କ୍ଷୁଦ୍ରଗଳ୍ପ - ଗଳ୍ପ ହେଲେ ବି ସତ (ଭାଗ- ୨) - ଦିପ୍ତୀଲେଖା ମିଶ୍ର

କ୍ଷୁଦ୍ରଗଳ୍ପ - ଗଳ୍ପ ହେଲେ ବି ସତ (ଭାଗ- ୨) - ଦିପ୍ତୀଲେଖା ମିଶ୍ର


ଲିଲି ତା ବାପାଙ୍କ କୋଳରେ ଶୋଇଥିଲା । ହଠାତ୍ ଏକ ଦୁଃସ୍ବପ୍ନ ଦେଖିଲା କି ତା ବଡ ଭଉଣୀର ବାହାଘର ତା ଅନିଛାସତ୍ତ୍ବେ କରାଯାଉଛି । ନାନୀ ତାର ବହୁତ କାନ୍ଦୁଛି । କହୁଛି ବାପା ମୋତେ ଏତେ ଶୀଘ୍ର ବାହା କରନି । ବାପା କହୁଛନ୍ତି ଦେଖେ ମାମା ତୋରି ବଉ ଆଜି ମୋତେ ଏକା କରି ଆରପାରିକୁ ଚାଲିଗଲା । ମୋତେ ତୁମମାନଙ୍କ ସବୁ ଦାୟୀତ୍ବ ଲଦିଦେଲା । ତୁମ କଥା ବୁଝିବାକୁ ମୋର କଣ ଆଉ ବୟସ ଅଛି ? ବୟସ ମୋର ଯେତେ ବଢୁଛି ଆୟୁଷ ବି ସରିସରିଯାଉଛି । ଏଣୁ ତୋ ବାହାଘରଟା ସାରିଦେଲେ ପୁଣି ସଂଚୟ କରି ରଖିବାକୁ ହେବ ଲିଲିର ବାହାଘର ପାଈଁ । ମନା କରେନା ଝିଅ ଭଲ ବର ଆଉ ଭଲ ଘର ପାଇବୁ । ହାତଛଡା କଲେ ଆଉ ଏମିତି ବର କି ଘର ମିଳିନପାରେ ।

ସବୁ ଶୁଣି ନାନୀ ମୁଣ୍ତ ପୋତିଦେଲା । ବାପା ବୁଝିଗଲେ କି ମାମା ରାଜି ହୋଇଗଲା  । ବାପା ଆଉ ନାନୀ ଲିଲିକୁ ସ୍କୁଲ୍ ରେ ଛାଡି ବଜାରକୁ ଗଲେ । ଗଣ୍ଠିବନ୍ଧା ତାଲିକା ଅନୁସାରେ ସବୁ ଜିନିଷପତ୍ର କିଣିଆଣିଲେ । ଘରେ ରଖି ବାପା ଲିଲିକୁ ସ୍କୁଲ୍ ରୁ ଘରକୁ ଆଣିଲେ । ଲିଲି ସେ ସବୁ ଦେଖି କହିଲା ବାପା ଏସବୁ ନାନୀ ପାଈଁ ଆଉ ମୋ ପାଈଁ କିଛି ଆଣିନ ? ମୁଁ ତୁମର ମନେ ପଡିଲିନିନା ? ବାପା କହିଲେ ତୋ ପାଇଁ ବି କିଛିଦିନ ପରେ ଏମିତି ଜିନିଷ ଅଣାହେବ ଲୋ ବୋକି !
   
କିଛିଦିନ ପରେ ଗଣ୍ଠିବନ୍ଧା ହୋଇଗଲା । ପରେ ଶାଶୁଘର ଲୋକ ଦାବି କଲେ ଏକଲକ୍ଷ ଟଙ୍କା ଆଗୁଆ ଦିଅ ତା ପରେ ବିବାହଯୋଗ ବାହାର କରି କହିବୁ  । ବାପା ମୁଣ୍ଡରେ ହାତ ଦେଇ ବସିଗଲେ । ଆଖିରୁ ଲୁହ ଧାର ଧାର ହୋଇ ବୋହି  ପଡୁଥାଏ । ତୁମେ ସ୍ଥିର କରି ମୋତେ ଖବର ଦିଅ କହି ରାଗ ତମତମ ହୋଇ ଉଠିପଡିଲେ ଝିଅର ମାମୁଁ ଶ୍ବଶୁର । ସମସ୍ତେ ଚାଲିଗଲେଣି । ବାପା କିନ୍ତୁ ପଥର ଭଳି ବସିଛନ୍ତି । ମାମା ନାନୀ ବାପାଙ୍କ ଆଖି ଲୁହ ଦେଖି ସହିନପାରି ସିଏ ବି କାନ୍ଦୁଛି । ଲିଲି କିନ୍ତୁ କିଛି କହିପାରୁନଥାଏ । ଅନେକ ଅସନ୍ତୁଷ୍ଟ ଲିଲିର ମନ ଆଉ ଚିନ୍ତାଧାରା । ସବୁ ସୁନ୍ଦର ସ୍ବପ୍ନ ଗୁଡିକ ସତେ ଯେମିତି ଜଳିପୋଡି ଛାରଖାର ହୋଈଯାଇଛି । ଧୂଳି ଖେଳ ଭଳି ବାହାଘର ଭାଙ୍ଗିଯିବକି ? ମୋ ଝିଅ କୁ ଯୌତୁକ କଷ୍ଟ ଦେବେ କି ? ମୋ ଝିଅ ଆତ୍ମହତ୍ୟା କରିଦେବକି ? ଏମିତି ଗୁଡାଏ ପ୍ରଶ୍ନ କରୁଛନ୍ତି ବାପା ମାଆର ଫୋଟଟିକୁ ଦେଖି ।
            
ନାନୀ ବି ମାଆର ଫୋଟକୁ ଦେଖି କହୁଥାଏ ତୁ ଯଦି ଥାନ୍ତୁ ଆଜି ବାପାଙ୍କୁ ବୁଝାନ୍ତୁ  କି ମୋ ବାହାଘର ବନ୍ଦ କରିଦିଅନ୍ତେ । ମୁଁ ବାପାଙ୍କ ସେବା କରି ରହିବାକୁ ଚାହେଁ । ମୁଁ ଶାଶୁଘର ଚାଲିଗଲେ ବାପା କେମିତି ଏକୁଟିଆ ଲିଲି ସହ ରହିବେ ଯେ ? ଲିଲି ତ ବହୁତ ଛୋଟ । ତାର ସବୁ ଭଲମନ୍ଦ ବାପା କଣ ବୁଝିପାରିବେ ? ଶାଶୁଘର ଲୋକ କଣ ମୋତେ ଆପଣାର କରିପାରିବେ ? ଏମିତି ଗୁଡାଏ କଥା କହି ନାନୀ ଭୋଭୋ ହୋଇ କାନ୍ଦୁଛି । ତାର ସାଲ୍ୱାରର ଓଢଣୀ ଲୁହରେ ଭିଜିଗଲାଣି । ଲିଲି ଚମକି ପଡି ଉଠିପଡିଲା । ସତକୁ ସତ ସେମିତି ଘଟଣା ବି ହୋଈଛି । ଲିଲି ର ନିଦ ଯେମିତି ଭାଙ୍ଗିଛି ପାଖରେ ପିଆଜ କଟା ଧରି ବାପା ଆଉ ନାନୀ ବସିପଡିଲେ । କହିଲେ ପିଆଜ ଗୁଡିକ ଭାରୀ କଡା ।
           
ଲିଲି ବି ଭାରୀ ଚାଲାକ୍ । ସିଆଣିଆ ବୁଦ୍ଧିରେ ବାପାଙ୍କୁ କହିଲା ବାପା  ଏତେ ଗଛ କାହିଁକି ବାରିପଟରେ ଲଗାଈଛ ? ଚାଲ ୟା ଭିତରୁ ଗୋଟିଏ ଗଛ ଦାଣ୍ଡପଟେ ଲଗାଇଦେବା । ବାପା କହିଲେ ନାଇଁରେ ଝିଅ ଗଛକୁ ଏହି ସ୍ଥାନରୁ ଅଲଗା ନେଲେ ମରିଯିବ । ବଂଚିବ କି ନାହିଁ ସନ୍ଦେହ । ଆଉ ଟିକେ ବଡ ହେଲେ ହୁଏତ ଚଳିବ । କାରଣ ସେ ଯେଉଁ ମାଟିକୁ ଜାବୋଡି ଧରିଛି ତାଠାରୁ ଅଲଗା କରିଲେ ଖାପଖୁଆଈ ପାରିବନି । ଲିଲି ପଚାରିଲା ବାପା ସିଏ ବି ସଜୀବ । ଝିଅମାନେ ବି ସଜୀବ । ହେଲେ ଝିଅମାନଙ୍କର ବି ସେଈ ଅବସ୍ଥା ହେବନା ? ମାନେ ଆମ ନାନୀ ବି ଶାଶୁଘରେ ବଂଚିପାରିବନି ନା । ବାପା ସଂପୁର୍ଣ ଚିନ୍ତାଶୂନ୍ୟ ବର୍ତ୍ତମାନ ॥

ଦିପ୍ତୀଲେଖା ମିଶ୍ର, ବ୍ରହ୍ମପୁର, ଗଞ୍ଜାମ

0 Comments