"ବଣମଲ୍ଲୀର ମହକ ଗଳ୍ପ ପ୍ରତିଯୋଗିତା" ଏବଂ "କବିର ଘର କବିତା ପ୍ରତିଯୋଗିତା" ରେ ନିଜକୁ ସାମିଲ କରନ୍ତୁ । ଅନଲାଇନ ମାଧ୍ୟମରେ ଏହି ପ୍ରତିଯୋଗିତା ଗୁଡିକରେ ଅଂଶଗ୍ରହଣ କରିବା ନିମନ୍ତେ ୱେବ-ପୋର୍ଟାଲରେ ଉପଲବ୍ଧ ଥିବା LITERACY CONTEST ଫଳକକୁ କ୍ଲିକ କରି ଆଗକୁ ବଢନ୍ତୁ ।

ଆଲୋଚନା - ବିଶ୍ଵ ବିସ୍ମୟ ଓ ରହସ୍ୟ ଘେରରେ ନେତାଜୀ - ଅଧ୍ୟାପକ ଡ଼କ୍ଟର ଲକ୍ଷ୍ମଣ ସାହୁ

ଆଲୋଚନା - ବିଶ୍ଵ ବିସ୍ମୟ ଓ ରହସ୍ୟ ଘେରରେ ନେତାଜୀ - ଅଧ୍ୟାପକ ଡ଼କ୍ଟର ଲକ୍ଷ୍ମଣ ସାହୁ


ପରାଧିନ  ଭାରତ  ମାଟିରେ  ବିପ୍ଳବ  ଚାଲିଥିବାବେଳେ  ଜର୍ମାନୀରେ  ଭାରତର  ଭବିଷ୍ୟତ  ଭାଗ୍ୟ  ନିର୍ମାଣ  କରିବା  ଦିଗରେ  ଲାଗିପଡିଥିଲେ  ନେତାଜୀ  ସୁବାଷ  ଚନ୍ଦ୍ର  ବୋଷ  ।  ଭାରତୀୟ  ସ୍ୱାଧୀନତା  ସଂଗ୍ରାମରେ  ସେ  ଥିଲେ  ଝଡ଼ର  ଈଗଲ୍,  ସ୍ୱର୍ଗଠାରୁ  ଗରିୟସୀ  ।  ମାତୃଭୂମି  ପାଇଁ  କଂଗ୍ରେସର  ବାହୁ  ଛାୟାତଳେ  ସଂଗ୍ରାମ  ମାଧ୍ୟମରେ  ସ୍ୱାଧୀନତା  ହାସଲ କରିବାର  ସ୍ୱପ୍ନ  ଦେଖିଥିଲେ  ।  ବୀରତ୍ବର  ପରାକାଷ୍ଠା  ପ୍ରଦର୍ଶନ   କରି  ଇଂରେଜ  ସରକାରଙ୍କ  ଚକ୍ଷୁରେ  ଧୂଳି  ଦେଇ  ଦ୍ୱିତୀୟ  ବିଶ୍ବଯୁଦ୍ଧ  ବେଳେ  ଛଦ୍ମବେଶରେ   ତାଙ୍କର  ଭାରତରୁ  ପଳାୟନ  ସବୁଠାରୁ  ବିଶ୍ବ  ବିସ୍ମୟ  ଓ  ରହସ୍ୟମୟ କୌତୁହଳ  ଘଟଣା  ।  ସିଙ୍ଗାପୁରଠାରେ  " ଆଜାଦ୍  ହିନ୍ଦ୍  ଫୌଜ"  ବା  " ଭାରତୀୟ  ଜାତୀୟ  ବାହିନୀ "ର  ନେତୃତ୍ବ  ନେଇ  ' ଦିଲ୍ଲୀ  ଚଲୋ '  ଆହ୍ୱାନ  ଦେଇଥିଲେ  ନେତାଜୀ  ସୁବାଷ  ।  ଇମ୍ଫାଲ-କୋହିମା  ଅଧିକାର  କରି  ଭାରତ  ଭୂମିରେ  ତ୍ରିରଙ୍ଗା  ଉଡ଼ାଇ  ଇଂରେଜ  ଶକ୍ତିକୁ  ଆହ୍ୱାନ  ଦେଇଥିଲେ  ।  ୧୯୪୫  ମସିହାରେ  ଏକ  ବିମାନ  ଦୁର୍ଘଟଣାରେ  ପ୍ରାଣ  ହରାଇଥିବା  କଥା  ପ୍ରଚାରିତ  ହୋଇଥିଲେ  ବି  ଏବେବି  ତାହା  ରହସ୍ୟ  ଘେରରେ   ଛନ୍ଦି  ହୋଇରହିଛି  ।  ଭାରତର  ମୁକ୍ତି  ପାଇଁ  ଇଂରେଜ  ବିପକ୍ଷରେ ଅବାରିତ  ସଂଗ୍ରାମ  ଚଳାଇ  ଶେଷରେ  ସେହି  ସଂଗ୍ରାମରେ  ଧ୍ବଂସ  ହୋଇଯାଇଥିବା  ସୁବାଷ  ବୋଷ  ଗାନ୍ଧୀଙ୍କ  ପରେ  ଭାରତର  ସ୍ବାଧୀନତା  ସଂଗ୍ରାମର  ଅଧୀକତମ  ପ୍ରଭାବଶାଳୀ  ବ୍ୟକ୍ତି  ଏହା  ଅସ୍ୱୀକାର  କରିହେବ   ନାହିଁ  ।

ଆଲୋଚ୍ୟ  ଆଲେଖ୍ୟ  ତାଙ୍କୁ  କେବଳ  ସ୍ମରଣ କରିବା  ଉଦ୍ଦେଶ୍ୟ  ନେଇ  ପ୍ରସ୍ତୁତ  ନୁହେଁ  କି  ଇତିହାସକୁ  ଦୋହରାଇବା/ରୋମନ୍ଥନ  କରିବାର  ଲକ୍ଷ୍ୟରେ  ନୁହେଁ ,  ବରଂ  ସେଭଳି  ଜଣେ  ମହାନ୍  ସ୍ୱାଧୀନତା  ସଂଗ୍ରାମୀଙ୍କ  ପ୍ରତି  ଆମର  କର୍ତ୍ତବ୍ୟ  ସମ୍ପାଦନ  କରିବା  ସମ୍ପର୍କରେ  ଅବଗତ  କରାଇବା  ନିମନ୍ତେ  ପ୍ରୟାସ  ।  ସୂଚେଇ  ଦିଏଁ,   ବିଗତ  ୨୧  ଅକ୍ଟୋବରରେ  ମାନ୍ୟବର  ପ୍ରଧାନମନ୍ତ୍ରୀ  ନରେନ୍ଦ୍ର  ମୋଦି  ଲାଲକିଲ୍ଲା  ଯାଇ  "ଆଜାଦ୍  ହିନ୍ଦ୍  ଫୌଜ'ର  ସ୍ମୃତି  ଚାରଣ  କରିବା  ସହ  ଅନ୍ତରୀଣ  ସରକାର'ର  ୬୫ବର୍ଷ  ତମ  ଅବସରରେ   ଜାତୀୟ  ତ୍ରିରଙ୍ଗା  ଉଡ଼ାଇବା  ସବୁଠାରୁ  ସୁଖପ୍ରଦ  ଓ  ଗୌରବର  ବିଷୟ  ।  ସେହି  ସ୍ମୃତି  ଚାରଣ  ବେଳେ  ସେ  ସ୍ମରଣ  କରାଇ  ରହସ୍ୟ  ଉଦ୍ଘାଟନ  କରି  କହିଥିଲେ,  ବହୁ କଠିନ   ପ୍ରୟାସ  କରି  ସୁବାଷ  ସିଙ୍ଗାପୁରରେ   ୨୧  ଅକ୍ଟୋବର  ୧୯୪୩ରେ  ଭାରତରେ  ଆଜାଦ୍  ହିନ୍ଦ୍  ଫୌଜର  ଅନ୍ତରୀଣ  ସରକାର  ଗଠନ  କରିଥିଲେ  ।  ପ୍ରାକ  ସ୍ୱାଧୀନତାର  ପ୍ରସ୍ତୁତିର  ଅବ୍ୟାହତ  ପୂର୍ବରୁ  ନେତାଜୀଙ୍କ  ଭାରତୀୟମାନଙ୍କୁ  ସ୍ୱାଧୀନତା   ଆଣିବା  ପ୍ରୟାସ  '  ମୋତେ  ରକ୍ତ  ଦିଅ,  ମୁଁ  ତମମାନଙ୍କୁ  ସ୍ୱାଧୀନତା  ଆଣି  ଦେବି '  ।  ନେତାଜୀଙ୍କ  ଏଭଳି  ଅଗ୍ନିବର୍ଷଣ  ଓଜ୍ୱଷିଣି  ଭାଷଣ  ଭାରତୀୟମାନଙ୍କୁ  ପ୍ରଲୋଭିତ  କରିଥିଲା  ।  ସେମାନଙ୍କ  ଅନ୍ତରରେ  ଦେଶ  ପ୍ରେମର  ଭାବ  ଉଦ୍ରେକ  ହୋଇ  ଉଠିଥିଲା  ।  ନେତାଜୀଙ୍କ  ହୃଦୟରେ  ବାରମ୍ବାର  ଭାରତର  ଆଜାଦୀ/ସ୍ୱାଧୀନତାର  ସ୍ୱପ୍ନ  ତାଙ୍କୁ  କ୍ଷତାକ୍ତ  କରୁଥିଲା  ।  ମହାତ୍ମାଗାନ୍ଧୀଙ୍କ  ପ୍ରତି  ନେତାଜୀଙ୍କ  ହୃଦୟ  ପ୍ରଣିତ  ଭକ୍ତି,  ଶ୍ରଦ୍ଧା  ଥିଲେହେଁ,  ହୃଦୟ  ଥିଲା  ଉଗ୍ରବାଦରେ  ପରିପୂର୍ଣ୍ଣ  ।  ଗାନ୍ଧିଜୀ  ଥିଲେ  ନରମ  ପନ୍ଥି  ଓ  ସୁବାଷ  ଥିଲେ  ଚରମ  ପନ୍ଥି,  ତେଣୁ  ନେତାଜୀ  ଗାନ୍ଧିଜୀଙ୍କ  ଅହିଂସା  ନୀତି   ଆନ୍ଦୋଳନକୁ  ସହଜରେ  ସମର୍ଥନ  କରୁନଥିଲେ  ।  ସେ  ଚାହୁଁଥିଲେ  ବନ୍ଧୁକ  ଗୁଳିର  ଜବାବ  ଗୁଳିରେ  ଦେବାକୁ  ।  ସେ  ବୁଝିଥିଲେ  ଗାନ୍ଧିଜୀଙ୍କ  ଅହିଂସା  ମାଧ୍ୟମରେ  ଇଂରେଜ  ସରକାରଙ୍କ  ସହ  ଆଳାପ  ଆଲୋଚନା  କରି  କେବେ  ଭାରତକୁ  ସ୍ୱାଧୀନତା  ଆଣିବା  ସମ୍ଭବ  ନୁହେଁ  ।  ତେଣୁ  ନିଜ  ମନ  ଭିତରେ  ସେ  ଏକ  ବୃହତ୍ତର  ଯୋଜନା  ମନେ  ମନେ  ପ୍ରସ୍ତୁତ  କରୁଥିଲେ  ଓ  ନିଜକୁ  ବେମାର  ପୀଡ଼ିତ  ଦର୍ଶାଇ  ଦିନେ  କିଛି   ବନ୍ଧୁମାନଙ୍କ  ସହାୟତା  ସହଯୋଗରେ  ଘରୁ  ସେ  ପଳାୟନ  କରିଥିଲେ  ।  ତତ୍କାଳୀନ   ଇଂରେଜ  ସରକାର  ତାଙ୍କ  ଉପରେ  ରଖିଥିବା  କଡ଼ା  ନଜର/ପହରା  ନିଷ୍ଫଳ  ହୋଇଥିଲା,  ସବୁ  ପହରୀଙ୍କ  ଆଖିରେ  ଧୂଳି  ଦେଇ  ସେ  ଅକ୍ଳେଶରେ  ବାହାରି  ଯିବାରେ  ସଫଳ  ହୋଇଥିଲେ  ।   ପ୍ରେସିଡେନ୍ସି  ଜେଲରେ  ଅଟକି  ଥିବା ବେଳେ  ସେ  ପ୍ରତିବାଦ  ସ୍ୱରୂପ  ବଙ୍ଗଳାର  ଗଭର୍ଣ୍ଣରଙ୍କ  ନିକଟକୁ  ଦେଇଥିବା  ଏକ  ଦୀର୍ଘ  ପତ୍ରରେ  ଲେଖିଥିଲେ " ଜଣେ  ବ୍ୟକ୍ତିର   ନିଶ୍ଚିତ  ମୃତ୍ୟୁ  ହେବ,  ସୁତରାଂ  ଏ  ଜାତି  ବଞ୍ଚିବ  ।  ମୋର  ଆଜି  ନିଶ୍ଚିତ  ମୃତ୍ୟୁ  ହେବ,  ଯାହାଦ୍ୱାରା  ଭାରତ  ପାଇବ  ସ୍ୱାଧୀନତା  ଓ  ଗୌରବ  ।"

ସ୍ମରଣଯୋଗ୍ୟ ଯେ,   ନେତାଜୀ  ସୁବାଷ  ଓଡ଼ିଶାର  କଟକସ୍ଥିତ  ଓଡିଆ  ବଜାରରେ  ୨୩  ଜାନୁଆରୀ  ୧୮୯୭  ମସିହାରେ  ଭୂମିଷ୍ଠ  ହୋଇଥିଲେ  ।  କଲିକତାର  ପ୍ରେସିଡେନ୍ସି  କଲେଜରେ  ଅଧ୍ୟୟନ  କରିବା  ବେଳେ  ଅରବିନ୍ଦ  ଘୋଷଙ୍କ  ଅଗ୍ନିବର୍ଷୀ  ଲେଖା  ପ୍ରତି  ଆକର୍ଷିତ  ହୋଇ  ପଡ଼ିଥିଲେ  ।  ଯାହାର  ପ୍ରତିଫଳନ  ୧୯୨୦ରେ  ଆଇ.ସି.ଏସ୍  ପରୀକ୍ଷାରେ  କୃତକାର୍ଯ୍ୟ  ହୋଇ   ମଧ୍ୟ  ପଦ/ପଦମର୍ଯ୍ୟାଦାକୁ  ପଦାଘାତ  କରି  ଦେଶମାତୃକାର  ସେବା  ନିମନ୍ତେ  କଂଗ୍ରେସରେ  ଯୋଗ   ଦେଇଥିଲେ  ।  ସମୟର  କ୍ରମିକ  ବିକାଶରେ  ତାଙ୍କ  ନେତୃତ୍ବ  ପ୍ରତି  ସମର୍ଥନ  ବୃଦ୍ଧି  ପାଉଥିବା  ବେଳେ   ୧୯୩୩ମସିହାରେ  ଗାନ୍ଧିଜୀଙ୍କ  ସମର୍ଥିତ  ପ୍ରାର୍ଥୀ  ସୀତୀରାମୟାଙ୍କୁ  ହରାଇ  ସେ  କଂଗ୍ରେସ  ସଭାପତି  ରୂପେ  ନିର୍ବାଚିତ  ହୋଇଥିଲେ  ।  କିନ୍ତୁ  କଂଗ୍ରେସର  ଫାଟ  ଦେଖି  ସେ    ସଭାପତି  ପଦରୁ  ଇସ୍ତଫା  ଦେଇ  'ଫରୱାର୍ଡ  ବ୍ଳକ'  ନାମକ  ଏକ  ଦଳ  ଗଢ଼ି  ଭାରତର  ସ୍ୱାଧୀନତା  ସଂଗ୍ରାମକୁ  ତେଜଷ୍କ୍ରିୟ  କରାଇ  ଆହ୍ୱାନ  ଦେଇ  କହିଥିଲେ  "ମୋତେ  ରକ୍ତ  ଦିଅ,  ମୁଁ  ତମକୁ  ସ୍ୱାଧୀନତା  ଦେବି  ।"  ଏଥିରେ  ଇଂରେଜ  ସରକାର  କ୍ଷୁବ୍ଧ  ହୋଇ  ତାଙ୍କୁ  ବନ୍ଦୀ  କରିଥିଲେ  ମଧ୍ୟ  ସ୍ୱାସ୍ଥଗତ  କାରଣରୁ  ସେ  ମୁକ୍ତ  ହୋଇ  କଲିକତାରେ  ଗୃହ  ବନ୍ଦୀ  ଥାଇ  ଦେଶମାତୃକାର  ସେବା  ପାଇଁ   ମୌଲବୀ  ଜିଆଉଦ୍ଦୀନଙ୍କ  ଛଦ୍ମବେଶରେ  ଦିଲ୍ଲୀ  ଦେଇ  କାବୁଲ  ଓ    ପେଶୱ୍ୟାର  ମଧ୍ୟ  ଦେଇ  ଗତି  କରି,  ଜର୍ମାନୀ  ଦୂତାବାସ  ସହ  ସଂପର୍କ  ସ୍ଥାପନ  କରିଥିଲେ  ।  ଶେଷରେ  ଇଟାଲୀ  ଦୂତାବାସର  ସାହାଯ୍ୟ  ଓ  ସିଗ୍ନୋର  ଓର୍ଲାଣ୍ତୋ  ମାଜ୍ଜୋଟ୍ଟା  ନାମରେ  ପାଶପୋର୍ଟ  ପାଇ  ଜର୍ମାନୀରେ  ପହଞ୍ଚିବାରେ  ସଫଳ  ହୋଇଥିଲେ  ।

ନେତାଜୀଙ୍କ  ବିଶ୍ୱାସ  ଥିଲା  ଜର୍ମାନୀ  ଇଂରେଜ  ସରକାରଙ୍କ  ବିରୁଦ୍ଧରେ   ଲଢ଼େଇ   କରୁଥିବାରୁ  ଜର୍ମାନୀ  ସରକାର  ଭାରତର  ସ୍ୱାଧୀନତା  ଆନ୍ଦୋଳନ  ପାଇଁ  ସହଯୋଗର  ହାତ  ବଢ଼ାଇବେ  ଓ  ଭାରତୀୟଙ୍କ  ସହ  ଇଂରେଜ  ବିପକ୍ଷରେ  ଯୋଗଦେବେ  । କିନ୍ତୁ  ତତ୍କାଳୀନ  ହିଟଲର  ତାଙ୍କୁ  କୌଣସି  ଠୋସ୍  ବାର୍ତ୍ତା  ବା  ସଂଦେଶ  ଦେଇ  ପାରୁ  ନଥିବାରୁ  ସେ  ଜାପାନର  ସହଯୋଗ  ଲୋଡିଥିଲେ  ।  ଫଳତଃ  ଜାପାନର  ପ୍ରଧାନମନ୍ତ୍ରୀ  ଟୋଜୋ  ତାଙ୍କୁ  ସବୁ  ପ୍ରକାର  ସାହାଯ୍ୟ କରିବାକୁ  ପ୍ରତିଶ୍ରୁତି ଦେଇଥିଲେ  ।  ନେତାଜୀ  ଆଶ୍ଚର୍ଯ୍ୟ ଓ  ଉତ୍ସାହିତ ହୋଇ  ଦୀର୍ଘ  ନବେ  ଦିନର  ଭୟଙ୍କର  ଜଳଯାତ୍ରା  କରି  ଜାପାନ  ମାଟିରେ  ପାଦ ଦେଇଥିଲେ  ।   ସୌଭାଗ୍ୟକୁ  ସେଠାରେ  ପ୍ରବାସୀ  ଭାରତୀୟ   ରାସବିହାରୀ  ବୋଷ  ନାମକ  ଜଣେ  ସଜ୍ଜନ  ବ୍ୟକ୍ତିଙ୍କ ସହ  ତାଙ୍କର  ସାକ୍ଷାତ  ଘଟିଥିଲା ।  ମୂଳତଃ  ଭାଗଲପୁରରେ  ରହିଥିବା  ରାସବିହାରୀ  ପରେ  ଜାପାନରେ  ରହି  ମଧ୍ୟ  ଭାରତୀୟ  ଆଜାଦ୍  ଭାବନା  ଅନେକ  ଦିନୁ  ଜାଗ୍ରତ  ରହିଥିବାରୁ  ଭାରତୀୟ  ବିପ୍ଳବୀ  ରୂପେ  ସେଠାରେ ସେ  'ଭାରତୀୟ  ଜାତୀୟ  ବାହିନୀ '  ଗଠନ  କରିଥିଲେ  ।  ସଂଗ୍ରାମୀ  ସୁବାଷ  ଏହାର  ନେତୃତ୍ବ  ନେଇ  ଏହାର  ନାମ  " ଆଜାଦ୍  ହିନ୍ଦ୍  ଫୌଜ " ନାମରେ  ନାମିତ କରିଥିଲେ  ।  ରାସବିହାରୀ  ବାବୁ  ନେତାଜୀଙ୍କୁ  ଟୋଜୋଙ୍କ  ସହ  ମିଳାଇ  ଦେଇଥିଲେ  ।  ଟୋଜୋ  ମଧ୍ୟ  ନେତାଜୀଙ୍କୁ  ସମସ୍ତ  ପ୍ରକାର   ସହଯୋଗ  କରିବାକୁ  ନିର୍ଭର  ପ୍ରତିଶ୍ରୁତି  ଦେଇଥିଲେ  ।  ଫଳତଃ  ନେତାଜୀ  ଟୋଜୋଙ୍କ  ସହାୟତା,  ସହାନୁଭୂତି  ଲାଭ କରି  କେତେବେଳେ  ସିଙ୍ଗାପୁର,  ପୁଣି  କେବେକେବେ  ରେଙ୍ଗୁନ୍  ବା  ମାଳୟରେ  ଛଦ୍ମବେଶରେ  ରହୁଥିଲେ,  ଯେହେତୁ  ତାଙ୍କ  ନାମରେ  ଗିରଫଦାର  ନୋଟିସ  ଇଂରେଜ  ସରକାରଙ୍କ  ପକ୍ଷରୁ  ଘୂରୁଥିଲା  ।  ବହୁ  ବାଧାବିଘ୍ନ  ସତ୍ତ୍ବେ  ମଧ୍ୟ  ନେତାଜୀ  ଜାପାନ  ସରକାରଙ୍କ  ଅନୁମତି  ନେଇ  ସେଠାରେ  ଭାରତୀୟ  ଯୁଦ୍ଧ  ବନ୍ଦୀମାନଙ୍କୁ  ନବଗଠିତ  ସୈନ୍ୟବାହିନୀରେ  ସାମିଲ  କରି  ତାର  ନେତୃତ୍ବ  ନେଇଥିଲେ  ।  ଏପରିକି  ସିଙ୍ଗାପୁରରେ  ସେ  ଏକ  ଅସ୍ଥାୟୀ  ସରକାର  ଗଠନ  କରିଥିଲେ  ।  ଶ୍ରଦ୍ଧା  ଓ  ଭକ୍ତିରେ  ସୁବାଷ  ବୋଷଙ୍କୁ  ସେଠାରେ  ଭାରତୀୟମାନେ  ' ନେତାଜୀ '   ଭାବେ  ସମ୍ବୋଧନ  କରୁଥିଲେ  ।  ସୈନ୍ୟମାନଙ୍କ  ମନରେ  ଅଦ୍ଭୁତପୂର୍ବ  ଜାଗରଣ  ସୃଷ୍ଟି  କରିବା  ପାଇଁ  " ଦିଲ୍ଲୀ  ଚଲୋ " ଆହ୍ବାନ  ଦେଉଥିଲେ  ନେତାଜୀ ।  ଏପରିକି  ତାଙ୍କ  ଗଠିତ  ଅସ୍ଥାୟୀ  ସରକାର  ପ୍ରତି  ଜର୍ମାନୀ,  ଚୀନ,  ମାଞ୍ଚୁକୋ,  ବର୍ମା,  ଇଟାଲୀ,  ଜାପାନ,  ଫିଲିପାଇନ୍ସ  ପ୍ରଭୃତି  ରାଷ୍ଟ୍ର   ମାନ୍ୟତା  ପ୍ରଦାନ କରିଥିଲେ  ।  ନେତାଜୀ  ବର୍ମାକୁ  ସଂଗ୍ରାମର  ମୂଖ୍ୟକେନ୍ଦ୍ର  ଭାବରେ  ସ୍ଥିର  କରିଥିଲେ  ।  ବିଶେଷକରି  ସେ   ଜାପାନ-ଭାରତ-ବର୍ମା  ସୈନ୍ୟବାହିନୀର  ମିଳିତ  ଉଦ୍ୟମରେ  ଭାରତ  ଅଭିମୁଖେ  ଅଗ୍ରସର  ହେବାର  ପ୍ରୟାସ  କରିଥିଲେ  ।  ପ୍ରଥମ  କରି  ଆର୍କନ  ଅଞ୍ଚଳରେ  ଯୁଦ୍ଧ  କରିବା  ପାଇଁ  ବାଛିଥିଲେ,  କାରଣ  ସେଠାରୁ  ଅନାୟାସରେ  ତାହା  ଚଟ୍ଟ  ଗ୍ରାମକୁ  ବ୍ୟାପିବ,  ଫଳରେ  ଗରିଲା  ଯୁଦ୍ଧ  ମାଧ୍ୟମରେ  ସମଗ୍ର  ବଙ୍ଗରେ  ଉପସ୍ଥିତ  ହେବେ  ସୈନ୍ୟମାନେ  ।  ଯାହାଦ୍ୱାରା  ସ୍ଥାନୀୟ  ସାହାଯ୍ୟରେ   ଇଂରେଜମାନଙ୍କୁ  ସହଜରେ  ପରାଜିତ  କରିବାର  ସ୍ୱପ୍ନ  ସୁବାଷ ଦେଖୁଥିଲେ  ।  ନେତାଜୀ  ' ଆଜାଦ୍  ହିନ୍ଦ୍  ଫୌଜ'କୁ    ଗାନ୍ଧିରେଜିମେଣ୍ଟ ',  'ନେହେରୁରେଜିମେଣ୍ଟ'  ଓ  'ଝାନସୀ  ରାଣୀ  ରେଜିମେଣ୍ଟ"  ଆଦି  ଡିଭିଜନରେ  ଭାଗ  କରି  ତାର  ନେତୃତ୍ବ  ନେଇଥିଲେ  ।  ସ୍ୱକୀୟ  ଯୋଜନାନୁସାରେ   ସେ  ଆର୍କନ    ସୀମାନ୍ତରୁ  ଆକ୍ରମଣ   ଆରମ୍ଭ   କରି,  କୋହିମା  ଅଧିକୃତ  କରିଥିଲେ,  ପରେ  ପରେ   ବିମାପୁର  ଓ  ଇମ୍ଫାଲ  ଅଧିକୃତ  କରିବା  ପରେ  ଇମ୍ଫାଲରେ   ଉଡ଼ାଇଥିଲେ  ଭାରତର  ତ୍ରିରଙ୍ଗା  ପତାକା  ।   ସେହିଦିନ   ଆତ୍ମହରା  ସୁବାଷ  ବିଶ୍ୱକୁ  ଜଣାଇ  ଦେଇଥିଲେ ,  "  ଆଜାଦ୍  ହିନ୍ଦ୍  ଫୌଜ  ଭାରତର  ସୀମା  ଅତିକ୍ରମ  କରିଛି  ଓ  ଭାରତର  ପଵିତ୍ର  ମାଟିରେ  ଯୁଦ୍ଧ  କରୁଛି  ।"   ତାଙ୍କ  ନେତୃତ୍ବ  ପ୍ରତି  ସମର୍ଥନ  ଜଣାଇ  ବିପୁଳ  ଉତ୍ସାହରେ  ଆଗେଇ  ଚାଲିଥିଲେ    ଆଜାଦ୍  ହିନ୍ଦ୍  ଫୌଜର  ସୈନମାନେ  । 

କିନ୍ତୁ  ଭାଗ୍ୟର  ବିଡମ୍ବନା,  ସୁବାଷଙ୍କ  ପାଇଁ  ଭାଗ୍ୟଦେବୀ  ଅନୁକୂଳ  ନଥିଲେ  ।  ହଠାତ  ଜାପାନୀମାନେ  ସେମାନଙ୍କ  ଲଢୁଆ  ବିମାନ  ଭାରତ  ମାଟିରୁ  ହଟାଇ  ନେବା  କାରଣ, ସେମାନଙ୍କୁ  ପ୍ରତିକୂଳ  ଅବସ୍ଥାରେ  ଯୁଦ୍ଧ  କରିବାକୁ   ପଡୁଥିଲା । ଯେତେବେଳେ  ଭାରତରୁ  ଜାପାନୀ  ଓ  ଆଜାଦ୍  ହିନ୍ଦ୍  ଫୌଜର   ସୈନମାନେ  ହଟିବାକୂ  ଲାଗିଲେ,  ସେତେବେଳେ ଭାରତକୁ  ମୁକ୍ତ  କରିବା  ଆଶାଶୀ  ସୈନ୍ୟମାନଙ୍କ  ଉତ୍ସାହ  କମି  ଆସିଥିଲା  ।  ଦୁର୍ଭାଗ୍ୟକୁ  ଇଂରେଜମାନେ  ପ୍ରବଳ  ଭାବରେ  ଆକ୍ରମଣ  କରିଥିଲେ,  ଜାପାନୀମାନେ  ସେମାନଙ୍କୁ  ମୁକାବିଲା  କରିବା  ପୂର୍ବରୁ  ଜାପାନର  ହିରୋସୀମା  ଓ  ନାଗାସାକୀ  ସହର  ଉପରେ  ଇଂରେଜ  ପରମାଣୁବିକ  ଅସ୍ତ୍ରଶସ୍ତ୍ର  ପ୍ରୟୋଗ  କରିବାରୁ  ଜାପାନ୍  ଆତ୍ମସମର୍ପଣ  କରିଥିଲା । ଅବିଳମ୍ବେ  ରେଙ୍ଗୁନ୍  ମଧ୍ୟ  ଇଂରେଜମାନଙ୍କ  ଦ୍ୱାରା  କବଳିତ  ହେବାରୁ  'ଆଜାଦ୍  ହିନ୍ଦ୍  ଫୌଜ'  ବହୁ  ଜବାନମାନେ  ଆତ୍ମସମର୍ପଣ  କରିସାରିଥିଲେ  । 

ସେ ସମୟରେ    ଭାରତ  ସ୍ୱାଧୀନତାର  ଭାଗ୍ୟ  ବିଧାତା  ସୁବାଷ  ବୋଷ  ସିଙ୍ଗାପୁର  ପଳାୟନ  କରିଥିଲେ  ଓ  ସେଠାରୁ  ବ୍ୟାଙ୍କକ୍  ଅଭିମୁଖେ  ୧୬  ଅଗଷ୍ଟ  ୧୯୪୫ରେ  ଯାତ୍ରା  କରିଥିଲେ  ।  ତାଙ୍କ  ସହ  ମେଜର  ପ୍ରିତମ୍  ସିଂ,  ହବିବୁର  ରହମାନ,  କର୍ଣ୍ଣେଲ  ଗୁଲଜାଲ  ସିଂ  ପ୍ରମୁଖ  ଯାତ୍ରା  କରିଥିଲେ  ।  ଦେଶପ୍ରେମୀ  ସଂଗ୍ରାମୀ  ନେତାଜୀ  ଋଷିଆ  ଯାଇ  ସେଠାରୁ  ଇଂରେଜମାନଙ୍କ  ବିରୁଦ୍ଧରେ  ସଂଗ୍ରାମ  ଚାଲୁ  ରଖିବା  ଲାଗି  କଳ୍ପନା  ଓ  ପ୍ରୟାସ  କରିଥିଲେ  ।  ତେଣୁ  ବ୍ୟାଙ୍କକ୍  ଠାରୁ    ସାଇଗନ୍  ଯାଇଥିଲେ  ନେତାଜୀ  ।  ୧୯୪୫  ଅଗଷ୍ଟ  ୧୭ରିଖରେ  ଭାରତର  ସୁଯୋଗ୍ୟ  ସନ୍ତାନ  ବୀରଲଢ଼ୁଆ  ଜବାନ  ନେତାଜୀ  ସୁବାଷ  ଚନ୍ଦ୍ର  ବୋଷ  ଓ  କର୍ଣ୍ଣେଲ  ହବିବୁର  ରହମାନଙ୍କ  ସହ  ସାଇଗନ୍ ରୁ  ତାଇପେ  ଅଭିମୁଖେ  ଯାତ୍ରା  କରୁଥିବାବେଳେ  ଦୁର୍ଘଟଣା  ଘଟି  ତାଙ୍କର  ଯେ  ମୃତ୍ୟୁ  ଘଟିଛି,  ଯାହା  ଅଦ୍ୟାବଧି  ରହସ୍ୟମୟ  ହୋଇ  ରହିଛି  ।

ସତ୍ୟ  କଥା  ଏହାଯେ,  ନେତାଜୀ  ସୁବାଷ  ଚନ୍ଦ୍ର  ବୋଷଙ୍କ  ମୃତ୍ୟୁ  କେବେ  କିପରି  ଘଟିଛି,  ଏହାର  ରହସ୍ୟ  ଉପରୁ  ଆଜି  ପର୍ଯ୍ୟନ୍ତ  ପର୍ଦ୍ଦା  ହଟାଯାଇ  ପାରିନାହିଁ  ।  ଭାରତର  ସ୍ୱାଧୀନତା  ପରେ  କେତେ  ସରକାର  ଆସିଛି  ଓ  ସରକାର  ଗଢାହେଉଛି,   ଦୁର୍ଭାଗ୍ୟ  କେହି  ଜଣେ  ଏହି  ସତ୍ୟକୁ  ଜନ  ସମ୍ମୁଖରେ  ପ୍ରକାଶ  କରିବାକୁ  ପ୍ରୟାସ  କରୁନାହାନ୍ତି ।  ଏହି ସତ୍ୟତା  ନେପଥ୍ୟେ  ଆଉ  କିଛି  ଅଭିସନ୍ଧି  ଲୁଚି  ରହିଛି  କି  (?)  ।  ନା'  ସ୍ୱାଭିମାନୀ  ସୁବାଷ  ନିଜେ  ନିଜକୁ  ରହସ୍ୟ  ଘେରରେ  ଆତ୍ମଗୋପନ  କରିନେଲେ  (??) ।  ପୁଣ୍ୟଭୂମି   ଓଡ଼ିଶାର  କଟକସ୍ଥିତ  ଓଡିଆ  ବଜାରରେ  ଜନ୍ମିତ  ସୁବାଷ  ଚନ୍ଦ୍ର  ବୋଷଙ୍କ  ମୃତ୍ୟୁ  ରହସ୍ୟକୁ  କେବଳ  ଓଡିଆମାନେ  ନୁହନ୍ତି ,   ସମଗ୍ର  ଭାରତବାସୀ  ଉତ୍ସୁକ  ସହ  ଚାହିଁ  ରହିଛନ୍ତି  ।  ଭାରତୀୟ  ସ୍ୱାଧୀନତା  ସଂଗ୍ରାମରେ  ଯେ  କେବଳ  ଇଂରେଜ   ମାନଙ୍କ   ବିପକ୍ଷରେ  ସଶସ୍ତ୍ର  ସଂଗ୍ରାମ  କରି,  ତାହା  ପୁଣି  ଭାରତ  ବାହାରୁ  କରାଯାଇପାରିଥିଲା  ,  ତାହା  କେବଳ  ସମ୍ଭବ   ଥିଲା  ସୁବାଷ  ବୋଷଙ୍କ  ଅସୀମ  ବୀରତ୍ବ  ଯୋଗୁଁ  ।  ଏକଥା  ସତ୍ୟ,  ଯଦି  ଜାପାନ  ଆତ୍ମସମର୍ପଣ  କରିନଥାନ୍ତା,   ନିଶ୍ଚୟ  ' ଆଜାଦ୍  ହିନ୍ଦ୍  ଫୌଜ '  ତାହାର  ଲକ୍ଷ୍ୟରେ  ପହଞ୍ଚି  ପାରିଥାନ୍ତା  ଓ  ଭାରତୀୟ  ସ୍ୱାଧୀନତା  ସଂଗ୍ରାମ  ଭିନ୍ନ  ମୋଡ଼  ନେଇଥାନ୍ତା  ଏହା  ଅସ୍ୱୀକାର  କରିହୁଏ  ନାହିଁ  ।  ପ୍ରଶ୍ନ  ଉଠୁଛି  ନେତାଜୀଙ୍କ  ମୃତ୍ୟୁ  ରହସ୍ୟ  ଚିରଦିନ  ଲାଗି  ଏଭଳି  ରହସ୍ୟମୟ  ହୋଇ  ନରହୁ  ।

ଓଡିଶା  ସରକାରଙ୍କ  ପକ୍ଷରୁ  ପ୍ରଧାନମନ୍ତ୍ରୀଙ୍କୁ  ପତ୍ର  ଲେଖାଯାଉ,  ନିବେଦନ  କରାଯାଉଯେ  ସୁବାଷ  ଚନ୍ଦ୍ର  ବୋଷଙ୍କୁ  ନ୍ୟାୟ  ମିଳୁ,  ଉଚିତ  ହେବକି  ସୁବାଷ  ଚନ୍ଦ୍ର  ବୋଷ  ଭାରତୀୟ  ସ୍ୱାଧୀନତା  ସଂଗ୍ରାମରେ  ଯେଭଳି  ନିଜକୁ  ଉତ୍ସର୍ଗ  କରିଯାଇଛନ୍ତି,  ତାହା  ଆଗାମୀ  ପିଢ଼ିର  ଶିଶୁ/ଭବିଷ୍ୟତ  ବଂଶଧର  ସତ୍ୟକୁ  ଜାଣିବାର  ଯଥେଷ୍ଟ  ଗୁରୁତ୍ୱ  ରହିଛି  ।  ନେତାଜୀ  ସୁବାଷଙ୍କ  ଅପୂର୍ବ  ବୀରତ୍ବ  ଓ  ସ୍ୱଦେଶ  ପ୍ରୀତିର  ସ୍ମୃତିଚାରଣ  କେବଳ  ନୁହେଁ,  ବାସ୍ତବରେ  ତାଙ୍କର  ଜୀବନୀ  ଭାରତୀୟମାନଙ୍କ  ପାଇଁ  ପ୍ରେରଣାରଉତ୍ସ   ହୋଇରହିଛି  ଓ  ରହିଥିବ   ଓ  ତାଙ୍କ  ପ୍ରତି  ଶ୍ରେଷ୍ଠ  ଅର୍ଘ୍ୟ  ଅର୍ପଣ  କରନ୍ତେ,  ଯେତେବେଳେ  ତାଙ୍କୁ  'ଭାରତ  ରତ୍ନ'ରେ  ମଣ୍ତିତ  କରି  ଭାରତ  ଗୌରବ  ଅନୁଭବ  କରିପାରନ୍ତା ...!!!

ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ
ମହାନଦୀବିହାର ମହିଳା ସ୍ନାତକ ମହାବିଦ୍ୟାଳୟ, କଟକ

0 Comments