କ୍ଷୁଦ୍ରଗଳ୍ପ - ବିଶ୍ୱାସର ବାୟାବସା - ନାରାୟଣ ଚନ୍ଦ୍ର ସେନାପତି


ଅପରାହ୍ଣର ନିଷ୍ଠୁର ସୁର୍ଯ୍ୟଟା ଆଶାର ଆଶାକୁ ନିରାଶ କରୁଥାଏ । ଆଜବେଷ୍ଟସ୍ ଘରର ଗରମ ହାୱାରେ ସେ ସତେ ଯେମିତି ଅଣନିଃଶ୍ବାସୀ ହେଉଥାଏ । ତା ସାଙ୍ଗକୁ ତା ଦୁଃଖର ଅଂଶୁଘାତ ନିଃସଙ୍ଗତାକୁ କରୁଥିଲା ବିଦ୍ରୁପ ହସ । ମୁହଁରୁ ଝାଳ ଓ ଆଖିରୁ ଅସହାୟତାର ନିରୀହ ଲୁହଗୁଡ଼ାକୁ ଭରସାର ଲୁଗାକାନିରେ ପୋଛି ସ୍ମୃତି ସାଇତା ପୁରୁଣା ଆଲବମଟାକୁ ଧରି ଚାଲିଲା ଘର ପଛ ଆମ୍ବଗଛ ମୂଳକୁ । ପାଖରେ ସମୁଦ୍ର କୂଳର ଶୀତଳ ବାଆର କୋମଳ ସ୍ପର୍ଶରେ ଗଛର ପତ୍ର ଗୁଡାକ ସତେ ଯେମିତି ରଜ ଦୋଳି ଖେଳୁଥାନ୍ତି । ଅବଶ୍ୟ ସେହି ଶୀତଳ ବାଆର କୋମଳ ସ୍ପର୍ଶ ଆମୋଦ ଦେଉଥାଏ ତା ଶରୀରକୁ ହେଲେ ତା ମନରେ ଲାଗିଥିବା ଆଗ୍ନେୟଗିରିର ନିଆଁ ହୁତୁହୁତୁ ହୋଇ ଜଳି ବିବ୍ରତ କରୁଥାଏ କ୍ଷଣକୁ କ୍ଷଣ । ତାକୁ ଲିଭାଇ ଆଶ୍ୱସ୍ତି ହେବା ପାଇଁ ଖୋଲିଲା ଆଲବମର ପୃଷ୍ଠା ଗୋଟିକ ପରେ ଗୋଟିଏ । ଆଖିରେ ପଡ଼ିଲା ଏକ ଏପରି ଫଟୋ, ଯାହାକି ସେଦିନ କରିଥିଲା ରଙ୍ଗୀନ ଓ ଆଜି ସାଉଁଟୁଛି ଶ୍ମଶାନର ମୁଠାଏ ପାଉଁଶ । ତାକୁ ଦେଖି ଦୀର୍ଘଶ୍ଵାସଟାଏ ପକାଇଲା ଆଶା ।


ସେଥିଲା ପି.ଏନ୍. କଲେଜର ଯୁକ୍ତ ଦୁଇ ୨ୟ ବର୍ଷର କୃତୀ ଛାତ୍ରୀ । ପାଠରେ ଗୀତରେ ନାଚରେ ବକ୍ତୃତାରେ ତା ସମକକ୍ଷ ହେବା ଥିଲା ସଭିଙ୍କ ପାଇଁ କଷ୍ଟକର ବ୍ୟାପାର । ଅଭିନୟ ଥିଲା ସ୍ୱତନ୍ତ୍ର ଓ ଜୀବନ୍ତ । ଆନୁଆଲ ଫଙ୍କ୍ ସନ୍ ରେ ଏକ ନାଟକ ମଞ୍ଚସ୍ଥ ହେଉଥାଏ, ସେଥିରେ ଥିଲା ତାର ନାୟିକା ଚରିତ୍ର।ନାଟକ ଟିର ନାଁ ଥିଲା "ଵିଶ୍ଵାସର ବାୟାବସା" । ତାର ନାୟକ ଥିଲେ ଯୁକ୍ତ ତିନି ୨ୟ ବର୍ଷର ଉଦୀୟମାନ ଯୁବକ ଆକାଶ । ମନେ ପଡ଼ିଲା ତାର ଏକ ଦୃଶ୍ୟର କଥା....  ତୁମେ ମୋତେ ଠକି ଦେବନି ତ ଆକାଶ ଭାଇ..... ।   ତୁମର କଣ ମୋ ଉପରେ ବିଶ୍ୱାସ ନାହିଁ ଆଶା.... । ଅଛି ବୋଲିତ ଏ ଖରସ୍ରୋତା ନଦୀକୁ ପାର ହେବା ପାଇଁ ତୁମ ବିଶ୍ୱାସର ହାତକୁ ଧରିଛି । ହେଲେ ମୋତେ ଡର ଲାଗୁଛି ଆକାଶ ଭାଇ, ଯଦି କିଏ ଆମ ବିଶ୍ୱାସର ବାୟାବସାକୁ ଭାଙ୍ଗିଦିଏ.... ? ଯଦି କେଉଁ ଲହଡି ଆମ ବିଶ୍ୱାସର ହୁଲି ଡଙ୍ଗାକୁ ବୁଡାଇ ଦିଏ.... ? ଯଦି ଏଭଳି କରିବାକୁ କିଏ ସାହସ ଵି କରେ, ତେବେ ବିଶ୍ୱାସ କର ଆଶା, ତାକୁ ମୁଁ ଜୀଅନ୍ତା ଫାଡ଼ିଦେବି । ସୁର୍ଯ୍ୟ ବରଂ ପଶ୍ଚିମ ଦିଗରେ ଉଦୟ ହୋଇପାରେ କିନ୍ତୁ ଆକାଶ ତାର ଭଲ ପାଇବାର ବାୟାବସାକୁ କେବେ ବି ଭାଙ୍ଗିବାକୁ ଦେବ ନାହିଁ ।

ଏହି ନାଟକର ଜୀବନ୍ତ ଅଭିନୟ କିଏ ଜାଣିଥିଲା ତାଙ୍କ ଜୀବନରେ ବାସ୍ତବ ରୂପ ନେବ । ପରସ୍ପରକୁ ଭଲ ପାଇଲେ ଆଶା ଓ ଆକାଶ । ମାତ୍ର ପରସ୍ପରର ପାରିବାରିକ ଜ୍ୟାମିତିକ ରେଖା ସମାନ ନ ଥିଲା ବରଂ ସମାନ୍ତରାଳ ଗତିରେ ବାଟ କାଟୁଥିଲା । ଆକାଶ ଥିଲା ବିଶିଷ୍ଟ ଶିଳ୍ପପତି ରଂଜୀତ ମହାପାତ୍ରଙ୍କ ଏକୋଇରବଳା ବିଶିକେଶନ, ମାତ୍ର ଆଶା ଥିଲା ମାଟିର ମଣିଷ ଜଣେ ସାଧାରଣ କୃଷକର ଝିଅ । ସାମାଜିକ ଅବସ୍ଥା ଆକାଶ ପାତାଳ ଫରକ । ଆଶା ଭୟ କରି ବାରଣ କରୁଥିଲା ଏ ବନ୍ଧନକୁ କିନ୍ତୁ ଆକାଶ ବିଶ୍ୱାସର ବୈତରଣୀକୁ ଛିଞ୍ଚି ବିଶ୍ୱାସର ନିବିଡ଼ତାରେ ଆର୍ଦ୍ର କରି ଦୃଢ଼ ପ୍ରତିଶ୍ରୁତି ଦେଇଥିଲା ଆଶାକୁ । କଥାରେ ପରା ଅଛି  "କାନ୍ଥ ବାଡ଼ରେ କାନ ଅଛି"  ଆଉ  "ଦୁଷ୍ଟ ଲୋକଙ୍କ ତୁଣ୍ଡ ବିଞ୍ଚେ ବିଶ୍ୱ ବ୍ରହ୍ମାଣ୍ଡ" । ତେବେ କଲେଜ, ରାସ୍ତାଘାଟ, ବଜାର, ସମୁଦ୍ରକୂଳ, ପାର୍କରେ ଦୁହିଙ୍କ ଲୁଚାଛପା ମିଳାମିଶାକୁ ସହି ପାରୁନଥିଲା ଏ ସମାଜର ବିଷଆଖି । ସବୁଠୁ ବିପଦ୍ଜନକ ଓ ବିଭ୍ରାନ୍ତିକର ପରିସ୍ଥିତି ସୃଷ୍ଟି କରିଥିଲା ଆଶାକୁ ବାରମ୍ବାର ଲୋଲୁପ ଦୃଷ୍ଟି ନିକ୍ଷେପ କରି ବିଫଳ ହୋଇ ଆସୁଥିବା ଅସାମାଜିକ ବିରେନ୍ ଚୌଧୁରୀ । ସବୁ ଅପଚେଷ୍ଟା ସତ୍ତ୍ଵେ ଆକାଶ ଓ ଆକାଶର  ପରିବାରଙ୍କ ନିର୍ମଳ ଚିନ୍ତାଧାରା, ତା ହୀନ ଚକ୍ରାନ୍ତକୁ ପଣ୍ଡ କଲା ।


ଘୋଟି ଆସିଲା ଦୁହିଁଙ୍କ ପବିତ୍ର ପ୍ରେମର ସ୍ୱଚ୍ଛ ଆକାଶରେ ଦୁଃଖର କଳାବାଦଲ । ଘନେଇ ଆସିଲା ପ୍ରେମର ଯବନିକା, ସାମୟିକ ଆସନ୍ନ ବିଚ୍ଛେଦର ଡ଼ାକରାରେ । ଆକାଶ ଉଚ୍ଚ ଶିକ୍ଷା କରିବାକୁ ଯିବେ ପଣ୍ଡିଚେରୀ । ଏ କଥା କାନରେ ଶୁଣିବା ମାତ୍ରେ ଆଶାର ଆକାଶରେ ସତେ ଯେମିତି ଦୁଃଖର ଧୂମକେତୁ ଉଙ୍କିମାରିଲା । ଆକାଶ ଯିବାର ପୂର୍ବ ଦିନ ଆଜି ବି ମନେ ପଡୁଛି,ପ୍ରଣୟର ଅନ୍ତିମ ଦେଖାହୋଇଥିଲା ମଝିପାହାଚରେ । ଆଶାର ଆଖିରୁ ବହି ଯାଉଥିଲା ପ୍ରେମର ଅମାନିଆ ଅଶ୍ରୁ । ଦୁଃଖମିଶା ଥରା ଗଳାରେ ଆଶାର ଆଖିରୁ ଲୁହ ପୋଛି ଆକାଶ କହିଥିଲା ସେହି ନାଟକର ପୁରୁଣା ସଂଳାପ,  "ଆମ ବିଶ୍ୱାସ କଣ ଏତେ ଦୁର୍ବଳ ଆଶା ?"  "ତୁମେ କଣ ମୋତେ ପୁଣି ଅବିଶ୍ୱାସ କରୁଛ? " "ବିଶ୍ୱାସର ବାୟା ବସାକୁ ଗଢିବାର ସ୍ବପ୍ନ ତ ଦେଖିଛି ଆକାଶ ଭାଇ, ହେଲେ.., ତୁମେ ବିଦେଶରେ ରହି ତୁମ ଗାଉଁଲି ଆଶାକୁ ଭୁଲି ଯିବନି ତ ?"  "ନାଁ ରେ ଆଶା, ଏ ଆକାଶ ସବୁ ଭୁଲି ପାରେ ହେଲେ କେବେ ବି ଭୁଲି ପାରିବନି ତାର ପ୍ରେମର ଆଶା ଭରସାକୁ । ଏଇ ରହିଲା ଆମର ପ୍ରେମର ସାକ୍ଷୀ.. । ଏହା କହି ନିଜ ହସ୍ତର ହୀରକ ହାରକୁ ଆଶାର ଆଙ୍ଗୁଠିରେ । ମୋ ସନ୍ତକକୁ ଛୁଇଁ ମୋତେ ମନେ ପକାଇବ ଆଶା।କେବେ ବି ବିଶ୍ୱାସ ହରେଇବ ନାହିଁ ।"

ଚାଲିଗଲା ଆକାଶ ବିଦେଶ, ରହିଗଲା ଆଶା ଅସୀମ ଆଶାକୁ ଆଶାର ସାଗର ଗର୍ଭରେ ରଖି । ସନ୍ତାପିତ ମନକୁ ବାରମ୍ବାର ସାନ୍ତ୍ୱନା ଦେଉଥିଲା ଦୁଷ୍ମନ୍ତଙ୍କ ଦିଆହୋଇଥିବା ସ୍ନେହ, ଶ୍ରଦ୍ଧା, ପ୍ରୀତିର ଶକୁନ୍ତଳାକୁ ଦେଇଥିବା ମୁଦ୍ରିକାକୁ ଚାହିଁ ରହିଥିଲା ପରି । "ମୋ ଆକାଶ କଣ ମୋତେ ସତରେ ମନେ ରଖିଥିବେ ? କେବେ ଭୁଲିବେ ନାହିଁ ? ନିଜ ମନର ଅବ୍ୟକ୍ତ ଭାଷାକୁ ନିଜ ଉତ୍ତରରେ ସାନ୍ତ୍ୱନା ଦେଇ ଆଶ୍ୱସ୍ତି ପାଉଥିଲା ଆଶା ।" ସତେ ଯେମିତି ଆଶାର ଭାଗ୍ୟ ଆକାଶର ଚାନ୍ଦିନୀ ରାତି ଦୁରେଇ ଦୁରେଇ ଅମାବାସ୍ୟାର କିଟିକିଟା ଅନ୍ଧାରକୁ ବନ୍ଦାପନା କରୁଥିଲା । ତା ସୁଖର ବାଳ ଗୁଡାକ ପାଚି ପାଚି ଯାଉଥିଲା ଓ ଦୁଃଖର ମଞ୍ଜି ଅଙ୍କୁରୋଦ୍ଗମ ହୋଇ ଖୁବ୍ ଦ୍ରୁତ ଗତିରେ ବଢ଼ୁଥିଲା । ସାପ କାମୁଡ଼ାରେ ବାପଟି ଆରପାରକୁ ବାଟ କାଟିଲା । ବୁଢ଼ୀ ମାଆ ଓ ନିଜେ ଟିକେ ଶାନ୍ତିରେ ରହିବାକୁ ତାକୁ ପାଖ ଗାଁରେ ଘରୋଇ ଟ୍ୟୁସନ କରିବାକୁ ପଡିଲା । ଦୁଃଖର ଚାରାଗଛଟା ଯୌଵନରେ ପଦାର୍ପଣ କଲା । ଦିନେ ବିଳମ୍ବରେ ଟ୍ୟୁସନ ସାରି ଫେରିବା ବାଟରେ ପୂର୍ବ ଯୋଜନାନୁସାରେ ବିରେନ୍ ଉଠେଇ ନେଲା ଆଶାକୁ ଓ ନାସାରେ କ୍ଲୋରୋଫର୍ମ ଶୁଂଘାଇ ପାଶବିକ ଅତ୍ୟାଚାର କଲା । ଉଲଗ୍ନ ଫଟୋ ଉଠାଇ ବିବାହ ନ କଲେ ଫଟୋ ମେଡିଆରେ ଛାଡିବାର ଧମକ ଦେଇ ବାରମ୍ବାର ବ୍ଲାକମେଲ୍ କଲା । ତାର ଏ ଦୁର୍ବାର ଆଶା, ସହସ୍ର ପ୍ରଚେଷ୍ଟା ଶେଷରେ ନିଷ୍ଫଳ ହେଲା । ମାତ୍ର ଦୁଃଖର ଚାରାଗଛଟି ବଢି ମହାଦ୍ରୁମରେ ପରିଣତ ହେଲା । ଏପଟେ ଉଲଗ୍ନ ଫଟୋ ଛାଡି ଆଶାକୁ ବଦନାମ କଲା  ତ ସେପଟେ ଅଜାଣତରେ ଶାରୀରିକ ସମ୍ପର୍କର ଲକ୍ଷଣ ତାକୁ କଳଙ୍କିନି ସଜାଇଲା । "ତୁଣ୍ଡ ଵାଇଦ ସହସ୍ର କୋଶ" ପରି ଏ କଦର୍ଯ୍ୟ ଖବର ସମାଜର ବାୟୁମଣ୍ଡଳକୁ ଘାଇଲା କଲା । ଗାଁ ରେ ଛି ଛାକର, ନିନ୍ଦା ଅପବାଦ ସହି ନ ପାରି, ବାଛନ୍ଦରୁ ବର୍ତ୍ତିବାକୁ, ନିଜ ଅସହାୟା ମାଆଟିକୁ ଏ ଅପବାଦରୁ ରକ୍ଷା କରିବାକୁ ବିଶେଷ କରି ଆକାଶର ବିଶ୍ୱାସର ବାୟାବସାକୁ ଅବିଶ୍ୱାସ ନର୍ଦ୍ଦମାକୁ ନ ଠେଲିବାକୁ ଆତ୍ମହତ୍ୟା କରିବାକୁ ଡେଇଁ ପଡିଲା ସମୁଦ୍ରକୁ । ତାପରେ ଦେଖିଲା ଏକ ଯୁବକ ତାକୁ ଆଣି ଘରେ ଚିକିତ୍ସା କରୁଛି, ବଞ୍ଚାଇଛି । ବିଚରା ପତ୍ନୀହରା ଯୁବକ ଅମ୍ବର ମୋ ଦୁଃଖ ଶୁଣି ମୋତେ ଭାଇର ସ୍ନେହ ଦେଇ ତା ପାଖରେ ଇଜ୍ଜତର ସହ ରଖିଲା । ହେଲେ ମୋ ଦୁଃଖର ଚାରା ବୁଢା ବରଗଛ ପାଲଟିଲା । ଆକାଶ ଫେରିଲେ, ମୋତେ ଖୋଜିଲେ ମାତ୍ର ଏସବୁ ଶୁଣି ମୋତେ ଧିକ୍କାର କଲେ, ଏମିତିକି ବାରନାରୀ ବେଶ୍ୟାର ପ୍ରମାଣପତ୍ର ଦେଲେ । ମୋ ବିଶ୍ୱାସର ବାୟା ବସାଟା ଭାଙ୍ଗି ଖଣ୍ଡ ଖଣ୍ଡ ହୋଇଗଲା । ମୋ ଆଶାର ସୌଧଟା ଭାଙ୍ଗିତୁଟି ଚୁର୍ ମାର ହୋଇଗଲା । ଏଣେ ଅବୈଧ ସନ୍ତାନର ଜନନୀ ହୋଇ ଅମ୍ବର ଭାଇକୁ ସନ୍ଦେହରୁ ମୁକ୍ତ କରି, ଵିଦାୟ ନେଇ ଚାଲିଆସି ଏ ଅଜଣା ରାଇଜରେ ବଂଚିରହିଛି ଏ ଛୁଆଟିର ଆଖିକୁ ଚାହିଁ ।


ସତରେ ମୋର ଭୁଲ କଣ ଥିଲା ? ବହିରେ ପଢିଥିବା ବିଶ୍ୱାସର ସଜ୍ଞାଟା କଣ ଭୁଲ ?  "ବିଶ୍ୱାସ ହିଁ ଗାଢ଼ତମ ଅନ୍ଧକାରମୟ ଦିନ ଗୁଡିକରର ପଥ ପ୍ରଦର୍ଶକ" କହିଥିବା ଦାର୍ଶନିକଙ୍କ ଏ ଉକ୍ତି କଣ ମିଥ୍ୟା ଉପରେ ପର୍ଯ୍ୟବେସିତ ? ଆକାଶଙ୍କ ଏ ପ୍ରଣୟର ସନ୍ତକ ହୀରକ ମୁଦ୍ରିକା କଣ ଥିଲା ଛଳନା ? ଏଇମିତି ଭାବୁ ଭାବୁ ଆଶା ଦେଖିଲା ସେହି ଗଛର ଛୋଟ ଡାଳ ଉପରେ ପକ୍ଷୀଟିଏ ବସି ଆନନ୍ଦରେ ରାବୁଛି । ମନରେ ତାର ଏକ ଦାର୍ଶନିକ ଚିନ୍ତାଧାରା ଆସିଲା । ସତରେ ଏ ପକ୍ଷୀଟିର ଏ ଡାଳ ଉପରେ କେତେ ବିଶ୍ୱାସ.... କେତେ ଭରସା... । ଭାଙ୍ଗିଯିବାର ଅବିଶ୍ୱାସ କେବେ ବି ଆସୁନି । ଡାଳଟି ବି ଛଳନା କରୁନି, ପ୍ରତାରଣା କେବେ ବି କରେନା । ପୁଣି ସେମାନେ ତ ପକ୍ଷୀ... ଓ ଉଦ୍ଭିଦ । ଆମେ ତ ଶ୍ରେଷ୍ଠଜୀବ ମଣିଷ । ପୁଣି ଚାହିଁଲା ପାଖ ସମୁଦ୍ରକୁ.... ଲହଡିକୁ.... ପାର୍ଶ୍ଵରେ ଛିଡା ହୋଇଥିବା କୁଡ଼ିଆ ଘରକ୍ଜ । ବାରମ୍ବାର ଲହଡି ମାଡ଼ ଖାଇ ଭାଙ୍ଗି ବି ସଗର୍ବେ ସାରା ଜୀବନ ବିତାଇବାର ବିଶ୍ୱାସ ଅଛି ସେ ସମୁଦ୍ର ଉପରେ ତାର ଓ ତା ମାଲିକ ନୋଳିଆଙ୍କର... । ସେ ଏତେ ହତାଶ କାହିଁକି ? ଶେଷରେ  ଚିଂ ଚିଂ ଶବ୍ଦ ଶୁଣି ଚାହିଁଲା ଉପରକୁ ଲମ୍ବିଛି ବାୟା ଚଢ଼େଇର ବସାକୁ । କେବେ ନ ଭାଙ୍ଗିବାର ଆଶା ରଖି ବନାଇଛି କେତେ ଉଚ୍ଚରେ... ! ଝଡ ବତାସକୁ ବି ଖାତିର ନାହିଁ କି ସେଥିରେ ଭାଙ୍ଗିବାର ଆଶଙ୍କା ବି ନାହିଁ । ଏ ପୃଥିବୀରେ ପ୍ରତିମୁହୂର୍ତ୍ତରେ ବିନାଶ ଭୟ ଥାଇ ବି ମଣିଷ ବିଶ୍ୱାସରେ ବଂଚି ରହିଛି।ତେବେ ସେ ବା ଅବିଶ୍ୱାସ କରିବ କାହିଁକି ? ବୁଝାମଣାର ଭୁଲ ହିଁ ତାର ଓ ଆକାଶର ବିଶ୍ୱାସ ମଝିରେ ପାଚେରି ଉଠାଇଛି । ସମୟ ଆସିବ ତା ବିଶ୍ୱାସର ବାୟାବସାଟା ଖୁସିରେ ଡାକି କହିବ... ହେ ଜୀବମାନେ... ଜୀବନରେ କେବେ ବିଶ୍ୱାସ ହରାଅନା... କାରଣ କଥାରେ ଅଛି ପରା  ବିଶ୍ୱାସ ବଳେ ଏ ଜଗତ...  ପ୍ରାଣୀ ହୁଅନ୍ତି ଆତଯାତ । ୟା ଭିତରେ ଆଖିର ଅଭିମାନର ଅଶ୍ରୁ କେଇଟୋପା ଭିଜେଇ ଦେଲା ଫଟୋ କେଇଟାକୁ । ସେହି ଟୋପା ଗୁଡାକୁ ପୋଛି ଆଲବମକୁ ବନ୍ଦ କରି ବାହାରିଲା ଘରକୁ । ଏଇବେଳେ ଡାକ ପିଅନ ସନିଆ ଭାଇର ସାଇକେଲ ଘଣ୍ଟି ଶୁଣି ଆବେଗର ପହଁଚିଲା ତା ପାଖରେ । ଶୁଖିଲା ଜୀବନ କାଟୁଥିବା ଏ ହତଭାଗିନୀ ପାଖକୁ କିଏ ବ କାହିଁକି ଚିଠି ପଠାଇବ । ଏୟା ଭାବି ଭାବି ପହଂଚି ଗ୍ରହଣ କଲା ଏକ ରେଜେଷ୍ଟ୍ରି ଚିଠି । ତୁରନ୍ତ ଖୋଲି ପଢି ଚାଲିଲା ଆବେଗର...ଏକ ନିଃଶ୍ଵାସରେ ।


ମୋ ପ୍ରାଣପ୍ରିୟା ଆଶା,
କଣ ବ ଲେଖିବି ? ଭୁଲ ବୁଝାମଣାର ଶିକାର ହୋଇ ତମ ପରି ରତ୍ନକୁ ମୁଁ ମାଟି କରିଦେଲି । ଅମ୍ବର ପାଖରୁ ସବୁ କିଛି  ଶୁଣି ମୁଁ ଅନୁତପ୍ତ । ଦୁହେଁ ପ୍ଲାନ୍ କରି ମଦରେ ନିଶା ଦେଇ ବିରେନ କୁ ବେହୋସ କରି, ତା ମୁଣ୍ଡରେ ବନ୍ଧୁକ ଲଗାଇ ତା ଠାରୁ ସବୁ କଥା ଆଦାୟ କରି ଜାଣିଦେଲୁ । ଶେଷରେ ଅମ୍ବର ତୁମ ପୋଲିସ ଭାଇ ଏନକାଉଣ୍ଟର କରି ତାକୁ ମାରି ଦେଇଛି । ସତରେ ତୁମେ ମୋ ପାଇଁ ଗଙ୍ଗା ପରି ପବିତ୍ର । ମୋତେ କ୍ଷମା କରିଦେବ । ସେଦିନର ହାତ ତିଆରି ବାୟାବସାକୁ କଣ ଆମେ ଭାଙ୍ଗିଦେବା ? ମନେ ପକାଇବ ମଞ୍ଚ ନାଟକର ଓ ବାସ୍ତବ ଜୀବନର ସେ ସଂଳାପ । ଆସନ୍ତା ଶ୍ରୀପଞ୍ଚମୀରେ ମା' ତାରିଣୀ ମନ୍ଦିରରେ ଶଙ୍ଖା, ସିନ୍ଦୁର ଧରି ଅପେକ୍ଷା କରିଥିବି, ନିଶ୍ଚୟ ପହଞ୍ଚିବ ବୋଲି ମୋର ବିଶ୍ୱାସ ।

     ॥ ଇତି ॥
ତୁମର ଆକାଶ ଭାଇ

ଜୀବନର ପ୍ରତି ପାହାଚର ଦୁଃଖ ଗୁଡାକ ସତେ ଯେମିତି କାପୁରୁଷ ପରି ପଛଘୁଞ୍ଚା ଦେଇ ଖସି ପଳାଇଲା ଆଶା ଆକାଶର ମିଳିତ ଚକ୍ରବ୍ୟୁହରୁ । ଆନନ୍ଦରେ ଫାଟି ଉଠିଲା ସେ । ଆଖିର ଆନନ୍ଦାଶ୍ରୁ ଉତ୍ଫୁଲତାରେ ନାଚିଉଠିଲା । ଆତ୍ମବିଶ୍ୱାସର କାଠି କୁଟା ଗୁଡାକ ଯୋଡିହୋଇ ସତେ ଯେମିତି ତିଆରିକରି ବସିଲେ ଦୁଇ ନିର୍ମଳ ହୃଦୟ ଆଶା-ଆକାଶର ସ୍ନେହ, ଶ୍ରଦ୍ଧା, ପ୍ରେମ, ପ୍ରୀତିବୋଳା..... "ବିଶ୍ୱାସର ବାୟାବସା ।"


ନାରାୟଣ ଚନ୍ଦ୍ର ସେନାପତି, ଜମ୍ଭରା, କେଉଁଝର

1 Comments

  1. ଧନ୍ୟବାଦ ସାର୍
    ବହୁତ ଉଚ୍ଚ କୋଟୀର ରଚନା ଟିଏ ସାର୍ 🙏 🙏 🙏

    ReplyDelete

ବଣମଲ୍ଲୀର ମହକ ତାହାର ପାଠକ ପାଠିକା ମାନଙ୍କ ନିକଟରୁ ସର୍ବଦା ଗଠନମୂଳକ ମତାମତ ଆଶା କରିଥାଏ । ଯାହାକି ଜଣେ ସ୍ରଷ୍ଟାଙ୍କୁ ଉଚିତ ମାର୍ଗ ପ୍ରଦର୍ଶନ କରିବାରେ ସକ୍ଷମ ହୁଏ । ଯଦି Anonymous User ଭାବେ ଆପଣ ଉପରୋକ୍ତ ବିଷୟଟି ଉପରେ ନିଜର ମତାମତ ପ୍ରଦାନ କରିବାକୁ ଚାହୁଁଛନ୍ତି, ତେବେ ନିଜର ମତାମତ ତଳେ ଆପଣଙ୍କ ନାମ ଓ ଠିକଣା ପ୍ରଦାନ କରିବାକୁ ଅନୁରୋଧ ।