ବସନ୍ତେ ପ୍ରଫୁଲ୍ଲ - ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

ବସନ୍ତେ ପ୍ରଫୁଲ୍ଲ - ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର


ମାଘ ଶେଷହେଲା ଶୀତ ଧୀରେ ଧୀରେ  ଛାଡ଼ି ଛାଡି ଯାଏ ମହୀ
ଦକ୍ଷିଣ ଦିଗରୁ ମଳୟ ଗିରିରୁ               ମଳୟ ଆସଇ ବହି   ।।
ବକୁଳ ପେନ୍ଥାରେ ଚୁତଫଳ ଚଣା        ବସନ୍ତ ରାଜା ଆଗମ
କହି ପରଭୃତ ସୁ-ମଧୁର  ରାଗେ          ତୋଳଇ ପଞ୍ଚମ ତାନ   ।।

ରଙ୍ଗ ବେରଙ୍ଗ ର ନାନାଜାତି ସୁମ          ବାଢିଛି ଶୋଭା ସମ୍ଭାର
ଦିଶଇ ପ୍ରକୃତି ରାଣୀ ଗଭାମଣ୍ଡି              ଆସେ କି ବସନ୍ତ କାଳ   ।।
କାକକୃଷ୍ଣ କାଚକନ୍ଦୁକ ଜିବନ       ସର, ହ୍ରଦ, ନଦ, ନଦୀ
ଗରଭେ ଧରିଛି ଅନିନ୍ଦ୍ୟ ସୁନ୍ଦର     ଦିଶଇ ବିଚିତ୍ର ଛବି ।।

ସରେ ସରୋରୁହ ବିମଳ କୋମଳ    ଦୁଧ ଅଳତାର ରଙ୍ଗ
ସଙ୍ଗେ ତା ମଧୁର ସଉରଭ ବାଣ୍ଟେ   ଉଡେ ମତୁଆଲା ଭୃଙ୍ଗ ।।
ସବୁଜ ବନାନୀ ନବ ପଲ୍ଲବୀତ     ପଲ୍ଲବେ ହୋଇଛି ଉଭା
ସତେକି ବସନ୍ତ ଆଗମେ ଧରଣୀ    ପିନ୍ଧିଛି କି ଛିଟ ଲୁଗା  ।।

ବସନ୍ତ ସମୟ ବଡ଼ ରସମୟ       ଚମ୍ପା, ନାଗେଶ୍ଵର ଯୁଇ
ବକୁଳ କୁଞ୍ଜରେ ରାଶ କୁଞ୍ଜକେଳୀ    ମାଧବଙ୍କ ସଙ୍ଗେ ରାଇ ।।
ହଳଦୀବସନ୍ତ କୁମ୍ଭାଟୁଆ ହୁଟ       ଶବଦେ ମହୀ ଉଛୁଳେ
ବସନ୍ତ ଆଗମେ ଶବ୍ଦାୟିତ ଧରା     ସୁମଧୁର କୋଳାହଳେ  ।।

ଫଗୁଣ ମାସରେ ଅବିର ରଙ୍ଗରେ    ରଙ୍ଗ ପିଚକାରୀ ଖେଳି
ବସନ୍ତ ଆସିଲା ରାଧାରାଣୀ ସଙ୍ଗେ   ଦୋଳି ଖେଳେ ବନମାଳୀ  ।।
କୃଷ୍ଣଚୁଡା ଆଉ ପଳାଶ ମଝିରେ    ସୁନାରୀ ସୁନେଲି ଫୁଲ
ଫୁଟି ଦିଶୁଅଛି ବସନ୍ତ ରାଜାନ     ପାଟଛତ୍ର ସମତୁଲ  ।।

ଚଇତି ଘୋଡ଼ା ର‌ ନାଚରେ ଏମନ  ଚଇତାଳି ଗୀତ ଗାଏ
ସେଇଗୀତ ତାଳେ ବସନ୍ତ ରାଜନ   ଧରାରୁ ବିଦାୟ ନିଏ ।।
ଏମନ୍ତ ବସନ୍ତ କରେ ରସାଣିତ    ପ୍ରକୃତି ବିଭୋର ହୁଏ
ଋତୁଚକ୍ରରେ ଏ ଅପୂର୍ବ ଭାରତୀ   ଗୀତ ରେ ପ୍ରଫୁଲ୍ଲ କହେ  ।।

ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର, ମଙ୍ଗଳାଯୋଡି, ଖୋର୍ଦ୍ଧା

0 Comments