ସ୍କୁଲ ପାଖରେ ଗୋଟେ ଛୋଟ ଘରେ ଭଡା ନେଇ ରହେ । ଅତ୍ୟଧିକ ଦୁଃଶ୍ଚିନ୍ତା ଓ ଅଶାନ୍ତି ମଧ୍ୟରେ ସୁଷେନ ଅଧିକ ରୁ ଅଧିକ ମଦ ପିଇ ରାତିରେ ଶୋଇଯାଏ ।

ସଞ୍ଜନା ଅନ୍ୟତ୍ର ଜାଗା କିଣି ଘରଦ୍ୱାର କରିସାରିଥାଏ । ବାପାଙ୍କ ସ୍ୱାସ୍ଥ୍ୟ ଅବସ୍ଥା କୁ ଦେଖି ସେ ଚିରଞ୍ଜୀବ ବାବୁ ଏବଂ ବନ୍ଦନାଙ୍କୁ ତା ପାଖରେ ଆସି ରହିବାକୁ ପରାମର୍ଶ ଦିଏ । ସୁଷେନ ଚାଲିଗଲା ପରେ ବାପା ସହିତ ଆଉ କୌଣସି ସମ୍ପର୍କ ରଖି ନଥାଏ । ତେଣୁ ଚିରଞ୍ଜୀବ ବାବୁ ମଧ୍ୟ ସେ ସ୍ଥାନରେ ରହିବାକୁ ଇଛା କରୁ ନ ଥାନ୍ତି । ତେଣୁ ସେ ଘରକୁ ଭଡା ଦେଇ ସେମାନେ ସଞ୍ଜନା ପାଖରେ ଆସି ରହନ୍ତି । ଇତି ମଧ୍ୟରେ ପ୍ରତୀକ ର ପଢା ପଢି ସରିଯାଇଥାଏ । ସେ ଏକ ବହୁରାଷ୍ଟ୍ରୀୟ କମ୍ପାନୀ ରେ ଜବ ଟିଏ ପାଇ ସୁଷେନକୁ ପାଖରେ ଆଣି ରଖିଥାଏ । କିନ୍ତୁ ଅତ୍ୟଧିକ ମଦ୍ୟପାନ ଯୋଗୁଁ ସୁଷେନର କିଡନୀ ଦୁଇଟି ନଷ୍ଟ ହେବା ଉପରେ ଥାଏ । ତେଣୁ ବାପା ର ଚିକିତ୍ସା ପାଇଁ ଦରମାର ଅର୍ଧେକ ଖର୍ଚ୍ଚ ହେଉଥାଏ ତା'ର । ମାଆ ମାନସିକ ରୋଗୀ, ବାପା ଡାଏଲୋସିସ ରୋଗୀ । କର୍ତ୍ତବ୍ୟ ଓ ଦାୟିତ୍ବ ସାଥୀରେ ମନ ତାଳ ଦେଉ ନ ଥିଲା ବେଳେ ଲକ୍ଷ୍ୟହୀନ ହୋଇ ଚାଲିବା ହିଁ ଯେମିତି ପ୍ରତୀକ ର ଲକ୍ଷ୍ୟ ହୋଇଯାଇଥିଲା । କିନ୍ତୁ ଅଚାନକ ସିମ୍ରନ ର ଆବିର୍ଭାବ ତା ଅନ୍ଧାରୁଆ ଆକାଶରେ ଅମାବାସ୍ୟା ର ଚନ୍ଦ୍ର ସଦୃଶ ପ୍ରତୀୟମାନ ହୁଏ । ସିମ୍ରନ ଏକ ଅରଫାନେଜ ରେ ବଢ଼ିଥାଏ । ପିତୃମାତୃ ପରିଚୟ ହୀନ, ସ୍ନେହ ଶ୍ରଦ୍ଧା ରୁ ବଞ୍ଚିତ । ପରିବାର ବୋଲି ସେ ବୁଝେ ତା ଅରଫାନେଜ କୁ । ଫାଦର ଆଉ ନନ ମାନଙ୍କୁ । ଯେଉଁମାନଙ୍କର ଆଦର ଯତ୍ନ ରେ ସେ ବଢିଛି ଆଉ ନିଜେ ନିଜକୁ ଛିଡା କରାଇ ପାରିଛି ସମାଜ ରେ, ଆର୍ଥିକ ମାନଦଣ୍ଡ ସହିତ ଖାପ ଖୁଆଇ ପାରିଛି । ସେଇ ଗୋଟିଏ କମ୍ପାନୀ ରେ ପ୍ରତୀକ ସହିତ ଭେଟ ହୁଏ ଓ ଧୀରେ ଧୀରେ ଦୁହେଁ ଦୁହିଁଙ୍କୁ ପସନ୍ଦ କରନ୍ତି ଓ ପରସ୍ପର ଙ୍କୁ ବୁଝନ୍ତି । ସେଇ ବୁଝିବାର ଡୋର ହିଁ ଟାଣି ନିଏ ଜୀବନ ସାଥୀରେ ରୂପାନ୍ତର କରିବାର ନିଷ୍ପତି । କିନ୍ତୁ କାହା ଉପସ୍ଥିତିରେ, କାହା ଆଶୀର୍ବାଦ ରେ ସେ ଭବିଷ୍ୟତକୁ ସାଉଣ୍ଟିବା ପାଇଁ ଯିବ ? ଦେଖିବାକୁ ଗଲେ ସମ୍ପର୍କୀୟ ଙ୍କର ଲମ୍ବା ତାଲିକା ଅଛି ହେଲେ ନିଜର ବୋଲି କହିବାକୁ କିଏ ଅଛି ? ଅନେକ ଦିନରୁ ଦାଦୁ ସହିତ, ବଡ ମାଆ, ପିଉସୀ ସହିତ କୌଣସି ସମ୍ପର୍କ ନାହିଁ । ସେମାନଙ୍କ ର ବି କ'ଣ ତାକୁ ଥରେ ହେଲେ ଦେଖିବାକୁ ,କଥାହେବାକୁ ଇଛାହୁଏ ନାହିଁ  ? ମନ ଟା ଖୁବ୍ ଉଦାସ ହୋଇଯାଏ ପ୍ରତୀକ ର । ଦେଖିବାକୁ ଗଲେ ସିମ୍ରନ ଠାରୁ ସେ ଅଧିକ ହତଭାଗା । ବାପା ମାଆ ଥାଇ ବି ନ ଥିଲା ପରି ସେ ବିତାଇ ଆସିଲାଣି ଆଠ ବର୍ଷ ।
     
ପାଠ ପଢା ସାରିବା ପରେ ଯେତେବେଳେ ସେ ବୁଝିବାର ହୋଇଗଲା ଡାକ୍ତର ଙ୍କ ଠାରୁ ଜାଣିଲା ଯେ ତା ମାଆ ଭୟଙ୍କର ସିଜୋଫ୍ରେନିଆ  (ମାନସିକ ରୋଗ) ରେପୀଡିତ । ଚାରିବର୍ଷ ହେବାକୁ ବସିଲାଣି ହସ୍ପିଟାଲରେ ରହିବାର । ତଥାପି ତା'ର ଆଣ୍ଟି ସୋସିଆଲ ଏକଟିଭିଟିଜ ରହିଛି।ଭଲ ହେବାର କୌଣସି ଲକ୍ଷଣ ଦେଖାଯାଉନାହିଁ । ଡକଟର ଙ୍କ ହିସାବ ରେ ସେ ପୂର୍ବାପେକ୍ଷା ଯଥେଷ୍ଟ ଭଲ ଅଛି । ଉନ୍ନତି ହୋଇଛି ଓ ଆଗକୁ ବି ହୋଇପାରେ । ତେବେ ମାଆ ତାକୁ ଭଲ କରି ଦେଖିବା ପାଇଁ ପାଖକୁ ଡାକୁନାହିଁ କାହିଁକି ? ସେ ବୁଝିପାରେନା ।

ଆଜି ସେ ମନସ୍ଥ କରିଥିଲା, ସେଇ କଥା କହିବାକୁ ହେଲେ କିଛି ହେଲାନାହିଁ । ମଥା ର ଶିରା ପ୍ରଶିରା ଗୁଡିକ ଅସହ୍ୟ ଯନ୍ତ୍ରଣାରେ ଫାଟିପଡନ୍ତି ବେଳେ ବେଳେ । ଓଃ.... ସେ ବି ଆଉ ଶୀକାର ହେବନି ତ ମାଆ ପରି....। ସିମ୍ରନ ପାଖେ ପାଖେ ଛାଇ ପରି ଲାଗି ରହିଛି । ନିବିଡ ଆଶ୍ଲେଷରେ ବାନ୍ଧି ରଖି ଶାନ୍ତ୍ୱନା ଦିଏ । ସାହସ ଦିଏ ଆଗକୁ ବଢ଼ିବାରେ ପ୍ରେରଣା ଦିଏ । ପ୍ରତୀକ ଅନନ୍ତ ଆକାଶରେ ବିଛାଇ ପଡିଥିବା ନୀଳ ଜ୍ୟୋତ୍ସ୍ନା ଆଡ଼କୁ ଚାହିଁ ସିମ୍ରନ ର ହାତକୁ ଜାବୁଡି ଧରେ ---ସିମି ମୋତେ ଭାରି ଭୟ ଲାଗୁଛି । ଭବିଷ୍ୟତରେ ଆମ ପିଲା କେହି ଏହାର ଶୀକାର ହେବନି ତ ??

----ଭବିଷ୍ୟତର ଦୁଃଶ୍ଚିନ୍ତାରେ ବର୍ତ୍ତମାନ କୁ କାହିଁକି ହରାଇବା ପାଇଁ ଯିବା ? ଯୋଉଠି ମନୁଷ୍ୟତ୍ୱ ହାର ମାନେ ସେଇଠି ଭୟ, ଭ୍ରାନ୍ତି ଦେଖାଯାଏ । ଅଳ୍ପକେ ସନ୍ତୁଷ୍ଟ, ସୁଖ, ଶାନ୍ତି, ମୈତ୍ରୀ, ପ୍ରୀତି, ଅନ୍ୟକୁ ବୁଝିବାର ଶକ୍ତି ଥିଲେ ଏପରି ସମସ୍ୟା ଆସେନା ପ୍ରତୀକ । ମୋତେ ଭୁଲ ବୁଝିବନି, ତୁମ ମାଆଙ୍କ ପାଖରେ ଏସବୁ କିଛି ନ ଥିଲା ବୋଲି ତୁମ ପରିବାର ନଷ୍ଟ ହୋଇଗଲା ପ୍ରତୀକ । କିନ୍ତୁ ମୁଁ ଏମିତି କିଛି ହେବାକୁ ଦେବିନି । ମୋ ଉପରେ ଭରସା ରଖ । ଅଯଥା ଷ୍ଟାଟସ, କିମ୍ବା ଅନ୍ୟ ଆଗରେ ନିଜର ବଡେଇ କରିବା, ଆତ୍ମ ବଡିମା.. ଏସବୁ ଠାରୁ ଯଥେଷ୍ଟ ଦୂରରେ ଆମର ରହିବା ଉଚିତ । ତେଣୁ ଭଗବାନ ଆଉ ନିଜ କର୍ମ ଉପରେ ସବୁବେଳେ ବିଶ୍ୱାସ କରି ଆଗେଇ ଚାଲ । ଦଣ୍ଡେ ଚୁପ ରହି.... ଏଥର ଉଠ.. ଯିବା... କାଲି ପୁଣି ତୁମର ବାପା ଙ୍କୁ ହସ୍ପିଟାଲ ନେବାର ଅଛି ।
  
ହସ୍ପିଟାଲରେ ଆଜି ପ୍ରବଳ ଭିଡ । ଅନେକ ଡିପାର୍ଟମେଂଟ ରେ ବିଭିନ୍ନ ରୋଗୀ ଦୂରଦୂରାନ୍ତରୁ ଆସିଛନ୍ତି । ହ୍ବିଲ ଚେୟାରରେ ସୁଷେନ କୁ ଗଡେଇ ନେଉଥାଏ ପ୍ରତୀକ ନିର୍ଦ୍ଦିଷ୍ଟ କ୍ୟାବିନ ଆଡକୁ । ହଠାତ ସୁଷେନ ଏକ ପ୍ରକାର ଅସ୍ପଷ୍ଟ ଚିତ୍କାର କରି ଉଠିଲା.... ଭା...ଉ...ଜ.. । ପ୍ରତୀକ ଓ ସିମ୍ରନ ସେଇ ଦିଗ ପ୍ରତି ମୁହଁ ଘୁରାଇଲେ ରିସେପସନରୁ ଟିକିଏ ଛାଡି ୟୁଏଟିଙ୍ଗ ଧାଡିରେ ବସିଥିବା  ଗୌର ବର୍ଣ୍ଣ ର ପ୍ରୌଢମହିଳାଙ୍କ ଆଡକୁ । ଦର ଚିନ୍ହିବା ପରି ଲାଗିଲା ପ୍ରତୀକ କୁ । ମୁହଁରେ ବିଷର୍ଣ୍ଣ ଭାଵ ଆଉ କ୍ଳାନ୍ତି ସ୍ପଷ୍ଟ ଭାବରେ ଜଣାପଡ଼ୁଛି । ଆଖି ତଳ ଦାଗ କହିଦେଉଛି କିଛି ଦିନ ର ପରିଶ୍ରମ ଆଉ ଅନିଦ୍ରା । ସିମ୍ରନକୁ ସୁଷେନ ପାଖରେ ଛାଡିଦେଇ ପ୍ରତୀକ ଆଗେଇ ଗଲା । ସେ ଯାଉ ଯାଉ ମହିଳା ରିସେପସନରୁ ବାହାରକୁ ଚାଲିଯାଇଥାନ୍ତି । ପ୍ରତୀକ ହାତରୁ ଯେମିତି ହଜିଯାଉଥିଲା ଏକ ମୂଲ୍ୟବାନ ମଣି । ପିଲାଙ୍କ ପରି ଦୌଡି ଦୌଡି ବାହାରକୁ ଚାଲିଯାଇ ଡାକପକାଇଲା.. ବଡ ମାଆ ...। ସେ ଡାକରେ କି ଏକ ମୋହ ଥିଲା ସବୁ ଚାଲୁଥିବା ଲୋକ ଘଡିଏ ଘୁରି ଚାହିଁଲେ । ପ୍ରତୀକ ପାଖକୁ ଆସି ସାରିଥିଲା, --ମୋତେ ଚିନ୍ହି ପାରୁଛନ୍ତି.....? ସେ ନୀରବ ରେ ପ୍ରଶ୍ନିଳ ଆଖିରେ ଚାହିଁଲେ ପ୍ରତୀକକୁ ।

--ମୁଁ... ମୁଁ.. ପ୍ରତୀକ ବଡ ମାଆ ।

ଆଖିକୋଣରୁ ଝରିଆସିଲା କେଇବୁନ୍ଦା ଲୁହ ବନ୍ଦନାର । ଫେରି ଆସିଲା ହସ୍ପିଟାଲ ଭିତରକୁ । ସୁଷେନକୁ ଦେଖି ଦୟା ଲାଗିଲା । ସିମ୍ରନ ତାକୁ ମୁଣ୍ଡିଆ ମାରିଲା ବେଳେ ମାତୃତ୍ବର ସ୍ନେହ ରେ ବନ୍ଦନା ତାକୁ ଛାତିରେ ଜଡାଇ ଧରିଲା । ଚିରଞ୍ଜୀବ ବାବୁ ପନ୍ଦରଦିନ ହେଲାଣି ଶଯ୍ୟାଶାୟୀ । ମସ୍ତିଷ୍କ ପକ୍ଷାଘାତରେ ତାଙ୍କର ଚୈତନ୍ୟ ଶକ୍ତି ବିଲୁପ୍ତ । ତେଣୁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ବାପା ଙ୍କ କଥା ଜାଣି ଓ ନିଜର ଅବିବେକିପଣିଆ କୁ ଚିନ୍ତା କରି ସୁଷେନ ଝର ଝର ହୋଇ କାନ୍ଦି ପକେଇଲା । କିନ୍ତୁ ଏବେ ତ ଶେଷ ପ୍ରାୟ । କେବଳ ମହାପ୍ରୟାଣ କୁ ଅପେକ୍ଷା ମାତ୍ର ।

--ଭଲ ହେଲା ତୁମ ସହ ସାକ୍ଷାତ ହେଲା ଭାଉଜ । ପ୍ରତୀକକୁ ସାହାରା ମିଳିଗଲା । ମୀନାକ୍ଷୀ ସୁସ୍ଥ ଅବସ୍ଥାକୁ ଆସିବ କି ନାହିଁ ସେକଥା କହିହେବନି । କିନ୍ତୁ ମୁଁ ଏବେ ନିଶ୍ଚିନ୍ତ ହୋଇଗଲି । ପ୍ରତୀକ ଉଦ୍ଦେଶ୍ୟରେ, "ତୁ ଆଉ ନିଜକୁ ହତଭାଗା କହିବୁନି । ଭାଉଜ ତୁମେ ଏ ଦୁହିଁଙ୍କ ବାହାଘର କରେଇବ, ମୋର ଆଉ ମୀନାକ୍ଷୀ ର ଦୋଷ ନ ଧରି ଢେର ସାରା ଆଶୀର୍ବାଦ ଦେବ ।" ଆଖିରୁ ଧାର ଧାର ହୋଇ ଲୁହ ବୋହିଯାଉଥାଏ ପଶ୍ଚାତାପର....ଅଭିମାନର....। ବନ୍ଦନା ପ୍ରତୀକ ଓ ସିମ୍ରନ ର ହାତ କୁ ଛନ୍ଦି ଦେଇ ଶାନ୍ତ୍ୱନା ଦେଇ କହିଲା, "ହଁ.. ମୁଁ ସବୁ କରିବି.... ସେ ଦୁହିଙ୍କର ଭଲ ମନ୍ଦ ଆଜିଠାରୁ ମୁଁ ବୁଝିବି । ତୁମେ ସମସ୍ତେ ଭଲ ହୋଇଯିବ, ରାଧାମାଧବ ଙ୍କ ଦୟାରୁ ।
  
ସେଦିନ ସନ୍ଧ୍ୟାରେ ବନ୍ଦନା ସିମ୍ରନ ଓ ପ୍ରତୀକ କୁ ରାଧାମାଧବ ଙ୍କ ତୁଳସୀ, ଦୟଣା ଓ ସିନ୍ଦୁର ଦେଇ ପତିପତ୍ନୀ ରୂପେ ସଜେଇ ମୀନାକ୍ଷୀ ର ଆଶୀର୍ବାଦ ନେବାକୁ ମେଣ୍ଟାଲ ଆସିଲମ ନେଇଗଲା । ଶୋଇଥିବା ଅବସ୍ଥାରେ ମୀନାକ୍ଷୀ ର ହାତକୁ  ପ୍ରତୀକ ଓ ସିମ୍ରନ ମଥାରେ ବୁଲାଇ ନେଲେ ନର୍ସ ବନ୍ଦନାର ନିର୍ଦ୍ଦେଶ ରେ । ଫେରିଆସୁଥିଲା ବେଳେ ଅସ୍ପଷ୍ଟ ଶବ୍ଦ ଶୁଭୁଥିଲା, ମୋ ଜିନିଷ ନେଇଯାଉଛୁ..., ମୁଁ ତୋତେ ପୋଲିସ ରେ ଦେବି..... ହଣ୍ଡ୍ରେଡ଼... ହଣ୍ଡ୍ରେଡ଼.... ବନ୍ଦନା କାଚ ଝରକା ଦେଇ ଫେରିଚାହିଁଲା, ବୋଧହୁଏ ମୀନାକ୍ଷୀର ନିଦ ଭାଙ୍ଗି ଯାଇଥିଲା.... ନର୍ସ  ଇଞ୍ଜେକ୍ସନ ରେଡି କରୁଥିଲେ... ।।

ସିପ୍ରା ନାମତା (ନମ୍ରତା)
ବାରିପଦା, ମୟୁରଭଞ୍ଜ

0 Comments