ବିବର୍ତ୍ତନ ଚେହେରା - ପ୍ରଦୀପ ବନ୍ଧ

ବିବର୍ତ୍ତନ ଚେହେରା - ପ୍ରଦୀପ ବନ୍ଧ


ଜଳଛବି ପରି ଚମକେଇ
ଲୁଚି ଯାଉଛନ୍ତି ଶବ୍ଦମାନେ
ବହଳ କୁହୁଡି ମାଡି ବସିଛି
ଏ ଆଖି ପତା ଦୁଇଟିକୁ,
ଚରମ ଲୁହରେ ଭାସିଯାଉଛି ଖୁସି
ହୃଦୟର ପ୍ରତିଟି ଭାଷାକୁ
ନିଜ ଛାତି ଭିତରେ
ଅହରହ ଜଳେଇ ଚାଲିଛି
କେଣ୍ଡେଲ ପରି ।।

ତରଳି ଯାଉଛି ହସ  ସ୍ନେହ ପ୍ରେମ
ଆଖିର ଲୁହ ଓଠକୁ
ଓଦା କରି ଖୁସି ମନାଉଛି
ବର୍ତ୍ତମାନ ଅତୀତ ଆଉ
ଭବିଷ୍ୟତକୁ ଜାବୁଡି ଧରି,
ବାସି ଶେଯରେ ଗୋଳେଇ ଘାଣ୍ଟି ହେଉଛି
ବିବର୍ତ୍ତନ ଚେହେରା
ନୂଆ ଯୁଗର ନୂଆ ସକାଳର ଅପେକ୍ଷାରେ
ପ୍ରଖର ଗତିରେ ଦୌଡୁଛି ନିଃଶ୍ୱାସ ।।

ବିଶ୍ୱାସ ର ମଞ୍ଜିବୁଣି କାକରରେ
ଗାଧୋଉଛନ୍ତି ତରାଟ ମଲ୍ଲୀ ଟଗର
ସରାଗର ମହକ ଛୁଟେଇ
ମନ ମୋହି ଚାଲିଛି ବର୍ଣ୍ଣାଳୀ
ଏ ଡାଳରୁ ସେ ଡାଳ
ଡେଇଁ ଡେଇଁ ପତ୍ର ଛୁଉଁଛି
ସୁନେଲି କିରଣ ।।

ମଳୟର ମନ ମତାଣିଆ ଗୀତ ଗାଇ
ସବୁଜିମା ଛାତିରେ ରାଜ୍
କରୁଛି ମଣିଷ ପଣିଆ
ବିବେକର ଘଣ୍ଟା ପିନ୍ଧି ସାବଧାନ
ହୁସିଆର କହି କହି ଆଗରେ
ବାଡ଼ି ଧରି ଚାଲିଛି ସମୟ,

ହେଲେ,
ନର୍କରୁ ନିର୍ମାଲ୍ୟର ସନ୍ଧାନ ନେଇ
ବାଣ୍ଟିବାକୁ ହାତଠାରି ଡାକୁଛି
କେହି ଜଣେ ପଛରୁ,
ସେ ଯିଏ ବି ହେଉ
ମନ ମାନସିକତାର ବଉଳ ପେନ୍ଥା ଧରି ଚାହିଁ ରହିଛି
ମୋ ଫେରିବା ବାଟକୁ ।
କାହିଁକି ?
କ'ଣ ପାଇଁ ?

ପ୍ରଦୀପ ବନ୍ଧ, ଭଦ୍ରକ, ବାସୁଦେବପୁର,
ରାଜଘରପୋଖରୀ, ସାନମଛୁଆଘାଇ

0 Comments