OUR READERS STATUS AROUND THE GLOBE : INDIA-362119 CANADA-354 CHINA-881 FRANCE-1727 GERMANY- 2083 QATAR - 61 SINGAPORE - 1114 UNITED STATES - 14819 UNITED KINGDOM - 553 UNITED ARAB EMIRATES - 926 UKRAINE-47 UNKNOWN REGIONS-5627

କ୍ଷୁଦ୍ରଗଳ୍ପ - ବିଚାରୀଟା - ନାରାୟଣ ଚନ୍ଦ୍ର ସେନାପତି

କ୍ଷୁଦ୍ରଗଳ୍ପ - ବିଚାରୀଟା - ନାରାୟଣ ଚନ୍ଦ୍ର ସେନାପତି


ସନ୍ଧ୍ୟାର ମିଠା ଚୁମ୍ବନରେ ସତେ ଯେମିତି ଓଦା ଓଦା ଅନୁଭବ କରୁଥିଲା ପ୍ର୍ରକୃତି । ଅନ୍ଧାରର ଶିକୁଳିଟା ଈର୍ଷାରେ ମାଡ଼ିଆସୁଥିଲା ତା ପଛେ ପଛେ । ସେହି ଅନ୍ଧାରର ବୁଢୀଆଣି ଜାଲକୁ ଛଡେଇ ଛଡେଇ ଚାଲିଥିଲା କ୍ରିଷ୍ଣା ତା ଜୀବନର ପହିଲି ଶ୍ରମ ପ୍ରଥମ ମାସର ପାଉଣା ଧରି । କିଛି ଆନନ୍ଦ କିଛି ଦୁଃଖ ସଂଗମର ମଝି ନଈରେ ସତେ ଯେମିତି ସେ ବାହୁଥିଲା ତା ଅଭିଶପ୍ତ ଜୀବନର ହୁଲି ଡଙ୍ଗା । କଅଣ ଆଉ କରିଥାନ୍ତା ଯେ । ବାପ ଛେଉଣ୍ଡ ଝିଅଟା । ମାଆଟା  ରୋଗର ଶେଯରେ ଘାଣ୍ଟି ହୋଇ ମୃତ୍ୟୁ ସଂଗେ କରୁଛି ସଂଗ୍ରାମ । ଶେଷରେ ତାକୁ ପ୍ରାଇଭେଟ୍ କମ୍ପାନୀରର ମାସକୁ ପାଞ୍ଚ ହଜାର ଟଙ୍କାର ମୂଲ ଲାଗିବାକୁ ପଡିଲା ।

ଆଜି ପାଇଲା ମାସର ପ୍ର୍ରଥମ ଦରମା,ତା ଲହୁ ଲୁହ ବୋଳା କଠିନ ଶ୍ରମର ଫଳ।ଏମିତି କେତେ ମାସ ପଇସା ରଖି ତା ମାଆକୁ ବଡ ଡାକ୍ତରଖାନା ନେଇ ଭଲ କରିବାର ଦୁର୍ବାର ସ୍ବପ୍ନ ସାଇତିଛି ତା ଦରଦୀ ହୃଦୟର ମୁଣିରେ। ହଠାତ୍ ତା ହାତରେ ଧରିଥିବା ବ୍ୟାଗକୁ ଝାମ୍ପ ମାରି ଛଡେଇ ନେଇ  ଦୌଡିଲା ଏକ ଚୋର।ଯେଉଁଠି ସାଇତା ହୋଇ ଥିଲା ତାର ପ୍ରଥମ ମାସ ମୂଲର ପହିଲି ମୂଲ୍ୟବୋଧ ଫେଣ୍ଟା ପାରିଶ୍ରମିକ।  ଚୋର ଚୋର ବୋଲି ବୁକୁଫଟା ଚିତ୍କାର କରୁଥାଏ  କ୍ରିଷ୍ଣା।ସତେ ଯେମିତି ତା ଦେହରୁ ରକତ କିଏ ଶୋଷିନେଲାକି। ନିଛାଟିଆ ରାସ୍ତାରେ ପଛେ ପଛେ ଗୋଡାଉଥାଏ,ଆଖିରୁ ଗଡୁଥିବା ଲୁହ ଧାର ଗୁଡାକ ବନ୍ୟା ସୁଅପରି ଭାସିଯାଉଥାନ୍ତି।କଥାରେ ପରା ଅଛି, ବେଡି ଉପରେ କରଡ଼ା।ଏତିକିରେ ନିୟତି ସନ୍ତୁଷ୍ଟ ହୋଇ ନ ଥିଲା ତା ଉପରେ।ନିଛାଟିଆ ଜଙ୍ଗଲ ଭିତରେ ଏଇ ଦୁର୍ବୃତ୍ତର ସାଥୀମାନେ ଜଗିଥାନ୍ତି କ୍ରିଷ୍ଣାର କଅଁଳ ମାଂସକୁ ବଣଭୋଜି କରିବା ଆଶାରେ।କଥାରେ ପରା ଅଛି ବିପଦ ଯେତେବେଳେ ଆସେ, ଭାଇ ବନ୍ଧୁ କୁଟୁମ୍ଭଙ୍କୁ ସାଥୀରେ ଧରି ଆସେ।କିଂକର୍ତ୍ତବ୍ୟବିମୁଢ ହୋଇ କ୍ରିଷ୍ଣା ଡାକୁଥାଏ ଜଗତର ନାଥ ଶ୍ରୀଜ଼ଗନ୍ନାଥଙ୍କୁ।ହେ ଜଗାକାଳିଆ,ମୁଁ ତୋର କ"ଣ ଦୋଷ କରିଥିଲି ଯେ,ବାପାର ସ୍ନେହରୁ ବଂଚିତ କଲୁ,ମାଆଟାକୁ ମରଣମୁଖରୁ ବଞ୍ଚାଇବାକୁ ସଂଘର୍ଷ କରୁ କରୁ ଏକାବେଳେକେ ଆମ ଦୁହିଁଙ୍କର ସର୍ବନାଶ କରିବାକୁ ଚାହୁଁଛୁ ! ଏପରି ହାତଭାଗିନୀର ଜୀବନ ନେଇ ବଞ୍ଚିବାର ଅଭୀପ୍ସା କେବେ ବି ମୋର ନାହିଁ ପ୍ରଭୁ,କେବଳ ଏତିକି ଚାହିଁଥିଲି ଯେଉଁ ମା କେତେ ଯନ୍ତ୍ରଣା ସହି ଦେଇଥିଲା ଜନମ, ରକତ ବୁହାଇ  ଉଭୟ ବାପା ଓ ମାଆର ପରମ କର୍ତ୍ତବ୍ୟ କରିଥିଲା,ତାକୁ ମରଣ ମୁହଁରୁ ବଞ୍ଚାଇ ପାରିଥିଲେ ହୁଏତ ତାହାର ଋଣ ଶୁଝିଥାନ୍ତି....।ଏତିକି ବେଳେ ଅସାମାଜିକ ଗଣ ତାକୁ ଟାଣି ନେଇ ତା"ର ଇଜ୍ଜତ ନେବାପାଇଁ କରୁଥାନ୍ତି ପ୍ରୟାସ।ଗୋଟେ ପଟେ କ୍ରିଷ୍ଣାର ବୁକୁଫଟା ଚିତ୍କାର ତ ଅନ୍ୟପଟେ ସୈତାନ ମାନଙ୍କ ଉନ୍ମାଦ ହସ।ସେ ପରା ଜଗତର ନାଥ ଜଗନ୍ନାଥ,ଭକ୍ତର ଡାକକୁ କେମିତି ବା ଶୁଣି ନ ଥାନ୍ତେ।କଥାରେ ପରା ଅଛି ଅରକ୍ଷିତକୁ ଦଇବ ସାହା।

ଠିକ୍ ଏହି ସମୟରେ ବିଶିଷ୍ଟ ଶିଳ୍ପପତି ଜଗନ୍ନାଥ ପଟ୍ଟନାୟକ ଫେରୁଥାନ୍ତି ସେହି ବାଟ ଦେଇ।ଜଣେ ଦାନୀ ମାନୀ ପରୋପକାରୀ ନ୍ୟାୟୀ ଓ ବିଚାରବନ୍ତ ବ୍ୟକ୍ତି ସେ।ଅବସରପ୍ରାପ୍ତ ସୈନ୍ୟବିଭାଗର କର୍ମଚାରୀ ବି ସେ।ମହାବଳ ବାଘ ସହ ଲଢେ଼ଇ କରିବାର କ୍ଷମତା ବି ଥିଲା ତାଙ୍କର।ବିଚାରୀ ତରୁଣୀର ଆର୍ତ୍ତଚିତ୍କାର ଶୁଣି ନୀରବ କେମିତି ରହିପାରିଥାନ୍ତେ ସେ ।ଜଗନ୍ନାଥଙ୍କ ଦୂତ ରୂପେ ଜଗନ୍ନାଥ ବାବୁ ସେମାନଙ୍କୁ ନିର୍ଘାତ ପ୍ରହାର ଦେଇ କ୍ରିଷ୍ଣା ର ଇଜ୍ଜତ ଓ ଜୀବନ ବି ବଞ୍ଚାଇଲେ।ମାତ୍ର ଝିଅଟିକୁ ଦେଖି ନିଜ ଆଖିକୁ ଵିଶ୍ଵାସ କରିପାରିଲେ ନାହିଁ।ଅତ୍ୟନ୍ତ ବିସ୍ମିତ ହୋଇ ମାନସୀଦ ବୋଲି ଚିତ୍କାର କଲେ।କ୍ରିଷ୍ଣା ଜଗନ୍ନାଥ ବାବୁଙ୍କୁ ସାଷ୍ଟାଙ୍ଗ ପ୍ରଣିପାତ କରି ଭୋ ଭୋ କରି କାନ୍ଦି କହିଲା ମଉସା, ଆପଣ ମୋ ପାଇଁ ସାକ୍ଷାତ ଭଗବାନ,କଣ କହି ଆପଣଙ୍କୁ ଧନ୍ୟବାଦ ଦେବି ମୁଁ ଭାଷାରେ ପ୍ରକାଶ କରିପାରୁନି! କ୍ରିଷ୍ଣା ର ଆଖିରୁ ଲୁହ ପୋଛୁ ଅଜାଣତରେ ତାଙ୍କ ଆଖିରୁ ଅମାନିଆ ଅଶ୍ରୁ ଗଡି ଗଲା।ସଂଗେ ସଂଗେ କହିଉଠିଲେ ଆରେ ତୁ ପରା ମୋ ଝିଅଟା,ବାପା କଣ ଝିଅଠୁ ଧନ୍ୟବାଦ ଆଶାକରେ ?ହେଲେ ତୋର ଏଭଳି ଅବସ୍ଥା ?ସବୁକିଛି ବର୍ଣ୍ଣନା କଲା କ୍ରିଷ୍ଣା।ହେଉ ମାଆ ଆଜିଠୁ ତୋ ଦାୟିତ୍ୱ , ତୋ ମାଆର ଦାୟିତ୍ୱ ଏ ବାପାଟା ନିଶ୍ଚୟ କରିବ। ହେଲେ ମଉସା ମୋତେ ଦେଖି ଆପଣ ଚମକି ଉଠିଲେ,ମାନସୀ ବୋଲି ଚିତ୍କାର କଲେ,ସତରେ ଏ ମାନସୀ କିଏ..ମୋତେ କଣ ଜଣାଇପାରିବେ ନାହିଁ?

ନାଁ ରେ ମା ସେ ବହୁତ କଥା, ତୁ ଜାଣିଲେ କିଛି ଲାଭ ନାହିଁ..କେବଳ ଆମେ ଦୁଃଖ ହିଁ ପାଇବା । ଝିଅର କଣ ବାପା ଅନ୍ତରର କୋହର କଥା ଶୁଣିବାର ଅଧିକାର ନାହିଁ,କ୍ରିଷ୍ଣା ର କୌତୁହଳ ପୂର୍ଣ୍ଣ ଜିଜ୍ଞାସାର ପ୍ରତ୍ୟୁତ୍ତର ଦେଇ ଜଗନ୍ନାଥ ବାବୁ କହିଲେ କିଏ କହିଲା ଅଧିକାର ନାହିଁ ରେ ମା।ସେଇ ଏକା ଆଖି ଏକା ମୁହଁ ଏକା ଚେହେରା,ଅବିକଳ ତୋ ପରି ଦେଖିବାକୁ ମୋର ସୁନାବୋହୁଟିଏ ଥିଲା।ମୋର ଏକମାତ୍ର ପୁଅ ମାନସ ବିଦେଶରେ ରହି ପାଠ ପଢୁଥିଲା।ଛୁଆ ବେଳୁ ମା କୁ ହରାଇଲା ପରେ ମୁଁ ଥିଲି ତା ବାପା ଆଉ ମାଆ।ତାର କୌଣସି ଅଳି ଅର୍ଦ୍ଦଳୀକୁ ମୁଁ ଏଡେଇ ଦେଇନି।ଭଲ ପାଇ ଜିଦି ଧରିଲା ବିବାହ କରିବାକୁ।କେମିତି ବା ମନା କରିଥାନ୍ତି।ହନିମୁନ୍ କରି ଗଲେ ଗୋଆ।ଫ୍ଲାଇଟ୍ ରୁ ଓହ୍ଲାଇ ସ୍କର୍ଫିଓରେ ଫେରିବା ବାଟରେ ହେଲା ଏକ ମର୍ମନ୍ତୁଦ ଦୁର୍ଘଟଣା।ଦୁହିଁଙ୍କୁ ନିଆଗଲା  ହସ୍ପିଟାଲ।ସୁନା ବୋହୁଟା ମୋର ସମସ୍ତଙ୍କୁ ଛାଡି ଚାଲି ଗଲା ଆରପାରିକୁ । ମୋ ମାନସଟା ବଂଚିଗଲା ସିନା ହେଲେ ଶଯ୍ୟା ଶାୟୀ ହୋଇ ପ୍ରତିମୁହୂର୍ତ୍ତରେ ଖୋଜୁଛି ତା ମାନସୀକୁ।ଡାକ୍ତରଙ୍କ କହିବା କଥା ଯଦି ସେ ଭଲହେବ ତା ହେଲେ କେବଳ ମାନସୀକୁ ପାଇଲେ।ଏ ପର୍ଯ୍ୟନ୍ତ ତାକୁ ନିଶା ଇଂଜେକସନ ଦେଇ ଅଧିକାଂଶ ସମୟ କତାରାଲଗା ହୋଇ ଶୋଇଵାକୁ ପଡୁଛି ।ତୋତେ ତ ମୁଁ ବାଧ୍ୟକରିବିନି ହେଲେ ତୁ ଚାହିଁଲେ ବିଚରାଟା ବଂଚିଯାଅନ୍ତ। । 

ମା କରିବେ ଆଜ୍ଞା, କିନ୍ତୁ ମୁଁ ନାଚାର।ସାହାଯ୍ୟ କରିବାକୁ ଇଚ୍ଛା ଥିଲେ ବି ମୁଁ ସମ୍ପୂର୍ଣ୍ଣ ଅସମର୍ଥ।ମୁଁ ଏକ ବିଧବା ହିନ୍ଦୁ ନାରୀ ଆଉ ଜାତିରେ ନୈଷ୍ଟିକ ବ୍ରାହ୍ମଣ।ମୁଁ  ସେଦିନ ଥିଲି ରେଭେନ୍ସା କଲେଜର ଯୁକ୍ତ ତିନି ଦ୍ଵିତୀୟ ବର୍ଷର ଛାତ୍ରୀ,ଆକାଶ ଥିଲେ ମୋ ସହ ପାଠୀ।ଦେଖା ସାକ୍ଷାତ ଓ ମିଳାମିଶାରେ ପରସ୍ପରକୁ ଭଲ ପାଇଲୁ।କିନ୍ତୁ ରଂଜୀତ ପଟ୍ଟନାୟକ ନାମିତ ଏକ ଅସାମାଜିକ ମୋତେ ବାରମ୍ବାର ହଇରାଣ କରୁଥିଲା ଓ ଭଲ ପାଇ ପାଇବାକୁ ବହୁତ ଚେଷ୍ଟା କରିଥିଲା।ବିଫଳ, ଅପମାନିତ ହେବାରୁ ମୋ ବିବାହ ପର ଚଉଠି ଦିନ ମୋ ସ୍ୱାମୀକୁ ଆକ୍ସିଡେଣ୍ଟ କରି ମାରିଦେଲା।ମୋ ଶାଶୁ ଘର ମୋ ଉପରେ ଦୋଷାରୋପ କରି ମୁଁ ଅଲକ୍ଷଣୀ କହି ମୋତେ ଘରୁ ବିଦା କରିଦେଲେ।ବାପା ମୋର ହାର୍ଟ ଆଟାକ ରେ ଚାଲିଗଲେ,ମାତ୍ର ମା ବଡ଼ ରୋଗର ଶୀକାର ହେଲା।ତାକୁ ବଞ୍ଚାଇବାକୁ ଵାପ ଘରେ ରହି ମୁଁ ଏ କାମକୁ ଆବୋରିଲି।କୁହନ୍ତୁ ମୋ ପାଖରେ ଆପଣଙ୍କୁ ସାହାଯ୍ୟ କ'ଣ ସମ୍ଭବ!

ନାଁ ରେ ମା' ତୋତେ ମୁଁ ବାଧ୍ୟ ତ କରିବିନି,କେଇଦିନ ଯଦି ତୁ ମିଛ ସ୍ତ୍ରୀର ଅଭିନୟ କରୁ,ସେ ଭଲ ହୋଇଯାନ୍ତା,ତା ପରେ...। ବହୁତ ଚିନ୍ତା କଲା ମାନସୀ,ଗୋଟିଏ ପଟେ ନିନ୍ଦା ଓ ଗୋଟିଏ ପଟେ ମା'ର ଜୀବନ।ବିବେକର ଜାତୀୟ ପକ୍ଷୀଟା ସତେ ଯେମିତି ତାକୁ କିଚ୍ଛି ସୂଚନା ଦେଉଥିଲା।ଶେଷରେ ମା' କୁ ବଞ୍ଚେଇବା ପାଇଁ ଓ ସେପଟେ ଦୁଇ ଦୁଇଟା ଜୀବନ ବଞ୍ଚେଇବା ପାଇଁ ସେ ପ୍ରସ୍ତାବରେ ରାଜି ହେଲା।

ତାପର ଦିନ ଜଗନ୍ନାଥ ବାବୁ କ୍ରୀଷ୍ଣାର ମା'କୁ ବଡ଼ ଡ଼ାକ୍ତରଖାନାରେ ଭର୍ତ୍ତି କଲେ ଏପଟେ  ମାନସୀ ଭୂମିକାରେ ଅଭିନୟ କଲା କ୍ରିଷ୍ଣା  ଓ ସ୍ୱାସ୍ଥ୍ୟରେ ସୁଧାର ଆଣିଲା।କିନ୍ତୁ କଥାରେ ଅଛି ବାହାର ଦୁନିଆଁ କ୍ଷୀରକୁ ବି ବିଷ କରେ।ଏ କଥା ଭିନ୍ନ ରୂପରେ ବାହାରକୁ ଆସିଲା।ଫୁସ୍ ଫାସ୍ ଟାଇ ଟାପରା କେତେ କ'ଣ।ଶେଷରର କୃଷ୍ଣା ବ୍ରାହ୍ମଣ କୂଳରେ ଜନ୍ମ ହୋଇ ବିଧବା ହୋଇ ହାତରେ ଶଙ୍ଖା, ମଥାରେ ସିନ୍ଦୁର ପିନ୍ଧିଲା,ଛି ଛି ପୁଣି ମା'ର ଏ ମୁମୂର୍ଷୁ ସମୟରେ।

ମା ଭଲହୋଇ ଫେରିଲା ଘରକୁ,କିନ୍ତୁ ସାଥିରେ ନ ଥିଲା କ୍ରିଷ୍ଣା।କ୍ରିଷ୍ଣା ର ମନ ଚଞ୍ଚଳ ହେଉଥାଏ ମା ଭଲ ହୋଇ ଫେରିଛି,ସେ ଯାଇ ଦେଖିବ।ମାତ୍ର ଜଗନ୍ନାଥ ବାବୁ ଆସିଲେ ସିନା ଅନୁମତି ନେଇ ଯିବ।ଅପେକ୍ଷା କରିଥିଲା ଚାତକ ପରି।ମାଆର ଉତ୍ସୁକତା ଯେତିକି ବଢୁଥାଏ କ୍ରିଷ୍ଣାର ବିଳମ୍ବ ତା ଆଶାରେ ଆଶଙ୍କା ହିଁ ବୃଦ୍ଧି କରୁଥିଲା।ସାହି ପଡ଼ିଶା ଲୋକ ଆସିଲେ ତାକୁ ଦେଖି।ବଖାଣିଲେ କ୍ରିଷ୍ଣା କରିଥିବା ବ୍ୟଭିଚାର ତାଙ୍କ ନଜରରେ।ତା ଝିଅ ବିଧବା ବ୍ରାହ୍ମଣୀ ହୋଇ ଶେଷରେ ଏତେ ତଳକୁ ଖସିଗଲା।ଘର,ଗାଁ,ଏ ଆଠ ଖଣ୍ଡି ମୌଜାରେ ନାଁ ପକେଇଲା।ଗାଁ ଲୋକ ଅଣ୍ଟା ଭିଡିଛନ୍ତି ତାକୁ ଏକ ଘରକିଆ କରିବେ,ନିଆଁ ପାଣି ବନ୍ଦ କରିଦେବେ।ଏକଥା ଶୁଣି ତାର ଏ ସୁସ୍ଥତାର ଖୁସିଟା ନିମିଷକେ ଧୂଳିସାତ ହୋଇ ତା ଅସୁସ୍ଥତାର ଯନ୍ତ୍ରଣାଠୁ ବି ଆହୁରି ଅଧିକ ଯନ୍ତ୍ରଣା ଅଜାଡି ଦେଲା।ଅପେକ୍ଷା କଲା କୃଷ୍ନାକୁ।ରାତି ଯେତେ ଅଧିକ ହେଉଥାଏ ତା ସନ୍ଦେହ ଓ ଅବିଶ୍ୱାସର ଭୁତ ମାନେ ରାମ୍ପୁଡି ପକାଉଥାନ୍ତି।ସେପଟେ ଜଗନ୍ନାଥ ବାବୁ ପହଁଚିଲା ପରେ କ୍ରୀଷ୍ଣା ବାହାରିଲା ମା'କୁ ଦେଖିବାକୁ।ରାତି ବହୁତ ହୋଇଯାଇଥିଲା,ତେଣୁ ରାତି ପାହିଲେ ଯିବା ପାଇଁ ଜଗନ୍ନାଥ ବାବୁ କହିଲେ।କଥା ରଖିଲା ସିନା ହେଲେ ରାତି ନା ସେ ଶୋଇଛି ନା ତା ମା'।ଜଣେ ଆନନ୍ଦରେ ମା'କୁ ଦେଖିବାର ଆକାଂକ୍ଷାରେ... ଆଉ ଜଣେ ନିନ୍ଦାରୁ ଦୁରେଇବାକୁ ଅପେକ୍ଷା କରିଥିଲା ଶୁଣିବାକୁ ତା ଝିଅ ଠାରୁ ଏ ଗାଁ ଲୋକଙ୍କ କଥା ସବୁ ମିଛ।ରାତି ପାହିଲା ପୂର୍ବରୁ କ୍ରିଷ୍ଣାର ମା' ନିଜକୁ ପ୍ରସ୍ତୁତ କରିନେଲା ଏ ଗାଁ ଛାଡି ପଳେଇବ।ଯେଉଁ ଗାଁରେ ସେ ନିର୍ଭୀକରେ ସମ୍ମାନର ସହ  ବଞ୍ଚିଥିଲା ସେଠାରେ ସେ ଏକଘରକିଆ ରହିବ !ନିଜ କେଇଖଣ୍ଡ ଲୁଗା ଧରି ଘରେ ଚାବି ପକାଇ ସକାଳ ପୂର୍ବରୁ ଚାଲିଗଲା ଅନେକ ଦୂରକୁ।

ଏପଟେ ରାତି ସିନା ପାହିଲା, ହେଲେ କ୍ରିଷ୍ଣାର ତା ମା'କୁ ଦେଖିବାର ଖୁସିର ସକାଳ ବୋଧେ ଲୁଚି ଥିଲା।ସଅଳ ସଅଳ ବାହାରି ଗାଁ ମୁଣ୍ଡରେ ପହଁଚି ଏକ ନିଃଶ୍ଵାସରେ ଦୌଡ଼ିଲା।କେହି ଜଣେ କହୁଥାଏ ଛି କ୍ରିଷ୍ଣା ଛି, ଶେଷରେ ତୁ ଏତେ ତଳକୁ ଖସିଗଲୁ।ବିଚାରୀ ମା'ଟାର ମୁହଁକୁ ଟିକେ ଚାହିଁଲୁ ନାହିଁ।

କ୍ରୀଷ୍ଣା ଜାଣିଗଲା ତା ଭୟ ଯାହା ଥିଲା,ତାହା ହିଁ ହେଲା।ତା ମା' ଜାଣିଥିଲେ କଣ ଭାବୁଥିବ,ତାକୁ ସେ ବୁଝିବ ତ ?ଗ୍ରହଣ କରିବ ତ? ଅଣନିଃଶ୍ବାସୀ ହୋଇ ସିଧା ଦୌଡିଲା ଉଦଵେଗର ମଇଦାନରେ।ନିଜ ଘର ପାଖରେ ପହଁଚିଲା।ହେଲେ ଏ କ'ଣ !   ଆସି ଦେଖେ ତ ଘରେ ତାଲା ପଡିଛି ।ଗାଁ ଲୋକେ ବି ଘେରିଗଲେ ତା ଚାରିପଟେ ଏଵଂ କହୁଥାନ୍ତି- ଛି ଛି ,ଶେଷରେ ବିଚାରୀ ବୁଢୀଟାକୁ ଟିକେ ଶାନ୍ତି ଦେଇପାରିଲୁନି।ଏତେ ତଳକୁ ଖସିଗଲୁ !

କ'ଣ କରିବ ଭାବି ଆଖିର ଲୁହକୁ ସାକ୍ଷୀରଖି ଘର ବାରଣ୍ଡାରେ ବସିପିଡ଼ିଲା। ମୁଣ୍ଡଟାକୁ  କାନ୍ଥରେ ଆଉଜି ଦେଇ କଣ ଭାବୁଥିଲା କେଜାଣି । ଧକେଇ ହୋଇ କାନ୍ଦି ମା'ର ସ୍ମୃତିଗୁଡାକୁ ଗଣି ଗଣି ମୂଲ୍ୟାୟନ କରୁଥିଲା ସେ ତା ସରଳତା ଓ ସାଧୁତାର ପରୀକ୍ଷା ହଲ୍ ରେ ।ସମୟ ପରିସ୍ଥିତି ଓ ପରିବେଶ ଖାଲି କହୁଥାଏ ଆହା ! ବିଚାରୀଟା ର ଭାଗ୍ୟରେ କଣ ଏଇଆ ଥିଲା।

ନାରାୟଣ ଚନ୍ଦ୍ର ସେନାପତି, ଜମ୍ଭରା, କେନ୍ଦୁଝର

0 Comments