
ଆର ସନ ଠାରୁ ଗୁରିଆ ଯାଇଛି
ଇଟା ଗଢିବାକୁ ବିଦେଶକୁ
ଦଶହରା ଗଲା ପୁଅ ନଫେରିଲା
ମା ଚାହେଁ ଦାଣ୍ଡ ଦୁଆରକୁ
ଫୋନ୍ କରିଥିଲା ପଡିଶାକୁ
ମାଲିକ ଛାଡୁନି ବାର ଘଣ୍ଟା କାମ
ଫୁରୁସତ ନାହିଁ ଖାଇବାକୁ
ଖବର ଆସିଲା ଗାଆଁ ଦୁଲୁକିଲା
ସମସ୍ତେ କହିଲେ ଆହା ଆହା
ଗୁରିଆ ମା ର ଚେତା ବୁଡିଗଲା
ବୁଢୀବେଳେ କିଏହେବ ସାହା
ନିଆଁ ଦେବାପାଇଁ ନାହିଁ ରାହା
ଭେଣ୍ଡା ପୁଅ ଘରୁ ଗଲା ହସି ହସି
ଆସିଲା ମରଣ ବାର୍ତ୍ତା ଯାହା
ଆର ସାହି ହରି ଝୀଅ ଗୁରୁବାରୀ
ସଙ୍ଗେ ଯାଇଥିଲା କଥା ତୁଟି
ଏ ସନ ମାଘରେ ଗୁରିଆ ସାଥୀରେ
ପଡିଥାନ୍ତା ତା'ର ହାତଗଣ୍ଠି
ବିଧାତା ଧଇଲା ଯାହା ତଣ୍ଟି
ଏଠି ମିଳୁନାହିଁ କାମ ବୋଲି ପୁଅ
ବିଦେଶ ଗଲା ଦାଦନ ଖଟି
ସରକାର କହେ ବିକାଶ ହେଉଛି
ବଢୁଛି ଆର୍ଥିକ ମାନଦଣ୍ଡ
ଭୋକରେ ରହିବେ ନାହିଁ ଜଣେ କେହି
ଦୁର୍ନୀତି କଲେ ମିଳିବ ଦଣ୍ଡ
ଯୋଜନା ଗୁଡାକ ଲଣ୍ଡଭଣ୍ଡ
ଭୋଟ୍ ବେଳକୁ ଆସିଯିବେ ସବୁ
ସରକାରଙ୍କର ପୋଷା ଷଣ୍ଢ
ପ୍ରମୋଦ କୁମାର ପଣ୍ଡା
ବାଘମାରୀ, ଖୋର୍ଦ୍ଧା
0 Comments
ବଣମଲ୍ଲୀର ମହକ ତାହାର ପାଠକ ପାଠିକା ମାନଙ୍କ ନିକଟରୁ ସର୍ବଦା ଗଠନମୂଳକ ମତାମତ ଆଶା କରିଥାଏ । ଯାହାକି ଜଣେ ସ୍ରଷ୍ଟାଙ୍କୁ ଉଚିତ ମାର୍ଗ ପ୍ରଦର୍ଶନ କରିବାରେ ସକ୍ଷମ ହୁଏ । ଯଦି Anonymous User ଭାବେ ଆପଣ ଉପରୋକ୍ତ ବିଷୟଟି ଉପରେ ନିଜର ମତାମତ ପ୍ରଦାନ କରିବାକୁ ଚାହୁଁଛନ୍ତି, ତେବେ ନିଜର ମତାମତ ତଳେ ଆପଣଙ୍କ ନାମ ଓ ଠିକଣା ପ୍ରଦାନ କରିବାକୁ ଅନୁରୋଧ ।